Unknown

 

 

 

 

 

 

 

 

୧୨୧ତମ ସଂଖ୍ୟା କୋଣାର୍କ ୨୦୦୧

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପାତ୍ର

 

ଉମାଶଙ୍କର ପଣ୍ଡା

ଆଦିବାସୀ ଭାଷା, ସାହିତ୍ୟ ଓ ସଂସ୍କୃତି ବିଶେଷାଙ୍କ

 

ଶ୍ରୀ ଉମାଶଙ୍କର ପଣ୍ଡା

ମୁଖ୍ୟ ସମ୍ପାଦକ

 

ଢକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

ପରିଚାଳନା ସମ୍ପାଦକ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର – ୭୫୧୦୧୪

ଫୋନ୍ / ଫ୍ୟାକ୍ସ : ୪୩୧୮୦୦,୪୩୩୮୫୩

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ ।ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱମତ ।

 

 

ବିଷୟ ସୂଚୀ

ସଂପାଦକୀୟ

ପ୍ରବନ୍ଧ

ଡଙ୍ଗରିଆ କନ୍ଧଙ୍କ ସାମାଜିକ ଜୀବନ

:

ନରସିଂହ ମିଶ୍ର

ଓଡ଼ିଆ ଭାଷାର ବିକାଶରେ ଆଦିବାସୀ

ଭାଷାଗୁଡ଼ିକର ଅବଦାନ

:

ଜଗନ୍ନାଥ ମହାନ୍ତି

ସଉରା ଲୋକ ପରମ୍ପରାରେ

ପ୍ରେମ ଓ ମୃତ୍ୟୁଚେତନା

:

ମହେନ୍ଦ୍ର କୁମାର ମିଶ୍ର

ଓଡ଼ିଶାର ଆଦିବାସୀ ସମାଜରେ

ଦେବୀପୂଜା

:

ଚିତ୍ରସେନ ପଶାୟତ

ଲୋଧା : ସମାଜ-ଜୀବନ ଓ ସଂସ୍କୃତି

:

ନଗେନ୍ଦ୍ରନାଥ ମହାପାତ୍ର

ସାନ୍ତାଳୀ ଲୋକଗୀତର ଦୁଇଟି ଚିରନ୍ତନ

ବିଭବ: ପ୍ରେମ ଓ ମୃତ୍ୟୁ

:

ଦମୟନ୍ତୀ ବେଶ୍ରା

ବାକେଣି (କୁଇପହେଳି)- ଏକ ଅଧ୍ୟୟନ

:

ରାଜେନ୍ଦ୍ର ପ୍ରସାଦ ଷଡ଼ଙ୍ଗୀ

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ସଂସ୍କୃତି

:

କ୍ଷୀରୋଦ ଚନ୍ଦ୍ର ବେହେରା

ଆଦିବାସୀ ଲୋକଗୀତରେ ଜୀବନର ଦୁଇଟି

ବିଶିଷ୍ଟ ରୂପାୟିତ ଦିଗ : ପ୍ରେମ ଓ ମୃତ୍ୟୁ

:

ସୁବାସ ଚନ୍ଦ୍ର ମିଶ୍ର

କୋଣ୍ଡା କାମ୍ୱେରୁର ଡିଡ଼ାୟୀ ଓ ଆମ

ଉନ୍ନୟନ ବ୍ୟବସ୍ଥା

:

ପରମାନନ୍ଦ ପଟେଲ

କୋରାପୁଟର ଆଦିବାସୀ ଲୋକ

ସାହିତ୍ୟ ଏକ ପରିଚୟ

:

ରାଜେନ୍ଦ୍ର ପାଢ଼ୀ

ଗୁରୁ ମଙ୍ଗେଇ ଗମାଙ୍ଗ ଓ ତାଙ୍କର ଅମର

କୃତି ସଉରା ଲିପି

:

ଅଶୋକ କୁମାର ଦାସବାବୁ

କୋୟା କବିତାରେ ଜୀବନ ଓ ମୃତ୍ୟର ଚିତ୍ର

:

ପର୍ଶୁରାମ ସ୍ୱାଇଁ

ପ୍ରକୃତିର ଦେବାଳୟ- ‘‘ଜାହିରା’’

:

ନନ୍ଦ କିଶୋର କିସ୍କୁ

 

 

 

ସାହିତ୍ୟ ସମାଚାର

ଓଡ଼ିଶାର ଆଦିବାସୀ ଭାଷା ଓ ଲିପି ପ୍ରସଂଗ

 

 

ଆଦିବାସୀ ଭାଷା ଓ କବିତା ସଂପାନ

 

 

ଏକାଡେମୀ ସମାଚାର

 

 

ଆମ ରାଜ୍ୟର ଆଦିବାସୀମାନଙ୍କର କଥିତ ଭାଷା

 

 

ଆମ ରାଜ୍ୟର ଆଦିବାସୀ ସଂପ୍ରଦାୟ ଓ ସେମାନଙ୍କର ବସତି ଅଞ୍ଚଳ

 

 

 

 

 

ସଂପାଦକୀୟ

 

ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଶୁକ୍ରୁଜାନୀ କି ସରବୁ ସାଓଁତା ହେଉ, ବଙ୍ଗଳା ଲେଖିକା ମହାଶ୍ୱେତା ଦେବୀଙ୍କ କେତୁ ଶବର ନଚେତ୍ ଚୀନା ଔପନ୍ୟାସିକ ନୋବେଲ୍ ବିଜେତା ଗାଓ ଜିଂଗଜିଆଁଙ୍କ ସିଚୁଆଁ ପାର୍ବତ୍ୟ ଶ୍ରେଣୀରେ ବିରାଜମାନ ସେଇ ପାହାଡ଼ୀ ଲୋକଟି ହେଉ, ସବୁରି କଲମରେ ସେମାନଙ୍କୁ ସାଧାରଣ ପ୍ରଜା ବୋଲି ଚିତ୍ରଣ କରିବାରେ ଯେମିତି ସ୍ରଷ୍ଟା ଜଣକ ପଛଘୁଞ୍ଚା ଦେଉଛି । ନା ସେ ପ୍ରଜା ନୁହେଁ, ରଜା । ନିରୀହ ଆଦିବାସୀ କନ୍ଧଟିର ଧାରଣାରେ ରଜା ସାନଭାଇ । ବଡ଼ଭାଇ ଘୋଡ଼ା ଚଢ଼ିବ ବୋଲି ଛାଟ ଭାଙ୍ଗି ଯାଇଥିଲା, ହେଲେ ସାନଭାଇ ଘୋଡ଼ାଟିକୁ ଜପଟେଇ ଛୁ କଲା କେଉଁ ଅଭ୍ୟନ୍ତରକୁ । ଆକାଶ ପରି ବିଶାଳ ସେ ହୃଦୟ ସାନଭାଇର ଅଦୋଉତିକୁ କ୍ଷମା କରିଦେଲା ଆଉ ଏଭଳି ରାଶି ରାଶି ଲୋକ କାହାଣୀର ପଟ୍ଟଭୂମିରେ ଛିଡା ହୋଇ ଆଜିବି ଅଙ୍ଗୁଳି ନିର୍ଦ୍ଦେଶ କରେ ପାହାଡ଼ୀ ମଣିଷଟି ସ୍ମରଣ କରେଇ ଦେବାକୁ ଏକଲବ୍ୟକୁ । ଯେମିତି ଗୁରୁଦ୍ରୋଣ! ତାଙ୍କ ଉଚ୍ଚ ବଂଶଜ କାର୍ଯ୍ୟକଳାପ ବି ଫିକା ପଡ଼ିଯାନ୍ତି ତାର ଲହୁ ବଲବଲ କଟା ଆଙ୍ଗୁଠି ସାମନାରେ । ପାଠ ପଢ଼ିନଥିବା, ବିଦ୍ୟାଳୟ ମାଡ଼ି ନଥିବା ତାଙ୍କ ଭିତରୁ ଜଣେ ଭୀମଭୋଇ ବାହାରି ସମଗ୍ର ମଣିଷ ଜାତିର ପିଠିକୁ ଆଉଁଷି ଦିଏ ସ୍ନେହାର୍ଦ୍ର ପାପୁଲିରେ କହି କହି –

 

ଆତ୍ମା ଭଗତିରେ ଦୋଷାଦୋଷ ଥିଲେ ବଜ୍ର ପଡ଼ୁ ମୋ’ ମୁଣ୍ଡକୁ ।

କହେ ଭୀମଭୋଇ ବ୍ରହ୍ମଶାପ ଦେଇ ଜାଳିଦିଅ ମୋ’ ପିଣ୍ଡକୁ ।

 

କ୍ଷଣକ ପାଇଁ ନିଷ୍ପ୍ରଭ ଜଣାପଡ଼େ ସଂସ୍କୃତର ମହାପାଠ୍ୟ ବେଦ, ଉପନିଷଦ । ଏ କି ସଂସ୍କୃତି । ଯିଏ ପାହାଡ଼ ଫଟେଇ ସମତଳ କଲା, ନଈ ପାଣିକୁ ଆଗୁଳିଲା, ଜଙ୍ଗଲ ସଫା କରି କନକ ଶସ୍ୟ ଫଳେଇ ଦାନା ଥୋଇଲା କ୍ଷୁଧାର୍ତ୍ତ ମୁହଁରେ, ପରକୁ ଆପଣାର ମଣି କୋଳେଇ ନେଲା ପ୍ରଶସ୍ତ ବାହୁରେ, ଶେଷକୁ ତା’ ଘର କରଣା, ତା’ ଜମିବାଡ଼ି ତା’ ଭିଟାମାଟିଠୁ ତାକୁ ଦୂରକୁ ଦୂରକୁ ଫିଙ୍ଗି ଦେବାର ମସୁଧା କରୁଛି ଆଜିର ସଭ୍ୟ (?) ମଣିଷ । ସବୁ ଜନପଦ, ହାଟବାଟର ଘୋ ଘା ଡେଇଁ ସିଏ ପୁଣି ଫେରି ଯାଉଛି କେଉଁ ଆଦିମ ଗିରି ଗୁହାର ଭିତିରି ଥାକକୁ । ଯେମିତି ତା’ ଆଙ୍ଗୁଳି ଚାପାରେ ବିଜୁଳି ଝଲସିବ ନାହିଁ । ଟେପ୍ ଖୋଲିବ ନାହିଁ । ଖାଲି ପଥର ଦେହରେ ପଥର ଘଷି ହୋଇ ଉତ୍ପନ୍ନ ନିଆଁ ଝୁଲକୁ ସାଉଁଟି ଅଂଟିରେ ଧରି ସେ ପିଲାପିଲିଙ୍କୁ ନେଇ ଜଳୁଥିବ ଏକ ଆଗ୍ନେୟ ପୁରୁଷ ଭଳି, ଜୀବନ ସାରା ।

 

ମହାଶ୍ୱେତା ଦେବୀଙ୍କ ପୁରୁଲିଆର ସେଇ କେତୁ ଶବରର ଆଖି ନିଜେ ବାନ୍ଧୁଥିବା ବଡ଼ ବଡ଼ ଧାନ ବିଡ଼ାରେ ନ ଥାଏ, ଥାଏ ତାକୁ ସାଉଁଟି ନେଲାବେଳକୁ ସେଥିରୁ ହଲଚଲ ହେଇ କାଦୁଅରେ ପୋତି ହୋଇ ପଡ଼ିଥିବା ଗୋଟା କେତେ ଧାନ କେଣ୍ଡାକୁ । ଭୋର କୁହୁଡ଼ିର ଝୀନ ପର୍ଦ୍ଦାକୁ ଆଡ଼େଇ ସେ ସେଇ କେଇଟାକୁ ସଂଗ୍ରହ କରି ତୋରାଣି ମୁନ୍ଦେ ଥୋଇଦିଏ ତା’ ପିଲାପିଲିଙ୍କ ମୁହଁରେ । କେମିତି କାଁ ଭାଁ ଫୁରସତ୍ ମିଳିଲେ ଆଶ୍ରା କରିଯାଏ କିଛିଟା ନାଲି ପାଣିକୁ । କେହି କେହି ତାକୁ ସୁରା କହି ପାରନ୍ତି, କିନ୍ତୁ ତା’ ପାଇଁ ସେଇଟା ଯେ ଅମୃତ । ସେମାନେ ମିଛ କ’ଣ ଜାଣନ୍ତିନି । ଗର୍ବ, ଅହମିକା, ପରଶ୍ରୀକାତରତାର ବିଷାୟିତ ଫଣା କେବେ ଚୋଟ ମାରିନି ତାଙ୍କ ନିରୀହତାକୁ । ଆବଶ୍ୟକତାଠୁ ଅଧିକ ଅର୍ଜନର ଲାଳସା କେବେ ତାଙ୍କଠି ନଥିଲା, ଆଜି ବି ନାହିଁ । ତାଙ୍କୁ ନେଇ କେତେ ରାଜନୀତି, କେତେ ବେପାର, କେତେ ହିସାବ ଫର୍ଦ୍ଦ । କିନ୍ତୁ ସେମାନେ ଯେଉଁଠି ଥିଲେ, ଆଜି ବି ସେଇଠି ବୋଲି କହିବାକୁ ବାଧ୍ୟ ହେଉଛୁ ।

 

ଓଡ଼ିଶାର ସାମଗ୍ରିକ ଲୋକ ସଂଖ୍ୟାର ଶତକଡ଼ା ୧୬ ଓ ୨୨ ଭାଗ ଲୋକ ହରିଜନ ଓ ଆଦିବାସୀ ଶ୍ରେଣୀଭୁକ୍ତ ବୋଲି ପରିସଂଖ୍ୟାନରୁ ବୁଝାପଡ଼େ । ଏମାନଙ୍କ ଉନ୍ନତିକଳ୍ପେ ସମୁଦାୟ ୩୧୪ ଟି ବ୍ଲକରୁ ୧୧୮ ଟି ବ୍ଲକକୁ ଆଦିବାସୀ ବ୍ଲକ ଭାବେ ଚିହ୍ନିତ କରାଯାଇଛି । ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ମାଗଣାରେ ପ୍ରଦାନ କରାଯାଉଥିବା ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଅର୍ଥାତ୍ ଷଷ୍ଠ ଶ୍ରେଣୀରୁ ଷ୍ଟାଇପେଣ୍ଡ୍‍ ଆକାରରେ ଅର୍ଥ ପ୍ରଦାନ କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ଆଦିବାସୀ ଲୋକଙ୍କ ସଂଖ୍ୟା ପ୍ରାୟ ୫୯ ଲକ୍ଷ ୨୦ ଲକ୍ଷ ହଜାର । ଏମାନଙ୍କ ମଧ୍ୟରୁ ପୁରୁଷ ଓ ମହିଳା ସାକ୍ଷରତା ହାର ଯଥାକ୍ରମେ ୯ ଲକ୍ଷ ୮୧ ହଜାର ଓ ୨ ଲକ୍ଷ ୯୨ ହଜାର ମାତ୍ର । ତେଣୁ ଅବଶିଷ୍ଟ ୪୬ ଲକ୍ଷ ୪୭ ହଜାର ମଣିଷ ଏବେବି ନିରକ୍ଷରଙ୍କ ସଂଖ୍ୟା ୭୮.୪୯ । ପ୍ରାୟତଃ ୧୮ ଲକ୍ଷ ୬୮ ହଜାର ପୁରୁଷ ଓ ୨୭ ଲକ୍ଷ ୭୯ ହଜାର ମହିଳା ପ୍ରାଥମିକ ଶିକ୍ଷାଲାଭର ସୁଯୋଗରୁ ସଂପୂର୍ଣ୍ଣ ବଂଚିତ । ଏହା ରାଷ୍ଟ୍ର ପ୍ରଶାସନ ତଥା ବିକାଶଶୀଳ ଏଇ ଭୂଖଣ୍ଡ ପାଇଁ ଆତ୍ମଘାତୀ ତୁଲ୍ୟ । ସାମାଜିକ ମହାସ୍ରୋତରେ ଏଇମାନଙ୍କୁ ମିଶେଇବାକୁ ହେଲେ ସେଇ ତିମିରାୟିତ ପରିଧିରୁ ମୁକୁଳେଇବା ପାଇଁ ଆଜି ସମଗ୍ର ଶାରୀରିକ, ମାନସିକ ପ୍ରଚେଷ୍ଟାର ଆବଶ୍ୟକତା ନିହାତି ଜରୁରୀ । ଆବାସିକ ବିଦ୍ୟାଳୟ, ଆଶ୍ରମ ସ୍କୁଲ, କନ୍ୟାଶ୍ରମ, ସେବାଶ୍ରମ ଭଳି ବହୁ ଶିକ୍ଷାନୁଷ୍ଠାନର ଦିୱାରଦେଶରେ ଛାତ୍ରବୃଦ୍ଧି ଅଭିଯାନର ପାଂଚଜନ୍ୟକୁ ଫୁଙ୍କିବା ପାଇଁ ଆଜି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମାନବୀୟ ସମ୍ୱଳକୁ ଏକତ୍ରିତ କରିବାକୁ ହେବ । ଆଦିବାସୀ ଭାଷା ଯଥା ସଉରା, ସାନ୍ତାଳୀ (ଅଲ୍‍ଚିକି) କୁଇ ଇତ୍ୟାଦିର ସମୂହ ଉନ୍ନତି ତଥା ଓଡ଼ିଆ ଭାଷା ସହିତ ତା’ରି ତୁଳନାତ୍ମକ ବିଶ୍ଲେଷଣ ବିନା ଏଭଳି ପ୍ରଚେଷ୍ଟା ମହତ୍ତର ହେବ ନାହିଁ ।

 

କୋଣାର୍କର ଚଳିତ ସଂଖ୍ୟାକୁ ଆଦିବାସୀ ଭାଷା ସଂସ୍କୃତି ବିଶେଷାଙ୍କ ଭାବେ ପ୍ରକାଶ କରିବାର ନୈତିକ ଦାୟିତ୍ୱ ନିର୍ବାହ କରୁଛି ଓଡ଼ିଶା ସାହିତ୍ୟ ଏକାଡେମୀ । ଆଶା,ଏହା ସେମାନଙ୍କ ଜନ ଜୀବନକୁ ବୁଝିବା ଦିଗରେ କିଛିଟା ସହାୟକ ହେବ ।

 

ଅଶ୍ୱିନୀ କୁମାର ମିଶ୍ର

ପରିଚାଳନା ସଂପାଦକ

 

ଡଙ୍ଗରିଆ କନ୍ଧଙ୍କ ସାମାଜିକ ଜୀବନ

ନରସିଂହ ମିଶ୍ର

 

କୌଣସି ପୂଜାଦିନରେ ବାଜା ବାଜିଲେ ବେଜୁଣୀ ଦେହ ଉଠେ ତା’ ଦେହରେ ଦେବତା ପ୍ରବେଶ କରେ । ବେଜୁଣୀ ଦାନ୍ତ କଡ଼ମଡ଼ କରି ଗର୍ଜି ଉଠେ । ମୋ ପାଇଁ ପୋଢ଼ ମାର,ଘୁଷୁରୀ କାଟ, ମହୁଲ ଦେ, ମଦ ଦେ ନଚେତ୍ ମୁଁ ଚୋର ସର୍ବନାଶ କରିବି । କାହାର ଭଲ ଫସଲ ହେଲା ନାହିଁ,କାହାର ଦେହ ଅସୁସ୍ଥ ହେଲା, କିଏ କାହାକୁ ବାଣ ମାରିଲା ଏସବୁ କଥା ବେଜୁଣୀ ଜାଣିପାରେ-। ମଣିଷ ଦେହକୁ କାମୁଡ଼ି ମୁଣ୍ଡା ମୁଣ୍ଡା ମାଂସ,ମେଞ୍ଚା ମେଞ୍ଚା ରକ୍ତ,ପୁଳା ପୁଳା ବାଳ ବାହାର କରି ସମସ୍ତଙ୍କ ଆଖି ଆଗରେ ପକାଇ ଦିଏ । ଡଙ୍ଗରିଆ ଭୟରେ ଥରି ଉଠେ । ଭୀତତ୍ରସ୍ତ ହୁଏ ବେଜୁଣୀକୁ ଶାନ୍ତ କରିବା ପାଇଁ ସେ ପୋଢ଼ମାରେ, ଘୁଷୁରି କାଟେ, ମହୁଲ ଦିଏ, ମଦ ପୂଜା କରେ ଓ ନିଜେ ଆଶ୍ୱସ୍ତ ହୋଇ କୃତ୍ୟ କୃତ୍ୟ ଭାବେ କହେ ଯଦି ତା’ର ସମାଜରେ ବେଜୁଣୀ ନ’ଥାନ୍ତା ତା’ ସଂସାରଟା ଚାଲନ୍ତା କିପରି ?

 

ରାୟଗଡ଼ା ଓ ଗୁଣୁପୁରୁ ସବ୍ଡ଼ିଭିଜନକୁ ବିଚ୍ଛିନ୍ନ କରି ଯେଉଁ ପାହାଡ଼ମାଳା ମୁଣ୍ଡ ଟେକି ଉଠିଛି ତା’ର ସ୍ଥାନୀୟ ନାମ ହେଲା ‘ନିୟମ ଗିରି’ । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ସ୍ଥାନ ବିଶେଷରେ ୩୦୦୦ ରୁ ୩୫୦୦ ଫୁଟ । ଏତେ ଉଚ୍ଚ ପାହାଡ଼ ଥିଲେ ମଧ୍ୟ ସେଠାରେ ଆଉ ଜଙ୍ଗଲ ନାହିଁ । ନାହିଁ କହିଲେ ତ ଠିକ୍ ହେବ ନାହିଁ, ଅଛି, କିନ୍ତୁ ପ୍ରାକୃତିକ ନୁହେଁ । କୃତ୍ରିମ ଜଙ୍ଗଲ । ବଣ ଜଙ୍ଗଲକୁ ନିଃଶେଷ କରି, ପାହାଡ଼ ଡଙ୍ଗରକୁ ଖୋଳି ତାଡ଼ି ଡଙ୍ଗରିଆ ସୃଷ୍ଟି କରିଛି କଦଳୀ, ପଣସ, ଆମ୍ୱ, କମଳା, ସପୁରି ଓ ହଳଦୀର ନକଲି ଜଙ୍ଗଲ । ସତରେ ଏହା ଜଙ୍ଗଲ ତ ନୁହେଁ ଉତ୍କଳ ଶିମଳାର ରୋମ୍ୟ ଉପବନ । କଦଳୀ ବନର ସବୁଜିମା, ପକ୍ୱ, ଫଳଭରା କମଳା ବଣର ଶୋଭା, ହଳଦୀ ଫୁଲର ମହମହ ବାସ, କର୍ମମୁଖର ଡଙ୍ଗରିଆର ଆବିଳତାହୀନ ହସ ହସ ମୁହଁ ଓ ମନମତାଣିଆ ଗୀତର ଲହରୀ, ସବୁ ଖୋଲା ଆଖିରେ ଦେଖାଯାଏ ଓ ସଫା ମନରେ ଆଙ୍କି ହୋଇ ରହିଯାଏ ଯାହା କବିର କଲମରେ, ଶିଳ୍ପୀର ତୂଳୀରେ ବା ଭାବୁକର କଳ୍ପନା ମଧ୍ୟରେ ପ୍ରକାଶ କରିବା ସମ୍ଭବ ନୁହେଁ ।

 

ଡଙ୍ଗରିଆ ହେଲା କନ୍ଧ ଗୋଷ୍ଠୀର ଏକ ଉପଗୋଷ୍ଠୀ । ଏମାନେ ସମଗ୍ର ନିୟମ ଗିରି ପର୍ବତମାଳାର ୧୪୦ ଟି ଗ୍ରାମରେ ଅବସ୍ଥାନ କରନ୍ତି । ଏମାନଙ୍କ ମୋଟ ସଂଖ୍ୟା ଛଅ ବା ସାତ ହଜାରରୁ ଅଧିକ ନୁହେଁ । ଡଙ୍ଗରିଆର ନାକରେ ଦଣ୍ଡି, ଗୁଣା କାନରେ ଝଲକା, ମୁଣ୍ଡରେ ବାମପାଖକୁ ସରୁ ଜୁଡ଼ା । ଜୁଡ଼ାରେ ଆଲୁମିନିୟମ୍‍ର ଫୁଲ ଓ ଦେହରେ ରଂଗିନ ସୂତାରେ କଟକୁଟ କରା ପାଛୁଡ଼ି ଦେଖିଲେ ଅନେକ ସମୟରେ ସ୍ତ୍ରୀ ପୁରୁଷକୁ ବାରିବା ଅସୁବିଧା ହୁଏ ।

 

ନିୟମ ଗିରିର ପୂର୍ବପଟେ ଥିବା କୁଟିଆ କନ୍ଧ ଓ ପଶ୍ଚିମ ପଟେ ଥିବା ‘କୁଭୀ’ କନ୍ଧଙ୍କ ଭାଷାର ସମ୍ମିଶ୍ରଣରେ ଗଢ଼ି ଉଠିଛି ଡଙ୍ଗରିଆ ଭାଷା । ଏମାନଙ୍କ ବେଶଭୂଷା, ଆଚାର ବ୍ୟବହାର, ପର୍ବପର୍ବାଣି, ସଂସ୍କୃତି ସଭ୍ୟତା ଅନ୍ୟାନ୍ୟ କନ୍ଧ ଗୋଷ୍ଠୀଠାରୁ ଅନେକଟା ଭିନ୍ନ ।

 

ଡଙ୍ଗରିଆ ବିଶ୍ୱାସ କରେ ତା’ର ପୂର୍ବପୁରୁଷ ‘ଜାକାସିକା’ ଦେବତାମାନଙ୍କ ସହ ବାସ କରୁଥିଲା । ଧର୍ମଦେବତା, ଭୀମଦେବତା ଥିଲେ ତା’ର ସାଙ୍ଗ, କିନ୍ତୁ ଧର୍ମଦେବତା ତା’ପ୍ରତି କପଟ କଲେ । ତାକୁ କହିଲେ, ତୁମେ ତଳକୁ ଯାଇ ଚାଷବାସ କରି ବଞ୍ଚ । ଜାକାସିକା କିନ୍ତୁ ଏଥିରେ ରାଜି ହେଲା ନାହିଁ । ଜାକାସିକା ବଂଶର ପ୍ରସିଦ୍ଧ ବୀର ଇହପାଟାପ୍‌ପିଡ଼ି, ଧାର୍ମୁଟାପ୍‌ପିଡ଼ି, ଇହପା ଡୋଲି, ମୁଗନ୍ ଡୋଲି, ଆସାମ ବୋଲି ଓ କେଶମ ଡୋଲି ଇତ୍ୟାଦି ଧର୍ମଦେବତାଙ୍କ ସହ ପ୍ରଚଣ୍ଡ ଯୁଦ୍ଧ କଲେ । ଧର୍ମୁ ଦେବତାଙ୍କ କବାଟ ଭାଙ୍ଗି ଗଡ଼ ଭିତରେ ପଶିଗଲେ । ଧର୍ମୁ ଦେବତା ସିନା ବଳରେ ହାରିଗଲା କିନ୍ତୁ ଫେରେ କପଟ କରି ଜାକାସିକା ବଂଶର ବୀରମାନଙ୍କୁ ସିନ୍ଦୁର ଟିପା ଲଗାଇ ଦେଲା-। କଳାଟିପା ଲଗାଇଦେଲେ, ଧୂଳି ଟିପାଏ ଟିପାଏ ଆଖିରେ ପକାଇ ଦେଲେ । ଅତଏବ, କାହା ଆଖିକୁ ଆଉ ଦେଖା ଗଲା ନାହିଁ । ତାପରେ ଧର୍ମୁଦେବତା ସମସ୍ତଙ୍କୁ ଗୋଡ଼ାଇ ତଳକୁ ପଠାଇ ଦେଲେ ।

 

ଅନେକ ଦିନଗଲା । ଜାକାସିକା ବଂଶର ଲୋକମାନେ ଚାଷବାସ ଶିକାର କରି ଦୁଃଖେ କଷ୍ଟେ ଚଳିଲେ । ଦିନେ ଜାକାସିକା ବଂଶର ବାଙ୍ଗାସିକା ଶିକାର କରି ଯାଉଥିଲା । ବଣ ଭିତରେ ଗୋଟିଏ କୁଟୁରାକୁ ଦେଖି ତୀର ବିନ୍ଧିଲା ବେଳକୁ କୁଟୁରା ପେଟରୁ ତାର ଛୁଆମାନେ ପାଟିକଲେ,- ‘‘ଆମକୁ ମାର ନାହିଁ, ଆମ୍ଭେ ତୋର ଉପକାର କରିବୁ’’ । ବାଙ୍ଗାସିକା ପ୍ରଶ୍ନ କଲା ତୁମେ ଫେରେ ମୋର କି ଉପକାର କରିବ ? କୁଟୁରାଛୁଆ ମାନେ କହିଲେ, ତେବେ ଶୁଣ, ‘କାଲି ଫେରେ ଧର୍ମୁଦେବତା ସଭା ବସାଇଥିଲା । ସେଥିରେ ନିଷ୍ପତ୍ତି ନିଆଯାଇଛି ଯେ ତୁମ୍ଭେଥିବା ପୃଥିବୀକୁ ସୋମ ଓ ମଙ୍ଗଳବାର ଦିନ ପାଣିରେ ବୁଡ଼ାଇ ଦିଆଯିବ । ସୁତରାଂ ତୁମେ ଗୋଟିଏ ବଡ଼ ଶିମିଳି ଗଛ କାଟି ଡଙ୍ଗା ତିଆରି କର ଓ ସେଥିରେ ବସି ଭାସିଯାଅ ।

 

ବାଙ୍ଗସିକା ବଣରୁ ଫେରି ସମସ୍ତଙ୍କୁ ଏକଥା କହିଲା, କିନ୍ତୁ ସମସ୍ତେ କଥାଟାକୁ ହସରେ ଉଡ଼ାଇ ଦେଲେ । ବାଙ୍ଗାସିକା କିନ୍ତୁ ଡଙ୍ଗା ତିଆରି କଲା ତାର ନିତ୍ର ବ୍ୟବହାର୍ଯ୍ୟ ସମସ୍ତ ଜିନିଷ ସଜାଇ ରଖିଲା । ଯେଉଁଦିନ ପୃଥିବୀ ପ୍ରଳୟ ହେଲା ସେ ଓ ତା ଭଉଣୀ ଶିମିଳି ଡଙ୍ଗାରେ ବସି ଭାସିଗଲେ । ପ୍ରଳୟରେ ମଣିଷସମାଜ ଲୋପ ପାଇଲା । ଆଉ ଧର୍ମୁ ଦେବତାକୁ ପୂଜା ଦେବାକୁ କିଏ ରହିଲେ ନାହିଁ । ପୂଜା ନ ପାଇ ଧର୍ମୁ ଦେବତା ଅସୁସ୍ଥ ହୋଇପଡ଼ିଲେ । ଦେହ ଫୁଲିଗଲା । ଚାଲବୁଲ କରିବା ମଧ୍ୟ କଷ୍ଟ ହେଲା ।

 

ତାଙ୍କର ଫେରେ ମନ ହେଲା ମଣିଷକୁ ସୃଷ୍ଟି କରିବେ । ସୁତରାଂ ସେ ଗୋଟିଏ ଠେକୁଆକୁ ଡାକି କହିଲେ ପୃଥିବୀକୁ ଯାଇ ଖୋଜି ଆସ କେହି ମଣିଷ ବଞ୍ଚିଛି କି ନାହିଁ ? ଠେକୁଆ ସାରା ପୃଥିବୀ ଖୋଜି ଆସି ଖବର ଦେଲା ପ୍ରଳୟ ପରେ ମଣିଷ ସମାଜ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି ।

 

କିନ୍ତୁ ଧର୍ମଦେବତାର ମନ ମାନିଲା ନାହିଁ । ସେ ପୁଣି ଗୋଟିଏ କାଠଖୁଣ୍ଟା ଚଢ଼େଇକୁ ପଠାଇଲେ । ସେ ଉଡ଼ି ଉଡ଼ି ଗଲା ବେଳେ ବାଙ୍ଗସିକାର ଡଙ୍ଗା ଦେଖିଲା ଓ ଡଙ୍ଗାକୁ ତା ଥଣ୍ଟରେ ଖୁମ୍ପିବାକୁ ଲାଗିଲା । ତା ଥଣ୍ଟ ବାଜି ଡଙ୍ଗାରେ ନିଆଁ ଜଳି ଉଠିଲା । ଧର୍ମଦେବତା ଜାଣି ପାରିଲେ ସେଠାରେ ଡଙ୍ଗା ଅଛି । ସୁତରାଂ ସେ କୁଆକୁ ପଠାଇଲେ ।

 

କୁଆ ଆସି ଡଙ୍ଗାରେ ଥିବା ଅଇଁଠା ପତର ସବୁ ନିଆଁରେ ପୋଡି ଦେଲା । ଅଇଁଠା ପତର ପୋଡିବା ସଙ୍ଗେ ସଙ୍ଗେ ଧର୍ମୁଦେବତାର ଦେହ ସୁସ୍ଥ ହେବାକୁ ଲାଗିଲା ଓ ସେ ଡଙ୍ଗା ନିକଟରେ ଉପସ୍ଥିତ ହେଲେ । ବର୍ତ୍ତମାନ ତାଙ୍କର ପ୍ରଧାନ ଚିନ୍ତା ହେଲା ମଣିଷ ସୃଷ୍ଟି ଫେରେ ସମ୍ଭବ ହେବ କିପରି ?

 

ସେ ଫେରେ ବାଙ୍ଗାସିକା ଓ ତା ଭଉଣୀକୁ କପଟ କରି ବିପରୀତ ଦିଗକୁ ପଠାଇ ଦେଲେ, କହିଲେ ତୁମେ ଦେଖି ଆସ ପୃଥିବୀରେ କେଉଁମାନେ ବଞ୍ଚିଛନ୍ତି ସେମାନେ ଘୂରି ଆସି ପୁଣି ସେଇଠି ଦେଖାକଲେ ଓ ନିଜକୁ ଚିହ୍ନିପାରିଲେ ଏବଂ ପୃଥିବୀରେ ମଣିଷ ନଥିବା କଥା ଧର୍ମୁଦେବତାକୁ ଜଣାଇ ଦେଲେ ।

 

ଧର୍ମୁଦେବତା ପୁଣି କପଟ କରି କହିଲେ, ‘ଅନ୍ୟ ଦିଗକୁ ଯାଇ ଖୋଜି ଆସ’ । ସେମାନେ ଯିବା ସଙ୍ଗେ ସଙ୍ଗେ ଧର୍ମୁଦେବତା ବସନ୍ତ ରୋଗକୁ ତାଙ୍କ ପଛେ ପଛେ ପଠାଇ ଦେଲେ । ସେମାନେ ବସନ୍ତ ରୋଗରେ ବିକଳାଙ୍ଗ ହୋଇ ସ୍ମରଣ ଶକ୍ତି ହରାଇ ଯେତେବେଳେ ଫେରି ଆସିଲେ, ସେତେବେଳେ ସେମାନେ ପରସ୍ପରକୁ ଆଉ ଚିହ୍ନି ପାରିଲେ ନାହିଁ ।

 

ସେହିଦିନଠାରୁ ସେମାନେ ‘ଡୁକ୍‌କୁ’ ଓ ‘ତୁମ୍ବେ’ ନାମରେ ଡଙ୍ଗରିଆ ନିକଟରା ପରିଚିତ । ତାଙ୍କର ମିଳନରେ ପୁଣି ଗଢ଼ି ଉଠିଲା ନୂତନ ସୃଷ୍ଟି । ତେଣୁ ଡଙ୍ଗରିଆ କହେ, ମଣିଷ ସୃଷ୍ଟିରେ ଯାହାକୁ ଦେଖୁଛେ ସମସ୍ତେ ହେଲେ ଡୁକ୍‌କୁ ଓ ତୁମ୍ବେର ସନ୍ତାନ । ଡଙ୍ଗରିଆ ଭିତରେ ବହୁତ ବଂଶ ଅଛି । ସେଗୁଡ଼ିକ ମଧ୍ୟରୁ ଜାକାସିକା, ବାଡ୍‌କା, ପୁସିକା, ସିକୋକା, କାଡ୍ରାକା, ନିସିକା, ମେଲେକା, ପିଡ଼ିକାକା ଇତ୍ୟାଦି । କିନ୍ତୁ ଡଙ୍ଗରିଆ ଭିତରେ ଜାକାସିକାର ସ୍ଥାନ ଅତି ଉଚ୍ଚରେ । ଜାକାସିକା ବଡ଼ ଗର୍ବରେ ତା ବଂଶର ପୁରାତନ ଯୁଗର ବୀରମାନଙ୍କ ଇତିହାସକୁ ମନେ ପକାଏ । ମନେ ପକାଏ ଇହହିପା, ଟାପିଡ଼ି, ଧର୍ମୁ ଟାପିଡ଼ି, ରହହିପା ଡୋଲି, ଧର୍ମୁ ଡୋଲି । କାଳର କେଉଁ ଅତଳ ଗର୍ଭରେ ସେମାନେ ବିଲୀନ ହୋଇ ସାରିଛନ୍ତି କିନ୍ତୁ ଡଙ୍ଗରିଆ ସମାଜ ବଞ୍ଚିଥିବା ଯାଏଁ ଏମାନଙ୍କ ଗୌରବମୟ ସ୍ମୃତି ବଞ୍ଚିରହିଥିବ । ନିଜ ବଂଶ ଭିତରେ ବା ମାମୁଁ ଘର ସହିତ ଡଙ୍ଗରିଆଙ୍କ ବୈବାହିକ ସମ୍ପର୍କ ହୋଇପାରେନାହିଁ । ଅନ୍ୟାନ୍ୟ ଆଦିବାସୀଙ୍କ ଭଳି ଡଙ୍ଗରିଆ ମାମୁଁର ଝିଅ ବା ଭଉଣୀର ଝିଅକୁ ବିବାହ କରେ ନାହିଁ । ତେଣୁ ଡଙ୍ଗରିଆ ସମାଜରେ କନ୍ୟା ପାଇବା କଷ୍ଟ । ବରପକ୍ଷ ମଦ କଳସୀକୁ କାନ୍ଧରେ ଝୁଲାଇ କନ୍ୟାପିତା ଦ୍ୱାରକୁ ଦଉଡ଼ି ଦଉଡ଼ି ଅଶନିଃଶ୍ୱାସ ହୋଇପଡ଼େ । ଯେଉଁ କନ୍ୟାପିତା ଦୟା ଦେଖାଇ ମଦ ଗ୍ରହଣ କରେ ସେଇଠି ବରପିତା ପାଟି ଲେସଡ଼ି କୃତଜ୍ଞତା ଜଣାଏ ଓ କନ୍ୟାପିତାର ସବୁ ଦାବି ଯଥା, ପୋଢ଼, ଘୁଷୁରି, ଚାଉଳ, ଲୁଗା ଇତ୍ୟାଦି ଦେଇ ନିର୍ବନ୍ଧ ଠିକ୍ କରେ । କନ୍ୟା ନେବା ୮ଦିନ ଆଗରୁ ଖବର ଦେଇ ବରଗ୍ରାମର ସମସ୍ତେ କନ୍ୟାଗ୍ରାମକୁ ଯାଆନ୍ତି ଓ କନ୍ୟାପିତା ସେମାନଙ୍କୁ ଅଭ୍ୟର୍ଥନା କରି ଭୋଜି ଦିଅନ୍ତି । କନ୍ୟାପିତା ମାତା, ସାଙ୍ଗସାଥୀ କନ୍ୟା ବିଦାୟ ବେଳେ ସୁର୍ ଦେଇ ଯେଉଁ କାନ୍ଦଣା ଗାଆନ୍ତି ତାହା ଅତି ହୃଦୟସ୍ପର୍ଶୀ । ଝିଅ ବିଦାୟ ଦୁଃଖରେ ଭାଙ୍ଗିପଡ଼ି ଡଙ୍ଗରିଆ ଗୀତଗାଏ । ସତରେ ବାପମାଆଙ୍କ ଆଦର ସାଙ୍ଗସାଥୀଙ୍କ ସ୍ନେହ କିପରି ଭୁଲିବ ? କିମିତି ଭୁଲିବ ସେହି ବଣ, ପାହାଡ଼ ଓ ଡଙ୍ଗର, ଯେଉଁଠି ପିଲା ଦିନଟା ହସ ଖୁସିରେ କଟାଇଛି । ସତରେ ସେ ସବୁ କଣ ତା ପାଇଁ ସ୍ୱପ୍ନ ହୋଇଯିବ-

 

ସାଥୀମାନେ ଗୀତ ଗାଇ ପ୍ରବୋଧ ଦିଅନ୍ତି । କହନ୍ତି, ଝିଅ ଜନମ ପରା ସେଇୟା ଲୋ ଭଉଣୀ । ଜନମ ସିନା ଏଇଠି ହେଲେ କରମ ନେଇ କିଏ କୁଆଡ଼େ ଯିବ । ଭାଉଜମାନେ ପରିହାସ କରି କହନ୍ତି, ନୂଆ ମୁହଁକୁ ଦେଖିଲେ ସତରେ ଆମ କଥା କଣ ମନେ ରହିବ ? ଏ କାନ୍ଦ ଆଉ ରହିବ ନାହିଁ ଲୋ, ଏସବୁ ଉପର ଦେଖାଣିଆ ।

 

ମା’ କାନ୍ଦି କାନ୍ଦି ବୁଝାଏ । ତୁନି ରହ ଝିଅ ତୁନି ରହ । ମେରିଆ ପରବ ଆସିଲେ ତୋତେ କଣ ଡାକି ଆଣିବି ନାହିଁ । ସପୁରି ପାଚିଲେ କଣ ଖବର ଦେବିନି । ହାଟକୁ ଗଲା ବେଳେ ତୋ ଗାଁ ଦେଇ ଯିବି ନାହିଁ ।

 

ଝିଅକୁ ବଳେଇ ଦେବାକୁ ଯାଇ ବର ଗାଁରେ ପହଞ୍ଚିଲା ପରେ ଦୁଇ ଗାଁର ଝିଅଙ୍କ ମଧ୍ୟରେ ଗୀତ ପ୍ରତିଯୋଗିତା ହୁଏ । ଆମ ଗାଁ ଭଳି ଗାଁ ନାହିଁ- ଆମ ଝିଅ ପରି ଝିଅ ନାହିଁ- ଆମ ଡଙ୍ଗରରେ ଫସଲତ ନୁହେଁ, ସୁନା ଫଳେ । ଆମ ନାଳରେ ପାଣି ଅମୃତ ପରି ବୋହିଯାଏ । ବରପକ୍ଷର ଝିଅମାନେ ବି ସେମିତି ନିଜ ନିଜ ଗାଁର ଟେକ ରଖି ଗୀତରେ ଉତ୍ତର ଦିଅନ୍ତି । ବାହାଘରେ ନାଚ କରିବା ଡଙ୍ଗରିଆ ସମାଜରେ ଦେଖାଯାଏ ନାହିଁ ।

 

ଯାହା ପାଖରେ କନ୍ୟାକୁ ସୁନା ଦେବାର ସମ୍ବଳ ନଥାଏ ସେ ଶ୍ୱଶୁର ଘରେ ଦୁଇ ଚାରିବର୍ଷ ଗୋତି ରହି ଡଙ୍ଗର ଓ ଅନ୍ୟାନ୍ୟ କାମ କରେ ଓ ସର୍ତ୍ତ ପୁରିଲେ ଝିଅକୁ ନେଇ ନିଜ ଘରକୁ ଫେରେ । ଅନେକ କ୍ଷେତ୍ରରେ ସୁବିଧା ଦେଖି ବରପକ୍ଷର ଟୋକାମାନେ ଝିଅକୁ ଡଙ୍ଗର, ନାଳ ବା ହାଟରୁ ଟାଣି ନିଅନ୍ତି ଓ କନ୍ୟାପିତାକୁ ଖବର ଦିଅନ୍ତି । ‘ଆମେ ତୁମ ଝିଅକୁ ଟାଣି ନେଇଛୁ । କନ୍ୟା ସୁନା ନେବାକୁ ତୁମ ସାଥିମାନଙ୍କ ସହିତ ଆସିଲେ ପଞ୍ଚାୟତରେ ବସିବା’ । ସମସ୍ତ ପ୍ରକାର ବାହାଘର ପାଇଁ ବରକନ୍ୟାର ମିଳନ ଲଗ୍ନ ବେଜୁଣୀ ଠିକ୍ କରିଥାଏ ।

 

ବାହାଘର ଯେବେ ହେଉନା କାହିଁକି ଝିଅ ରଜସ୍ୱଳା ହେବା ପରେ ତାକୁ ପରିବାରରେ ଅନ୍ୟାନ୍ୟ ଲୋକଙ୍କ ସହିତ ଶୋଇବାକୁ ଦିଆଯାଏ ନାହିଁ । ଘର ବାଡ଼ିରେ ଗୋଟିଏ ଛୋଟିଆ କୁଡ଼ିଆ ତିଆରି କରାଯାଏ ଓ ଝିଅ ସେଠାରେ ଶୁଏ । ତାକୁ କହନ୍ତି ‘ଧାଂଗିଡ଼ୀ’ କୁଡ଼ିଆ ।

 

ଡଙ୍ଗରିଆ ଘରେ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କୁ କେତେକ ନିୟମ ପାଳିବାକୁ ହୁଏ । ଏହାକୁ କହନ୍ତି ଦୋଷ ପାଳିବା । ପରିବାରର ସମସ୍ତେ ସାଙ୍ଗେ ସାଙ୍ଗେ ସ୍ନାନ କରିବେ । ସାରା ଦିନ ଡଙ୍ଗରକୁ ଯାଇ କୌଣସି କାମ କରିବେ ନାହିଁ । ଛୁଆ ଜନ୍ମ ହେବା ସାଥେ ସାଥେ ମା ନିଜ ତୁଣ୍ଡରେ ଖୋଷିଥିବା ଛୋଟ ଛୁରୀ ସାହାଯ୍ୟରେ ଛୁଆର ନାହି କାଟେ ଓ ଘରେ ନରହି ତା ପାଇଁ ପୂର୍ବରୁ ନିର୍ମିତ ଛୋଟ କୁଡ଼ିଆରେ ରହେ । ଦୀର୍ଘ ୧ ମାସ ପାଇଁ ସେ ଅଛୁଆଁ ରହେ । ମାସ ପୂରିଲେ ବେଜୁଣୀ ଆସି ମା’କୁ ଶୁଦ୍ଧ ସ୍ନାନ କରାଏ ଓ ଛୁଆ ସହିତ ତାକୁ ଘରକୁ ଆଣେ । ମା’ର ଘର ବାହୁଡ଼ା ଉପଲକ୍ଷେ କୁକୁଡ଼ା କାଟି ପୂଜା ଦିଆଯାଏ ଓ କୁକୁଡ଼ାକୁ ରାନ୍ଧି ତାର ମାଂସ ବେଜୁଣୀକୁ ଖାଇବାକୁ ଦିଆଯାଏ ।

 

ବେଜୁଣୀ ଚାଉଳ ଧରି ମନ୍ତ୍ର ପଢ଼େ । ମନ୍ତ୍ର ପଢ଼ୁ ପଢ଼ୁ ତା ଦେହରେ ଦେବତା ପ୍ରବେଶ କରନ୍ତି । ତାର ପ୍ରଭାବରେ ବେଜୁଣୀ ଅନର୍ଗଳ କହିଯାଏ ପୂର୍ବ ପୁରୁଷମାନଙ୍କ ମଧ୍ୟରୁ କାହାର ଆତ୍ମା ଫେରେ ପ୍ରବେଶ କରିଛି । ସୁତରାଂ ନବଜାତକୁ ସେହି ମୃତ ବ୍ୟକ୍ତିର ନାମ ଦିଆଯାଏ ।

 

ଯେଉଁମାନଙ୍କ ଅବସ୍ଥା ସ୍ୱଚ୍ଛଳ ସେମାନେ ଛୁଆକୁ ତିନି ଚାରି ବର୍ଷ ହେଲେ ଗୋଡ଼ଧୁଆ ଉତ୍ସବ ପାଳନ କରନ୍ତି । ବେଜୁଣୀ ଚାଉଳ ଧରି ମନ୍ତ୍ର ପଢ଼େ । ଯେଉଁ ପୂର୍ବ ପୁରୁଷର ଆତ୍ମା ଛୁଆ ହୋଇ ଜନ୍ମ ହୋଇଛି ତାର ଭୂତ ବେଜୁଣୀ ଦେହରେ ପ୍ରବେଶ କରେ । ବେଜୁଣୀ ଦାନ୍ତ କଡ଼ମଡ଼ କରି ଗର୍ଜିଉଠେ । ମୁଁ ଏତେ ଶରଧାରେ ତୋ ଘରେ ଜନ୍ମ ନେଲି, ତୁ ମୋ ପାଇଁ କ’ଣ କଲୁ ? ମୋ ପାଇଁ ପୋଢ଼ ପାର, ଘୁଷୁରି କାଟ, ମହୁଲ ଦେ, ମଦ ଦେ ନଚେତ୍ ମୁଁ ତୋ ଘର ଛାଡ଼ି ଅନ୍ୟତ୍ର ଚାଲିଯିବି । ଡଙ୍ଗରିଆ ପୋଢ଼ମାରେ, ଘୁଷୁରି କାଟେ ମଦ ପୂଜା କରେ ଓ ନିଜେ ଆଶ୍ୱସ୍ତ ହୁଏ । ଯାହା ହେଉ ତାକୁ ଛାଡ଼ି ପୂର୍ବ ପୁରୁଷର ଆତ୍ମା ଆଉ ଚାଲିଯିବ ନାହିଁ ।

 

ଡଙ୍ଗରିଆ ସମାଜରେ ପ୍ରଧାନ ବ୍ୟକ୍ତି ହେଲା ‘ମଣ୍ଡଳ’ । ତା’ର ଇଙ୍ଗିତରେ ଗ୍ରାମ ଶାସନ ଚାଲେ । ସମସ୍ତେ ତା’ର ନିର୍ଦ୍ଦେଶ ମାନି ଚଳନ୍ତି ଓ ସେ ପାଏ ସମସ୍ତଙ୍କ ଠାରୁ ଅତୁଟ ସମ୍ମାନ ।

 

କିନ୍ତୁ ଗ୍ରାମର ଆପତ ବିପଦ, ପୂଜାପର୍ବରେ ଅନ୍ୟତ୍ର ଯାହାର ନିର୍ଦ୍ଦେଶ ମାନି ଡଙ୍ଗରିଆ ଚଳେ ସେ ହେଲା ଜାନି । ଜାନି ପୂଜା କରି, ଦେବତାର ପରାମର୍ଶ ନେଇ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବ, କେଉଁଦିନ ବିହନ ବୁଣାହେବ, କେଉଁ ଦିନ ଫସଲ ଅମଳ ହେବ- କେଉଁଦିନ ମେରିଆ ବଳି ପଡ଼ିବ ବା କେଉଁଦିନ ବାଟ ପୂଜା ହେବ । ଜାତିର ସମ୍ମାନ ବି ଡଙ୍ଗରିଆ ସମାଜରେ କିଛି କମ୍ ନୁହେଁ ।

 

ଉତ୍ତରାଧିକାରୀ ସୂତ୍ରରେ ମଣ୍ଡଳ ଓ ଜାନି ବଂଶର ପୁଅମାନେ ଏହି ସମ୍ମାନ ପାଇଥାନ୍ତି । ଏମାନଙ୍କୁ ଛାଡ଼ି ଦେଲେ ଡଙ୍ଗରିଆ ଆଉ ଜଣକୁ ଭୟ କରେ ଓ ତା’ର ମନ ଧରି ଚଳେ ସେ ହେଲା ବେଜୁଣୀ । ଯେଉଁ ସ୍ତ୍ରୀ ଲୋକ ଦେବତାର ଆଶୀର୍ବାଦ ନେଇ ଜନ୍ମ ହୋଇଥାଏ ସେ ହୁଏ ‘ବେଜୁଣୀ’-। କୌଣସି ପୂଜା ଦିନରେ ବାଜା ବାଜିଲେ ସେଠାରେ ବେଜୁଣୀର ସମସ୍ତ ଲକ୍ଷଣ ପ୍ରକାଶ ପାଏ । ତା ଦେହ ଥରି ଉଠେ । ତା’ ଦେହରେ ଦେବତା ପ୍ରବେଶ କରେ । କାହାର ଫସଲ ହେଲା ନାହିଁ କାହିଁକି ? କାହାର ଦେହ ଅସୁସ୍ଥ ହେଲା କାହିଁକି- କିଏ କାହାକୁ ବାଣ ମାରିବ-ଏସବୁ କଥା ବେଜୁଣୀ ଜାଣିପାରେ । ମଣିଷ ଦେହକୁ କାମୁଡ଼ି ମୁଣ୍ଡା ମୁଣ୍ଡା ମାଂସ, ମେଂଚା ମେଂଚା ବାଳ ବାହାର କରି ମଣିଷଙ୍କ ଆଖି ଆଗରେ ପକାଇ ଦିଏ । କୃତ୍ୟ କୃତ୍ୟ ହୋଇ ଡଙ୍ଗରିଆ କହେ ଯଦି ତା’ର ସମାଜରେ ବେଜୁଣୀ ନଥାନ୍ତା ତା’ ସଂସାରଟା ଚାଲନ୍ତା କିପରି ? ମଣ୍ଡଳ, ଜାନି ସିନା ଗାଁରେ ଜଣେ ରହନ୍ତି ହେଲେ ବେଜୁଣୀ ସଂଖ୍ୟା ବହୁତ ବେଶି । ଗ୍ରାମ ବିଶେଷରେ ଏମାନଙ୍କ ସଂଖ୍ୟା ୧୫ ରୁ ୨୦ ଯାଏ ଦେଖାଯାଏ । ଯେଉଁ ଜହ୍ନ ରାତିରେ ଖୋଲା ଆକାଶ ତଳେ ଦୁଇଦଳ ବେଜୁଣୀ ବସି ତାଙ୍କର ପ୍ରାଚୀନ ଇତିହାସର ଗୋଟିଏ ଗୌରବମୟ ଇତିହାସର ଅଧ୍ୟାୟକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରନ୍ତି ତାହା ଯେତିକି ଆନନ୍ଦ ସେତିକି ମର୍ମସ୍ପର୍ଶୀ ।

 

କେଉଁ ପ୍ରାଚୀନ ଯୁଗର ଇତିହାସ ନିୟମଗିରିର ଉଚ୍ଚତମ ଶୃଂଗ ‘ଆମ୍ୱଧୂନୀ’ ଉପରେ ନିୟମରାଜା ନିଜର ଗଡ଼ ନିର୍ମାଣ କରି ରହିଥିଲା, ପଡ଼ୋଶୀ ଦେଶର ଉଦ୍ଧବରାଜାଙ୍କ ସହିତ ତାଙ୍କର ଥିଲା ଘନିଷ୍ଠ ସଂପର୍କ । ଦିନେ ସଂଗାତ ଉଦ୍ଧବରାଜାଙ୍କୁ ନିମନ୍ତ୍ରଣ କରି ନିୟମରାଜା ତାଙ୍କର ଗଡ଼କୁ ଆଣିଲେ । ଅତି ଆଦରର ବନ୍ଧୁ ସତ୍କାର କଲେ । ସଂଗାତଙ୍କ ଆତିଥ୍ୟରେ ଉଦ୍ଧବରାଜା ଯେତିକି ବିମୋହିତ ହେଲେ ସେତିକି ବିମୋହିତ ହେଲେ ସଂଗାତୁଣୀଙ୍କ ସୌନ୍ଦର୍ଯ୍ୟ ତଥା ରାନ୍ଧିଥିବା ଲୁଣଦିଆ ତରକାରି ଖାଇ । ଲୁଣ କି ଜିନିଷ ସେଥିରେ ଏତେ ସ୍ୱାଦୁ ଅଛି ଉଦ୍ଧବରାଜା ଜାଣି ନଥିଲେ-

 

ସେହିଦିନଠାରୁ ସଂଗାତୁଣୀ ତଥା ତାଙ୍କ ତିଆରି ତରକାରୀ ପାଇଁ ଉଦ୍ଧବରାଜା ପାଗଳ ହୋଇ ଉଠିଲେ । ଦିନେ ଉଦ୍ଧବରାଜାଙ୍କ ଅନୁପସ୍ଥିତିରେ ସେ ‘ଆମ୍ୱଧୂନୀ’ ଆସିଲେ ଓ ରାଣୀଙ୍କ ଅତିଥି ହେଲେ । ନଡ଼ା ଦଉଡ଼ିକୁ ଲୁଣ ଦେଇ ସଂଗାତୁଣୀ ରାନ୍ଧି ଥିବା ତରକାରି ଖାଇଲେ ଓ ତାକୁ ବଳପୂର୍ବକ ନେଇ ଚାଲିଗଲେ । ନିୟମରାଜା ଗଡ଼କୁ ଫେରି ଏକଥା ଶୁଣି ସଂଗେ ସଂଗେ ଦୌଡ଼ି ଗଲେ । ବାଟରେ ଉଦ୍ଧବରାଜାଙ୍କ ସହ ଯୁଦ୍ଧକରି ତାଙ୍କୁ ପରାସ୍ତ କଲେ । ଉଦ୍ଧବରାଜା ପରାସ୍ତ ହୋଇ ପ୍ରାଣ ବିକଳରେ ଚାଲିଗଲେ କିନ୍ତୁ ନିୟମରାଜା ରାଗିଯାଇ ରାଣୀଙ୍କ ନାକ କାନ କାଟିଦେଇ ବଣରେ ଛାଡ଼ିଦେଇ ଉଦ୍ଧବରାଜାଙ୍କୁ ଅଭିଶାପ ଦେଲେ, ମିତ୍ର ହୋଇ ମିତ୍ର ଦ୍ରୋହ କଲ, ତେଣୁ ତୁମ ରାଜ୍ୟରେ ଆଜିଠାରୁ ପାଣି ବହିବ ନାହିଁ । ସେହିଦିନ ଠାରୁ ଗତି ବଦଳାଇ ନିୟମ ଗିରିର ଅସଂଖ୍ୟ ପାହାଡ଼ର ଛାତି ଫଟାଇ ‘ବୁଡ଼ୁର ବାଂଧା’ ରାଜ୍ୟକୁ ସୁନା ଫସଲରେ ଭରି ଦେଉଥିଲେ ବି ଉଦ୍ଧବରାଜାର ରାଜ୍ୟରେ ପାଣି ବୋହିବା ବନ୍ଦ ହୋଇଗଲା ।

 

ଡଂଗରିଆ ପୂଜାକରେ ଧରିତ୍ରୀକୁ ଓ ଧର୍ମୁଦେବତାକୁ । ସମସ୍ତ ଆପଦ ବିପଦରୁ ମୁକ୍ତ କରି ଡଂଗରିଆକୁ ସେମାନେ ବଞ୍ଚାଇଛନ୍ତି । କୌଣସି ଶୁଭକାମ କରିବା ପୂର୍ବରୁ ‘କିଂଟିଂଗିରି’କୁ ପୂଜା କରି ସେମାନଙ୍କ ଆଶୀର୍ବାଦ ନିଆଯାଏ । ତାରି ଆଶୀର୍ବାଦରେ ଭଲ ଫସଲ ଫଳେ । ଆବଶ୍ୟକୀୟ ବର୍ଷା ହୁଏ । ସମସ୍ତ ଆପଦ ବିପଦ ଟଳିଯାଏ ।

 

ସେହି କିଟିଂଗିରି ଆଉ ଅନ୍ୟ କେହି ନୁହେଁ । ଡଂଗରିଆଙ୍କ ଆଦର୍ଶ ରାଜା ‘ନିୟମରାଜା’ ତାଙ୍କ ଜୀବନଦଶାରେ ସେ ଯେପରି ନିଜ ଜାତିର ସମ୍ମାନକୁ ବଜାଇ ରଖିଥିଲେ ମରଣ ସ୍ଥରେ ମଧ୍ୟ ତାଙ୍କର ସ୍ୱାର୍ଥକୁ ସତେ ଯେମିତି ସେ ଜଗି ରହିଛନ୍ତି ।

 

ଏହାଛଡ଼ା ‘ବଲ୍ଲାନ ଦେବୀ’ ପ୍ରତି ଗ୍ରାମର ସୀମା ଶେଷରେ ରହନ୍ତି । ଶତ୍ରୁ ଆକ୍ରମଣରୁ ସେ ଗ୍ରାମକୁ ରକ୍ଷା କରନ୍ତି । କୌଣସି ଭୂତ ପ୍ରେତ ବା ଅପଦେବତା ଗ୍ରାମକୁ ପଶିବା ଆଗରୁ ବଲ୍ଲାନ ତାଙ୍କୁ ବାଧା ଦିଅନ୍ତି । ଗାଁର କିଛି ରୋଗ,ଶୋକ ହେଲେ ବେଜୁଣୀ ଯାଇ ପ୍ରଥମେ ବଲ୍ଲାନଙ୍କୁ ପ୍ରଶ୍ନ କରେ ‘‘କହ କହ ଏଇ ବାଟ ଦେଇ କିଏ ଗାଁକୁ ଗଲା’’ ? ତା’କୁ କିପରି ଗ୍ରାମରୁ ତଡ଼ି ହେବ ? ଗାଁ କିପରି ଶାନ୍ତିରେ ରହିବ ? ବଲ୍ଲାନଙ୍କ ପରାମର୍ଶ ନେଇ ସେ ପୂଜା କରେ ଓ ଗ୍ରାମକୁ ବିପଦମୁକ୍ତ କରେ ।

 

ଡଂଗରିଆ ଅନେକ ପ୍ରକାର ପର୍ବ ପାଳନ କରେ । ଆମ୍ୱ, ନୂଆଁଖିଆ, ଫସଲ ଅମଳ, ଡଂଗର ପୂଜା, ଧରଣୀ ପୂଜା ଇତ୍ୟାଦି । କିନ୍ତୁ ବିହନ ବୁଣା ପର୍ବ ପରେ ପରେ ଆରମ୍ଭ ହୋଇଯାଏ ଶିକାର ଝୁଙ୍କ । ପାହାଡ଼ରୁ ପାହାଡ଼ ଡେଇଁ ଶିକାର ପଛରେ ଲମ୍ପ ଦିଏ । ବର୍ତ୍ତମାନ ତ ଆଉ ପାହଡ଼ରେ ଜଂଗଲ ନାହିଁ ବା ଶିକାର ନାହିଁ ତଥାପି ନିୟମକୁ ମାନି ଶିକାର କରେ । ଡଂଗରିଆ କହେ ଅତି ପୁରାତନ ଯୁଗରେ ସେ ମଣିଷକୁ ମାରି ମେରିଆ ବଳି ଦେଉଥିଲେ, ବର୍ତ୍ତମାନ କିନ୍ତୁ ପୋଢ଼ ମାରି ମେରିଆ ପର୍ବ ହୁଏ । ଏହାବି ପ୍ରତିବର୍ଷ ପ୍ରତି ଗ୍ରାମରେ ହୁଏ ନାହିଁ । ଯେଉଁ ଗ୍ରାମରେ କିଛି ଦୈବୀ ଦୁର୍ଘଟଣା ହୁଏ, ବର୍ଷା ହେଲା ନାହିଁ-ଫସଲ ଭଲ ହେଲା ନାହିଁ ସେତିକି ବେଳେ ଡଂଗରିଆ ମେରିଆ ପର୍ବର ଆୟୋଜନ କରେ । ମାଘମାସର ରିବିବାର ଦିନ ପୂଜା ଦିଆଯାଏ । ପୂଜାର ମାସକ ଆଗରୁ ଗୋଟିଏ ନିଖୁଣ ପୋଢ଼ କିଣାଯାଏ । ପୋଢ଼କୁ ପ୍ରତିଦିନ ତେଲ ହଳଦୀ ଓ ସିନ୍ଦୁର ଦେଇ ଖାଇବାକୁ ଭାତ ଦିଅନ୍ତି । ଅନ୍ୟ ଗ୍ରାମରୁ ଶନିବାର ଦିନ ଅସଂଖ୍ୟ ଲୋକ ପୂଜା ବେଦୀ ନିକଟରେ ଜମା ହୁଅନ୍ତି । ନିମନ୍ତ୍ରଣ ଅତିଥିମାନଙ୍କ ସତ୍କାର ପାଇଁ ଗ୍ରାମର ଯୁବକଦଳ ଲାଗିପଡ଼ନ୍ତି । ଶନିବାର ଦିନ ସନ୍ଧ୍ୟାରୁ ପୋଢ଼କୁ କେନ୍ଦ୍ର କରି ନାଚଗୀତ ଆରମ୍ଭ ହୁଏ । ସଲପ ମଦର ନିୟାସହ ଢୋଲ ଓ ଟମକ୍‌ର ଆବାଜ୍ ନୃତ୍ୟର ଗତିକୁ ତୀବ୍ରତର କରାଇଦିଏ । ସମସ୍ତ ନିଜକୁ ସଂପୂର୍ଣ୍ଣ ରୂପେ ଭୁଲିଯାଇ ନାଚରେ ପାଗଳ ହୋଇ ଉଠନ୍ତି । ଗୋଡ଼ରେ ଘୁଂଗୁର,ନୂପୁର ସାଂଗକୁ ଟାଂଗି ଓ କଟୁରିକୁ ମାରି ଡଂଗରିଆ ସୃଷ୍ଟି କରେ ନାଚର ଅଭିନବ ଚ୍ଛନ୍ଦ ।

 

ନାଚୁ ନାଚୁ କେତେବେଳେ ରାତି ପାଇ ସକାଳ ଆସିଯାଏ ମଦ ନିଶା କମି ଆସେ ସେତେବେଳେ ନାଚର ଗତି ଶିଥିଳ ହୋଇ ଆସେ । ସେତେବେଳେ ପୂଜା ଦେବା ଲୋକଙ୍କ ମାମୁଁ ବଂଶର ଲୋକେ ପୋଢ଼କୁ ପ୍ରଥମ ଚୋଟ ଦେଇ ବଳି ଦିଅନ୍ତି । ପୋଢ଼କୁ ପ୍ରଥମେ ଚୋଟ ଦେଉ ଦେଉ ଅଜସ୍ର ଚାଂଗି ଗୋଟିଏ ପରେ ଗୋଟିଏ ଚୋଟ ଦେଇ ଚାଲନ୍ତି । ଦେହସାରା ଟାଂଗି ଚିହ୍ନ ଛାଇଯାଏ । ପୋଢ଼ର ରକ୍ତ ଦେଖି ଡଂଗରିଆର ରକ୍ତ ମୁଣ୍ଡକୁ ଚଢ଼ିଯାଏ । ଫେରେ କୋଳାହଳ, ଚିତ୍କାର ଓ ପ୍ରତିଯୋଗିତାର ଆବାଜରେ ଗଗନ ପବନ ମୁଖରିତ ହୋଇଉଠେ । ଡଂଗରିଆ ପାଗଳ ପ୍ରାୟ ହୋଇ ବଳି ଦେହରେ ଲୋଟିପଡ଼େ । ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ହୋଲି ଖେଳିବାକୁ ସେ ଲମ୍ପ ଦିଏ । ପୋଢ଼ ଯେତେବେଳେ ଶେଷ ନିଃଶ୍ୱାସ ଛାଡ଼ି ଭୂମିରେ ଲୋଟିଯାଏ, ତାକୁ ମାମୁ ବଂଶର ଲୋକେ ଟେକି ନିଅନ୍ତି । ଏଥିରେ ପୂଜା ଦେବା ଲୋକର ଭାଗ ନଥାଏ ।

 

ଧର୍ମୁ, ଧରିତ୍ରୀ ଓ କିଟିଂଗିରିର ଦୟାରୁ ପଥର ଓ ପର୍ବତକୁ ଚୂନା କରି ମାଟିରେ ମାଟି ହୋଇ ଡଂଗରିଆ ନାନା ପ୍ରକାର ଫସଲ ଉପୁଜାଏ । କିନ୍ତୁ ଫୁଲ ଫୁଟିଲେ ମହୁମାଛି ଉଠିଆସିଲା ପରି ପାଣ ବ୍ୟବସାୟୀମାନେ ଦୌଡ଼ି ଆସନ୍ତି । ଅମଳ ହୋଇନଥିବା ଫସଲକୁ କିଣି ନିଅନ୍ତି ବୋତଲେ ମଦ ଓ ଖଣ୍ଡିଏ ଲୁଗା ଦେଇ । ଡଂଗରିଆ ବିଦ୍ରୁପ କରି କହେ, କାଉକୁ ଖେନ୍ଦା ନାହିଁ, ଡମ୍ୱକୁ ପଦର ନାହିଁ ଓ ମାଙ୍କଡ଼କୁ ଜମିନାହିଁ । କିନ୍ତୁ ତା‘ର ସବୁଥାଇ ମଧ୍ୟ କିଛି ନାହିଁ । ଯେଉଁ ଡଂଗରିଆକୁ ସେହି ଡଂଗରିଆ । ବଣର କଂଦା ଓ ବାଉଁଶର ଗଜା ଖାଇ ସେ ଜୀବନ ରଖେ ଫେରେ ଜମିରେ ଫସଲ ଫଳାଏ ଓ ଡମ୍ୱକୁ ବିକ୍ରିକରେ ମଦ ବୋତଲର ମାୟାରେ....... ।

 

 

ଆକାଶବାଣୀ ମାର୍ଗ, ଜୟନଗର

ଜୟପୁର-୭୬୪୦୦୧

 

***

 

ଓଡ଼ିଆ ଭାଷାର ବିକାଶରେ ଆଦିବାସୀ

Unknown

ଭାଷାଗୁଡ଼ିକର ଅବଦାନ

ଜଗନ୍ନାଥ ମହାନ୍ତି

 

ଆଦିବାସୀ ଭାଷାଗୁଡ଼ିକର ଶବ୍ଦଭଣ୍ଡାରରେ ରହିଛି ବହୁ ବୈଚିତ୍ର୍ୟ ଯାହା ଓଡ଼ିଆ ଭାଷାକୁ ସମୃଦ୍ଧ କରିଛି । ଶବରମାନେ ଆମ ରାଜ୍ୟର ଏକ ବଡ଼ ଆଦିବାସୀ ସଂପ୍ରଦାୟ ଏହା ଏକ ପ୍ରାଚୀନ ଗୋଷ୍ଠୀ ଏମାନଙ୍କ ଭାଷା ଶାବରୀ ଏହି ଭାଷାରେ ବ୍ୟବହୃତ ବହୁ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ । ଓଡ଼ିଆ ଭାଷା ସହିତ ଉତ୍ତରପୂର୍ବ ଭାରତର ଖାସି, ବ୍ରହ୍ମଦେଶର ମନ୍ ଭାଷା, ଆଣ୍ଡାମାନ-ନିକୋବରର ଆଣ୍ଡାମାନୀ ଓ ନିକୋବରୀ ଭାଷାର କେତେକ ସାମଞ୍ଜସ୍ୟ ଅଛି । ସଂସ୍କୃତକୁ ବହୁ ଭାରତୀୟ ଭାଷାର ଜନନୀ କହିଲେ ସୁଦ୍ଧା ଆଦିବାସୀ ଭାଷାଗୁଡ଼ିକ ଅତି ପ୍ରାଚୀନ ଏଥିରେ ଦ୍ୱିମତ ହେବାର ନାହିଁ । ଏହି ଦୃଷ୍ଟିରୁ ଓଡ଼ିଆ ଭାଷା ଶାବରୀ, ସାନ୍ତାଳୀ, ମୁଣ୍ଡାରି, କୁଇ, ଗଣ୍ଡ ଆଦି ବହୁ ଆଦିବାସୀ ଭାଷା ନିକଟରେ ନିଶ୍ଚିତ ଭାବରେ ଚିର ଋଣୀ ।

 

ଯୁଗେ ଯୁଗେ ଭାଷା ଓ ସାହିତ୍ୟ ମଣିଷ ମନର କଥାକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସଂସ୍କୃତିର ସମର୍ଥ ବାହକ ଭାବରେ କାର୍ଯ୍ୟ କରି ଆସିଛି । ଏହା ତେଣୁ ଏକାଧାରରେ ଆଧାର ଓ ଆଧେୟ, ସନ୍ଦେଶ ଓ ମାଧ୍ୟମ ରୂପେ ସଫଳ ଓ ସାର୍ଥକ ହୋଇଛି । ମନୁଷ୍ୟର ଚିନ୍ତା ଓ ଚେତନା, କଳ୍ପନା ଓ ବାସ୍ତବତା, ସ୍ୱପ୍ନ ଓ ସତ୍ୟ ହିଁ ଭାଷା ଓ ସାହିତ୍ୟର ସଂସାର । ସାହିତ୍ୟର ଉଭୟ ଆଙ୍ଗିକ ଓ ଆତ୍ମିକ ବିଭବ ଦୁଇଟି ପକ୍ଷ ପରି ଅଙ୍ଗାଙ୍ଗୀଭାବରେ ଜଡ଼ିତ ଏବଂ ପରସ୍ପର ନିର୍ଭରଶୀଳ । ଭାଷା ଭୂଖଣ୍ଡ ପରି ବାସ୍ତବାଭିମୁଖୀ ହେଲାବେଳେ, ସାହିତ୍ୟ ବାସ୍ତବତାର ବିଶ୍ୱବକ୍ଷରୁ ଅନନ୍ତ ନୀଳ ଆକାଶଯାଏ ବିସ୍ତାରିତ । ସୁତରାଂ ଭାଷା ଓ ସାହିତ୍ୟ ପରସ୍ପର ପରିପୂରକ ଏବଂ ମନୁଷ୍ୟ ସମାଜର ସର୍ବାଙ୍ଗୀନ ବିକାଶ ଓ ପ୍ରକାଶକୁ ନେଇ ଯେଉଁ ସଂସ୍କୃତି କାଳକ୍ରମେ ଉନ୍ମୁଖ ଓ ଉତ୍ତୀର୍ଣ୍ଣରଣିତ ତାହା ଉଭୟ ଆଦିବାସୀ ଓ ଅଣଆଦିବାସୀ, ଆର୍ଯ୍ୟ ଓ ଅନାର୍ଯ୍ୟଙ୍କର ମହାମିଳନ ସ୍ଥଳୀରେ ରୂପାନ୍ତରିତ ।

 

ପ୍ରାଗୈତିହାସିକ ମନୁଷ୍ୟ ଭାବରେ ଆଦାନପ୍ରଦାନ ଓ ଅଭିବ୍ୟକ୍ତ ନିମନ୍ତେ ଭାଷାର ଉଦ୍‌ଭାବନ କରିନଥିଲା । ସେ ଅଙ୍ଗଭଙ୍ଗୀ ଓ ଅସ୍ପଷ୍ଟ ଧ୍ୱନୀ ମାଧ୍ୟମରେ ଏହି କାର୍ଯ୍ୟକୁ ପ୍ରଥମେ ସମାହିତ କରୁଥିଲା । ନୂତନ ପ୍ରସ୍ତର ଯୁଗର ମଣିଷ କ୍ରମେ ଏହି ଅଙ୍ଗଭଙ୍ଗୀ ଓ ଧ୍ୱନିକୁ ଏକ ଅର୍ଥବହ, ନିର୍ଦ୍ଦିଷ୍ଟ ରୂପ ପ୍ରଦାନ କଲା । ତା‘ପରେ ସେ ଛବି ଆଙ୍କି ଭାବପ୍ରକାଶ କଲା । ପାହାଡ଼ଗୁମ୍ଫାର କାନ୍ଥରେ ରଙ୍ଗପଥର, ଖଡ଼ିପଥର ଓ ଅଙ୍ଗାରକୁ ଧରି ପ୍ରସ୍ତର ଯୁଗର ମନୁଷ୍ୟ ଚିତ୍ର ଆଙ୍କି ନିଜ ଭାବ ପ୍ରକାଶ କରିବା ସହିତ ଅପରକୁ ଏହି ଭାବନା ସଂଚରିତ କରିବା ପାଇଂ ଉକ୍ତ ଛବିଗୁଡ଼ିକୁ ଏକ ସାର୍ଥକ ମାଧ୍ୟମ ରୂପେ ବ୍ୟବହାର କଲା । ଏହା ପ୍ରାୟ ଖ୍ରୀଷ୍ଟପୂର୍ବ ଦଶହଜାରରୁ ତିନିହଜାର ପାଞ୍ଚଶହ ବର୍ଷ ପୂର୍ବର ଅବସ୍ଥା । ଅବଶେଷରେ ଛବିଗୁଡ଼ିକ ନିର୍ଦ୍ଦିଷ୍ଟ ଅର୍ଥର ପ୍ରତୀକ ତଥା ଦ୍ୟୋତକ ହୋଇ ବ୍ୟବହୃତ ହେଲା । ଯଥା ସମୟରେ ଛବିଲିପି ଉଦ୍ଭବ ହୋଇ ଶୃଙ୍ଖଳିତ ଭାବରେ ବହୁ ପ୍ରାଚୀନ ସଂପ୍ରଦାୟ ମଧ୍ୟରେ ଭାବରେ ଆଦାନପ୍ରଦାନ ପାଇଁ ଉପଯୁକ୍ତ ମାଧ୍ୟମ ଭାବରେ ଲୋକପ୍ରିୟ ହେଲା । ମେସୋପଟାମିୟା, ମିଶର, ବେବିଲୋନିଆ, ସିରିୟା, ପ୍ରଭୃତି ଦେଶରେ ଏହି ଛବିଲିପିର ବିକାଶ ଘଟିଲା । ଚୀନ, ଜାପାନ ପ୍ରଭୃତି କେତୋଟି ଦେଶରେ ତ ଏ ପର୍ଯ୍ୟନ୍ତ ଛବିଲିପିର ବହୁଳ ବ୍ୟବହାର ହେଉଛି ।

 

ଲିପିଜନ୍ମ ବିଳମ୍ୱିତ ହୋଇଥିବାରୁ ଭାଷାର ଲିଖିତ ରୂପ ସମ୍ଭବ ହୋଇନଥିଲା । ମୌଖିକ ମାଧ୍ୟମ ରୂପରେ ଭାଷା ତା’ର ଅଧିକାଂଶ କାର୍ଯ୍ୟ କରିଗଲା । ସାହିତ୍ୟ ଧର୍ମପରାୟଣା ଶାସ୍ତ୍ର ଆଲୋଚନା ମୌଖିକ ତଥା ‘‘ଶ୍ରୁତି’’ ରୂପେ ମଣିଷର ଅଭିବ୍ୟକ୍ତ ଓ ଯୋଗାଯୋଗର ମାଧ୍ୟମ ହେଲା-। ଜଣେ ବ୍ୟକ୍ତିରୁ ଅନ୍ୟବ୍ୟକ୍ତିକୁ, ଗୋଟିଏ ଯୁଗରୁ ଅନ୍ୟ ଏକ ଯୁଗକୁ, ଗୋଟିଏ ପିଢ଼ିରୁ ଅନ୍ୟ ଏକ ପିଢ଼ିକୁ ମଣିଷର ଭାଷା ଓ ଭାବନା ସଂଚରିତ ଓ ସଂପ୍ରସାରିତ ହେଲା । ମାତ୍ର ଶିକ୍ଷା ସାହିତ୍ୟ, ଯୋଗାଯୋଗ ଓ ଭାବବିନିମୟ ଅଳ୍ପଲୋକଙ୍କ ମଧ୍ୟରେ ସୀମିତ ହୋଇ ରହିଥିଲା । ଆମ ଦେଶରେ ତେଣୁ ବେଦ ‘‘ଶ୍ରୁତି’’ ଭାବରେ ସୁବିଦିତ ହେଲା ଏବଂ ଏହିପରି ବିଭିନ୍ନ ଦେଶରେ ମୌଖିକ ସାହିତ୍ୟର ବିକାଶ ଓ ପ୍ରସାର ଘଟିଥିଲା । କାଳକ୍ରମେ ଭିନ୍ନ ଭିନ୍ନ ଭାଷାରେ ଲିପିର ଜନ୍ମ ଘଟିଥିଲା ଏବଂ ଭାଷା ସାହିତ୍ୟର କାର୍ଯ୍ୟ ପରିସର ଓ କର୍ମଧାରା ବ୍ୟାପକ ଓ ପରିବ୍ୟାପ୍ତ ହେଲା । ଯେଉଁ ଜ୍ଞାନର ସ୍ରୋତ ଅଳ୍ପ କେତେକଙ୍କ ମଧ୍ୟରେ ସୀମାବଦ୍ଧ ହୋଇଥିଲା, ତାହା ବହୁଲୋକଙ୍କ ଦ୍ୱାରା ବ୍ୟବହୃତ ହୋଇ ସହସ୍ରଧାରାରେ ପରିଣତି ହେଲା । ଛବିଲିପିମାନ ଲିପି ବା ବର୍ଣ୍ଣଗୁଡ଼ିକର ରୂପ ନେବାକୁ ଶହ ଶହ ବର୍ଷ ଅତିକ୍ରାନ୍ତ ହୋଇଗଲା । ବହୁ ଆଦିମାନବ ଧୈର୍ଯ୍ୟ ଓ ସାଧନାର ସହିତ ଭାଷା ଓ ସାହିତ୍ୟର ବିକାଶ ଘଟାଇ ଥିଲେ । ଭାଷାରୁ ଜନ୍ମନେଲା ଉପଭାଷା । ବହୁ ଭାବରେ ଓ ବହୁ ରୂପରେ ଲିପିଗୁଡ଼ିକ ଏକ ଏକ ନିର୍ଦ୍ଦିଷ୍ଟ ଅର୍ଥ ବା ପ୍ରତୀକକୁ ନେଇ ବିକାଶ ଲାଭ କଲା । ଭୌଗୋଳିକ ଓ ଐତିହାସିକ କାରଣରୁ ଲିପିଗୁଡ଼ିକ ବିବର୍ତ୍ତିତ ହୋଇଚାଲିଲା । ଭାଷାଗୁଡ଼ିକ ଶୃଙ୍ଖଳାରେ ପ୍ରକାଶ କରିବା ନିମିତ୍ତ ବ୍ୟାକରଣ ଆତ୍ମପ୍ରକାଶ କଲା ଏବଂ ଭାଷାର ଧ୍ୱନିଗତ, ଲିପିଗତ କୌଶଳ ବିକଶିତ ହେଲା, ତା’ର ସୌଷ୍ଠବ ଓ ସାମଞ୍ଜସ୍ୟ ପ୍ରତିଭାତ ହେଲା ।

 

ନୃତତ୍ତ୍ୱବିଦ୍‍ ଓ ଭାଷାତତ୍ତ୍ୱବିଦ୍‍ଙ୍କ ମତରେ ଲୋକମାନେ ହଜାର ହଜାର ବର୍ଷ ତଳେ ଆମ ଦେଶରେ ଦ୍ରାବିଡ଼ ଜାତୀୟ ଲୋକମାନେ ବହୁ ସଂଖ୍ୟାରେ ବସବାସ କଲେ । ଭାଷା ତଥା ଲିପିର ଆବିର୍ଭାବ ସଂସ୍କୃତିର ଗତିକୁ କ୍ଷିପ୍ରତର କଲା । କୃଷି ସହିତ ଶିଳ୍ପ କାର୍ଯ୍ୟ ସମୃଦ୍ଧ ହେଲା । ତା’ପରେ ବୈଦିକ ସଂସ୍କୃତିର ବିକାଶ ଘଟିଲା । ଆର୍ଯ୍ୟମାନେ ବୈଦିକ ସଂସ୍କୃତିର ବିକାଶସାଧନ କଲେ ଏବଂ ପରିପୃଷ୍ଟ କଲେ । ଓଡ଼ିଆ, ବଙ୍ଗଳା, ମରହଟା, ହିନ୍ଦୀ, ଗୁଜୁରାଟୀ ଆଦି ଶାଖାଭାଷାଗୁଡ଼ିକ ପରବର୍ତ୍ତୀ କାଳରେ ବିକାଶ ଲାଭ କଲା । ସଂସ୍କୃତ ଭାରତୀୟ ଭାଷାଗୁଡ଼ିକର ଆଦି ଶାଖାଭାଷାଗୁଡ଼ିକ ପରବର୍ତ୍ତୀ କାଳରେ ବିକାଶ ଲାଭ କଲା । ସଂସ୍କୃତ ଭାରତୀୟ ଭାଷାଗୁଡ଼ିକର ଜନନୀ ରୂପେ ନିଜକୁ ପ୍ରତିଷ୍ଠିତ କଲା । ପାଲି, ପ୍ରାକୃତ ଆଦି ଜନସାଧାରଣଙ୍କ କଥୋପକଥନର ଭାଷା ରୂପେ ବ୍ୟବହୃତ ହେଲା । କେତେକ ପଣ୍ଡିତଙ୍କ ମତରେ ମୁଣ୍ଡା ବା ମୁଣ୍ଡାରି ଜାତିର ଆଦିବାସୀ ଭାରତରେ ସର୍ବପ୍ରଥମେ ଭାଷା ବ୍ୟବହାର କରିଥିଲେ । ସାନ୍ତାଳମାନଙ୍କୁ ଅନେକ ସର୍ବପ୍ରାଚୀନ ଆଦିବାସୀ ଓ ସେମାନେ ଶ୍ରୀରାମଚନ୍ଦ୍ରଙ୍କୁ ରାବଣ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କରିଥିଲେ ବୋଲି ମନେ କରନ୍ତି । ସାନ୍ତାଳମାନେ ଯେଉଁ ଭାଷା ବ୍ୟବହାର କରନ୍ତି, ତାହା ପ୍ରାଚୀନ କାଳରୁ ଅଙ୍ଗଭଙ୍ଗୀ ବା ଠାର ରୂପରେ ପର୍ଯ୍ୟବସିତ ଥିଲା । ବୈଦିକ ଭାଷା ସଂସ୍କୃତ ହେଲେ ହେଁ ଏଥିରେ କେତେକ ସ୍ୱାତନ୍ତ୍ର୍ୟ ଥିଲା । ମାତ୍ର ବେଦର ବହୁ ସୁକ୍ତି ଓ ପଂକ୍ତି ବିଶେଷତଃ ସୂର୍ଯ୍ୟ, ଚନ୍ଦ୍ର, ବରୁଣ, ଇନ୍ଦ୍ର, ଆକାଶ ପ୍ରଭୃତିଙ୍କ ସ୍ତୁତି ମଧ୍ୟରେ ସାହିତ୍ୟିକ ମୂଲ୍ୟବୋଧ ପ୍ରକାଶିତ ହୋଇଥିଲା । ଛାନ୍ଦୋଗ୍ୟ ଉପନିଷଦରେ ସଂଯତ ଓ ଶୃଙ୍ଖଳିତ ଜୀବନଯାପନ କରି ଯଶସ୍ୱୀ ଓ ଦୀର୍ଘଜୀବୀ ହେବାପାଇଁ କୁହାଯାଇଥିଲା, ‘‘ପଶ୍ୟେମ ଶରଦଃ ଶତଂ, ଜୀବେମ୍ ଶରଦଃ ଶତମ୍ ’’ ଋକ୍‌ବେଦରେ ମଧ୍ୟ ‘‘ଅଷ୍ଟବର୍ଣ୍ଣ’’ ଗାଭୀଦାନ ବିଷୟରେ ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ହୁଏ ଯେ ବୈଦିକ ଯୁଗରେ ସଂଖ୍ୟା ତଥା ଗଣନା ଜ୍ଞାନ ଥିଲା ।

 

ମୁଣ୍ଡାରି ଭାଷା ସାନ୍ତାଳ କୋହ୍ଲ ପ୍ରଭୃତି ଆଦିବାସୀ ଭାଷାଗୁଡ଼ିକର ଉତ୍ସ ତଥା ମୂଳଧାର ବୋଲି କୁହାଯାଏ ଏବଂ ସେହି ଭାଷାଗୁଡ଼ିକ ମଧ୍ୟରେ ବହୁ ସାମଞ୍ଜସ୍ୟ ପରିଲିକ୍ଷିତ ହୋଇଥାଏ । ପାଣିନିଙ୍କ ସମୟକୁ ଭାରତରେ ଲିପିର ବ୍ୟାପକ ବ୍ୟବହାର ହୋଇଥିଲା ଏବଂ ଭାଷାକୁ ଶୃଙ୍ଖଳିତ କରିବା ପାଇଁ ସେ ବ୍ୟାକରଣ ରଚନା କରିଥିଲେ । ବେଦ ସେତେବେଳେ କେବଳ ମୌଖିକ ଅବସ୍ଥାରେ ନ ରହି ଗ୍ରନ୍ଥ ଆକାରରେ ଲିପିବଦ୍ଧ ହୋଇଥିଲା । ପାଣିନି ‘‘ଯବନାନାଂ ଲିପି’’ ବୋଲି ଉଲ୍ଲେଖ କରିଛନ୍ତି । ଓଏବର, ଲିଥି, ପ୍ରମୁଖ ଭାଷାବିଦ୍‌ଗଣ ଯବନାନୀ ଲିପି ବା ୟୁନାନୀ ଲିପି କଥା ଲେଖି ପାଣିନିଙ୍କ କଥାକୁ ସ୍ୱୀକାର କରିଛନ୍ତି । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ଶିଳାଲେଖରେ ଧର୍ମ୍ମଲିପିର ବ୍ୟବହାର ହୋଇଛି । ସମ୍ଭବତଃ ଏହା ପାଲି ପ୍ରାକୃତ ଭାଷାର ପ୍ରାଥମିକ ଅବସ୍ଥା । ସଂସ୍କୃତ ସମାଜରେ ଉଚ୍ଚ ଶ୍ରେଣୀରେ ଓ ପଣ୍ଡିତମାନଙ୍କ ମଧ୍ୟରେ ବ୍ୟବହୃତ ହୋଉଥିଲାବେଳେ ପାଲିପ୍ରାକୃତ ନିମ୍ନସ୍ତରରେ ତଥା ଜନସାଧାରଣଙ୍କ ମଧ୍ୟରେ ବ୍ୟବହୃତ ହେଉଥିଲା ।

 

ମୁଣ୍ଡା ଶ୍ରେଣୀର ଆଦିବାସୀମାନେ ଦକ୍ଷିଣପୂର୍ବ ଭାରତ, ମାଳୟ, ବ୍ରହ୍ମଦେଶ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜ ଇତ୍ୟାଦିରେ ବାସ କରିଥିଲେ । ଶବର, ସାନ୍ତାଳ, ଭୂୟାଁ, ଭୂମିଲ, ଜୁଆଙ୍ଗ, ଗାଦ୍‌ବା, ପରଜା, ବୀରର ଆଦି ଏହି ମୁଣ୍ଡା ସଂପ୍ରଦାୟ ଅନ୍ତର୍ଭୁକ୍ତ । ସେମାନଙ୍କ ଲିପି ନ ଥିବାରୁ ଭୌଗୋଳିକ କାରଣରୁ କଥିତ ଭାଷାରେ ବହୁ ସାମଞ୍ଜସ୍ୟ ସତ୍ତ୍ୱେ ବୈଷମ୍ୟ ମଧ୍ୟ ଅନୁପ୍ରବିଷ୍ଟ ହେଉଥିଲା । ପୁରାଣବର୍ଣ୍ଣିତ କିରାତ ରାଜ୍ୟ, ନିଷାଦ ରାଜ୍ୟ, ଅସୁର ରାଜ୍ୟ, ନାଗ ରାଜ୍ୟ, ଆଦି ଏହି ଆଦିବାସୀମାନଙ୍କ ଦ୍ୱାରା ଅଧ୍ୟୁଷିତ ହେଉଥିଲା । ନୃତତ୍ତ୍ୱବିଦମାନଙ୍କ ମତରେ ଓଡ଼ିଶାରେ ମୁଣ୍ଡା ଗୋଷ୍ଠୀର ଲୋକସଂଖ୍ୟା ପ୍ରାୟ ଏକତୃତୀୟାଂଶ । ଓଡ଼ିଶାର ସଂସ୍କୃତି ଓତପ୍ରୋତ ଭାବରେ ଆଦିମ ଅଧିବାସୀମାନଙ୍କ ସଂସ୍କୃତି ସହିତ ବିଜଡ଼ିତ । ନାମକୁ ଆର୍ଯ୍ୟ ବୋଲାଉଥିବା ଓଡ଼ିଶାର ବହୁ ଅଧିବାସୀଙ୍କର ଭାଷା, ଆଚାର ବିଚାର, ଚାଲିଚଳଣି, ରୀତିନୀତି, ଆଦିବାସୀମାନଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ । ଏମିତିକି ଓଡ଼ିଶାର ବହୁ ଲୋକକଥା, ଲୋକଗୀତ, ଲୋକବିଶ୍ୱାସ, ପର୍ବପର୍ବାଣୀ, ଓଷାବ୍ରତ, ଶିଳ୍ପକଳା, ବିଭିନ୍ନ ଭାବରେ ଆଦିବାସୀ ସଂସ୍କୃତି ଦ୍ୱାରା ସମୃଦ୍ଧ ଓ ଋଦ୍ଧିମନ୍ତ-। ଭରତ ମୁନି ନାଟ୍ୟଶାସ୍ତ୍ରରେ କହିଛନ୍ତି,

 

‘‘ଶବରାଭୀତ ଚଣ୍ଡାଳ

ସୃଚର ଦ୍ରାବିଡ଼ୋଡ୍ରଜାଃ

ହୀନା ଚନେ ଚରଣାଞ୍ଚ

ବିଭାଷା ନାଟକେ ସ୍ପୃତା ।’’

 

ଏହି ପ୍ରସଙ୍ଗରେ ଡଃ ବଂଶୀଧର ମହାନ୍ତି କହିଛନ୍ତି, ‘‘ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ବର୍ଣ୍ଣିତ ସତେଇଶ ପ୍ରକାରର ଅପଭ୍ରଂଶ ମଧ୍ୟରେ ଔତ୍ର୍ୟ ଓ କାଳିଙ୍ଗ୍ୟ ଅପଭ୍ରଂଶ ଭାଷାର ନାମୋଲ୍ଲେଖ ରହିଛି । ଓଡ଼ିଶାର ସପ୍ତଦଶ ଶତାବ୍ଦୀର ଅନ୍ୟ ଜଣେ ବିଶିଷ୍ଟ ସଂସ୍କୃତ ଆଳଙ୍କାରିତ ମାର୍କଣ୍ଡେୟ ତାଙ୍କ ‘‘ପ୍ରାକୃତ ସର୍ବସ୍ୱ’’ରେ ଔଡ୍ରୀ ଅପଭ୍ରଂଶ ସମ୍ୱନ୍ଧରେ କହିଛନ୍ତି ଯେ ଔଡ୍ର୍ୟ ଓ ଶୌରସେନୀର ସମ୍ମିଶ୍ରଣରେ ସାବର ଔଡ୍ର୍ୟ ନାମକ ସଙ୍କର ଭାଷାର ଉତ୍ପତ୍ତି ଘଟିଛି ।’’ (ଓଡ଼ିଶାର ଆଦିବାସୀ ସଂସ୍କୃତି, ପୃ.୨୦) ପୁରୁଷୋତ୍ତମ ଦେବଙ୍କ ରଚିତ ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଈଷତ ସୂଚନା ମିଳିଥାଏ । ଏହି ଅପଭ୍ରଂଶ ଉପରେ ଆଦିବାସୀମାନଙ୍କର ପ୍ରଭାବ ରହିଛି । ପ୍ରାଚୀନ ଓଡ଼ିଶାର କଳିଙ୍ଗ ନାମକରଣ ମୂଳରେ ଆଦିବାସୀ ଭାଷାର ପ୍ରଭାବ ସର୍ବବାଦୀ ସମ୍ମତ । କାରଣ କୁଇ ବା କୁଲି (ଧାନ) + ଙ୍ଗ (ବହୁବଚନରେ)ରୁ କଳିଙ୍ଗ ଶବ୍ଦ ସୃଷ୍ଟି ହୋଇଛି ବୋଲି ତଦ୍‌ବିଦ୍‌ମାନଙ୍କର ମତ । ଡକ୍ଟର ମହାନ୍ତି ବିଭିନ୍ନ ଆଦିବାସୀ ଭାଷା ସହିତ ଓଡ଼ିଆ ଭାଷାର ସାମଞ୍ଜସ୍ୟ ଦେଖାଇଛନ୍ତି (ତତ୍ର୍ୟୈବ) ।

 

ନିମ୍ନରେ କୁଇ ଓ ମୁଣ୍ଡାରି ଭାଷାର କେତୋଟି ଶବ୍ଦ ଓଡ଼ିଆ ଭାଷାକୁ ପରିବର୍ତ୍ତିତ ହୋଇ ବା ନ ହୋଇ ଆସିଥିବାର ଅନୁମିତ ହୁଏ । ସେଗୁଡ଼ିକ ହେଲା-

 

କୁଇ

ଓଡ଼ିଆ

ମୁଣ୍ଡାରି

ଓଡ଼ିଆ

ଆବା (ପିତା)

ବା, ଆବା

କୁଡ଼ି (୨୦)

କୋଡ଼ି

କୋଡ଼ି (୨୦ ସଂଖ୍ୟା)

କୋଡ଼ି

ଚାଉଳି (ଚାଉଳ)

ଚାଉଳ

ପଗ (ଭାଗ)

ପଗ (ଖଣ୍ଡ)

ଟୁଙ୍ଗି ଓ (ଟୋକେଇ)

ଟୋକେଇ

ପଡ଼ି (ଗାଁ)

ପଡ଼ା

କଜି (କହିବା)

କଜିଆ (କଳହ)

 

ସେହିପରି ଗଣ୍ଡ ଓ ସାନ୍ତାଳୀ ଭାଷା ସହିତ ଓଡ଼ିଆ ଭାଷାର ସାମଞ୍ଜସ୍ୟ ମଧ୍ୟ ନିମ୍ନୋକ୍ତ ସାରଣୀରୁ ସ୍ପଷ୍ଟ ହୋଇପାରିବ ।

 

ଗଣ୍ଡ

ଓଡ଼ିଆ

ସାନ୍ତାଳୀ

ଓଡ଼ିଆ

ଖୁରୁସ୍ (ଖୁରୁଙ୍ଗ)

ଖୁରଙ୍ଗ

ଅଡ଼ା (ଘେରା)

ଅଡ଼ା

କଇଁଆ (ଫଳ)

କଇଁଆ (ତେନ୍ତୁଳି)

ବତା (ବାଉଁଶ ଫାଳିଆ)

ବତା

ଘୁଷୁରା (ଘୁଷୁରି)

ଘୁଷୁରି

ଚାଳ (ଛପର)

ଚାଳ

ଚାଲ୍ (ଚାଉଳ)

ଚାଉଳ

ଚୁୟା (ଝରଣା, କୂଅ)

ଚୁଆ (ଗଡ଼ିଆ)

 

ଆଉ ଦୁଇଟି ଆଦିବାସୀ ଭାଷା ଜୁଆଙ୍ଗ ଓ କରୁଖର କେତୋଟି ଶବ୍ଦ ସହିତ ସେହି ଅର୍ଥଦ୍ୟୋତକ ଓଡ଼ିଆ ଶବ୍ଦର ସାମଞ୍ଜସ୍ୟ ନିମ୍ନୋକ୍ତ ସାରଣୀରୁ ସ୍ପଷ୍ଟ ହେବ ।

 

ଜୁଆଙ୍ଗ

ଓଡ଼ିଆ

କୁରୁଖ

ଓଡ଼ିଆ

ବା (ବାପା)

ବା, ବାପା

ପଡ଼ା(ଘର)

ପଡ଼ା (ଗାଁ)

କା (ଭାଇ)

କାକା

ଅଣ୍ଡା (ଅଣ୍ଡିରା)

ଅଣ୍ଡିରା

ବୁଆ (ଧାନ)

ବୁଆ (ଧାନଗଛ)

କୋନି (ଛୋଟ)

କୁନି

ଅଣ୍ଡିରା (ପୁରୁଷ)

ଅଣ୍ଡିରା

ପୋକ (କୀଟ)

ପୋକ

 

ଶବରମାନେ ଆମ ରାଜ୍ୟର ଏକ ବଡ଼ ଆଦିବାସୀ ସଂପ୍ରଦାୟ । ଏହା ଏକ ପ୍ରାଚୀନ ଗୋଷ୍ଠୀ ଏବଂ ଅନେକ ଶାବରୀ, (ଶବରମାନଙ୍କ ଭାଷା) ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ । ବରଂ ସବୁ ଆଦିବାସୀ ଶ୍ରେଣୀ ମଧ୍ୟରେ ଶାବରୀ ଶବ୍ଦଗୁଡ଼ିକ ସର୍ବାଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହୋଇଥାଏ । ତା’ର ଏକ ନମୁନା ନିମ୍ନୋକ୍ତ ସାରଣୀରେ ପ୍ରଦତ୍ତ ହୋଇଛି ।

 

ଶାବରୀ

ଓଡ଼ିଆ

ଶାବରୀ

ଓଡ଼ିଆ

ଓର, ଓରରୋ (ଲଙ୍ଗଳ)

ଓର, ଓଡ଼ (ଚାଷ)

କେ-କେ (କେକା)

କେକା

ଟାକେଲେନ୍ (ଟୋକେଇ)

ଟୋକେଇ

କୁମ୍ପନ (ଛୋଟପାତ୍ର)

କୁମ୍ପି

କକୁନ (କକା)

କକା

ଓମଡ଼ା (ଅବାଟ)

ଅମଡ଼ା

ଗୁଡ଼ିନ (ଟେକା)

ଗୋଡ଼ି

କେନ୍ତାରେନ୍ (ଅନାବୃଷ୍ଟି)

କାନ୍ତାର

ଗଡ଼ନ (ଦୁର୍ଗା)

ଗଡ଼

କୋଡ଼ିଏ (ସଂଖ୍ୟା)

କୋଡ଼ି

ଶଗଡ଼ନ (ଶଗଡ଼)

ଶଗଡ଼

କୁଣ୍ଡୁ (ଆଲିଙ୍ଗନ)

କୁଣ୍ଢେଇବା

କଜନ୍ (ଗାଳିଦେବା)

କଜିଆ

ଘଡ଼ିଆ (ଛୋଟ ପୋଖରୀ)

ଗଡ଼ିଆ

ଖୁଖୁନ୍ (କାଶିବା)

ଖୁଁ ଖୁଁ

ବେଣ୍ଟାନ୍(ଶିକାରୀ)

ବେଣ୍ଟୁକାର

କୁକୁ (କୋଇଲି)

କୋଇଲି

କୁଣ୍ଢେଇ (ଖେଳନା)

କୁଣ୍ଢେଇ

କଡ଼ୁନ (ଖଡ଼ୁ)

ଖଡ଼ୁ

ଡାଙ୍ଗୁନ୍ (ଡାଳ)

ଡାଙ୍ଗ

 

ଶାଚରୀ ଭାଷାର ଗୋଟିଏ ଶବ୍ଦ ‘ଓରା’ ବା ‘ଓରରୋ’ ନିଆଯାଉ, ଯାହାର ଅର୍ଥ ‘ଲଙ୍ଗଳ’, ‘ସିଆର’, ‘ଭୂମି’ । ସେଥିରୁ ଆମର ‘ଓଡ଼ିଶା’ ଶବ୍ଦ ଆସିଛି । ‘ଓର’ ବା ‘ଓଡ଼’ (ଚାଷ) ଧାତୁନିଷ୍ପନ୍ନ ଶବ୍ଦ ଓଡ଼ିଶା । ଆମ ଭାଷାରେ ମଧ୍ୟ ‘ଓଡ଼ଚଷା’, ‘ଓଡ଼େ ଚାଷ’ ପ୍ରଚଳିତ ‘ଓତ୍ର’ ବା ‘ଉଦ୍ର’ ସେହି ଶାବରୀ ଭାଷାରୁ ଆନୀତ ହୋଇଥିବା ଅନୁମାନ । ଆମ ରାଜ୍ୟର ନାମକରଣରେ ତେଣୁ ଶାବରୀ ଭାଷାର ଅବଦାନକୁ ସ୍ୱୀକାର କରିବା ଉଚିତ । ରାମାୟଣ, ମହାଭାରତ ପ୍ରଭୃତି ପୁରାଣରେ ‘ଓଡ୍ର’ ଜାତିର ବର୍ଣ୍ଣନା ରହିଛି । ମନୁଙ୍କର ଧର୍ମଶାସ୍ତ୍ରରେ ‘ଓଡ୍ର’ ଏକ ସ୍ୱତନ୍ତ୍ର ଜାତି ଭାବରେ ସ୍ୱୀକୃତ ହୋଇଛି-। ଭରତଙ୍କ ନାଟ୍ୟଶାସ୍ତ୍ରରେ ‘ଓଡ୍ର’କୁ, ଏକ ବିଭାଷା ବା ଆଦିବାସୀ ଭାଷା ଭାବରେ ବର୍ଗୀକରଣ କରାଯାଇଛି । ସେମିତି ମାର୍କଣ୍ଡେୟଙ୍କ ‘ପ୍ରାକୃତ ସର୍ବସ୍ୱ ଓ ପୁରୁଷୋତ୍ତମ ଦେବଙ୍କ ‘ପ୍ରାକୃତାନୁଶାସନ’ରେ ଔଡ୍ର୍ୟ ଅପଭ୍ରଂଶର ସୂଚନା ପ୍ରଦତ୍ତ ହୋଇଛି । ପ୍ରାଚୀନ ତାମିଲ ଭାଷାରେ ‘ଓର’ ବୋଇଲେ ‘ଏକ’ ଯାହା ଆମ ଭାଷାରେ ଥରେ ଚାଷକୁ ବୁଝାଏ, ତେଲଗୁ ଭାଷାରେ ‘ଉରୁ’ ଶବ୍ଦର ଅର୍ଥ ହଳ କରିବା, ତାର ଅପଭ୍ରଂଶ ହୋଇ ଓଡ଼ିଆରେ ‘ଓର’ ବା ‘ଓଡ଼’ ହୋଇପାରେ । କୁରୁଖ, ଓରାଓଁ ପ୍ରଭୃତି ଆଦିବାସୀ ଭାଷାଗୁଡ଼ିକରେ ମଧ୍ୟ ‘ଓରା’ ଅର୍ଥ ଚାଷୀ । ସେମିତି ‘ଓଡ଼’ ତଥା ‘ଉଡ୍ର’ ଶବ୍ଦର ଅନ୍ୟ ଏକ ଅର୍ଥ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ । ପଞ୍ଜାବୀ ଭାଷାରେ ‘ଓଡ଼’ ଶବ୍ଦର ଅର୍ଥ ଗୃହନିର୍ମାଣକାରୀ ଜାତି । ସିନ୍ଧି ଓ ଗୁଜୁରାଟୀ ଭାଷାରେ ‘ଓଡ୍ର’ ଶବ୍ଦର ଅର୍ଥ ଗୃହନିର୍ମାଣକାରୀ ଜାତି । ସିନ୍ଧି ଓ ଗୁଜୁରାଟୀ ଭାଷାରେ ‘ଓଡ୍ର’ ଶବ୍ଦ ମାଟିଘର ନିର୍ମାତାକୁ ବୁଝାଇଥାଏ । (ତତ୍ରୈବ ପୃ ୩୬-୩୮) ସୁତରାଂ ଓଡ଼ିଆମାନେ ଯେ ପ୍ରାଚୀନ କାଳରୁ କୃଷି ଓ ଗୃହନିର୍ମାଣରେ କୁଶଳୀ ଥିଲେ, ଏଥିରୁ ପ୍ରମାଣିତ ହୋଇଥାଏ ।

 

ଓଡ଼ିଆ ଭାଷା ସହିତ ବଙ୍ଗଳା, ଆସାମୀ, ହିନ୍ଦୀ, ପଞ୍ଜାବୀ, ମରାଠୀ, ଗୁଜୁରାଟୀ, ଏମିତିକି ଦକ୍ଷିଣ ଭାରତର ତଥାକଥିତ ଦ୍ରାବିଡ଼ ଭାଷା ତେଲୁଗୁ, ତାମିଲ ଆଦି ଭାଷାର ଯେମିତି ସାଦୃଶ୍ୟ ରହିଛି, ସେମିତି ଆଦିବାସୀ ଭାଷାଗୁଡ଼ିକ ମଧ୍ୟରେ ବହୁ ସାମ୍ୟ ପରିଦୃଷ୍ଟ ହୋଇଥାଏ । ଅଧିକନ୍ତୁ ଓଡ଼ିଶାର ଆଦିବାସୀ ସହିତ ଉତ୍ତରପୂର୍ବ ଭାରତର ଖାସି, ବ୍ରହ୍ମଦେଶ (ମ୍ୟାନମାର)ର ମନ, ଭାଷା, ଆଣ୍ଡାମାନ-ନିକୋବରର ଆଣ୍ଡାମାନୀ ଓ ନିକୋବରୀ ଭାଷାର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ଏମିତିକି ଆଫ୍ରିକୀୟ ଦେଶଗୁଡ଼ିକର ଭାଷା ସହିତ ଆମ ରାଜ୍ୟର ବହୁ ଆଦିବାସୀ ଶବ୍ଦର ସାମ୍ୟ ଦେଖାଯାଏ । ଏଥିରୁ ପ୍ରାଚୀନ କାଳରେ ଏହିସବୁ ଅଞ୍ଚଳ ସହିତ ଆଦିବାସୀ ତଥା ଆମ ରାଜ୍ୟର ଅଧିବାସୀମାନଙ୍କ ସମ୍ପର୍କ ପ୍ରମାଣିତ ହୁଏ । ସଂସ୍କୃତକୁ ବହୁ ଆଧୁନିକ ଭାରତୀୟ ଭାଷାର ଜନନୀ କହିଲେ ସୁଦ୍ଧା ଆଦିବାସୀ ଭାଷାଗୁଡ଼ିକ ଏସବୁର ପିତାମହ ବା ମାତାମହ ବୋଲି ମାନିବାକୁ ହେବ । ଏହି ଦୃଷ୍ଟିରୁ ଓଡ଼ିଆ ଭାଷା ଶାବରୀ, ସାନ୍ତାଳୀ, ମୁଣ୍ଡାରି, କୁଇ, ଗଣ୍ଡ ଆଦି ବହୁ ଆଦିବାସୀ ଭାଷା ନିକଟରେ ଋଣୀ, ଏଥିରେ ସନ୍ଦେହ ନାହିଁ । କାଳକ୍ରମେ ଗମନାଗମନ, ବାଣିଜ୍ୟ ବ୍ୟବସାୟଗତ ସମ୍ପର୍କ, ସଭ୍ୟତାର ବିକାଶ ଓ ସାଂସ୍କୃତିକ ସଂସ୍ରବ ଫଳରେ ଭାଷା ଓ ସାହିତ୍ୟରେ ମଧ୍ୟ ମିଳନ ଘଟିଛି ଏବଂ ଏଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ ସମ୍ଭବ ହୋଇଛି ।

 

ସହାୟକ ପୁସ୍ତକ :

ଅଧ୍ୟାପକ ଚିତ୍ତରଞ୍ଜନ ଦାସ

:

ସଂସ୍କୃତି ଓ ଓଡ଼ିଶା, ମୟୂର ପବ୍ଲିକେସନ୍‌ସ, ଭୁବନେଶ୍ୱର, ୧୯୮୧

ଡକ୍ଟର ବଂଶୀଧର ମହାନ୍ତି

:

ଓଡ଼ିଶାର ଆଦିବାସୀ ସଂସ୍କୃତି, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଓଡ଼ିଶା, ୧୯୯୦

ଡକ୍ଟର ଜଗନ୍ନାଥ ମହାନ୍ତି

:

ରୂପାବହିର ଇତିକଥା, ବିଦ୍ୟାପୁରୀ, କଟକ୧୯୮୭

ଡକ୍ଟର ଶ୍ରୀଶ ପଟେଲ

:

ସାହିତ୍ୟ ଓ ସଂସ୍କୃତି, ଓଡ଼ିଆ ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୧୯୮୨

 

 

୨୯୩୫ ଗୌରୀନଗର

ଭୁବନେଶ୍ୱର- ୭୫୧୦୦୨

 

***

 

ସଉରା ଲୋକ ପରମ୍ପରାରେ ପ୍ରେମ ଓ ମୃତ୍ୟୁଚେତନା

ମହେନ୍ଦ୍ର କୁମାର ମିଶ୍ର

 

ପ୍ରେମ ଓ ମୃତ୍ୟୁ- ଏ ଦୁଇଟି ସଉରା ଜୀବନର ଦୁଇଗୋଟି ବିଭାବ । ପ୍ରେମର ଅପରିପୂର୍ଣ୍ଣତାରେ ଏମାନେ ବିଶ୍ୱାସୀ । ମୃତ୍ୟୁ ବି ଅସ୍ୱୀକାର୍ଯ୍ୟ, ଦେହ ମରେ ଅଥଚ ଦେହ ଭିତରେ ଥିବା ସୋନମ୍‌ (ଆତ୍ମା) ମରେ ନାହିଁ, ଖାଲି ଦିଶେ ନାହିଁ ଯାହା, ମୃତ୍ୟୁ ପରାନ୍ତ ଆତ୍ମା (ସୋନମ୍‌) ସଉରା ଜାତିର ପାଖେ ପାଖେ ଥାଏ । ବିପଦ ବେଳେ ସାହା ହୁଏ ଭଲବାଟ ଦେଖାଏ ତାକୁ ଆହ୍ୱାନ କରି ସେ ଦିଗଦର୍ଶନ ପାଏ । ମୃତ୍ୟୁ ରହେ ଅତୀତର ପ୍ରତୀକ ରୂପେ । ଏଠାରେ ଜୀବନ ଭିତରେ ବି ମୃତ୍ୟୁ ଚେତନା ନିତ୍ୟ ବର୍ତ୍ତମାନ ତ ମୃତ୍ୟୁପରେ ଜୀବନ ସକ୍ରିୟ । ଜୀବନ ଓ ମୃତ୍ୟୁ କେବଳ ମାନବୀୟ ନୁହେଁ, ଏହା ଏକାବେଳକେ ପ୍ରକୃତି ସମ୍ପର୍କୀୟ ପ୍ରାଣୀ ସମ୍ପର୍କୀୟ ତଥା ନୈସର୍ଗିକ ।

 

ଓଡ଼ିଶାର ଏକ ପ୍ରାଚୀନ ଜାତି ରୂପେ ସଉରା ସୁପରିଚିତ । ଓଡ଼ିଶାର ସର୍ବତ୍ର ଶବର ଜାତି ବାସ କରି ରହିଛନ୍ତି । ହେଲେ ଦକ୍ଷିଣ ଓଡ଼ିଶାର ଗଜପତି ଓ ରାୟଗଡ ଅଞ୍ଚଳର ଶବରମାନେ ଏବେ ବି ତାଙ୍କ ଭାଷା ଓ ସଂସ୍କୃତି ଭିତରେ ବଞ୍ଚିରହିଛନ୍ତି । ଗଜପତି ଜିଲ୍ଲାର ଗୁମା, ନୂଆଗଡ଼, ରାୟଗଡ଼, ରାମଗିରି ଉଦୟଗିରି ଓ ମୋହନା ବ୍ଲକ ତଥା ରାୟଗଡ଼ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ସଉରାମାନେ ବସବାସ କରି ରହିଛନ୍ତି । ଇତିହାସ ଓ ବଂଶାବଳୀରେ ୧୨ ପ୍ରକାର ଶବର ଅଛନ୍ତି ବୋଲି ଜଣାଯାଏ । ହେଲେ ଆଲୋଚ୍ୟ ଅଞ୍ଚଳରେ ମୁଖ୍ୟତଃ ଦୁଇପ୍ରକାର ଶବର ଦେଖାଯାନ୍ତି । ପ୍ରଥମତଃ ଲାଞ୍ଜିଆ ସଉରା ଓ ଦ୍ୱିତୀୟରେ ଶୁଦ୍ଧ ସଉରା । ଶବରମାନେ ନିଜକୁ ସୋରା ବା ସଉରା ବୋଲି ପରିଚିତ କରିଥାନ୍ତି । ଗଜପତିର ସୁଉଚ୍ଚ ପର୍ବତମାଳା ଓ ନିଘଞ୍ଚ ବନାନୀ, ଦିଗବଳୟବ୍ୟାପୀ ପର୍ବତଶ୍ରେଣୀର ସୋପାନ ଦେଖିଲେ ଦର୍ଶକ ବିସ୍ମିତ ହେବା ସ୍ୱାଭାବିକ । ଏକ ପ୍ରାକୃତିକ ସୁଷମାରେ ଗଜପତି ଅଞ୍ଚଳର ସଉରାମାନେ ଚିରକାଳ ବସବାସ କରି ବନସ୍ପତି, ପଶୁପକ୍ଷୀ, ଜଡ଼ ଓ ଜୀବନ ସମସ୍ତଙ୍କ ସଙ୍ଗେ ଏକାତ୍ମ ଭାବରେ ରହିଛନ୍ତି । କେବଳ ସେତିକି ନୁହେଁ, ଦୃଶ୍ୟ ଓ ଅଦୃଶ୍ୟ ସହିତ ସଉରା ଜୀବନର ସମ୍ପୃକ୍ତି ଅତୀତ ସଙ୍ଗେ ବର୍ତ୍ତମାନକୁ ବଡ଼ ବିଚିତ୍ର ଭାବେ ସଂଯୁକ୍ତ କରେ । ପୂର୍ବପୁରୁଷ ଆତ୍ମା ସାଂପ୍ରତିକ ମଣିଷର ସୁଖଦୁଃଖରେ ଭାଗନିଏ । ମୃତ୍ୟୁ ପରବର୍ତ୍ତୀ ଆତ୍ମାର ଉତ୍ତରପୁରୁଷ ସହିତ ନିତ୍ୟ ସାକ୍ଷାତକାର ହୁଏ । ଜୀବନ ଓ ମୃତ୍ୟୁର ମଧ୍ୟାନ୍ତରରେ ଯେ ଆତ୍ମା ଓ ଘଟର ମହାମିଳନ ସବୁବେଳେ ଘଟୁଥାଏ ତା ଭିତରେ ଜ୍ଞାତିକୁଟୁମ୍ବ ଆତଯାତ ହେଉଥାନ୍ତି । ସଉରା ଜୀବନ ଦର୍ଶନରେ ଏହା ଉପଲବ୍ଧର ବିଷୟ ।

 

ଜୀବନ ଓ ମୃତ୍ୟୁ- ପ୍ରତ୍ୟେକ ମଣିଷର ଏକ ଆଦିମ ମୌଳ ଅଭିଜ୍ଞତା । ମୃତ୍ୟୁ ରହେ ଅତୀତର ପ୍ରତୀକ ରୂପେ ଓ ଜୀବନ ବଞ୍ଚିରହେ ଦୈନନ୍ଦିନ ସୁଖଦୁଃଖ ସଂଘର୍ଷ ଓ ସମ୍ପର୍କ ଭିତରେ । ସମ୍ପର୍କଟି କେବଳ ମାନବୀୟ ନୁହେଁ, ଏହା ଏକାବେଳକେ ପ୍ରକୃତି ସମ୍ପର୍କୀୟ, ପ୍ରାଣୀ ସମ୍ପର୍କୀୟ ଓ ନୈସର୍ଗିକ । ଏଠାରେ ଜୀବନ ଭିତରେ ବି ମୃତ୍ୟୁଚେତନା ନିତ୍ୟ ବର୍ତ୍ତମାନ ଓ ମୃତ୍ୟୁପରେ ବି ଜୀବନ ସକ୍ରିୟ । ସଉରା ଲୋକ ପରମ୍ପରାରେ ଏହି ପ୍ରେମ ଓ ମୃତ୍ୟୁର ଅଭିବ୍ୟକ୍ତି ମର୍ମସ୍ପର୍ଶୀ । ହୃଦୟଗ୍ରାହ୍ୟ, ସହଜ ଓ ପ୍ରତୀକାରତ୍ମକ ।

 

ମଣିଷର ଆଦିମ ମୌଳ ଅଭିଜ୍ଞତା ରୂପେ ପ୍ରେମ, ଜୀବନ ଓ ମୃତ୍ୟର ଏକ ମହରମ ଭୂମିକା ରହିଛି । କ୍ଷୁଧା, ତୃଷା, ନିଦ୍ରା, ମୈଥୁନ, ବିଶ୍ରାମ, ଭୟ, ଆଶା ଓ ଆକାଂକ୍ଷା ପରି ପ୍ରବୃତ୍ତିମାନଙ୍କ ଗହଣରେ ମଣିଷର ଜୀବନ ବନ୍ଧା । କିନ୍ତୁ ଶାରୀରିକ/ଜୈବିକ ସତ୍ତାର ଉର୍ଦ୍ଧ୍ୱରେ ଓ ସାଙ୍ଗରେ ପ୍ରେମ, ଜୀବନ ଓ ମୃତ୍ୟୁର ଯେଉଁ ଛାଇ ଆଲୁଅର ଖେଳ ତାହା ହିଁ ସଉରା ଜୀବନର ମନ୍ତ୍ର-

 

ମାନବ ବିଜ୍ଞାନ ଦୃଷ୍ଟିରୁ ସଉରା ବିବାହର ପ୍ରକାରଭେଦ ଯଥେଷ୍ଟ ଚର୍ଚ୍ଚିତ । ହେଲେ ସଉରା ଜୀବନର ପ୍ରେମ ଓ ମୃତ୍ୟୁର ଯେଉଁ ପ୍ରତୀକାତ୍ମକ ଅର୍ଥ ରହିଛି ତାହାର ସୌନ୍ଦର୍ଯ୍ୟତାତ୍ତ୍ୱିକ ଓ ଦାର୍ଶନିକ ବ୍ୟାଖ୍ୟାର ଯଥେଷ୍ଟ ଗୁରୁତ୍ୱ ରହିଛି । ସମ୍ଭବତଃ ଜୀବନକୁ ସାହିତ୍ୟ ରୂପେ ଗ୍ରହଣ କରିଥିବା ସଉରାମାନଙ୍କର ଦୈନନ୍ଦିନ ଚଳଣିରେ, କଳା କୁଶଳରେ ଅଭିବ୍ୟକ୍ତିଟି ହିଁ ମୂଳକଥା ।

 

ସଉରା ଲୋକ ମୌଖିକ ପରମ୍ପରା ତଥା ଧର୍ମାଦର୍ଶ, ନୃତ୍ୟଗୀତ ଓ ଚିତ୍ରକଳା- ଏ ସବୁରେ ସତେ ଯେପରି ପ୍ରେମ ଓ ମୃତ୍ୟୁ ଏକ ମୁଖ୍ୟ ବିଭାବ ରୂପେ କ୍ରିୟାଶୀଳ । ଏଠି ପ୍ରେମର ପ୍ରଥମ ଆକର୍ଷଣର ଆଧାର ସଙ୍ଗୀତ । ଯୁବକ-ଯୁବତୀ ପ୍ରଥମେ ପରସ୍ପରକୁ ଜାଣିବାକୁ ଚେଷ୍ଟା କରନ୍ତି ସଙ୍ଗୀତ ମାଧ୍ୟମରେ । ‘‘ରନାଇ’’ (ସାରଙ୍ଗୀ) ବଜାଉଥିବା ଯୁବକ କିମ୍ବା ବଂଶୀ ବଜାଇ ଜାଣିଥିବା ଯୁବକକୁ ପ୍ରଥମେ ଭଲ ପାଇ ବସେ ସଉରା ଯୁବତୀ । ସେହିପରି ଗୀତ ଗାଉଥିବା ସଉରା ଯୁବତୀର ବାକ୍ ଚାତୁରୀରେ ପ୍ରଲୁବ୍ଧ ସଉରା ଯୁବକ ମୋହଗ୍ରସ୍ତ ହୋଇପଡ଼େ । ସୃଜନ ସ୍ୱପ୍ନରେ ସେମାନେ ବିଭୋର ହୁଅନ୍ତି । ସୃଷ୍ଟିର ପ୍ରଥମ ପୁଲକ ପ୍ରେମ । ସ୍ୱାଭାବିକ ଭାବେ ସଉରା ଯୁବକ-ଯୁବତୀ ସମବେତ ହୋଇ ନାଚିଲେ କି ଗାଇଲେ ବି ସେମାନେ ହଠାତ୍ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, କୌଣସି ବିଶେଷତ୍ୱ ନଥିଲେ । ତେଣୁ ସାମୂହିକ ଉପଭୋଗ ବେଳକ ପ୍ରେମକଥା କେବେ ବି ପ୍ରେମ ନୁହେଁ । ପ୍ରେମକଥା ମାତ୍ର । କିନ୍ତୁ ଯେତେବେଳେ ସେହି ସାମୂହିକ ସ୍ଥାନରୁ ଓହରି ଆସି ଜଣେ ଅନ୍ୟଜଣକୁ ଖୋଜିବସେ- ହୃଦୟର ଉଦବେଳନ ହୁଏ । ସେଇଠି ଆରମ୍ଭ ହୁଏ ପ୍ରେମର ପ୍ରଥମ ପୁଲକ ।

 

ସଉରା ଜୀବନରେ ଯୁବକ ଯୁବତୀଙ୍କ ପରସ୍ପର ପ୍ରେମର ଯେଉଁ ସୌଷମିକ ବର୍ଣ୍ଣନା ଲୋକଗୀତରେ ରହିଛି ତାହା କବିତ୍ୱପୂର୍ଣ୍ଣ । ଭାବସତ୍ତା ମର୍ମସ୍ପର୍ଶୀ । ପ୍ରକାଶଭଙ୍ଗୀ କେଉଁଠି ଅତୀବ ସ୍ୱାଭାବିକ ତ କେଉଁଠି ଅତିମାତ୍ରାରେ ପ୍ରତୀକ ଓ ରୂପକ-ସମ୍ବାହକ । ଏହି ଦୃଷ୍ଟିରୁ ସଉରା ଲୋକଗୀତ ପ୍ରକୃତି ଓ ମଣିଷ ସମ୍ପର୍କରେ ବଡ଼ ଅର୍ଥପୂର୍ଣ୍ଣ ବ୍ୟଞ୍ଜନା ଧରି ରଖିଛି । କୃଷିକ୍ଷେତ୍ର ଓ ନାରୀର ବୀଜବହନକାରୀ ଶକ୍ତି ତଥା ଉତ୍ପାଦନକ୍ଷମତା ପ୍ରତୀକାତ୍ମକ ରୂପେ ଲୋକଗୀତରେ ବର୍ଣ୍ଣିତ-

 

ଆଲୋଚନାର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏଠାରେ କେତୋଟି ମୌଖିକ ଗୀତ ଓ କାହାଣୀର ଉପସ୍ଥାପନ କରି ତାହାର ବିଶ୍ଲେଷଣ କରାଯାଇଛି ।

 

ସଉରା ଯୁବକଟିଏ ସାରଂଗୀ ବଜାଇ ଯୁବତୀଟିକୁ ଆକୃଷ୍ଟ କରିବାକୁ ଚାହେଁ । ସାରଙ୍ଗୀ ବଜାଇ ସେ ଗୀତଟି ଗାଏ-

ଏହାର ଓଡ଼ିଆ ଭାବାର୍ଥ ଏହିପରି-

 

କାହିଁକି ମୋତେ ଅନାଉ ନାହଁ,

କାହିଁକି ମୋତେ ଚାହୁଁନ ?

ବଳଦ ଲାଞ୍ଜ ପରି ବାଳ ତୁମର ଦେଖିଲେ

ଦଉଡି ବୁଣା ପରି ତମର ବେଣୀ ଦେଖିଲେ,

କାନ୍ଥ ପରି ତମ ପିଠିକୁ ଦେଖିଲେ

ସିଂଜା (ଛୋଟ ନାଲି ଫୁଲ) ଫୁଲ ପରି ତୁମ ମୁହଁକୁ ଦେଖିଲେ

ଉଡ୍‌ୟେ ( ଛୋଟ ନାଲି ଫୁଲ) ଫୁଲ ପରି ତୁମ ମୁହଁକୁ ଦେଖିଲେ

ଆଞ୍ଜୁଳା ପରି ତୁମ ସୁନ୍ଦର ମୁହଁକୁ ଦେଖିଲେ

ଖୁସି ଲାଗନ୍ତା ମୋତେ ।

ଆନନ୍ଦ ଲାଗନ୍ତା ମୋତେ । ।

 

କବିତାରେ ପ୍ରେମର ଭାବଗାମ୍ଭୀର୍ଯ୍ୟରେ ବ୍ୟକ୍ତି ସମ୍ପୃକ୍ତି ଯେତିକି ନୈବ୍ୟକ୍ତିକ ଭାବସମ୍ବନ୍ଧ ବି ସେତିକି । ବଳଦଲାଞ୍ଜ ପରି ବାଳ, ଦଉଡ଼ି ବୁଣା ବେଣୀ, କାନ୍ଥ ପରି ପିଠି, ସିଂଜା ଫୁଲ ପରି ମୁହଁ, ଆଞ୍ଜୁଳା ପରି ସୁନ୍ଦର ମୁହଁ- ଜଣେ ସୁନ୍ଦରୀ ସଉରା ତରୁଣୀର ସୌନ୍ଦର୍ଯ୍ୟର ପରିଚୟ । ସ୍ଥାନୀୟ ଦୃଶ୍ୟମାନ ଜଗତର ରୂପକରେ ସଉରା ଯୁବତୀର ସୌନ୍ଦର୍ଯ୍ୟର ଆକଳନ ବଡ଼ ଆକର୍ଷଣୀୟ, ଯୌକ୍ତିକତା ବି ରହିଛି ।

 

ସଉରା ଯୁବକ ଓ ଯୁବତୀ ପରସ୍ପରକୁ ଭାଇ ଓ ଭଉଣୀ ରୂପେ ସମ୍ବୋଧନ କରନ୍ତି । ଏହା ସ୍ୱାଭାବିକ ଭାବେ କାକୁଂ( ଭାଇ) ଓ ବଇ (ଭଉଣୀ) ସମ୍ବୋଧନ କରି ଡକାଡକି ହୁଅନ୍ତି । ଚିହ୍ନା ଅଚିହ୍ନାରେ କିଛି ଯାଏ ଆସେ ନାହିଁ । ବକ୍ରୋକ୍ତି କରିବାରେ ଯୁବକ ଯୁବତୀ କୁଶଳ । ଜଣେ ଯୁବକ ଯୁବତୀର ପ୍ରେମ ପାଇଁ ବ୍ୟାକୁଳ । ସେ ଯୁବତୀଠାରେ ପ୍ରେମ ନିବେଦନ କରି ବିଫଳ ହୋଇଛି । ‘‘ପଥର’’ ରୂପକରେ ଏହା ପ୍ରତିଫଳିତ । ବିଫଳ ଯୁବକକୁ ଯୁବତୀଟି କହୁଛି-

 

ଯୁବତୀ

-

ପଥର ଉପରୁ ପଡ଼ିଗଲା, ମୋ ଭାଇ

 

 

ଗଭୀର ଉପତ୍ୟାକାରୁ ପଡ଼ିଗଲା ମୋ ଭାଇ । ।

ଯୁବକ

-

ପଥର ସୁନ୍ଦର ଦିଶୁଥିବାରୁ ଚଢ଼ୁଥିଲି

 

 

ଧରିବା ସୁବିଧା ଥିବାରୁ ଚଢ଼ୁଥିଲି ।

ଯୁବତୀ

-

କିଏ କହିଲା ତୁମକୁ ଚଢ଼ିବାକୁ ?

 

 

କିଏ ଆଦେଶ ଦେଲା ତୁମକୁ ଚଢ଼ିବାକୁ

ଯୁବକ

-

ମୁଁ ନିଜେ ଚାହିଁଲି ପଥର ଚଢ଼ିବାକୁ ।

 

ଲକ୍ଷ୍ୟଣୀୟ ଯେ, ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରୁଥିବା ଯୁବତୀଟିର ହୃଦୟ ଯେ ପଥର ତାହା ସେ ଅନୁଭବ କରିଛି । ଉଚ୍ଚ ସ୍ଥାନରୁ ଖସି ପଡ଼ିଲେ ଯେଉଁ ଅବସ୍ଥା, ପ୍ରେମରେ ପ୍ରତ୍ୟାଖ୍ୟାନ ହେଲେ ସେଇ ଅବସ୍ଥା । ଯୁବତୀର ସମ୍ମତି ବିନା ଯୁବକଟିଏ ସମ୍ପର୍କ ବା ରଖିବ କିପରି-? ଏକ ତରଫା ପ୍ରେମର ପରିଣତି ଏଇଆ ହିଁ ହୁଏ । ଯୁବକ ଯୁବତୀଙ୍କ କର୍ମ ପ୍ରବଣତା ଭିତରେ ପ୍ରେମାନୁଭୂତି ବଡ଼ ଆକର୍ଷଣୀୟ । ଶବ୍ଦର ପ୍ରୟୋଗରେ ଏମାନେ ପ୍ରାକୃତିକ । ଶବ୍ଦରୁ ଅର୍ଥ ନିରୂପଣ ପାଇଁ ବାକ୍ୟଟିଏ ଲୋଡ଼ା ନାହିଁ । ଶବ୍ଦଟିଏ ହିଁ ବାକ୍ୟ ।

 

ଯୁବତୀ

ବଳାଟି ମୋର ଟିଂ କଲା,

 

 

ମୁଦିଟି ମୋର ଟିଂ କଲା,

 

 

ତମର ମନ ଅଛି କି ?

 

 

ତମେ ମୋତେ ମନ କରୁଛ କି ?

ଯୁବକ

ତୁମ କୁଣ୍ଢାଇ ହେବା ଦେଖି

 

 

ତୁମ ବାଳ ଖୋଷା ଦେଖି

 

 

ମୋର ମନ ବ୍ୟାକୁଳ ।

ଯୁବତୀ

ତୁମ ସାରଙ୍ଗୀ ବାଜା ଶୁଣି

 

 

ତୁମ ବଇଁଶୀ ଫୁଙ୍କା ଶୁଣି

 

 

ମୋ ମନ ତୁମଠି ମିଶିଗଲା,

 

 

ମୋର ଇଚ୍ଛା ତୁମକୁ ଦେଲି

 

 

ମୋତେ ଜର ଜର ଲାଗୁଛି

 

 

ଶୀତ ଶୀତ ଲାଗୁଛି

 

 

ତୁମ ସାରଙ୍ଗୀ ବାଜା ଶୁଣି

 

 

ତୁମ ବଇଁଶୀ ଫୁଙ୍କା ଶୁଣି ।

ଯୁବକ

ତୁମ ବଗଡ଼ (ପାହାଡ଼ରେ ଚାଷ) କୋଡ଼ା ଦେଖି

 

 

ତୁମ ଧାନକୁଟା ଦେଖି

 

 

ତୁମକୁ ପସନ୍ଦ କରୁଛି

 

 

ମୋ ମନ ତୁମଠି ରହିଗଲା,

ଯୁବତୀ

ମୁଦି ମୋର ଶବ୍ଦ ହୁଏ

 

 

ବଳା ମୋର ଟିଂ ଟାଂ ହୁଏ

 

 

ବୁଲି କରି ଦେଖ,

 

 

ମୋ ମୁହଁକୁ ଦେଖ

 

 

ତୁମ ବଇଁଶୀ ସୁର ଶୁଣ

 

 

ମୋ ଆଖିରୁ ଝରେ ଲୁହ

 

କବିତାଟିରେ କର୍ମ ଓ ପ୍ରେମର ମଧୁର ସମ୍ମିଶ୍ରଣ । ଶବ୍ଦରେ ବ୍ୟଞ୍ଜନା ରହିଛି । ହୃଦୟସ୍ପର୍ଶୀ ପ୍ରେମ । ବଳା ଓ ମୁଦି ଟିଂ କରିବା, ଇଚ୍ଛାକୁ ପ୍ରେମିକ ପାଖରେ ରଖି ଦେବା, ଜର ଜର ଲାକିବା ବଇଁଶୀ ସ୍ୱରରେ ନିଜକୁ ହଜାଇ ଦେବା, ଆଖିରୁ ଲୁହ ଝରିବା-ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଭିତରେ ଅନ୍ତତଃ ଆବିଳତା ନାହିଁ । ଦୁଇଟି ଛଳନାହୀନ, ଅମାୟିକ ହୃଦୟର ଅନାବିଳ ଆତ୍ମପ୍ରକାଶ କର୍ମରେ, ସଙ୍ଗୀତରେ, ଶବ୍ଦରେ ଓ ଭାବରେ ପରିପ୍ରକାଶ ଲାଭ କରିଛି । ପ୍ରେମର ବ୍ୟାକୁଳତା ଓ କର୍ମ ପ୍ରବଣତା ଉଭୟେ ଯେପରି ତିଳତଣ୍ଡୁଳିତ । କର୍ମହୀନତାକୁ ସଉରା ଯୁବକ ଯୁବତୀ କେହି ପସନ୍ଦ କରନ୍ତି ନାହିଁ । ବିଶେଷତଃ ସଉରା ଯୁବତୀମାନେ କର୍ମକୁଶଳୀ ।

 

ଦଳେ ଯୁବକ ଓ ଯୁବତୀ ଯାତ୍ରା ଦେଖିବାକୁ ପାଖ ଗାଁକୁ ବାହାରିଛନ୍ତି । ରାସ୍ତାରେ ଦୁଇ ଦଳ ଭେଟାଭେଟି ହେଲେ । ଯୁବକମାନେ ଗାଇବା ଆରମ୍ଭ କରିଦେଲେ-

 

ଯୁବକମାନେ.

-

ମଲ୍ଲୀ ତାରାନ୍ ଡାଙ୍ଗାଇ ଲେନ୍, ତୁଙ୍ଗନାଇ ତିନ୍ ମାରଂଡ଼ିଂ ଡାଙ୍ଗଡ଼ି

 

 

ମାରା ବେଡ଼ାନ୍ ଭାଙ୍ଗାଇଲେନ୍ ଡୁଂନାଇଡିନ ମାରାଣ୍ଡିଂ ଡାଙ୍ଗଡ଼ି

 

 

ରାଜିତ୍ରୀ ସିତାତା, କୁମ୍‍ପେତ୍ରା ସିତାତା,

 

 

ରଗ ରଗେଇ ରଗ ରଗେଇ................।।

ଯୁବତୀ

-

ଛମ୍ପା ତାରାନ୍ ଡାଙ୍ଗାଇ ଲେନ୍ ଡୁଗଇତେନ୍ ମାରଣ୍ଡାଡାଙ୍ଗଡ଼ା

 

 

ଡାୟୁଂ ତାଂରାନ୍ ଡାଙ୍ଗାଇଲେନ୍ ଡୁଙ୍ଗନାଇତେନ୍ ମାରାଣ୍ଡା ଡାଙ୍ଗଡ଼ା

 

 

ରାଜିତ୍ରା, ସିତାତା, କୁମେତ୍ରା ସିତାତା । ।

ଯୁବକ

-

ବାର୍ ତାରାନ୍ ଡାଙ୍ଗାଇଲେନ୍ ଡୁଂନାଲତିନ୍ ମାରଣ୍ଡି ଡାଙ୍ଗଡ଼ା

 

 

ରୋଗ ତାରାନ୍ ଡାଙ୍ଗାଇଲେନ୍ ଡୁଂନାଇତିନ୍ ମାରଣ୍ଡି ଡାଙ୍ଗଡ଼ା

 

 

ରାଜିତ୍ରୀ ସିତାତା, କୁମ୍ପେତା, ସିତାତା,

 

 

ରାଗଇ ରାଗାଇ.. । ।

ଯୁବତୀ

-

ସିରସୁ ତାରାନ୍ ଡାଂଗାଇଲେନ୍ ଡୁଂନାଇତେନ୍ ମାରଣ୍ଡା ତାଂଗଡ଼ା

 

 

କିରି ତାରାନ୍ ଡାଙ୍ଗାଇଲେନ୍ ଡୁଂନାଇତେନ୍ ମାରଣ୍ଡା ତାଙ୍ଗଡ଼ା

 

 

ଇସାମ୍ ତାନାତ୍ ଲାଙ୍ଗା ମାନଣି, ତେଲାଙ୍ଗା

 

 

ରାଗାଇ ରାଗଇ ରାଗଇ ରାଗାଇ

 

କବିତାଟିର ଓଡ଼ିଆ ଅନୁବାଦ ଏହିପରି-

 

ଯୁବକ

-

ମଲ୍ଲୀଫୁଲ ପିନ୍ଧିକରି ବାହାରିଛ ମାଳମାଳ ଯୁବତୀ

 

 

ମୟୂରଚୂଳ ପିନ୍ଧି କରି ବାହାରିଛ ମାଳମାଳ ଯୁବତୀ

 

 

ରାଜ ହେବକି ନାହିଁ ମନ ହେବକି ନାହିଁ

ଯୁବତୀ

-

ଚମ୍ପାଫୁଲ ପିନ୍ଧିକରି ବାହାରିଛ ମାଳ ମାଳ ଭେଣ୍ଡିଆ

 

 

ମୟୂରଚୂଳ ପିନ୍ଧି କରି ବାହାରିଛ ମାଳ ମାଳ ଭେଣ୍ଡିଆ

 

 

ରାଜି ହେବକି ନାହିର୍ ମନ ପାଇବକି ନାହିଁ ।

ଯୁବକ

-

ସୁନାରି ଫୁଲ ପିନ୍ଧି କରି ବାହାରିଛ ମାଳ ମାଳ ଯୁବତୀ

 

 

କାନ୍ଦୁଲ ଫୁଲ ପିନ୍ଧି କରି ବାହାରିଛ ମାଳ ମାଳ ଯୁବତୀ

 

 

ରାଜି ହେବ କି ନାହିର୍, ମନ କରିବ କି ନାହିଁ,

ଯୁବତୀ

-

ସୋରିଷ ଫୁଲ ପିନ୍ଧି ବାହାରିଛ ଭେଣ୍ଡିଆ

 

 

କୁତାଇ ଫୁଲ ପିନ୍ଧି କରି ବାହାରିଛ ଭେଣ୍ଡିଆ

 

 

ଇଚ୍ଛା ଲାଗୁଛି ଭେଣ୍ଡିଆ, ମନ ଲାଗୁଛି ଭେଣ୍ଡିଆ । ।

 

ପ୍ରେମ, ବିବାହ, ବ୍ୟର୍ଥତା ଓ ପ୍ରତାରଣା ଏସବୁ ଯୁବକ ଯୁବତୀଙ୍କ ପ୍ରେମ ଜୀବନର ଚିରନ୍ତନ ବ୍ୟାପାର । ହେଲେ ଏଥିରେ ଛଳନା ନଥାଏ । ପ୍ରତାରଣାର ବି ଏକ ଯୌକ୍ତିକତା ଥାଏ । ପ୍ରେମିକା ପ୍ରେମିକ ପାଖରେ କୌଣସି କାରଣରୁ ବିଶ୍ୱାସ ହରାଇ ବସିଲା ପରେ ସେଇ ପୂର୍ବ ପ୍ରେମର ମାଦକତା ଆଉ ରହେ ନାହିଁ । ପ୍ରେମିକ ତା ପ୍ରେମିକାକୁ ଆଉ ହୃଦୟ ଦେଇ ଭଲ ପାଇ ପାରେନାହିଁ । ଏଣୁ ସେ ତା ପ୍ରେମିକାକୁ ଆଉ ଚାହେଁନାହିଁ । ହେଲେ ପ୍ରେମିକାଟି ବୁଝି ପାରୁନାହିଁ କାହିଁକି ତା ପ୍ରେମିକ ତାକୁ ଚାହୁଁନାହିଁ । ପ୍ରେମିକଟି ତା ପୂର୍ବ ପ୍ରେମିକାକୁ କୁକୁଡ଼ାର ରୂପକ କରି ଗାଇଛି- କୁକୁଡ଼ା ଯେମିତି ଖାଦ୍ୟ ଲୋଭରେ ଘର ଛାଡ଼ିପାରେ ନାହିଁ, ପ୍ରେମିକାଟି ସେମିତି ତା ପ୍ରେମିକକୁ ଛାଡ଼ିପାରୁନାହିଁ । ପ୍ରେମିକଟି କହେ-

 

ସୋ- ସୋ- ସୋଲାରେ କୁକୁଡ଼ା.. ଯା ପଳା,

ତୁ ମୋର ଗଙ୍ଗା ଭାତ ଭୁଲି ପାରୁନାହୁଁ

ତୁ ମୋ ଚଣା ଭାତ ଭୁଲି ପାରୁନାହୁଁ ।

ଲୋଭ କରୁଛୁ ଯେ, ରଙ୍କ ପଣ ଯାଇନି ।

ତୁ ମୋ ପାଚିଲା କଦଳୀକୁ ଭୁଲି ପାରୁନୁ,

ତୁ ମୋ ପାଚିଲା ପଣସକୁ ଭୁଲି ପାରୁନୁ

ଏବେ ବି ଲୋଭ କରୁଛୁ

ଯା ପଳା ଯା

 

 

ଜୀବନ ପରି ମୃତ୍ୟୁ ମଧ୍ୟ ଚିରନ୍ତନ ସତ୍ୟ । ଜୀବନ ଓ ମୃତ୍ୟୁରେ ମାୟାର ଖେଳ ବିଭିନ୍ନ ରୂପେ ଏହା ପରିପ୍ରକାଶ ହୋଇଥାଏ ବିଭିନ୍ନ ସମାଜରେ । କେଉଁଠି ମୃତ୍ୟୁ ପରେ ଆଉ ପୁନର୍ଜନ୍ମ ନାହିଁ ତ କେଉଁଠି ମୃତ୍ୟୁ ପରେ ଆତ୍ମା ନିଜ ଜ୍ଞାତି କୁଟୁମ୍ବ ସାଙ୍ଗରେ ସହାବସ୍ଥାନ କରେ । ଜୀବନକାଳରେ ମାୟା ମୋହ ଜ୍ଞାତିକୁଟୁମ୍ବଙ୍କୁ ବଡ ବିଚଳିତ କରେ । ଇହକାଳର ସୁଖ ଦୁଃଖ ପରକାଳକୁ ବି ପ୍ରଭାବିତ କରେ । ମରଣୋତ୍ତର ଆତ୍ମାର ଅବସ୍ଥିତି ହିଁ ତାର ଜ୍ଞାତି କୁଟୁମ୍ବକୁ ଏକ ସାନ୍ତ୍ୱନା ଆଣିଦିଏ । ସଉରା ସମାଜରେ ‘‘ସୋନମ’’ ଏହିପରି ଏକ ପୂର୍ବପୁରୁଷର ଆତ୍ମା । ଏହି ସୋନମ ପିତୃପୁରୁଷ ରୂପେ ପୂଜନୀୟ । ଏମାନଙ୍କ ପାଇଁ ବର୍ଷକୁ ଥରେ ଗୁଆଁର ପର୍ବ ପାଳନ କରାଯାଏ । ସଉରାମାନେ ଏହି ପର୍ବରେ ସେମାନଙ୍କ ପୂର୍ବପୁରୁଷଙ୍କୁ ମଦ, ବଳି ଦେଇ ସନ୍ତୁଷ୍ଟ କରିଥାନ୍ତି ।

 

ଜୀବନରେ ସୁଖ ଯେପରି ଶବ୍ଦର ପରିପ୍ରକାଶ କରେ, ଦୁଃଖ ବି ସେହିପରି ଶବ୍ଦରେ ଓ ଧ୍ୱନିରେ ପରିପ୍ରକାଶିତ । ପିତାର ମୃତ୍ୟୁରେ ପୁତ୍ର, ପୁତ୍ରର ମୃତ୍ୟୁରେ ମା’, ଦୂରାନ୍ତ ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ, ଭାଇର ମୃତ୍ୟୁରେ ଭଉଣୀ- ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇଥାନ୍ତି । ଆଖିର ଅଶ୍ରୁ ଓ ମନର ଭାବ ଶୋକ ରୂପେ ଝରିଆସେ ମନକୁ ହାଲୁକା କରିବା ପାଇଁ । ଜଣେ ମା ପାଇଁ ପୁଅ ଏକ ଫୁଟନ୍ତା ଫୁଲ ପରି ।

 

ଏ ୱାଙ୍ଗ, ଏ ରଜା, ଏ ବିଶୋଇ

ଏ ସୁନ୍ଦର ପୁଅ, ଏ ରଜା ପୁଅ

ତୋତେ କ’ଣ ଖାଇଗଲା,

ତୋତେ କିଏ ମାରିଦେଲା ପୁଅରେ ।

ଫୁଟନ୍ତା ଫୁଲ ପରି ମୋ ପୁଅ

ସୁବାସିତ ଫୁଲ ପରି ମୋ ପୁଅ

ଏଥର ଝଡ଼ିଗଲା,

ଏଥର ପବନରେ ଉଡ଼ିଗଲା ।

ଏ ବାପା, ଏ ମୋର ପୁଅ, ଏ ରଜାପୁଅ

ଆମ୍ବପତ୍ର ପରି ସୁନ୍ଦର ସବୁଜ ମୋ ପୁଅ

ଲିଭି ଝଡ଼ି ଯାଇଛୁରେ ପୁଅ ।

ଶୂନ୍ୟ ହୋଇ ଯାଇଛୁରେ ପୁଅ ।

ଏ ରଜା, ଏ ବିଶୋଇ ଏ ବାପା

 

ଲକ୍ଷ୍ୟଣୀୟ କଞ୍ଚା ଆମ୍ବପତ୍ର ପରି ସୁନ୍ଦର ଓ ସବୁଜ ଜୀବନର ପ୍ରତୀକ ଓ ଫୁଟନ୍ତା ଫୁଲ ଓ ସୁବାସିତ ଫୁଲ ହଠାତ୍ ଝଡ଼ିଯିବା ପ୍ରତୀକ ଭିତରେ ଜୀବନ ଓ ମୃତ୍ୟୁର ସଙ୍କେତ ରହିଛି ।

 

ସେହିପରି ପିତାଙ୍କ ମୃତ୍ୟୁରେ ପୁତ୍ରର ଶୋକ ।

 

ଏ ବାପା, ଏ ବାପା, କୁଆଡ଼େ ଯାଉଛ

ଆମକୁ ଛାଡ଼ି, ନିଜ ଘରକୁ ଛାଡ଼ି

ସମ୍ପତ୍ତି ଛାଡ଼ି, ତୁମେ କୁଆଡ଼େ ଯାଉଛ?

କୁଆଡ଼େ ଗଲ ବାପା ? ଘର ଶୂନଶାନ୍ ହେଲା,

ମା’କୁ ଦେଖ ବାପା, ଘରକୁ ଦେଖ ବାପା,

କେମିତି ଆମେ ବଞ୍ଚିବୁ ? କେମିତି ଆମେ କାମ କରିବୁ ?

କିଏ ସାହାଯ୍ୟ କରିବ ? କିଏ ପ୍ରତିପାଳନ କରିବ ବାପା ?

କିଏ ଆମର ଯତ୍ନ ନେବ ? କିଏ ଆମକୁ ସାଂଖୋଳିବ ?

ତମେ ଛାଡ଼ି ଚାଲିଗଲ ବାପା,

ଆମେ କେମିତି ବଞ୍ଚିବୁ ବାପା ?

 

ସଉରାମାନେ ଗଜପତି ଅଞ୍ଚଳରୁ ଅରୁଣାଚଳ ପ୍ରଦେଶକୁ ଯାନ୍ତି, କୁଲି ମଜଦୁରୀ କାମ କରିବା ପାଇଁ । ସେଠି ଜଣେ ଲୋକ କାମ କରିବାକୁ ଯାଇଥିଲା । ତା ସ୍ତ୍ରୀ ଓ ଛୋଟ ଛୋଟ ପିଲାଙ୍କୁ ଛାଡ଼ି ସେ ଯାଇଥିଲା । ଲୋକଟିର ମୃତ୍ୟୁ ହୋଇଗଲା ଅରୁଣାଚଳ ପ୍ରଦେଶରେ । ସେଇ ଖବର ପାଇ ତା ସ୍ତ୍ରୀ ଶୋକରେ ମ୍ରିୟମାଣ । ସେ କାନ୍ଦୁଛି-

 

ଇୟୁଂ ଇୟୁଂଲା, ଇୟୁଂ ଇୟୁଂଲା...

କ’ଣ ହେଲା ତୁମର ?

ମୋତେ ଆଉ ତୁମକୁ ଦେଖିବାକୁ ମିଳିବ ନାଇଁ ?

ତୁମର କ’ଣ ହେଲା,

କିଏ ତୁମର କ’ଣ କରିଦେଲା ?

କିଏ ତୁମର କ୍ଷତି କଲା କି ?

ହେ ମୋର ସ୍ୱାମୀ,

ଇଏ ତୁମର କ’ଣ ହେଲା ?

ମୋ ହାତର ରନ୍ଧା ଖାଦ୍ୟ କିଏ ଖାଇବ ?

କିଏ ଆଉ ମୋତେ ଆଦର କରିବ ?

 

ସଉରା ଶୋକଗୀତ ମର୍ମସ୍ପର୍ଶୀ । ସେଇ ମୃତ୍ୟୁର ଅଭାବଟି ପୂରଣ କରେ ସୋନମ୍ ପିତୃପୁରୁଷ ।

 

ଗୋଟିଏ ଜାତି, ତା ଧର୍ମ ଓ ଭାଷା ଭିତରେ ନିଜର ପରିଚୟକୁ ଖୋଜୁଛି । ବାହ୍ୟ ସଂସ୍କୃତିର ଓ ଧର୍ମର ଚାପରେ ସେ ନିଜକୁ ଅସହାୟ ମଣୁଛି । ତା ଭାଷାର ପରିଚୟ ତା ମାଟିର ଓ ତା ସମୟର ଜୀବନ ତାକୁ ନିୟନ୍ତ୍ରିତ କରୁଛି । ଫଳରେ ସଉରାମାନେ ଏବେ ବି ଏକତ୍ରିତ ନୁହନ୍ତି, ସଚେତନ ନୁହନ୍ତି, କିପରି ଆଗେଇବେ ।

 

ପ୍ରେମ ଓ ମୃତ୍ୟୁ- ଏ ଦୁଇଟି ସଉରା ଜୀବନର ଦୁଇଗୋଟି ବିଭାବ । ପ୍ରେମର ଅପରିପୂର୍ଣ୍ଣତାରେ ଏମାନେ ବିଶ୍ୱାସୀ । ଏପରିକି ନୂତନ ପ୍ରେମର ସନ୍ଧାନରେ ଜଣେ ସଉରା ଯୁବକ ଦୁଇ ତିନୋଟି ସ୍ତ୍ରୀ ବିବାହ କରିବା ଦେଖାଯାଏ । ହେଲେ ତିନିଟି ଯାନ ସ୍ତ୍ରୀର ସାନ୍ନିଧ୍ୟ ପାଇ ସଉରା ପୁରୁଷ କେବଳ ମାନସିକ ଓ ଦୈହିକ ଦିଗରୁ ନୁହେଁ, ଆର୍ଥିକ ତଥା ସାମାଜିକ ଦିଗରୁ ବି ସୁରକ୍ଷିତ ମନେ କରେ ।

 

ସେହିପରି ମୃତ୍ୟୁ ପରାନ୍ତ ଆତ୍ମାକୁ (ସୋନମ) ଆହ୍ୱାନ କରି ତା ନିଜ ଜୀବନର ଦିଗଦର୍ଶନ ପାଏ ସଉରା ଆଦିବାସୀ । ପୂଜା ଓ ମନ୍ତ୍ରରେ ସେ ପୂର୍ବ ପୁରୁଷର ମହିମାକୁ ଆହ୍ୱାନ କରେ । ପୂର୍ବପୁରୁଷର ଗୌରବ ଗାରିମାକୁ କିମ୍ବଦନ୍ତୀ ଓ ମୌଖିକ ବଂଶାବଳୀ ମାଧ୍ୟମରେ ବଞ୍ଚାଇ ରଖେ ।

 

କୌଣସିଟି ପୂର୍ଣ୍ଣ ନୁହେଁ, ନା ପ୍ରେମ ନା ମୃତ୍ୟୁ । ଏକ ପ୍ରବହମାନ ଧାରା ରୂପେ ପ୍ରେମ ଗୋଟିଏ ହୃଦୟରୁ ଆଉ ଏକ ହୃଦୟକୁ ସଂଚରେ । କ୍ଷଣିକ ଓ ସୁକପ୍ରଦ । ସ୍ମୃତିବହୁଳ ଅଥଚ ରୋମାଞ୍ଚକ । ହୃଦୟର ବାଣୀ ସଙ୍ଗୀତରେ ଝରେ । ସଙ୍ଗୀତ ପୁଣି ଆଉ ଏକ ହୃଦୟକୁ ଟାଣେ । ପ୍ରେମ ହୁଏ ମନରୁ ଦେହଜ । ପୁଣି ଦେହରୁ ମନକୁ ଟାଣେ ।

 

ମୃତ୍ୟୁ ବି ଅସ୍ୱୀକାର୍ଯ୍ୟ । ଦେହ ମରେ । ଅଥଚ ଦେହ ଭିତରେ ଥିବା ସୋନମ ମରେ ନାହିଁ । ଖାଲି ଦିଶେ ନାହିଁ ଯାହା । ସୋନମ ସଉରା ଜାତିର ପାଖେ ପାଖେ ଥାଏ । ବିପଦ ବେଳେ ସାହା ହୁଏ । ଭଲ ବାଟ ଦେଖାଏ ।

 

ଜୀବନ ଓ ପ୍ରେମ, ଜନ୍ମ ଓ ମୃତ୍ୟୁ ଏମାନଙ୍କୁ ଏତେ ନିବିଡ଼ ଓ ସହଜ ଭାବେ କିଏ ବା ଗ୍ରହଣ କରିଛି / ବା ଠିକ୍ ଭାବେ ବୁଝିଛି ସଉରାମାନଙ୍କ ଠାରୁ ?

 

 

ଟାଇପ୍ ଆଇଭି- ବି ୪୫/ ୨

ୟୁନିଟ୍- ୩ ଖାରବେଳ ନଗର,

ଭୁବନେଶ୍ୱର- ୭୫୧୦୦୧

 

***

 

Unknown

ଓଡ଼ିଶାର ଆଦିବାସୀ ସମାଜରେ ଦେବୀପୂଜା

ଚିତ୍ରସେନ ପଶାୟତ

 

ଆଦିବାସୀ ପରମ୍ପରା ଅଚଳ ଅବା ଗତି ରହିତ ନୁହେଁ, ନୀରସ ଅବା ଶୁଷ୍କ ନୁହେଁ । କେଉଁ ଏକ ଅନୁକୂଳ ପରିବେଶରେ ଏହି ଆଦିମ ପରମ୍ପରା ଅବାରିତ ଭାବେ ଅଣଆଦିବାସୀ ସମାଜକୁ ସଞ୍ଚାରିତ ହୋଇ ସ୍ୱୀକୃତି ଲାଭ କରିଛି । ଆମ ରାଜ୍ୟର ଅନେକ ସ୍ଥାନରେ ଅଣ ଆଦିବାସୀ ବା ହିନ୍ଦୁ ସମାଜର ପରମ୍ପରା ସହିତ ଆଦିବାସୀ ସମାଜର ଧାର୍ମିକ ପରମ୍ପରା ଓତପ୍ରୋତ ଭାବେ ଜଡ଼ିତ । ନାମକୁ ମାତ୍ର ହିନ୍ଦୁ ବା ଅଣଆଦିବାସୀ ବୋଲି ନିଜକୁ ପରିଚୟ ଦେଉଥିବା ଓଡ଼ିଶାର ବିଭିନ୍ନ ଜାତି ସମାଜର ଆଚାର, ବ୍ୟବହାର, ରୀତିନୀତି ତଥା ଧାର୍ମିକ ପରମ୍ପରାକୁ ଆଦିବାସୀ ତାର ପରମ୍ପରା ଓ ସାଂସ୍କୃତିକ ଧାରାରେ ପ୍ଲାବିତ କରିଛି ଏହା ନିଃସନ୍ଦେହ ।

 

ଦେବୀପୂଜା ଆଦିବାସୀ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଧାରାକୁ ଇଙ୍ଗିତ କରେ । ସରକାରୀ ସ୍ତରରେ ମାନ୍ୟତାପ୍ରାପ୍ତ ଓଡ଼ିଶାର ୬୨ ଗୋଟି ବିଭିନ୍ନ ଆଦିବାସୀ ଗୋଷ୍ଠୀର ଲୋକମାନେ ଆମ ରାଜ୍ୟର ତିରିଶଗୋଟି ଜିଲ୍ଲାରେ ବିକ୍ଷିପ୍ତ ଭାବେ ଆବହମାନକାଳରୁ ବସତିସ୍ଥାପନ କରି ଆସୁଛନ୍ତି । ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବ ପାଳନ ଅବସରରେ ଭିନ୍ନ ଭିନ୍ନ ଦେବୀଙ୍କୁ ବିଭିନ୍ନ ପ୍ରଣାଳୀରେ ପୂଜା କରିବାର ଅଲିପିବଦ୍ଧ ତଥା ଅପ୍ରକାଶିତ ପରମ୍ପରା ପ୍ରାଚୀନ ତଥା ସମୃଦ୍ଧ । ପ୍ରତୀକ ପୂଜା, ପ୍ରକୃତି ପୂଜା, ପୂର୍ବପୁରୁଷଙ୍କ ପୂଜା ଏହି ସମାଜରେ ପ୍ରଚଳିତ ଦେବୀ ପୂଜାରେ ସମାହିତ । ପଥର, କାଠ, ଲୁହାଖଣ୍ଡ, ତ୍ରିଶୂଳ, ବର୍ଚ୍ଛା, ଶର, ଛତ୍ର, ବସ୍ତ୍ର, ମୂଷଳ, ଟାଙ୍ଗୀ, କଟୁରି, ପର୍ଶୁ, ନଦୀ, ଝରଣା, ପର୍ବତ, ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ବିଭିନ୍ନ ବୃକ୍ଷ ଡାଳ ଇତ୍ୟାଦି ଦେବୀଙ୍କ ପ୍ରତୀକ ରୂପେ ପୂଜା କରିବାର ପରମ୍ପରା ଅଦ୍ୟାପି ପ୍ରଚଳିତ । ସିନ୍ଦୂର, ଫୁଲ, ଚାଉଳ ସହିତ ବିଭିନ୍ନ କିସମର ବଳି ତଥା ମଦ ଭୋଗ କରିବା ଆଦିବାସୀ ସମାଜରେ ପ୍ରଚଳିତ ଦେବୀପୂଜାର ଅକ୍ଷୁର୍ଣ୍ଣ ପରମ୍ପରାକୁ ସୂଚାଇଥାଏ । କାଳିଶି ଲାଗିବା ତଥା ଏହି ସମୟରେ କାଳିଶିର ନୃତ୍ୟ, କାଳିଶି ନିଆଁରେ ଚାଲିବା, ବିଭିନ୍ନ ଅସ୍ତ୍ରଶସ୍ତ୍ରରେ କାଳିଶି ନିଜକୁ ଶାରୀରିକ ଯନ୍ତ୍ରଣା ଦେବା ତଥା କ୍ଷତବିକ୍ଷତ କରିବା, ସାଧାରଣ ଦୁଃଖୀର ଗୁହାରି ଶୁଣି ଉପଚାରର ରାସ୍ତା ବତେଇବା ଅକ୍ଷତ ଦେବୀପୂଜା ପରମ୍ପରାକୁ ଚିତ୍ତାକର୍ଷକ କରିଥାଏ । ଏହି ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଶାର ଧର୍ମୀୟ ସଂସ୍କୃତିକୁ ଆଦିବାସୀଙ୍କର ଅବଦାନ ଅତୁଳନୀୟ ଓ ଅନୁପମ କହିବା ଅତିରଞ୍ଜିତ ହେବନାହିଁ ।

 

ଓଡ଼ିଶାର ଅଧିକାଂଶ ଆଦିବାସୀ ସମାଜରେ ଚୈତ୍ର (ମାର୍ଚ୍ଚ-ଏପ୍ରିଲ) ମାସରେ ପ୍ରଚଳିତ ଚଇତ ପରବ ବା ଚୈତ୍ର ପର୍ବ ନିଆରା ଅଟେ । ନିଶ୍ଚିତଭାବେ କୁହାଯାଇପାରେ ଯେ କୋରାପୁଟ ଜିଲ୍ଲାର କନ୍ଧ, ଗାଦବା, ଭତ୍ରା, ପରଜା, ଶବର ଭୂମିଆଁ ପ୍ରଭୃତି ଆଦିବାସୀ ସମାଜର ଯୁବକ ଓ ଯୁବତୀମାନେ ଚଇତି ପରବ ପ୍ରତି ଅନୁରକ୍ତ । ସ୍ଥଳବିଶେଷରେ ଏହି ପର୍ବକୁ ଶିକାର ପର୍ବ ବୋଲି ଅଭିହିତ କରାଯାଏ । ଏହି ଅବସରରେ ଧରତୀ ମାଆ, ଡଙ୍ଗର ଦେଈ ତଥା ବୁଢ଼ୀ ଠାକୁରାଣୀଙ୍କ ପ୍ରତି ସେମାନଙ୍କର ଆସକ୍ତି ଭାବନା ସ୍ପଷ୍ଟ ଜଣାପଡ଼େ । ଦେବୀଙ୍କ ସନ୍ତୁଷ୍ଟି ନିମିତ୍ତ ପୂଜା କରାଯାଇ ବିଭିନ୍ନ କିସମର ବଳି ମଧ୍ୟ ପଡ଼େ । ପ୍ରସଙ୍ଗକ୍ରମେ ଏଠାରେ କୁହାଯାଇ ପାରେ ଯେ କନ୍ଧ ସମାଜରେ ପୂଜା ପାଉଥିବା ଚଉରାଶୀ ଦେବାଦେବୀଙ୍କ ମଧ୍ୟରେ ଅନ୍ୟତମ ପୃଥିବୀ ବା ଧରଣୀଦେବୀ ହେଉଛନ୍ତି ନିରଙ୍କୁଶ କ୍ଷମତାର ଅଧିକାରିଣୀ । କନ୍ଧ ଭାଷାରେ ସେ ତାନାପେନୁ ନାମରେ ନାମିତ । ଚଇତି ପରବ ଅବସରରେ ପୂର୍ବେ କନ୍ଧ ସମାଜର ଲୋକମାନେ ଧରଣୀ ଦେବୀଙ୍କ ପାଖେ ନରବଳି ଦେଉଥିଲେ । କନ୍ଧମାନଙ୍କ ଭାଷାରେ ଏହାକୁ ମେରିଆ କୁହାଯାଉଥିଲା । କୋରାପୁଟ ଜିଲ୍ଲାର ଭତ୍ରା ସମାଜରେ ମଧ୍ୟ ଚଇତି ପରବକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଅନ୍ୟ ଅର୍ଥରେ ଶିକାର ପର୍ବ ନାମରେ ପ୍ରସିଦ୍ଧ ଏହି ଅବସରରେ ସେମାନେ ଦେବୀପୂଜା କରି, ଦେବୀଙ୍କୁ ବଳି ଦିଅନ୍ତି ଓ ଦଳବଦ୍ଧ ହୋଇ ଜଙ୍ଗଲକୁ ପାରିଧିରେ ଯାଆନ୍ତି । ଭତ୍ରା ସମାଜରେ ପୂଜିତା ଅନ୍ୟାନ୍ୟ ଦେବୀଗଣଙ୍କ ମଧ୍ୟରେ ‘କୁଣିମାଝି’ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଲଡ଼ୁଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଅସଂଖ୍ୟ ଭତ୍ରା ଲୋକଙ୍କର ଇଷ୍ଟଦେବୀ ହେଲେ ‘କୁଣିମାଝି’ । ଭତ୍ରା ସମାଜର ଜନ୍ମଦାୟିନୀ ତଥା ସୁରୟାଦାୟିନୀ ଦେବୀ ରୂପେ କୁଣମାଝୀଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଏ । ଯେହେତୁ ସମାଜିକ ପରିବେଶ ଉପରେ ମଣିଷ ସର୍ବଦା ନିର୍ଭରଶୀଳ, ତେଣୁ ସାମାଜିକ ପରିବର୍ତ୍ତନ ସହିତ ପ୍ରତିକ୍ତିୟା ସୃଷ୍ଟିହେବା ସ୍ୱାଭାବିକ ତଥା ନିଶ୍ଚିତ । ଏହି ପ୍ରତିକ୍ରିୟାର ଫଳସ୍ୱରୂପ ପ୍ରାଚୀନ କାଳରୁ ଆରମ୍ଭକରି ଆଜିଯାଏ ଅନେକ ସାମାଜିକ ବିବର୍ତ୍ତନ ମଧ୍ୟଦେଇ ଆଦିବାସୀର ଚଇତ ପରବର କ୍ରମବିକାଶ ପରିଲିକ୍ଷିତ ହେବା ଅସ୍ୱାଭାବିକ ମନେହୁଏ ନାହିଁ । କୌଣସି ସମାଜ ସ୍ଥାଣୁ ନୁହେଁ, ଏହା ସଦାସର୍ବଦା ଗତିଶୀଳ । ତେଣୁ ସମାୟାନୁକ୍ରମେ ନରବଳି ପ୍ରଥା ସଂପୂର୍ଣ୍ଣ ରୂପେ ଉଚ୍ଛେଦ ହୋଇଛି, ତା’ ପରିବର୍ତ୍ତେ ପୋଢ଼ବଳିର ପ୍ରଚଳନ ଘଟିଛି । ଅଧୁନା ଅନେକ ସ୍ଥାନରେ ତାହା ମଧ୍ୟ ଉଠିଯାଇ ମେଣ୍ଢା,ଛେଳି ବା କୁକୁଡ଼ା ବଳି ପଡ଼ିବାର ଦେଖାଯାଏ ।

 

କନ୍ଧମାନଙ୍କ ପରି ମାଲିକାନଗିରି ଜିଲ୍ଲାର ବଣ୍ଡା ସମାଜରେ ମଧ୍ୟ ପୃଥିବୀ ଦେବୀଙ୍କ ଉପାସନା ହୁଏ, ବଣ୍ଡା ଭାଷାରେ ପୃଥିବୀ ଦେବୀଙ୍କୁ ‘ବୁରୁସୁଙ୍ଗ’ କୁହାଯାଏ ଏବଂ ତାଙ୍କ ପୂଜାକୁ ବୁରୁସୁଙ୍ଗଗିଗେ କହନ୍ତି । ବଣ୍ଡା ସମାଜରେ ଏହି ଦେବୀଙ୍କୁ ବୟ ଯେତିକି କରନ୍ତି, ଭକ୍ତି ମଧ୍ୟ ସେତିକି କରନ୍ତି । ଏକଦା ବୁରୁସୁଙ୍ଗଗିଗେ ଅବସରରେ ନରବଳି ପ୍ରଥା ପ୍ରଚଳିତ ଥିବାର ଶୁଣାଯାଏ, ଆଲୋଚନା ପ୍ରସଙ୍ଗରେ ଉଲ୍ଲେଖ କରାଯାଇପାରେ ଯେ, ଧରତୀମାତାର ଉପାସନା ମୟୂରଭଞ୍ଜର ସାନ୍ତାଳ ସମାଜରେ ମଧ୍ୟ ପ୍ରଚଳିତ । ଧାନବୁଣା ପୂର୍ବରୁ ସାନ୍ତାଳମାନେ ଏରୋସିମ ପର୍ବ ପାଳନ କରିବାର ଦୃଷ୍ଟାନ୍ତ ରହିଛି । ଏହି ପୂଜାର ଆରାଧ୍ୟ ଦେବୀ ହେଲେ ଧରଣୀ ମାତା, ତାଙ୍କ ପାଇଁ ଛେଳି, କୁକୁଡ଼ା ଆଦି ବଳି ସାଙ୍ଗକୁ ହାଣ୍ଡିଆ ଭୋଗ ଲାଗେ । କେନ୍ଦୁଝର ତଥା ମୟୂରଭଞ୍ଜ ଜିଲ୍ଲାରେ ବାସ କରୁଥିବା ସାଉଁଟି ଆଦିବାସୀ ସମାଜରେ ମଧ୍ୟ ଆରାଧ୍ୟା ଦେବୀ ହେଲେ ‘ବାସୁକିମାତା’ । ଏହି ସମାଜରେ ଉପାସିତ ଅନ୍ୟାନ୍ୟ ଦେବୀଗଣଙ୍କ ମଧ୍ୟରେ ଦୁଆରସୁଣୀ ଦେବୀ ଓ ଗ୍ରାମର ଇଷ୍ଟଦେବୀ ଗ୍ରାମଦେବୀ ଠାକୁରାଣୀ ଅନ୍ୟତମ । ଗାଁ ଉପକଣ୍ଠରେ ଦୁଆରସୁଣୀଙ୍କ ଆସ୍ଥାନ ଥାଏ । ଗାଁର ନିରାପତ୍ତା, ଗାଁ ଲୋକଙ୍କୁ ହଇଜା, ବସନ୍ତ, ମିଳିମିଳା ଆଦି ରୋଗରୁ ରକ୍ଷା କରିବା ପାଇଁ ତାଙ୍କୁ ପୂଜା କରାଯାଏ । ଏହାଛଡ଼ା ଏହି ସମାଜରେ ଲକ୍ଷ୍ମୀ, ଦୁର୍ଗା ଆଦି ହିନ୍ଦୁ ଦେବୀଙ୍କୁ ପୂଜା କରିବାର ମଧ୍ୟ ଦେଖାଯାଏ । କୋରାପୁଟ ଜିଲ୍ଲାର ପାରେଙ୍ଗା ସମାଜରେ ମଧ୍ୟ ଚଇତି ପରବ ଅତି ଅନ୍ତରଙ୍ଗ । ଏହି ଅବସରରେ ଗାଁଦେବୀଙ୍କ ସନ୍ତୋଷବିଧାନ ନିମନ୍ତେ କୁକୁଡ଼ା ଓ ଛେଳିବଳିର ଆୟୋଜନ ହୁଏ । ଦେବୀଙ୍କ ଫାଖେ ବଳିପ୍ରଥାକୁ ନେଇ ଯେଉଁସବୁ ବିଶ୍ୱାସ ଓ ଧାରଣା ସହିତ ଆଦିବାସୀ ଲୋକେ ପରିଚିତ, ସେଗୁଡ଼ିକ ବିଜ୍ଞାନ-ଅସମ୍ମତ ତଥା ଅମୂଳକ ମନେହେଲେବି ଲୋକବିଶ୍ୱାସର ପୃଷ୍ଠଭୂମି ଉପରେ ଯେହେତୁ ପର୍ଯ୍ୟବସିତ ତେଣୁ ତାହା ଏକ ଅନିର୍ବଚନୀୟ ସତ୍ୟତା ଲାଭ କରେ । ବାସ୍ତବ ଜଗତର ପ୍ରକୃତ ଘଟଣା ଅପେକ୍ଷା ଆଦିବାସୀ ସମାଜର ବିଶ୍ୱାସ ଦେବୀପୂଜା ମାଧ୍ୟମରେ ମାନ୍ୟତାପ୍ରାପ୍ତ କରିଥାଏ । ତେଣୁ ପ୍ରମାଣସିଦ୍ଧ ନହେଲେ ବି ଆଦିବାସୀର ବିଶ୍ୱାସ ବିଜ୍ଞାନଠୁ କୌଣସି ଗୁଣରେ ନ୍ୟୁନତର ନୁହେଁ ।

 

କୋରାପୁଟ ଜିଲ୍ଲାର ଗାଦବା ସମାଜରେ ଚୈତ୍ର ପୂର୍ଣ୍ଣମୀ/ପୂନେଇଁ ଦିନ ହୁଣ୍ଡୀ ବା ଗ୍ରାମଦେବୀଙ୍କ ପାଖେ ପୂଜା ଓ ବଳି ପଡ଼େ । ଏହିଦିନଠୁ ଗାଦବା ସମାଜରେ ଆମ୍ୱଖିଆ ପର୍ବ ମଧ୍ୟ ପାଳିତ ହୁଏ । କୋରାପୁଟ କୋୟା ସମାଜରେ ମଧ୍ୟ ଭଲ ଫସଲ ପାଇଁ ଚଇତ ପରବ ଅବସରରେ ଗୁଁଡ଼ିମାତାଙ୍କ ସହ ଭୂମିମାତା ଧରଣୀମା’ଙ୍କୁ ପୂଜା କରନ୍ତି । ଏହି ସମୟରେ ସେମାନେ ଦଳବଦ୍ଧ ହୋଇ ଶିକାର କରିବା ପାଇଁ ଜଙ୍ଗଲକୁ ଯାଆନ୍ତି । କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ଜାତପୁ ସମାଜର ଇଷ୍ଟଦେବୀ ହେଲେ ‘ଜାକିରୀ ଦେବୀ’ । ପଥର ଖୁମ୍ୱରେ ଦେବୀଙ୍କୁ ସ୍ଥାପିତ କରି ପୂଜା କରାଯାଏ । ଚୈତ୍ର ମାସରେ ଏମାନେ ଝାଗଡ଼ି ପର୍ବ ପାଳନ କରି ଏହିଦିନଠୁ ନୂଆ ଆମ୍ୱଫଳ ଖାଆନ୍ତି । ବର୍ଷର ନୂଆ ଆମ୍ୱଫଳ ଦେବୀଙ୍କ ପାଖେ ପ୍ରଥମେ ଭୋଗ ନ ଲାଗିବା ଯାଏ, ଜାତପୁ ସମାଜର ଲୋକେ ଆମ୍ୱ ବ୍ୟବହାର କରନ୍ତି ନାହିଁ । କୋରାପୁଟର ପେଣ୍ଟିଆ ବା ପେଣ୍ଟୁଆ ସମାଜରେ ସମଲେଇଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି । ଚୈତ୍ରମାସରେ ଆମ୍ୱକୁ ଦେବୀଙ୍କ ପାଖେ ଭୋଗଲଗାଇ ଆମ୍ୱ ନୂଆଖାଇ ପର୍ବ ପାଳନ କରାଯାଏ । ଏହି ପର୍ବ ପାଳନ ନ କରିବା ଯାଏ କେହିହେଲେ ଆମ୍ୱ ସେବନ କରନ୍ତି ନାହିଁ । ଦେବୀଙ୍କୁ ପୂଜା କରୁଥିବା ବ୍ୟକ୍ତିକୁ ଜାନି କହନ୍ତି । ଏତଦବ୍ୟତୀତ ଚୈତ୍ର ମାସରେ ପାଳିତ ହେଉଥିବା ଚଇତି ପରବ ସମୟରେ ସେମାନେ ସଙ୍କଟେଇ ଦେବୀଙ୍କୁ ପୂଜା କରନ୍ତି । ଠାକୁରାଣୀଙ୍କ ପାଖେ ଛେଳି ବଳି ଦେଇ ଯଥାବିଧି ପୂଜା କରି ସନ୍ତୁଷ୍ଟ କରନ୍ତି । ଏଦିନ ପେଣ୍ଠୁଆ ପୁରୁଷମାନେ ଶିକାର କରିଯାଆନ୍ତି । କୋରାପୁଟ ଜିଲ୍ଲାର ଗାଦବା ସମାଜରେ ବିଶେଷଭାବେ ପ୍ରଚଳିତ ଢେମସାନୃତ୍ୟ ଚଇତିପରବର ଅନ୍ୟତମ ଆକର୍ଷଣ । ସ୍ୱଭାବତଃ ଆଦିବାସୀମାନେ ସରଳ, ଶାନ୍ତ ଓ ସୌନ୍ଦର୍ଯ୍ୟପ୍ରିୟ ଅଟନ୍ତି । ଢେମସାନୃତ୍ୟ ଓ ଗୀତ ଆତ୍ମପ୍ରକାଶ କରିବାର ଏକ ମାଧ୍ୟମ । ଆଦିବାସୀ ତା’ର ଅତିରକ୍ତ ତଥା ଅପ୍ରକାଶିତ ଅତୃପ୍ତ ଭାବନାଗୁଡ଼ିକୁ ମେଲିଦିଏ ଢେମସା ନୃତ୍ୟ ଓ ଗୀତ ମାଧ୍ୟମରେ । ବାହାରକୁ ଏହା ନୁଙ୍ଗୁଡ଼ା ବା ଅପରିଷ୍କୃତ ମନେ ହେଲେ ହେଁ, ବାସ୍ତବରେ ଆଦିବାସୀ ହୃଦୟର ବିରୁଦ୍ଧ ତଥା ନିରୁତା ଭାବ ହିଁ ଏଠି ପ୍ରକାଶ ପାଇଥାଏ ।

 

କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳର ଆଦିବାସୀବହୁଳ ଗ୍ରାମରେ ଚଇତ ପରବର ମାଧୁର୍ଯ୍ୟ ଅବ୍ୟକ୍ତ ଅଟେ । ଏହି ସମୟରେ ଡୁକୁରୀ ବୁଢ଼ୀ ବା ଡୋକରୀ ଦେବୀର ପୂଜା ସାମାନ୍ୟ ନୁହେଁ । ଗାଦବାର ଢେମସା ନୃତ୍ୟ ସଦୃଶ୍ୟ ଏହି ଅଞ୍ଚଳରେ ପ୍ରଚଳିତ ତାପନୃତ୍ୟ ଅପ୍ରତିହତ ଚଇତି ପରବର ଏକ ଅବଚ୍ଛେଦ୍ୟ ଅଂଶ ବୋଲି କହିବା ପ୍ରସଙ୍ଗର ବହିର୍ଭୁତ ନୁହେଁ । ଫୁଲବାଣୀ ଜିଲ୍ଲାର ଆଦିବାସୀ ସମାଜରେ ମଧ୍ୟ ଚୈତ୍ର ମାସରେ ବହୁ ଆଡ଼ମ୍ୱର ସହକାରେ ଚଇତି ପର୍ବ ପାଳନ କରାଯାଏ । ଏଠାରେ କନ୍ଧ ତଥା ଗଣ୍ଡ ସମାଜରେ ଏହି ମାସରେ କେଡ଼ୁ ବା ଝାଗଡ଼ି ପର୍ବ ପାଳିତ ହୁଏ । ସେମାନଙ୍କର ଦୃଢ଼ ବିଶ୍ୱାସ ଯେ ଧରଣୀ ମା’ ଏହି ମାସରେ ଖଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ପୂର୍ବେ ଚଇତି ପରବରେ ନରବଳି ପ୍ରଥାର ପ୍ରଚଳିତ ଥିଲା । ପରିବର୍ତ୍ତିତ ପରିସ୍ଥିତିରେ ନରବଳି ସ୍ଥାନରେ ପୋଢ଼ବଳି ପଡ଼ୁଛି, ଯାହାକି ନରବଳି ରୂପାନ୍ତର ବୋଲି ଅନେକେ ମତବ୍ୟକ୍ତ କରନ୍ତି । କନ୍ଧ ସମାଜର ପ୍ରଚଳିତ ବିଶ୍ୱାସ ଅନୁଯାୟୀ ବଳିମାଂସ କ୍ଷେତରେ ପୋତିଲେ ବସୁମାତା ସନ୍ତୁଷ୍ଟ ହୋଇ ଅବ୍ୟକ୍ତ ଦୟା କରୁଣା ତଥା ସହାନୁଭୂତି ସ୍ୱରୂପ ପ୍ରଚୁର ଫସଲ ଦିଅନ୍ତି । ଏପରି ବିଶ୍ୱାସ ଅପ୍ରିୟ ତଥା ଅପ୍ରୀତିକର ମନେହେଲେ ବି ଆଦିବାସୀ ଲୋକେ ଦେବୀଙ୍କ ଅପାର ଅନୁକଂପା ଲାଭ ନିମନ୍ତେ ପର୍ବପାଳନ କରି ବିଭିନ୍ନ ପ୍ରକାର ବଳି ଦେଇ ଦେବୀଙ୍କୁ ଆପ୍ୟାୟିତ କରନ୍ତି । କେନ୍ଦୁଝର ଜିଲ୍ଲାର ଭୂୟାଁ ସମାଜରେ ମଧ୍ୟ ଚୈତ୍ର ମାସରେ ଧରଣୀମା’ଙ୍କୁ ପୂଜା କରାଯାଇ ପର୍ବ ପାଳନ କରାଯାଏ । ଏହି ପର୍ବକୁ ଅଖିପାର୍ଦ୍ଧ ବୋଲି କୁହାଯାଏ । ଅନ୍ୟ ଅର୍ଥରେ ଏହି ପର୍ବକୁ ଭୂୟାଁ ସମାଜରେ ପ୍ରଚଳିତ ସମୂହ ଶିକାର ପର୍ବ ବୋଲି ମଧ୍ୟ କହନ୍ତି । ଏହି ପର୍ବ ପାଳନ ପାଇଁ ଗ୍ରାମର ଦେହୁରିଙ୍କ ଦ୍ୱାରା ଏକ ଶୁଭଦିନ ନିର୍ଣ୍ଣିତ ହୁଏ । ଉଦ୍ଧିଷ୍ଟ ଦି ଗ୍ରାମର ପୁରୁଷମାନେ ଦଳବଦ୍ଧ ହୋଇ ଶିକାର କରିବାକୁ ଯାଆନ୍ତି । ଗ୍ରାମର ଦେହୁରି ଧରଣୀ ମା’ ପାଖେ ପ୍ରଥମ ଶିକାରର ରକ୍ତ ଅର୍ପଣ କରେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ବି ଚଇତି ପରବ ପାଳନ ପୂର୍ବରୁ ଭୂୟାଁ ସମାଜର ଲୋକେ ପାରିଧିକୁ ଯାଆନ୍ତି ନାହିଁ । କେତେଜଣ କୁହନ୍ତି ଯେ ସାଂପ୍ରତିକ କାଳରେ ଜଙ୍ଗଲ ତଥା ବନ୍ୟଜନ୍ତୁ ସଂପଦର ଦ୍ରୁତକ୍ଷୟ ଘଟିଚାଲିଥିବା ବେଳେ ଆଦିବାସୀର ପାରିଧିଯିବା ପରଂପରା ତା’ର ଅଜ୍ଞାନତା, ନିର୍ବୋଧପଣ ତଥା ସମୟର ଅପଚୟ ଛଡ଼ା ଆଉ କିଛି ନୁହେଁ ।

 

ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆଦିବାସୀ ସମାଜରେ ପ୍ରଚଳିତ ଦେବୀପୂଜାର ଆଉ ଏକ ଉଦାହରଣ । ଯଦିଓ ଦେବୀଙ୍କ ବର୍ତ୍ତମାନ ପୂଜକ ଜଣେ ବାରିକ ଜତିର ଲୋକ, ମୂଳତଃ ଠାକୁରାଣୀଙ୍କ ସେବକ ଜଣେ ଆଦିବାସୀ ଲୋକ ଥିବାର ଜନଶ୍ରୁତିରୁ ସୂଚନା ମିଳେ । ଅତୀତରେ ସେ ଠାକୁରାଣୀଙ୍କୁ ଗାଁ ଦେବୀ ରୂପେ ପୂଜା କରୁଥିଲେ । ଆପାତତଃ ଏହାର ବାସ୍ତବ ସତ୍ୟ ସହିତ ନିବିଡ଼ ଯୋଗସୂତ୍ର ନଥିଲା ପରି ପ୍ରତୀତ ହେଲେ ହେଁ ଦେବୀଙ୍କ ଆଦିବାସୀ ସଂପର୍କକୁ ସହଜେ ଅସ୍ୱୀକାର କରାଯାଇ ପାରିବ ନାହିଁ । ଆଦିବାସୀ ପୂଜକ ହାତରୁ ଠାକୁରାଣୀଙ୍କ ପୂଜା ଉପାସନା ଦାୟିତ୍ୱ ଜନୈକ ଡେରା ଜାତିର ପୂଜକ ଓ ପରବର୍ତ୍ତୀ କାଳରେ ଭଣ୍ଡାରି ଜାତିର ପୂଜକ ହାତକୁ ହସ୍ତାନ୍ତର ହୋଇଛି ବୋଲି ଲେକମୁଖରେ ପ୍ରଚଳିତ । ଏହି ସନ୍ଦର୍ଭରେ ଗୋଟିଏ କଥା କୁହାଯାଇ ପାରେ ଯେ, ବ୍ରହ୍ମପୁର ଠାକୁରାଣୀ ଉପାସନାର ପୃଷ୍ଠଦେଶରେ ଆଦିବାସୀ, ଦ୍ରାବିଡ଼ ତଥା ଆର୍ଯ୍ୟ ଏହି ତିନୋଟି ଧର୍ମ ସଂସ୍କୃତିର ଧାରା ସମାହିତ ହୋଇଛି । ଶୁଣିବାକୁ ମିଳେ ଯେ ଠାକୁରାଣୀଙ୍କ କେବଳ ମୁଣ୍ଡଟି ଏଠି ପୂଜା ପାଆନ୍ତି ଏବଂ ତାଙ୍କ ଶରୀରର ଅବଶିଷ୍ଟ ଅଂଶବିଶେଷ ଆସିକାରେ ସ୍ତମ୍ଭେଶ୍ୱରୀ ନାମରେ ପୂଜିତା । ମନେହୁଏ, ଓଡ଼ିଶାର ଅନେକ ସ୍ଥାନରେ ଅଣ-ଆଦିବାସୀ ବା ହିନ୍ଦୁ ସମାଜରେ ପଂରପରା ସହିତ ଆଦିବାସୀ ସମାଜର ଧାର୍ମିକ ପଂରପରା ଓତପ୍ରୋତ ଭାବେ ଜଡ଼ିତ । ନାମକୁ ମାତ୍ର ହିନ୍ଦୁ ବା ଅଣ-ଆଦିବାସୀ ବୋଲି ନିଜକୁ ପରିଚୟ ଦେଉଥିବା ଓଡ଼ିଶାର ବିଭିନ୍ନ ଜାତି ସମାଜର ଆଚାର, ବ୍ୟବହାର ରୀତିନୀତି ତଥା ଧାର୍ମିକ ପରମ୍ଫରାକୁ ସମୟର ଗତି ଆଦିବାସୀ ଧାରାରେ ପ୍ଲାବିତ କରିଛି । ଲୋକଶ୍ରୁତିରୁ ଶୁଣିବାକୁ ମିଳେ ଯେ, ଗଞ୍ଜାମ ଜିଲ୍ଲାର ଆସିକା ଏବଂ ଇତିହାସ ପ୍ରସିଦ୍ଧ ଆଧୁନିକ ସୁବର୍ଣ୍ଣପୁର ବା ସୋନପୁର ହେଉଛି ଦେବୀଙ୍କ ଆଦିପୀଠ । ଏଠି ପୂଜା ପାଉଥିବା ଖମ୍ୱେଶ୍ୱରୀ/ସ୍ତମ୍ୱେଶ୍ୱରୀ ଦେବୀଙ୍କ ପ୍ରତୀକ କାଷ୍ଠ ଦାରୁ/ଖମ୍ୱ ବା ପ୍ରସ୍ତର ସ୍ତମ୍ଭ ଆଦିବାସୀ ଧାରାର ପରିଚାୟକ । ଆସିକାର ଦେବୀଙ୍କ ସଂପର୍କରେ ଶୁଣାଯାଏ ଯେ ଏକଦା ଜଣେ କନ୍ଧ ରାଜା ଆଠଗୋଟି ଖିଡ଼ିମିଂ ପୂଜା କରୁଥିଲେ । ଦେବୀ ଖମ୍ୱେଶ୍ୱରୀ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଆଶ୍ୱିନ ମାସରେ ମଧ୍ୟ ଦେବୀଙ୍କ ପାଖେ ବଳିର ଆୟୋଜନ ହୋଇଥାଏ ।

 

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ କନ୍ଧ ସମାଜର ଲୋକମାନଙ୍କ ଦ୍ୱାରା ଆରାଧିତ ଦେବୀଗଣଙ୍କ ମଧ୍ୟରେ ବଜରଗଡ଼ବୁଢ଼ୀ, ରକତବୁଡ଼େନ, ଜେନା ବୁଢ଼ୀ ଆଦିଙ୍କ ନାମ ଉଲ୍ଲେଖନୀୟ-। କଳାହାଣ୍ଡିର ଗିଗିନା ଗ୍ରାମପଞ୍ଚାୟତରେ କନ୍ଧମାନଙ୍କ ଦ୍ୱାରା ପୂଜିତା ପ୍ରଭାବଶାଳୀ ଦେବୀ ହେଉଛନ୍ତି ବଜରଗଡ଼ ବୁଢ଼ୀ । ଗାଁର ଝାଁକର ଦେବୀଙ୍କ ସେବାପୂଜା କରେ । ରକତବୁଡ଼େନ ଦେବୀ ଥୁଆମୁଳ ରାମପୁର ଅଞ୍ଚଳରେ ପୂଜା ପାଆନ୍ତି । ଏକଦା ତାଙ୍କ ପାଖେ କନ୍ଧମାନେ ନରବଳି ଦେଉଥିଲେ । ଜେନାବୁଢ଼ୀଙ୍କ ନିକଟରେ ମଧ୍ୟ ମଣିଷ ବଳି ଦିଆଯାଉଥିବାର ଶୁଣାଯାଏ । ଏହାଛଡ଼ା କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଆଦିମ ପନ୍ଥୀ ଦେବୀମାନଙ୍କ ମଧ୍ୟରେ ଗଙ୍ଗାଦେଈ, ବାନଝୀ ବୁଟେନ, ଘୁଙ୍ଗୀଦେବୀ, ମାଟିଆଡ଼ୁମା, ସୁରଜମୁନି ଦେବୀ, ରକତମୁନି, ଭାଲୁ ମୁଡ଼େନ, ରକତ ମାଏଲ, ଇନ୍ଦ୍ରାଦେଈ, ଠୁଟି ମାଏଲି, ପାହାର ପହରେନ, ମହୁଲ ଗଛେନ, ଗୋପା ଗଛେପ, କଁଟାଝୁଲେନ, ନକଟା ନକଟେନ, ଗୋହରା ଗଛେନ ଆଦିଙ୍କ ନାମ ଉଲ୍ଲେଖନୀୟ । ସେ ଯାହା ହେଉ ଓଡ଼ିଶାର ଉମରକୋଟ, କଳାହାଣ୍ଡି, ବଳାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାମାନଙ୍କରେ ବସତି ସ୍ଥାପନ କରିଥିବା ଗଣ୍ଡ ସମାଜର ଲୋକେ ଅଣଆଦିବାସୀ/ ହିନ୍ଦୁ ଜାତିର ବିଭିନ୍ନ ଦେବୀଙ୍କୁ ପୂଜା କରୁଥିଲେ ମଧ୍ୟ, ଏମାନଙ୍କର ସ୍ୱତନ୍ତ୍ର ଦେବୀପୂଜା ପରମ୍ପରା ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଉମରକୋଟ ଅଞ୍ଚଳରେ ବାସ କରୁଥିବା ଗଣ୍ଡ, ଭତ୍ରା ଓ ପରଜା ସମାଜର ଲୋକେ ପେଣ୍ଡାରୁଣୀ ଦେବୀଙ୍କୁ ଆନ୍ତରିକତାର ସହିତ ପୂଜା କରନ୍ତି । ଚୈତ୍ର- ବୈଶାଖ ମାସରେ ଦେବୀଙ୍କ ବିଶେଷ ଯାତ୍ରା ପାଳିତ ହୁଏ । ଆଖପାଖ ଅଞ୍ଚଳରୁ ବିଭିନ୍ନ ଆଦିବାସୀ ସମାଜ ତଥା ଜାତିର ଶତାଧିକ ଲୋକ ଧଣ୍ଡା ଓ ଧ୍ୱଜା ଧରି ପେଣ୍ଡାରୁଣୀ ମାଙ୍କ ପୂଜାରେ ଭାଗ ନିଅନ୍ତି । ଏହି ଅବସରରେ ବଳି ପଡ଼େ । କାଳିଶି ଧରିବା ଏହି ପୂଜାର ଅନ୍ୟତମ ଆକର୍ଷଣ । ମାଲକାନଗିରି ଜିଲ୍ଲାର କୋୟା ସମାଜରେ ବୈଶାଖ ମାସରେ ବିଜିଆପାଣ୍ଡୁ ବା ବିହନ ପର୍ବ ପାଳିତ ହୁଏ । ଏହି ଅବସରରେ ଭଲ ଫସଲ ପାଇଁ ସେମାନେ ଗୁଡ଼ିମାତାଙ୍କର ପୂଜା କରନ୍ତି । ଗୁଡ଼ିମାତା ହେଉଛନ୍ତି କୋୟା ବହୁଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ । ଗାଁ ଉପକଣ୍ଠରେ ଥିବା ଜନୈକ ମହୁଲ ଗଛକୁ ଗୁଡ଼ିମାତାଙ୍କ ଆସ୍ଥାନ ରୂପେ ଚିହ୍ନଟ କରାଯାଇଥାଏ ।

 

କୋରାପୁଟ ଜିଲ୍ଲାର କନ୍ଧ ସମାଜରେ ଝାଗଡ଼ି ବା କେଡ଼ୁପର୍ବ ବୈଶାଖ ମାସରେ ସମଷ୍ଟିଗତ ଭାବେ ପାଳିତ ହୁଏ । ପ୍ରାକୃତିକ ବିପର୍ଯ୍ୟୟକୁ ଆୟତ୍ତ କରିବା ପାଇଁ ଆଦିବାସୀ ଅସମର୍ଥ, କିନ୍ତୁ ନିରୂପାୟ ନୁହେଁ । ଅନାବିଳ ହୃଦୟରେ ସେ ନିଜକୁ ସମର୍ପଣ କରିଦିଏ ଦେବୀ ନିକଟରେ, ଝାଗଡ଼ି ପର୍ବ ପାଳନ କରି ଅନାୟାସରେ ସମସ୍ତ ବାଧାବିଘ୍ନକୁ ରକ୍ଷା ପାଇବା ପାଇଁ ଦେବୀଙ୍କୁ ଗୁହାରି କରେ । ସମସ୍ତ ସମସ୍ୟାର ସମାଧାନ ପାଇଁ ଦେବୀ ସମର୍ଥ, ତେଣୁ ତାର ବିଶ୍ୱାସ ଯେ ଝାଗଡ଼ି ପର୍ବ ପାଳନ କଲେ ଅନାବୃଷ୍ଟିରୁ ମୁକ୍ତି ମିଳେ, ଭଲ ଫସଲ ହୁଏ, ରୋଗ-ଦୁଃଖ ହୁଏ ନାହିଁ ତଥା ଗୋ-ମହିଷାଦି ଗୃହପାଳିତ ପଶୁଗୁଡ଼ିକ ବନ୍ୟହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଅକାଳମୃତ୍ୟୁବରଣ କରନ୍ତି ନାହିଁ । ସ୍ଥଳ ବିଶେଷରେ ଏହି ପର୍ବ ତିନିରୁ ପାଞ୍ଚଦିନ ଯାଏ ଚାଲେ । ଚଇତି ପରବ ହେଉ ଅବା ଝାଗଡ଼ି/ କେଡ଼ୁ ପରବ ହେଉ, ଏହା ମୁଖ୍ୟତଃ ଆଦିବାସୀ ପରବ ଅଟେ-। ସମୟାନୁକ୍ରମେ ତାହା କୋରାପୁଟର ଅଣ-ଆଦିବାସୀ ସମାଜରେ ମଧ୍ୟ ଅନୁସୃତ । ବୈଶାଖ ମାସରେ ଅନୁଷ୍ଠିତ ହେଉଥିବା ଆଦିବାସୀ ଦେବୀ ଉପାସନାର ଅନ୍ତର୍ଗତ ଅଖିମୁଠି ପର୍ବ କେନ୍ଦୁଝର ଜିଲ୍ଲାର ଭୂୟାଁ ସମାଜରେ ପାଳିତ ହୁଏ । ଏହି ଅବସରରେ ଗାଁ ଦେବୀ ତଥା ଧରଣୀମାଙ୍କୁ ଧୂପ, ଦୀପ, ସିନ୍ଦୁର, ଫୁଲ ଓ ଚାଉଳ ଦେଇ ପୂଜା କରାଯାଏ । ଏଥିରୁ ଗୋଟିଏ କଥା ସ୍ୱୀକାର୍ଯ୍ୟ ଯେ ଆଦିବାସୀ ପରମ୍ପରା ଅଚଳ ଅବା ଗତିରହିତ ନୁହେଁ, ନୀରସ ଅବା ଶୁଷ୍କ ନୁହେଁ । କେଉଁ ଏକ ଅନୁକୂଳ ପରିବେଶରେ ଏହି ପରମ୍ପରା ଅବାରିତ ଭାବେ ଅଣ-ଆଦିବାସୀ ସମାଜକୁ ଗତି କରି ସ୍ୱୀକୃତି ଲାଭ କରିଛି । କୋରାପୁଟ ଜିଲ୍ଲାର କନ୍ଧ ସମାଜରେ ଜ୍ୟେଷ୍ଠ ମାସରେ ପାଳିତ ହେଉଥିବା ଆମ୍ବଟାକୁ ପର୍ବ ଓ ବିହନ ପର୍ବରେ ମଧ୍ୟ ଦେବୀପୂଜା ପ୍ରଚଳିତ । କନ୍ଧ ସମାଜର ଅନେକ ଲୋକ କୃଷିଜୀବୀ ଅଟନ୍ତି । ତେଣୁ କ୍ଷେତରେ ବିହନ ବୁଣିବା ପୂର୍ବରୁ ଏମାନେ ବିହନ ପର୍ବକୁ ନିଷ୍ଠାପର ଭାବେ ପାଳନ କରନ୍ତି । ବିଭିନ୍ନ ପ୍ରକାରର ଶସ୍ୟକୁ ଏକତ୍ରିତ କରି ଦେବୀଙ୍କ ଆସ୍ଥାନ ନିକଟରେ ଓଦା ବାଲିର କିଆରି କରି ତା ଉପରେ ବିଞ୍ଚି ଦିଅନ୍ତି । ଏହି କାର୍ଯ୍ୟ ଦିଶାରୀର ଇଙ୍ଗିତରେ ସମ୍ପାଦିକ ହେବା ପାଇଁ ଦୁଇ, ତିନି ଦିନ ସମୟ ଲାଗିଥାଏ । ବାହାରକୁ ଦେବୀଙ୍କ ଆସ୍ଥାନ ଅଯତ୍ନ ମନେ ହେଲେ ବି ଦେବୀଙ୍କୁ ଅନାଦର କରିବାର ସାହସ ଆଦିବାସୀର ନାହିଁ । ସେଥିପାଇଁ ବୋଧହୁଏ, ଏହି ପର୍ବ ପାଳନ ପୂର୍ବରୁ କେହି ହେଲେ କ୍ଷେତରେ ବିହନ ବୁଣନ୍ତି ନାହିଁ । ବିହନ ପର୍ବ ଶେଷ ହେଲା ପରେ ବିହନ ଗଜାକୁ ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟିଦିଆଯାଏ, କାରଣ ଏହା ସମୃଦ୍ଧିର ସୂଚକ ଅଟେ-। ତା ପରେ ଗ୍ରାମବାସୀମାନେ ନିଜ ନିଜ କିଆରିରେ ବିହନ ବୁଣିବା କାମ କରନ୍ତି । ଖଡ଼ିଆ ସମାଜରେ ଏହି ମାସ ଯାଏ ନୁଆଖାଇ ପର୍ବ ପାଳନ କରାଯାଏ । ଏହି ପର୍ବ ପରେ ସେମାନେ ପୋଡ଼ୁ ବା ଝୁମ ଚାଷ ଆରମ୍ଭ କରନ୍ତି ।

 

ଆଷାଢ଼ ମାସରେ କୋରାପୁଟ ଜିଲ୍ଲାର ଗାଦବା ସମାଜର ଲୋକେ ଜନାପର୍ବ ପାଳନ କରନ୍ତି । ଏହି ପର୍ବରେ କୁମୁଡ଼ା (କଖାରୁ) ଆଦି ଫଳ ସର୍ବପ୍ରଥମେ ଦେବୀଙ୍କ ପାଖେ ଭୋଗ ଲାଗିବା ପରେ ଖାଇବା ଆରମ୍ଭ କରନ୍ତି । ଆଦିବାସୀ ସମାଜରେ ପ୍ରଚଳିତ ନୂଆଖିଆ ବା ନୂଆଖାଇ ପର୍ବର ଏହା ଏକ ଅନ୍ୟରୂପ ଅଟେ । ପ୍ରଚୁର ଫସଲ ଅଭିପ୍ରାୟ ନେଇ କେନ୍ଦୁଝର ଜିଲ୍ଲାର ଭୂୟାଁ ସମାଜରେ ଆଷାଢ଼ ମାସରେ ଆଷାରୀ ପର୍ବ ପାଳିତ ହୁଏ । ଏହି ପର୍ବ ଅବସରରେ ଗ୍ରାମର ପ୍ରତ୍ୟେକ ପରିବାର ଗାଁ ଦେହୁରିରୁ କିଛି କିଛି ସହଯୋଗ ତଥା ପାରିଶ୍ରମିକ ପ୍ରଦାନ କରନ୍ତି । ଉଦ୍ଦିଷ୍ଟ ଦିନ ଦେହୁରି ଗାଁ ଦେବୀଙ୍କୁ ପୂଜା କରେ ଓ ଛେଳି, କୁକୁଡ଼ା ବଳି ଅପର୍ଣ କରେ । ଦେବୀପୂଜା ବା ଧାରଣୀ ମାକୁ ପୂଜା କରିବାର ଆଉ ଏକ ଦୃଷ୍ଟାନ୍ତ ହେଲା ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଗ୍ରାମାଞ୍ଚଳ କୃଷିଭିତ୍ତିକ ପର୍ବ କାଦୋଯାତ୍ରା । ଶ୍ରାବଣ ମାସରେ ବିଲକୁ କର୍ଷଣ କରି କାଦୁଅ କରାଯିବା ପରେ ଏହି ପର୍ବ ପାଳିତ ହୁଏ । ସ୍ଥଳବିଶେଷରେ ଗାଁ ଦେବୀଙ୍କ ଉଦ୍ଦେଶ୍ୟରେ ମେଷ, ଛେଳି, କୁକୁଡ଼ା ଆଦି ବଳି ଦିଆଯାଏ । କାଦୋଯାତ୍ରା ପୂର୍ବରୁ ଚାଷୀମାନେ ଧାନ ରୁଆ କାମ କରନ୍ତି ନାହିଁ । ସମ୍ବଲପୁର ଜିଲ୍ଲାର ଅଧିକାଂଶ ଗ୍ରାମରେ ସମଲାଇ ଦେବୀଙ୍କୁ ଗାଁଦେବୀ ରୂପେ ଗ୍ରହଣ କରି ପୂଜା କରାଯାଏ । କାଦୋଯାତ୍ରା ସମୟରେ ଗାଁ ଦେବୀ ବା ସମଲାଇ ଦେବୀଙ୍କ ଆସ୍ଥାନରେ ବଳିଦେଇ ପୂଜା ହୁଏ । ନିଷ୍ଠାର ସହିତ କାଦୋଯାତ୍ରା ପାଳନ କରି ଦେବୀଙ୍କୁ ସନ୍ତୁଷ୍ଟ କଲେ ଭଲ ବର୍ଷା ଓ ଶସ୍ୟ ହୁଏ ବୋଲି ଆଦିବାସୀର ବିଶ୍ୱାସ । ସମାଜ ମାନସ ତଥା ବ୍ୟକ୍ତି ମାନସର ସମନ୍ୱୟରେ ପାରମ୍ପରିକ ଚେତନାର ପରିବର୍ତ୍ତନ ତଥା ପରିବର୍ଦ୍ଧନ ଘଟିବା ସ୍ୱାଭାବିକ । କାଳକ୍ରମେ କାଦୋଯାତ୍ରା କେବଳ ଆଦିବାସୀ ନୁହେଁ, ଅଣଆଦିବାସୀ ତଥା ହିନ୍ଦୁ ଜାତିର ଳୋକଙ୍କ ମଧ୍ୟରେ ଅବାଧ ଭାବେ ସଞ୍ଚରିତ ହୋଇ ଗ୍ରାମାଞ୍ଚଳରେ ଗୃହୀତ ହୋଇଛି । ଓଡ଼ିଆ ଧର୍ମ ସଂସ୍କୃତିର ବିଶ୍ଲେଷଣାତ୍ମକ ପର୍ଯ୍ୟାଲୋଚନାରେ ଆଦିବାସୀ ଧର୍ମସଂସ୍କୃତିର ଛାପ ଅନୁଭୂତ ହେବା ଆଶ୍ଚର୍ଯ୍ୟଜନକ ନୁହେଁ ।

 

ଭାଦ୍ରବ ମାସରେ ଓଡ଼ିଶାର ପ୍ରାୟ ସମସ୍ତ ଆଦିବାସୀ ସମାଜରେ ନୂଆଖିଆ ପର୍ବ ପାଳିତ ହୁଏ । କେନ୍ଦୁଝର ଜିଲ୍ଲାର ଭୂୟାଁ ସମାଜରେ ନୂଆ ଚାଉଳର ଭୋଗ ସର୍ବପ୍ରଥମେ ଗାଁ ଦେବୀଙ୍କୁ ଅର୍ପଣ କରାଯାଏ । ଏହି ଉପଲକ୍ଷେ ଦେହୁରି ଦ୍ୱାରା ସମ୍ପାଦିକ ହେଉଥିବା ପୂଜାରେ ଛେଳି ଓ କୁକୁଡ଼ା ବଳି ପଡ଼େ । ଏହି ଦିନଠୁ ଭୂୟାଁ ସମାଜରେ ନୂତନ ଶସ୍ୟ ବ୍ୟବହାର ହୁଏ । କୋରାପୁଟ ଜିଲ୍ଲାର ପେଣ୍ଠିଆ ସମାଜରେ ମଧ୍ୟ ଏହି ମାସରେ ନୂଆଖାଇ ପର୍ବ ପାଳନ କରାଯାଏ । ଏଥିପାଇଁ ଆଗରୁ ଦିନବାର ନିର୍ଣ୍ଣୟ କରାଯାଇ ନୂଆଧାନର ଭାତ ରନ୍ଧାଯାଏ ଏବଂ ସମଲେଇ ଦେବୀଙ୍କ ପାଖେ ଭୋଗ ଲାଗେ ତଥା ବଳି ମଧ୍ୟ ପଡ଼େ । ହୋ ସମାଜରେ ପାଳିତ ହେଉଥିବା ଏହି ପର୍ବକୁ ଜମନୱା ପର୍ବ ବୋଲି କୁହାଯାଏ । ସମ୍ୱଲପୁର, ବଲାଙ୍ଗୀର, କଳାହାଣ୍ଡିର ବିସ୍ତୃତ ଅଞ୍ଚଳରେ ବସବାସ କରୁଥିବା ଗଣ୍ଡ ଲୋକେ ମଧ୍ୟ ଏହି ମାସରେ ନୂଆଖାଇ ପର୍ବ ପାଳନ କରନ୍ତି । ଭାଦ୍ରବ ମାସ ଏକାଦଶୀ ତିଥିରେ ଓଡ଼ିଶାର କେତେକାଞ୍ଚଳରେ ଗଣ୍ଡ ଓ ମୁଣ୍ଡା ସମାଜର ଲୋକେ କରମସାନୀ ଦେବୀଙ୍କୁ ପୂଜା କରି ପର୍ବ ପାଳନ କରନ୍ତି । ମୁଣ୍ଡା ସମାଜରେ ପୂଜା ପାଉଥିବା ଅନ୍ୟାନ୍ୟ ଦେବୀଗଣଙ୍କ ମଧ୍ୟରେ ସରହୁଲଡରନା ଅନ୍ୟତମ । ତାଙ୍କୁ ସ୍ଥଳବିଶେଷରେ ଜାହିର ବୁଢ଼ୀ ବୋଲି ମଧ୍ୟ ସମ୍ୱୋଧନ କରନ୍ତି । ସେ ହେଉଛନ୍ତି ଗାଁ ଦେବୀ ବା ଗ୍ରାମର ରକ୍ଷାକାରିଣୀ ଦେବୀ । ତାଙ୍କ ପାଖେ କୁକୁଡ଼ା ବଳି ଦିଆଯାଏ । ଚାନ୍ଦର ଦେବୀ ବା ଚନ୍ଦ୍ରଦେବୀଙ୍କୁ ସିଙ୍ଗବୋଙ୍ଗା ବା ସୂର୍ଯ୍ୟଦେବତାଙ୍କ ସ୍ତ୍ରୀ ତଥା ଆକାଶରେ ପରିଦୃଷ୍ଟ ଅଗଣିତ ତାରମାନଙ୍କର ମାଆ ବୋଲି ବିଶ୍ୱାସ କରାଯାଏ । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ଓ ବଳିର ଆୟୋଜନ ହୁଏ । କିନ୍ତୁ ସମଗ୍ର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନବାନ୍ନଭକ୍ଷଣ ପର୍ବ ଆଦିବାସୀ ସମାଜର ପରଧିକୁ ଅତିକ୍ରମ କରି ଏକ ଗଣପର୍ବର ରୂପ ଧାରଣ କରିଛି । ଭାଦ୍ରବ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳିତ ହୁଏ । ଏହି ପର୍ବ ପୂର୍ବରୁ ନୂଆଧାନର ଚାଉଳ ବ୍ୟବହାର କରନ୍ତି ନାହିଁ । ଗ୍ରାମାଞ୍ଚଳରେ ଗାଁର ଝାଁକର ଗାଁ ଦେବୀଙ୍କ ପାଖେ ପ୍ରଥମେ ଭୋଗ ଲଗାଏ । ସମ୍ୱଲପୁର, ବଲାଙ୍ଗୀର, ସୋନପୁର ଆଦି ସ୍ଥାନମାନଙ୍କରେ ଯଥାକ୍ରମେ ସମଲେଶ୍ୱରୀ, ପାଟଣେଶ୍ୱରୀ, ସୁରେଶ୍ୱରୀଙ୍କ ପୀଠରେ ସର୍ବପ୍ରଥମେ ନୂଆଧାନର ଚାଉଳ ଭୋଗ ଲାଗେ ଏବଂ ତା’ପରେ ଯାଇ ଅନ୍ୟମାନେ ନୂଆ ଖାଆନ୍ତି ।

 

ସମ୍ୱଲପୁର, ବରଗଡ଼, ବଲାଙ୍ଗୀର ପ୍ରଭୃତି ଅଞ୍ଚଳର କେତେକ ଆଦିବାସୀ ସମାଜରେ ଆଶ୍ୱୀନ ମାସରେ ଆଦିବାସୀ ଯୁବତୀଗଣ ପ୍ରଖର ଶକ୍ତିସଂପନ୍ନା ଡାଲଖାଇ ଦେବୀଙ୍କୁ ପ୍ରଗାଢ଼ ଭକ୍ତି ସହ ପୂଜା କରନ୍ତି । ଆଶ୍ୱୀନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରୁ ପୂଜା ପ୍ରକ୍ରିୟା ଆରମ୍ଭ ହୋଇ ଦଶମୀ ଯାଏ ଚାଲେ । ଆଦିବାସୀ ସମାଜର ଅବିବାହିତା ଯୁବତୀମାନେ ଡାଲଖାଇ ଓଷା ପାଳନପୂର୍ବକ ଡାଲଖାଇ ନୃତ୍ୟ ପରିବେଷଣ କରନ୍ତି । ଦେବୀଙ୍କୁ ସନ୍ତୁଷ୍ଟ କଲେ ସୁଖ, ସୌଭାଗ୍ୟ ମିଳେ ତଥା ଭଲ ଫସଲ ହୁଏ ବୋଲି ଆରଣା । ବୃକ୍ଷପୂଜାର ଏହି ଧାରଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଓ ମାଲକାନାଗିରି ଅଞ୍ଚଳରେ ମଧ୍ୟ ଦେଖାଯାଏ । ମୁଦୁଲି ପଡ଼ାର ବଣ୍ଡା ସମାଜର ଦେବଦେବୀଙ୍କ ମଧ୍ୟରେ ଡାଲଖାଇ ଦେବୀ ଅନ୍ୟତମ । ବଟରେ ଦେବୀଙ୍କ ଅସ୍ଥାନ ପଡ଼େ । କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଯିବା ରାସ୍ତାରେ ମଧ୍ୟ ଡାଲଖାଇ ଦେବୀଙ୍କ ଆସ୍ଥାନ ରହିଛି । ଗଲା ଆସିଲା ବେଳେ କେବଳ ଆଦିବାସୀ ନୁହେଁ ଅଣ-ଆଦିବାସୀ ହିନ୍ଦୁ ଜାତିର ଲୋକମାନେ ମଧ୍ୟ ଡାଲଖାଇ ଦେବୀଙ୍କ ଆସ୍ଥାନ ପାଖରେ ଅଟକି ଛୋଟ ଡାଳ ଖଣ୍ଡିଏ ଭାଙ୍ଗି ଆଣି ଦେବୀଙ୍କୁ ଅର୍ପଣ କରନ୍ତି । ସମୟ ଉତ୍ତେଜନାରେ ଘଟୁଥିବା ଅନେକ ଦୁର୍ଘଟଣାକୁ ଡାଲଖାଇ ଦେବୀ ଅକ୍ଲେଶରେ ଏଡ଼େଇ ଦିଏ ବୋଲି ସେମାନଙ୍କର ଦୃଢ଼ବିଶ୍ୱାସ । ଅତୀତରେ ଆଦିବାସୀ ଲୋକମାନେ ବଣ ଜଙ୍ଗଲର ନିର୍ଜନ ପରିସର ମଧ୍ୟରେ ଆବଦ୍ଧ ହୋଇ ରହିଥିଲେ । ଆଜି ସେମାନଙ୍କ ସହିତ ଅଣଆଦିବାସୀମାନଙ୍କର ସଂପର୍କ କ୍ରମଶଃ ନିବିଡ଼ତର ହୋଇ ଉଠିଛି । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ଘଟିଛି । ସାଂସ୍କୃତିକ ତଥା ଧାର୍ମିକ ସ୍ତରରେ ଉଭୟେ ପରସ୍ପରକୁ ଆକର୍ଷିତ କରି ପ୍ରଭାବିତ କରିଛନ୍ତି । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫୁଲବାଣୀର କନ୍ଧ ସମାଜରେ ପ୍ରଚଳିତ ଡାଲଖାଇ ଦେବୀଙ୍କ ପୂଜା ଓ ଡାଲଖାଇ ନୃତ୍ୟ ମାର୍ଗଶିର ମାସରେ ଅନୁଷ୍ଠିତ ହେବାର ଦୃଷ୍ଟିକୁ ଆସେ । ଡାଲଖାଇ ନାମର ସାଦୃଶ୍ୟ ବା ସାମଞ୍ଜସ୍ୟ ଥିଲେ ମଧ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳରେ ପାଳିତ ହେଉଥିବା ଆଦିବାସୀ ପର୍ବ ଡାଲଖାଇ ଓ ଫୁଲବାଣୀ, କୋରାପୁଟ ତଥା ମାଲକାନାଗିରି ଅଞ୍ଚଳର ଡାଲଖାଇ ଦେବୀଙ୍କ ପୂଜା ସେ ସମାନ ଓ ଏକା ତାହା କହିବା ଉଚିତ ହେବ ନାହିଁ । କାରଣ ଓଡ଼ିଶାର ସମସ୍ତ ଆଦିବାସୀ ଏକ ଏବଂ ଅଭିନ୍ନ ବୋଲି ବିବେଚନା କରାଯାଇ ପାରିବ ନାହିଁ । ବାସ୍ତବରେ ଦେଖିବାକୁ ଗଲେ ଆଦିବାସୀ ସମାଜର ଧାର୍ମିକ ପରମ୍ପରାରେ ତୁଳନାତ୍ମକ ଅଧ୍ୟୟନ ଏଯାବତ୍ ଭଲଭାବେ ହୋଇନାହିଁ ।

 

ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାରେ ବାସ କରୁଥିବା ବଂଝାଲ ସମାଜରେ ପୂଜା ପାଉଥିବା ଅନ୍ୟତମ ଦେବୀ ହେଲେ ଚନ୍ଦଲିପାଟ । ଆଧୁନିକ ସୁବର୍ଣ୍ଣପୁର ଜିଲ୍ଲାର ଶୁଖାଗ୍ରାମ ଓ ମାଏଝମୁଡ଼ା ଗ୍ରାମରେ ଦେବୀଙ୍କ ଆସ୍ଥାନ ବୋଲି ସର୍ବବିଦିତ । ଆଶ୍ୱିନ ମାସରେ ଦେବୀଙ୍କୁ ଛତ୍ର ଓ ଖଣ୍ଡାରେ ସ୍ଥାପନ କରାଯାଇ ପୂଜା କରାଯାଏ ଓ ବଳିର ଆୟୋଜନ ହୁଏ । ଏଠାରେ ସୂଚନାଯୋଗ୍ୟ ଯେ ବିଂଝାଲ ଦେବୀ ହେଉଛନ୍ତି ବିଂଝାଲ ସମାଜର ପରମପୂଜ୍ୟା ଦେବୀ । ସେ ସନ୍ତୁଷ୍ଟ ରହିଲେ ବିଂଝାଲ ସମାଜରେ କୌଣସି ପ୍ରକାର ବିପଦ ଆପଦ ପଡ଼େ ନାହିଁ ବୋଲି ଧାରଣା-। ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଜରାସିଂଘା ଗ୍ରାମର ପ୍ରସିଦ୍ଧ ପାଟଖଣ୍ଡା ଯାତ୍ରା ଦେବୀପୂଜାର ଏକ ଅନନ୍ୟ ପରମ୍ପରା । ଆଶ୍ୱିନ ଶୁକ୍ଲ ଅଷ୍ଟମୀ ତିଥିରୁ ଏହିଯାତ୍ରା ଆରମ୍ଭ ହୁଏ । ପାଟଖଣ୍ଡା ଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ବଅଁରପିଟା ଓ ନିଶିଘର ଯାତ୍ରା । ପାଟଖଣ୍ଡା ଦେବୀ ଏବେ ଜରାସିଂଘାର ଆଦିବାସୀ ଜମିଦାରଙ୍କ ଇଷ୍ଟଦେବୀ ନହୋଇ ବଲାଙ୍ଗୀର ଜିଲ୍ଲାର ଆଦିବାସୀବହୁଳ ଗ୍ରାମମାନଙ୍କର ଗାଁଦେବୀ ରୂପେ ମଧ୍ୟ ପୂଜିତା । ଏହି ଦୃଷ୍ଟିକୋଣରୁ ଆଦିବାସୀ ସମାଜର ଇଷ୍ଟଦେବୀ ହେଲେ ମଧ୍ୟ ପାଟଖଣ୍ଡାକୁ ଅଣଆଦିବାସୀ ହିନ୍ଦୁଜାତିର ଲୋକମାନେ ମଧ୍ୟ ଶ୍ରଦ୍ଧାର ସହିତ ପୂଜା କରନ୍ତି । ଆଶ୍ୱିନ ମାସରେ ସମ୍ୱଲପୁର ସହରସ୍ଥିତ ସମଲେଶ୍ୱରୀଙ୍କ ପୀଠରେ ତଥା ଗ୍ରାମାଞ୍ଚଳରେ ଗାଁଦେବୀ ରୂପେ ପୂଜା ପାଉଥିବା ସମଲେଇଙ୍କ ପାଖେ ବିଶେଷ ପୂଜା ଓ ବଳିର ଆୟୋଜନ ହେବାର ଦେଖାଯାଏ । ଆଶ୍ୱିନ ମାସ ଅମାବାସ୍ୟା ଠାରୁ ପୂର୍ଣ୍ଣିମା ଯାଏ ଆଧୁନିକ ସୁବର୍ଣ୍ଣପୁରସ୍ଥିତ ପ୍ରସିଦ୍ଧ ସୁରେଶ୍ୱରୀ, ସମଲେଶ୍ୱରୀ, ଖମ୍ୱେଶ୍ୱରୀ ଆଦି ପୀଠମାନଙ୍କରେ ବଳିଯାତ୍ରା ହୁଏ । ଢୋଲ, ନିଶାନ, ମହୁରୀ ତାସା ବଜାଇ ଛତ୍ରଧାରଣ କରି ନୃତ୍ୟରତା ବଳିଦେବୀଙ୍କୁ ଲୋକମାନେ ଏକ ବିରାଟ ପଟୁଆରରେ ପାଛୋଟି ନିଅନ୍ତି । କଳାହାଣ୍ଡିର ଆରାଧ୍ୟା ଦେବୀ ମାଣିକେଶ୍ୱରୀ ହେଉଛନ୍ତି ଆଦିମ ପନ୍ଥୀର ଦେବୀ । ଥୁଆମୂଳ-ରାମପୁର ନିକଟସ୍ଥ ଇନ୍ଦ୍ରାବତୀର ଉଦଗମସ୍ଥଳ ତଥା ଟୁଗସାଏ ପାଟଣା ଦେବୀଙ୍କ ଆଦିପୀଠ ରୂପେ ପରିଚିତ । ଆଶ୍ୱିନ ବା ଦଶହରା ମାସର ପ୍ରତି ମଙ୍ଗଳବାର ଦିନ ଦେବୀଙ୍କ ପାଖେ ଛାଗବଳି ପଡ଼େ ଓ ଶୁକ୍ଳ ଅଷ୍ଟମୀ ଦିନ ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଳିତ ହୁଏ । ନବମୀଦିନ ଯୁଗସାଏ ପାଟଣାଠାରୁ ଦେବୀଙ୍କ ପ୍ରତିନିଧି ଛତ୍ରଦେବୀ ଆସନ୍ତି । ଛତର ଦେବୀଙ୍କୁ ଛତ୍ରରେ ଆରୋପଣ କରି ପୂଜା କରାଯାଏ । ଦେବୀଙ୍କ ପ୍ରତୀକ ଛତ୍ର ମାଣିକେଶ୍ୱରୀ ମନ୍ଦିର ଯାଏ ପହଞ୍ଚିବା ଭିତରେ ଅସଂଖ୍ୟ ଛାଗ, ମେଷ ତଥା କୁକୁଡ଼ାବଳି ପଡ଼ି ରାସ୍ତା ରକ୍ତରଞ୍ଜିତ ହୋଇପଡ଼େ । ଏହି ବୀଭତ୍ସ୍ୟ ଦୃଶ୍ୟ ବିରୋଧରେ ମୃଦୁଗୁଞ୍ଜନ ସମୟ ସମୟରେ ଶୁଣିବାକୁ ମିଳେ । କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବୀଙ୍କ ପାଖେ ମହିଷିବଳି ପଡ଼ିବାର ପରମ୍ପରା ଅଦ୍ୟାପି ପ୍ରଚଳିତ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଘୁମୁରାନୃତ୍ୟର ଆକର୍ଷଣ ଅବର୍ଣ୍ଣନୀୟ ଅଟେ ।

 

ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମ-ଓଡ଼ିଶାର ପ୍ରାୟ ସମସ୍ତ ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆଶ୍ୱିନମାସ ଓ ଚୈତ୍ରମାସର ବିଭିନ୍ନ ଦିନରେ ଦେବୀଙ୍କ ପାଖେ ପୋଢ଼, ମେଷ, ଛାଗ, କୁକୁଡ଼ା ଆଦି ବଳି ପଡ଼ିଥାଏ । ଏହି ମାସକୁ ଦେ’ମାସ ବୋଲି ଅଭିହିତ କରାଯାଏ । କାରଣ ଏହି ମାସ ଦେବୀଗଣ ନିଜ ନିଜର ଆସ୍ଥାନ ଛାଡ଼ି ସ୍ୱଚ୍ଛନ୍ଦରେ ବିଚରଣ କରନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି । ତାଙ୍କ ହାବୁଡ଼ରେ ଯିଏ ପଡ଼େ ତାକୁ ଦେବୀ ଭୁକି ଦିଅନ୍ତି ବୋଲି ଧାରଣା ରହିଛି । ସ୍ଥାନୀୟ ଭାଷାରେ ଭୁକି ଦେବା ଅର୍ଥ ଖାଇଯିବା । ତେଣୁ ଏହି ମାସମାନଙ୍କରେ ସାଧାରଣ ଲୋକେ ଦିନ ଦ୍ୱିପହରେ ବାହାରେ ବୁଲନ୍ତି ନାହିଁ । ପୂଜାପରେ କାଳିଶି ଲାଗିବା ଏହି ଅଞ୍ଚଳର ଅଦ୍ୱିତୀୟ ଆକର୍ଷଣ ଅଟେ । ଦେବୀ ଲୋକର ଶରୀରରେ ପ୍ରବେଶ କରନ୍ତି, ତାକୁ କାଳିଶି ଲାଗିବା କୁହାଯାଏ-। ପୂଜାପରେ ଦେବୀଙ୍କ ଆସ୍ଥାନର ଫୁଲ, ସିନ୍ଦୁର ତଥା ଚାଉଳ ନେଇ ଆଦିବାସୀ ଲୋକ ଉପରେ ପକାଇଲେ କ୍ରମଶଃ ସେ ଚେତନାଶୂନ୍ୟ ହେବାର ଦେଖାଯାଏ ଏବଂ ଦେବୀ ତା’ ଶରୀରରେ ପ୍ରକଟ ହୁଅନ୍ତି । ଏହି ଅବସ୍ଥାରେ ଭକ୍ତଗଣ ଛାନିଆ ନହୋଇ କାଳିଶିଙ୍କ ପାଖେ ନିଜ ନିଜ ଦୁଃଖର ଉପଶମ ତଥା ପ୍ରତିବିଧାନ ପାଇଁ ଆଶିର୍ବାଦ ଭିକ୍ଷା କରିବା ଦେଖାଯାଏ । ଏତଦ୍‍ବ୍ୟତୀତ ଅନେକ ସ୍ଥାନରେ ସ୍ୱତନ୍ତ୍ର ଭାବେ କାଳିଶି ଯାତ୍ରା ଅନୁଷ୍ଠିତ ହେବାର ଦେଖାଯାଏ । ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାର ପ୍ରାୟ ସମସ୍ତ ଆଦିବାସୀ ସମାଜରେ ପାଳିତ ହେଉଥିବା ଭିନ୍ନ ଭିନ୍ନ ପୂଜାପର୍ବ ଅବସରରେ କାଳିଶି ଆସିବା ଦେବୀପୂଜାର ଏକ ବିଶେଷ ପରମ୍ପରାକୁ ଇଙ୍ଗିତ କରେ । ପ୍ରକୃତରେ ଦେଖିବାକୁ ଗଲେ, ଦେବୀପୂଜା ସମୟରେ କାଳିଶି ଆସିବା କୌଣସି ଆକସ୍ମିକ ଘଟଣା ନୁହେଁ । ଏହି ପରମ୍ପରା ମୂଳତଃ ଆଦିବାସୀ ଧର୍ମର ବିରାଟ ଐତିହ୍ୟକୁ ସୂଚାଇଥାଏ । ଦୁର୍ବୋଧ୍ୟ, ଅସଙ୍ଗତ ତଥା ବାଜେପରି ପ୍ରତୀତ ହେଲେବି ତାକୁ ଆଦିବାସୀମାନଙ୍କର ଅନନୁଭବୀ ଅଥବା ଅଜ୍ଞତା ବୋଲି କୁହାଯାଇ ପାରିବ ନାହିଁ । ଯେଉଁଠି ଅଜସ୍ର ମଣିଷର ବିଶ୍ୱାସ ହେଉଛି ମୂଳ ଆଧାର ସେଠି ତର୍କଦ୍ୱାରା ଅସିଦ୍ଧ ବୋଲି ପ୍ରମାଣ କରିବା ସହଜସାଧ୍ୟ ନୁହେଁ ।

 

ବୃକ୍ଷ ଉପାସନା ଅନ୍ତର୍ଗତ ଆଦିବାସୀ ପର୍ବମାନଙ୍କ ମଧ୍ୟରେ କରମାପର୍ବ ଓ ବିଷରିଓଷା ଅନ୍ୟତମ । କେନ୍ଦୁଝର ଜିଲ୍ଲାର ଭୂୟାଁ ସମାଜରେ ପାଳିତ ହେଉଥିବା ବିଷରିଓଷା ଅବସରରେ ବିଷରି ନାମକ ଏକ ଗଛକୁ ଠାକୁରାଣୀଙ୍କ ପ୍ରତୀକ ରୂପେ ପୂଜା କରାଯାଏ । କରମା ପର୍ବରେ ଭୂୟାଁ ସମାଜର ଲୋକମାନେ ଦୁଇଟି କରମାଗଛର ଡାଳ ଆଣି କରମରାଜା ଓ କରମରାଣୀଙ୍କୁ ଆରୋପିତ କରି ପୂଜା କରନ୍ତି । ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ବସବାସ କରୁଥିବା ଖଡ଼ିଆ ତଥା ଓରାମ ସମାଜର ଲୋକମାନେ ମଧ୍ୟ ଆଶ୍ୱିନ ମାସରେ ଦେବୀଙ୍କ ପ୍ରତୀକ କରମାଗଛର ଦୁଇଟି ଡାଳ କାଟି ଆଣି ଗାଁ ମଝିରେ ପୋତି ପୂଜା କରନ୍ତି । ବରଗଡ଼ ଜିଲ୍ଲାର ମୁଖ୍ୟ ଆଦିବାସୀ ସମାଜ ବଂଝାଲମାନଙ୍କର ଅନ୍ୟତମ ଶ୍ରେଷ୍ଠପର୍ବ ରୂପେ କରମାପର୍ବ ପରିଗଣିତ । ଭାଦ୍ରବମାସ ଏକାଦଶୀ ତିଥିଦିନ ପାଳିତ ହେଉଥିବା ଏହି ପର୍ବଦିନ ସକାଳେ ବିଂଝାଲ ଲୋକେ ଗାଁର ଝାଁକରକୁ ସାଙ୍ଗରେ ଧରି ଜଙ୍ଗଲକୁ ଯାଆନ୍ତି । ଶାଳ ଅଥବା ହଲନ୍ ଗଛର ଡାଳଖଣ୍ଡେ ଭାଙ୍ଗି ଆଣି କରମସାନୀଙ୍କ ପ୍ରତୀକ ରୂପେ ଗାଁର ଏକ ଖୋଲା ତଥା ମୁଖ୍ୟ ସ୍ଥାନରେ ସ୍ଥାପିତ କରନ୍ତି । ଦେବୀଙ୍କ ପୂଜାରେ ମଦ ତଥା କୁକୁଡ଼ା ବଳି ପଡ଼ୁଥିବର ଦେଖାଯାଏ । ପୂଜାପରେ ଝାଁକର କରମସାନୀ ଦେବୀଙ୍କ ମହିମା ସଂପର୍କିତ କାହାଣୀଟିଏ ଶୁଣାଏ । ତା’ପରେ ନୃତ୍ୟ ଓ ଗୀତର ଆସର ଜମେ । ଏହି ଅବସରରେ ଆଦିବାସୀ ସମାଜରେ ଅବିରାମ ମଦ୍ୟପାନ ଚାଲେ । ସ୍ଥଳବିଶେଷରେ ଏକାଧିକ ଦିନ କାଳବ୍ୟାପୀ କରମାପର୍ବ ପାଳନ କରାଯାଉଥିବାର ଦେଖାଯାଏ । ଉପରୋକ୍ତ ଆଲୋଚନାରୁ ଗୋଟିଏ କଥା ବାରି ହୋଇଯାଏ ଯେ, ସାଧାରଣତଃ ଆଦିବାସୀ ଲୋକେ ଭୋଗସୁଖାଦିରେ ଅନୁରକ୍ତି ପ୍ରକାଶ କରିଥାନ୍ତି । ତେଣୁ ଆଦିବାସୀ ସମାଜରେ ପ୍ରଚଳିତ ପ୍ରତିଟି ପୂଜାପର୍ବରେ ମଦ ଓ ମାଂସର ଭୋଗ ଲାଗେ । ଅନ୍ୟ ଅର୍ଥରେ କହିବାକୁ ଗଲେ ମଦ ଓ ମାଂସ କ୍ଷେତ୍ରରେ ଆଦିବାସୀ କେବେହେଲେ ସଂଯମ ରକ୍ଷା ବା ଇନ୍ଦ୍ରିୟଦମନ କରିପାରି ନାହିଁ । ଯଦିଓ ଏହି କ୍ଷେତ୍ରରେ ଆଦିବାସୀ ଇନ୍ଦ୍ରିୟପରାୟଣ ଅଟେ, ତା’ ଅର୍ଥ ନୁହେଁ ସେ ଉଚ୍ଛୃଙ୍ଖଳିତ । ଏହି ପ୍ରସଙ୍ଗରେ କହିବା ଅତି ଆବଶ୍ୟକ ମନେହୁଏ ଯେ, ଆଦିବାସୀର ହୃଦୟ ମୂଳତଃ ଶୁଦ୍ଧ, ପବିତ୍ର, ନିର୍ମଳ ତଥା ଅନାବିଳ । କାଠ/ବୃକ୍ଷ/ଦାରୁ ପୂଜା ଅତି ପ୍ରାଚୀନ ଓ ତାହା ଆଦିବାସୀ ସମାଜରେ ପ୍ରଥମେ ସୃଷ୍ଟିଲାଭ କରିଥିବାର ମନେହୁଏ । କେବଳ ଓଡ଼ିଶା କି ଭାରତ ନୁହେଁ, ପୃଥିବୀର ପ୍ରାୟ ଅଧିକାଂଶ ଆଦିବାସୀ ସମାଜରେ ବୃକ୍ଷପୂଜାର ପରମ୍ପରା ପ୍ରଚଳିତ ଅଛି । ସମୟାନୁକ୍ରମେ ବୃକ୍ଷଦେବତା ବନଦେବତାରେ ପରିଣତ ହେବାର ମତ ମଧ୍ୟ ଶୁଣାଯାଏ ।

 

କାର୍ତ୍ତିକ ମାସରେ କଳାହାଣ୍ଡି ଜିଲ୍ଲାର ଗଣ୍ଡ, ଶବର ଆଦି ଆଦିବାସୀ ବହୁଳ ଗାଁ ଗୁଡ଼ିକରେ ବିଏଲ ପରବ ବା ଚାଉଳଧୁଆ ପରବ ବଡ଼ ନିଷ୍ଠାର ସହିତ ପାଳିତ ହୁଏ । ଆଦିବାସୀ ଧର୍ମ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ହୋଇ ଅଣଆଦିବାସୀ ହିନ୍ଦୁଜାତିର ଲୋକେ ମଧ୍ୟ ଏହି ପର୍ବକୁ ପାଳନ କରନ୍ତି । ଏହାର ସମ୍ପର୍କ ଭାଦ୍ରବ ମାସରେ ପାଳିତ ହେଉଥିବା ନୂଆଖାଇ ପର୍ବ ସହିତ ରହିଛି ବୋଲି ସୂଚନା ମିଳେ । ଭାଦ୍ରବମାସରେ ପାଳିତ ହେଉଥିବା ନୂଆଖାଇ ପର୍ବର ନୂଆ ଚାଉଳକୁ ଅଧୁଆରାନ୍ଧି ଖିଆଯାଏ ଓ କାର୍ତ୍ତିକମାସରେ ଚାଉଳଧୁଆ ପର୍ବ ପରେ ସେମାନେ ନୂଆଖାଇ ପର୍ବରେ ନୂଆ ଚାଉଳକୁ ଧୋଇ ଭାତରାନ୍ଧି ସେବନ କରନ୍ତି । ସୁତରାଂ ଆଦିବାସୀର ଏହି ବିଏଲ୍ ପରବକୁ ଚାଉଳଧୁଆ ପରବ ବୋଲି କହନ୍ତି । ଏହିଦିନଠୁ ବ୍ୟବହୃତ ପୁରୁଣା ମାଟିହାଣ୍ଡି ସବୁକୁ ନଷ୍ଟ କରାଯାଇ ନୂଆ ହାଣ୍ଡି ବ୍ୟବହୃତ ହୁଏ ତଥା ଇଷ୍ଟଦେବୀଙ୍କ ପାଖେ ପୂଜା ହୋଇ କୁକୁଡ଼ା ବଳି ପଡ଼େ-। ଆଧୁନିକ ସୁବର୍ଣ୍ଣପୁର ଜିଲ୍ଲାର ଅନ୍ତର୍ଗତ ବିନିକା ନିକଟସ୍ଥ ବରଦାର ଅଧିଷ୍ଠାତ୍ରୀ ଦେବୀ ଚରଦାଇ ମଧ୍ୟ ମୂଳତଃ ଆଦିବାସୀ ଦେବୀ ଅଟନ୍ତି । କାର୍ତ୍ତିକ ଶୁକ୍ଳ ଦଶମୀ ଦିନ ଏଠି ବଳି ପଡ଼େ ଏବଂ କଳାଶି ଯାତ୍ରା ହୁଏ । କେନ୍ଦୁଝର ଜିଲ୍ଲାର ଭୂୟାଁ ସମାଜର ଅନ୍ୟତମ ପ୍ରଧାନ ଦେବୀ ହେଲେ ବାସୁକୀ ମାତା ବା ଧରଣୀ ମା’ । ଭୂୟାଁ ସମାଜର ପ୍ରତ୍ୟେକ ପର୍ବ ପର୍ବାଣୀ ଅବସରରେ ବାସୁକୀ ମାତାଙ୍କୁ ପୂଜା କରାଯାଏ । ବିବାହ ଉତ୍ସବରେ ଦେବୀଙ୍କ ପାଖେ ଦେହୁରୀ ପୂଜା କରି ନବଦମ୍ପତିଙ୍କ ସୁଖମୟ ଜୀବନ କାମନା କରେ । ଭୂୟାଁ ବହୁଳ ପ୍ରତ୍ୟେକ ଗାଁରେ ଗାଁ ଦେବୀପୂଜା ପାଆନ୍ତି । ଅତି ପ୍ରାଚୀନ କାଳରୁ ପୂଜା ପାଇ ଆସୁଥିବା, ଏହି ଗାଁ ଦେବୀଙ୍କୁ ସ୍ଥଳ ବିଶେଷରେ କୋରମ୍ ବା ମଙ୍ଗଳାଦେବୀ କହନ୍ତି । ଭୂୟାଁ ସମାଜରେ ନଦୀ ଓ ଝରଣାକୁ ମଧ୍ୟ ଦେବୀ ରୂପେ ପୂଜା କରନ୍ତି । ଝରଣାକୁ ସେମାନେ ଭଉଣୀ କହନ୍ତି । ଏବଂ ବ୍ରାହ୍ମଣୀ ନଦୀ ଭୂୟାଁ ସମାଜର ପବିତ୍ର ଦେବୀ ରୂପେ ପୂଜା ପାଆନ୍ତି । ଭୂୟାଁ ସମାଜରେ ବ୍ରାହ୍ମଣୀ ପାଟ ବୋଇଲେ ବ୍ରାହ୍ମଣୀ ନଦୀକୁ ହିଁ ବୁଝାଏ । ପାଟ ଅର୍ଥ ହେଲା ଦେବୀ । ସେହିପରି ସମ୍ବଲପୁର, ସୁନ୍ଦରଗଡ଼ ଆଦି ଅଞ୍ଚଳର ଖଡ଼ିଆ ସମାଜରେ ମଧ୍ୟ ବାସୁକୀ ମାତାଙ୍କ ପୂଜା ଅବାରିତ ଭାବେ ପ୍ରଚଳିତ ହୋଇ ଆସୁଛି ।

 

ମାର୍ଗଶିର ମାସରେ ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସମାଜରେ ପାଳିତ ହେଉଥିବା ମାମଣେ ପର୍ବ ସଦୃଶ୍ୟ ଦେବୀ ପୂଜାର ଏକ ନିଦର୍ଶନ । ଏହି ଅବସରରେ ଗାଁ ଦେବୀଙ୍କ ଅନୁଗ୍ରହ ପୂର୍ଣ୍ଣ ଦୃଷ୍ଟି ଭିକ୍ଷା କରି ଆଦିବାସୀ ମଦ ଓ କୁକୁଡ଼ା ବଳି ଅପର୍ଣ କରେ । ଏହି ପୂଜାର ବୈଶିଷ୍ଟ୍ୟ ଏହି ଯେ, ସ୍ତ୍ରୀ ଲୋକମାନେ ଏହି ଭୋଗ ଖାଇବାରେ ବାରଣ ରହିଛି । ଏତ୍‌ଦବ୍ୟତୀତ ସାନ୍ତାଳ ସମାଜରେ ବନ୍ଧନା ବା କାଳୀ ପୂଜା ମଧ୍ୟ ବେଶ୍ ସୁଖ୍ୟାଦି ଅର୍ଜନ କରିଛି । ଏହି ମାସକୁ କୋରାପୁଟ ଜିଲ୍ଲାର କନ୍ଧ ସମାଜରେ ପଣ୍ଡ ମାସ ବୋଲି କହନ୍ତି । ଏହି ମାସରେ ଅନୁଷ୍ଠିତ ହେଉଥିବା ଅନନ୍ୟ ଦେବୀ ପୂଜା ସମ୍ପର୍କିତ ପର୍ବତମାନଙ୍କ ମଧ୍ୟରୁ ଅଣକାକୋରା ବା ଲାଉ ପର୍ବ କନ୍ଧ ସମାଜର ଅନ୍ୟତମ ବିଶିଷ୍ଟ ପର୍ବ ଅଟେ । ଏହି ଦିନ କନ୍ଧମାନେ ଘରଦ୍ୱାର ଲିପାପୋଛା କରି ଗାଁର ପ୍ରତ୍ୟେକ ପରିବାରଠୁ କିଛି କିଛି ଚାଉଳ ଓ ପଇସା ଆଦାୟ କରିବାକୁ ଗାଁର ଜାନିକୁ ନିୟୋଜିତ କରନ୍ତି । ଏହି ପଇସାରୁ ମଦ ଓ କୁକୁଡ଼ାର ଆୟୋଜନ ହୁଏ । ମଦ ଓ କୁକୁଡ଼ା ନେଇ କନ୍ଧମାନେ ଗାଁର ଜାନି ସହିତ ମିଶି ଗାଁରେ ସର୍ବପ୍ରଥମେ ଫଳିଥିବା ଲାଉକୁ ଧରି ଝାଙ୍କିରୀ ଦେବୀଙ୍କ ଆସ୍ଥାନକୁ ଯାଆନ୍ତି ଓ ପୂଜା କରନ୍ତି । ଏହି ଅବସରରେ ଗାଁର ଅନ୍ୟ ଲୋକମାନେ ନିଜର ଚାହିଦା, ଆବଶ୍ୟକତା ଓ ସୁବିଧା ଅନୁଯାୟୀ ଶୁଖିଲା ଲାଉକୁ କୋରଣୀ ସାହାଯ୍ୟରେ କୋରି ତୁମ୍ବା ତିଆରି କରନ୍ତି ଏବଂ ବ୍ୟବହାର କରୁଥିବା ପୁରୁଣା ଲାଉ ତୁମ୍ବାଗୁଡ଼ିକୁ ଫୋପାଡ଼ି ଦିଅନ୍ତି । ଏହିଦିନଠୁ ନୂଆ ଲାଉତୁମ୍ବା ବ୍ୟବହାର କରିବାର ପରମ୍ପରା ରହିଛି । ବଣ ଜଙ୍ଗଲକୁ ଗଲା ବେଳେ ସେମାନେ ଲାଉତୁମ୍ବାରେ ପେଜପାଣି ଭର୍ତ୍ତି କରି ସାଙ୍ଗରେ ନିଅନ୍ତି । ଯେଉଁ ତୁମ୍ବା ପେଜହାଣ୍ଡି ରୂପେ ବ୍ୟବହୃତ ହୁଏ, ତାକୁ କନ୍ଧ ସମାଜରେ ଧୂପ ତଥା ଦୀପ ଦେଇ ପୂଜା କରିବା ସାଙ୍ଗକୁ କୁକୁଡ଼ା ବଳି ଦେବାର ପରମ୍ପରା ମଧ୍ୟ ଦେଖାଯାଏ । ଏହି ଅବସରରେ ସେମାନେ ଝାଙ୍କିରୀ ଦେବୀଙ୍କ ପାଖେ ପ୍ରାର୍ଥନା କରନ୍ତି ଯେ ସେହି ତୁମ୍ବାରୁ ବର୍ଷ ତମାମ କେବେହେଲେ ପେଜ ନ ସରୁ ଓ ସାରାବର୍ଷ ପେଜ ତୁମ୍ବା ଅନାୟାସଲବ୍ଧ ହେଉ ତଥା ଉଚ୍ଛୁଳୁଥାଉ । ଲାଉ ପର୍ବଦିନ ରାତିରେ କନ୍ଧ ସମାଜରେ ପଂକ୍ତି ଭୋଜନର ଆୟୋଜନ ହୁଏ ଏବଂ କନ୍ଧ ସମାଜର ଆବାଳବୃଦ୍ଧବନୀତା ଏକାଠି ମିଶି ଭାତ, ମାଂସ ତଥା ମଦ ସେବନ କରନ୍ତି ।

 

କାନ୍ଦୁଲ ବା ମିରିଆ ପର୍ବ ଓଡ଼ିଶାର ଆଦିବାସୀ ସମାଜରେ ପ୍ରଚଳିତ ଏକ ବିଶିଷ୍ଟ ପର୍ବ ଅଟେ । ମିରିଆ ଅର୍ଥ ହେଲା କାନ୍ଦୁଲ । ଏହି ଅବସରରେ ଟାଙ୍ଗିମା ଦେବୀଙ୍କ ପୂଜା ହୁଏ । କୋରାପୁଟ ଜିଲ୍ଲାର ଶବର ତଥା ଅନ୍ୟାନ୍ୟ ଜନଜାତିର ଲୋକେ ପ୍ରତିବର୍ଷ ପୌଷମାସରେ କାନ୍ଦୁଲ ଫସଲ ଅମଳ ପୂର୍ବରୁ ଏହି ପର୍ବ ପାଳନ କରନ୍ତି । ସ୍ଥଳବିଶେଷରେ ଏହାକୁ କାନ୍ଦୁଲ ନୂଆଖିଆ ପର୍ବ ବୋଲି କୁହାଯାଏ । ପରମ୍ପରାକୁ ଲଂଗନ କରିବା ଅର୍ଥ ଦେବୀଙ୍କ ଆକ୍ରୋଶର ଶିକାର ହେବା । ତେଣୁ ଉଦ୍ଦିଷ୍ଟଦିନ କାନ୍ଦୁଲ ଫସଲ କାଟିଆଣି ସର୍ବପ୍ରଥମେ ଟାଙ୍ଗିମା’ଙ୍କ ପାଖେ ଭକ୍ତି ସହକାରେ ଭୋଗ ଲାଗେ । ଏହି ପର୍ବ ଆଦିବାସୀର ହୃଦୟରେ ଯେଉଁ ଭକ୍ତି ଭାବ ଉନ୍ମେଷ କରେ, ଜଣେ ସାଧାରଣ ଅଣଆଦିବାସୀର ମନରେ ସେପରି କୌଣସି ଆଲୋଡ଼ନ ସୃଷ୍ଟି କରେନାହିଁ । ଆଦିବାସୀ ସମାଜର ଆବାଳବୃଦ୍ଧବନୀତା ନୂତନ ବସ୍ତ୍ର ପରିଧାନ କରି ଏକାଧିକ ଦିନ କାଳ ଯାଏ ଏହି ପର୍ବ ପାଳନ କରନ୍ତି । ଏପରିକି କୌଣସି କାମଧନ୍ଦାକୁ ମଧ୍ୟ ଯାଆନ୍ତି ନାହିଁ । କାନ୍ଦୁଲ ପର୍ବ ମୂଳରେ ଯେଉଁ ଅନିର୍ବଚନୀୟ ଅପୂର ଶକ୍ତି ନିହିତ ତାହା ଗାଁର ସମସ୍ତ ଆଦିବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସମର୍ଥ ହୁଏ । ଶବର ସମାଜରେ ପୂଜିତା ଅନ୍ୟାନ୍ୟ ଦେବୀଗଣଙ୍କ ମଧ୍ୟରେ କରେଇସୁଣୀ ଅନ୍ୟତମ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ କନ୍ଧଖରଡ଼ି ଗାଁରେ ଥିବା ଦେବୀଙ୍କ ଆସ୍ଥାନ ଅତି ପ୍ରସିଦ୍ଧ । ଅଣଆଦିବାସୀ ହିନ୍ଦୁଜାତିର ଲୋକମାନଙ୍କ ଦ୍ୱାରା ମଧ୍ୟ ସେ ସେବନୀୟା । କରେଇସୁଣୀ ଦେବୀଙ୍କ ପୂଜକମାନେ ହେଲେ ଶବର ଜାତିର ଏବଂ ଶବର ସମାଜର ଇଷ୍ଟଦେବୀ ରୂପେ ସେ ପରିଗଣତା । କୋରାପୁଟ ଜିଲ୍ଲାର କନ୍ଧ ସମାଜରେ କାନ୍ଦୁଲ ପର୍ବ ଆରମ୍ଭ ହେବାର ପ୍ରାୟ ସାତ ଆଠଦିନ ପୂର୍ବରୁ ଅନେକ ଗୁଡ଼ିଏ ନୀତି ନିୟମ ପାଳନ କରୁଥିବାର ଲକ୍ଷ୍ୟ କରାଯାଏ । ଏହି ଅବସରରେ ସେମାନେ ସ୍ଥଳବିଶେଷରେ ଝାଁକିରୀ ଦେବୀଙ୍କୁ ପୂଜା କରନ୍ତି । ଉଦ୍ଦିଷ୍ଟ ଦିନ ଜାନି ଗାଁର ପ୍ରତ୍ୟେକଙ୍କ ଘରୁ କିଛି କିଛି ନୂଆ କାନ୍ଦୁଲ ସଂଗ୍ରହ କରି ଆଣେ । ସଂଗୃହୀତ କାନ୍ଦୁଲକୁ ନେଇ ସେ ଝାଁକିରୀ ଦେବୀଙ୍କ ଆସ୍ଥାନକୁ ଯାଏ । ସେଠି ଶୁଭ ବେଳା ଦେଖି ଜାନି ନିଆଁ ଲଗାଏ ଓ ଗୋଟିଏ ହାଣ୍ଡିରେ କାନ୍ଦୁଲ ଭାଜେ । ଏହି ନିଆଁ ପବିତ୍ର ସୂଚକ ଅଟେ । ତେଣୁ ପର୍ବଶେଷରେ ଜାନି ଗାଁର ପ୍ରତ୍ୟେକ ପରିବାରକୁ ନିଆଁର ଗୋଟିଏ ଲେଖାଏଁ ହାଣ୍ଡିଦିଏ । ତାପରେ ଏହି ନିଆଁ ଓ ହାଣ୍ଡି ନେଇ ଗାଁ ଲୋକେ ନିଜ ନିଜ ଘରେ କାନ୍ଦୁଲ ଭାଜନ୍ତି । କନ୍ଧମାନଙ୍କର ବିଶ୍ୱାସ ସେ କାନ୍ଦୁଲ ପର୍ବ ପୂର୍ବରୁ ଯଦି କେହି ଆଚାରଭ୍ରଷ୍ଟ ହୋଇ କାନ୍ଦୁଲ ଭାଜି ସେବନ କରେ ତେବେ ଧନଜୀବନ ହାନିଘଟି ତାର ପ୍ରଭୁତ କ୍ଷତି ସାଧନ ହୁଏ, ଗୃହପାଳିତ ପଶୁ, ପକ୍ଷୀଙ୍କୁ ବାଘ ଆଦି ହିଂସ୍ରବନ୍ୟଜନ୍ତୁ ଖାଇଯାଆନ୍ତି । ତେଣୁ କାନ୍ଦୁଲ ପର୍ବ ଆଚାରନିଷ୍ଠ ହୋଇ ପାଳିତ ହୁଏ । ପର୍ବ ପୂର୍ବରୁ ଦୈବାତ୍ ଯଦି କିଛି ଅଘଟଣ କାହା ଘରେ ଘଟିଯାଏ, ତେବେ ଗାଁର ଲୋକେ ଅନୁମାନ କରିନିଅନ୍ତି ଯେ ସେହି ଘରେ ଆଚାରବିରୁଦ୍ଧ କାମ ହୋଇଛି । ଅର୍ଥାତ୍ କାନ୍ଦୁଲ ପର୍ବ ପୂର୍ବରୁ କାନ୍ଦୁଲ ଭାଜି ବ୍ୟବହାର ହୋଇଛି । ଆଚାରଚ୍ୟୁତ ହୋଇଥିବା ସନ୍ଦେହରେ ଗାର୍ ସମାଜ ସେହି କିଛି ପରିବାରକୁ ଦଣ୍ଡ ଦେବାର ପରମ୍ପରା ରହିଛି । ସ୍ଥଳବିଶେଷରେ ଅନେକ କନ୍ଧ ପରିବାର ଅର୍ଥଦଣ୍ଡରେ ଦଣ୍ଡିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ତେଣୁ କୌଣସି କନ୍ଧ ପରିବାର ଏହି ପର୍ବ ପାଳନ ପୂର୍ବରୁ କାନ୍ଦୁଲ ବ୍ୟବହାର କରନ୍ତି ନାହିଁ ।

 

ପୌଷ ମାସରେ ପାଳିତ ହେଉଥିବା କନ୍ଧ ସମାଜର ଅନ୍ୟତମ ବିଶିଷ୍ଟ ପର୍ବ ହେଲା ପୋଢ଼ ପର୍ବ ବା ଝାଙ୍କିରି ପର୍ବ । ସ୍ଥଳବିଶେଷରେ ଏହି ପର୍ବ ପୌଷ ମାସ ପ୍ରଥମ ମଙ୍ଗଳବାର ଦିନ ଆରମ୍ଭ ହୋଇ ମାଘମାସ ଶେଷଯାଏ ଚାଲେ । ଏହି ଅବସରରେ ଝାଁକିରୀ ଦେବୀଙ୍କ ପ୍ରତୀକ ରୂପେ ଦୁଇଖଣ୍ଡ ମହୁଲ ଗଛର କାଠକୁ ଏକତ୍ର କରି ପ୍ରତିଷ୍ଠା କରାଯାଏ । ମାଘ ମାସର ଶେଷ ସପ୍ତାହରେ ପୋଢ଼ବଳି ପର୍ବର ଶୁଭଲଗ୍ନ ଦିଶାରୀ ଦ୍ୱାରା ନିର୍ଣ୍ଣୟ ହୁଏ । ପୁନଶ୍ଚ ଉଦ୍ଦିଷ୍ଟ ଦିନ ଗାଁର ଜାନି ପୋଢ଼ବଳି ନିମନ୍ତେ ଶୁଭବେଳା ଗଣନା କରନ୍ତି । ପୋଢ଼ବଳି ପରେ ଜାନି ଗୋଟିଏ ହାଣ୍ଡିରେ ଭାତ ଏବଂ ଆଉ ଏକ ହାଣ୍ଡିରେ ବଳି ମାଂସ (ପୋଢ଼) ରାନ୍ଧେ । ତା’ପରେ ଗାଁର ସମସ୍ତେ ପଂକ୍ତି ଭୋଜନରେ ସମାବେଶ ହୋଇ ପ୍ରସାଦ ସେବନ କରନ୍ତି । ମାଲକାନଗିରି ଅଞ୍ଚଳର ଡିଡ଼ାୟୀ ସମାଜରେ ପୂଜା ପାଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରଧାନ ହେଉଛନ୍ତି ହୁଣ୍ଡୀ ଠାକୁରାଣୀ ମା’, ନିଶାନୀ, ଚୁଆଁ ଦେବୀ ଓ ନନ୍ଦୀ ଦେବୀ । ହୁଣ୍ଡି ହେଲେ ଗାଁ ଦେବୀ । ମାଘ ମାସରେ ନନ୍ଦୀ ଦେବୀ ଓ ନନ୍ଦୀ ଦେବତାଙ୍କ ବିଶେଷ ପୂଜାର ଆୟୋଜନ ହୁଏ । ଚୁଆଁଦେବୀ ହେଲେ ଜଳ ଦେବୀ । ସେହିପରି ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ପ୍ରଭୃତି ବିସ୍ତୃତ ଅଞ୍ଚଳରେ ବସବାସ କରୁଥିବା ଗଣ୍ଡ ସମାଜରେ ସ୍ୱତନ୍ତ୍ର ଭାବେ ପୂଜିତା ଦେବୀଗଣଙ୍କ ମଧ୍ୟରେ ବଣଦେବୀ, ଧରଣୀ ମା’, ଠାକୁରାଣୀ, ଅଗ୍ନିକୁମାରୀ ଆଦିଙ୍କ ନାମ ଉଲ୍ଲେଖନୀୟ । ଓଡ଼ିଶାର ଅସଂଖ୍ୟ ଆଦିବାସୀଙ୍କ ମଧ୍ୟରୁ ଗଣ୍ଡମାନେ ଅପେକ୍ଷାକୃତ ଶିକ୍ଷିତ ଏବଂ ଅଣଆଦିବାସୀ ହିନ୍ଦୁ ଜାତିର ଲୋକଙ୍କ ସହିତ ବହୁକାଳ ଧରି ନିରବଚ୍ଛିନ୍ନ ଭାବେ ବସବାସ କରିବା ଦ୍ୱାରା ସେମାନେ ହିନ୍ଦୁଧର୍ମର ଅନେକ ଦେବୀଙ୍କ ଆପଣାର କରିନେଇଛନ୍ତି । ସେହି ହେତୁ ଅନେକ ସ୍ଥାନରେ ଗଣ୍ଡମାନେ ଦୁର୍ଗା, ରାମଚଣ୍ଡୀ, ଲକ୍ଷ୍ମୀ, କାଳୀ, ତ୍ରିପୁରାଭବାନୀ, ତ୍ରିଲୋକତାରିଣୀ ଆଦି ହିନ୍ଦୁପନ୍ଥୀ ଦେବୀଙ୍କୁ ପୂଜା କରିବାର ଦେଖାଯାଏ । ଏତଦ୍‍ବ୍ୟତୀତ ଗଣ୍ଡ ସମାଜରେ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ମଙ୍ଗଳା ଓଷା, ଠାକୁରାଣୀ ଓଷା, ପ୍ରଥମାଷ୍ଟମୀ, ଖୁଦୁରୁକୁଣୀ, କରମାବ୍ରତ ଆଦି ପାଳନ କରାଯାଉଥିବାର ଦେଖାଯାଏ । ଏହି ଦୃଷ୍ଟିକୋଣରୁ ଅନ୍ୟାନ୍ୟ ଆଦିବାସୀଙ୍କ ଅପେକ୍ଷା ଗଣ୍ଡ ସମାଜ ହିନ୍ଦୁଧର୍ମ ଓ ସଂସ୍କୃତି ଦ୍ୱାରା ସବିଶେଷ ପ୍ରଭାବିତ ବୋଲି କହିଲେ ଅନୁଚିତ ହେବନାହିଁ । ସର୍ବୋପରି ଆଦିବାସୀ ଓ ଅଣଆଦିବାସୀ ସମାଜ ମଧ୍ୟରେ ଧର୍ମର ସେତୁ ବା ସମନ୍ୱୟ ସ୍ଥାପିତ ହୋଇଛି ଯାହାକି ଏହି ଅଞ୍ଚଳରେ ସ୍ୱାଭାବିକ ମନେହୁଏ ।

 

ଓଡ଼ିଶାର କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର ପ୍ରଭୃତି ଅଞ୍ଚଳରେ ଆବହମାନ କାଳରୁ ବାସ କରୁଥିବା କନ୍ଧ ସମାଜରେ ପୂଜା ପାଉଥିବା ଅନ୍ୟାନ୍ୟ ଦେବୀଗଣଙ୍କ ମଧ୍ୟରେ ଜାଡ଼େନବୁଢ଼ୀ, କନ୍ଧେନ ବୁଢ଼ୀ, ବେନ୍ଦେନ ବୁଢ଼ୀ, ଗବଡ଼ା ତଥା ମାଉଲୀ ମା’ଙ୍କ ନାମ ଉଲ୍ଲେଖ କରାଯାଇପାରେ । କନ୍ଧ ସମାଜରେ ଆଦିମାତା ରୂପେ କନ୍ଧେନ ବୁଢ଼ୀ ପରିଚିତା । ତାଙ୍କଠାରୁ କନ୍ଧ ସମାଜ ଜନ୍ମଲାଭ କରିଛି ବୋଲି ସେମାନେ ବିଶ୍ୱାସ କରନ୍ତି । ତେଣୁ କନ୍ଧବହୁଳ ଗ୍ରାମାଞ୍ଚଳରେ କନ୍ଧେନବୁଢ଼ୀର ପୂଜାକୁ ଅସ୍ୱୀକାର କରାଯାଇପାରିବ ନାହିଁ । କନ୍ଧମାନଙ୍କର ଉତ୍ପତ୍ତିଠାରୁ ସେମାନଙ୍କ କ୍ରମ ବିକାଶ ଜାଡ଼େନ କୁହାଯାଏ । ତେଣୁ କନ୍ଧ ସମାଜରେ ଜାଡ଼େନ ବୁଢ଼ୀ ଅନ୍ୟତମ ମୁଖ୍ୟ ଦେବୀ ରୂପେ ପରିଚିତା । ଏହି ଦେବୀଙ୍କୁ ପୂଜା ସେବା କରୁଥିବା ବ୍ୟକ୍ତିଙ୍କୁ ଜାନି କୁହାଯାଏ । ଜାଡ଼େନ ବୁଢ଼ୀ ଯଦି ଜାନି ଉପରେ ସନ୍ତୁଷ୍ଟ ହୁଏ, ତେବେ ସେ ଆଦିଅନ୍ତ ସବୁ କଥା କହିପାରେ । ତେଣୁ କନ୍ଧ ବହୁଳ ଗ୍ରାମରେ ଜାଡ଼େନ ବୁଢ଼ୀର ପୂଜାର୍ଚ୍ଚନା ଅସ୍ୱାଭାବିକ ମନେ ହୁଏ ନାହିଁ । ଏହା ଛଡ଼ା ପ୍ରତ୍ୟେକ କନ୍ଧ ଗାଁରେ ସୀମାନ୍ତ ପ୍ରହରୀ ରୂପେ ବେନ୍ଦେନ୍ ବୁଢ଼ୀ ପୂଜା ପାଆନ୍ତି । କନ୍ଧ ସମାଜରେ ପ୍ରଚଳିତ ବିଶ୍ୱାସ ଅନୁଯାୟୀ ବେନ୍ଦେନ ବୁଢ଼ୀର ଦୟାରୁ କୌଣସି ମନ୍ଦ ବା ଦୁଷ୍ଟ ପ୍ରକୃତିର ଭୂତ, ପ୍ରେତ ଗ୍ରାମ ଭିତରକୁ ପ୍ରବେଶ କରିପାରେ ନାହିଁ । ତାହା ଛଡ଼ା ବିଭିନ୍ନ ଦୈବ ଦୁର୍ବିପାକ ତଥା ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ବେନ୍ଦେନ ବୁଢ଼ୀ ପକ୍ଷେ ଅନାୟସ ସାଧ୍ୟ ବୋଲି ସେମାନଙ୍କର ବିଶ୍ୱାସ । ଏହି ଦୃଷ୍ଟିକୋଣରୁ କନ୍ଧ ସମାଜରେ ବେନ୍ଦେନ ବୁଢ଼ୀର ପୂଜା ଅନିବାର୍ଯ୍ୟ ମନେହୁଏ । ଅତୀତରେ ବେନ୍ଦେନ ବୁଢ଼ୀ ପାଖେ ନରବଳି ଦିଆଯାଉଥିଲା । ଅଧୁନା ସେହି ପରମ୍ପରା ଲୋପ ପାଇ ତା’ ସ୍ଥାନରେ ଛାଗ ତଥା ମେଷ ବଳି ଦିଆଯାଉଛି । କନ୍ଧ ସମାଜରେ ଗବଡ଼ା ଦେବୀଙ୍କ ସ୍ୱତନ୍ତ୍ର ସ୍ଥାନ ଓ ମର୍ଯାଦା ରହିଛି । କାରଣ ସେ ଉଦ୍ଧତା, ଯଦି ଅସନ୍ତୁଷ୍ଟ ହୁଏ ତାହେଲେ ଗାଁର ସର୍ବନାଶ ଘଟେ । ହଇଜା, ବସନ୍ତ, ମିଳିମିଳା ଆଦି ଭୟଙ୍କର ରୋଗ ବ୍ୟାପି ଗାଁ ଛାରଖାର ହୋଇଯାଏ ଓ ଗାଁ ବାସୀ ଭୀଷଣ ଦୁଃଖ, କଷ୍ଟ ଭୋଗ କରନ୍ତି । ମାଉସୀ ମା’ ମଧ୍ୟ କନ୍ଧ ସମାଜର ଜଣେ ଭୟଙ୍କର ଦେବୀ ରୂପେ ପ୍ରସିଦ୍ଧା । ଗାଁ ଉପକଣ୍ଠରେ କୌଣସି ଏକ ପରିତ୍ୟକ୍ତ ସ୍ଥାନ ବା ବୃକ୍ଷକୁ ଦେବୀଙ୍କ ଆସ୍ଥାନ ରୂପେ ଚିହ୍ନଟ କରାଯାଇଥାଏ । ବିଭିନ୍ନ ପ୍ରକାରର ମାଉସୀ ଦେବୀ ଅଛନ୍ତି । ସେମାନଙ୍କ ମଧ୍ୟରେ ରକତ ମାଏଲୀ, କଲା ମାଏଲୀ, ଫୁଲ ମାଏଲୀ, ଖୁଣ୍ଟି ମାଏଲୀ, ପୁଟି ମାଏଲୀ ଆଦି ପ୍ରଧାନ । କନ୍ଧ ସମାଜରେ ପ୍ରଚଳିତ ଲୋକ ବିଶ୍ୱାସ ଅନୁଯାୟୀ ଏହି ଉଦଣ୍ଡ ତଥା ଉଦ୍ଧତ ସ୍ୱଭାବର ଦେବୀଗଣ ଉତ୍ତେଜିତ ହେଲେ ଗାଁରେ ବିଭିନ୍ନ ଧରଣର ବିଘ୍ନ ଓ ଉପଦ୍ରବ ସୃଷ୍ଟି ହୁଏ । ତେଣୁ ସେମାନଙ୍କୁ ପ୍ରଶମିତ ତଥା ଶାନ୍ତ କରିବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ଅବସରରେ ପୂଜା, ପାଠ, ଭୋଗ, ବଳିର ଆୟୋଜନ ହୁଏ । ପ୍ରସଙ୍ଗ କ୍ରମେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ନିକଟସ୍ଥ ଘଣାପାଲୀ ଗାଁରେ ମାଉଲୀ ମା’ଙ୍କ ଆସ୍ଥାନ ବିଷୟ ଏଠାରେ ଉଲ୍ଳେଖ କରାଯାଇପାରେ । ବୃକ୍ଷମୂଳେ ପୂଜା ପାଉଥିବା ଘଣାପାଲିର ମାଉଲୀ ଦେବୀ ଆଖପାଖ ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଛି । ଆଦିବାସୀ ତଥା ଅଣଆଦିବାସୀ ଉଭୟ ସମାଜର ଲୋକମାନଙ୍କ ପାଇଁ ସେ ସହଜଗମ୍ୟ । ନିଜ ନିଜର ମନୋବାଞ୍ଛା ପୂର୍ଣ୍ଣ ଉଦ୍ଦେଶ୍ୟରେ ଲୋକମାନେ ମାଉଲୀ ଦେବୀଙ୍କ ପାଖେ ମାନସିକ କରୁଥିବାର ଦେଖାଯାଏ । ଏହି ଆଲୋଚନାରୁ ଗୋଟିଏ କଥା ସୁସ୍ପଷ୍ଟ ଯେ, ଅଣଆଦିବାସୀ ହିନ୍ଦୁ ସମାଜରେ ମଧ୍ୟ ଆଦିବାସୀ ଧର୍ମ, ସଂସ୍କୃତିର ଅପ୍ରତିହତ ପ୍ରଭାବ ପରିଲକ୍ଷିତ ହୁଏ ।

 

ପୌଷ ମାସରେ ମାଲକାନଗିରିର ବଣ୍ଡା ସମାଜରେ ପୌଷ ପର୍ବ ପାଳନ କରିବାର ପରମ୍ପରା ଅଦ୍ୟାବତ ବିଦ୍ୟମାନ । ଦେବୀପୂଜାର ଏହା ଏକ ଅପୂର୍ବ ନିଦର୍ଶନ । ବଣ୍ଡା ବହୁଳ ପ୍ରତ୍ୟେକ ଗ୍ରାମରେ ବୁରୁସୁଙ୍ଗ ବା ହୁଣ୍ଡାଦେବୀ/ଗାଁଦେବୀ ପୂଜା ପାଆନ୍ତି । ପୌଷ ପରବ ଅବସରରେ ହୁଣ୍ଡାଙ୍କ ଆସ୍ଥାନରେ ପ୍ରଥମ ଶିମ୍ବ ଫସଲ ଭୋଗ ଲାଗେ । ତା’ପରେ ଯାଇ ବଣ୍ଡାମାନେ ଶିମ୍ବ ରାନ୍ଧି ଖାଆନ୍ତି । ଗୋଟିଏ ଦୃଷ୍ଟିରୁ ଏହାକୁ ଶିମ୍ବ ନୂଆଖିଆ ପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଅବସରରେ ଗାଁ ଦେବୀଙ୍କ ପାଖେ କୁକୁଡ଼ାବଳି ମଧ୍ୟ ପଡ଼େ ଏବଂ ବଣ୍ଡା ସମାଜରେ ଭୋଜି ତଥା ନୃତ୍ୟ ଓ ଗୀତର ଆୟୋଜନ ହୁଏ । ପୌଷ ପୂର୍ଣ୍ଣମୀ ଦିନ କଳାହାଣ୍ଡି ଜିଲ୍ଲାର କନ୍ଧ ତଥା ଗଣ୍ଡ ସମାଜରେ ପୁଷପୁନି ପର୍ବ ମହାଜାକଜମକରେ ପାଳିତ ହୁଏ । ଏହି ଅବସରରେ ଏଠାରେ ଆଦିବାସୀମାନେ ମାଉଲୀ ଦେବୀଙ୍କୁ ପୂଜା କରନ୍ତି ଓ ଦେବୀଙ୍କ ପାଖେ କୁକୁଡ଼ା, ଛେଳି, ମେଣ୍ଢା ବଳି ଦିଅନ୍ତି । ବଳିଦେବା ସମୟରେ ଯଦି ଗୋଟିଏ ଚୋଟରେ ବଳିର ମୁଣ୍ଡ ଗଣ୍ଡିରୁ ଅଲଗା ହୁଏନାହିଁ ତେବେ ତାହା ଅଶୁଭ ଲକ୍ଷଣ ବୋଲି ମନେକରାଯାଏ । ସେହିବର୍ଷ ଦେବୀଙ୍କ ଅନୁଗ୍ରହ ତଥା ଅନୁକଂପା ମିଳିବ ନାହିଁ ବୋଲି ସେମାନଙ୍କର ବିଶ୍ୱାସ । ନୂଆଖାଇ ତଥା ଗୁଡ଼ିଖାଇ ସଦୃଶ୍ୟ ପୁଷପୁନି ପର୍ବ ମଧ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ଗଣପର୍ବ ଅଟେ । କୋରାପୁଟ ଜିଲ୍ଲାର ଡିଡ଼ାୟୀ ସମାଜରେ ପୂଜିତା ଅନ୍ୟାନ୍ୟ ଦେବୀମାନଙ୍କ ମଧ୍ୟରେ ଭୈରବୀ, ହୁଣ୍ଡୀ, ଠାକୁରାଣୀ ମା’ ଓ ନିଶାନୀ ଦେବୀ ଅନ୍ୟତମ । ନନ୍ଦିପୂଜା ସମୟରେ ଦୁଇଟି ମାଟିଖୁମ୍ୱକୁ ନନ୍ଦି ଦେବତା ଓ ନନ୍ଦୀଦେବୀ ରୂପେ ପୂଜା କରାଯାଏ । ଓଡ଼ିଶାର ହୋ ସମାଜରେ ମାଘମାସର ମାଘପରବ ତିନି, ଚାରିଦିନ ଧରି ଚାଲୁଥିବା ଏକ ବିଶିଷ୍ଟ ପର୍ବ ଅଟେ । ଏହି ଅବସରରେ ହୋ ସମାଜରେ ଗାଁ ଦେବୀ ବା ଦେଶଉଲିଙ୍କ ପୂଜା ହୁଏ । ହୋ ସମାଜରେ ପୂଜା ପାଉଥିବା ଅନ୍ୟାନ୍ୟ ଦେବୀଗଣଙ୍କ ମଧ୍ୟରେ ନଦୀ ଦେବୀ ବା ନାଗେବୋଙ୍ଗା ଅନ୍ୟତମ । ତାଙ୍କୁ ସିଙ୍ଗବୋଙ୍ଗା ବା ସୂର୍ଯ୍ୟଦେବତାଙ୍କ ପତ୍ନୀବୋଲି ବିଶ୍ୱାସ କରାଯାଏ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୁଷୁରି ବଳିର ଆୟୋଜନ ହୁଏ । ଏତଦ୍‌ବ୍ୟତୀତ ସେମାନେ ହିନ୍ଦୁ ଆରାଧିତ ଦେବୀଗଣଙ୍କ ମଧ୍ୟରୁ ଲକ୍ଷ୍ମୀ ଓ କାଳୀଙ୍କୁ ମଧ୍ୟ ପୂଜା କରିବାର ଦେଖାଯାଏ ।

 

ମାଘ ମାସର ମାଘ ପରବ ବା ମାଘ ପୁନିଅଁ ପରବ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମାଜର ଏକ ବିଶିଷ୍ଟ ପର୍ବ ଅଟେ । ସ୍ଥଳ ବିଶେଷରେ ଏହାକୁ ମାଘପୁଡ଼େଇ ବା ପୋଡ଼ୁଚାଷ ପରବ ବୋଲି ମଧ୍ୟ କୁହାଯାଏ । ଦେବୀପୂଜା ମଧ୍ୟରେ ଏହା ଅନ୍ୟତମ । ଏକ ଉତ୍ତମ ଦିନ, ବାର ଶୁଭବେଳା ଗଣନା କରି ଜୁଆଙ୍ଗ ସମାଜରେ ଏହି ପର୍ବ ପାଳିତ ହୁଏ । ଉଦ୍ଦିଷ୍ଟ ଦିନ ଗାଁ ଦେହୁରି ଓ ପ୍ରଧାନ ସାଙ୍ଗେ ଗାଁର ଲୋକେ ବଣ ସଫା କରିବାକୁ ଯାଆନ୍ତି । ପ୍ରଥମ ଗଛ କାଟିବାବେଳେ ଗଛ ଯେଉଁ ଦିଗକୁ ଢଳିପଡ଼େ ସେହି ଦିଗରେ ଭଲ ଫସଲ ହେବ ବୋଲି ଜୁଆଙ୍ଗ ସମାଜରେ ବିଶ୍ୱାସ ରହିଛି । ସେହି କାଠରେ ସେମାନେ ଗାଁ ମୁଣ୍ଡରେ ଏକ ଅନାବୃତ ସ୍ଥାନରେ କୁଡ଼ିଆଟିଏ ନିର୍ମାଣ କରନ୍ତି । ସେଠି ଦେହୁରି ପୂଜାକରେ ଏବଂ ତା’ପରେ ସେହି କୁଡ଼ିଆକୁ ପୋତି ଦିଆଯାଏ । ପୋଡ଼ିଯାଇଥିବା ପାଉଁଶକୁ ନେଇ ସେମାନେ ନିଜ ନିଜ କ୍ଷେତରେ ପକାନ୍ତି । ସେମାନଙ୍କର ବିଶ୍ୱାସ ଯେ ଭଲ ଫସଲ ହେବ । ତା’ପରେ ପୋଡ଼ା ପଡ଼ିଆରେ ଦେହୁରୀ ମୁଠାଏ ବିହନ ବିଞ୍ଚିଦିଏ । ଜୁଆଙ୍ଗମାନେ ଉକ୍ତ ଜମିରେ ହଳ କରନ୍ତି ଏବଂ ସେଠାରେ ପୁଣି ଛେଳି, କୁକୁଡ଼ା, ମେଣ୍ଢା ପ୍ରଭୃତି ବଳିପଡ଼େ ଓ ଭୋଜି ମଧ୍ୟ ହୁଏ । ଏହି ପର୍ବପାଳନ ପରେ ଜୁଆଙ୍ଗମାନେ ଜଙ୍ଗଲ ସଫାକରି ପୋଡ଼ୁଚାଷ ଆରମ୍ଭ କରନ୍ତି । ତେଣୁ ଏହାକୁ ମାଘପୁଡ଼େଇ ପରବ ବୋଲି ଅଭିହିତ କରାଯାଏ । ଏହା ବ୍ୟତୀତ ଜୁଆଙ୍ଗ ସମାଜରେ ଆମ୍ୱ ନୂଆଖିଆ ଓ ଧାନନୂଆଖିଆ ପରବ ମଧ୍ୟ ପାଳିତ ହୁଏ ଏବଂ ଏହି ଅବସରରେ ଦେବୀଙ୍କ ପାଖେ ପ୍ରଥମ ଆମ୍ୱ ଓ ପ୍ରଥମ ଧାନ ସାଙ୍ଗେ ମଦ ମଧ୍ୟ ଭୋଗ ଲାଗେ । ଧରଣୀ ମା’, ଚାଷନ ବା ଚାଷିଆଣୀ, ଗାଁ ଦେବୀ ବା ଗ୍ରାମଶିରୀ, ବାସୁକୀ ଠାକୁରାଣୀ ପ୍ରଭୃତି ହେଲେ ଜୁଆଙ୍ଗ ସମାଜର ପ୍ରଧାନ ଦେବୀ । ପ୍ରତି ଜୁଆଙ୍ଗବହୁଳ ଗ୍ରାମରେ ଗାଁ ଦେବୀଙ୍କ ପ୍ରତୀକ ପ୍ରସ୍ତର ପୂଜା ପାଆନ୍ତି । ଲୋକଶ୍ରୁତିରୁ ସୂଚନା ମିଳେ ଯେ, ଜୁଆଙ୍ଗ ସମାଜର ଆଦି ପୁରୁଷ ଓ ଆଦିନାରୀ ରୂପେ ଚାଷି ଓ ଚାଷିନୀ ପରିଚିତା । ସର୍ବପ୍ରଥମେ ପୃଥିବୀ ଗର୍ଭରୁ ଏହି ଦୁଇଜଣ ଜନ୍ମଗ୍ରହଣ କରିଥିଲେ ବୋଲି ଜୁଆଙ୍ଗ ସମାଜରେ ବିଶ୍ୱାସ କରାଯାଏ । ଲୋକମୁଖରୁ ଏହା ମଧ୍ୟ ଶୁଣାଯାଏ ଯେ, ଚାଷ ଓ ଚାଷିନୀ ସର୍ବପ୍ରଥମେ କୁହୁକବିଦ୍ୟା ଜାଣିଥିଲେ ଓ ପରବର୍ତ୍ତୀ କାଳରେ ଜୁଆଙ୍ଗମାନେ ତାଙ୍କ ପାଖରୁ ଏହି ବିଦ୍ୟା ଶିକ୍ଷା କଲେ । ଜଡ଼ିବୁଟି ଓ ଗୁଣି ଗାରେଡ଼ି ପ୍ରତି ଜୁଆଙ୍ଗ ସମାଜରେ ତାକୁ ଏକାଧାରରେ ବୈଦ୍ୟ, ଜ୍ୟୋତିଷ ତଥା ଗୁଣିଆ କହନ୍ତି ଏବଂ ଅସାଧ୍ୟ ସାଧନ କରିବାର କ୍ଷମତା ତା’ ପାଖେ ରହିଛି ବୋଲି ସେମାନଙ୍କର ବିଶ୍ୱାସ । ଚାଷୀଆଣି ଦେବୀ ଓ ଚାଷୀ ଦେବତାଙ୍କୁ ସନ୍ତୁଷ୍ଟ କରି ରାଉରିଆ ଏହି ବିଦ୍ୟା ହାସଲ କରିଥାଏ ବୋଲି ଲୋକ ବିଶ୍ୱାସ ପ୍ରଚଳିତ । ଏତଦବ୍ୟତୀତ ଜୁଆଙ୍ଗ ସମାଜରେ ଅଣଆଦିବାସୀ ହିନ୍ଦୁ ସମାଜର ଆରାଧ୍ୟ ଦେବୀ ଦୁର୍ଗା, ଲକ୍ଷ୍ମୀ, ସୀତା ପ୍ରଭୃତିଙ୍କୁ ମଧ୍ୟ ପୂଜା କରାଯିବାର ପରିଲିକ୍ଷିତ ହୁଏ ।

 

ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସମାଜରେ ମଧ୍ୟ ମାଘ ପରବ ପାଳିତ ହୁଏ । ମକର ସଂକ୍ରାନ୍ତି ପରେ ମାଘପୂଜା ନକଲା ଯାଏ, ସାନ୍ତାଳମାନେ ଜଙ୍ଗଲ ବ୍ୟବହାର କରନ୍ତି ନାହିଁ । ଏହି ପୂଜା ପରେ ଯାଇ ସେମାନେ ଜଙ୍ଗଲରୁ କାଠ, ପତ୍ର, ଫଳ ଆଦି ସଂଗ୍ରହ କରନ୍ତି ତଥା ପୋଡ଼ୁଚାଷର ଶୁଭାରମ୍ଭ ହୁଏ । ସାମୂହିକ ଭାବେ ଗାଁ ଉପକଣ୍ଠରେ ଏହି ପୂଜା ହୁଏ । ଦେବୀଙ୍କୁ କୁକୁଡ଼ା ବଳି ଦିଆଯାଏ । ମାଘ ମାସରେ ଅନୁଷ୍ଠିତ ହେଉଥିବା ଆଦିବାସୀର ଅନ୍ୟାନ୍ୟ ଦେବୀପୂଜା ମଧ୍ୟରେ ମାଲକାନାଗିରି ଜିଲ୍ଲାର ମୁଦୁଲିପଡ଼ା ନିକଟସ୍ଥ ସୀତାକୁଣ୍ଡ ଯାତରା ଅନ୍ୟତମ । ପ୍ରବାଦ ଅଛି ଯେ ସୀତାକୁଣ୍ଡରେ ସୀତାଦେବୀ ସ୍ନାନ କରିଥିଲେ । ଏହି କୁଣ୍ଡର ପାଣି ଓ କୁଣ୍ଡରେ ପଡ଼ୁଥିବା ଝରଣାର ଜଳ କେବେହେଲେ ଶୁଖେ ନାହିଁ । କୁଣ୍ଡ ଉପରେ ପଥର ଚଟାଣ ଉପରେ ସୀତାଙ୍କ ଅଙ୍ଗୁଳି ଚିହ୍ନ ରହିଥିବାର ବିଶ୍ୱାସ ଅଦ୍ୟାପି ପ୍ରଚଳିତ । ପ୍ରତିବର୍ଷ ମାଘ ମାସର ପ୍ରଥମ ସୋମବାର ଦିନ ଏଠି ବଣ୍ଡାମାନେ ପର୍ବପାଳନ କରନ୍ତି । ବଲାଙ୍ଗିର, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ହୋ ସମାଜରେ ବସନ୍ତଋତୁରେ ବାହାବୋଙ୍ଗା ବା ବାବୋଙ୍ଗା ପରବ ପାଳିତ ହୁଏ ଓ ମୁଣ୍ଡା ସମାଜରେ ସରହୁଲ ପରବ ପାଳିତ ହୁଏ । ଏହି ସମୟରେ ଶାଳଗଛରେ ନୂଆ ହୋଇ ଫୁଲ ଫୁଟେ । ହୋ ସମାଜରେ ଲୋକେ ବସନ୍ତଋତୁରେ ହେଉଥିବା ଫଳ ଖାଆନ୍ତି ନାହିଁ କିମ୍ୱା ଖୋଷାରେ ଫୁଲ ଖୋଷନ୍ତି ନାହିଁ । ସେମାନଙ୍କର ବିଶ୍ୱାସ ଯେ, ପୂଜା ନକରି ନୂଆ ଫଳ ଓ ଫୁଲ ବ୍ୟବହାର କଲେ, ବଣର ହିଂସ୍ରଜନ୍ତୁମାନେ ଉପଦ୍ରବ କରନ୍ତି ତଥା ଘର ଭିତରକୁ ସାପ, ବିଛା ପ୍ରଭୃତି ବିଷାକ୍ତ ଧରଣର ଜୀବ ପ୍ରବେଶ କରନ୍ତି । ଭଞ୍ଜନଗର ନିକଟସ୍ଥ କୁଲାଡ଼ର ବ୍ୟାଘ୍ରଦେବୀ ମୂଳତଃ କନ୍ଧ ସମାଜର ଇଷ୍ଟଦେବୀ ରୂପେ ପରିଚିତା । ପ୍ରତିବର୍ଷ ଦୋଳଉତ୍ସବ ଦିନ କୁକୁଡ଼ା, ଛେଳି ଆଦି ବଳି ଅର୍ପଣ କରି ଦେବୀପୀଠରେ ଏକ ବିରାଟ ପରବ ପାଳିତ ହୁଏ । ଆଦିବାସୀ ଅଧ୍ୟୁଷିତ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହି ପର୍ବକୁ ଗୁଁଡ଼ିଖାଇ ବା ଖୁଁଡ଼ିଖିଆ ପରବ କହନ୍ତି । ଫଗୁଣ ମାସ ପୂର୍ଣ୍ଣମୀ ଦିନ ପାଳିତ ହେଉଥିବା ଏହି ପରବକୁ ନୂଆଖାଇ ଓ ପୁଷପୁନି ସଦୃଶ ପଶ୍ଚିମଓଡ଼ିଶାର ଏକ ଗଣ ପର୍ବ କହିଲେ ଭୁଲ ହେବନାହିଁ । ଉଦ୍ଦିଷ୍ଟଦିନ ଆମ୍ୱ, ଚାର, ମହୁଲ ପ୍ରଭୃତି ବନ୍ୟଜାତ ନୂଆଫଳ ସଂଗ୍ରହ କରାଯାଇ ନିଜ ନିଜ ଘରେ ଇଷ୍ଟଦେବୀଙ୍କ ପାଖେ ଭୋଗ ଲାଗେ । ଗାଁର ପ୍ରତ୍ୟେକ ପରିବାର ଏହି ଅବସରରେ ଝାଁକରକୁ ଯଥାଶକ୍ତି ସାହାଯ୍ୟ, ସହଯୋଗ କରନ୍ତି ଏବଂ ଗାଁର ଝାଁକର ଏହିଦିନ ନୂଆଫଳ ଆଣି ଗାଁ ଦେବୀଙ୍କୁ ପ୍ରଥମେ ଭୋଗ ଲଗାଏ । ଏହାକୁ ଗୁଁଡ଼ିଖିଆ ବା ଗୁଁଡ଼ିଖାଇ ପରବ କୁହାଯାଏ । ଏହି ପରିବ ପାଳନ କରାନଯିବା ଯାଏ କେହିହେଲେ ନୂଆ ଆମ୍ୱ, ଚାର କିମ୍ୱା ମହୁଲ ପ୍ରଭୃତି ବନ୍ୟଜାତ ଫଳ ଖାଆନ୍ତି ନାହିଁ । ମୂଳତଃ ଏହି ପର୍ବ ଆଦିବାସୀ ପର୍ବ ହେଲେ ହେଁ, କାଳକ୍ରମେ ଅଣଆଦିବାସୀ ହିନ୍ଦୁ ସମାଜ ମଧ୍ୟରେ ଏହା ବିଶ୍ୱାସର ସହିତ ପ୍ରସାରଲାଭ କରିଛି । ଆଦିବାସୀ ଓ ଅଣଆଦିବାସୀ ଧର୍ମ ସଂସ୍କୃତି ମଧ୍ୟରେ ଗୁଁଡ଼ିଖାଇ ପର୍ବ ସମନ୍ୱୟର ଏକ ପ୍ରକୃଷ୍ଟ ଉଦାହରଣ ଅଟେ । କେନ୍ଦୁଝର ତଥା ମୟୂରଭଞ୍ଜ ଜିଲ୍ଲାର ଭୂୟାଁ ସମାଜରେ ଆମ ନୂଆ ବା ଆମ୍ୱ ନୂଆଖାଇ ପର୍ବ ଫଗୁଣ ମାସରେ ପାଳିତ ହୁଏ । ଏଥିପାଇଁ ଦେହୁରୀ ଗୋଟିଏ ଶୁଭଦିନ ନିର୍ଣ୍ଣୟ କରନ୍ତି । ଉଦ୍ଦିଷ୍ଟ ଦିନ ଗାଁ ଦେବୀଙ୍କ ପାଖେ ଜାଉ ଓ ନୂଆ ଆମ୍ୱ ଭୋଗ ଲାଗେ । ତା’ପରେ ଯାଇ ଭୂୟାଁ ସମାଜରେ ଆମ୍ୱଫଳ ସେବନ ହୁଏ । ଠିକ୍ ସେହିପରି ସମ୍ୱଲପୁର,ସୁନ୍ଦରଗଡ଼,ବଲାଙ୍ଗୀର ଆଦି ଜିଲ୍ଲାରେ ବାସ କରୁଥିବା ଖଡ଼ିଆ ଳୋକମାନେ ଫଗୁଣ ମାସରେ ଆମ୍ୱ ତଥା ଅନ୍ୟାନ୍ୟ ନୂଆ ବନ୍ୟଜାତ ଫଳ ସଂଗ୍ରହ କରି ପୂଜା କରିବା ପରେ ଖାଇବା ଆରମ୍ଭ କରନ୍ତି ।

 

ବର୍ତ୍ତମାନ ସୁଦ୍ଧା ହୋଇଥିବା ଆଲୋଚନାରୁ ତିନୋଟି ସତ୍ୟ ଉଜାଗର ହୁଏ । ପ୍ରଥମତଃ ଓଡ଼ିଶାର ଆଦିବାସୀ ସମାଜରେ ଅମୂର୍ତ୍ତ ଦେବୀପୂଜା ହିଁ ପ୍ରାଧାନ୍ୟ ଲାଭ କରିଛି । କେଉଁଠି ପଥରକୁ ତ କେଉଁଠି ଡାଳ ଖଣ୍ଡିକୁ, କେଉଁଠି ବୃକ୍ଷମୂଳେ ତ କେଉଁଠି ପଥରଗାତ୍ରରେ ସିନ୍ଦୁର ବୋଳି, ଫୁଲ ଚାଉଳ ଅର୍ପଣ କରି ମୂର୍ତ୍ତିହୀନ ଅଥବା ଆକୃତି ଶୂନ୍ୟ ଦେବୀପୂଜା ପ୍ରଚଳିତ । ଦ୍ୱିତୀୟତଃ ବଳି ଦେବା, ମଦ ଅର୍ପଣ କରିବା ତଥା କାଳିଶି ଲାଗିବା ଆଦିବାସୀ ସମାଜରେ ପ୍ରଚଳିତ ଦେବୀପୂଜାରେ ଅଙ୍ଗୀକୃତ । ତୃତୀୟତଃ ଆଦିବାସୀର ଦେବୀପୂଜା କେବଳ ଆଦିବାସୀ ସମାଜରେ ଆବଦ୍ଧ ହୋଇ ରହିନାହିଁ, ଅଣଆଦିବାସୀ ତଥା ହିନ୍ଦୁ ଜାତିର ଲୋକଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି । ଅମୁଦା ଓ ଅନାବୃତ ଦେବୀର ଆସ୍ଥାନ କାହାପ୍ରତି ବାଛବିଚାର କରିନାହିଁ, ସମସ୍ତଙ୍କ ପାଇଁ ସର୍ବଦା ତା’ର ଦ୍ୱାର ଖୋଲା । ଅମ୍ଳାନ ହୃଦୟରେ ସେ ଆଦିବାସୀ ଓ ଅଣଆଦିବାସୀ ସମସ୍ତଙ୍କୁ ଆବୋରି ନେଇ ସମନ୍ୱୟର ସେତୁ ପ୍ରତିଷ୍ଠା କରି ସହାବସ୍ଥାନର ପୃଷ୍ଠଭୂମିକୁ ସୁଦୃଢ଼ କରିଛି ।

 

 

ସହକାରୀ ପ୍ରଶାସକ,

ଶ୍ରୀମନ୍ଦିର କାର୍ଯ୍ୟାଳୟ, ପୁରୀ ।

 

ସହାୟକ ଲେଖା

୧.

Dr. Chitrasen Pasayat, Tribe, Caste and Folkculture, Rawat Publications, Jaipur/Delhi 1998.

୨.

Dr. P.M Nayak, the Voice of Silence: Sonepur Durbar and Indian Cultural Traditions, Orissa Sahitya Akademi, Bhubaneswar, 2001.

୩.

ଡଃ ଚିତ୍ରସେନ ପଶାୟତ, ନୃତାତ୍ତ୍ୱିକ ଓ ସମାଜତାତ୍ତ୍ୱିକ ପ୍ରବନ୍ଧାବଳୀ, ଓଡ଼ିଆ ଗବେଷଣା ପରିଷଦ, କଟକ, ୧୯୯୯ ।

୪.

ଡଃ ବଂଶୀଧର ମହାନ୍ତି, ଓଡ଼ିଶାର ଆଦିବାସୀ ସଂସ୍କୃତି, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଭୁବନେଶ୍ୱର,୧୯୯୦ ।

୫.

ଭାଗୀରଥୀ ନେପାକ, ଓଡ଼ିଶାର ଆଦିବାସୀ ସମାଜ, କେ.କେ. ମିଶ୍ର ଏଣ୍ଡ କୋ, କଟକ,୧୯୮୪ ।

୬.

ଡଃ ମହେନ୍ଦ୍ର କୁମାର ମିଶ୍ର, ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ,୧୯୯୦।

 

***

 

ଲୋଧା: ସମାଜ – ଜୀବନ ଓ ସଂସ୍କୃତି

ନରେନ୍ଦ୍ରନାଥ ମହାପାତ୍ର

 

ଜୀବନରେ ଯୌବନ ଆସେ । ଶରୀରର ବିକାଶ ସାଙ୍ଗକୁ ମନରେ ସୃଷ୍ଟିହୁଏ ଅଫୁରନ୍ତ ଉନ୍ମାଦନା, ଅସରନ୍ତି କାମନା ବାସନାର ଜୁଆର, ଯୌବନ ସୁରଭିରେ ଉବୁଡ଼ୁବୁ ଲୋଧା କିଶୋରୀଟି ଉନ୍ମାନା ହୋଇ ଅଜ୍ଞାତରେ କେବେ କେବେ ଅବାଟରେ ପାଦ ଥାପିଦିଏ, ସତର୍କ ଭାବରେ । ଶୀତର ଶିଶିର କିନ୍ତୁ ରଖିଦିଏ ତା’ର ପଦଚିହ୍ନ । ମାଦଲର ତାଳେ ତାଳେ ରୋମାଞ୍ଚିତ ହୋଇଉଠେ ଲୋଧା ତରୁଣୀର ତନ ମନ । ଶିହରଣ ଖେଳିଯାଏ ତା’ର ସାରା ଶରୀରରେ । ମନର ଆଇନାରେ ଉଙ୍କିମାରନ୍ତି କେତେ କଳ୍ପନାର ରୂପବନ୍ତ ରାଜକୁମାର ।

 

ଲୋଧାମାନେ ଓଡ଼ିଶାରେ ବାସ କରୁଥିବା ଆଦିମ ଅଧିବାସୀଙ୍କ ମଧ୍ୟରୁ ଅନ୍ୟତମ ଜନଗୋଷ୍ଠୀ । ଏମାନେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲା ବାରିପଦା ମହକୁମା ଅନ୍ତର୍ଗତ ଅରଣ୍ୟାଞ୍ଚଳର ବିଭିନ୍ନ ସ୍ଥାନରେ ବାସ କରନ୍ତି । ପାର୍ଶ୍ୱବର୍ତ୍ତୀ ମେଦିନୀପୁର (ପ.ବଂଗ) ଜିଲ୍ଲାର ସଦର ଓ ଝାଡ଼ଗ୍ରାମ ମହକୁମାର ଅରଣ୍ୟାଞ୍ଚଳରେ ମଧ୍ୟ ଲୋଧାମାନଙ୍କର ବସତି ଥିବାର ଦେଖାଯାଏ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ମହକୁମା ଅଧୀନସ୍ଥ ବିଭିନ୍ନ ବ୍ଲକ ଯଥା- ଶୂଳିଆ ପଦା, ମୋରଡ଼ା, ବାରିପଦା, ବଡ଼ସାହି, ଖୁଣ୍ଟା, ଉଦଳା, ଶାମାଖୁଣ୍ଟା ଓ କପ୍ତିପଦା ବ୍ଲକର ବିଭିନ୍ନ ଗ୍ରାମରେ ଏମାନେ ବିଚ୍ଛିନ୍ନ ଭାବରେ ବାସ କରନ୍ତି । ବାରିପଦା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ଶୂଳିଆପଦା, ମୋରଡ଼ା, ବାରିପଦା, ଶାମାଖୁଣ୍ଟା ଓ ବଡ଼ସାହି ବ୍ଲକର୧୪ଗୋଟି ଗ୍ରାମ ଥିବାବେଳେ କପ୍ତିପଦା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ଉଦଳା, ଖୁଣ୍ଟା ଏବଂ କପ୍ତିପଦା ବ୍ଲକ୍‍ର କେତେକ ଲୋଧା ଗ୍ରାମ ଅବସ୍ଥିତ ।

 

ବାରିପଦା ମହକୁମାର ମୋଟ ଲୋକ ସଂଖ୍ୟା ୭,୦୬,୨୭୫ ଜଣ । (୧୯୮୧ ଜନସୁମାରୀ ଅନୁସାରେ) ଏ ମଧ୍ୟରୁ ଆଦିବାସୀଙ୍କ ସଂଖ୍ୟା ୩,୫୩,୭୧୫ ଜଣ । ଏହି ଆଦିବାସୀଙ୍କ ମଧ୍ୟରେ ସାନ୍ତାଳ, ଭୂମିଜ, ମୁଣ୍ଡା ଓ ଭୂୟାଁମାନେ ସଂଖ୍ୟାଧିକ । ଲୋଧା ଗୋଷ୍ଠୀର ମୋଟ ଲୋକସଂଖ୍ୟା ୨,୮୫୩ ଜଣ ।

 

ଭୌଗୋଳିକ ଅବସ୍ଥିତି :

ମୟୂରଭଞ୍ଜରେ ଲୋଧାମାନଙ୍କର ମୁଖ୍ୟ ଜନବସତି . ୬୫ ଓ . ୧୫ ଉତ୍ତର ଏବଂ . ୮୦ ଓ . ୧୦ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହାକୁ ଗ୍ରାମ ବାରିପଦା ସଦର ମହକୁମାରେ ଅନ୍ତର୍ଭୁକ୍ତ-

 

ଲୋଧା : ପ୍ରକୃତି ଓ ପ୍ରବଣତା :

ଅରଣ୍ୟ ଉପରେ ଚିରଦିନ ନିର୍ଭରଶୀଳ ଲୋଧାମାନେ ଶାନ୍ତିପ୍ରିୟ ଶିକାରୀ ଓ ଅରଣ୍ୟ ସଂପଦ ସଂଗ୍ରହକାରୀ ରୂପେ ଜୀବନ ଯାପନ କରୁଥିଲେ ।

 

ଇଂରେଜ ଶାସନ କାଳରେ ୧୯୧୬ ମସିହାରେ ପ୍ରବର୍ତ୍ତିତ ଆଇନ ବଳରେ ଲୋଧାମାନେ ଏକ ‘ଅପରାଧପ୍ରବୀଣ ଗୋଷ୍ଠୀ’ ରୂପେ ଚିହ୍ନିତ ହୋଇଥିଲେ । ସ୍ୱାଧୀନତା ଲାଭପରେ ଭାରତ ସରକାରଙ୍କ ଘୋଷିତ ‘କ୍ରିମିନାଲ ଟ୍ରାଇବସ୍ ଆକ୍ଟ ୧୯୫୨ ’ ଅନୁସାରେ ପୂର୍ବର ଘୋଷଣା ରଦ୍ଦ ହୋଇଅଛି । ‘‘ମଣିଷର ଅପରାଧ ପ୍ରବଣତା ଜନ୍ମଗତ କିମ୍ୱା ପୁରୁଷାନୁକ୍ରମିକ ନୁହେଁ, କିନ୍ତୁ ସାମାଜିକ ଉତ୍ଥାନ ପତନ ମଧ୍ୟରେ ଅରଣ୍ୟ ସଂପଦ ଉପରେ ଚିର ନିର୍ଭରଶୀଳ ଲୋଧାଗୋଷ୍ଠୀ ଏ ସବୁର ଅବକ୍ଷୟ କାଳରେ ନିଜର ଆର୍ଥିକ ସ୍ଥିତି ସମ୍ଭାଳିବାକୁ ଯାଇ ସମାଜର ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ ହୋଇପଡ଼ିଥିଲେ । ପୂର୍ବରୁ ଆଂଚଳିକ ଜମିଦାର, ସର୍ଦ୍ଦାର ଓ ସରକାରଙ୍କ ପ୍ରବର୍ତ୍ତିତ ନୀତି ଫଳରେ ଅଧିକ ଚାଷ ଜମି ଓ ନୂଆ ଜନବସତି ସ୍ଥାପନ ଉଦ୍ଦେଶ୍ୟରେ ଅବିଚାରିତ ଭାବରେ ଜଙ୍ଗଲ କ୍ଷୟ ଘଟିଥିଲା । ସମୟର ପରିବର୍ତ୍ତନ କ୍ରମେ ଶିକ୍ଷାର ପ୍ରସାର ଓ ସଭ୍ୟତାର ବିସ୍ତାର ସାଙ୍ଗକୁ ଅସାଧୁ ବ୍ୟବସାୟୀ, କର୍ମଚାରୀ, ଠିକାଦାରଙ୍କ କୁଚକ୍ରାନ୍ତ ଫଳରେ ଜଙ୍ଗଲ ସଂପଦ ସଂପୂର୍ଣ୍ଣ ନଷ୍ଟ ହୋଇଗଲା । ଫଳରେ ସେମାନଙ୍କର ଶାନ୍ତିପ୍ରିୟ ପାରଂପାରିକ ସାମାଜିକ ଜୀବନ ଓ ସାଂସ୍କୃତିକ ପରଂପରା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଲା ।

 

ଲୋଧା ସମାଜ :- ଗୋଷ୍ଠୀତତ୍ତ୍ୱ :

ନୋଧ, ଲୋଧ କିମ୍ୱା ଲୋଧା ନାମରେ ପରିଚିତ ଏହି ଆଦିମ ଜନଗୋଷ୍ଠୀ କେତେକଙ୍କ ମତରେ ସଂସ୍କୃତ ‘ଲୁବ୍‍ଧକ’ ଶବ୍ଦର ଅପଭ୍ରଂଶ ରୂପେ ‘ଲୋଧା’ ହୋଇଅଛି । ଆଲୋଚ୍ୟ ଆଦିମ ଜନଗୋଷ୍ଠୀର ଲୋକେ ମଧ୍ୟପ୍ରଦେଶ, ଓଡ଼ିଶାର ମୟୂରଭଞ୍ଜ, ପୂର୍ବତନ ବିହାର ପ୍ରଦେଶର ସିଂଭୂମ ଓ ପଶ୍ଚିମ ବଙ୍ଗଳାର ମେଦିନୀପୁର ଜିଲ୍ଲାର ମୁଖ୍ୟତଃ ବାସ କରୁଥିବାର ଦେଖାଯାଏ । ମଧ୍ୟପ୍ରଦେଶରେ ଏମାନେ ମୂଳତଃ ବାସ କରୁଥିଲେ ଓ ସେଠାରେ ପ୍ରଭୃତି ଭୂସଂପତ୍ତିର ଅଧିକାରୀ ରୂପେ ସମ୍ମାନ ଜନକ ‘ଠାକୁର’ ଉପାଧିରେ ଭୂଷିତ ହୋଇଥିବାର ଜଣାଯାଏ । ଲୋଧାମାନେ ନିଜକୁ କେତେବେଳେ ‘ଲୋଧା-ଖଡ଼ିଆ’, କେତେବେଳେ ‘ଲୋଧା- ଶବର’ ରୂପେ ଅଭିହିତ କରି ପୌରାଣିକ ଜାରାଶବର କିମ୍ୱଦନ୍ତୀର ସୁବିଖ୍ୟାତ ବିଶ୍ୱାବସୁ ଶବର ବଂଶଧର ଭାବରେ ପରିଚିତ କରାଇଥାନ୍ତି ।

 

ଲୋଧାମାନେ କେବଳ ନିଜଗୋଷ୍ଠୀ ମଧ୍ୟରେ ବିବାହ କରନ୍ତି । ସ୍ୱଗୋତ୍ରରେ ବିବାହ ନିଷିଦ୍ଧ । ବିବାହ ପରେ କନ୍ୟା ବର ଘରକୁ ଯାଇ ରହେ । ବିବାହ ପରେ କନ୍ୟା ପିତୃ ବଂଶର ଗୋତ୍ର ଓ ସାଙ୍ଗିଆ ପରିତ୍ୟାଗ କରି ସ୍ୱାମୀଙ୍କର ଗୋତ୍ର ଓ ସାଙ୍ଗିଆ ଗ୍ରହଣ କରେ ।

 

ଲୋଧା ଗୋଷ୍ଠୀର ଲୋକେ ନିରକ୍ଷର । ଆର୍ଥିକ ଓ ସାମାଜିକ ସ୍ତରରେ ଦୁର୍ବଳ ଓ ଅନୁନ୍ନତ-। ଲୋଧା ପୁରୁଷମାନେ ସାଧାରଣତଃ ଅଳସୁଆ ଓ କର୍ମକୁଣ୍ଠା । ସ୍ତ୍ରୀ ଲୋକେ କର୍ମଚଞ୍ଚଳ ଓ କଷ୍ଟସହିଷ୍ଣୁ । ଏମାନଙ୍କର ଶରୀରର ରଙ୍ଗ ପାଉଁଶିଆ କଳା, ଉଚ୍ଚତା ମଧ୍ୟମ, ଚକ୍ଷୁ ତୀକ୍ଷ୍‍ଣ, ଶରୀର ଦୃଢ଼ ଓ ପରିପୃଷ୍ଟ, ସ୍ୱାସ୍ଥ୍ୟବାନ ଅନୁଜ ଲମ୍ୱ ନାସିକ, ବଳବାନ୍ ପୌରୁଷର ଅଧିକାରୀ ।

 

ଲୋଧାଙ୍କର ନଅଗୋଟି ବଂଶ ଅଛି । ପ୍ରତ୍ୟେକ ବଂଶର ସ୍ୱତନ୍ତ୍ର ସାଙ୍ଗିଆ ଓ ଗୋତ୍ର ରହିଅଛି । ନିମ୍ନରେ ଏ ସବୁର ଏକ ତାଲିକା ପ୍ରଦତ୍ତ ହେଲା ।

 

ବଂଶଗୋତ୍ର ତାଲିକା

 

କ୍ର.ନଂ

ବଂଶର ନାମ ଓ ସାଙ୍ଗିଆ

ଗୋତ୍ର

୧.

ଭକ୍ତା/ଭୁକ୍ତା/ଭଗ୍‌ତା

ଚୁରକୀ ଆଳୁବୟାଁ ଆଳୁ

୨.

ମଳିକ/ମଲ୍ଲିକ

ମକର/ମଗର , ଶାଳମାଛ

୩.

କଟୁଆଳ/କଟାଳ/କୋଟାଳ

ଚନ୍ଦ୍ର ଏବଂ ଫିଡ଼ିଙ୍ଗ

୪.

ନାଏକ/ଲାଏକ/ଲାଇକ

ଶାଳମାଛ

୫.

ଦିଗର

କଛିମ (କଚିମ)

୬.

ପରମାଣିକ/ପ୍ରାମାଣିକ

ମାଣିକପକ୍ଷୀ

୭.

ଦଣ୍ଡପାଟ/ବାଘ

ବାଘ

୮.

ଆହଡ଼ି/ଆଡ଼ି/ପାହାଡ଼ି

ଚନ୍ଦାମାଛ

୯.

ଭୂୟାଁ/ଭୁଇୟାଁ

ଶାଳମାଛ

 

ପରିବାର :

ଲୋଧାମାନେ ସାଧାରଣତଃ ଛୋଟ, ମଧ୍ୟମ ଓ ଏକାନ୍ନବର୍ତ୍ତୀ/ବଡ଼ ପରିବାର ମଧ୍ୟରେ ଆବଦ୍ଧ ହୋଇଥାଆନ୍ତି । ଆର୍ଥିକ ସ୍ୱଚ୍ଛଳତା ଉପରେ ପରିବାରର ଆକାର ପ୍ରକାର ନିର୍ଭର କରିଥାଏ-। ଅଧିକାଂଶ କ୍ଷେତ୍ରରେ ପୁଅ ବିବାହ କଲାପରେ ସ୍ୱତନ୍ତ୍ର ଭାବରେ ରହେ । ଅବିବାହିତ ପୁଅଝିଅ ବାପା ମା’ଙ୍କ ସହିତ ରହନ୍ତି । ସଦସ୍ୟମାନଙ୍କ ଚାରିତ୍ରିକ ବୈଶିଷ୍ଠ୍ୟକୁ ବିଚାର କରି ପରିବାରର ପ୍ରକୃତି ନିମ୍ନମତେ ସ୍ଥିର କରାଯାଇଛି । ସେଗୁଡ଼ିକ ହେଲା : (୧) ବୁଢ଼ା ବାପା ମାଆ କିମ୍ୱା ବିବାହିତା ବିଧବା ଅଥବା ପିଲା ନଥିବା ସ୍ୱାମୀ ପରିତ୍ୟକ୍ତା କନ୍ୟା ସହ ରହୁଥିବା ପରିବାର (୨) ବାପା ମାଆଙ୍କ ପ୍ରଥମ ସ୍ତ୍ରୀର ସନ୍ତାନ ସନ୍ତତି ରହୁଥିବା ପରିବାର (୩) ଏକାଧିକ ସ୍ତ୍ରୀ ଓ ସେମାନଙ୍କର ସନ୍ତାନ ସନ୍ତତିଙ୍କ ସହ ରହୁଥିବା ପରିବାର ଓ (୪) ଏକାନ୍ନବର୍ତ୍ତୀ ପରିବାର ।

 

ଲୋଧାମାନେ ପିତୃଶାସିତ, ପିତୃକୈନ୍ଦ୍ରିକ ପରିବାରର ଅନ୍ତର୍ଭୁକ୍ତ । ପିତାହିଁ ପରିବାରର ମୁଖ୍ୟ ଭାବରେ ପରିଗଣିତ ହୋଇଥାଆନ୍ତି । ସେ ପରିବାରର ସମସ୍ତ ବିଷୟ ବୁଝାସୁଝା କରନ୍ତି । ପିତାଙ୍କ ମୃତ୍ୟୁ ପରେ ମାଆ କିମ୍ୱା ବଡ଼ଭାଇ ପରିବାରର ମୁଖ୍ୟ ଭାବେ ସମସ୍ତ ଦାୟିତ୍ୱ ବହନ କରନ୍ତି । ପରିବାରର ବାପାଙ୍କର ମାମୁଁଙ୍କ ସ୍ଥାନ ଘନିଷ୍ଟ ଓ ସମ୍ମାନ ଜନକ । ପରିବାର ମଧ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଏହାଙ୍କର ମତାମତ ଲୋଡ଼ାହୁଏ ।

 

ବୟସ ଓ ଲିଙ୍ଗ ଭେଦରେ ପରିବାର ମଧ୍ୟରେ ପୁରୁଷ ସ୍ତ୍ରୀଙ୍କର ସମ୍ମାନ ନିର୍ଦ୍ଦିଷ୍ଟ ହୋଇଥାଏ-। ବଢ଼ିଲା ପୁଅଝିଅମାନେ ବାପା ମାଆଙ୍କୁ, ଘରୋଇ କାମରେ ସାହାଯ୍ୟ କରିଥାନ୍ତି । ବିବାହଯୋଗ୍ୟା ଝିଅ ଉପରେ ମାଆର ସତର୍କ ନଜର ରହିଥାଏ । ପରିବାର ମଧ୍ୟରେ ଶାଶୁ, ବୋହୁ, ନଣନ୍ଦ ପ୍ରଭୃତି ପରସ୍ପର ମଧ୍ୟରେ ସୁ ସମ୍ପର୍କ ରହିଥାଏ ।
 

ଲୋଧା ସମାଜରେ ବିଭିନ୍ନ ବଂଶର ପରିବାରଗୁଡ଼ିକ ମଧ୍ୟରେ ସାହାଯ୍ୟ ସହଯୋଗ ଓ ଭ୍ରାତୃଭାବ ପ୍ରତିଷ୍ଠିତ ହୋଇଥାଏ । ଲୋଧାମାନେ ସେମାନଙ୍କର ଆନନ୍ଦ ଉତ୍ସବ, ଦୁଃଖ ଦୁର୍ବିପାକ ସମସ୍ତ ନିଜ ଗୋଷ୍ଠୀ ମଧ୍ୟରେ ସମୂହ ଭାବରେ ଭୋଗ କରନ୍ତି । ସମାଜରେ ବିଭିନ୍ନ ପ୍ରକାରର ଆନୁଷ୍ଠାନିକ ବନ୍ଧୁତ୍ୱର ସଂପର୍କ ପ୍ରତିଷ୍ଠିତ ହୁଏ । ନିଜର ରକ୍ତଗତ ଓ ଦୂର ସଂପର୍କୀୟ ବନ୍ଧୁ ବ୍ୟତୀତ ସମାଜର ବିଭିନ୍ନ ଗୋଷ୍ଠୀ ଓ ଜାତିର ଲୋକଙ୍କ ସହିତ ସୂର୍ଯ୍ୟ ମୈତ୍ର, ଧର୍ମର (ପୁଅ, ଝିଅ, ଭାଇ, ଭଉଣୀ, ସଖା, ସଙ୍ଗାତ, ଶ୍ୱଶୁର, ଶାଶୁ, ବାପ, ମାଆ ପ୍ରଭୃତି) ସଂପର୍କ ପ୍ରତିଷ୍ଠିତ ହୋଇଥାଏ । ଏ ପ୍ରକାର ବନ୍ଧୁତ୍ୱ ସାଧାରଣତଃ ଅର୍ଥନୈତିକ ଓ ଧାର୍ମିକ ପ୍ରୟୋଜନ ଭିର୍ତ୍ତିରେ ଗଢ଼ିଉଠେ ।

 

ବାସଗୃହ :

ଆଗରୁ ଲୋଧାମାନେ ସାଧାରଣତଃ ଜଙ୍ଗଲ ଭିତରେ ଝାଟିମାଟିର ‘ଭୁଗୁଡ଼ା’ ଘରେ ରହୁଥିଲେ । ଜଙ୍ଗଲରୁ ଡାଳ, ଝାଟି, ବାଉଁଶ ପ୍ରଭୃତି ଆଣି ଲମ୍ୱ ଭାବରେ ଠିଆ କରାଇ ପୋତି ବାନ୍ଧି ମାଟି କାଦୁଅରେ ଲିପି କାନ୍ଥ କରୁଥିଲେ । କେତେକଙ୍କ ଘର ଚାରିକୋଣିଆ ମାଟିକାନ୍ଥରେ ତିଆରି । ପ୍ରଥମେ ମାଟିରେ କାନ୍ଥ ଉଠାଇ ଦିଆଯାଏ । ପରେ ଘରର ଥାଟ ତିଆରି ହୁଏ । ମଜଭୁତ ଶକ୍ତ କାଠ ଖଣ୍ଡିଏ ଲମ୍ୱ ଭାବରେ ପକାଇ ଦେଇ ଠେଲା ପେଲା ସାହାଯ୍ୟରେ ମୁର୍ଦ୍ଧନି ରଖାଯାଏ । ମୁର୍ଦ୍ଧନୀରୁ ବାଉଁଶ କିମ୍ୱା ଶାଳ ପ୍ରଭୃତି ବିଭିନ୍ନ କାଠ ଗଜା ତଳକୁ ଲମ୍ୱ ଭାବରେ ପକାଇ ଦେଇ ବୋବେଇ ଦଉଡ଼ିରେ ବାନ୍ଧି ଦିଅନ୍ତି । ପରେ ଝାଟି, ବାଉଁଶ, କଣି, ବତା ପ୍ରଭୃତି ବାନ୍ଧି ଥାଟ ସଂପୂର୍ଣ୍ଣ କଲାପରେ ବଣୁଆ ଲମ୍ୱ ଘାସ କିମ୍ୱା କୁଟାରେ ଛାଇ ଛପର କରିଥାନ୍ତି । ଏପରି ଘର ଗୁଡ଼ିକର କୌଣସି ନିର୍ଦ୍ଦଷ୍ଟ ଆକାର ପ୍ରକାର ନଥାଏ । ଝରକା ନଥାଏ । ଦ୍ୱାର ପାଇଁ କବାଟ ନଥାଏ । ଆବଶ୍ୟକ ଅନୁସାରେ ପାଇଲେ ନିର୍ମିତ ପଟିଆ କିମ୍ୱା ଝାଟି, କଣିରେ ନିର୍ମିତ ତାଟି ଦ୍ୱାର ଢଙ୍କେଇ ଦିଆଯାଏ । ଆଗକୁ ଅଣଓସାରିଆ ପିଣ୍ଡାଥାଏ । ମାଟିରେ ଗୋବର ମିଶାଇ ଲିପାହୁଏ । ଘରେ ଗୋଟିଏ ମାତ୍ର କୋଠରୀ ଥାଏ । ଏହି ପ୍ରକାର ‘ଭୁଗୁଡ଼ା’ ଘରେ ଲୋଧାମାନେ ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ଜୀବନ ବିତାଇ ଦିଅନ୍ତି । ପରିବାରର ସମସ୍ତ ଆନୁଷ୍ଠାନିକ କାର୍ଯ୍ୟ ଏଇ ଘରେ ସଂପର୍ଣ୍ଣ ହୋଇଥାଏ ।

 

ଘର ଭିତରେ ଚୁଲି । ଚୁଲି ପାଖରେ ମାଟିର ଗୋଟିଏ ଉଚ୍ଚ ସ୍ଥାନ । ଏହା ‘ଈଶାଣ ଥାନ’ ଏଠାରେ ଭାତ ହାଣ୍ଡି ରଖାଯାଏ । ଏହା ଅତ୍ୟନ୍ତ ପବିତ୍ର ସ୍ଥାନ । ଏଠାରେ ପୂର୍ବ ପୁରୁଷଙ୍କ ଆତ୍ମାର ନିରନ୍ତର ଅବସ୍ଥାନ,ବିଶ୍ୱାସ ।

 

ବୈବାହିକ ସ୍ଥିତି :

ଲୋଧା ସମାଜରେ ସାଧାରଣତଃ ଚାରିପ୍ରକାର ବୈବାହିକ ସ୍ଥିତି ଦେଖାଯାଏ । ସେଗୁଡ଼ିକ :- (୧) ଅବିବାହିତ (୨) ବିବାହିତ (୩) ବିଧବା ଏବଂ (୪) ପରିତ୍ୟକ୍ତ (ଛାଡ଼ରା) । ଏମାନଙ୍କ ସମାଜରେ ବାଲ୍ୟ ବିବାହ, ବିଧବା ବିବାହ ଓ ବହୁ ବିବାହ ପ୍ରଥା ପ୍ରଚଳିତ ।

 

ଗୃହପାଳିତ ପଶୁପକ୍ଷୀ : ଲୋଧାମାନେ ଗୋରୁ, ଛେଳି, କୁକୁଡ଼ା, ଘୁଷୁରି ପ୍ରଭୃତି ପାଳନ କରିଥାନ୍ତି । ସେମାନେ ଏସବୁର କ୍ଷୀର, ମାଂସ, ଅଣ୍ଡା ପ୍ରଭୃତି ଖାଇବା ସହ ପୂଜାର୍ଚ୍ଚନା ଓ ବନ୍ଧୁ ଚର୍ଚ୍ଚାରେ ବ୍ୟବହାର କରିଥାନ୍ତି । କୌଣସି ବିପଦ ଆପଦରେ ରଖିଥିବା ପଶୁପକ୍ଷୀଙ୍କୁ ବିକ୍ରି କରି ଜରୁରୀ ଆବଶ୍ୟକ ଖର୍ଚ୍ଚ ତୁଲାଇଥାନ୍ତି ।

 

ଖାଦ୍ୟପେୟ :

ଲୋଧାମାନେ ସାଧାରଣତଃ ଦିନରାତି ମିଶି ଦୁଇଥର ଖାଆନ୍ତି । ଛୋଟ ପିଲାମାନେ ସାରାଦିନ ୪ଥର ଖାଇଥାନ୍ତି । ବଡ଼ମାନେ ଦିନରେ ଦୁଇଥର ଭାତ ଖାଆନ୍ତି । ରାତିରେ ଖାଆନ୍ତି ନାହିଁ । ସକାଳ ୮/୯ ଟା ବେଳକୁ ପଖାଳ ଭାତ କିମ୍ୱା ତୋରାଣି ଭାତ ସହିତ ଲଙ୍କା, ଳୁଣ, ବାସି କିମ୍ୱା ସଜ ତରକାରୀ ପ୍ରଭୃତି ଖାଆନ୍ତି । ଉପର ଓଳି ପ୍ରାୟ ୫ଟା ବେଳକୁ ଗରମ ଭାତ ସହିତ ମାଛ, ମାଂସ, ଶାଗ ଓ ପନିପରିବା ତରକାରି ଖାଆନ୍ତି । ଛୋଟ ପିଲାମାନଙ୍କୁ ବଣରୁ ସଂଗୃହିତ ଆଳୁ ପ୍ରଭୃତି ସିଝେଇ ପୋଡ଼ି ଖାଇବାକୁ ଦିଆଯାଏ । ଲୋଧା ପୁରୁଷ ଖାଇସାରି କିଛି ମଦ ପିଇଥାଏ । ମାଂସ ପ୍ରିୟ ଲୋଧା ଶିକାର କରି ମାଂସ ସଂଗ୍ରହ କରନ୍ତି । ପାଖ ବନ୍ଧ, ଖାଇ, ନାଳରୁ ମାଛ ଧରନ୍ତି । ଅନେକଙ୍କ ବାଡ଼ି ବଗିଚାରେ କଦଳୀ, ଅମୃତଭଣ୍ଡା, ବାଇଗଣ, ଶଜନା ଗଛ ଲଗା ଯାଇଥାଏ । ବର୍ଷାଋତୁରେ ମିଳୁଥିବା ବିଭିନ୍ନ ପ୍ରକାର ଛତୁପୋଡ଼ି, ଭାଜି, ତରକାରି କରି ଖାଇଥାନ୍ତି । ବିଭିନ୍ନ ଋତୁରେ ମିଳୁଥିବା ପାଚିଲା ଫଳ ଯଥା- ମହୁଲ, ଚାର, ଆମ୍ୱ ପ୍ରଭୃତି ଖାଇ ଭୋକ ମେଣ୍ଟାଇ ଥାଆନ୍ତି ।

 

ଲୋଧାମାନେ ମୂଢ଼ି ଭଜା ଜାଣନ୍ତି ନାହିଁ । ଚାଷୀ ଲୋଧାମାନଙ୍କ ଘରେ ବେଳେବେଳେ ମୁଢ଼ି ଭାଜିଥାନ୍ତି ।

 

ଲୋଧାମାନେ ହାଣ୍ଡିଆ, ମହୁଲି, ଗଂଜେଇ, ଅଫିମ, ଦୁସ୍ତା, ଖଇନି, ଶାଳପତ୍ର, ବିଡ଼ି ପ୍ରଭୃତି ପାନ କରନ୍ତି । ସମୟ ସମୟରେ ସିଗାରେଟ୍ ଟାଣିବା ଓ ପାନ ଖାଇବାର ଦେଖାଯାଏ ।

 

ପୋଷାକ :

ଲୋଧା ପୁରୁଷମାନେ ଅଳ୍ପ ଲୁଗା ବ୍ୟବହାର କରିଥାନ୍ତି । ଘରେ ରହିଲେ ଲୁଙ୍ଗି ଗେଞ୍ଜିରେ ଚଳେ । ଶୀତ ଦିନରେ ମୋଟା ଚଦର ଘୋଡ଼େଇ ହୁଅନ୍ତି । ଗରମ ଦିନରେ ଗାମୁଛା ଦରକାର ହୁଏ-। କେହି କେହି ଧୋତି, ଗଞ୍ଜି, ଜାମା ପିନ୍ଧନ୍ତି । ସ୍କୁଲ ଯାଉଥିବା ପୁଅ ଝିଅ ଜାମା, ପ୍ୟାଣ୍ଟ, ଫ୍ରକ୍ ପିନ୍ଧନ୍ତି । ଚାକିରିଆ ଲୋକେ ଆଧୁନିକ ପ୍ରୟୋଜନ ପୋଷାକ ପିନ୍ଧନ୍ତି । ଲୋଧା ସ୍ତ୍ରୀ ଲୋକେ ଶାଢ଼ି ସାୟା, ବ୍ଲାଉଜ ପିନ୍ଧନ୍ତି । ବଢ଼ିଲା ଝିଅମାନେ ଫ୍ରକ୍, ଶାଢ଼ୀ ପିନ୍ଧନ୍ତି ।

 

ଆଗରୁ ଲୋଧା ବୟସ୍କ ପୁରୁଷ ଦୁଇଖଣ୍ଡ କୌପିନ ବ୍ୟବହାର କରୁଥିଲେ । ସାତ/ଆଠ ବର୍ଷର ପୁଅ ଝିଅମାନେ ଲଙ୍ଗଳା ରହୁଥିଲେ । ଅପେକ୍ଷାକୃତ ବଡ଼ଝିଅମାନେ ଅନେକ ସମୟରେ କୌପୀନ ମାରି ଅଣ୍ଟାଠାରୁ ଛାତି ଉପର ଦେଇ କାନ୍ଧ ପର୍ଯ୍ୟନ୍ତ ମୋଟା ଲୁଗା ପକାଉଥିଲେ ।

 

ଅଳାଙ୍କାର :

ଲୋଧା ସ୍ତ୍ରୀମାନେ ଅଳଙ୍କାର ପ୍ରିୟ । ସେମାନେ ହାତରେ କାଚର ଚୁଡ଼ି, ପ୍ଲାଷ୍ଟିକ ବଳା, ଲୁହା ପିତଳ କତୁରୀ, ପ୍ଲାଷ୍ଟିକ ଶଙ୍ଖା ପିନ୍ଧୁଥିବାର ଦେଖାଯାଏ । ବାହୁରେ ତମ୍ୱା କିମ୍ୱା ଷ୍ଟିଲ ନିର୍ମିତ ଡେଉଁରିଆ, ନାକ କାନରେ ଫୁଲ, ରିଙ୍ଗ, ଗଳାରେ ରୂପାହାର, କଣ୍ଠି, କାଚ, ପୋହଳାର ମାଳ ପିନ୍ଧନ୍ତି-। ଗୋଡ଼ରେ ପାଉଁଜି, ଝୁଣ୍ଟିଆ, ହାତରେ ମୁଦି ପ୍ରଭୃତି ଅଳଙ୍କାର କେତେକ ବଡ଼ଚାଷୀ କିମ୍ୱା ଚାକିରିଆ ଲୋଧା ଘରର ସ୍ତ୍ରାଲୋକେ ପିନ୍ଧିଥିବାର ଦେଖାଯାଏ ।

 

ଲୋଧା ସ୍ତ୍ରୀ ଲୋକେ ସାଧାରଣତଃ ମଥା କୁଣ୍ଡେଇ ବେଣୀ/ଗଭା କରନ୍ତି । ମଥାରେ ମଥାକଣ୍ଟା ଓ ଫିତାର ବ୍ୟବହାର ଦେଖାଯାଏ । ଏମାନେ ଶରୀରର ବିଭିନ୍ନ ସ୍ଥାନରେ ଚିତା କୁଟାଇଥାନ୍ତି ।

 

ଲୋଧାଙ୍କ ମଧ୍ୟରେ ନାଏକ, ଆହାଡ଼ି/ଗାହାଡ଼ି/ଆରି ସଂଜ୍ଞାଧାରୀ ବଂଶର ଲୋକେ ଶଙ୍ଖା ପିନ୍ଧନ୍ତି ନାହିଁ । ନିଷେଧ ନମାନି ପିନ୍ଧିଲେ ହିଂସ୍ର ଜନ୍ତୁଙ୍କ କବଳରେ ପଡ଼ି ମୃତ୍ୟୁବରଣ କରିବାର ବିଶ୍ୱାସ ପ୍ରଚଳିତ । ବର୍ତ୍ତମାନ ଏଥିରେ କେତେକ ବ୍ୟତିକ୍ରମ ଦେଖାଯାଉଛି ।

 

ଆସବାବପତ୍ର :

ଘରେ ବିଛେଇବା ପାଇଁ ପାଳର ପଟିଆ ଓ ଦଉଡ଼ିଆ ଖଟ ଖଣ୍ଡେ ଦୁଇଖଣ୍ଡ ରହିଥାଏ । କାହାରି କାହାରି ଘରେ ଏବେ ସପ ମସିଣା ଥିବାର ଦେଖାଯାଏ । ଚାକିରିଆ ଲୋଧାଙ୍କ ଘରେ କାଁଭାଁ ଟେବୁଲ ଚୌକି ଥିବାର ଦେଖାଯାଏ ।

 

ରାନ୍ଧିବା ପାଇଁ ମାଟି ହାଣ୍ଡି, ଆଲୁମିନିୟମ ଡେକ୍‌ଚି, ଲୁହା କଡ଼େଇ, ଚଟୁ, କଂସା, ପିତଳ, ଷ୍ଟିଲ ବାସନ, ଘଟି, ଗ୍ଲାସ, ଟିଣ ବାଲ୍‌ଟି, ପ୍ଲାଷ୍ଟିକ ମଗ, କାଠ ଓ ପ୍ଲାଷ୍ଟିକ ପାନିଆ, ଶିଳ ଶିଳପୁଆ ପ୍ରଭୃତି ବ୍ୟବହାର କରୁଥିବାର ଦେଖାଯାଏ ।

 

ଧାନ ରଖିବା ପ୍ରଭୃତି କାର୍ଯ୍ୟ ପାଇଁ ବାଉଁଶ ଝଙ୍କା ପାଛିଆ ବ୍ୟବହୃତ ହୁଏ । କାଠ ହାଣିବା, ମାଟି ଖୋଳିବା ପାଇଁ କୁରାଢ଼ି, କୋଦାଳ ଓ ଖଣତିର ବ୍ୟବହାର ହୁଏ ।

 

ଚାଷୀ ଲୋଧାମାନେ ହଳ ପ୍ରଭୃତି କୃଷି ଉପକରଣ ରଖିଥାନ୍ତି । ଧାନ କୁଟିବା ପାଇଁ ଢିଙ୍କି, ଘର ଓଳେଇବା ପାଇଁ ଛାଡ଼ୁ, ଛାଞ୍ଚୁଣୀ, ପହଁରା ବ୍ୟବହୃତ ହୁଏ ।

 

ବିଶ୍ୱାସ:

ଲୋଧାମାନେ ପଡେ଼ୋଶୀ ହିନ୍ଦୁ ଜାତିର ଲୋକଙ୍କ ପରି ଭୌତିକ, ଐନ୍ଦ୍ରଜାଲିକ ଓ ଆଧ୍ୟାତ୍ମିକ ଶକ୍ତିରେ ବିଶ୍ୱାସ କରନ୍ତି । ସେମାନେ ପୂର୍ବପୁରୁଷଙ୍କ ଆତ୍ମାର ଅବସ୍ଥାନ ସମ୍ପର୍କରେ ମଧ୍ୟ ବିଶ୍ୱାସ କରନ୍ତି । ଆତ୍ମାମାନେ ଅଶରୀର ହେଲେହେଁ ପ୍ରୟୋଜନ ଅନୁସାରେ ଇଛାନୁରୂପ ରୂପ ଗ୍ରହଣ କରିପାରନ୍ତି ବୋଲି ବିଶ୍ୱାସ ।

ଭୂତ, ପ୍ରେତ, ଯୋଗିନୀମାନେ ଅଶରୀରୀ । ଡାହାଣୀମାନେ ଶରୀରଧାରୀ । ଏମାନେ ମଣିଷ ଜୀବନର କ୍ଷତିସାଧନ କରନ୍ତି । ଦେବଦେବୀ ଓ ପୂର୍ବପୁରୁଷଙ୍କ ଆତ୍ମାମେନ ଅଶରୀରୀ । ଏମାନେ ମଣିଷ ଜୀବନର ମଙ୍ଗଳ ସାଧନ କରନ୍ତି । ପୂଜାର୍ଚ୍ଚନାରେ ବ୍ୟତିକ୍ରମ ହେଲେ ଗ୍ରାମରେ ଅନ୍ୟାୟ ଅନୀତି ହେଲେ ଦେବଦେବୀମାନେ ବିଭିନ୍ନ ରୋଗ/ ମହାମାରୀ ସୃଷ୍ଟି କରନ୍ତି । ପୂଜାର୍ଚ୍ଚନା କରି ବଳି ପ୍ରଦାନ କଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି ଓ ଗ୍ରାମରୁ ରୋଗ ଓ ମହାମାରୀର ଭୟ ଦୂର ହୁଏ । ଦେବଦେବୀଙ୍କର ବାହନ, ଚର, ଅନୁଚର ରହିଥାଏ । ଏମାନେ ସନ୍ତୁଷ୍ଟ ନ ହେଲେ ଗୋଷ୍ଠୀ ଜୀବନର ପ୍ରଭୃତ କ୍ଷତିସାଧନ କରନ୍ତି । ଗ୍ରାମରେ ବସନ୍ତ, ମିଳିମିଳା, ହଇଜା ପ୍ରଭୃତି ରୋଗ ବ୍ୟାପେ-

 

ଭୂତ, ପ୍ରେତ, ଯୋଗିନୀ, ଚିରଗୁଣ୍ଡା, ଡାହାଣୀମାନଙ୍କ କୁଦୃଷ୍ଟି ପ୍ରତିହତ କରିବା ପାଇଁ ଲୋଧା ସମାଜରେ ଓଝା/ଗୁଣୀ ରହିଥାନ୍ତି । ସେମାନେ ଅନେକ ପ୍ରକାର ମନ୍ତ୍ର ତନ୍ତ୍ର ଯନ୍ତ୍ର ଶିକ୍ଷା କରି ଏସବୁର ପ୍ରୟାଗରେ ସିଦ୍ଧ ହୋଇଥାନ୍ତି । ଦେବଦେବୀଙ୍କ ସନ୍ତୁଷ୍ଟି ନିମନ୍ତେ ଦେହୁରି ରହିଥାନ୍ତି । ସାମାଜିକ ପର୍ବପର୍ବାଣୀରେ ସେ ‘ଥାନ’ରେ ପୂଜା କରନ୍ତି ।

 

ଦେବଦେବୀଙ୍କ ଭୂତପ୍ରେତ ଡାହାଣୀ ପ୍ରଭୃତିଙ୍କ ବ୍ୟତୀତ ଲୋଧାମାନେ ଅନେକ ‘ବୀର’ମାନଙ୍କଠାରେ ବିଶ୍ୱାସ ସ୍ଥାପନ କରନ୍ତି । ଏହି ବୀରମାନେ ଅସାଧ୍ୟ ସାଧନ କରିପାରନ୍ତି । ଓଝା/ଗୁଣୀ ଏମାନଙ୍କୁ ମନ୍ତ୍ରଦ୍ୱାରା ବଶୀଭୂତ କରି ଆବାହନ କରନ୍ତି ଓ ଅଭୀଷ୍ଟ ପୂରଣ ନିମନ୍ତେ କାର୍ଯ୍ୟରେ ଳଗାନ୍ତି । ଲୋଧାମାନେ ଏହିପରି ଅନେକ ଅଶରୀରୀ ଆତ୍ମାର ବିଶ୍ୱାସ କରୁଥିଲେ ହେଁ ସେମାନେ ସର୍ବଶକ୍ତିମାନ ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ତଥା ଆସ୍ଥା ସ୍ଥାପନ କରନ୍ତି ।

 

ବିଭିନ୍ନ ଜନଗଣନା ରିପୋର୍ଟ ଓ ଜିଲ୍ଲା ଗେଜେଟିଅର୍ସମାନଙ୍କରେ ଲୋଧାମାନେ ହିନ୍ଦୁରୂପେ ଚିହ୍ନିତ ହୋଇଥିଲେ ହେଁ ହିନ୍ଦୁ ସମାଜ-ଜାତିଗତ ବିଭାଗୀକରଣରେ ସେମାନଙ୍କର ସ୍ଥାନ ଚିହ୍ନିତ ହୋଇଥିବାର ଜଣାଯାଏ ନାହିଁ । ତେବେ ଲୋଧାଙ୍କର ସାମାଜିକ ରୀତିନୀତି ବିଚାର ବ୍ୟବହାର ଖାଦ୍ୟପେୟ ପ୍ରଭୃତିରୁ ସେମାନେ ହିନ୍ଦୁଧର୍ମ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିବାର ଜଣାଯାଏ । ଏମାନେ ବୈଷ୍ଣବ ଧର୍ମ ବିଶ୍ୱାସରେ ଅଧିକ ପ୍ରଭାବିତ ହୋଇଥିବାରୁ ଜଣାଯାଏ । ଏମାନେ ବୈଷ୍ଣବ ଧର୍ମ ବିଶ୍ୱାସରେ ଅଧିକ ପ୍ରଭାବିତ ହୋଇଛନ୍ତି । ବସୁମାତା, ଧର୍ମଦେବତା, ବୃକ୍ଷ ଓ ପଥର ପୂଜା ପ୍ରଭୃତିରୁ ପ୍ରକୃତି ଉପାସନାର ପ୍ରମାଣ ମିଳେ । ଶବ ସତ୍କାର ସାରି ଫେରିବା ବାଟରେ ଅଶ୍ୱତ୍ଥ ବୃକ୍ଷ କୁଣ୍ଢେଇବା ପ୍ରଥାରୁ ବୌଦ୍ଧଧର୍ମର ପ୍ରଭାବ ସଂପର୍କରେ ସୂଚନା ମିଳେ । ଶୀତଳା, ମନସା, ଚଣ୍ଡୀଙ୍କ ପୂଜା ଉପାସନା ସହିତ ବିଭିନ୍ନ ମନ୍ତ୍ରତନ୍ତ୍ର ଯନ୍ତ୍ର ଓ ଗୁଣି ଗାରେଡ଼ି ପ୍ରୟୋଗ ପ୍ରଭୃତିରୁ ଶାକ୍ତଧର୍ମ ଓ ସହଜିଆ ବୌଦ୍ଧଧର୍ମର ପ୍ରଭାବ ବିଷୟରେ ପ୍ରମାଣ ମିଳେ ।

 

ଲୋଧାମାନେ ହିନ୍ଦୁଧର୍ମର ଅନେକ ମୁଖ୍ୟ ଦେବଦେବୀଙ୍କୁ ପୂଜା କରନ୍ତି । ହିନ୍ଦୁ ଧର୍ମଧାରଣା ମଧ୍ୟ ଦେଇ ଏ ସମାଜରେ ସାଂସ୍କୃତିକ ଧାରା ପ୍ରବାହିତ ହେଉଥିବାର ପରିଲକ୍ଷିତ ହୁଏ-

 

ପର୍ବପର୍ବାଣି ନାଚଗୀତ:

ବର୍ଷସାରା ଲୋଧାମାନେ ଅନେକ ପରବ/ପର୍ବାଣି ପାଳନ କରନ୍ତି । ତନ୍ମଧ୍ୟରୁ ଛତୁଆ, ରଜ, ବାନ୍ଧ୍‍ଣା ଓ ମକର ପରବ ପ୍ରଧାନ । ଛତୁଆରେ ବଡ଼ାମ/ଗରାମଙ୍କୁ, ରଜରେ ବାସୁକି ବସୁମାତାଙ୍କୁ, ବାନ୍ଧଣାରେ କାଳୀଙ୍କୁ ଓ ମକରରେ ଧର୍ମ ଦେବତାଙ୍କ ସହିତ ଟୁସୁ ପୂଜା ଅନୁଷ୍ଠିତ ହୁଏ-। ଏତଦ୍‌ବ୍ୟତୀତ କେତେକ ଲୋଧା ଓ ଗ୍ରାମର କରମା ପୂଜା ମଧ୍ୟ ଅନୁଷ୍ଠିତ ହୁଏ ।

 

ପ୍ରତ୍ୟେକ ପର୍ବରେ ଲୋଧାମାନେ ନାବଗୀତରେ ମାତି ଯାବନ୍ତି । ସେମାନେ ମୁଖ୍ୟତଃ ଚାଙ୍ଗୁ, ଟୁସୁ, କାଠି, କରମ ଓ ଛଉ ନାଚ ନାଚନ୍ତି । କେଉଁଠି କେଉଁଠି ସଖୀନାଚର ମଧ୍ୟ ପ୍ରଚଳନ ରହିଅଛି । ଶୀତଳ ମା’ଙ୍କର ବାର୍ଷିକ ପରବରେ ଚାଙ୍ଗୁନାଟ ଅନୁଷ୍ଠିତ ହୁଏ । ବାନ୍ଧଣା ପର୍ବରେ ଚାଷୀ ଲୋଧାମାନେ ଗୋରୁ ନଚାନ୍ତି । ଟୁସୁ ପରବରେ ଟୁସୁ ମୂର୍ତ୍ତି ଧରି ଲୋଧା ଯୁବତୀ ଝିଅ ବୋହୂମାନେ ନିଜ ଗାଁ, ପାଶ୍ୱବର୍ତ୍ତୀ ଗାଁମାନଙ୍କରେ ନାଚକରି ଗୀତ ଗାଇ ମାଗଣ କରନ୍ତି । ଛତୁଆ ପରବରେ ଲୋଧାମାନେ ଛଉ ନାଚନ୍ତି ।

 

ଗୋଷ୍ଠୀର ସାମୂହିକ ପୂଜା ପରବରେ ଅନୁଷ୍ଠିତ ହୁଏ । ବାର୍ଷିକ ବଡ଼ାମ କିମ୍ୱା ଶୀତଳା ପୂଜା ପ୍ରଭୃତି ସାମାଜିକ/ଧର୍ମୀୟ ଅନୁଷ୍ଠାନ ସମୟରେ ନାଚ ଅନୁଷ୍ଠିତ ହୁଏ । ଅତିକମ୍‌ରେ ୩/୪ ଜଣ ନୃତ୍ୟକାରୀ ମିଶି ନାଚଦଳଟିଏ ଗଠିତ ହୋଇଥାଏ । ଛଉ ନାଚରେ ଅଧିକ ଲୋକଙ୍କର ଆବଶ୍ୟକ ହୁଏ ।

 

ବିବାହ:

ଲୋଧା ଗୋଷ୍ଠୀର ପୁଅଝିଅମାନେ ବିବାହ ଯୋଗ୍ୟ ବୟସରେ (ସାଧାରଣତଃ ପୁଅର ବୟସ ୨୦/୨୫ ଓ କନ୍ୟାର ବୟସ ୧୫/୨୦ ବର୍ଷ) ବିବାହ କରନ୍ତି । ବିବାହ ପରେ କନ୍ୟା ବରଘରକୁ ଆସେ ଓ ସେଠାରେ ଅବଶିଷ୍ଟ ସମସ୍ତ ଜୀବନ କଟାଇଥାଏ । ଲୋଧା ସମାଜରେ ବାଲ୍ୟବିବାହ, ବିଧବା ବିବାହ ଓ ବହୁ ବିବାହ ପ୍ରଚଳିତ ଥିଲା ଓ ,ବେବି ଏପରି ବିବାହ ଅନୁଷ୍ଠିତ ହେଉଛି । ଅସବର୍ଣ୍ଣ ମଧ୍ୟ ପ୍ରଚଳିତ ଥିଲା ଓ ଏବେବି ଏପରି ବିବାହ ଅନୁଷ୍ଠିତ ହେଉଛି । ଅସବର୍ଣ୍ଣ ବିବାହ ମଧ୍ୟ ପ୍ରଚଳିତ ଥିଲା ଓ ଅଛି । ତେବେ ଏପରି ସ୍ଥଳେ ଲୋଧା ପୁରୁଷ ଅନ୍ୟ ଗୋଷ୍ଠୀ/ଜାତିର ଝିଅଙ୍କୁ ଆଣିବା ଦେଖାଯାଏ ନାହିଁ । ଲୋଧା ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବା କିମ୍ୱା ବିବାହ ନକରି ରକ୍ଷିତା ରୂପେ ରହିଥିବାର ବହୁ ଦୃଷ୍ଟାନ୍ତ ରହିଅଛି ।

 

ଲୋଧାଙ୍କର ବିବାହ ଦୁଇ ଦିନରେ ଶେଷ ହୁଏ । ବିବାହ ପୂର୍ବରୁ ବର ଓ କନ୍ୟାଙ୍କର ‘ବୃକ୍ଷ ବିବାହ’ ଅନୁଷ୍ଠିତ ହୁଏ । ବିବାହରେ ନିଜ ଗୋଷ୍ଠୀର ‘କଟୁଆଳ’ ବିବାହ କାର୍ଯ୍ୟ ସଂପନ୍ନ କରନ୍ତି । ବିବାହରେ ନାଚଗୀତ ଅନୁଷ୍ଠିତ ହୁଏ । ବର କନ୍ୟା ଗାଁରେ ପହଞ୍ଚିବା ପରେ ‘ଗୀତଯୁଦ୍ଧ’ ହୁଏ । ବିବାହ ଶେଷରେ ବରସହିତ କନ୍ୟା ଆସନ୍ତି ଓ ସେହିଦିନ ବରଘରେ ‘ବାସିବିଭା’ ଅନୁଷ୍ଠିତ ହୁଏ ଓ ବିବାହ କାର୍ଯ୍ୟ ସଂପନ୍ନ ହୁଏ ।

 

ଜନ୍ମ:

ପିଲାଟିଏ ଜନ୍ମ ହେଲେ ‘ଛୁତ୍‌କା’ ହୁଏ ଓ ପାରମ୍ପରିକ ରୀତିରେ ଜାତିବିଧି ପାଳିତ ହୁଏ । ଅଭିଜ୍ଞା ହିନ୍ଦୁ ନୀଚ ଜାତୀୟା ସ୍ତ୍ରୀଟିଏ ‘ଧାଇ’ କାମ କରିଥାଏ । ଉଚ୍ଚ ବର୍ଣ୍ଣ ସେବାକାରୀ ବାରିକ ଓ ଧୋବା ଲୋଧୀଙ୍କ ଗୋଷ୍ଠୀର ମଧ୍ୟ ସେବା କରନ୍ତି ।

 

ପୁଅ ପିଲା ଜନ୍ମ ମୁଣ୍ଡ ପାଖରେ କାଣ୍ଡଶର ‘ଖାଡା’ ହେଉଥିବାବେଳେ ଝିଅ ପିଲା ମୁଣ୍ଡ ପାଖରେ ଟାଙ୍ଗିଆ ‘ତୁପି’ (ପୋତି) ଦିଆଯାଏ ।

 

ନଅ ଦିନରେ ‘ନରଣ’ ହୁଏ । ଏହିଦିନ ବାରିକ ଗୋଷ୍ଠୀର ସବୁ ଲୋକଙ୍କର ନଖ, ବାଳ କାଟେ, ଦାଢ଼ି ସଫା କରେ । ଧୋବା ସମସ୍ତଙ୍କର ଲୁଗା ସଫା କରେ । ଏହି ଦିନ ନବଜାତକ ଲଣ୍ଡା ହୁଏ ଓ ନାମକରଣ କରାଯାଏ । ‘ଇଶାଣଥାନ’କୁ ପିଲାଙ୍କୁ ନେଇ ପୂର୍ବ ପୁରଷଙ୍କ ଆତ୍ମାମାନଙ୍କ ସହିତ ଚିହ୍ନାପରିଚୟ କରାଇ ଦିଆଯାଏ ।

 

ସଫାସୁଫି ହେଲାପରେ ଖାଇପିଇ ମାଦକ ବଜାଇ ନାଚଗୀତ ହୁଏ । ଏଥିରେ ନିଜ ଗୋଷ୍ଠୀର ସବୁ ଲୋକେ ଅଂଶଗ୍ରହଣ କରନ୍ତି ।

 

ମୃତକର୍ମ:

ଲୋଧା ସମାଜରେ ମୃତାଶୌଚ ଦଶଦିନ ପାଳିତ ହୁଏ । ଏହିଦିନ ଶୌଚକର୍ମ କରାଯାଏ-। ପରଦିନ ଏକାଦଶାହ ପାଳନ ବିଧି । ତେବେ ମୃତ୍ୟୁର ପ୍ରକାର ଭେଦରେ ଶୌଚାଶୌଚ ବିଧି ପାଳିତ ହୁଏ ।

 

ପରିପୂର୍ଣ୍ଣ ବୟସରେ ସ୍ୱାଭାବିକ ମୃତ୍ୟୁ ହେଲେ ଦିଆଯାଏ । ସଂକ୍ରାମକ ରୋଗ ଗ୍ରସ୍ତ ହୋଇ ମୃତ୍ୟୁବରଣ କଲେ ପୋତି ଦିଅନ୍ତି କିମ୍ୱା ପକେଇ ଦିଅନ୍ତି । ଅରଣ୍ୟରେ ହିଂସ୍ର ଜନ୍ତୁଙ୍କ କବଳରେ ପଡ଼ି ମୃତ୍ୟୁବରଣ କଲେ ଆଗରୁ ଫିଙ୍ଗି ଦେଉଥିଲେ । ଗଛରୁ ପଡ଼ି, ଜଳରେ ବୁଡି କିମ୍ୱା ସର୍ପାଘାତ କିମ୍ୱା ହଠାତ୍‌ ମୃତ୍ୟୁହେଲେ ଲୋଧା ସ୍ତ୍ରୀ/ପୁରୁଷକୁ ପୋଡ଼ି ଦିଆଯାଏ । ଅପରାଧରେ ଜଡ଼ିତ ହୋଇ ଜେଲ ହାଜତରେ ମୃତ୍ୟୁହେଲେ କୌଣସି କ୍ରିୟାନୁଷ୍ଠାନ ହୁଏନାହିଁ । ପ୍ରସବପରେ ପିଲାର ମୃତ୍ୟୁହେଲେ ଶବକୁ ପୋତି ଦିଆଯାଏ । ପ୍ରସୂତିର ମୃତ୍ୟୁହେଲେ ପୋଡ଼ି କିମ୍ୱା ପୋତି ଦିଆଯାଏ । ଗର୍ଭବତୀ ସ୍ତ୍ରୀର ମୃତ୍ୟୁରେ ସ୍ୱାମୀ ସ୍ତ୍ରୀର ପେଟଚିରି ଛୁଆ ବାହାର କରି ଦୁହିଁଙ୍କୁ ଅଳଗା କରି ପୋତି ଦିଅନ୍ତି ।

 

ଲୋଧାଙ୍କର ସ୍ୱତନ୍ତ୍ର ମଶାଣି ନଥାଏ । ଅରଣ୍ୟ ମଧ୍ୟରେ ଉପଯୁକ୍ତ ସ୍ଥାନଦେଖି ଶବକୁ ପୋଡ଼ିବା/ପୋତିବା କାର୍ଯ୍ୟ ସଂପନ୍ନ ହୁଏ । ଶବ ବୋହିନେଲା ବେଳେ କାନ୍ଧକାଠିଆମାନେ ତିନିଥର ହରିବୋଲ ଧ୍ୱନି ଦିଅନ୍ତି । ଶବସତ୍କାର ସାରି ଗାଧୋଇ ଘରକୁ ଫେରିଲାବେଳେ ତୁଠରେ ପୁଣି ତିନିଥର ହରିବୋଲ ଧ୍ୱନି ଦିଅନ୍ତି । ଶବଯାତ୍ରାମାନେ ଗାଧୋଇସାରି ଘରକୁ ଫେରିବା ରାସ୍ତାରେ ଅଶ୍ୱତ୍ଥ ଗଛକୁ ତିନିଥର ଲେଖାଏଁ କୁଣ୍ଢାନ୍ତି ।

 

ମୃତବ୍ୟକ୍ତିର ବଡ଼ପୁଅ, ଭଣଜା, ଜୋଇଁ ଘାଟକୁ ଉଠନ୍ତି । ଲୋଧାଙ୍କର ମୃତକ୍ରିୟା ହିନ୍ଦୁରୀତିରେ ସଂପନ୍ନ ହୁଏ ।

 

ଲୋଧାମାନେ ଗଙ୍ଗାରେ ଅସ୍ଥି ବିସର୍ଜନ କରନ୍ତି ନାହିଁ । ପୁରୀରେ ପିଣ୍ଡଦାନ କରନ୍ତି । ପୂର୍ବ ପୁରୁଷଙ୍କ ଆତ୍ମାର ସନ୍ତୁଷ୍ଟି ପ୍ରତି ଚୈତ୍ର ସଂକ୍ରାନ୍ତି (ମହାବିଷ୍ଣୂଙ୍କ ସଂକ୍ରାନ୍ତି)ରେ ‘ଇଶାଣ ଥାନ’ରେ ପୂଜା ଅର୍ଚ୍ଚନା କରନ୍ତି ।

 

ଗ୍ରାମ ସଂଗଠନ:

ସମାଜ ଜୀବନରେ ଗ୍ରାମହିଁ କେନ୍ଦ୍ରଭୂମି ରୂପେ ପରିଗଣିତ । ଗ୍ରାମ୍ୟ ସମାଜରେ ନ୍ୟାୟ ନିଶାପ । ପରିବାର ଓ ବ୍ୟକ୍ତି ମଧ୍ୟରେ ଘଟୁଥିବା ଗଣ୍ଡଗୋଳର ଉପଯୁକ୍ତ ସମାଧାନ କରିବା, ପୂଜା, ପରବ ପରବାଣି ପ୍ରଭୃତି ଧର୍ମୀୟ ଅନୁଷ୍ଠାନ ସଂପନ୍ନ କରିବା, ଶାନ୍ତିଶୃଙ୍ଖଳା ରକ୍ଷା କରି ସମାଜ ଜୀବନକୁ ସୁସ୍ଥ ଓ ସୁନ୍ଦର କରିବା ଗ୍ରାମ୍ୟ ସଂଗଠନର ମୁଖ୍ୟକାର୍ଯ୍ୟ । ଅନ୍ୟ ଗ୍ରାମମାନଙ୍କ ପରି ଲୋଧା ଗ୍ରାମରେ ମଧ୍ୟ ଏପରି ପାରମ୍ପରିକ ବ୍ୟବସ୍ଥା ରହିଥିବାରୁ ପରିଲକ୍ଷିତ ହୁଏ । ଏହା ପଞ୍ଚାୟତ ନାମରେ କଥିତ ମଧ୍ୟ ଏପରି ପାରମ୍ପରିକ ବ୍ୟବସ୍ଥା ରହିଥିବାର ପରିଲକ୍ଷିତ ହୁଏ । ଏହା ପଞ୍ଚାୟତ ନାମରେ କଥିତ ହୁଏ । ଲୋଧା ସମାଜରେ ସାଧାରଣତଃ ଘଟୁଥିବା ଅନ୍ୟାୟ ଅନୀତି, ଅବୈଧ ପ୍ରେମ, ଡାହାଣୀ ଲାଗିବା, ଅନିଷ୍ଟକାରୀ ଗୁଣି ସାଧନା ଓ ପ୍ରୟୋଗ ପାରମ୍ପରିକ ରୀତି ନୀତି ଭଙ୍ଗ କରିବା, ଗୋଷ୍ଠୀ ପଞ୍ଚାୟତିର ସିଦ୍ଧାନ୍ତ ଅମାନ୍ୟ କରିବା ପ୍ରଭୃତି ସମସ୍ତ ବିଷୟ ଗ୍ରାମ ପଞ୍ଚାୟତରେ ବିଚାର କରି ନିଷ୍ପତ୍ତି କରାଯାଇଥାଏ । ଏତଦ୍‌ବ୍ୟତୀତ ଧର୍ମୀୟ ଅନୁଷ୍ଠାନ, ନାଚ, ଉତ୍ସବ ପାଇଁ ଚାନ୍ଦା, ବିବାହ ଓ ଭୋଜି ପ୍ରଭୃତି ବିଷୟ ପଞ୍ଚାୟତରେ ଆଲୋଚନା କରାଯାଏ । ଦୋଷିକୁ ବିଚାର କରି ଦଣ୍ଡବିଧାନ କରିବା, ଜୋରିମାନା କିମ୍ୱା ମୁକ୍ତ କରିଦେବାର କ୍ଷମତା ପଞ୍ଚାୟତର ରହିଥାଏ ।

 

ଗୋଷ୍ଠୀର ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଗୋଷ୍ଠୀ ପଞ୍ଚାୟତର ସଦସ୍ୟ ହୋଇଥାନ୍ତି । ସ୍ତ୍ରୀ ଓ ପିଲାମାନେ ପଞ୍ଚାୟତରେ ଉପସ୍ଥିତ ହୁଅନ୍ତି ନାହିଁ । ଗୋଷ୍ଠୀ ପଞ୍ଚାୟତର ସାଧାରଣତଃ ପ୍ରଧାନ/ମୁଖିଆଙ୍କ ଉପସ୍ଥିତିରେ ବିଚାର ଆଲୋଚନା ହୁଏ । ଲୋଧା ଗୋଷ୍ଠୀର ନିମ୍ନଲିଖିତ କାର୍ଯ୍ୟାଧିକାରୀମାନେ ରହିଥାନ୍ତି । ସେମାନେ ହେଲେ-(୧) ମୁଖିଆ (୨) ଡାକୁଆ (ଆଠଘରିଆ) (୩) ପରମାଣିକ ।

 

ଲୋଧାମାନେ ଧର୍ମ ବିଶ୍ୱାସୀ । ଗ୍ରାମରେ ଧର୍ମୀୟ କାର୍ଯ୍ୟର ସୁସଂପାଦନ ନିମନ୍ତେ କେତେଜଣ କାର୍ଯ୍ୟାଧିକାରୀ ନିଯୁକ୍ତ/ମନୋନୀତ ହୋଇଥାନ୍ତି । ସେମାନେ ହେଲେ ଦେହୁରି, ତଳିଆ/ଛଡ଼ିଦାର, ହନ୍ତକାର, ଗୁଣୀ ଓ ବ୍ୟାଶ୍ରା ।

 

ସାମାଜିକ କିମ୍ୱା ଧର୍ମୀୟ କାର୍ଯ୍ୟାଧିକାରୀମାନେ ରୀତିରେ ମନୋନୀତ/ନିର୍ବାଚିତ ହୋଇ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିଥାନ୍ତି । ଲୋଧା ସମାଜରେ ଏମାନଙ୍କ ସ୍ଥାନ ସମ୍ମାନଜନକ ହୋଇଥାଏ ।

 

ସମାଜରେ ନାରୀ:

ଲୋଧା ସମାଜରେ ସ୍ତ୍ରୀ ଲୋକେ ସ୍ୱାଧୀନ ଓ ସମ୍ମାନଜନକ ଭାବରେ ବାସ କରନ୍ତି । ପିତୃଶାସିତ ପରିବାରର ଅନ୍ତର୍ଭୁକ୍ତ ହେଁ ପରିବାରରେ ନାରୀ ହିଁ ଗୃହର ସର୍ବମୟ-କର୍ତ୍ତ୍ରୀ ରୂପେ ଅଧିଷ୍ଠିତା । ଲୋଧା ପୁରୁଷ ଏକପତ୍ନୀ ବିବାହ କରନ୍ତି । ବାଲ୍ୟବିବାହ, ବିଧବା ବିବାହ ଓ ବହୁ ବିବାହ ପ୍ରଥା ମଧ୍ୟ ଏହି ସମାଜରେ ପ୍ରଚଳିତ ଅଛି । ଓଢ଼ଣା ପ୍ରଥାର ପ୍ରଚଳନ ନଥିଲା, ଏବେ ବି ନାହିଁ । ଲୋଧା ଗୋଷ୍ଠୀର ଝିଅମାନେ ପିଲାକାଳରୁ ଗୃହ କର୍ମ ନିପୁଣା, କର୍ମ ଚଞ୍ଚଳା ଓ ଲଜ୍ଜାବତୀ ।

 

ଲୋଧା ସ୍ତ୍ରୀ ଲୋକେ ସୁଗଠିତ ଶରୀର ସଂପନ୍ନା ଓ ସ୍ୱାସ୍ଥ୍ୟବତୀ । ସେମାନେ ଗୃହକର୍ମ ନିପୁଣା, ବ୍ୟବହାର ଜ୍ଞାନ କୁଶଳା, ସାହସୀ ଓ ବୁଦ୍ଧିମତୀ । ସେମାନେ ଅରଣ୍ୟରୁ କାଠ, ଫଳମୂଳ ପ୍ରଭୃତି ସଂଗ୍ରହ କରି ନିକଟବର୍ତ୍ତୀ ହାଟ, ବଜାର, ବସ୍ତିମାନଙ୍କରେ ବିକ୍ରି କରୁଥିବାର ଦେଖାଯାଏ ।

 

ଲୋଧାଙ୍କର ସାରସ୍ୱତ ସମ୍ପଦ:

ଲୋଧାମାନଙ୍କର ସ୍ୱତନ୍ତ୍ର ଭାଷା, ରୂପ ଥିବାର ଜଣାଯାଏ ନାହିଁ । ଏମାନେ କଥିତ ଓଡ଼ିଆ ଓ ବଙ୍ଗଳା, ଆଦିବାସୀ (ମୁଣ୍ଡାରୀ), ବୁଡ଼ୁମାଳି ପ୍ରଭୃତିର ମିଶ୍ରିତ ଭାଷାରେ କଥାହୁଅନ୍ତି । ଏହା ତାଙ୍କର ମାତୃଭାଷା ଅଥବା ସାମାଜିତ ଭାଷା ରୂପେ ପ୍ରଚଳିତ । ସେମାନଙ୍କର ନିଜସ୍ୱ ଭାଷା କେବେ ଯଦି ପ୍ରଚଳିତ ଥିଲା ତାହା ବର୍ତ୍ତମାନ ଆଉ ନାହିଁ । ସମ୍ଭବତଃ ଅନେକ ଆଗରୁ ଲୋପ ପାଇଛି । ସେମାନଙ୍କର ଭାଷାର ଧ୍ୱନିତତ୍ତ୍ୱ ହିଁ କେବଳ ବର୍ତ୍ତମାନ ମୌଳିକ ବିଭାବ ରୂପେ ବିଦ୍ୟମାନ । ଏମାନଙ୍କର ଧ୍ୱନି ତତ୍ତ୍ୱର ମୁଖ୍ୟ ବୈଶିଷ୍ଠ୍ୟ ହେଉଛି ପ୍ରତ୍ୟେକ ଉଚ୍ଚାରଣରେ ଶ୍ୱାସକ୍ରିୟାର ଅଧିକ ଚାପ ହେତୁ ଶବ୍ଦ ଶେଷରେ ବିସର୍ଗ ଧ୍ୱନିର ନିରନ୍ତର ଆଗମ ଘଟେ ।

 

ଲୋଧାଙ୍କର ଏହି କଥିତ ଭାଷାରେ ରହିଥିବା ଧ୍ୱନିତତ୍ତ୍ୱର ସ୍ୱାତନ୍ତ୍ର୍ୟ, ଶବ୍ଦଭେଦରେ ଦ୍ୱୈତ ସଂରଚନା ବା ଗଢ଼ଣ, ସୃଜନ ସାମର୍ଥ୍ୟ, ଶବ୍ଦତତ୍ତ୍ୱ, ପ୍ରତୀକ ଧର୍ମୀ ଭାବ ପ୍ରକାଶ, ଶିକ୍ଷା ଓ ଗ୍ରହଣ/ଅନୁକରଣ ପ୍ରବଣତା ମାଧ୍ୟମରେ ସାଂସ୍କୃତିକ ପ୍ରବାହ ବିଦ୍ୟମାନ ।

 

ଲୋଧା ସମାଜରେ ପ୍ରଚଳିତ ନାଚଗୀତର ଧାରା କ୍ଷୀଣ ହେଉଛି । ପୂର୍ବ ପ୍ରଚଳିତ ଚାଙ୍ଗୁନାଟ ଓ ଗୀତ, ଟୁସୁନାଚ ଓ ଗୀତ, ବାନ୍ଧଣାଗୀତ ପ୍ରଭୃତିର ଆଦର କମି ଯାଉଥିବାର ଲକ୍ଷ୍ୟ କରାଯାଉଛି, କେତେକ ସ୍ଥାନରେ ପାରମ୍ପରିକ ଚାଙ୍ଗୁନାଟ ସ୍ଥାନରେ ଛଉନାଟର ପ୍ରଚଳନ ଦେଖାଯାଉଛି । ଏଥିରେ କରୁଛନ୍ତି ।

 

ଲୋଧା ସମାଜରେ ପ୍ରଚଳିତ ଗୀତଗୁଡ଼ିକୁ ନିମ୍ନମତେ ବିଭକ୍ତ କରାଯାଇଛି । ସେଗୁଡ଼ିକ:-

 

(କ)

ବନ୍ଦନା ଗୀତ

-.

ଏ ପରି ଗୀତ ସବୁ କୌଣସି ଧର୍ମୀୟ ଅନୁଷ୍ଠାନ ସହିତ ନାଚର ଆରମ୍ଭରେ ଗାନ ହୁଏ । ଏଗୁଡ଼ିକ ସାଧାରଣତଃ ବସୁମାତା, ଗ୍ରାମ୍ୟ/ଲୌକିକ, ଶାସ୍ତ୍ରୀୟ ଦେବଦେବୀ, ପ୍ରକୃତିର ଆଶୀର୍ବାଦ ତଥା ଭୂତ ପ୍ରେତାଦିଙ୍କର ସନ୍ତୁଷ୍ଟି ନିମନ୍ତେ ଗାନ କରାଯାଏ ।

(ଖ)

ଖେଳ ଗୀତ

-

ଛୋଟ ଛୋଟ ପୁଅ ଝିଅ ଏହିସବୁ ଗୀତ ଗାଇ ବିଭିନ୍ନ ଖେଳ ଖେଳନ୍ତି । ରଜଦୋଳି ଗୀତ ଏଥିର ଅନ୍ତର୍ଭୁକ୍ତ ।

(ଗ)

ନାଚଗୀତ

-

ଚାଙ୍ଗୁନାଟ, ମାଦଳ ନାଚ, ବାନ୍ଧ୍‍ଣା ଓ ଟୁସୁନାଚ, କାଠିନାଚ, ଗାଁଣଶାଳିଆ ଓ ଛଉ ନାଟରେ ଗାଉଥିବା ଗୀତ ।

(ଘ)

ବେହାଗୀତ

-

ପୁଅ ଝିଅଙ୍କର ବାହାଘର ସମୟରେ ଗାଉଥିବା ଗୀତ

(ଙ)

ବାରମାସୀ

 

 

(ଚ)

ବିବିଧ

 

 

 

ଉପର ଲିଖିତ ବିଭିନ୍ନ ପର୍ଯ୍ୟାୟଭୁକ୍ତ ଗୀତଗୁଡ଼ିକରେ ଲୋଧା ସମାଜ ଜୀବନର ସ୍ପଷ୍ଟ ଚିତ୍ର ପ୍ରତିଫଳିତ ହୋଇଅଛି । ଗୀତଗୁଡ଼ିକ ବହୁ ଦେଶୀ ରାଗରାଗିଣୀଯୁକ୍ତ । ସ୍ୱର ମଧୁର ଓ ଭାବ ସରସ-। ଏହିସବୁ ଗୀତରେ ଜୀବନର ପ୍ରେମ-ବିରହ, ଆନନ୍ଦ-ଉଲ୍ଲାସ, ଆମୋଦ-ପ୍ରମୋଦ, ଅଭାବ-ଅନଟନ, ଦୁଃଖ ଦାରିଦ୍ର୍ୟର ଚିତ୍ର ପ୍ରସ୍ଫୁଟିତ । ଏଠାରେ ଆଲୋଚନା କାଳରେ ପ୍ରୟୋଜନ କେତେକ ପଂକ୍ତି । ଉଦ୍ଧାର କରାଯାଉଛି ।

 

ଜୀବନରେ ଯୌବନ ଆସେ । ଶରୀରର ବିକାଶ ସାଙ୍ଗକୁ ମନରେ ସୃଷ୍ଟିହୁଏ ଅଫୁରନ୍ତ ଉନ୍ମାଦନା, ଅସରନ୍ତି କାମନା ବାସନାର ଜୁଆର । ଯୌବନ ସୁରଭିରେ ଉବୁଟୁବୁ ଯୁବତୀଟି ଉନ୍ମନା ହୋଇ ଅବାଟରେ ପାଦ ଥାପିଦିଏ, ସତର୍କ ଭାବରେ । ଶୀତର ଶିଶିର କିନ୍ତୁ ରଖିଦିଏ ତାର ଚିହ୍ନ । ଶିଶିରରେ ଭିଜା ଭିଜା ଶରୀରକୁ ଧରି ଫେରନ୍ତା ନାୟିକାକୁ ଲକ୍ଷ୍ୟ କରି ଅନ୍ୟ ସଂଗିନୀଗଣ ଲହର ଧରି ଗାଇ ଉଠନ୍ତି-

 

‘ଶିଶିରେ ତ ଲଟର ସଟର କାହାର ବାଡ଼ି ଯାୟକିଲୋ ଯମୁନା

କଷି କାକୁଡ଼ି ଖାତେ ।’

 

ଜୀବନରେ ବିବାହ ଏକ ଅପରିହାର୍ଯ୍ୟ ପର୍ଯ୍ୟାୟ । ଯୁବତୀଟିର ମନର ଆଇନାରେ ଉଙ୍କି ମାରନ୍ତି କେତେ କଳ୍ପନାର ରୂପବନ୍ତ ରାଜକୁମାର । ବସ୍ତୁବାଦୀ ଜୀବନର ତେଲ ଲୁଣର ସଂସାର ଭିତରେ ଅନୁଭୂତିସିଦ୍ଧ ବାପମାଆ ହୁଏତ ଚାହାନ୍ତି ନାହିଁ କୃଷିଭିତ୍ତିକ ସମାଜରେ ଜମିବାଡ଼ି ନଥିବା କିମ୍ୱା ଅଳ୍ପ ଜମିଥିବା କୌଣସି ସୁଠାମ ସୁନ୍ଦର ଯୁବକ ହାତରେ ନିଜର ଝିଅଟିକୁ ଛନ୍ଦି ଦେବାକୁ ସାରା ଜୀବନପାଇଁ । ମାଆ ମନ ବୁଝେ ନାହିଁ । ଝିଅଟି ଭଲରେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ସୁଖରେ ରହିବ-ଏଇ ଆଶା ଭରସାରେ ସେ ଟେକିଦିଏ ଅଧିକ ଜମିଥିବା ବର ହାତରେ-ହେଉ ପଛେ ସେ ବୁଢ଼ା । ବୟସର ଭାରରେ ସେ ନାଇଁ ଥାଉ ପଛେ । ଯୁବତୀ ଝିଅଟିର ପ୍ରାଣ ଏଥିରେ କାନ୍ଦି ଉଠିଛି । କାନ୍ଦି କାନ୍ଦି ଗାଇଛି-

 

‘ଜିବିନାୟଁ ଜିବିନାୟଁ ମାଗୋ

ଅଳପ ଜମିର ଘରେ

ମାୟଁଗୋ

ଜମି ଦେଖି ଦିଲି ବୁଢ଼ା ବରେ ।’

 

ଗାଧୋଇ ସାରି ପାଣି ଆଣି ଯାଇଥିବା କେଉଁ ଯୁବତୀର କଳସୀ ବନ୍ଧ ଜଳରେ ଭାସି ଯାଉଛି । କଳସୀ ଆଣିବାରେ ଅକ୍ଷମା ଯୁବତୀଟି ଭୟ, ବେଦନା, ଅଭିମାନରେ ଗାଇଛି-

 

‘ପରେର ମାୟେ କି ଜାନେ ବେଦନ ଗୋ

ନିଜର ଯଦି ପୁରୁଷ ହଇତ

କଳସୀ କାଖି ଏ ଦିତ

ପରେର ପୁରୁଷ କିବା ବେଦନ ଜାନେ ଗୋ

କଳସୀ ଭାସିଛେ ଅଗମ ଜଲେ ।’’

 

ପରବ ସମୟ ଆସିଲା । ମାଦଲ୍‌ ବାଜିଲା । ବାଦ୍ୟ ବାଜଣା ଶୁଣି ଯୁବକର ମନ ରସିଲା । ସେ ସମୟ ଉପଯୋଗୀ ଗୀତଟି ହେଉଛି-

 

‘‘ମାଦଲ ବାଜିଲାରେ ମାଦଲ ବାଜିଲା

ମାଦଲ ବାଜେ ରସିକ ଛଣ୍ଡା

ଛମ କି ନାଚିଲାରେ ମାଦଲ ବାଜିଲା ।’’

 

ମାଦଲ ଶୁଣି କେବଳ ରସିକ ଟୋକା ‘ଛମକି ନାଚି’ ନାହିଁ, ରସିକା ରସବତୀ ମଧ୍ୟ ‘ଠମକି’ ନାଚି ଉଠିଛି ।

 

ଲୋଧା ସମାଜରେ ସାଧାରଣତଃ ଏକପତ୍ନୀ ବିବାହ ପ୍ରଥା ପ୍ରଚଳିତ । ବହୁ ପତ୍ନୀ ବିବାହ ସ୍ୱୀକୃତ ହେଲେ ହେଁ ଏପରି ବହୁ ପତ୍ନୀ ପୁରୁଷର ଜୀବନରେ ଶାନ୍ତି ମିଳିବାତ ଦୂରର କଥା, ଜୀବନ ଅସହନୀୟ ହୋଇ ଶେଷରେ ସେହି ପୁରୁଷ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ । ସ୍ୱେଚ୍ଛାଚାରୀ କାମ ପିପାସୁ ବହୁ ପତ୍ନୀକ ସମାଜିକର ଏପରି ଦୂରବସ୍ଥାକୁ ଲକ୍ଷ୍ୟ କରି ଲୋକ କବି ଗାଇଛନ୍ତି-

 

‘‘ଏକ ମାୟା ଯାହାର

ସୁକ୍ ଜୀବନ ତା’ର

ଦୁଇ ମାୟା ଯାହାର

ନିତ୍ ମରଣ ତାର ।

ତିନ୍ ମାୟା ଯାହାର

ପାରଡାଲେ ହାଣ୍ଡିତା’ର

ଚାର ମାୟା ଯାହାର

ଗଲାୟ ଦଡ଼ି ତା’ର ।’’

 

ସନ୍ତାନ ବତ୍ସଳା ନାରୀ ଆପଣା ପର ଜାଣେ ନାହିଁ । କାହାର ପିଲାଟି ରାସ୍ତାର ଧୂଳିରେ ଲୋଟି କାନ୍ଦୁଥିବାର ଦେଖି କାଖେଇ ନେବା ପାଇଁ ତାର ମନ ବ୍ୟାକୁଳ ହୋଇଛି ।

 

ସମାଜରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଶ୍ୱାସରେ ବିଷ ଦିଅନ୍ତି । ସରଳପ୍ରାଣ ମଣିଷ, ସେ ନାରୀ ହେଉ କିମ୍ବା ପୁରୁଷ, କପଟୀର କପଟ ଚାତୁରୀରେ ଆଶା ଭରସା ରଖି ଆଗେଇ ଯାଏ । ଶେଷରେ ସେ ଧୋକା ଦିଏ ଯେତେବେଳେ ମନ ତାର ଭାଙ୍ଗିଯାଏ । ଗଛକୁ ଉଠେଇ ଦେଇ ମୂଳ ଛେଦନ କଲା ପରି କଥା ହୁଏ । ଏପରି ତିକ୍ତ ଅନୁଭୂତି ପ୍ରାୟ ପ୍ରତ୍ୟେକ ମଣିଷର ହୋଇଥାଏ । କେଉଁ ଗୀତରେ କୌଣସି ଗୃହସ୍ଥ ତାର ବିବାହିତା ସ୍ତ୍ରୀକୁ ଚୂନା ମାଛ ପରି ହୀନିମାନ କରିଛି । ଏପରି ଅବସ୍ଥାରେ ସେହି ନାରୀ ମନ ଉଦବିଗ୍ନ ହୋଇ ଉଠିଛି । ଆଶା ହରାଇଛି-

 

ଏହିପରି ଅନେକ ସୁନ୍ଦର ଓ ସରସ ବର୍ଣ୍ଣନା ଥବା ଗୀତଗୁଡ଼ିକ ଲୋଧା ସମାଜର ସ୍ପଷ୍ଟ ଚିତ୍ର ଅଙ୍କନ କରିଥାଏ ।

 

ଲୋଧାଙ୍କ ଭାଷାରେ ଅନେକ ନାନ୍ଦିଆ ଧନ୍ଦାର ପ୍ରଚଳନ ରହିଅଛି । ସେ ସବୁରେ ସେମାନଙ୍କର ଚାତୁର୍ଯ୍ୟ, ବୁଦ୍ଧିମତା, ଉପସ୍ଥିତ ବୁଦ୍ଧି, କଳ୍ପନା ବିଳାସ, ପ୍ରକୃତି ପର୍ଯ୍ୟବେକ୍ଷଣ ସହ ରସ ବିନୋଦନ ପ୍ରଭୃତିର ସ୍ପଷ୍ଟ ପରିପ୍ରକାଶ ଘଟିଅଛି ।

 

ଅନ୍ୟ ସମୟରେ ଲୋଧା ଲୋକେ ଅନେକ ପ୍ରକାର ଗପ କହିଥାନ୍ତି । ଏହି ଗପଗୁଡ଼ିକରେ ମୁଖ୍ୟତଃ ସୃଷ୍ଟିତତ୍ତ୍ୱ, କୃଷି, ଶିକାର, ବ୍ୟବସାୟ ପ୍ରଭୃତି ବିଷୟ ବର୍ଣ୍ଣିତ । ଗଳ୍ପଗୁଡ଼ିକରେ ସେମାନଙ୍କର ସାମାଜିକ ରୀତିନୀତି ପ୍ରତିଫଳିତ । ବିଷୟବସ୍ତୁ ଅନୁସାରେ ଏଗୁଡ଼ିକ ବଡ଼ କିମ୍ବା ସଂକ୍ଷିପ୍ତ ହୋଇଛନ୍ତି । ଲୋକକାହାଣୀର ସମସ୍ତ ବିଭାବ ନେଇ ଲୋଧା କାହାଣୀ ପରିପୂର୍ଣ୍ଣ ହୋଇଛି । ଅଁଳା ଚାଷ, ସାତଭାୟା ଏକ ବୁଃହେଣ, ଦସ୍ୟୁ ରତ୍ନାକର ପ୍ରଭୃତି ଗଳ୍ପ ଗୁଡ଼ିକ ଓଡ଼ିଶାର ଆଦିବାସୀ ସାହିତ୍ୟ ଭଣ୍ଡାରକୁ ସୁସମୃଦ୍ଧ କରିଅଛି ।

 

ଲୋଧାମାନେ ଆଦିବାସୀ ହେଲେ ହେଁ ହିନ୍ଦୁ ଧର୍ମର ରୀତି ନୀତିରେ ଜୀବନ ନିର୍ବାହ କରନ୍ତି ।

 

ଏହି ଆଦିମ ଜନଗୋଷ୍ଠୀର ଗୌରବଦୀପ୍ତ କାହାଣୀ ଓ କିମ୍ବଦନ୍ତୀ, ପାରମ୍ପରିକ ସାଂସ୍କୃତିକ ସମ୍ପଦ, ଶୃଙ୍ଖଳିତ ସାମାଜିକ ଜୀବନଚର୍ଯ୍ୟା, ଏହି ସୁପ୍ରାଚୀନ ଜନଗୋଷ୍ଠୀର ସୁସ୍ଥ ସବଳ ଜୀବନୀ ଶକ୍ତିର ପରିଚାୟକ ।

 

 

ଗ୍ରା/ପୋ: ମହାବିଲା, ଭାୟା : ଶୂଳିଆପଦା

ଜି.ମୟୂରଭଞ୍ଜ- ୭୫୭୦୨୨

 

***

 

Unknown

ସାନ୍ତାଳୀ ଲୋକଗୀତର ଦୁଇଟି ଚିରନ୍ତନ ବିଭବ :

ପ୍ରେମ ଓ ମୃତ୍ୟୁ

ଦମୟନ୍ତୀ ବେଶ୍ରା

 

ସାନ୍ତାଳ ସମାଜରେ ଯୁବକ ଯୁବତୀମାନେ ମୁକ୍ତ ଆକାଶର ବିହଙ୍ଗ । ଯୁବତୀମାନେ କଳନାଦିନୀ ଝରଣା । ଯୁବକମାନେ ପ୍ରଶାନ୍ତ ସାଗର । ସେଇଠି ସେ ହଜାଇପାରେ, ବୁଡାଇ ଦେଇପାରେ ତାର ପ୍ରେମିକାକୁ, ପ୍ରିୟାକୁ । ବିବାହ ଯୋଗ୍ୟ, ଯୋଗ୍ୟା ହେଲେ ଉଭୟଙ୍କର ଅଧିକାର ଅଛି ଜୀବନସାଥୀ ବାଛିବାରେ, ପ୍ରେମ କରିବାରେ । ଜନ୍ମ ପରେ ମୃତ୍ୟୁ ଏହାହିଁ ଜୀବନର ସତ୍ୟ । ବିଧିର ବିଧାନ । ପତ୍ର ପାଚିଗଲେ ଝଡ଼ିବ । ପୁଣି ନୂଆପତ୍ର କଅଁଳିବ । ଏହାହିଁ ତ ସଂସାରର ନିୟମ-। ତେଣୁ ସାନ୍ତାଳମାନେ ମୃତ୍ୟୁକୁ ସ୍ୱାଭାବିକ ଭାବରେ ଗ୍ରହଣ କରିଥାନ୍ତି । ପ୍ରେମ ଓ ମୃତ୍ୟୁ, ଆନନ୍ଦ ଓ ବିଷାଦ ଏ ସବୁର ସମାହାର ଏଇ ପାର୍ଥିବ ଜୀବନ ।

 

ଲୋକଗୀତ ଏକ ଅଲିଖିତ ସାହିତ୍ୟ । ଏଥିରେ ସମାଜର ନିଚ୍ଛକ ଛବି ଅନ୍ତର୍ନିହିତ ଥାଏ । ଲିଖିତ ସାହିତ୍ୟ ସୃଷ୍ଟି ହେବା ପୂର୍ବରୁ ଶ୍ରୁତି ଆକାରରେ ସେଗୁଡ଼ିକୁ ପରମ୍ପରା କ୍ରମେ ସମାଜ ସାଇତି ରଖୁଥିଲା । ପରବର୍ତ୍ତୀ କାଳରେ ତାହା ହିଁ ସାହିତ୍ୟିକମାନଙ୍କୁ ଗୋଟାଏ ଜାତିର ବା ସମାଜର ପରିଚୟ ପ୍ରଦାନ କରିଛି । ଏହି ଅନୁକ୍ରମରେ ଆମେ ଆଦିବାସୀମାନଙ୍କର ଲୋକଗୀତକୁ ପାଥେୟ କରି ତାଙ୍କର ପ୍ରେମ ଓ ମୃତ୍ୟୁକୁ ଯଦି ଦେଖିବା, ତେବେ ତାଙ୍କର ଏକ ନିଖୁଣ କଳ୍ପନା ବିଳାସିତାର ପରିଚୟ ଆମକୁ ମିଳିବ । ଅରଣ୍ୟାନୀର ପ୍ରାକୃତିକ କୋଳରେ ଏଯାବତ୍ ଅସହାୟ ଭାବରେ ଜୀବନ ନିର୍ବାହ କରୁଥିବା ଲୋକମାନଙ୍କର ଯେ ଏପରି ଉନ୍ନତ ଚିନ୍ତାଧାରା ଥାଇପାରେ, ତାହା ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ । ଯଦିବା ସେହି ସଂଗୁପ୍ତ ଭାବପ୍ରବଣତାର ଉନ୍ମୋଚନ ହିଁ ଏହି ପ୍ରବନ୍ଧର ଉଦ୍ଦେଶ୍ୟ, ତଥାପି କେବଳ ସାନ୍ତାଳ ସମାଜକୁ ଆଧାର କରି ତାଙ୍କର ପ୍ରେମ ଓ ମୃତ୍ୟୁ ଏ ପ୍ରବନ୍ଧରେ ନିରୂପତି ହୋଇଛି ।

 

ଆଦିବାସୀମାନେ ଅକପଟ, ଅମାୟିକ, ଅତିଥି ପରାୟଣ, ସରଳ, କର୍ତ୍ତବ୍ୟନିଷ୍ଠ, କର୍ମପ୍ରବଣ, ନିରାଡ଼ମ୍ବର, ଭାଗ୍ୟବାଦୀ ଓ ସତ୍ୟପ୍ରିୟ ମଣିଷ । ଏମାନଙ୍କର ନିଜସ୍ୱ ସଭ୍ୟତା, ଧର୍ମ ଓ ସଂସ୍କୃତି ରହିଛି । ଆପଣାର ଐତିହ୍ୟ, ରୀତିନୀତି, ପରମ୍ପରା ବିଶ୍ୱାସକୁ ସମ୍ବଳ କରି ଜୀବନକୁ ଉପଭୋଗ କରନ୍ତି । ପ୍ରକୃତିକୁ ଭଲପାଇବା ସହ ନିଜକୁ ଭଲ ପାଆନ୍ତି । ପରସ୍ପର ସ୍ନେହପ୍ରେମର ବନ୍ଧନରେ ଆବଦ୍ଧ ହୋଇ ସଂଘବଦ୍ଧ ଜୀବନ ଅତିବାହିତ କରିଥାନ୍ତି । ହସିଖେଳି, ନାଚିଗାଇ, ସୁଖ ସମୃଦ୍ଧି ଓ ଶୃଙ୍ଖଳାର ଜୀବନ ଏମାନଙ୍କର କାମ୍ୟ । ତାଙ୍କର ମତରେ:

 

‘‘ନିତ୍‍ ନଅୟ ନଙ୍କା

ଧିନାଂ ଅକାଲେକା

ଜୀୱି ରେୟାଂ କାଥା ବାୟ୍ ରଳଗଃ,

ନିତ୍ ନଅୟ ନଣ୍ଡେ

ଯତ୍ ମେନାଃ ବନା

ଧିନାଂ ଅକୟ କଚ ବାବା ତାହେଁନ୍ ।’’ ଅର୍ଥାତ୍

 

ବର୍ତ୍ତମାନ ହିଁ ସର୍ବସ୍ୱ, ଭବିଷ୍ୟତ ଅନ୍ଧକାର, ଜୀବନ ଅନିଶ୍ଚିତ । ବର୍ତ୍ତମାନରେ ଦଣ୍ଡାୟମାନ ହୋଇ ସମସ୍ତେ ବଞ୍ଚି ରହିଛୁ, ପରକ୍ଷଣରେ କିଏ ରହିବା, ନ ରହିବା ଏହାରି ଭିତରେ ଜୀବନ ସୀମିତ । ତେଣୁ ମରୁଡ଼ି, ଦୁର୍ଭିକ୍ଷ, ବନ୍ୟା, ବାତ୍ୟା, ଯୁଦ୍ଧ, ହିଂସାକାଣ୍ଡ ସବୁ ଭୁଲିଯାଇ ଜୀବନକୁ ଉପଭୋଗ କରନ୍ତି ଏମାନେ । ନିଜକୁ ହଜାଇ ଦିଅନ୍ତି ପ୍ରକୃତିର ପ୍ରଶାନ୍ତ କୋଳରେ ।

 

‘‘ବାରସିଞ୍ଜ୍‍ ଦିନ୍‍ ଆରସି ଲେକା ଗୁଜୁଃ ଲାଗିଦ୍‍ଗେ

ହୟଜିୱୀ ହାସାହଳ୍ମ ହାସାରେଗେ ମେସାଆ ।’’

 

ଦର୍ପଣ ଭଳି ଏ ଜୀବନ କେବଳ ମରିବା ପାଇଁ । ମୃଣ୍ମୟ ଶରୀର, ପବନଜୀବନ ଦିନେ ନା ଦିନେ ମାଟିରେ ମିଶିଯିବ । ପାଣି ଫୋଟାକା ପରି ଏ ଜୀବନ । ସାରୁପତ୍ରରେ ଶିଶିର ବିନ୍ଦୁ ଢଳଢଳ ହେଲାଭଳି । ଜନ୍ମ ହୋଇଛୁ ମରିଯିବା, ଏତ ଅତି ସ୍ୱାଭାବିକ । ଭୁଲିଯାନ୍ତି ସମ୍ପତ୍ତି ସାଇତି ରଖିବାର ଲୋଭ, ଗର୍ବ ନାହିଁ, ଅହଂକାର ନାହିଁ, ହିଂସା, ଦ୍ୱେଷ ନାହିଁ କେବଳ ଅଛି ନିଜକୁ ହଜାଇ ଦେବାର ଇଚ୍ଛା । ସମସ୍ତଙ୍କୁ ସମାନ ଭାବରେ ଦେଖ । ବାଣ୍ଟିକୁଣ୍ଟି ଖାଅ, ଏହା ହିଁ ସାନ୍ତାଳମାନଙ୍କର ନୀତି । ଏ ଜୀବନକୁ ନାଚିଯାଇ ସେମାନେ କଟେଇଥାନ୍ତି ।

 

ଆଦିବାସୀମାନେ ଶାନ୍ତିପ୍ରିୟ । ଉନ୍ନତ ଜୀବନ ଯାପନ ପ୍ରଣାଳୀ ପାଇଁ ସେମାନେ ଚେଷ୍ଟିତ-। ବର୍ତ୍ତମାନ ପରିପ୍ରେକ୍ଷୀରେ ସଂସ୍କୃତିର ମାନଦଣ୍ଡରେ ଦଣ୍ଡାୟମାନ ହୋଇ ସମୟ ସହ ସମତାଳ ଦେଇ ଆଗେଇ ଚାଲିଛି ସାନ୍ତାଳ ସମାଜ । ପୁରାତନ ଜୀବିକାକୁ ଭୁଲିଯାଇ ନୂତନ ଜୀବନ ଶୈଳୀକୁ ଆଦରି ନେଇଛି, କିନ୍ତୁ ପରମ୍ପରା, ସଂସ୍କୃତି, ଐତିହ୍ୟକୁ ବଜାୟ ରଖିଛି ଏ ପର୍ଯ୍ୟନ୍ତ । ଏକ ପକ୍ଷରେ ପ୍ରାକୃତିକ ପରିବେଶର ଆକର୍ଷଣ ସହ ନିଜ ପରମ୍ପରା, ଅନ୍ୟ ପକ୍ଷରେ ଆଧୁନିକ ସଭ୍ୟତା ସହ ନିଜକୁ ଖାପ ଖୁଆଇ ଆଗେଇ ଯିବାକୁ ପଡ଼ିବ- ଏହି ସନ୍ଧିସ୍ଥଳରେ ରହି ଫେଣ୍ଟାଫେଣ୍ଟି ହୋଇଯାଉଛନ୍ତି ସାନ୍ତାଳମାନେ । ସେମାନେ ପ୍ରକୃତି କୋଳରେ ଗ୍ରାମର ଶୃଙ୍ଖଳିତ ନୂଆଣିଆ ଚାଳ ଛପର ତଳେ ସ୍ୱର୍ଗୀୟ ସୁଖ ଭୋଗ କରୁଥାନ୍ତୁ ନତୁବା କଂକ୍ରିଟ ଛାତ ତଳେ ପେଟ ଚାଖଣ୍ଡକ ପାଇଁ ସଂଗ୍ରାମରତ ଥାଆନ୍ତୁ, ନିଜ ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ସେମାନେ ଅତ୍ୟନ୍ତ ରସିକ । ଖଣି ଖାଦାନରେ ହେଉ, ଇଟା ଭାଟିରେ ହେଉ ଅଥବା ସହରରେ ପ୍ରାସାଦ ନିର୍ମାଣ ବେଳେ, ଦିନତମାମ କାମରେ ଲାଗିଥାନ୍ତି । କ୍ଷୋଭ, ଗ୍ଲାନି କିଛି ନାହିଁ ।

 

କ୍ଲାନ୍ତି ନାହିଁ, ସବୁ ଅତି ସାଧାରଣ ଆଉ ସ୍ୱାଭାବିକ । ଆଶ୍ଚର୍ଯ୍ୟ ଲାଗେ, ସହରୀ ସଭ୍ୟତା ଯେତେବେଳେ ସୁପ୍ତ ସେତେବେଳେ ନିଝୁମ ରାତିର ସାଥୀ ହୋଇ ରୁମୁଝୁମ୍ ଝଙ୍କାରରେ ଝଙ୍କୃତ କରନ୍ତି ଚାନ୍ଦିନୀ ରାତି ପୁଣି ଗାଢ଼ ଅନ୍ଧକାରକୁ । ଦିନର କ୍ଲାନ୍ତି ଉଭେଇ ଯାଏ, ଅଭାବ ଲୁଚିଯାଏ । ମନେପଡ଼େ ନିଜ ‘ଆଖ୍‍ଳା’ ବାଦ୍ୟଯନ୍ତ୍ର ସବୁ ଦୋହଲେଇ ଦିଏ ରସିକ ବ୍ୟକ୍ତିସତ୍ତାକୁ । କୌଣସି ମଞ୍ଚ, ଆଲୋକସଜ୍ଜା ଦର୍ଶକମଣ୍ଡଳୀର ଆବଶ୍ୟକ ପଡ଼େ ନାହିଁ, କେବଳ ମାଦଳ ଦୁଇଟା, ବଇଁଶୀ ଦୁଇଗୋଟି ସେତିକି ଯଥେଷ୍ଟ । ମାଦଳର ତାଳେ ତାଳେ ପାଦ ଚହଲି ଚହଲି ବଇଁଶୀର ସୁରେ ସୁରେ ମତୁଆଲା ହୋଇଉଠେ ପରିବେଶ । ସାନ୍ତାଳ ଯୁବକ ଯୁବତୀ ମତୁଆଲା ହୋଇଉଠନ୍ତି । ଅର୍ଦ୍ଧରାତ୍ରିର ନିଦ୍ରାଭଙ୍ଗ ହେଲେ ଶୁଭେ ମାଦଳର ସ୍ମୃତିରେଖା ଧ୍ୱନି, ଗୀତର ଅଭୁଲା ସ୍ୱର । ମନେହୁଏ ଏହା ହିଁ ଜୀବନ । ଧନ୍ୟ ତାଙ୍କର ଧୈର୍ଯ୍ୟ, ସଂସ୍କୃତି ପ୍ରେମ । ସଭ୍ୟ ସମାଜ, ଶିକ୍ଷିତମଣ୍ଡଳୀର ଲୋଭ ହୁଏ ଏପରି ସରଳ ଶାନ୍ତିମୟ ଜୀବନକୁ । ତାଙ୍କ ପ୍ରେମକୁ ଦେଖିଲେ ମନରେ ଈର୍ଷା ଜାତ ହୁଏ । କୋଉ ଉପାଦନରେ ଗଢ଼ା ଏମାନଙ୍କ ମନ ଓ ଶରୀର ।

 

ଦୁଇଟି ମାଦଳ ରହିଲେ, ଯେଉଁଠି ରହନ୍ତୁ, ଜମିଯାଏ ‘ଏନେଜ୍‍ ସେରେଞ୍ଜ ଆଖ୍‍ଳା’ । ଜୀବନକୁ ଜାଣିହୁଏ, ଉପଭୋଗ କରିହୁଏ । ଭୁଲି ହୋଇଯାଏ ଦାରିଦ୍ର, ନିଜର ଅତୀତ । ବାସ୍, ବର୍ତ୍ତମାନ ହିଁ ଯଥେଷ୍ଟ । ଏସବୁ ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଦିଏ ।

 

ସଂସ୍କୃତରେ ଅଛି :

‘‘ଯାନ୍ତି ଦିନାନି ସମୟୋଽପି ନାପେକ୍ଷତେବ

ଅସ୍ତ୍ରଂଯାତି ଦିନମଣିଃ ପୁନରପ୍ୟୁ ନୈତିବ

ରୂପଂଗତି ଯଦିସଖେ ନହି ଲଭ୍ୟେତେବ

ଇତ୍ୱଂ ବିଚିନ୍ତ୍ୟ ସମୟାଃ ସଦାରକ୍ଷଣୀୟାଃ ।’

 

ଅନୁରୂପ ଭାବରେ ସାନ୍ତାଳୀ ଲୋକଗୀତରେ ଅଛି:

 

ଦନ୍‍ଦ ହିଜୁଃ ଦିନ୍‌ଦ ସେନଃ

ଦିନ୍‌ଦ ହେଜ୍ ରୁଆଳଃ

ସିଙ୍ଗିଞ୍ଜଞ୍ଜିନ୍ଦା ନଙ୍କାଗେ୍‍ ହିଜୁଃ ସେନଃ ।

ରୂପଦ୍ ହିଜୁଃ ରୂପଦ ସେନଃ

ରୂପଦ ବାୟ ରୁଆଳା

କାଂସା ପିତଲ୍ ବାଙ୍‌ସେ

ସୁନା ରୂପା ବାଙ୍‌ସେ

ରୂପ୍‌ଦ ହୁନାଂ ଦୁଲ୍‌ ରୁଆଳଆ ।

 

ଅର୍ଥାତ୍ ଦିନ ଆସୁଛି ଯାଉଛି । ଦିନ ପୁଣି ଫେରିବ । ଦିନ ରାତିର ଏଇଭଳି ଯିବା ଆସିବା ଲାଗି ରହିଥିବ, ରୂପ ଥରେ ଆସେ, ଚାଲିଯାଏ ଆଉ ଫେରେନାହିଁ । ଏହା କଂସା ପିତଳ କି ସୁନା ରୂପା ହୋଇଥିଲେ ସିନା ଛାଞ୍ଚରେ ଢାଳି ଦେଇ ନୂଆରୂପ ଦେଇହୁଅନ୍ତା ।

ଜୀବନ ଓ ମୃତ୍ୟୁ ଉଭୟ ସତ୍ୟ । ଏହି ସତ୍ୟତା ମଧ୍ୟରେ ନିହିତ ଅସରନ୍ତି ପ୍ରେମର ଭଣ୍ଡାର । ସେଇ ଭଣ୍ଡାରରେ ରହିଛି ନୃତ୍ୟ ଓ ଗୀତ । ଏହା ସାନ୍ତାଳମାନଙ୍କ ଏକ ବିଶିଷ୍ଟ ଅଙ୍ଗ । ଏହା ସ୍ୱେଦସିକ୍ତ, କର୍ମକ୍ଲାନ୍ତ ଜୀବନକୁ ସରସ ସୁନ୍ଦର ସ୍ୱାସ୍ଥ୍ୟବାନ୍ କରିବା ସହିତ ଗୋଷ୍ଠୀଗତ ଜୀବନରେ ସଂହତି ପ୍ରତିଷ୍ଠା ଦିଗରେ ସହାୟକ ଅଟେ ।

 

ଆଦିବାସୀମାନଙ୍କର ମୁଖ୍ୟ ବୃତ୍ତି ହେଉଛି କୃଷିକର୍ମ । ତେଣୁ ତାଙ୍କର ପର୍ବପର୍ବାଣିଗୁଡ଼ିକ କୃଷିଭିତ୍ତିକ । ପ୍ରତ୍ୟେକ ପର୍ବରେ ନୃତ୍ୟଗୀତର ଆୟୋଜନ କରାଯାଏ । ପର୍ବପର୍ବାଣୀ, ଜନ୍ମମୃତ୍ୟୁ, ବିବାହ, ପ୍ରେମ, କୃଷିକର୍ମ ଧର୍ମୀୟ ଅନୁଷ୍ଠାନ ସହିତ ନୃତ୍ୟଗୀତର ସମ୍ପର୍କ ଅତି ନିବିଡ । ଏଥିରେ ବ୍ୟକ୍ତିର ଆବେଦନ ନିହିତ । ଯୁବକ ଯୁବତୀ ନୃତ୍ୟଗୀତକୁ ମାଧ୍ୟମ କରି ପ୍ରେମ ନିବେଦନ କରିଥାନ୍ତି-

 

ଏହି ପ୍ରବନ୍ଧକୁ ଉପସ୍ଥାପନ କରିବା ପାଇଁ ପାରମ୍ପରିକ ଗୀତ ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ଗାନ କରାଯାଉଥିବା ଗୀତଗୁଡ଼ିକ ମଧ୍ୟ ସ୍ଥାନ ଦିଆଯାଉଛି ।

 

ସାନ୍ତାଳୀ ଲୋକଗୀତରେ ପ୍ରେମକୁ ନିମ୍ନମତେ ବିଭାଗୀକରଣ କରାଯାଇପାରେ ।

 

୧)

ପିତାମାତାଙ୍କର ସନ୍ତାନ ପ୍ରତି ପ୍ରେମ

୨)

ଭାଇଭଉଣୀ ମଧ୍ୟରେ ପ୍ରେମ

୩)

ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ

୪)

ପତିପତ୍ନୀଙ୍କ ମଧ୍ୟରେ ପ୍ରେମ

 

ଆଦିବାସୀ ସମାଜରେ ପୁଅ ଝିଅ ଉଭୟେ ସମାନ । ବରଂ ପ୍ରଥମ ସନ୍ତାନଟି କନ୍ୟା ହେଉ ବୋଲି ପିତାମାତାଙ୍କର ଆଗ୍ରହ ଦେଖାଯାଏ । ଝିଅଟିଏ ଜନ୍ମ ହେଲେ ପରିବାରରେ ଯେପରି ଖୁସିର ଲହରି ଖେଳେ ପୁଅ ଜନ୍ମ ସେପରି ଖୁସି ହିଁ ଦେଖାଯାଏ । ଝିଅ ପୁଅ ପ୍ରତି ସମାନ ଭାବରେ ସ୍ନେହ ଥାଏ । ପିତାମାନଙ୍କର ଜୀବନ ଜଞ୍ଜାଳମୟ, କର୍ମରତ । କୃଷିକର୍ମରେ ଦିନସାରା ବ୍ୟସ୍ତ । ମୁହଁ ସଞ୍ଜ ହେଲେ ଘରକୁ ଫେରନ୍ତି । ଖରା, ବର୍ଷା, ଶୀତକୁ ଖାତିର ନ କରି ଅକ୍ଲାନ୍ତ ପରିଶ୍ରମରେ ସେମାନେ ସର୍ବଦା ବ୍ୟଗ୍ର କେବଳ ସନ୍ତାନର ସୁଖଶାନ୍ତି ପାଇଁ । ତେଣୁ ସନ୍ତାନ ପ୍ରତି ସ୍ନେହ ରହିଥିଲେ ମଧ୍ୟ କର୍ମଜଞ୍ଜାଳ ଭିତରେ ତାହା ଅପ୍ରକାଶିତ ହେବା ଭଳି ମନେହୁଏ । ଛୋଟ ପିଲାକୁ ଶୁଆଇବା ବେଳେ ମାତୃ ହୃଦୟର ସମସ୍ତ ଅମୃତଧାରା ଝରିପଡ଼େ, ଫୁଟି ବାହାରି ଆସେ ମୁହଁରେ । ପିଲାକୁ ଶୁଆଇବା ଆଳରେ ସବୁ ମମତା ପ୍ରକାଶ କରେ ମାତା:

 

ନିନ୍ଦା ବାବୁ ନିନ୍ଦା ନିନ୍ଦା

ଆଲେ ବାବୁଦୟ

ଜାପିଦ୍ କାଃ ତାଲେୟା

ହପନ୍ ବାବୁଦ୍‍

ଗୁଳଗୁ ଲେକାଞ୍ଜ ଡୁମ୍ବୁ ଆୟା

ସିଲପିଞ୍ଜ ଲେକାଞ୍ଜ ପିଠା ଆୟା

କୁଡ଼ାମ୍ କୁଡ଼ାମତେ ଜମ୍ ଆଚୁରାୟ ।

 

ଶୋଇଯାଆ ପୁଅ, ଶୋଇଯାଆ । ମୋ ସୁନା ପୁଅ ପାଇଁ ଶିଳପୁଆ ପରି ମଣ୍ଡା ପିଠା କରିଦେବି, କବାଟ ପରି ବଡ଼ ପିଠା କରିଦେବି । ଘର ଚାରିପଟେ ବୁଲି ବୁଲି ଖାଇବ । ମୋ ସୁନା ପୁଅ ଶୋଇପଡ଼ । ଶିଳପୁଆ ପରି ମଣ୍ଡା ପିଠା, କବାଟ ପରି ବଡ଼ପୀଠା କରିବା ସମ୍ଭବ ନୁହେଁ । ଉପମା ପ୍ରୟୋଗ ମାଧ୍ୟମରେ ମାତୃ ହୃଦୟର କଳ୍ପନା ପ୍ରକାଶ ପାଇବା ସହିତ ସ୍ନେହର ପରିପ୍ରକାଶ ମଧ୍ୟ ଜଣାଯାଏ । ପିତାମାତା କେବଳ ଯେ ସ୍ନେହ କରନ୍ତି ତା ନୁହେଁ ସ୍ନେହପ୍ରେମର ଛଳରେ ସନ୍ତାନମାନଙ୍କୁ ଗୀତ ମାଧ୍ୟମରେ ଉପଦେଶ ମଧ୍ୟ ଦିଅନ୍ତି । ପିଲା ଖାଇବାକୁ ଅଝଟ କଲେ ଜହ୍ନମାମୁଁକୁ ଦେଖାଇ ବୋଧ କରାନ୍ତି । ଗାଧୋଇବା ବେଳେ ଗୀତ ଛଳରେ ଛୋଟ ପିଲାର ନିତ୍ୟ କର୍ତ୍ତବ୍ୟ ପ୍ରତି ସଚେତନ କରାଇ ଦିଅନ୍ତି ।

 

ପୁଅ ଝିଅ ଯେତେବଡ଼ ହୁଅନ୍ତୁ ପିତାମାତା ନିକଟରେ ସବୁବେଳେ ପିଲା ହୋଇ ରହିଯାଆନ୍ତି । ପିଲାଙ୍କର ବଡ଼ ବଡ଼ ଭୁଲ ମଧ୍ୟ ପିତାମାତାଙ୍କ ନିକଟରେ କ୍ଷମଣୀୟ । ସାନ୍ତାଳୀ ‘ସହରାୟ’ ଗୀତରେ ତାହା ସ୍ପଷ୍ଟ ହୋଇଅଛି ।

 

ବିଟିତିଞ୍ଜ୍‍ ବିଟିତିଞ୍ଜନ୍ଦ

ଟସକ୍ ଦୁଲାଳ,

ବେଟାତିଞ୍ଜ ବେଟାତଞ୍ଜଦ

ଜୁଲ୍‍ହି ବାଲକ ।

ବିଟିୟେ ଗୁହ୍ନାଇ ରେଦ

ତିଞ୍ଜୁଦ ନାତାଂ ଆ,

ବେଟାୟେ ଗୁହ୍ନାଇ ରେଦ

କଳାମିଞ୍ଜ ଉଦୁଗା-ଆ

 

ଅର୍ଶତ୍ ଝିଅଟି ମୋର ଗେହ୍ଲେଇ, ସୁନ୍ଦରୀ । ପୁଅ ମୋର ଦାଣ୍ଡ କୁମାର । ଝିଅ ଦୋଷ କଲେ ହାତ ପତେଇ ଦେବି (ପଣ ପାଇଁ), ପୁଅ ଦୋଷ କଲେ ଛାତି ଫୁଲେଇ କ୍ଷତିପୂରଣ ଦେବି । ଉପରୋକ୍ତ ଗୀତରୁ ମାତୃ ହୃଦୟର ମମତା ମଧୁର ପରିଚୟ ମିଳେ । ପୁଅ ଝିଅ ପାଇଁ ମାଆ ପ୍ରାଣବଳି ଦେଇପାରେ । ଏହାଠାରୁ ଅଧିକ ପ୍ରେମ ଆଉ କଣ ଥାଇପାରେ । କେବଳ ଯେ ପିତାମାତା ସନ୍ତାନମାନଙ୍କୁ ପ୍ରେମ କରନ୍ତି ତାହା ନୁହେଁ, ସନ୍ତାନମାନେ ମଧ୍ୟ ପିତାମାତାଙ୍କୁ ଅନୁରୂପ ପ୍ରେମ କରନ୍ତି ।

 

ସାନ୍ତାଳ ସମାଜରେ ଜନନୀକୁ ‘କ୍ଷୀରବୃକ୍ଷ’ (ତୱାଦାରେ) ଜନକକୁ ‘ଛାୟାବୃକ୍ଷ’ (ଛାତାଦାରେ) ବୋଲି କୁହାଯାଏ । ସନ୍ତାନ ନିର୍ଭୟରେ ଏହି ଦୁଇ ଅମୃତ ଛାୟା ତଳେ ରହେ । ଅଳି କରେ, ଅଭିମାନ କରେ ପିତାମାତାଙ୍କ ନିକଟରେ । ତାହାରି ଭିତରେ ପ୍ରକାଶ ପାଏ ପ୍ରେମର ଅମୃତ ଧାରା । ଅଲିଅଳି ଝିଅଟିଏ ମାତାଙ୍କ ନିକଟରେ କିପରି ଅଳି କରୁଛି ତାହା ନିମ୍ନ ଗୀତରେ ଦେଖିବା

 

‘‘ରଦ୍‌ କାଞ୍ଜ୍‍ମେ ନାୟଗ

ନାକିଜ୍‍ କାଞ୍ଜ୍‍ମେ ନାୟଗ

କାମିବାଗି କାତେ ଗାଲାଂ କାଞ୍ଜମେ

ନାୟଗୋ, ଗନଂ ଆମାଞ୍ଜ ଇଞ୍ଜନ୍ଦ ଖାଣ୍ଡା ଲୁଗ୍‍ଳି ।’’

 

ଅର୍ଥାତ୍ ମାଆ ! ମୁଣ୍ଡ କୁଣ୍ଡାଇ ଜୁଡ଼ା ବାନ୍ଧିଦେ, ସବୁକାମ ଛାଡ଼ି ଆଗ ମୋର ବେଣୀ ବାନ୍ଧିଦେ ମାଆ ! ମୁଁ ତୋତେ ‘ଖାଣ୍ଡା ଲୁଗ୍‍ଳି’ (ବାହାଘର ବେଳେ ମାଆଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଦିଆଯାଉଥିବା ଚଉଦ ହାତି ଲୁଗା) ଉପହାର ଦେବି । ଏଥିରୁ ସ୍ପଷ୍ଟ ହୋଇଯାଉଛି ଝିଅର ଶ୍ରଦ୍ଧା ତାର ମାଆ ପ୍ରତି ଅତି ଗଭୀର । ପୁଅ ମଧ୍ୟ ଅଳି କଲେ ବାପାଙ୍କ ନିକଟରେ ଏକ ଲଘୁ କେନ୍ଦରା ପାଇଁ :

 

‘‘ଆୟୋ ବାବାଦ ମେ ତାୟ ମେସେ

କାଏରା ବାନାମ୍‍ ଦୟ ବେନାଓ ଆଞ୍ଜ୍‍ମା

ନାତୁ କୁଳିକ ଜାଁୱାୟ ଲେନ୍ ଖାନ୍

କାଏରା ବାନାମ୍‌ଦ ଧାଗୟା ଧାଗୟ ।’’

 

ପୁଅ ସିଧାସଳଖ ବାପାଙ୍କୁ କହୁନାହିଁ । ବାପା କାଳେ ମନା କରିଦେବେ ଏହି ଭୟ ମଧ୍ୟ ମନରେ ରହିଛି । ତେଣୁ ମାଆଙ୍କ ଜରିଆରେ ନିଜ ଇଚ୍ଛା ପ୍ରକାଶ କରୁଛି । ମାଆ, ବାପାଙ୍କୁ କୁହ ମୋ ପାଇଁ ସୁନ୍ଦର ତଥା ହାଲୁକା କେନ୍ଦରାଟିଏ ତିଆରି କରିଦେବେ । ଗାଁ ଝିଅ ସବୁ ଶାଶୁଘରକୁ ଗଲାବେଳେ କେନ୍ଦରାର ଉପଯୁକ୍ତ ବ୍ୟବହାର କରିବି । ଉକ୍ତ ଗୀତଟିରେ ପ୍ରେମ- ଭୟ-ଭକ୍ତି ଏହି ତ୍ରିଧାରା ପ୍ରବାହିତ ।

 

ସାନ୍ତାଳୀ ପ୍ରେମ ଗୀତଗୁଡ଼ିକ ଇଙ୍ଗିତଧର୍ମୀ । ଗୀତଗୁଡ଼ିକ ଗାନ କଲାବେଳେ (ପାରମ୍ପରିକ ଗୀତ) ପ୍ରାୟ ନାସିକ୍ୟ ଧ୍ୱନିର ଉଚ୍ଚାରଣ ହୋଇଥାଏ । ଉପମା ରୂପକର ପ୍ରୟୋଗ ସହିତ ପ୍ରତୀକର ସ୍ଥାନ ମଧ୍ୟ ଯଥେଷ୍ଟ ରହିଛି ।

 

ଭାଇ ଭଉଣୀ ମଧ୍ୟରେ ପ୍ରେମ:

ଆଦିବାସୀ ଭାଇ ଭଉଣୀ ଉଭୟ କର୍ମରତ । କୁନି ଭଉଣୀଟିଏ ସକାଳୁ ଉଠିଲା ମାତ୍ରେ କାମରେ ଲାଗିଯାଏ । ଘର, ଅଗଣା, ଦାଣ୍ଡପଟ, ବାରିପଟ ଗୋବରପାଣି ଛିଞ୍ଚି ଝାଡ଼ୁ ମାରେ । ଭାଇ ମଧ୍ୟ ଗୁହାଳୁରୁ ଗାଈ, ଗୋରୁ, ଛେଳି, ମେଣ୍ଢା ଫିଟେଇ ଦେଇ ଅଡ଼େଇ ନେଇଯାଏ ଗୋଷ୍ଠକୁ । ରାନ୍ଧିବା ବୟସ ନହେଉଣୁ ଭଉଣୀ ରୋଷେଇଶାଳର ଦାୟିତ୍ୱ ତୁଲାଏ । ଲଙ୍ଗଳ ଧରି ଆସୁନଥିଲେ ମଧ୍ୟ ଭାଇ ଯାଏ ହଳ କରିବାକୁ । ତାରି ମଧ୍ୟରେ ଭାଇ ଭଉଣୀ ପ୍ରେମ, ସ୍ନେହର ଅଫୁରନ୍ତ ଧାରା ପ୍ରବାହିତ ହୁଏ । ଦାଣ୍ଡ ଧୂଳିରେ ଖେଳଘର, ନଦୀରେ ମାଛଧରା, ଓଦା ବାଲିରେ ମନ୍ଦିର ତିଆରି କରେ ଭାଇ ତା ଭଉଣୀ ପାଇଁ । ଭଉଣୀ ସାନ ହେଉ ଅଥବା ବଡ଼ ହେଉ ଭାଇ ପ୍ରତି ସ୍ନେହ ଯେତିକି ସମ୍ମାନ ମଧ୍ୟ ସେତିକି । ବାପାଙ୍କ ଅନ୍ତେ ଭାଇ ହିଁ ଏକମାତ୍ର ଆପଣାର ବ୍ୟକ୍ତି । ବାହା ହେଲା ପରେ ଭାଇ ବାଟ ଭାଙ୍ଗି ଦେଲା ପରେ ଯାଇ ଭଉଣୀ ବାପ ଘରକୁ ଆସିପାରେ । କାରଣ ବାପଘରେ ସେ କୁଣିଆଁ ହୋଇଯାଏ । ଭାଇ ଭଉଣୀର ପ୍ରେମ ଅତୁଳନୀୟ ଅକଳନୀୟ । କେତେବେଳେ ଭଉଣୀ ଭାଇ ପାଖରେ ଅଳିକରେ ତ ଭାଇ ଭଉଣୀକୁ ଘରେ ନ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼େ ।

 

ଏଦେଲ୍ ବାହା ଶାଙ୍ଖା ଦାଦା

କିରିଞ୍ଜାଞ୍ଜ୍‍ମେ

ଆର ଧା ଅତିଞ୍ଜ୍‍ ଗନଂ ଆମା

ଟେକେର୍ ଟେକେର୍

 

ହାଟକୁ କିମ୍ବା ଯାତ୍ରାକୁ ଭାଇ ଯାଉଥିବା ବେଳେ ଭଉଣୀର ବରାଦ ଯେ ‘‘ଭାଇ ! ମୋ ପାଇଁ ଶିମୁଳି ଫୁଲିଆ ଶଙ୍ଖା ଆଣିଦେବ । ବଡ଼ ହେଲେ ତୁମ ପାଇଁ ମୁଁ ଦୁଇଥର ପଣ ପାଇବାର ବ୍ୟବସ୍ଥା କରିବି ।’’ ଭଉଣୀର ଅଧିକାର ଭଲ ପାଇବା ଭାଇ ନିକଟରେ ଅଛି ଏହା ହିଁ ପ୍ରମାଣିତ ହୁଏ ଉକ୍ତ ଗୀତରୁ ।

 

ରାଚାରେ ଜବ୍‍ରା

ଗଳାରେ ଗୁରିଜ୍

ହୁଡ଼ିଞ୍ଜ୍‍ ମାଇଁ, ଦୟାତକା ୟେନା ?

ହୁଡ଼ିଞ୍ଜ୍‍ ମାଇଁ, ହୁଡ଼ିଞ୍ଜ୍‍ ମାଇଁ

ଆଲପେ ମେନ୍ ବାଳାୟ

ହଲା ସିଙ୍ଗାଳ ରେଲେ

ବିଦାୟ କେବେ ।

 

ସକାଳେ ଉଠିଲା ପରେ ଭଉଣୀକୁ ନ ଦେଖିବାରୁ ଭାଇ ବ୍ୟତିବ୍ୟସ୍ତ ହୋଇପଡ଼ିଛି । ‘‘ମାଆଙ୍କୁ ଜିଜ୍ଞାସା କରିଛି ଯେ ତା ଗେହ୍ଲେଇ ଭଉଣୀ କୁଆଡ଼େ ଗଲା ? ମାଆର ଉତ୍ତର ସାନଭଉଣୀ କଥା ପଚାରି ମୋ ମନକୁ କଷ୍ଟ ଦେ ନା । ତାକୁ ପରା ଗତ ରାତିରୁ ଆମେ ବିଦା କରିଦେଇଛୁ ଶାଶୁଘରକୁ ।’’ ଗୁହାଳରେ ଗୋବର ପଡ଼ି ରହିଛି, ଅଗଣାରେ ଅଳିଆରେ, ସେଥିପ୍ରତି ଧ୍ୟାନ ନାହିଁ । ମୁଖ୍ୟ ହେଉଛି ଭଉଣୀ ପ୍ରତି ସ୍ନେହ ।

 

ଭଉଣୀ ଚାଲିଯାଏ ଶାଶୁଘରକୁ । ଭାଇ ପାଇଁ ଭାଉଜ ଆସନ୍ତି ଘରକୁ । ଭଉଣୀ ଯେତେବେଳେ ବାପ ଘରକୁ ଆସିଛି ଭାଉଜ ହଠାତ୍ ପଚାରିଲେ ଏମାନେ ତୁମର କିଏ ହୁଅନ୍ତି ? ‘ସହରାୟ’ ଗୀତରେ ଭାଇ ଭଉଣୀର ସ୍ନେହ ପ୍ରକଟିତ ।

 

ଏତମ୍ ପିଣ୍ଡାରେ ଦୁଳୁବ୍ ଦୁଳୁବ୍

ଏତମ୍ ପିଣ୍ଡାହଁ ଲାନ୍ଦୁଳ, ଏନାରେ,

କଞ୍ଜେ ପିଣ୍ଡାରେ ଦୁଳୁବ୍ ଦୁଳୁବ୍

କଞ୍ଜେ ପିଣ୍ଡାହଁ ଲାନ୍ଦୁ, ଏନାରେ ।

ହିଲିଦୟ ମେନାଦ ନୁଇଦ ନୁକୁଦ

ଚିଲି ଦୁୟୁଃ ତାମ୍ ।

ଦାଦାଦୟ ମେନାଦ

ଦେ ମାଇଁ, ଦେଲା ମାଇଁ

ନତେ ବଲନ୍‍ ପେ ।

 

‘ସହରାୟ’ ପର୍ବରେ ଭାଇ ଘରକୁ ଆସିଛି ଏବଂ ପିଣ୍ଡାରେ କୋଣରେ ବସିପଡ଼ିଛି । ଦୁର୍ଭାଗ୍ୟକୁ ଯେଉଁ ପିଣ୍ଡାରେ ବସିଲା ସେ ପିଣ୍ଡା ଭୁସୁଡ଼ି ପଡ଼ିଲା । ଏଭଳି ମୁହୂର୍ତ୍ତରେ ଭାଉଜ ହଠାତ୍ ପ୍ରଶ୍ନ କରିଛନ୍ତି ଭାଇଙ୍କୁ- ଏମାନେ ତୁମର କିଏ ? କଣ ହେବେ ? ଭାଇ ସାଙ୍ଗେ ସାଙ୍ଗେ ଘରୁ ବାହାରି ପଡ଼ି ଭଉଣୀକୁ ଘର ଭିତରକୁ ପାଛୋଟି ନେଇଛି । ଭାଉଜ ଭାଇର ସ୍ତ୍ରୀ ହୋଇପାରେ ହେଲେ ନିଜ ସ୍ତ୍ରୀର ଭଉଣୀ ପ୍ରତି ଏଭଳି ବ୍ୟବହାରରେ କ୍ଷୁବ୍ଧ ହୋଇଛି । ଭାଉ ଭଉଣୀ ସର୍ବଦା ସ୍ନେହ ରଜ୍ଜୁରେ ଆବଦ୍ଧ । ପାଣିକୁ ପିଟିଲେ ପାଣି ଯେପରି ଅଲଗା ହୁଏ ନାହିଁ, ଭାଇ ଭଉଣୀ ସ୍ନେହ ସେହିଭଳି ଅବିଚ୍ଛିନ୍ନ ।

 

ଯୁବକ ଯୁବତୀ ମଧ୍ୟରେ ପ୍ରେମ:

ଆଦିବାସୀ ସମାଜରେ ଯୁବକ ଯୁବତୀମାନେ ମୁକ୍ତ ଆକାଶର ବିହଙ୍ଗ । ଯୁବତୀମାନେ କଳନାଦିନୀ ଝରଣା । ଯୁବକମାନେ ପ୍ରଶାନ୍ତ ସାଗର, ସେଇଠି ସେ ହଜାଇପାରେ, ବୁଡ଼ାଇ ଦେଇପାରେ ତାର ପ୍ରେମିକାକୁ, ପ୍ରିୟାକୁ । ବିବାହ ଯୋଗ୍ୟ ଯୋଗ୍ୟା ହେଲେ ଉଭୟଙ୍କ ଅଧିକାର ଅଛି ଜୀବନସାଥୀ ବାଛିବାର । ଯାହା ବର୍ତ୍ତମାନ ଆଧୁନିକ ସଭ୍ୟତାରେ ଦେଖାଦେଉଛି ତାହା ଆଦିବାସୀ ସମାଜରେ ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛି । ସମାଜରେ ଯୌତୁକ ପ୍ରଥାର ପ୍ରଚଳନ ନଥିଲା କିନ୍ତୁ ବର୍ତ୍ତମାନ ଅନୁକରଣ ପ୍ରବୃତ୍ତିକୁ ବରଣ କରିବାରୁ ପ୍ରେମର ରୂପ ବଦଳିବା ସହିତ ଯୌତୁକ ପ୍ରଥା ମଧ୍ୟ ପ୍ରବେଶ କଲାଣି । ସାନ୍ତାଳୀ ଯୁବତୀର ସୌନ୍ଦର୍ଯ୍ୟକୁ ନିମ୍ନ ଗୀତରେ ବର୍ଣ୍ଣନା କରାଯାଇଛି ।

 

ନା କୁଳିକ ନାଈଦାଃ କାସିରେତ୍ ରେତେ

ନା କୁଳିକ ଗାଡ଼ା ସାପାରମ୍

ନା କୁଳିକ କାରଦୁଁ ଠିଲି ମିରଜୁ ବାହା ଦାଃ

ନା କୁଳିକ ଚେଲେ କେଦାଃ ବାଡ଼ାଜ୍ ବୁଡୁଜ୍

ନା କୁଳିକ ଗାଡ଼ା ସାପାରମ୍

ନା କୁଳିକ ହେସେଇ ଟୁଡାଙ୍ ଲୁମାଙ୍ ।

 

ହେ ସୁନ୍ଦରୀ ଧବଳବସ୍ତ୍ର ପରିଧାନ କରିଛ ବୋଲି ନଦୀପଠା କାଶତଣ୍ଡୀ ଫୁଲପରି ଦିଶୁଛ-। ନଦୀ କୂଳ ଗଙ୍ଗଶିଉଳି ଫୁଲ କରି ସୌନ୍ଦର୍ଯ୍ୟ ପୁଣି ସୁରଭି ମନକୁ ମୋହିତ କରୁଛି । ଉଛଳା ଯୌବନ ଉଛୁଳି ପଡ଼ୁଛି । ଧୀର ମନ୍ଥର ଚାଲି ଠିକ୍ ଅଶନ ଗଛ ଡାଳରେ ଟସର ପୋକର ଗତି କରି-। ସମଗ୍ର ଶରୀର ଢେଉ କରି ଉଠୁଛି ପଡ଼ୁଛି । ଏଭଳି ଧଳା ପରୀଟିକୁ ଦେଖିଲେ କୋଉ ପୁରୁଷର ମନ ସ୍ଥିର ହୋଇ ରହିପାରିବ ?

 

ସାମ୍ପ୍ରତିକକାଳରେ ଯୁବକ ହେଉ କିମ୍ବା ଯୁବତୀ, ପ୍ରଥମେ ନିଜକୁ ପ୍ରତିଷ୍ଠିତ କରି ବିବାହ କଥା ଚିନ୍ତା କରୁଛି । କିନ୍ତୁ ଆଦିବାସୀ ସମାଜରେ ଯୁବକ ଯୁବତୀ ବୟୋପ୍ରାପ୍ତ ହେଲେ କୌଳିକ ପ୍ରଥାକୁ ଆପଣାର କରି ନିଜର ସହଯୋଗ ପରିବାର ପ୍ରତିପୋଷଣରେ ଦେଇଥାଏ । ସେହିପରି ଶାରୀରିକ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ସେ ଆତୁର ଥାଏ । ଝିଅଟିଏ ବଡ଼ ହେଲା ପରେ ଜୀବନସାଥୀ ପାଇଁ କିପରି ପାଗଳିନୀ ତାହା ତଳ ଲିଖିତ ଗୀତରୁ ଜଣାପଡ଼ିବ ।

 

ହାରା ଏନାଞ୍ଜ୍‍ ହରବର

ରାସ୍କା ମନେ ସରବର

ହାରାହଳ୍ମ ହାତାଓ ଲାଗିଦ୍ ବାତେ ଞ୍ଜମାଞ୍ଜମେ ।

ହାରାହଳ୍ମ ହାତା ଓ ଲାଗିଦ୍

ଗାତେ ଞ୍ଜାମାଞ୍ଜ ମେରେ ଚାନ୍ଦବଙ୍ଗା

ବୁଦାନାଣୀ ଲେକା ଇଞ୍ଜ୍‍ଦୁଞ୍ଜ୍‍ ରାଚାଃ ଉରିଜଳଃ ।

 

ଖୁବ୍ ତରବରରେ ବଢ଼ିଗଲି, ମନ ଉଚ୍ଛନ୍ନ ହେଲାଣି ସାଥୀ ପାଇଁ । ହେ ପ୍ରଭୁଃ ! ଛନ ଛନ ଦେହମନ ପାଇଁ ଶୀଘ୍ର ସାଥୀ ଖୋଜିଦିଅ । ଥରେ ତାକୁ ପାଇଲେ ସବଳ ବୃକ୍ଷରେ ଳତା ମାଡ଼ିଗଲା ପରି ତାକୁ ଧରି ରଖିବି । ନାରୀ ମନ ପୁରୁଷ ମନକୁ ବାନ୍ଧି ରଖିବାର ବ୍ୟାକୁଳତା ପ୍ରକାଶ ପଡ଼ିଛି ଉଭକ୍ତ ଗୀତରେ ।

 

ସେହିପରି ଅନ୍ୟ ଏକ ରୂପସୀର ପ୍ରେମିକ ସହିତ ମିଳନ ଇଚ୍ଛା ନିମ୍ନଲିଖିତ ଗୀତରୁ ଅନୁମେୟ:

 

ଗୀତଞ୍ଜ୍‍ତିରୟାଉ ନରଂ ଶିଲି ବୁରୁରେ

ନିଞ୍ଜମାଞ୍ଜ୍‍ ନାଂଜମ୍ ଜଙ୍‌କାନ୍ ଦାଃ ଲୁ ଘାଟରେ

ଠିଲିଞ୍ଜ୍‍ ଦହୟ ତେମା ହଳ୍‌କ ରଳିଞ୍ଜା

ବାଞ୍ଜ୍‍ ଦହୟ ରେମା ଗାତିଞ୍ଜକାଁ ହି ସଃ

ହଳ୍‌କ ରଲ୍‍ରେଞ୍ଜ ସାହାଓ କାଃ ଗେ

ଗାତିଞ୍ଜ କାହିଁସ ଦରେ ଅହଞ୍ଜ ସାହାଓ କେୟା ।

 

ଓଡ଼ିଆରେ ଅନୁବାଦ:

ପ୍ରେମିକର ବଂଶୀସ୍ୱନ ଶିଲିବୁରୁରେ

ଉଚ୍ଚାଟ କରେ ମୋତେ ନଦୀ ଘାଟରେ

କଳସୀ ରଖିଲେ ଶୁଣିବି ଅପବାଦ

ନ ରଖିଲେ

କଷ୍ଟ ଦେବି ମୋ ପ୍ରିୟ ମନକୁ

ପ୍ରିୟ ମନ ରଖିବି ମୁହିଁ

ହୋଇଯାଏ କଳଙ୍କିନୀ

ଦୁନିଆ ଆଗରେ ।

 

ପ୍ରେମିକା ଲୋକଅପବାଦ ସହିବା ପାଇଁ ପ୍ରସ୍ତୁତ, କିନ୍ତୁ ପ୍ରେମିକ ମନରେ କଷ୍ଟ ଦେଇପାରିବି ନାହିଁ । ପ୍ରେମିକର ସୁଖ ପାଇଁ ସବୁ କିଛି ତ୍ୟାଗ କରିପାରେ । ଏହିଠାରେ ପ୍ରେମର ଚରମ ପରାକାଷ୍ଠା ଫୁଟିଉଠେ ।

 

ଆଲୋଚକମାନେ ମତ ଦିଅନ୍ତି ଆଦିବାସୀ ନାରୀ ଦେହସର୍ବସ୍ୱ ନୁହେଁ, କେବଳ ମନ ହିଁ ତାର ସବୁକିଛି । କିନ୍ତୁ ସାନ୍ତାଳ ଯୁବତୀ ନିକଟରେ ତାହା ସତ୍ୟ ନୁହେଁ । ସାନ୍ତାଳ ରମଣୀ ଯାହାକୁ ପ୍ରେମ କରେ ତାକୁ ବିବାହ କରେ । ଯାହାକୁ ସେ ବିବାହ କରେ ତାକୁ ପ୍ରେମ କରେ । ତେଣୁ ପ୍ରେମ ବିବାହ ହେଉ ଅଥବା ପ୍ରସ୍ତାବିତ ବିବାହ ହେଉ ତା ନିକଟରେ ତାର ଦେହ ମନ ସର୍ବସ୍ୱ ଅର୍ପଣ କରିଦିଏ । ଥରେ ଯଦି ବିବାହ ହୋଇ କୌଣସି କାରଣବଶତଃ ସେଠାରେ ରହିଲା ନାହିଁ ଏବଂ ଦ୍ୱିତୀୟ ବାର ବିବାହରେ ତା ହେଲେ ସେ ନାରୀ ହାତରେ କୌଣସି ଦେବତା, ପିତୃପୁରୁଷ ପାଣି ମଧ୍ୟ ଗ୍ରହଣ କରନ୍ତି ନାହିଁ । ସେ ପୂଜା ପାଇଁ ହାଣ୍ଡିଆ ମଧ୍ୟ ବସେଇ ପାରିବ ନାହିଁ । ସେ ନାରୀକୁ ଅପବିତ୍ର ବୋଲି ଗ୍ରହଣ କରାଯାଏ । କୌଣସି ପୂଜା ସାମଗ୍ରୀ ଛୁଇଁବା ତାକୁ ନିଷେଧ । ଏଥିପାଇଁ ସାନ୍ତାଳ ଯୁବତୀ ତାର ଚରିତ୍ରକୁ ଖୁବ୍ ଜଗି ରଖି ଚଳେ । ଦ୍ୱିତୀୟବାର ବିବାହ କଲେ ସେ ଡାଲାରେ ବସି ସିନ୍ଦୁର ପାଇବ ନାହିଁ । ସୁନ୍ଥାରେ ସିନ୍ଦୁର ନଦେଇ କାଠଚମ୍ପା ଫୁଲରେ ସିନ୍ଦୁର ମାରି ତାର ଜୁଡ଼ାରେ ଲଗେଇ ଦିଆଯାଏ । ପ୍ରେମ ତା ନିକଟରେ ଚିରନ୍ତନ, ଶାଶ୍ୱତ । କେବଳ ଭୋଗ ପାଇଁ ନୁହେଁ । ଏହା ପରା ଆତ୍ମା ସହ ଆତ୍ମାର ମିଳନ । ପ୍ରେମର ଅପବ୍ୟବହାର କଲେ ଦେବତା କୋପ କରିବେ । ଗ୍ରାମ କଳୁଷିତ ହେବ । ଏହି ବିଶ୍ୱାସ ଉପରେ ଦଣ୍ଡାୟମାନ ସାନ୍ତାଳ ଯୁବକ ଯୁବତୀଙ୍କ ପ୍ରେମ ।

 

ଆଦିବାସୀମାନଙ୍କର କେତେକ ପର୍ବର ଉଦ୍ଦେଶ୍ୟ ଯୌନଶିକ୍ଷା ବା ପ୍ରେମୋଦ୍ଦୀପକ । ମୁଣ୍ଡାମାନଙ୍କର ‘ମାଗେ’, ସାନ୍ତାଳମାନଙ୍କର ‘ବାହା’ ‘ସହରାୟ’ ପ୍ରଭୃତି କିୟଦାଂଶରେ ଏହି ଧର୍ମୀ । ବାହା ପର୍ବରେ ବୋଲାଯାଉଥିବା ଗୀତଗୁଡ଼ିକ ପ୍ରେମ କରିବାକୁ ଉତ୍ସାହିତ କରେ । ଯେପରି ଭକ୍ତମାନେ ମନ୍ଦିରରେ ସଂଯମତା ରକ୍ଷା କରିଥାନ୍ତି, ଠିକ୍ ସେହିପରି ଜାହିରାରେ ଗୀତ ବୋଲିଲେ ମଧ୍ୟ ସଂଯମତା ରହିଥାଏ । କାରଣ ଧର୍ମୀୟ ଅନୁଷ୍ଠାନରେ ସାନବଡ଼ ସମସ୍ତେ ଯୋଗ ଦେଇ ଏହାକୁ ଉପଭୋଗ କରନ୍ତି ।

 

ବାହାଗୀତରେ ପ୍ରେମର ଦୃଷ୍ଟାନ୍ତ:-

 

‘‘ଯାଗସାଏଁ ଲିଟପିଣ୍ଡା ଲିଟିପିଣ୍ଡା ବାରି ବାରାଗମ୍

ବାରି ବାରାଗମ୍ ନା କୁଳିଃ ମାରାଃ ପିୟାଲମ୍ ।

ସାଗାଃ ବୁଝାରେନା କୁଳିକିନ୍ ନୁକୁକାଞ୍ଜ ବିନ୍

ଜାନୁମ୍ ବୁଝାରେନା କୁଳିକିନ୍ ଦାନାଂ କାଞ୍ଜ୍‍ ବିନ୍

ହାଣ୍ଡେ ଚିରଚର ବୟନା ନାଡେମ୍ ନଡ଼କେନ୍

ବାଙା ଯା ବାବୁଯା ହଲା ଶିଶିର ଦାଃ ।

ନାଏକେ ଏରା ପାନ୍ଦେରେ ହେନ୍ଦେ ଦୁମୁର ଛାତା

ଦାନା ଖାଲାଃ ଦାନା ଫୁଳୁଃ ସାନାମ୍ ରାସା ଜରଃ ଚାବାଃ କାନ୍ ।।

 

ଜାହିରାରେ ଫୁଲ ପୂଜା ସରିଲା ପରେ ନାଏକେ (ପୁରୋହିତ) ଯେତେବେଳେ ଗ୍ରାମ ଅଭିମୁଖେ ଯାଆନ୍ତି, ସେତେବେଳେ ଉପରୋକ୍ତ ଗୀତଟି ବୋଲାଯାଏ । ନାଏକେ ଏବଂ ନାଏକେଏରା (ପୁରୋହିତଙ୍କ ସ୍ତ୍ରୀ)ଙ୍କ ଉଦ୍ଦେଶ୍ୟରେ ଗୀତଟି ଗାଇ ଥାଆନ୍ତି । ଏହି ଗୀତରେ ନାରୀର ଗୁପ୍ତ ଅଙ୍ଗର ରହସ୍ୟ ଉନ୍ମୋଚନ ହୋଇଛି ।

 

ସେହିପରି ଆଉ ଗୋଟିଏ ଗୀତର ଉଦାହରଣ-

ବାଛାଅ ଜଙ୍‍ପେନା କୁଳିକ ବାଛାଆ ଜଙ୍‍ପେ

ବାଛାଅ ଜଙ୍‍ପେନା ପୁଳିକ ଏହେ ଧରମା ।

ରୁତ୍‍ଖିଲା ତେନା କୁଳିକ ଖିଲା କାଃପେ ।

ବାରୁ ମୁଗାର ତେନା କୁଳିକ ଠକାଅ କାଃପେ ।

ବାଛାଅ ଜଙ୍‍ପେ କଳାକ ବାଛାଅ ଜଙ୍‍ପେ ।

ବାଛାବ ଜଙ୍‍ପେ କଳାପ ଚେଲାଂ ଲେକାନ୍ ବୁୟା ।’’

 

ଏହି ଗୀତ କାମ ଉଦ୍ଦୀପକ ଶବ୍ଦରେ ଭରପୂର ହୋଇଛି । ବାହ୍ୟ ଅର୍ଥ ହେଲା ବାହାପର୍ବର ଶୁଭ ଅବସରରେ ଯୁବକଯୁବତୀ ପରସ୍ପରକୁ ନିଜ ଇଚ୍ଛା ଅନୁସାରେ ବାଛି ନିଅନ୍ତୁ । ଗୂଡ଼ ଅର୍ଥରେ ରୋମାଣ୍ଟିକ ଭାବଧାରା ପ୍ରବାହିତ । ଏହି ଗୀତଗୁଡ଼ିକ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କ ଗୀତ ଭଳି ଦ୍ୱୈତ ଅର୍ଥ ପ୍ରକାଶ କରିଥାଏ । ପୂର୍ବୋକ୍ତ ଗୀତ ପରି ଏଥିରେ ଯୁବତୀମାନଙ୍କ ପାଇଁ ଯୁବକର ଆବଶ୍ୟକତା ନେଇ ରହସ୍ୟ ଉନ୍ମୋଚିତ ହୋଇଛି ।

 

ଦାମ୍ପତ୍ୟ ପ୍ରେମ:

ଦାମ୍ପତ୍ୟ ପ୍ରେମ ସ୍ୱର୍ଗୀୟ । ପତିପତ୍ନୀ ଏକ ଆତ୍ମା । ପରସ୍ପରର ସହାୟକ । ସୁଖ, ଦୁଃଖ, ପ୍ରେମ ସୁବକୁ ବାଣ୍ଟି ନେଇଥାନ୍ତି । କର୍ମମୟ ଜୀବନରେ ପତି ପତ୍ନୀର ପ୍ରେମ ହିଁ କର୍ମ କରିବାକୁ ପ୍ରେରଣା ପ୍ରଦାନ କରିଥାଏ । ସାନ୍ତାଳ ଦମ୍ପତି ବର୍ଷସାରା ସମାନ ଭାବରେ କାର୍ଯ୍ୟ କରିଥାନ୍ତି । ତା ଭିତରେ ପରସ୍ପରକୁ ଭଲ ପାଇବା ଥିଲେ ମଧ୍ୟ ପ୍ରକାଶ କରିବାର ସୁଯୋଗ ମିଳେ ନାହିଁ । ବାହାପର୍ବ ପରେ ଚାଷ କାର୍ଯ୍ୟରୁ ସାମାନ୍ୟ ବିରତି ମିଳେ । ଏହି ସମୟରେ ଶିକାର ପର୍ବ (ସେନ୍ଦ୍ରା) ବା ଗଣପାରିଧିର ଆୟୋଜନ କରାଯାଏ । ଏଥିରେ ଗ୍ରାମର ପ୍ରତ୍ୟେକ ଯୁବକ ଯୋଗ ଦିଅନ୍ତି । ଏହି ଅବସରରେ ବିଭିନ୍ନ ପ୍ରେମଗୀତ ଗାଇଥାଆନ୍ତି । ପାରିଧି ସମୟରେ ଅକୁହା କଥା ତଥା କାମ ଉଦ୍ଦୀପକ ଗୀତମାନେ ଗାଇଲେ ଜୀବଜନ୍ତୁ ଆପେ ଧରା ଦିଅନ୍ତି ବୋଲି ବିଶ୍ୱାସ ରହିଛି । କାରଣ ପାରିଧି ଦେବୀ ଏଗୁଡ଼ିକ ପସନ୍ଦ କରନ୍ତି । ଶିକାର ସମୟରେ ଯେଉଁ ଗୀତ ଗୁଡ଼ିକ ଗାଆନ୍ତି ତାକୁ ‘ବୀରସେରେଞ୍ଜ୍‍’ କହନ୍ତି । ‘ବୀରସେରେଞ୍ଜ୍‍’ରେ ଦାମ୍ପତ୍ୟ ପ୍ରେମ ପରିଲକ୍ଷିତ ହୋଇଥାଏ ।

 

‘‘ଶାର୍‍ନାବୀର୍‍ ବରୁସେନ୍ଦ୍ରାଞ୍ଜ୍‍ ଚଲାଅଲେନା

ଦାଃଦ ତେତାଙ୍ ଇଞ୍ଜ୍‍କାନ୍ ମଟଜ୍ ମଟଜ୍

ତିମାଞ୍ଜ ଲସଦ୍ ଆକାନ୍ ଜାଙ୍ଗାଞ୍ଜ୍‍ ଗୁରିଜ୍ ଆକାନ୍

ବାବୁୟ ରାଃ-ରାଃ କେହେଁର କେହେଁର ।’’

 

ଅର୍ଥ- ଶାର୍‍ନାଦୀର (ଶାର୍‍ନା ଘଞ୍ଚ ଜଙ୍ଗଲ)କୁ ପାରିଧି ପାଇଁ ଯାଇଥିଲି । ଶୋଷରେ ମୋର ତଣ୍ଟି ଶୁଖିଯାଇଛି । ପତ୍ନୀ ଉତ୍ତର ଦେଉଛି ଯେ ମୁଁ କାର୍ଯ୍ୟବ୍ୟସ୍ତ । ହାତରେ ଗୋବର ଲାଗିଛି, ପାଦରେ କାଦୁଅ ଲାଗିଛି ପୁଣି ପୁଅ କାନ୍ଦୁଛି । ତେଣୁ ତୁମ ତୃଷ୍ଣା ମେଣ୍ଟାଇବାକୁ ମୁଁ ଅକ୍ଷମ । ପତି ନିଜ ପ୍ରାଣପ୍ରିୟା ପତ୍ନୀ ନିକଟରେ ପ୍ରେମ ନିବେଦନ କରିବାର ଇଙ୍ଗିତ ରହିଛି ଗୀତଟିରେ । ସେହିପରି ‘ସହରାୟ’ ଗୀତରେ ଦାମ୍ପତ୍ୟ ପ୍ରେମର ଉଦାହରଣ:

 

‘‘ଟାଟି ତରି ହ ଝିଜ୍ ମେସେ

ସିଲପିଞ୍ଜ୍‍ ତିରିହ ଲାଭାଗ୍ ମେସେ

ଜିୱିଦ୍ ତିରିହ-ଜିୱିଦ୍ ତିରିହ୍

ଟଲମଲଃ କାନ୍

ଲଟାତେ ଦାଃଦ ତିରିହ୍ ନତେୟାଞ୍ଜାମେ

ଦାଃଦ ତିରିହ- ଦାଃ ଦ ତିରି ହଞ ଞ୍ଜୁ ତରାୟା ।’’

 

ପତି ପତ୍ନୀକୁ କହୁଛି, ତାଟି କବାଟ ଫିଟାଇ ଦିଅ, କବାଟ ଅଧାମେଲା କରିଦିଅ ମୁଁ ଅଣନିଶ୍ୱାସୀ ହୋଇପଡ଼ିଲିଣି । ହେ ପ୍ରିୟା! ଢାଳପାଣି ମୋ ହାତକୁ ବଢ଼େଇ ଦିଅ ମୁଁ ପାଣି ପିଇକି ଯିବି ।

ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଜନ୍ମଜନ୍ମାନ୍ତର । ସଂସାର ନାଆକୁ ବାହିନେବାରେ ଦୁହିଁଙ୍କର ଭୂମିକା ରହିଛି । କୁହାଯାଏ ପତି-ପତ୍ନୀ ଯୋଡ଼ି ସ୍ୱର୍ଗରେ ହିଁ ଠିକ୍ ହୋଇଥାଏ । ତେଣୁ ପତି-ପତ୍ନୀ ପ୍ରେମ ଯୁଗ ଯୁଗ ପାଇଁ । ନିମ୍ନ ଗୀତରେ ତାହା ସ୍ପଷ୍ଟ ହୋଇଅଛି ।

 

ଜୁରି ଜୁରି ତିରି ପାରୱା ଜୁରି

ଜୁରି ଜୁରି ତିରି ପତାମ୍ ଜୁରି

ସିଞ୍ଜ ଦଲାଂ କାମିୟା

ଞ୍ଜିନ୍ଦା ଦଲାଂ ଯପତନା

ତିରି ପୁରୁଷ ଦୁଲାଳ ତିରେ ଯୁଗେ ।

ଜମ୍ ଆଲାଂ ଞ୍ଜୁୟାଲାଡ୍

ରାସ୍କାରେଲାଂ ତାହେଁନା

ଚାନ୍ଦୟ ଉମୁଲ୍ କାଲାଂ ତିରେ ଯୁଗେ

ତିରି ପୁରୁଷ ଦୁଲାଳ ତିରେ ଯୁଗେ ।

ଜୁରି ପାରୱା ଲେକା ଆଲାଂ ମେନାଃ ଲାଙା

ହାପାଟିଞ୍ଜ ଆଲାଂ ଜୁରି ରଗୁମ୍ ଏଲାଙ୍

ଭାକ୍ ଭାକୁରାଲାଂ ବାହା ବାନ୍ଦେଲାରେ

ଚାନ୍ଦୟ ଉମୁଲ୍ କାଲଙ୍‌ ତିରେ ଯୁଗେ ।

 

ଓଡ଼ିଆ ଅନୁବାଦ:

ଯୋଡ଼ି ଯୋଡ଼ି ଆମେ ପାରା ଯୋଡ଼ି

ଯୋଡ଼ି ଯୋଡ଼ି ଆମେ କପୋତ ଯୋଡ଼ି

ଦିନରେ କାମ କରିବା, ରାତିରେ ଯତ୍ନ ନେବା (ପରସ୍ପରର)

ଯୁଗେ ଯୁଗେ ପ୍ରେମ ଏତ ଦମ୍ପତିର ।

ଖାଇବା, ପିଇବା, ସୁଖରେ ରହିବା

ରହିବା ତାଙ୍କ ଛାୟାତଳେ ଯୁଗେ ଯୁଗେ

ଯୋଡ଼ିପାରା ଆମେ

ସମଭାବେ ବାଣ୍ଟିନେବା ସୁଖଦୁଃଖ

ଘୁମୁରି ଉଠିବା କୁଞ୍ଜବନରେ

ଆଶୀର୍ବାଦ କରିବେ ଆମକୁ ଯୁଗେ ଯୁଗେ ।

 

ସାନ୍ତାଳ ଦମ୍ପତିଙ୍କର ଏହାହିଁ କାମନା ଯୁଗଯୁଗ ନିମତ୍ତ

ମୃତ୍ୟୁ:

ଯଉବନର ମହକ ଉଡ଼ିଯାଏ । ଜୀବନ ମୁହାଁଏ ଅସ୍ତାଗାମୀକୁ । ସବୁ ସୁଖ ସରାଗ ଓଲଟ ପାଲଟ ହୋଇଯାଏ । ସୁଖର ଦିନଗୁଡ଼ିକ କେଡ଼େ ଚଞ୍ଚଳ ଉଭେଇଯାଏ ଜଣାପଡ଼େ ନାହିଁ । ଏ ଜୀବନ ଦୁଇଦିନ ପାଇଁ ଆର୍‍ସି ପରି । ଜୀବନ ତ କଂସା ପିତଳ ନୁହେଁ ଯେ ବଦଳେଇ ହେବ । ଏତ କୁମ୍ଭାର ହାଣ୍ଡି ସଦୃଶ୍ୟ । ଥରେ ଭାଙ୍ଗିଗଲେ ଆଉ ଲେଉଟେ ନାହିଁ । କିନ୍ତୁ, ଜନ୍ମ ପରେ ମୃତ୍ୟୁ ଏହାହିଁ ଜୀବନର ସତ୍ୟ । ବିଧିର ବିଧାନ । ପତ୍ର ପାଚିଗଲେ ଝଡିବ ପୁଣି ନୂଆପତ୍ର କଅଁଳିବ ଏହାହିଁ ତ ସଂସାରର ନିୟମ । ତେଣୁ ସାନ୍ତାଳମାନେ ମୃତ୍ୟୁକୁ ସ୍ୱାଭାବିକ ଭାବରେ ହିଁ ଗ୍ରହଣ କରିଥାନ୍ତି । ଜନ୍ମ ନେଇଛୁ, ମୃତ୍ୟୁ ସୁନିଶ୍ଚିତ । ଏଥିପାଇଁ ମାତା ପୁତ୍ରକୁ ବେଳ ଥାଉ ଥାଉ ଉପଦେଶ ଦେଉଛି:-

 

‘‘ହାରାକେଦ୍‍ମେ ବାବୁ ଦୁରୁକେଦ୍‍ମେ

ଧୁତି ଦାହ୍‍ଳି ତିଞ୍ଜ ସାଜାଅ କେଦ୍‌ମେ

ଲଞ୍ଜ ବାବୁଞ୍ଜ ଗୁଜୁଃରେଦ୍

ନାଈ ତେଦ ଇଦି ଇଞ୍ଜମେ,

ନାଈତେ ଇଦିରେଦ ମେଦ୍‌ଦାଃ ଆଲମ୍ ଜରୟ

ବାହାମ୍ ବହେଲେ ରେଦ ବାବୁ ମେଦ୍‌ଦାଃ ଜରୟମେ ।’’

 

‘‘ଲାଳନ ପାଳନ କରି ବଡ଼ କଲି । ଧୋତି ପଗଡ଼ି ପିନ୍ଧେଇ ତୋତେ ସଜେଇଲି । ମୃତ୍ୟୁ ପରେ ମୋତେ ଗଙ୍ଗାକୁ ନେବୁ । ବାପାରେ ! ଗଙ୍ଗାକୁ ଯିବା ସମୟରେ ଆଖିରୁ ପାଣି ଝରେଇବୁ ନାହିଁ । ଅସ୍ଥି ବିସର୍ଜନ କଲା ବେଳେ ଶେଷ ଅଶ୍ରୁ ମୋ ପାଇଁ ନିଶ୍ଚୟ ଢାଳିବୁ ।’’ ମୃତ୍ୟୁ କେତେ ସ୍ୱାଭିମାନପୁଣି ସତ୍ୟ-ସୁନ୍ଦର । ଆତ୍ମାଫୁଲ ମିଶିଯିବ ପରମହଂସଙ୍କ ସହିତ । ‘ହାଁସ ହାଁସଲି ପାଖକୁ ଫେରିଯିବ ସାନ୍ତାଳ ‘ହଳ୍’ ଟି ।

 

ମାଆ ପୁଅ ପାଖକୁ ଯେତିକି ଆଶା କରେ, ଝିଅ ପାଖରୁ ମଧ୍ୟ ଅନୁରୂପ ଆଶା ରଖେ । ମରଶରୀରରେ ଝିଅ ହାତକୁ ତେଲ ହଳଦୀ ମାଖିବାର ଇଚ୍ଛା ପ୍ରକାଶ କରିଛି-

 

‘‘ସାଙ୍ଗିଞ୍ଜ ଦିଶମ୍ ମୀରୁ

ସାଙ୍ଗିଞ୍ଜ ନାଈହାର

ଜନମେ ଯୁଗମୀରୁ

ଗାତେ ଆପାଦ୍

ଗୁଜୁଃବୁରୁ ମୀରୁ

ଖବର ସେଟେର ତେଗେ

ଅନନାମା ମୀରୁ ଥୁବି ତା’ ସାଦ୍ ।’’

 

ଦୂର ବିଦେଶରେ ବାହା ହୋଇ ବହୁ ଦୂରକୁ ଚାଲିଯିବୁ । ସାଙ୍ଗସାଥୀ ସହ ମଧ୍ୟ ଦେଖା ହୋଇପାରିବ ନାହିଁ । କାହାରି ସହିତ ସମ୍ପର୍କ ରହିବ ନାହିଁ, ସତେ ଯେମିତି ହଜିଗଲା ଜୀବନ । ମୃତ୍ୟୁ ଖବର ତୋ ପାଖରେ ପହଞ୍ଚିଲା ବେଳକୁ ସମାଧି ଉପରେ ଦୁବଘାସ ଉଠି ସାରିଥିବ । ମାଆର ଶେଷ ଦର୍ଶନରୁ ମଧ୍ୟ ବଞ୍ଚିତ ହେବୁ ।

 

ଅନ୍ତିମ ସମୟରେ ପିତାମାତା ଚାହାନ୍ତି ପୁତ୍ରକନ୍ୟାଙ୍କର ଦର୍ଶନ । ସମସ୍ତଙ୍କ ଉପସ୍ଥିତିରେ ମରଣ ହିଁ ସୁଖର ମରଣ । ତେଣୁ ମାତା ତାର ପୁଅମାନଙ୍କୁ କହୁଛି

 

‘‘ତେଲକୁପି ଗୟା ଘାଟଦ

ନିଦିତେ ହଁ ନିଦିଞ୍ଜ ପେଯା ବାବୁଯା

ତାଲା ନାଈରେ ବହାଅ କାଞ୍ଜପେ ।

ଉମେ ରାକାବ୍ ରେଦ୍ ବାବୁ

ଅନଲ ତିରୟାଭ ଅରଙ୍‌ ପେଯା ବାବୁଯା

ଦିଶମ୍ ହଳ୍‌କ ବାଭାୟମା

ନିତିଃଦକ ନୁମେ ରାକାବ୍ କାନଯା ବାବୁଯା

ବେଙ୍ଗେଦ୍ ରୁଆଳ୍ ରେଦ୍ ବାବୁ ମେଦ୍‌ଦାଃ ଇଦଃପେ ।’’

 

ମୃତ୍ୟୁ ପରେ ମୋତେ ଗଙ୍ଗାକୁ ନିଶ୍ଚୟ ନେବୁ । ମଝି ନଈରେ ମୋର ଅସ୍ଥିକୁ ଭସାଇଦେବୁ । ପବିତ୍ର ବୁଡ ସାରି ଘାଟକୁ ଉଠିଲା ବେଳେ ବଇଁଶୀ ନିଶ୍ଚୟ ବଜାଇବୁ । ସମଗ୍ର ଜଗତ ଜାଣୁ ତାକୁ ବିସର୍ଜନ କରାଗଲା ବୋଲି । ଘାଟକୁ ଆସିଲା ବେଳେ ଫେରି ଚାହିଁ ଆଖିଲୁହ ପୋଛି ଦେବୁ । ଏତ ଗଲା ମୃତ୍ୟୁ ପୂର୍ବରୁ ମଣିଷର ଇଚ୍ଛାର ପରିପ୍ରକାଶ । ମୃତ୍ୟୁ ପରେ ବାସ୍ତବରେ ମଣିଷ ଭାଙ୍ଗିପଡ଼େ । କାନ୍ଦି କାନ୍ଦି ସତେ ଯେମିତି ଆକାଶ ଫଟେଇ ଦିଏ । ଜନ୍ମ ଜନ୍ମାନ୍ତରର ବିଚ୍ଛେଦକୁ ସହ୍ୟ କରିବା କେତେ କଷ୍ଟକର ? ମାଟିର ପିଣ୍ଡ ମାଟିରେ ମିଶିବ, ତଥାପି, ମରଣ ସ୍ୱାଭାବିକ ଅଥବା ଅସ୍ୱାଭାବିକ ହେଉ ମରିଗଲା ପରେ କାନ୍ଦର ସ୍ୱର ଛୁଟେ । ପ୍ରଥମେ ମୃତ ବ୍ୟକ୍ତିର ପରିବାରରେ, ତାପରେ ପଡ଼ୋଶୀ ଘରୁ ଆସି ଲୋକମାନେ ପ୍ରଥମେ ସେଠାରେ ଯୋଗଦାନ ଦିଅନ୍ତି, ପଡ଼ୋଶୀଠାରୁ ବ୍ୟାପେ ସମଗ୍ର ଗ୍ରାମକୁ । ଗ୍ରାମର ସ୍ତ୍ରୀ ଲୋକମାନେ ଏକାଠି ରୁଣ୍ଡ ହୋଇ କାନ୍ଦନ୍ତି ସମବେଦନା ଜଣାଇବା ପାଇଁ । କାନ୍ଦିବା ସମୟରେ ମୃତବ୍ୟକ୍ତିର ସମସ୍ତ ଗୁଣ-ଗାରିମାକୁ ସ୍ମରଣ କରି ବାହୁନିଥାଆନ୍ତି । ଏହାକୁ ଶୋକଗୀତ ବୋଲି କୁହାଯାଇପାରେ । ମୃତବ୍ୟକ୍ତିର ଶରୀରରେ ତେଲ ହଳଦୀ ମଖେଇ ଥାନ୍ତି ଶେଷ ଥର ପାଇଁ । ଝିଅର ମୃତ୍ୟୁରେ ମାଆର କ୍ରନ୍ଦନର ଉଦାହରଣ ନିମ୍ନରେ ଦିଆଗଲା-

 

‘‘ହାୟରେ ! ହାୟରେ!

କୁଇଁଣ୍ଡିମୀରୁ ତିଞ୍ଜଦ

କୁଇଁଣ୍ଡି ମୀରୁ ଦଗୟ ପାଂରକାଅ ଏନ୍ ତିଞ୍ଜ୍‍

ତକା କତା ଦଞ୍ଜ ଦାଳ୍ ଆରେ

କୁଇଁଣ୍ଡି ମୀରୁୱାଃ ରୂପଦଞ୍ଜ୍‍ ଞ୍ଜେଲ୍‍ ଞ୍ଜାମ୍‍ତାୟା ।’’

 

ଓଡ଼ିଆ ଅନୁବାଦ-

ହାୟ ! ହାୟ ! ମୋର ସୁନା ପଞ୍ଜୁରୀ ଶାରି

ପଞ୍ଜୁରୀ ଶାରି ମୋର ଉଡ଼ିଗଲାରେ

କୋଉ କୋଣକୁ ଯିବିରେ ଧାଇଁ

କୋଉଠି ତା ରୂପକୁ ମୁଁ ଦେଖି ପାରିବି

 

ସ୍ୱାମୀ ମରିଗଲେ ଠିକ୍ ସେହିପରି ଭାବରେ କ୍ରନ୍ଦନ କରେ ସ୍ତ୍ରୀ । ଅନ୍ୟମାନଙ୍କ କ୍ରନ୍ଦନରେ କେବଳ ସମ୍ବୋଧନରେ ଭିନ୍ନତା ଥାଏ । ସ୍ୱାମୀର ମୃତ୍ୟୁରେ ସ୍ତ୍ରୀର ରୋଦନ-

 

‘‘ହାୟରେ ! ହାୟରେ ପାରୱା ଜୁରି ତିଞ୍ଜ୍‍ଦ

ପାରୱା ଜୁରି ତିଞ୍ଜଦ୍ ଜଳ ଭାଗାଅ ଏନା

ତାକା କୋଣଦଞ୍ଜ ଦାଳ୍ ଆରେ

ପାରୱା ଜୁରିୟାଃ ରୂପଦଞ୍ଜ୍‍ ଞ୍ଜେଲ୍‍ ଞ୍ଜାମା’’ ଅର୍ଥାତ୍

 

ହାୟ ! ହାୟ ! ମୋର ପାରା ଯୋଡ଼ି, ଯୋଡ଼ି ଭାଙ୍ଗି ଦେଇ ଛାଡ଼ି ଚାଲିଗଲା ଆଉ ତାକୁ ପାଇବି ନାହିଁ କି ତା ରୂପକୁ ମଧ୍ୟ ଦେଖି ପାରିବି ନାହିଁ । ମାଆ ମରିଗଲେ ଝିଅ ନିମ୍ନ ଲିଖିତ ଭାବରେ କାନ୍ଦିଥାଏ ।

 

‘‘ହାୟରେ ! ହାୟରେ! ତୱାଦାରେ ତିଞ୍ଜଦ୍

ତୱାଦାରେ ଦଗୟ ଗୁରେନ୍ ତିଞ୍ଜଦ୍

କତା କୋଣ୍‍ଦଞ୍ଜ୍‍ ବାଳ୍‍ଆରେ

ତଞ୍ଜା ଦାରେୟାଃ ରୂପଦଞ୍ଜା ଞ୍ଜେଲ୍‍ ଞ୍ଜାମା ।

ହାୟରେ, ହାୟରେ ତୱାଦାରେ ଦ

ସିମ୍‍ଏଙ୍ଗା ଲେକାୟ ଗୁଙ୍ଗଦ୍ ଲେଦଲେୟା

ତେହେଁଞ୍ଜ ତ ଗୋ, ସିମ୍ ହପନ୍ ଲେକା

ତେହେଁଞ୍ଜଦଗମ୍ କଟାବାଗି ଅଟ ଆଦ୍‍ଲେୟା ।

ହାୟରେ, ହାୟରେ ତୱାଦାରେଦ

ଯାହାଁ ଖନ୍‍ଲୋ ହିଜୁଃଆ,

ନିଙ୍ଗାଞ୍ଜ୍‍ଦ, ଦୁଆରେ ଦୁଲୁଦ୍‍କାତେ

କିସନି ହପନ୍ ଲେକାୟ

ଚେରେଜ୍ ଦାରାମ୍ ଲେୟା’’-

 

ହାୟ ! ହାୟ ! ମୋର ଅମୃତ ବୃକ୍ଷ ପଡ଼ିଗଲା । ତାକୁ ଆମେ କୋଉଠି ପାଇବୁ କୋଉଠି ଖୋଜିବୁ । କୋଠିକୁ ଗଲେ ତାର ରୂପକୁ ଦେଖି ପାରିବା । ହାୟ ! ହାୟ ! ମୋର ଜନ୍ମଦାତ୍ରୀ ! ଆମକୁ କୁକୁଡ଼ା ଚିଆଁ ପରି କୋଳରେ ପୂରେଇ ରଖିଥଲ, ଆଜି ପର ଝାଡ଼ିଦେଇ ଉଡ଼ିଗଲ । ଆମକୁ ନିଃସହାୟ କରି ଚାଲିଗଲ । ହାୟ ! ହାୟ ! ମୋର କ୍ଷୀରବୃକ୍ଷ ! ହେ ମୋର ମାତା । ଯେବେ ଯେକୌଣସି ମୁହୂର୍ତ୍ତରେ ଆମେ ଘରକୁ ଆସିଲେ ତୁମେ ଆମକୁ ଦାଣ୍ଡଦୁଆରେ ଅପେକ୍ଷା କରି ବସିଥାଅ । ବଣି ଚଢ଼େଇ ପରି କିଚିରି ମିଚିରି ଉଲ୍ଲାସରେ ଆଦରର ସହିତ ଘରକୁ ପାଛୋଟି ନେଉଥିଲ ।

 

ପିତାଙ୍କ ମୃତ୍ୟୁରେ କନ୍ୟାର ରୋଦନ-

ହାୟରେ ! ହାୟରେ ଜାନାମ୍ ଦାତା ତିଞ୍ଜଦ

ଜାନାମ୍ ଦାତାଦ,

ଜାନାମ୍ ଦାତାଦ ତେହେଁଞ୍ଜ ଦଗୟ

ବାଗି ଆଦ୍ ଲେୟା ।

ତକା କୋଣଦଞ୍ଜ୍‍ ଦାଳଆରେ

ଜାନାମ୍ ଦାତାୱାଃ ରୂପଦଞ୍ଜ୍‍ ଞ୍ଜେଲ୍‍ ଞ୍ଜାମା

 

ହାୟ ! ହାୟ ! ମୋର ଜନ୍ମଦାତା, ଆଜି ଆମକୁ ଛାଡ଼ି ଚାଲିଗଲେ । ତାକୁ ଆଉ ପାଇବା ନାହିଁ, ଆଉ କେବେ ଦେଖି ପାରିବା ନାହିଁ ।

 

ସାନ୍ତାଳମାନେ ମୃତ୍ୟୁରେ ଏହିପରି ଭାବରେ ବିଳାପ କରିଥାନ୍ତି ‘ଭାଣ୍ଡାନ’ ବା ଶ୍ରାଦ୍ଧବେଳେ ଜ୍ଞାତିକୁଟୁମ୍ବ ସମସ୍ତେ ଯୋଗ ଦେଇଥାନ୍ତି । ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଶେଷ ଅଶ୍ରୁ ବିସର୍ଜନ କରାଯାଏ-। ମୃତ୍ୟୁ ଯେହେତୁ ସ୍ୱାଭାବିକ ସେହି ହେତୁ ଅସ୍ଥି ବିସର୍ଜନ ବେଳେ ସମସ୍ତଙ୍କୁ ସାନ୍ତ୍ୱନା ଦେଇ ଗାଇଥାନ୍ତି-

 

‘‘ଆଲ ସେପେ ରା-ଗାସେ

ଆଲ ସେପେ ହମରାସେ

ସିଦ୍ ତୁଲସୀ ଗଙ୍ଗା ଦାଃତେ

ତିର୍ପି ନିରାୟ ତିର୍ପି ସୁସାର ଏପେ ।’’

 

ଆଉ ବାହୁନି କାନ୍ଦ ନାହିଁ । ତାର ଅସ୍ଥିକୁ ତୁଳସୀପତ୍ର ଓ ଗଙ୍ଗାଜଳ ସିଞ୍ଚି ନିର୍ମଳ କର । ପବିତ୍ରକର ତାକୁ । ସେ ପରମାତ୍ମା ନିକଟକୁ ଯାଉଛି ।

 

ଉଲ୍ଲେଖଯୋଗ୍ୟ ଯେ ସାନ୍ତାଳମାନେ ଅସ୍ଥି ବିସର୍ଜନ ସମୟରେ ମୃତବ୍ୟକ୍ତିର ଜୀବନ ଶୈଳୀକୁ ଶେଷଥର ପାଇଁ ସମ୍ମାନ ଦେଇଥାନ୍ତି । ଯଦି ମୃତ ବ୍ୟକ୍ତି ରସିକ ଥିଲା ତେବେ ହସ ଖୁସିରେ ନୃତ୍ୟଗୀତ ସହିତ ଗ୍ରାମଶେଷ ପର୍ଯ୍ୟନ୍ତ ଯାଇ ସେହିଠାରେ ଶେଷ ବିଦାୟ ଦିଆଯାଏ ।

 

ମୃତ୍ୟୁ ପରି ସତ୍ୟ ଦୁନିଆରେ କିଛି ନାହିଁ । ପ୍ରେମ ଓ ମୃତ୍ୟୁ, ଆନନ୍ଦ ଓ ବିଷାଦ ଏସବୁର ସମାହାର ଏଇ ଜୀବନ । ପ୍ରେମରେ ମିଳେ ଅଫୁରନ୍ତ ଆନନ୍ଦ ମୃତ୍ୟୁରେ ଅକଳନ୍ତି ଦୁଃଖ । ସମୟ ରଥଚକ ଗଡ଼ିଚାଲେ ଦୁଃଖ ଯନ୍ତ୍ରଣା ଭୁଲି ହୋଇଯାଏ । ସମ୍ମୁଖରେ ଦେଖାଦିଏ କର୍ତ୍ତବ୍ୟ । କର୍ତ୍ତବ୍ୟ ହିଁ ଈଶ୍ୱର । ଈଶ୍ୱରଙ୍କ ଆରାଧନା ପାଇଁ ପୁଣି କର୍ମତତ୍ପର ହେବା ଏହା ହିଁ ଜୀବନ । ଏହାରି ମାଧ୍ୟମରେ ହିଁ ଜୀବନର ପରମ ସାର୍ଥକତା ରହିଛି ।

 

(ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକତାଙ୍କ ମିଳିତ ସହଯୋଗରେ ଗତ ତା ୧୬.୧.୨୦୦୧ ରିଖରେ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଆଦିବାସୀ ଭାଷା ଓ କବିତା ସଂପାନରେ ପଠିତ ପ୍ରବନ୍ଧ ।)

 

 

ଅଧ୍ୟାପିକା,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

ସରକାରୀ ମହାବିଦ୍ୟାଳୟ, ଫୁଲବାଣୀ

 

 

(‘କୋଣାର୍କ ସାହିତ୍ୟ ପତ୍ରର ବିବର୍ତ୍ତିତ ଗଢ଼ଣକୁ ନେଇ ଆମେ ସଦାବେଳେ ପାଠକୀୟ ଅଭିମତକୁ ସମ୍ମାନ ଦେଉଛୁ । ଚଳିତ ସଂଖ୍ୟା ମଧ୍ୟ ଏଥିରୁ ମୁକ୍ତ ନୁହେଁ । ଆଶା ନିଜସ୍ୱ ମତାମତ ପଠେଇ ଅନୁଗୃହୀତ କରିବେ ।)

 

ପରିଚାଳନା ସମ୍ପାଦକ

 

ବାକେଣି (କୁଇ ପହେଳି) – ଏକ ଅଧ୍ୟୟନ

ରାଜେନ୍ଦ୍ର ପ୍ରସାଦ ଷଡ଼ଙ୍ଗୀ

 

ପ୍ରହେଳିକା ଆମ ଲୋକବାଣୀର ଏକ ବିଶିଷ୍ଟ ବିଭବ । ସମାଜର ପ୍ରାୟ ପ୍ରତ୍ୟେକ ସ୍ତରରେ ଏହାର ବ୍ୟବହାର ଓ ଆଦର ରହିଛି । ସୂର୍ଯ୍ୟଚନ୍ଦ୍ରଠାରୁ ଆରମ୍ଭ କରି ଛାଇ ପର୍ଯ୍ୟନ୍ତ, ଘୁଷୁରିଠାରୁ ଆରମ୍ଭ କରି ଉକୁଣୀ ପର୍ଯ୍ୟନ୍ତ ତଥା ଠୋଲା ସିଇଁବା ଠାରୁ ଗୋରୁ ହଗିବା ପର୍ଯ୍ୟନ୍ତ ବହୁ ବିଷୟ ଓ ଘଟଣାର ବିଚିତ୍ର ବର୍ଣ୍ଣନା ଏଥିରେ ପୂରି ରହିଛି ।

 

ପ୍ରହେଳିକା ବା ପହଳିବଚନ ଆମ ଲୋକବାଣୀର ଏକ ବିଶିଷ୍ଟ ବିଭବ । ସମାଜର ପ୍ରାୟ ପ୍ରତ୍ୟେକ ସ୍ତରରେ ଏହାର ବ୍ୟବହାର ଓ ଆଦର ରହିଛି । ବୁଦ୍ଧିପରୀକ୍ଷା, ମନୋରଞ୍ଜନ, ରହସ୍ୟ ପ୍ରକାଶଭଙ୍ଗୀ ଓ ଶିଶୁଶିକ୍ଷା କାଳରେ ଏହାର ଉପଯୋଗ ହୋଇଥାଏ । ଏହି ଆଲୋଚନା ପ୍ରହେଳିକା ଆଧାରିତ । ତାହା କିନ୍ତୁ ଆଦିବାସୀ ସମାଜର । କନ୍ଧମାନଙ୍କର ।

 

ଓଡ଼ିଶାର ଫୁଲବାଣୀ (କନ୍ଧମାଳ), ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଆଦି ଜିଲ୍ଲାରେ କନ୍ଧମାନେ ବାସ କରନ୍ତି । ୧୯୭୧ ଜନଗଣନାନୁସାରେ କେବଳ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା କନ୍ଧ ଜନସଂଖ୍ୟା୨,୨୩, ୩୨୨। (୧) ଏମାନଙ୍କର ଭାଷା କୁଇ ଭାଷା । କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏହା ଦ୍ୱିତୀୟ ବୃହତ୍ତମ ଲୋକ କଥିତ ଭାଷା । (୨) ଏହି ଭାଷାରେ ବହୁ ଲୋକଗୀତ ଓ ବଚନ ରହିଛି । କନ୍ଧ ସମାଜର ବିବିଧ ଯାତ୍ରା ଉତ୍ସବ କାଳରେ, କୃଷି ସମୟରେ, ପିଣ୍ଡାଘରମାନଙ୍କରେ କୌତୁକାଳାପ ଓ ଆମୋଦପ୍ରମୋଦ ସମୟରେ ଏଗୁଡ଼ିକ ସ୍ପଷ୍ଟ । ଏହି ଅବସରଗୁଡ଼ିକରେ କନ୍ଧମାନେ ଗୀତ ଗାଆନ୍ତି ।

 

୧)

They numbered 223, 322 (109, 356 males and 113, 966 females) in the district, according to the 1971 census. P-69-Orissa District Gazetters Boudh-Khondmals-1983

୨)

Ibid-P-55-Kui, a tribal language, is next in importance with 196, 312 speakers.

୩)

ଆଦିବାସୀମାନେ ପ୍ରହେଳିକାକୁ ବାକନା (Bakna ) ବୋଲି ମଧ୍ୟ କହନ୍ତି । P-348-an Adivasi-Oriya-Telgu-English Disctionary, CIIL-Mysore-1989

୪)

କୁଇ ଭାଷାରେ କେତେକ ଏକ ବଚନ ଶେଷ ଅକ୍ଷରରେ କା ଯୋଗକଲେ, ବହୁବଚନ ହୋଇଥାଏ-ତ୍ରିଭାଷୀ କୁଇ ବ୍ୟାକରଣ-ପୃ-୧୬, ଲେ-ଶ୍ରୀ ସାରଙ୍ଗଧର ପ୍ରଧାନ

 

ନାଚନ୍ତି, ଢଗମାରନ୍ତି, ଟାହୁଲି କରନ୍ତି ଓ ପହେଳି ବୋଲନ୍ତି । ଏଗୁଡ଼ିକ ମୌଖିକ । ସେଗୁଡ଼ିକର ବିଶେଷ ସଂଗ୍ରହ ଓ ପ୍ରକାଶ ହୋଇନାହିଁ ।

 

କୁଇ ଭାଷାରେ ପ୍ରହେଳିକାକୁ ବାକେନା (୩), ବାକେଣୀ ବା ବାକେରୀ କୁହାଯାଏ । ବାକେଣୀ ବହୁବଚନାନ୍ତ ହୋଇ ବାକେଣିକାରେ ପରିଣତ ହୋଇଛି । (୪) ବାକେଣିଗୁଡ଼ିକ ବହୁ ବସ୍ତୁ, ପଦାର୍ଥ, ଚରିତ୍ରକୁ ନେଇ ପ୍ରସ୍ତୁତ । ସୂର୍ଯ୍ୟଚନ୍ଦ୍ରଠାରୁ ଆରମ୍ଭ କରି ଛାଇ ପର୍ଯ୍ୟନ୍ତ, ଘୁଷୁରିଠାରୁ ଆରମ୍ଭ କରି ଉକୁଣି ପର୍ଯ୍ୟନ୍ତ ତଥା ଠୋଲା ସିଇଁବାଠାରୁ ଗୋରୁ ହଗିବା ପର୍ଯ୍ୟନ୍ତ ବହୁ ବିଷୟ ଓ ଘଟଣାର ବର୍ଣ୍ଣନା ରହିଛି । ସେଗୁଡ଼ିକ ନିମ୍ଭାବରେ ବିଭକ୍ତ କରାଯାଇପାରେ –

 

କ)

ଗ୍ରହନକ୍ଷତ୍ର

ଖ)

ପ୍ରାଣୀ

ଗ)

ବୃକ୍ଷଲତା

ଘ)

ବସ୍ତୁ ଓ ପଦାର୍ଥ

ଙ)

ଖାଦ୍ୟ ପାନୀୟ

ଚ)

ଶରୀର ସମ୍ବନ୍ଧୀୟ

ଛ)

କ୍ରିୟାତ୍ମକ ଅଭିବ୍ୟକ୍ତି

 

କ) ଗ୍ରହନକ୍ଷତ୍ର:

ଗ୍ରହ ନକ୍ଷତ୍ର ଓ ତାରାପୁଞ୍ଜ ଆଦିବାସୀ କଳ୍ପନାରେ ବିଶିଷ୍ଟ ସ୍ଥାନ ଅଧିକାର କରନ୍ତି । ବେଲା (ସୂର୍ଯ୍ୟ), ଡାଞ୍ଜୁ (ଚନ୍ଦ୍ର) ଓ ସୁକାଙ୍ଗା (ତାରା) ପ୍ରତି ସେମାନଙ୍କର ବିଶେଷ ଆକର୍ଷଣ ରହିଛି- ସୂର୍ଯ୍ୟ ହେଉଛନ୍ତି ଶକ୍ତି, ତେଜ ଓ ଆଲୋକର ଆଧାର । ତାଙ୍କରି ଠାରୁ ସମଗ୍ର ଜଗତ ତେଜ ଓ ଆଲୋକ ଗ୍ରହଣ କରେ । ବୃକ୍ଷଲତା ସମୂହ ସେହି ଆଲୋକ ଉତ୍ତାପ ଗ୍ରହଣ କରି ସମଗ୍ର ପୃଥିବୀକୁ ଖାଦ୍ୟ ଯୋଗାନ୍ତି । ପ୍ରାଣୀ ସମୂହ ସେ ଖାଦ୍ୟ ଖାଇ ଜୀବନ ଧାରଣ କରନ୍ତି । ସୂର୍ଯ୍ୟଙ୍କ ଯୋଗୁ ପୃଥିବୀରେ ବର୍ଷା ହୁଏ, ଗ୍ରୀଷ୍ମ, ବସନ୍ତ, ଶୀତ ପ୍ରଭୃତି ଋତୁଚକ୍ରର ଆବର୍ତ୍ତନ ହୁଏ ।

 

ସେହିପରି ଚନ୍ଦ୍ର, ଉଜ୍ଜ୍ୱଳ, ଶୀତଳ ଓ ନିର୍ମଳ ଆଲୋକର ଆଧାର । ଏହାର ଉଜ୍ଜ୍ୱଳ ଆଲୋକରେ ରାତିର ଘନଅନ୍ଧକାର ଦୂରୀଭୂତ ହୁଏ । ରାତିରେ ଆକାଶ ଓ ପୃଥିବୀକୁ ସୌନ୍ଦର୍ଯ୍ୟମୟ କରି ତୋଳେ ଚନ୍ଦ୍ରଲୋକ । ଦିବସର, ସୂର୍ଯ୍ୟତେଜର ଓ ଗ୍ରୀଷ୍ମର ଉତ୍ତାପଜନିତ ବାଧା ଦୂର କରେ ।

 

ଏ ଉଭୟ ଶକ୍ତିର ଅଫୁରନ୍ତ ଭଣ୍ଡାର । ଦୁହିଁଙ୍କର ଶକ୍ତି କ୍ଷୟ ହୁଏନାହିଁ । ତେଣୁ କନ୍ଧ କଳ୍ପନାରେ ଏମାନେ ହେଉଛନ୍ତି ଧନୀ । ବାକେଣିଟିଏ ଦେଖନ୍ତୁ-

 

ଦିନାଗାଣି ଜତେକା ଦାଣ୍ଡିଙ୍ଗା

 

(ସାରା ଜଗତରେ ଦୁଇଟା ଧନୀ) (ବେଲା, ଡାଞ୍ଜୁ-ସୂର୍ଯ୍ୟ, ଚନ୍ଦ୍ର)

 

ଧନୀଗଣ ସମାଜରେ ଯେଉଁ ସ୍ଥାନ ଓ ସମ୍ମାନ ଅଧିକାରୀ, ସୂର୍ଯ୍ୟ, ଚନ୍ଦ୍ର ମଧ୍ୟ ସମଗ୍ର ଜଗତରେ ସେହି ସମ୍ମାନର ଅଧିକାରୀ ଅଟନ୍ତି ।

 

ଏ ଦୁହିଁଙ୍କର ଆହୁରି ବହୁ ବିଶିଷ୍ଟ ଗୁଣ ରହିଛି । ସେଥିରୁ ଗୋଟିଏ ପ୍ରକାଶ ପାଇଛି ନିମ୍ନ ପ୍ରହେଳିକାରେ-

 

ମାନିକେ ମାସେକା, ଶୁଞ୍ଜାକେ ସୁସେକ ବିଃଏ ବାଜିମା ଇସେକ

ଥିଲେ ଥିବ, ଶୋଇଲେ ଶୋଇବ

(ଠିକ୍) କାଲି ଏତିକି ବେଳେ ଆସିବ । ( ବେଲା, ଡାଞ୍ଜୁ)

 

ବ୍ୟକ୍ତିଗତ ଭାବରେ ଯେଉଁ କାର୍ଯ୍ୟ କରୁଥିଲେ ମଧ୍ୟ ନିଜର କର୍ତ୍ତବ୍ୟ କ୍ଷେତ୍ରରେ ଠିକ୍ ସମୟରେ ଉପସ୍ଥିତ ହେବା ସୂର୍ଯ୍ୟ, ଚନ୍ଦ୍ରଙ୍କର ଲକ୍ଷଣ । ଅର୍ଥାତ୍ ଏ ଦୁହେଁ କର୍ତ୍ତବ୍ୟ ସଚେତନ, ସମୟ ଓ ନିୟମାନୁବର୍ତ୍ତୀ । ସୂର୍ଯ୍ୟଚନ୍ଦ୍ର ଠିକ୍ ସମୟରେ ଉଦୟ ହୁଅନ୍ତି, ଜଗତକୁ ଆଲୋକ, ଉତ୍ତାପ ଓ ଶକ୍ତି ପ୍ରଦାନ କରନ୍ତି ଏବଂ ଠିକ୍ ସମୟରେ ଅସ୍ତଗାମୀ ହୁଅନ୍ତି ।

 

ନୀଳ ଆକାଶ । ଆକାଶ ବକ୍ଷରେ ଉଜ୍ଜ୍ୱଳ ଆଲୋକଦାୟୀ ଚନ୍ଦ୍ର । ଏହି ମନୋରମ ଦୃଶ୍ୟକୁ ନେଇ ନିର୍ଗତ ବାକେଣିଟିଏ-

 

ଆ ବନ୍ଦତାନି ମାଣ୍ଡି ମୁସାମାଇ ସେ ବନ୍ଧରେ କଂସା ପୋତାଯାଇଛି ।

 

ଜଳ ନୀଳ । ଆକାଶ ନୀଳ । କଂସା ଉଜ୍ଜ୍ୱଳ ଓ ଚକ୍‍ଚକ୍ କରୁଥିବା ଧାତବ ପଦାର୍ଥ । ଚନ୍ଦ୍ର ମଧ୍ୟ ଉଜ୍ଜ୍ୱଳ ଓ ଚକ୍‍ଚକ୍ ଦେଖାଯାଏ । ଲୋକକବିର ତର୍କଣା ଦେଖନ୍ତୁ । ନୀଳ ଜଳ ମଧ୍ୟରେ ସ୍ଥିତ କଂସାଟିର ସୌନ୍ଦର୍ଯ୍ୟ ଯେପରି, ନୀଳ ଆକାଶରେ ଉଜ୍ଜ୍ୱଳ ଚନ୍ଦ୍ରର ସୌନ୍ଦର୍ଯ୍ୟ ସେପରି । ଏଠାରେ କଳ୍ପନାର ପରିସୀମା ନିର୍ଣ୍ଣୟ କରାଯାଇପାରେ ।

 

ଅନ୍ଧକାର ରାତ୍ରୀର ଆକାଶରେ ଫୁଟିଥିବା ତାରାପୁଞ୍ଜକୁ ଦେଖି ବାକେଣିଟିଏକୁ ଅନୁଧ୍ୟାନ କରାଯାଉ ।

 

ତାଲିଣି କପଲି ସିଚି କ୍‌ତି ସିମିଲକା ଦେଞ୍ଜା ଲାଇନ୍

ମାଆର ଖୋଷା ଖୋଲିଲେ ପିଲାମାନେ ବାହାରୁଛନ୍ତି ।

 

ଦିବସରେ ତାରାମାନେ ଅଦୃଶ୍ୟ । ସତେଯେମିତି ସୂର୍ଯ୍ୟତେଜରୁ ରକ୍ଷା ପାଇବା ପାଇଁ ସେମାନେ ମାଆର ଖୋଷାରେ ଆଶ୍ରୟ ନେଇଥିଲେ । ସନ୍ଧ୍ୟାପରେ ଆକାଶରେ ଅନ୍ଧକାର ମାଡି ଆସିବା ଏବଂ ଗୋଟିଏ ପରେ ଗୋଟିଏ ତାରା ଦୃଶ୍ୟମାନ ହୁଏ । ପ୍ରସରି ଆସୁଥିବା ଅନ୍ଧକାର ହେଉଛି ଫିଟିଆସୁଥିବା ତାରା ବା କବରୀ । ଫୁଟି ଆସୁଥିବା ତାରାମାନେ ହେଉଛନ୍ତି ସେହି କବରୀ ବା ଆଶ୍ରୟସ୍ଥଳରୁ ବାହାରି ଆସୁଥିବା ପିଲାଗଣ ।

 

ଖ) ପ୍ରାଣୀ

ବହୁ ଜୀବଜନ୍ତୁକୁ ନେଇ ଅନେକଗୁଡ଼ିଏ ପ୍ରହେଳିକାର ସୃଷ୍ଟି । ସେଥି ମଧ୍ୟରୁ କେତେକ ଗୃହପାଳିତ ପଶୁ, କେତେକ ବନ୍ୟଜନ୍ତୁ ଓ କୀଟପତଙ୍ଗ ପ୍ରଭୃତି ।

 

ଶିକୁଳି ବା ଚେନଟିଏ ଲମ୍ବା ହୋଇ ପଡ଼ି ରହିଛି ଭୂମି ଉପରେ । ଶିକୁଳି ଏକ ଅଳଙ୍କାର । ଏହାକୁ ବେକରେ ପିନ୍ଧାଯାଏ । ଏହା ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ଏହି ଶିକୁଳିଟି ଆଉ କାହାର ନୁହେଁ । ରାଣୀର ଶିକୁଳି ।

 

ରାଜାଲିନାଆ ସିକାଲାଙ୍ଗା ଢୁସା ମୁଏରୁ

ରାଣୀର ଶିକୁଳି ପିନ୍ଧିପାରିବି ନାହିଁ ।

 

ରାଣୀର ଶିକୁଳିକୁ ସାଧାରଣ ଲୋକଟିଏ ପିନ୍ଧି ପାରିବ ବା କାହିଁ ? ଏହାକୁ ଧାରଣ କରିବାର ସାମର୍ଥ୍ୟ ବା ଯୋଗ୍ୟତା ଥିବା ଦରକାର । ସେଇ ରାଣୀର ଶିକୁଳି ବୋଲି କୁହାଯାଇଥିବା ପଦାର୍ଥଟିକୁ ନିରୀକ୍ଷଣ କରାଯାଉ । ଉତ୍ତର ଜନ୍ଦା ପିମ୍ପୁଡ଼ି (ତାରକା ସରକା) । ଜନ୍ଦା ପିମ୍ପୁଡ଼ିର ଧାଡ଼ି ହେଉଛି ରାଣୀର ଶିକୁଳି ବା ଚେନ୍ । ତାକୁ ପିନ୍ଧିବା ବା ଛୁଇଁବା ଅର୍ଥ ବିପଦକୁ ବରଣ କରିବା ।

 

ସେହିପରି ଅସରୁତାନି ବ୍ରିତିବଗା ତରଗାଇନେ (ଏ ପର୍ବତରେ ଦଦରା ଭୋଗା ଗଡ଼ୁଛି) ଉତ୍ତର- ଅଲି (ଭାଲୁ) । ଇଟିସ୍ ମିଟିସ୍ ବାରଢେଗା (ଏ ଡାଳ ସେ ଡାଳ ବାର ଡାଳ ଡିଏଁ) ଉତ୍ତର- ସିରୁଣି ( ଗୁଣ୍ଡୁଚିମୂଷା) । କଗେରି କଗେରି ମିଡାକା କୁଡୁ କାସ୍ମିମାନେରୁ (ଛୋଟ ଛୋଟ ପିଲାମାନେ କାନ୍ଥ ଲିପୁଛନ୍ତି) ଉତ୍ତର ତମୁ (ଉଇ) ପ୍ରଭୃତି ବାକେଣି ମଧ୍ୟରେ ଜୀବଜନ୍ତୁ କୀଟପତଙ୍ଗାଦିକୁ ନେଇ କନ୍ଧମାନେ କିପରି ପ୍ରହେଳିକା ପ୍ରସ୍ତୁତ କରିଥାନ୍ତି ତାର ସୂଚନା ପାଇଥାଉ ।

 

ଗ) ବୃକ୍ଷଲତା:

ଉଦ୍ଭିଦଜଗତକୁ ନେଇ ବହୁ କୁଇ ପ୍ରହେଳିକା ପ୍ରଚଳିତ । ସଲପଗଛ, ମହୁଲ ଓ କଦଳୀ ଗଛଠାରୁ ଆରମ୍ଭ କରି ଛତୁ ପର୍ଯ୍ୟନ୍ତ ଏଗୁଡ଼ିକରେ ସ୍ଥାନ ପାଇଛନ୍ତି । ସେଥିମଧ୍ୟରୁ କେତୋଟିର ଆଲୋଚନା ଏଠାରେ କରାଯାଇପାରେ ।

 

ସଲପ ଗଛ କନ୍ଧମାନଙ୍କ ଜୀବନଚର୍ଯ୍ୟାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଯାହା ବାଡ଼ିରେ କିମ୍ବା ବିଲମାଳେ, ଜଙ୍ଗଲରେ କିମ୍ବା ପାହାଡ଼ ପାଦଦେଶରେ, ଏହା ଯେଉଁଠି ଥାଉନା କାହିଁକି, ସେଥିରେ ପ୍ରତ୍ୟେକ ଗ୍ରାମବାସୀର ଅଧିକାର ରହିବ । ଏହାକୁ କେହି ବ୍ୟକ୍ତିଗତ ସମ୍ପତ୍ତି ରୂପେ ଦାବୀ କରିପାରିବେ ନାହିଁ । ଏହାର ରସ ଓ ଅନ୍ୟାନ୍ୟ ଅଂଶ ପ୍ରତ୍ୟେକ ବ୍ୟକ୍ତି ଭୋଗ କରିପାରିବେ । ସଲପ ଗଛର ଆକୃତିକୁ ନେଇ ବାକେଣିଟିଏ-

 

ସିଧାବାଡ଼ିଆନେ

ସେଣ୍ଡଟି ଆଗେ ଆଗେ ବାନେ

ସିଧାବାଡ଼ି ଅଛି, ଉପରୁ ଫଳିଫଳି ଆସୁଛି ।

(ସାରତାସାହୁଣ୍ଡି-ସଲପଗଛ)

 

ସଲପ ଗଛ ଡେଙ୍ଗା ହୋଇ ବଢ଼ିଯାଇଥାଏ । ଏହାର ଉପରି ଭାଗରେ କେବଳ ଡାଳପତ୍ରାଦି ରହିଥାଏ । ଦେହସାରା ଆଉ କିଛି ନଥାଏ । ଉପରି ଭାଗରେ ରହିଛି ରସର ଭଣ୍ଡାର । ଏହି ରସ ସଂଗ୍ରହ କରାଯାଏ ହାଣ୍ଡି ସାହାଯ୍ୟରେ ଏବଂ ଏହାକୁ ସମସ୍ତେ ପାନ କରିଥାନ୍ତି । ଏହି ଦୃଶ୍ୟକୁ ଦେଖି ଏହି ବାକେଣିଟି-

 

ସେଣ୍ଡସୁଗା, ନେଡ଼େକାକାଙ୍ଗା

ଉପରେ ଚୁଆଁ, ତଳେ କୁଆ (ପଲ)

 

ଏଠାରେ ସଲପଗଛରେ ଥିବା ରସର ଭଣ୍ଡାର ହେଉଛି ଚୁଆଁ । ତାକୁ ପାନ କରିବା ପାଇଁ ଉଦଗ୍ରୀବ ହୋଇ ବେଢ଼ି ରହିଥିବା କନ୍ଧଜନତା ହେଉଛନ୍ତି କୁଆପଲ । ଚୁଆଁରୁ ସମସ୍ତେ ପାଣି ନେଇପାରିବେ । ସେହିପରି ସଲପ ରସ ମଧ୍ୟ ସସମ୍ତେ ପାନ କରିପାରିବେ ।

 

କଗେରି କଗେରି ଡେଟିତାରି

ଶହେ ଟାସିଣ୍ଡାଙ୍ଗା ଟାଟା ନାରି

ଛୋଟ ଛୋଟ ଅଣ୍ଟାରେ ଶହେ ଲୁଗା ପିନ୍ଧେ ।

 

ଅଣ୍ଟାଟି ଛୋଟ । ଅର୍ଥାତ୍ ଅତ୍ୟନ୍ତ ସରୁ । କିନ୍ତୁ ସେହି ସରୁ ଅଣ୍ଟାରେ ଶହ ଶହ ଲୁଗା ପିନ୍ଧିଥାଏ । ଅସମ୍ଭବ କଳ୍ପନା, ସରୁ ଅଣ୍ଟାରେ ଏତେ ଲୁଗା ରହିବ ବା କିପରି ? କିନ୍ତୁ ପ୍ରହେଳିକାରେ ସବୁ ସମ୍ଭବ । ଉତ୍ତର-ତାତିମ୍ରାହୁଣି-କଦଳୀ ଗଛ । କଦଳୀଗଛକୁ ଦେଖନ୍ତୁ । ମଞ୍ଜାଟିସରୁ । ଏହା ତାହାର ଅଣ୍ଟା ଏବଂ ମଞ୍ଜାକୁ ବେଢ଼ି ରହିଥିବା ଶହଶହ ପଟୁକା ତାର ବସ୍ତ୍ର ସମୂହ ।

 

ବୁଢ଼ାର ଆଜୁ, ସାତା ମାର୍ଗାନା କକ୍‌ସା ନେଞ୍ଜୁ

ବୁଢ଼ାଟିଏ, ଛତା ଫୁଟାଇ ବସିଛି ।

 

ଉପର୍ଯ୍ୟୁକ୍ତ ବାକେଣିଟି ଗୋଟିଏ ଉଦ୍ଭିଦକୁ ନେଇ । ସେହି ଉଦ୍ଭିଦର ଆୟୁଷ୍ମାନ କିନ୍ତୁ ଗୋଟିଏ ଦିନମାତ୍ର । ଆଜି ଜନ୍ମ କାଲିମରଣ (ସତୁମରୁ ପଜକାଜରୁ) । ଏହି ଉଦ୍ଭିଦଟି କିଏ ଚିହ୍ନନ୍ତି । ପାଟୁକା (ଛତୁ) । କଢ଼ ଅବସ୍ଥାରେ ଏହା ସୁନ୍ଦର ଓ ଆକର୍ଷଣୀୟ । ଆକାର ଛତା ଭଳି । କିନ୍ତୁ ତାର ସେ ସୁନ୍ଦର ଅବସ୍ଥା ଦୀର୍ଘସ୍ଥାୟୀ ନୁହେଁ । ପ୍ରଥମ ଦିନ ଯେଉଁ ଛତୁ କଢ଼ଟି ଫୁଟେ, ତା ପରଦିନ ସେହି କଢ଼ ପ୍ରଶସ୍ତ ହୁଏ ମଉଳି ଝଡ଼ିପଡ଼େ ।

 

କିନ୍ତୁ ଏହି କ୍ଷଣସ୍ଥାୟୀ ଉଦ୍ଭିଦଟି ଯେତେବେଳେ ଜଙ୍ଗଲ ସାରା ଫୁଟେ, ସେଇ ସୌନ୍ଦର୍ଯ୍ୟକୁ ନେଇ ପ୍ରସ୍ତୁତ ବାକେଣିଟିଏ ଦେଖନ୍ତୁ-

 

ଦିନା ଗାଣି ବଅଁତ୍ରାଟକା

ସାରା ଜଗତ ବାଛୁରୀ ପିଲା ।

(ପାଟ୍ରୁକା-ସ୍ତହାନୁ- ଛତୁଫୁଟିବା)

 

ଘ) ବସ୍ତୁ ଓ ପଦାର୍ଥ:

କନ୍ଧମାନ ବିଭିନ୍ନ ପ୍ରକାର ଗୃହୋପକରଣ ଓ କୃଷି ସରଞ୍ଜାମ ତଥା ଅନ୍ୟାନ୍ୟ ବହୁ ଉପଭୋଗ୍ୟ ପଦାର୍ଥ ବ୍ୟବହାର କରିଥାନ୍ତି । ଏତଦବ୍ୟତୀତ ବହୁ ପ୍ରାକୃତିକ ବସ୍ତୁ ଓ ପଦାର୍ଥ ଏବଂ ନିଜ ତିଆରି ପଦାର୍ଥମାନ ମଧ୍ୟ ଏମାନଙ୍କର ବ୍ୟବହାରରେ ଆସେ । ସେହି ପଦାର୍ଥମାନଙ୍କୁ ଉପଲକ୍ଷ୍ୟ କରି ଅନେକ ପ୍ରହଳିକା ରହିଛି । ସେଥିମଧ୍ୟରୁ କେତୋଟିର ଆଲୋଚନା ନିମ୍ନରେ ।

 

ପ୍ରଥମେ ଦେଖାଯାଉ, ମଣିଷର ବାସଗୃହଟିକୁ ଏମାନେ କିପରି ଗ୍ରହଣ କରନ୍ତି । ଘରର ବିରାଟତ୍ୱ ହାତୀ ସହିତ ତୁଳନା କରାଯାଇଛି ।

 

ନିଙ୍ଗେ ଆଆତି ଗୁହାଞ୍ଜାନେ       ତୋତେ ହାତୀ ମିଳିଛି । (ଇତୁ-ଘର)

ମଣିଷକୁ ଘରଟିଏ ମିଳିଛି ଅର୍ଥ ମଣିଷକୁ ହାତୀଟିଏ ମିଳିଛି

 

ପ୍ରତ୍ୟେକ ଗୃହ ଦ୍ୱାରବନ୍ଧରେ ଏରୁଣ୍ଡି ରହିଥାଏ । ଏରୁଣ୍ଡି ବନ୍ଧ ଡେଇଁଲେ ହିଁ ଗୃହ ମଧ୍ୟରେ ପ୍ରବେଶ କରାଯାଏ । ବର୍ଷ ବର୍ଷ, ମାସ ମାସ ବା ଜୀବନ ତମାମ ପଡ଼ି ରହିବା ଏହାର ଧର୍ମ । ପଡ଼ି ରହିଥିବା ଏହି ଏରୁଣ୍ଡି ବନ୍ଧ କନ୍ଧ କଳ୍ପନାରେ କିପରି ରୂପ ପାଇଛି ଦେଖନ୍ତୁ ।

 

ଇଡୁ ଗାଣି ବଡ଼ାଶ୍ରାସ୍କା ପ୍ରତି ଘରେ ବୋଡ଼ା ସାପ ।

(ଜାରୁରୁବା-ଏରୁଣ୍ଡିକାଠ)

 

ନିଶ୍ଚଳ ହୋଇ ପଡ଼ିରହିବା, ବୋଡ଼ା ସାପର ଲକ୍ଷଣ । ନିଥର ହୋଇ ପଡ଼ିରହିବା ମଧ୍ୟ ଏରୁଣ୍ଡିର ଧର୍ମ । ତେଣୁ ଏରୁଣ୍ଡି ବନ୍ଧଟି ସତେ ଯେପରି ଏକ ବୋଡ଼ାସାପ ।

 

ପ୍ରତ୍ୟେକ ଗୃହରେ ବିଭିନ୍ନ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ଉପକରଣ ରହିଛି । କୁଲା ସେଥିମଧ୍ୟରୁ ଗୋଟାଏ । ଚାଉଳ, ମାଣ୍ଡିଆଦି ଶସ୍ୟ ପାଛୁଡ଼ିବା ଓ ନେବା ଆଣିବା କରିବା ବା ରଖିବାର ଏହା ପାତ୍ରଟିଏ । ପ୍ରତ୍ୟେକ ଗୃହରେ ଦୈନନ୍ଦିନ ଏହାର ଆବଶ୍ୟକତା ରହିଥାଏ । ଏହାକୁ ଲକ୍ଷ୍ୟ କରି କୁହାଯାଇଛି-

 

ଈଟିକା ଗାଡ଼ି ହାଢି କ୍ରିକା

ପ୍ରତି ଘରେ ହାତୀ କାନ ଅଛି

(ସେସିଙ୍ଗା-କୁଲା)

 

କୁଲାର ଆକାର ହାତୀ କାନ ଭଳି । ଏହା କାନ୍ଥରେ ଓହଳା ଯାଇଥାଏ ଠିକ୍ ଯେପରି ହାତୀ କାନ ଓହଳି ରହିଥାଏ ।

 

ମାଠିଆ, ଜଳ ଆଣିବା ଏବଂ ସଂରକ୍ଷିତ ରଖିବାର ପାତ୍ରଟିଏ । ପ୍ରତିଦିନ ଏହାର ଆବଶ୍ୟକତା ରହିଛି । ଶୂନ୍ୟ ମାଠିଆକୁ କୂଅ କିମ୍ବା ପୋଖରୀକୁ ନେବା ଜଳ ଭର୍ତ୍ତି କରି ଘରକୁ ଆଣିବା, ଦୈନନ୍ଦିନ କାର୍ଯ୍ୟ ଗୃହକର୍ତ୍ତାର

 

ଏଜଡ଼ି ସାଜିନେ ତିଡ଼ି ତିଡ଼ିକା

ଅଡେଟି ବାଇନେ ପାଞ୍ଜାନା

(ଘରୁ ଗଲା ଭୋକିଲା, ବାହାରୁ ଆସିଲା (ପେଟ) ପୂରିଲା । (ଗାରା-ମାଠିଆ)

 

ମାଠିଆ ଖାଲି ରହିବା । ତାର ଭୋକିଲା ଅବସ୍ଥା । ଜଳ ଭର୍ତ୍ତି ଉଦ୍ଦେଶ୍ୟରେ ନେବା ତାକୁ ଭୋକିଲା ଅବସ୍ଥାରେ ନିଆଯାଏ । ସେଥିରେ ଜଳ ଭର୍ତ୍ତିକଲେ, ସେ ଖାଏ । ସମ୍ପୂର୍ଣ୍ଣ ଭର୍ତ୍ତି ହେଲେ ତାର ପେଟ ପୂରେ । ତାପରେ ତାକୁ ଘରକୁ ଅଣାଯାଏ ।

 

ଗାଣ୍ଡୁଆର ଅବସ୍ଥା କିନ୍ତୁ ଠିକ୍ ଓଲଟା-

ଏଜଡ଼ି ସାନାବାନି ସାକିସାଇ ସାଇମାନେ

ବାନା ବାନି ପାଞ୍ଚା ନାଇବାନେ

(ଘରୁ ଗଲାବେଳେ ପେଟ ପୂରା, ଆସିଲାବେଳେ ଭୋକିଲା) (ସିହୁରି-ଗାଣ୍ଡୁଆ)

 

ଗାଣ୍ଡୁଆରେ ଗୁହାଳର ଗୋବର, ଖତ ଓ ଅନ୍ୟାନ୍ୟ ମଇଳା ଭର୍ତ୍ତି କରି ନେଇ ବାହାରେ ଫିଙ୍ଗିବା ପାଇଁ ଯିବା, ପେଟପୂରା ଅବସ୍ଥା ଓ ଅଳିଆ ଫିଙ୍ଗି ଦେବା ପରେ ଖାଲି କରି ଆଣିବା, ତାର ଭୋକିଲା ଅବସ୍ଥା ।

 

ପ୍ରାୟ ପ୍ରତି କନ୍ଧ ଘରେ ଢିଙ୍କି ରହିଥାଏ । କନ୍ଧ ଗୃହିଣୀ ଏଥିରେ ଧାନ କୁଟେ କିମ୍ବା ଅନ୍ୟାନ୍ୟ ଶସ୍ୟ କୁଟେ ବା ଗୁଣ୍ଡକରେ । ଏହାର ସାହାଯ୍ୟକୁ କେହି ଅସ୍ୱୀକାର କରନ୍ତି । କିନ୍ତୁ ଢିଙ୍କି ପ୍ରତି ଦେଖାଉଥିବା ବ୍ୟବହାର, ଦେଖନ୍ତୁ-

 

ଢଗି ଢାକେ ସାଲେ, ବେତେକାସାଲେ, ତୁଡିତାକେସାନେ

(ଲାତ ମାରିଲେ ଯିବନି, ପିଟିଲେ ଯିବନି, କୁଦିଲେ ଯିବ) ଡେକି-ଢିଙ୍କି

 

ଲାତ ମାରିଲେ ବା ଅପମାନିତ କଲେ, ପିଟିଲେ ବା ଯନ୍ତ୍ରଣା ଦେଲେ ଢିଙ୍କି ଯାଏ ନାହିଁ ଅର୍ଥାତ୍ କାର୍ଯ୍ୟ କଲେ ନାହିଁ, କିନ୍ତୁ ତାକୁ ଯଦି କେହି ଗୋଟିଏ ପଟରୁ କୁଦେ ତାହେଲେ ସେ ଯାଏ ଅର୍ଥାତ୍ କାର୍ଯ୍ୟ କରିଥାଏ ।

କୃଷି ସରଞ୍ଜାମ ମଧ୍ୟରେ ଲଙ୍ଗଳ ଓ ଯୁଆଳି ଦୁଇଟି ପ୍ରଧାନ ଯନ୍ତ୍ର । କୁଇ ପ୍ରହେଳିକାରେ ଲଙ୍ଗଳ ହେଉଛି-ସେଣା ବେଗ୍‍ଜୁ କେଙ୍ଗଜ (ସିଧାକାଠ ବଙ୍କା) ଓ ଯୁଆଳି- ରଣ୍ଡେ ମଇଁପି ଜଡ଼େକା କିଲାଙ୍ଗା, ଇସିଙ୍ଗି ଇସିଙ୍ଗି ଢହ ପିନେଞ୍ଜୁ ଗଉଡ଼ମିତା

 

ଗୋଟିଏ ମଇଁଷି ଯୋଡ଼ିଏ କିଳା କେମିତି ବାନ୍ଧିବୁରେ ଗଉଡ଼ ପିଲା ।

 

କନ୍ଧ ଘରଗୁଡ଼ିକ ମାଟି କାନ୍ଥରେ ତିଆରି । ଏହାର ଚାଳଛଣ ଛପର । ବଣରୁ ଛଣ ସଂଗ୍ରହ କରି କନ୍ଧମାନେ ଖୁଞ୍ଚ ଦେଇ ରଖନ୍ତି । ଏହି ଖୁଞ୍ଚ ଦେଲା ବେଳେ ଗୋଟିଏ ଛଣମୁଠାର ଶେଷ ଭାଗ ସହିତ ଅନ୍ୟ ଛଣମୁଡ଼ାକୁ ବାନ୍ଧି ରଖାଯାଏ । ଏହାକୁ ଲକ୍ଷ୍ୟ କରି କୁହାଯାଇଛି-

 

ତାଜେରିଆରୁ

ସୁଟିଙ୍ଗା ଆହିସାହି ସାଇନେରୁ

(ଦୁଇଭାଇ ଚୁଟି ଧରାଧରି ହେଉଛନ୍ତି)

 

ଆମ୍ବ ଖୁଣ୍ଟିବା କିମ୍ବା ଅନ୍ୟାନ୍ୟ ଫଳ, ଫୁଲ ଓ ଡାଳ ସଂଗ୍ରହ କରିବାର ପ୍ରଧାନ ଉପକରଣ ହେଉଛି ଆଙ୍କୁଡ଼ି । ଆଙ୍କୁଡ଼ିକୁ ଫଳ ଡେମ୍ଫ ଉପରେ ଳଗାଯାଏ ଏବଂ ଫଳକୁ ଝିଙ୍କିଲେ ତାହା ଝଡ଼ି ପଡ଼େ । ସେତିକିରେ ଆଙ୍କୁଡ଼ିର କାର୍ଯ୍ୟ ଶେଷ । ଯଦି ଫଳ ନାହିଁ ଆଙ୍କୁଡ଼ିକୁ ଉପରକୁ ଉଠାଇ ଛାଡ଼ିଲେ, ତାହା ଭୂମି ଉପରେ ପଡ଼ିବ । ଏହାରୁ ଲକ୍ଷ୍ୟ ରଖି କୁହାଯାଇଛି-

 

ଟିଟି ସାଲାଡେ, ବୁଡ଼ା ପିକାଦି

(ଟିକ (ଅଗ)କୁ ଯାଆନା, ବୁଢ଼ା ଖସି ପଡ଼ିବୁ) ଜୁରୁ-ଆଙ୍କୁଡ଼ି

 

ଙ) ଖାଦ୍ୟ ଓ ପାନୀୟ

କନ୍ଧମାନେ ବିଭିନ୍ନ ପ୍ରକାର ଫଳମୂଳ, କନ୍ଦା, ଶାଗପତ୍ର ପ୍ରଭୃତି ଖାଦ୍ୟରୂପେ ଗ୍ରହଣ କରିଥାନ୍ତି । ଝରଣା, ନଦୀର ଜଳ ବ୍ୟବହାର କରନ୍ତି । ମଦରୂପେ ସଲପରସ, ମହୁଲି ଓ ହାଣ୍ଡିଆ ପାନ କରନ୍ତି । ତେଣୁ ବିଭିନ୍ନ ଲୋକଗୀତ ଓ ବଚନରେ ଏଗୁଡ଼ିକ ପ୍ରତିଫଳିତ ହେବା ସ୍ୱାଭାବିକ । ଏହି ଖାଦ୍ୟ ପାନୀୟକୁ ନେଇ ପ୍ରଚଳିତ କେତୋଟି ବାକେଣିର ଅନୁଧ୍ୟାନ କରାଯାଉ ।

 

ପଣସ ଏକ ସୁମିଷ୍ଟ ଫଳ । କଞ୍ଚାରେ ସିଝାଇ, ତରକାରୀ କରି ଓ ପାଚିଲେ ସୁସ୍ୱାଦୁ ଖୋଷାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ପୁଣି ଏହାର ମଞ୍ଜି ଓ ଭେଣ୍ଡି (ମଝି ଅଂଶ)କୁ ମଧ୍ୟ ତରକାରୀ, ଭଜା ଓ ପୋଡ଼ି କିମ୍ବା ସିଝାଇ ଖିଆଯାଏ । ଫଳମାନଙ୍କ ମଧ୍ୟରେ ଯଦିଓ ଏ ଏକ ଶ୍ରେଷ୍ଠ ଫଳ, କିନ୍ତୁ ଏହାର ଶରୀର ଗଠନ ପ୍ରତି କନ୍ଧମାନଙ୍କର ଦୃଷ୍ଟିଭଙ୍ଗୀ ଦେଖନ୍ତୁ-

 

ରାଜେନୁ ତା ଲମ୍ବାଇ ପୁଟ୍‌କା କିସ୍କା ମୁନେ

(ରାଜାର ଦେହରେ ଘିମିରି ହୋଇଛି)

 

ରାଜା (ପଣସ)ର ଶରୀର କଣ୍ଟାଯୁକ୍ତ । ଏହାକୁ ଶରୀରରେ ହୋଇଥିବା ଘିମିରି (ଗ୍ରୀଷ୍ମଦିନେ) ସହିତ ତୁଳନା କରାଯାଇଛି । ରାଜା ଶବ୍ଦ ଶ୍ରେଷ୍ଠତା ସୂଚକ ।

 

ଭାଲିଆ ମଧ୍ୟ ସୁସ୍ୱାଦୁ ଫଳଟିଏ । ଏହି ଫଳର ଅଗରେ ଭାଲିଆ ମଞ୍ଚି ରହିଥାଏ ଭାଲିଆର ବର୍ଣ୍ଣନାଲି ଓ ଭାଲିଆ ମଞ୍ଜି (ଫଳ)ର ବର୍ଣ୍ଣ କଳା । ତେଣୁ କୁହାଯାଇଛି-

 

କାଲି କଡ଼ି ନକାଳେ, ରାତା କଡ଼ି ବିଅଟି ଆଜାନେ

(କଳା ଗାଈ ଆଗ, ନାଲି ଗାଈ ପଛ) କଏଲି- ମକା

 

ଆଉ ଏକ ପ୍ରିୟ ଖାଦ୍ୟକୁ ନେଇ ବାକେଣିଟିଏ-

କଡ଼ି ଢାକେ ଡିଇମାନେ

ଈଟି ଢାକେ ଜାମାଇମାନେ

(ପିଲାକୁ କାଢ଼ିଲେ କାନ୍ଦୁଛି, ରଖିଲେ ତୁନି ରହୁଛି)

 

ପିଲାକୁ କାଢ଼ିଲେ ଅର୍ଥାତ୍ ବୃକ୍ଷରୁ ସେହି ଖାଦ୍ୟକୁ ନେଲେ ବୃକ୍ଷ କ୍ରନ୍ଦନ କରେ, କିନ୍ତୁ ତାକୁ ଯଦି ରଖି ଦେବେ ଅର୍ଥାତ୍ ଖାଦ୍ୟ ବାହାର କରିବେ ନାହିଁ ତାହେଲେ ସେ ତୁନି ରହେ । ଏପରି କେଉଁ ଉଦ୍ଭିଦ ଅଛି ଯା ଦେହରୁ କିଛି ଅଂଶ କାଟି କିମ୍ବା ଛିଣ୍ଡାଇ ନେଲେ ଉଦ୍ଭିଦଟି ଚିତ୍କାର କରେ । ସେହି ଅଂଶ ବା ପିଲାଟି କିଏ ? ଅନୁସନ୍ଧାନ କରାଯାଉ । ଉତ୍ତର ହେଉଛି କରଡ଼ି । ବୁଦା ମଧ୍ୟରୁ କରଡ଼ି ସଂଗ୍ରହ ବେଳେ ବାଉଁଶକୁ ଆଡ଼େଇ ତାହାକୁ କାଟି ନିଆଯାଏ । ବାଉଁଶ ଆଡ଼େଇବା ସମୟରେ କେଁ କଟର ଶବ୍ଦ ହୁଏ । ଅଥଚ କରଡ଼ି ବାହାର ନକଲେ କିଛି ଶବ୍ଦ ହୁଏ ନାହିଁ ।

 

ମଦ କନ୍ଧମାନଙ୍କର ପ୍ରିୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପାନୀୟ । ମଦକୁ ବାଦ୍ ଦେଇ କନ୍ଧ ଜୀବନ, ଚଳଣି ଓ ସଂସ୍କୃତକୁ ବର୍ଣ୍ଣନା କରିହେବ ନାହିଁ । ମଦ୍ୟପାନ କରିବା ସଭ୍ୟ ସମାଜରେ ହୁଏତ ଧର୍ତ୍ତବ୍ୟ ଅପରାଧ ରୂପେ ଗଣ୍ୟ । କିନ୍ତୁ, କନ୍ଧ ସମାଜରେ ଆମୋଦ ପ୍ରମୋଦ, ବନ୍ଧୁମେଳଣ, ବିବାହ ଆଦି ବିଭିନ୍ନ ପର୍ବପର୍ବାଣିର ଏହା ଶ୍ରେଷ୍ଠପାନୀୟ । ଖଜୁରୀ ତାଡ଼ି, ସଲପରସ, ମହୁଲି ଓ ହାଣ୍ଡିଆ (ଚାଉଳ) ପ୍ରଭୃତି ଏମାନେ ଗ୍ରହଣ କରିଥାନ୍ତି । ମଦକୁ ନେଇ ବହୁ ପ୍ରହେଳିକା ସୃଷ୍ଟି ହୋଇଛି । ପୂର୍ବରୁ ସଲପଗଛର ବର୍ଣ୍ଣନା ଅବସରରେ ଏହାର ସୂଚନା ଦିଆଯାଇଛି । ସଲପ ଗଛର ରସକୁ ଆଦିବାସୀମାନେ କିପରି ଗ୍ରହଣ କରନ୍ତି ଦେଖନ୍ତୁ ।

 

ନେଡ଼େ ଲଙ୍ଗେରି, ସେଣ୍ଡସୁଗା

(ତଳେ କାଳଖୁଣ୍ଟ ଉପରେ ଚୁଆଁ ।) ମାଦାକାଲୁ-ସଲପରସ

 

ଅଦ୍ଭୁଦ କଳ୍ପନା । ଶାଳଖୁଣ୍ଟ ଉପରେ ଚୁଆଁ । ଅସମ୍ଭବ ନିଶ୍ଚୟ । କିନ୍ତୁ ଏଠାରେ ଶାଳଖୁଣ୍ଟ ବା ସିଧା ହୋଇ ବଢ଼ିଯାଇଥିବା ସଲପ ଗଛର ରସର ବିଶାଳ ଭଣ୍ଡାର । ସେହି ରସ ଭଣ୍ଡାର ହେଉଛି ଚୁଆଁ । ଚୁଆଁର ଆକାର କ୍ଷୁଦ୍ର । କିନ୍ତୁ ସେଥିରୁ ବହୁ ଲୋକ ଜଳ ନେଇଥାନ୍ତି । ତଥାପି ସେ ଶୁଖେ ନାହିଁ । ସେହିପରି ସଲପ ଗଛରୁ ପ୍ରଚୁର ରସ ନିର୍ଗତ ହୁଏ ଏବଂ ବହୁ ଲୋକଙ୍କୁ ଆପ୍ୟାୟିତ କରିଥାଏ ।

 

ମଦ ତରଳ, ଦେଖିବାକୁ ପାଣି ଭଳି । କିନ୍ତୁ ଏହା ପାନ କଲେ ମନର ଅବସ୍ଥାରେ ପରିବର୍ତ୍ତନ ଘଟେ । ମଣିଷର ମନ ପ୍ରମତ୍ତ ହୋଇଉଠେ । ସେ ନିଜକୁ କିପରି ଅନୁଭବ କରେ, ଦେଖନ୍ତୁ-

 

ମେହେତକା ସିର, ଭଟେକା ବୀର

(ଦେଖିଲେ ପାଣି, ପିଇଲେ ବୀର)

କାଲୁ- ମଦ

 

ମଦ ପାନ କରି ପ୍ରମତ୍ତ ହେବା ବା ବୀରତ୍ୱ ଦେଖାଇବାର ଉଦାହରଣ ଦେବା ବା ବୁଝାଇ କହିବା ଅନାବଶ୍ୟକ ।

 

ଚ) ଶରୀର ସମ୍ବନ୍ଧୀୟ:

ମଣିଷର ଅଙ୍ଗ ପ୍ରତ୍ୟଙ୍ଗକୁ ନେଇ ଯଥା- ମୁଣ୍ଡ ଆଖି, କାନ, ନାକ ପ୍ରଭୃତି ସମ୍ପର୍କରେ ଗୁଡ଼ିଏ ବାକେଣି ରହିଛି କୁଇ ଭାଷାରେ । କିଛି ଉଦାହରଣକୁ ଅନୁଧ୍ୟାନ କରାଯାଉ ।

 

ଡାକାଲିଆ ସାତ ଗୁଟା ଗାରଙ୍ଗା

ଗୋଟିଏ ଟେକାରେ ସାତଟି କଣା

 

ଟେକା । ଟାଣ ବସ୍ତୁଟିଏ । ଏଥିରେ ସାତଟି କଣା ରହିଛି । ଅନୁମାନ କରନ୍ତୁ କାହାକୁ ଲକ୍ଷ୍ୟ କରି କୁହାଯାଇଛି । ଉତ୍ତର- ତ୍ଲାଉ (ମୁଣ୍ଡ) । ଆଦିବାସୀ କଳ୍ପନାରେ ମୁଣ୍ଡ ହେଉଛି ଟେକା ଭଳି କଠିନ ପଦାର୍ଥଟିଏ । ଏଥିରେ ସାତଟି ଗର୍ତ୍ତ ବା କଣା ରହିଛି । ଗଣାଯାଉ- ୨ ଟି କାନ, ୨ ଟି ଆଖି, ନାକର ୨ ଟି ପୁଡ଼ା ଓ ଗୋଟିଏ ପାଟିର କଣାର ସମାହାରରେ ଏହି ସାତଟି କଣାର ପରିକଳ୍ପନା ।

ଶରୀରରେ ଏପରି ଅଙ୍ଗଟିଏ ରହିଛି, ଯେ ଗୋଟି ଜାଗାରେ ରହିଥାଏ କିନ୍ତୁ, କ୍ଷଣକ ମଧ୍ୟରେ ସମଗ୍ର ଜଗତକୁ ଭ୍ରମଣ କରିଆସେ । ଅଙ୍ଗଟି ସ୍ଥିର ଅଥଚ ଚଳନକ୍ଷମ । ଏପରି ବିରୋଧାଭାସର ଉଦାହରଣ ଶରୀର ମଧ୍ୟରେ କେଉଁଠି ରହିଛି ? ଉତ୍ତର ହେଲା- କାନଙ୍ଗା-ଆଖି ।

 

ଈମ୍ବା ନେ କକ୍‌ସା ଦୁହିଦି

ରାଇଜଗୁଲେ ତ୍ରେଜାନା ବାଦି

(ଏଇଠାରେ ବସିଛି, ଦୁନିଆ ବୁଲି ଆସୁଛି)

 

ଯଦିଓ ଆଖି ଗୋଟିଏ ସ୍ଥାନରେ ସ୍ଥିର ରହିଥାଏ । କ୍ଷଣକ ମଧ୍ୟରେ କିନ୍ତୁ ସମଗ୍ର ଜଗତକୁ ଭ୍ରମଣ କରିବାର ଶକ୍ତି କେବଳ ତାହାରିଠାରେ ହିଁ ବିଦ୍ୟମାନ ।

 

ମଣିଷ ଯୁଆଡ଼େ ଯିବ ତାକୁ ଧରିଯିବ ଏବଂ ଫେରିଲା ବେଳେ ମଧ୍ୟ ତାକୁ ଧରି ଆସିବାକୁ ବାଧ୍ୟ । ତାକୁ ଛାଡ଼ିବାକୁ ଯେତେ ପ୍ରକାର ଉପାୟ କଲେ ମଧ୍ୟ ଛାଡ଼ି ପାରିବ ନାହିଁ । ଶରୀର ସହିତ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କଳ୍ପନା କରନ୍ତୁ ସେଇ ପଦାର୍ଥକୁ –

 

ଈମ୍ବେକି ସାସେକା ବେଏ ଆହାନାସାଜି

ଜାତେକା ବେଏ ଆହାନା ବାଦି ।

(ଯୁଆଡ଼େ ଗଲେ ଧରିଯିବୁ, ଆସିଲେ ଧରିଆସିବୁ)

 

ଉତ୍ତରଟି ହେଉଛି-ଡୁଗା-ଛାଇ । ମଣିଷ ଯୁଆଡ଼େ ଯାଉ, ଛାଇ ତା ସହିତ ଲାଗି ରହିଥିବା ନିଶ୍ଚୟ ।

 

ସେହିପରି ମଣିଷ ଯୁଆଡ଼େ ଯାଉଥିବ, ତାକୁ ଛାଡ଼ି ଛାଡ଼ି ଆସୁଥିବ । ମଣିଷ ଚାଲିଲା ବେଳେ ତାହାର ସୃଷ୍ଟି । ସେହି ପଦାର୍ଥ ମଧ୍ୟ କିଛି ସମୟ ପରେ ନଷ୍ଟ ହେବାକୁ ବାଧ୍ୟ । ପ୍ରତିଦିନ ମଣିଷ ଏହା କରି ଆସୁଛି ।

 

ସାଜେଦୁଃଦି ତୁହେ ତୁହେ ବାଇ ଦୁଃଦି

(ଛାଡ଼ି ଛାଡ଼ି ଯାଉଥିବ, ଛାଡ଼ି ଛାଡ଼ି ଆସୁଥିବ)

 

ଉତ୍ତର କଜାଙ୍ଗା- ପାଦଚିହ୍ନ । ଚାଲିଲାବେଳେ ଭୂମି ଉପରେ ଅସଂଖ୍ୟ ପାଦ ଚିହ୍ନର ସୃଷ୍ଟି, କିଛି ସମୟ ପରେ ତାର ବିଲୟ ।

 

ଛ) କ୍ରିୟାତ୍ମକ ଅଭିବ୍ୟକ୍ତି:

ବିଭିନ୍ନ କାର୍ଯ୍ୟକୁ ନେଇ ବହୁ ପ୍ରହେଳିକା କୁଇ ଭାଷାରେ । ଏଥିରେ ଆଦିବାସୀ ଜୀବନର ବହୁ ଚିତ୍ର ଓ ସେମାନଙ୍କର କାର୍ଯ୍ୟ କରିବା ପ୍ରଣାଳୀର ସୂଚନା ଉପଲବ୍ଧ । ଯେପରି- ଚାଷ କରିବା, ଠୋଲା ସିଇଁବା, କେନ୍ଦୁ କାଠ ଜାଳିବା, ମଦ ରାନ୍ଧିବା ପ୍ରଭୃତି । ଗୋଟିଏ ଦୁଇଟିର ଉଦାହରଣ ନିମ୍ନରେ ପ୍ରଦତ୍ତ ।

 

ଚାଷ କରିବା କନ୍ଧମାନଙ୍କର ଏକ ମୁଖ୍ୟ ଜୀବିକା । ଚାଷ କରିବା ବେଳେ ବଳଦ, ଲଙ୍ଗଳ ଯୁଆଳି ପ୍ରଭୃତି ନେଇ ଚାଷ କରାଯାଏ । ସେହି ଦୃଶ୍ୟଟି କିପରି ରୂପ ପାଇଛି, ଦେଖାଯାଉ-

 

ଚଅ ତାଜେରିଆରୁ କେଢାଙ୍ଗା ଗାଡ଼ି ଡ୍ରେବିନେରୁ

(ଛଅ ଭାଇ ବିଲମାଳରେ ବୁଲୁଛନ୍ତି)

ସେରୁତୁଇନାରି- ହଳ କରିବା

 

ଏଠାରେ ଦୁଇଟି ବଳଦ, ଜଣେ ଚାଷ କରିବା ବ୍ୟକ୍ତି, ଗୋଟିଏ ଲଙ୍ଗଳ, ଗୋଟିଏ ଯୁଆଳି ଓ ଗୋଟିଏ ମଇକୁ ନେଇ ଛଅ ଭାଇର ପରିକଳ୍ପନା ।

 

ଜଙ୍ଗଲରେ ପ୍ରଚୁର ତେନ୍ତୁଳି ହୁଏ । କନ୍ଧମାନେ ଏହା ସଂଗ୍ରହ କରନ୍ତି । ଘରେ ଆଣି ଜମା କରି ରଖନ୍ତି । ତାକୁ ପରିଷ୍କାର କରି ସେଥିରୁ ମଞ୍ଜି ବାହାର କରନ୍ତି । ତାହାକୁ ଲକ୍ଷ୍ୟ କରି କୁହାଯାଇଛି-

 

କିରିବିରି କୁତୁକ୍ଲହ

(ବୁଲିବୁଲି ଶଶବାହାରିବା) ବେଡ଼ିପ୍ରେନୁ କଡ଼ିନା- ତେନ୍ତୁଳିରୁ ମଞ୍ଜି କାଢ଼ିବା

 

କେନ୍ଦୁକାଠ ଜଳୁଥିବାର ଦୃଶ୍ୟ ଦେଖିଥିବେ ପାଠକେ । ଏହା ଜଳିଲା ବେଳେ ଚଡ଼ ଚଡ଼ ଶବ୍ଦ ହୁଏ ଏବଂ ଅଗ୍ନିଝୁଲ ଫିଙ୍ଗି ହୋଇ ଉପରକୁ ଆସେ । ଏହି ଦୃଶ୍ୟକୁ ନେଇ ପ୍ରହେଳିକାଟିଏ ।

 

ବୁଡାଲିରଣ୍ଡେଇକେ ଗିନା ମୁରିଙ୍ଗା, ବାହାପା ପୁନେ ମୁରତି ବେଗକୁ

ବୁଢ଼ୀଟିଏ କେତେମୁଢ଼ି ଭାଜିପାରୁଛି ।

କେନ୍ଦୁକାଠ ଜଳିବାର ଶବ୍ଦ ସହ ମୁଢ଼ି ଫୁଟିବାର ଶବ୍ଦର ତୁଳନା ପ୍ରଦତ୍ତ ।

 

ବାକେଣିକାର ବିଶେଷତ୍ୱ

କ)

ବାକେଣିଗୁଡ଼ିକର ଭାଷା ଅତି ସରଳ ଓ ବାକ୍ୟଗୁଡ଼ିକ ଯଥା ସମ୍ଭବ ସଂକ୍ଷିପ୍ତ ।

ଖ)

ଅଧିକାଂଶ କ୍ଷେତ୍ରରେ ବକ୍ତବ୍ୟ ସିଧାସଳଖ ଉପସ୍ଥାପିତ । ଏଗୁଡ଼ିକ କେଉଠି କେଉଁଠି ଗଭୀର ଭାବାଦ୍ୟୋତକ ।

ଗ)

ନିଜ ପରିବେଶରୁ ରୂପକ ଓ ଚିତ୍ରକଳ୍ପଗୁଡ଼ିକ ଚୟନ କରାଯାଇଛି ।

ଘ)

ବସ୍ତୁ ଓ ଚରିତ୍ରର, ଆକୃତି, ବର୍ଣ୍ଣ, ସ୍ୱାଦ, ଗୁଣ, କାର୍ଯ୍ୟକାରିତା, ଆଚରଣ ଓ ସମ୍ବନ୍ଧାଦିକୁ ନେଇ ବାକେଣିଗୁଡ଼ିକ କଳ୍ପିତ ।

ଙ)

ଏଥିରେ କନ୍ଧ ଜୀବନର ବହୁ ବିରଳ ଘଟଣା ଓ ଦୃଶ୍ୟ ପ୍ରତିଫଳିତ ।

 

ଯେପରି- ସାରିଲକୁ ଲାଆ ସାକର ଡାଙ୍ଗାଣିଡୁସାନୁ

(ଚାରିଜଣ ଯୁବତୀ ଝିଅ ଧାଙ୍ଗିଡ଼ି ଘରେ ଶୋଇଛନ୍ତି)

(ଜୁଏଲି କିଲାଙ୍ଗା- ଯୁଆଳି କୀଳା)

କିମ୍ବା

ବୁଡ଼ା ସାଙ୍ଗ ବେପିମାନେଞ୍ଜୁ, ବୁନାଲିଏତିକିମାନେ

(ବୁଢ଼ା ଚାଙ୍ଗୁ ବଜାଉଛି, ବୁମୀ ନାଚୁଛି) ପେଡ଼ା- ଫେଣ

 

ଚ)

ବହୁ ଦୈନନ୍ଦିନ ଜୀବନ ଚିତ୍ରର ଅବତାରଣା କରାଯାଇଛି ମଧ୍ୟ ଯେପରି- ଘର ଲିପିବା (ଇକେ ଗିନା ଏନ୍ଦାପୁନ), ପୁଟା ଧୋଇବା (ଅସରୁ ତାନି ବାହିଃକା ଦୁହୁପି ନେରୁ) ଠୋଲାସିଇଁବା (ପାନ ଅସ୍କିନା), ଟାଙ୍ଗିଆ ବୁଲାଇବା (ଟାଙ୍ଗିଆ କିରିବି ଆଇମାନୁ) ଶିକାର କରିବା (ପ୍ଲାମ୍ବୁସାସେରୁ), ମଦ ରାନ୍ଧିବା (କାଲୁବାଜିନା) ପ୍ରଭୃତି ।

ଛ)

ବାକେଣିକାର ଚରିତ୍ର ରୂପେ, ମା, ବ୍ରାହ୍ମଣ, ରାଜା, ରାଣୀ, ବୁଢ଼ା, ବୁଢ଼ୀ ପ୍ରଭୃତିଙ୍କୁ ନିଆଯାଇଛି ।

ଜ)

କେତେକ ଅଣ ଆଦିବାସୀ ଚରିତ୍ର ବାକେଣିରେ ସ୍ଥାନ ପାଇଛନ୍ତି

 

ଈଡୁ ତାନି ପୁଲିସାଙ୍ଗା ସେକେ ସେକେନା ଡସାନେରୁ

ଘର ଭିତରେ ପୋଲିସମାନେ ଧାଡ଼ି ହୋଇ ଶୋଇଛନ୍ତି (ନାଡ଼ିପେଡ଼ି- ନିଆଁପୋଡ଼ି)

 

 

ଖୋଳ ଭିତରେ ଥିବା ନିଆଁକାଠିକୁ ନେଇ ବର୍ଣ୍ଣନା କରାଯାଇଛି । ନିଆଁପେଡ଼ି ବା ଦିଆସିଲିର ଖୋଳଟି ହେଉଛି ଘର ଏବଂ ଖୋଳ ଭିତରେ ସଜ୍ଜିତ ହୋଇ ରହିଛି ଦିଆସିଲି କାଠି ବା ନିଆଁକାଠି । ପ୍ରତ୍ୟେକ କାଠି ମୁଣ୍ଡରେ ରହିଛି ଦାରୁ । ଏହି ଦାରୁ ହେଉଛି ପୋଲିସ (ନିଆଁକାଠି) ମୁଣ୍ଡରେ ଟୋପି ଏବଂ ନିଆଁକାଠିଗୁଡ଼ିକ ଟୋପି ପିନ୍ଧି ଶୋଇଥିବା ପୋଲିସଗଣ ।

 

ଝ)

ଉପମା, ରୂପକ ଓ ଚିତ୍ରକଳ୍ପ ପ୍ରୟୋଗରେ ନୂତନତା ଲକ୍ଷ୍ୟ କରାଯାଇପାରେ । ଅଣ୍ଡାକୁ ନେଇ ବାକେଣିଟିଏ ଦେଖନ୍ତୁ-

 

ସୁନ ଇତୁତାନି ଦାରା ସିଡେ

(ଚୂନ ଘରେ ଦ୍ୱାର ନାହିଁ) ବାଟା- ଅଣ୍ଡା

 

ଅଣ୍ଡାର ବର୍ଣ୍ଣ ଧବଳ । ସତେ ଯେପରି ଚୂନ ଲିପା ଯାଇଥିବା ଘରଟିଏ । ଘରଟିଏ ଥିଲେ ତା ମଧ୍ୟକୁ ଯିବା ପାଇଁ ପ୍ରବେଶ ଦ୍ୱାର ଥାଏ । କିନ୍ତୁ ଏ ଏପରି ଏକ ଘର, ଯାହା ଧବଳ ସୁନ୍ଦର ଓ ଉତ୍ତମ ବାସଯୋଗ୍ୟ ସ୍ଥାନ ହୋଇଥିଲେ ହେଁ, ଏହା ମଧ୍ୟକୁ ପ୍ରବେଶ କରିବା ପାଇଁ ଦ୍ୱାର ନାହିଁ ।

 

ନୀଳ ଆକାଶରେ ଥିବା ତାରା ପୁଞ୍ଜ । ଝିଲିମିଲି ତାରା ଗଣ । ଦୂରକୁ ଅତି କ୍ଷୁଦ୍ର ଦେଖାଯାଉଥିବା ଦୃଶ୍ୟକୁ ନେଇ ବାକେଣିଟିଏ-

 

ଅନେନ ପାଡା ଗୁଜୁଙ୍ଗା ରାଲି ଇଞ୍ଜାମାନୁ

ସେ ପଡ଼ାରେ ଖୁଦ ବିଛାଯାଇଛି ।

 

ବିଶାଳ ଆକାଶ ହେଉଛି ଗୋଟିଏ ପଡ଼ା । ତାରାମାନେ ହେଉଛନ୍ତି ସେହି ପଡ଼ାରେ ବିଛା ଯାଇଥିବା ମୁଠାଏ ଖୁଦକଣିକା । ବିଛାଡ଼ି ହୋଇ ପଡ଼ିଥିବା ଟୁଦ୍ର ଖୁଦକଣିକା ସହିତ ଆକାଶ ସାରା ଫୁଟିଥିବା ଟିକିନିକି ତାରା ସମୂହର ତୁଳନା ଉପଭୋଗ୍ୟ ନିଶ୍ଚୟ । ଖୁଦ ସହିତ ତାରାର କ୍ଷୁଦ୍ରତାର ତୁଳନା ଚମତ୍କାର ଓ ଅନନ୍ୟ ।

 

ପୁତ୍ର ପ୍ରତି ମାତାର ସ୍ନେହ ଅତ୍ୟନ୍ତ ନିବିଡ଼ । ପୁତ୍ର ପ୍ରତି କୌଣସି ବିପଦ ଆସିଲେ ମା ଏଥିରେ ବିବ୍ରତ ହୋଇପଡ଼େ । ପ୍ରତିକାର ପାଇ ଚେଷ୍ଟାକରେ, ମାତୃସ୍ନେହ ବର୍ଣ୍ଣନାକୁ ନେଇ ନିମ୍ନ ଦୁଇଟି ବାକେଣିକୁ ଅନୁଧ୍ୟାନ କରାଯାଉ ଏବଂ ଚିତ୍ରକଳ୍ପକୁ ମଧ୍ୟ ।

 

ମିଡ଼ାକଡ଼ିଡାକେ ଟାଡି ଗ୍ରପିମାନେ

(ପିଲାକୁ କାଢ଼ିଲେ ମା ରାମ୍ପୁଛି) ବରେସାପୁ- ବରକୋଳି କଣ୍ଟା

 

ବରକୋଳି ତୋଳିବାର ଅନୁଭବ ଥିବ ଅନେକଙ୍କର । କୋଳି ତୋଳିବା ପାଇଁ ହାତ ବଢ଼ାଇ ଡାଳକୁ ନୁଆଇଁବାକୁ ପଡ଼େ । ସେଥିରୁ କୋଳି ତୋଳିବା ପାଇଁ ଯେତେବେଳେ ହାତ ବଢ଼ାଯାଏ କିମ୍ବା କୋଳିକୁ ଧରି ଟଣାଯାଏ, ଶରୀରର ବିଭିନ୍ନ ସ୍ଥାନରେ କୋଳିକଣ୍ଟାର ଆଘାତ ବାଜିବା ସୁନିଶ୍ଚିତ । ଏହାକୁ ଲକ୍ଷ୍ୟ କରି ଏ ଚିତ୍ରକଳ୍ପଟି ଫୁଟି ଉଠିଛି । ବୃକ୍ଷଡାଳ ହେଉଛି ମା, ବରକୋଳି ସନ୍ତାନ । ତୋଳିବା ବ୍ୟକ୍ତି ସନ୍ତାନକୁ ନେଇଯାଉଥିବା ଚରିତ୍ର ଏବଂ ବରକୋଳି କଣ୍ଟାର ଆଘାତ ହେଉଛି ମା’ର ପ୍ରତିରୋଧ ।

 

କିନ୍ତୁ ମାର ଏଇ ସମସ୍ତ ପ୍ରତିବାଦ ଓ ପ୍ରତିରୋଧ ସତ୍ତ୍ୱେ ଯଦି କେହି ଶକ୍ତିଶାଳୀ ଶତ୍ରୁ/ବ୍ୟକ୍ତି, ତା ସନ୍ତାନକୁ ବଳପୂର୍ବକ ଛଡ଼ାଇ ନିଏ । ଅସହାୟ ଓ ନିର୍ବଳ ମା କଣ ବା କରିପାରିବ ? ଅଶ୍ରୁ ମୁଞ୍ଚନ କରିବା ହିଁ ତାର ଭାଗ୍ୟ । ଦେଖନ୍ତୁ-

 

ମିଡା କଡ଼ିଢାକେ ଟାଡ଼ି ଡିଇମାନେ

(ପିଲାକୁ କାଢ଼ିଲେ ମାଆ କାନ୍ଦୁଛି) ପିହା- ଆମ୍ବ

 

ଆମ୍ବ ତୋଳାର ଦୃଶ୍ୟ ଦେଖିଥିବା ପାଠକେ । ଆମ୍ବଟିଏ ତୋଳିବା ସମୟରେ ଡେମ୍ଫରୁ ଆମ୍ବ ଛିଣ୍ଡାଯାଏ । ଆମ୍ବ ବିଚ୍ୟୁତ ହେଲା ପରେ ଡେମ୍ଫରୁ ଲସା ବାହାରେ । ଏଠାରେ ଡେମ୍ଫରୁ ଆମ୍ବ ଛିଣ୍ଡାଇବା ହେଉଛି ମାଆ (ଆମ୍ବଗଛ/ଡାଳ)ଠାରୁ ପିଲାକୁ କାଢ଼ିନେବା ବା ବଳପୂର୍ବକ ଛଡ଼ାଇ ନେବା ଏବଂ ଡେମ୍ଫରୁ ଲସା ନିର୍ଗତ ହେବା ଅର୍ଥ ମାଆ କାନ୍ଦିବା ବା ଅଶ୍ରୁ ମୁଞ୍ଚନ କରିବା । ଏ ଉଭୟ ଚିତ୍ରଚେତନାକୁ କେବଳ ଅନୁଭବ କରାଯାଇପାରେ ।

 

ବାକେଣି ଗୁଡ଼ିକର ପ୍ରକାର ଭେଦ

ଲକ୍ଷଣାନୁସାରେ ବାକେଣିଗୁଡ଼ିକୁ ନିମ୍ନଭାବରେ ବିଭକ୍ତ କରାଯାଇପାରେ

 

କ)

ସରଳ ବାକ୍ୟାତ୍ମକ ବା ବିବୃତିମୂଳକ- ଏଥିରେ ବକ୍ତବ୍ୟଟି ଗୋଟିଏ ସରଳ ବାକ୍ୟରେ ଦିଆଯାଇଛି । ଅର୍ଥାତ୍ ବକ୍ତବ୍ୟ ସିଧାସଳଖ ଉପସ୍ଥାପିତ ।

ଉଦାହରଣ- ବାଡ଼ି ଜକି ତାନିଚାଡି ତସାନେ

(ପଥର ସନ୍ଧିରେ ବାଘ ଶୋଇଛି) ବାଙ୍ଗସି- ଜିଭ

 

 

ଖ)

ବର୍ଣ୍ଣନାତ୍ମକ- ଏଥିରେ ଘଟଣାର ସମ୍ୟକ୍ ସୂଚନା ଥିବ ବା ରସ ସମ୍ବନ୍ଧରେ କିଛି ବର୍ଣ୍ଣନା ରହିଥିବ ।

ଉଦାହରଣ- ଦଶଲକୁ ପ୍ଲାମ୍ବୁସାସେରୁ, ଯେରିଆରୁ ନେ ଡିସେରୁ

(ଦଶଜଣ ଶିକାର କଲେ, ଦୁଇଜଣ ଖାଇଲେ)

ତ୍ଲାଉପେନୁ ଉଗତେରୁ- ଉକୁଣି ମାରିବା

 

 

ଗ)

ଢଗାତ୍ମକ- ଢଗମାରିବା ଭଳି ବାକ୍ୟ ପ୍ରୟୋଗ ।

ଉଦାହରଣ- ସୁଟୁପୁ, ବିରା ଢିସେ ରପୁ ରପୁ

(ଘିରିଘିରି ଟୁପୁ, ମାଟି କାଇ ରପୁରପୁ) ଇର୍ପିପୁଜୁ- ମହୁଲ ଫୁଲ

 

 

ଘ)

ବ୍ୟଙ୍ଗାତ୍ମକ- କୌଣସି ବସ୍ତୁ କିମ୍ବା ଚରିତ୍ରକୁ ବ୍ୟଙ୍ଗ କରି ପ୍ରକାଶ କରିବା

ଉଦାହରଣ- ସୁକୁସୁକୁ ସୁକୁନ୍ତଲା

ମାଦେମାନେ ଡିବି ଡଲା

ବେତଡିମାନେ ବିଯଙ୍ଗ କିଲା

(ସୁକୁସୁକୁ ସୁକୁନ୍ତଳା

ମଝିରେ ଅଛି ବିରାଟ ଢୋଲ

ପଛରେ ଖଞ୍ଜିଛି ଲୁହାବଳା) ପାଜି- ଘୁଷୁରୀ

 

 

ଆଙ୍ଗିକ ବା ଗଠନକୌଶଳ ଦୃଷ୍ଟିରୁ ବାକେଣିଗୁଡ଼ିକୁ ନିମ୍ନମତେ ବିଭକ୍ତ କରାଯାଇପାରେ ।

କ)

ଏକ ଧାଡ଼ି ବା ପାଦ ବିଶିଷ୍ଟ- ମିଡାଙ୍ଗା ମାରିନେ ବାରଜାତି ।

ଖ)

ଦୁଇଧାଡ଼ି ବା ପାଦ ବିଶିଷ୍ଟ-       ରଣ୍ଡାକଡ଼ି ଡତେକା

ପିଃତେକାନି ଜଡ଼େକା

ଗ)

ତିନିଧାଡ଼ି ବା ପାଦ ବିଶିଷ୍ଟ- ମାନିକେ ମାସେକା

ଶୁଞ୍ଜାକେ ସୁସେକା

ବିଃଏ ବାଜିମା ଇସେକ

ଘ)

ଚାରିଧାଡ଼ି ବା ପାଦ ବିଶିଷ୍ଟ- ରୁତୁଗୁଟା

ସିକାଲିମୁଢ଼ା

ସିକେ ଦାହାନା

ସ୍କକାନାକୁଢ଼ା

ଙ)

ପ୍ରାନ୍ତାକ୍ଷର ମିଳନାତ୍ମକ-

 

-

ପ୍ରତିପାଦର ଅକ୍ଷର ସଂଖ୍ୟା ସମାନ ନଥାଇ- ରଣ୍ଡେଶିସା

 

 

 

ବାର ଦିଶା

 

ପ୍ରତିପାଦ ଚାରି ଅକ୍ଷର ବିଶିଷ୍ଟ

 

-

ପ୍ରତି ପାଦରେ ଅକ୍ଷର ସଂଖ୍ୟା ସମାନ ନଥାଇ

 

 

 

ତାଜେରିଆରୁ

ସାହାପିସାହାପି ସାଇନେରୁ

ପ୍ରଥମ ପାଦ ୫ ଅକ୍ଷର ବିଶିଷ୍ଟ । ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା ୧୦

ଚ)

ପ୍ରାନ୍ତାକ୍ଷର ମେଳ ନଥାଇ

 

-

ପ୍ରତିପାଦ/ଧାଡ଼ିର ୫ ଅକ୍ଷର ସଂଖ୍ୟା ସମାନ ଥାଇ-

ନିମ୍ବାନା ନି ତୁଡ଼େକା

ସାଜାନାନି ରିଡିଡା । ପ୍ରତିପାଦର ଅକ୍ଷର ସଂଖ୍ୟା-୭

 

 

ପ୍ରତିପାଦ ବା ଧାଡ଼ିର ଅକ୍ଷର ସଂଖ୍ୟା ଅସମାନ ଥାଇ ।

ନିଉନ ଡୁଡାଙ୍ଗା

ପ୍ରଥମ ଧାଡ଼ି ୬ ଅକ୍ଷର ବିଶିଷ୍ଟ ଓ ଦ୍ୱିତୀୟ ଧାଡ଼ି ୭ ଅକ୍ଷର ବିଶିଷ୍ଟ ।

 

ଓଡ଼ିଆ ଓ କୁଇ ପ୍ରହେଳିକା ତୁଳନା

ନିମ୍ନରେ କେତୋଟି କୁଇ ପ୍ରହେଳିକା ସହିତ କେତୋଟି ଓଡ଼ିଆ ପ୍ରହେଳିକା ଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ଥିବା ଆଙ୍ଗିକ ତଥା ଭାବ ଓ ଅର୍ଥ ସମାନତାକୁ ଲକ୍ଷ୍ୟ କରାଯାଇପାରେ ।

 

୧)

କୁ- ଈମ୍ବେକି ସାସେକା ବେଏ ଆହାନାସାଜି

ଜାତେକା ବେଏ ଆହାନା ବାଦି ।

(ଯୁଆଡ଼େ ଗଲେ ଧରିଯିବୁ, ଆସିଲେ ଧରି ଆସିବୁ) ଡୁଗା- ଛାଇ

ଓ- ଲୋଟେଇ ଲଇ,

ହାଣିଲେ ଛିଣ୍ଡଇ ନାହିଁ- ଛାଇ (ପୃ-୧୦୮ , ଉ.ପ୍ର.ପ.)

୨)

କୁ- ଅକେନପାଡ଼ା ଗୁଦୁଙ୍ଗା ରାଲି ଈଞ୍ଜାମାନୁ

(ସେ ପଡ଼ାରେ ଖୁଦ ବିଛାଯାଇଛି) ସୁକାଙ୍ଗା- ତାରା

ଓ- ଚାଞ୍ଚଡ଼ା ପଥରେ ବୁଣିଲି ଲିଆ

ବେଗି ଖାଇବା ଲୋକଙ୍କୁ କହିଦିଆ- ତାରା

(ପୃ- ୪୪, ଉ.ପ୍ର.ପ)

 

କୁଇ ପ୍ରହେଳିକାରେ ତାରାମାନଙ୍କୁ ଖୁଦ ଓ ଓଡ଼ିଆ ପ୍ରହେଳିକାରେ ଲିଆ ରୂପେ ଗ୍ରହଣ କରାଯାଇଛି ।

୩)

କୁ- ଟିକେ ତାରି ସୁଃଏ ଆନେ

(ଟିକିଏ ଜିନିଷ ବହୁତ ଖାଏ) ନାଡି- ନିଆଁ

ଓ- ମୋ ଘରର ବଉଟି

କୁଟା ଖାଏ ପଉଟି ।- ନିଆଁ (ପୃ-୧୦୨, ଉ.ପ୍ର.ପ:)

୪)

କୁ- ସେଣ୍ଡେସାତା, ନେଡେମୁତା

(ଉପରେ ଛତା, ତଳେ ଲୋଟା) ସାପକାମ୍ରାନୁ- ସାରୁଗଛ

ଓ- ଉପରେ ଛତା, ତଳେ ଜୋତା । ସାରୁଗଛ (ପ-୨୦. ଉ.ପ୍ର.ପ)

୫)

କୁ- ରାଜେନୁ ତାଃ ଇମ୍ବାଇ ପୁଟ୍‍କା କିସ୍କାମୁନେ

(ରାଜାର ଦେହରେ ଘିମିରି ହୋଇଛି) ପଣସି- ପଣସ

ଓ ମାଉଁସ ହଳଦିଆ ଯାଦୁଆ ଦେହ

ଏକା ବିଆଣକେ ହଜାରେ ପୁଅ- ପଣସ (ପୃ-୧୦୧, ଉ.ପ୍ର.ପ)

୬)

କୁ- ରାଜେନି ତାରି ପିନ୍ଦାନି ଗରଡ଼

(ରାଜ୍ୟର ଗାଣ୍ଡି କଣା)- ଶିକଙ୍ଗା- ଶିକା

ଓ- ଡେଙ୍ଗା ବ୍ରାହ୍ମଣ

ଗାଣ୍ଡି ତା କଣା- ଶିକା (ପୃ-୫୯, ଉ.ପ୍ର.ପ)

 

ପରିଶେଷରେ ଏତିକି କୁହାଯାଇପାରେ ଯେ, ଏହି ବାକେଣିଗୁଡ଼ିକ ଉଭୟ ଆତ୍ମିକ ଓ ଆଙ୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଗୁଡ଼ିକର ଯଥାର୍ଥ ଅଧ୍ୟୟନ ଓ ଅନୁଶୀଳନ କରାଯାଇ ସେହି ସୌନ୍ଦର୍ଯ୍ୟକୁ ଜଗତ ସମକ୍ଷରେ ଉପସ୍ଥାପନ କରିବା, ସର୍ବାଦୌ ଏକ ଜାତୀୟ କର୍ତ୍ତବ୍ୟ । ଏହି ପ୍ରବନ୍ଧ ତାର ଏକ ପ୍ରୟାସ ମାତ୍ର ।

 

ବି.ଦ୍ର- ଏହି ପ୍ରବନ୍ଧରେ ଦିଆଯାଇଥିବା ସମସ୍ତ ଉଦ୍ଧୃତି ଓ ଓଡ଼ିଆ ଅନୁବାଦ ଶ୍ରୀଯୁକ୍ତ ରଘୁନାଥ ରଥଙ୍କ ଦ୍ୱାରା ସଂଗୃହୀତ, ସମ୍ପାଦିତ ଓ ପ୍ରକାଶିତ ପୁସ୍ତକ କୁଇ ଢଗ ପହଳି ଗ୍ରନ୍ଥରୁ ନିଆଯାଇଛି । ତେଣୁ ଲେଖକ, ଶ୍ରୀଯୁକ୍ତ ରଥଙ୍କ ନିକଟରେ କୃତଜ୍ଞ ।

 

ସହାୟକ ଗ୍ରନ୍ଥସୂଚୀ

୧)

Orissa District Gazetters-Boudh-Khondmals- 1983

୨)

An Adibasi Oriya-Telugu-English Dictionary-CIIL-Mysore-1989

୩)

ତ୍ରିଭାଷୀ କୁଇ ବ୍ୟାକରଣ- ଶ୍ରୀ ସାରଙ୍ଗଧର ପ୍ରଧାନ-୧୯୯୮

୪)

ଉତ୍କଳ ପ୍ରହେଳି ଓ ପହଳି- ପ୍ରଧ୍ୟାପକ ଲକ୍ଷ୍ମଣ କୁମାର ପରିଡ଼ା- ୧୯୯୩

 

 

ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର

ନୂଆ ସାହି, ଭଞ୍ଜ ନଗର,

ଗଞ୍ଜାମ-୭୬୧୧୨୬, ଓଡ଼ିଶା

 

***

 

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ସଂସ୍କୃତି

କ୍ଷୀରୋଦ ଚନ୍ଦ୍ର ବେହେରା

 

ସୁନ୍ଦରଗଡ଼ ଆମ ରାଜ୍ୟର ଏକ ଶିଳ୍ପ ଓ ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲା । ଏଠାରେ ଆଦିବାସୀ ସଂସ୍କୃତିର ଏକ ଭିନ୍ନ ପ୍ରେକ୍ଷାପଟ ରହିଛି । ଭାରତୀୟ ସ୍ୱାଧୀନତା ପ୍ରାପ୍ତି ପରବର୍ତ୍ତୀ ସାମାଜିକ ଜୀବନରେ ଯେଉଁ ଭୂୟୋବିକାଶର ଆଶା କରାଯାଇଥିଲା ତାହା କେତେକାଂଶରେ ଏହି ଜିଲ୍ଲାରେ ସାକର ରୂପ ନେଇଛି । ଏହି ଜିଲ୍ଲାର କେନ୍ଦ୍ରାଞ୍ଚଳ କଳ, କାରଖାନା ଇତ୍ୟାଦିରେ ଶିଳ୍ପ ସମୃଦ୍ଧ ହୋଇଥିବା ସମୟରେ ପୂର୍ବାଞ୍ଚଳରେ ରହିଛି ପ୍ରକୃତିର ଅଫୁରନ୍ତ ଦାନ ସ୍ୱରୂପ ଅସରନ୍ତି ଖଣିଜ ସମ୍ପଦ । ଶିଳ୍ପ ସଭ୍ୟତା ଓ ଖଣି ସଭ୍ୟତା ଏଠାକାର ଆଦିବାସୀମାନଙ୍କ ସାମାଜିକ ଚଳଣୀରେ ଆଣିଛି ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ । ସେମାନଙ୍କର ପ୍ରାଚୀନ ସଂସ୍କୃତି ଓ ସଂସ୍କାର ଏହି ଶିଳ୍ପ ସଭ୍ୟତା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି । ପ୍ରାଚୀନ ଓ ଆଧୁନିକ ପରମ୍ପରାର ମିଶାମିଶି ସଂସ୍କୃତି ଏହି ଜିଲ୍ଲାର ଆଦିବାସୀ ଜୀବନ ଧାରାକୁ ଯଥେଷ୍ଟ ପରିମାଣରେ ପ୍ରଭାବିତ କରିଛି ଏଥିରେ ସନ୍ଦେହ ନାହିଁ ।

 

ଆଜିର ସୁନ୍ଦରଗଡ଼ ଜିଲ୍ଲା ପ୍ରାଚୀନ ବଣାଇଁଗଡ଼ ରାଜ୍ୟ, ଗାଙ୍ଗପୁର ରାଜ୍ୟ ଓ ସୁନ୍ଦରଗଡ଼ ଗଡ଼ଜାତର ସମ୍ମିଶ୍ରଣ ଦ୍ୱାରା ସମ୍ଭବ ହୋଇପାରିଛି । ଏହି ତିନୋଟି ଗଡ଼ଜାତ ଏକ ଜିଲ୍ଲାରେ ସମ୍ମିଶ୍ରିତ ହୋଇଥିଲେ ହେଁ ଏବେ ସୁଦ୍ଧା ସେହି ଅଞ୍ଚଳଗୁଡ଼ିକ ନିଜର ନୃତାତ୍ତ୍ୱିକ, ସାଂସ୍କୃତିକ ଓ ଭାଷାଭିତ୍ତିକ ବିଶିଷ୍ଟତା ଓ ସ୍ୱାତନ୍ତ୍ର୍ୟ ଅକ୍ଷୁର୍ଣ୍ଣ ରଖିଛନ୍ତି । ଏହି ତିନୋଟି ଅଞ୍ଚଳର ସ୍ୱତନ୍ତ୍ର ପ୍ରାକୃତିକ ପରିବେଶ ଓ ସାଂସ୍କୃତିକ ପରିମଣ୍ଡଳ ଏହାର ସ୍ୱାତନ୍ତ୍ର୍ୟ ନିର୍ମାଣ କରିବା ନିମିତ୍ତ ସହାୟକ ହୋଇଥାଏ-। ବଣାଇଁଗଡ଼, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ସେହି ଅଞ୍ଚଳର ସାଂସ୍କୃତିକ ଗଡ଼ ଭାବରେ ଆଞ୍ଚଳିକ ସଂସ୍କୃତିର ସୁରକ୍ଷାକବଚ ହୋଇ ରହିପାରିଛି । ବଣାଇଁଗଡ଼ ଅଞ୍ଚଳ ଭୂୟାଁପୀଢ଼ ଭାବରେ ‘‘ଆଦିବାସୀ ସାଂସ୍କୃତିକ ପରିମଣ୍ଡଳ’’ରେ ପରିଚିତ । କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଓ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁଗଡ଼ ଅଞ୍ଚଳକୁ ନେଇ ଏକ ବୃହତ ଭୁୟାଁପୀଢ଼ର ଅବସ୍ଥିତି । ଏହି ଭୂୟାଁ ସମ୍ପ୍ରଦାୟ ହିଁ କେନ୍ଦୁଝର ରାଜବଂଶ ଓ ବଣାଇଁଗଡ଼ ରାଜବଂଶର ପ୍ରତିଷ୍ଠାତା । ଏମାନେ ଭାରତୀୟ ଆର୍ଯ୍ୟ ପରିବାର ଅନ୍ତର୍ଗତ ହୋଇଥିବାରୁ ଏହି ସମ୍ପ୍ରଦାୟର ଲୋକମାନେ ସୁନ୍ଦର, ଗୋରା ଓ ବଳିଷ୍ଠ । ଏମାନେ ସୁନ୍ଦରଗଡ଼ ଜିଲ୍ଲାରେ ବାସ କରୁଥିବା ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଅପେକ୍ଷା ଅଧିକ ମାର୍ଜିତ, ସଭ୍ୟ, ସଂସ୍କୃତିସମ୍ପନ୍ନ ଓ ଆର୍ଥିକ ସ୍ୱଚ୍ଛଳ । ଐତିହାସିକ କାଳରୁ ଏମାନେ ଏକ ବୀରଜାତି ଭାବରେ ପ୍ରତିଷ୍ଠା ପାଇ ଆସିଛନ୍ତି । ସମଗ୍ର ବଣାଇଁଗଡ଼ ଅଞ୍ଚଳରେ ଏମାନଙ୍କ ସାଂସ୍କୃତିକ ପ୍ରାଧାନ୍ୟ ଅନୁଭୂତ ହୋଇଥାଏ । ଏମାନେ ଆର୍ଥିକ ଓ ସାମାଜିକ ସ୍ତରରେ ଏତେ ଅଗ୍ରଗାମୀ ଥିଲେ ଯେ, ପରବର୍ତ୍ତୀ ପର୍ଯ୍ୟାୟରେ ଏମାନେ ସ୍ୱତନ୍ତ୍ର ସାମାଜିକ ପ୍ରତିଷ୍ଠା ପାଇପାରିଥିଲେ । ଭୂୟାଁମାନଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଯେଉଁ ଆଦିବାସୀ ସମ୍ପ୍ରଦାୟ ସାମାଜିକ ଜୀବନରେ ଉନ୍ନତି ଲାଭ କରି ସଂସ୍କୃତି ସମ୍ପନ୍ନ ହୋଇପାରିଛି, ସେହି ଆଦିବାସୀ ସମ୍ପ୍ରଦାୟଟି ହେଲା ଗଣ୍ଡ ସମ୍ପ୍ରଦାୟ । ଏହି ଦୁଇଟି ଜନଜାତିର ଆର୍ଥନୀତିକ ସ୍ୱଚ୍ଛଳତା ସହ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ରହିଛି । ଏମାନେ ସବର୍ଣ୍ଣ ହିନ୍ଦୁଜାତି ସହ ସମାନ୍ତରାଳ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ଲାଭ କରିଛନ୍ତି । ଗଣ୍ଡ ସମ୍ପ୍ରଦାୟ ମଧ୍ୟ ଏକ ବୀରଜାତି ଭାବରେ ପୁରାଣ ଓ ଇତିହାସ ପ୍ରସିଦ୍ଧ ।

 

ସୁନ୍ଦରଗଡ଼ ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଓ ପ୍ରାକୃତିକ ପରିବେଶକୁ ବିଶ୍ଲେଷଣ କଲେ, ଏହି ଜିଲ୍ଲାରେ ତିନୋଟି ଆନ୍ତଃ-ସାସ୍କୃତିକ କ୍ଷେତ୍ର ଥିବା ଦୃଷ୍ଟିଗୋଚର ହୋଇଥାଏ । ପ୍ରଥମ ସାଂସ୍କୃତିକ ଅଞ୍ଚଳ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉତ୍ତରାଞ୍ଚଳକୁ ଗ୍ରହଣ କରାଯାଇପାରେ । ନୂଆଗାଁ, କୁଆଁରମୁଣ୍ଡା, ରାଜଗାଙ୍ଗପୁର ଓ ଲାଠିକଟାକୁ ନେଇ ଏହି ସାଂସ୍କୃତିକ କ୍ଷେତ୍ର ଗଠିତ । ଏହି ସାଂସ୍କୃତିକ ଅଞ୍ଚଳ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉତ୍ତରାଞ୍ଚଳକୁ ଗ୍ରହଣ କରାଯାଇପାରେ । ନୂଆଗାଁ, କୁଆଁରମୁଣ୍ଡା, ରାଜଗାଙ୍ଗପୁର ଓ ଲାଠିକଟାକୁ ନେଇ ଏହି ସାଂସ୍କୃତିକ କ୍ଷେତ୍ର ଗଠିତ । ଏହି ସାଂସ୍କୃତିକ କ୍ଷେତ୍ରଟି ଛୋଟନାଗପୁର ଓ ଲାଠିକଟାକୁ ନେଇ ଏହି ସାଂସ୍କୃତିକ କ୍ଷେତ୍ର ଗଠିତ । ଏହି ସାଂସ୍କୃତିକ କ୍ଷେତ୍ରଟି ଛୋଟନାଗପୁର ବୃହତ୍ ଆଦିବାସୀ ସାଂସ୍କୃତିକ ଅଞ୍ଚଳର ଅଂଶବିଶେଷ । ସୁନ୍ଦରଗଡ଼ ଜିଲ୍ଲାର ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବସତିଗୁଡ଼ିକୁ ଅଧ୍ୟୟନ କଲେ ଜଣାପଡ଼େ ଛୋଟନାଗପୁର ଅଞ୍ଚଳରେ ଯେଉଁ ପ୍ରଟୋଅଷ୍ଟ୍ରୋଲଏଡ ପରିବାର ଆଦିବାସୀମାନେ ବାସ କରୁଛନ୍ତି, ସେହି ପରିବାରର ଆଦିବାସୀ ସମ୍ପ୍ରଦାୟ ଏହି ଅଞ୍ଚଳଗୁଡ଼ିକରେ ବହୁଳ ଭାବରେ ବାସ କରିଥାନ୍ତି । କୋହ୍ଲ, ମୁଣ୍ଡାରୀ, ହୋ, ଓରାଓଁ, ସାନ୍ତାଳ ଆଦି ଏହି ଅଞ୍ଚଳର ପ୍ରମୁଖ ଆଦିବାସୀ ସମ୍ପ୍ରଦାୟ । ଘନ ଜଙ୍ଗଲ, ପାର୍ବତ୍ୟାଞ୍ଚଳ ଓ ଉର୍ବର ଚାଷଜମିର ଅଭାବ ଯୋଗୁଁ ଏହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଅଧିକାଂଶ କୃଷି ଶ୍ରମିକ ଅଥବା ଶିଳ୍ପ ଶ୍ରମିକ ଭାବରେ ବୃତ୍ତିଗତ ଜୀବନ ଅତିବାହିତ କରିଥାନ୍ତି । ଏମାନଙ୍କ ଜୀବନଯାପନ ଶୈଳୀ ଓ ଧର୍ମାଚାର ସେହି ପ୍ରାଚୀନ ଆଟବୀକ ସଂସ୍କୃତିର ଅନ୍ତର୍ଗତ । ସାନ୍ତାଳୀ ଓ ମୁଣ୍ଡା ସଂସ୍କୃତି ଏହି ଅଞ୍ଚଳର ଆଦିବାସୀ ସଂସ୍କୃତିକୁ ନିୟନ୍ତ୍ରିତ କରିଥାଏ । ଏହା ବ୍ୟତୀତ ଏହି ଅଞ୍ଚଳର ବହୁ ଆଦିବାସୀ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ, ସେମାନଙ୍କ ସଂସ୍କୃତି ମଧ୍ୟରେ ଖ୍ରୀଷ୍ଟ-ସଂସ୍କୃତି ଆରୋପିତ ହେବାର ଦେଖାଯାଇଥାଏ । ରାଉରକେଲା, ଲାଠିକଟା, କାଂସବାହାଲ ଓ ରାଜଗାଙ୍ଗପୁର ଅଞ୍ଚଳରେ ରହିଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ଆଦିବାସୀ ସଂସ୍କୃତିକୁ ସଂସ୍କୃତିକରଣ ଓ ଖ୍ରୀଷ୍ଟସଂସ୍କୃତିକରଣରେ ସହାୟକ ହୋଇଛି । ଏହାଦ୍ୱାରା ବିଭିନ୍ନ ଐତିହାସିକ ସମୟରେ ହୋଇଥିବା ସାଂସ୍କୃତିକ ଜାଗରଣ ଏକ ନିର୍ଦ୍ଦିଷ୍ଟ ସ୍ରୋତରେ ପରିଣତ ହୋଇ ଆଦିବାସୀ ସଂସ୍କୃତିକୁ ପ୍ରତିଷ୍ଠା ପ୍ରଦାନ କରିବାର ସହାୟକ ହୋଇପାରିଛି ।

 

ହେମଗିରି, ତଲସରା, ସବ୍‍ଡେଗା ଓ ସୁନ୍ଦରଗଡ଼କୁ ନେଇ ଅନ୍ୟ ଏକ ସାଂସ୍କୃତିକ କ୍ଷେତ୍ର ଗଠିତ । ଏହି ଅଞ୍ଚଳର ଭାଷା, ସଂସ୍କୃତି ଓ ଜନବସତି ବୃହତ ଛତିଶଗଡ଼ ସାଂସ୍କୃତିକ କ୍ଷେତ୍ରରେ ଅଂଶବିଶେଷ । ଏହି ଅଞ୍ଚଳରେ ଭାରତୀୟ- ଆର୍ଯ୍ୟ ଓ ଦ୍ରାବିଡ଼ ପରିବାରର ଆଦିବାସୀ ସମ୍ପ୍ରଦାୟ ପ୍ରମୁଖ ଭାବରେ ବସବାସ କରୁଥିଲେ ହେଁ, ‘‘ଅଘରିଆ’’ ନାମକ ଏକ ଚାଷୀ ସମ୍ପ୍ରଦାୟ ଏହି ଅଞ୍ଚଳର ଅର୍ଥନୀତିକ, ସାମଜିକ ଓ ସାଂସ୍କୃତିକ ପରିମଣ୍ଡଳକୁ ନିୟନ୍ତ୍ରିତ ଓ ପ୍ରଭାବିତ କରିଥାଏ । ଏହି ଅଞ୍ଚଳରେ ରହିଛି ଚାଷ ଉପଯୋଗୀ ଉର୍ବର ମାଟି । ସେହିପରି ଶିଳ୍ପାନୁଷ୍ଠାନର ଅଭାବ ଏହି ଅଞ୍ଚଳରେ ଏକ କୃଷିଭିତ୍ତିକ ସବର୍ଣ୍ଣ-ଆଦିବାସୀ ସାଂସ୍କୃତିକ ପରିମଣ୍ଡଳ ସୃଷ୍ଟି କରିବାରେ ସହାୟକ ହୋଇଛି । ଏହି ଅଞ୍ଚଳର ଆଦିବାସୀ ସଂସ୍କୃତି ଆର୍ଯ୍ୟୀକରଣ ହୋଇ ହିନ୍ଦୁ-ସଂସ୍କୃତି ସହ ସମନ୍ୱୟ ରକ୍ଷା କରିପାରିଛି । ପ୍ରାଚୀନ ରୂପ ଏହି ଅଞ୍ଚଳରେ ପ୍ରାୟତଃ ଦେଖାଯାଏ ନାହିଁ । ବିଭିନ୍ନ ପର୍ବପର୍ବାଣୀ ଓ ଉତ୍ସବ ଅନୁଷ୍ଠାନର ଗୀତନୃତ୍ୟରେ କେବଳ ତାଙ୍କର ସଂସ୍କୃତି ସୀମାବଦ୍ଧ ହୋଇ ରହିଯାଇଛି ।

 

ତୃତୀୟ ଆଦିବାସୀ-ସାଂସ୍କୃତିକ କ୍ଷେତ୍ରଟି ବଣେଇଗଡ଼, ଗୁରୁଣ୍ଡିଆ, ଲହୁଣିପଡ଼ା ଓ କୋଇଡ଼ା ଅଞ୍ଚଳକୁ ନେଇ ଗଠିତ । ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ଦୁଇ ସାଂସ୍କୃତିକ କ୍ଷେତ୍ର ସହ ଏହି ସାଂସ୍କୃତିକ କ୍ଷେତ୍ରରେ ତୁଳନାତ୍ମକ ଅଧ୍ୟୟନ କଲେ ଜଣାପଡ଼େ ଯେ, ଏହି ଅଞ୍ଚଳର ସଂସ୍କୃତି ଓ ଜନବସତି ଅନେକ ପ୍ରାଚୀନ । ଏହି ଅଞ୍ଚଳରେ ବାସ କରୁଥିବା ଭୂୟାଁ ଓ ଗଣ୍ଡ ସମ୍ପ୍ରଦାୟ ସୁନ୍ଦରଗଡ଼ ଜିଲ୍ଲାର ପ୍ରାଚୀନତମ ଆଦିବାସୀ ସମ୍ପ୍ରଦାୟ । ଏହି ସମ୍ପ୍ରଦାୟ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାରେ ଶାସନ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସୁନ୍ଦରଗଡ଼ ସହର ଜିଲ୍ଲାର ସଦର ମହକୁମା ଓ ଗଡ଼ଜାତ ସମୟର ରାଜବାଟୀ ହେବା ପୂର୍ବରୁ ଏହି ସାଂସ୍କୃତିକ କ୍ଷେତ୍ରରେ ପରିସୀମା ମଧ୍ୟରେ ରହିଥିବା ସୁନ୍ଦରଗଡ଼ର ପ୍ରାଚୀନ ରାଜବାଟୀ । ଏହି ଅଞ୍ଚଳରେ ବାସ କରୁଥିବା ଭୂୟାଁ ଓ ଗଣ୍ଡ ସମ୍ପ୍ରଦାୟର ସାଂସ୍କୃତିକ ପରମ୍ପରା, ବଣେଇଗଡ଼ ରାଜବଂଶ ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥପତିକୁ ବିଶ୍ଲେଷଣ କଲେ ଜଣାପଡ଼ିଥାଏ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରା, ବଣେଇଗଡ଼ ରାଜବଂଶ ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥପତିକୁ ବିଶ୍ଲେଷଣ କଲେ ଜଣାପଡ଼ିଥାଏ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରାର ପ୍ରାଚୀନତା । ଭୂୟାଁ ଜାତିର ଦୁଇ ବ୍ୟବସାୟୀ ତପସୁ ଓ ଭଲ୍ଲିକ ଗୌତମବୁଦ୍ଧଙ୍କ ପ୍ରଥମ ଦୁଇ ଶିଷ୍ୟ ଭାବରେ ଇତିହାସରେ ଲିପିବଦ୍ଧ ହୋଇ ରହିଛି । ଏହା ବ୍ୟତୀତ ବିଭିନ୍ନ ଐତିହାସିକ ଓ ଗବେଷକ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବହୁ ମୂଲ୍ୟବାନ ମନ୍ତବ୍ୟ ଦେଇ ସାରିଛନ୍ତି । ଏହି ଅଞ୍ଚଳ ସମ୍ପର୍କରେ ଡକ୍ଟର କରୁଣାସାଗର ବେହେରା କହନ୍ତି ‘‘ନଳବଂଶୀ ରାଜାମାନେ ରାଜନିଷାଦ ପତି ନଳଙ୍କ ବଂଶଧର ରୂପେ ନିଜକୁ ପରିଚୟ ଦେଇଛନ୍ତି (ନଳନୃପତି କୂଳାନୁୟଃ), କେତେକଙ୍କ ମତରେ ଓଡ଼ିଶାରେ ରାଜତ୍ୱ କରିଥିବା ଭୌମକର ବଂଶ ଭୂମିଜ ବା ଭୂୟାଁ ଜାତି ସହିତ ସମ୍ପୃକ୍ତି ଥିଲେ । ପ୍ରାଚୀନ ଖିଚିଙ୍ଗର ଭଞ୍ଜବଂଶର ତାମ୍ରଶାସନରୁ ଜଣାପଡ଼େ ଯେ ଏହି ବଂଶର ପ୍ରଥମ ରାଜା ମୟୂର ଅଣ୍ଡାରୁ ଜନ୍ମଲାଭ କରି ବଶିଷ୍ଠ ମୁନିଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ଖିଞ୍ଜିଳୀର ଭଞ୍ଜବଂଶ ମଧ୍ୟ ଅଣ୍ଡାରୁ ଜାତ ହୋଇଥିଲେ ମୋଲି ସେମାନଙ୍କର ବଂଶ ଉତ୍ପତ୍ତି ସମ୍ବନ୍ଧୀୟ କିମ୍ବଦନ୍ତୀରୁ ଜଣାପଡ଼େ । ବଣାଇରୁ ପ୍ରାପ୍ତ ତାମ୍ର ଶାସନରୁ ଜଣାପଡ଼େ ଯେ ଉଦୟବରାହ ମୟୂର ବଂଶୋଦ୍ଭବଥିଲେ । ସେ ବଣାଇଁ ମଣ୍ଡଳରେ ରାଜତ୍ୱ କରୁଥିଲେ ।’’ (ଓଡ଼ିଆ ସାହିତ୍ୟ ଓ ଆଦିବାସୀ ସଂସ୍କୃତି, ଓଡ଼ିଶା ସାହିତ୍ୟ ଏକାଡେମୀ , ୧୯୮୧, ପୃଷ୍ଠା- ୨୪) । ବଣାଇଁଗଡ଼ରେ ରାଜବଂଶ ପ୍ରତିଷ୍ଠା କରିବାରେ ଭୂୟାଁ ସମାଜ ହିଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଏ ସମ୍ପର୍କରେ ଅଧ୍ୟାପକ ପ୍ରଭାତ ମଲ୍ଲିକ ଲେଖିଛନ୍ତି ‘‘କେନ୍ଦୁଝର ପରି ବଣେଇ ଥିଲା ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ ଏବଂ ଉଭୟ ରାଜ୍ୟ ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସାମଞ୍ଜସ୍ୟର ମୁଖ୍ୟସ୍ରୋତ ଥିଲା ଭୂୟାଁ ସମାଜ । ଉଭୟ ରାଜ୍ୟରେ କ୍ଷତ୍ରୀୟ ଶାସନ ପ୍ରତିଷ୍ଠା ଦିଗରେ ଏହି ଭୂୟାଁ ସମାଜର ଥିଲା ବଳିଷ୍ଠ ଭୂମିକା । ଭୂୟାଁମାନେ ଖିଚିଙ୍ଗ ମଣ୍ଡଳରୁ ଏକ ରାଜପୁତ୍ର ଚୋରାଇ ଆଣି କେନ୍ଦୁଝର ରାଜବଂଶ ପ୍ରତିଷ୍ଠା କଲାପରି ଜଣେ ଭୂୟାଁ ଜମିଦାରର ସାହାଯ୍ୟ ଓ ସମର୍ଥନରେ ବଣେଇରେ କାଦମ୍ବ, ରାଜବଂଶ ପ୍ରତିଷ୍ଠିତ ହୋଇଥିଲା । ପ୍ରଚଳିତ ଜନଶ୍ରୁତି ଅନୁଯାୟୀ କାଦମ୍ବବଂଶୀୟ ପ୍ରତାପ ଭାନୁଦେବ ତ୍ରୟୋଦଶ ଶତାବ୍ଦୀରେ ବଣେଇରେ ରାଜଶାସନ ପ୍ରତିଷ୍ଠା କରିବା ପୂର୍ବରୁ ପ୍ରାଚୀନ ବଣେଇ ରାଜ୍ୟ ପାଞ୍ଚଗୋଟି ପ୍ରାନ୍ତରେ ବିଭାଜିତ ହୋଇ, ବୀର କନ୍ଧ, କଣ୍ଡୁର ଭୂୟାଁ, କୁଲେଇ କିଶାନ, ହବିରା ମୁଣ୍ଡା, ମହାବିରା ମୁଣ୍ଡା, କୋଇରୁ ରଣା ଓ ଲେତେ କେଉଟଙ୍କ ପରି ଆଦିବାସୀ ଓ ଅଣକ୍ଷତ୍ରୀୟ ଶାସନ କର୍ତ୍ତାମାନଙ୍କ ଦ୍ୱାରା ଶାସିତ ହେଉଥିଲା । (ନବପତ୍ର, ମେ ଜୁନ-୧୯୯୮, ପୃଷ୍ଠା-୮୪) ଭୂୟାଁମାନେ ବଣେଇଗଡ଼ ଅଞ୍ଚଳରେ କେବଳ କ୍ଷତ୍ରୀୟ ରାଜବଂଶ ପ୍ରତିଷ୍ଠା କରିନାହାନ୍ତି, ନିଜ ସମ୍ପ୍ରଦାୟକୁ ମଧ୍ୟ ରାଜକୁଡ଼ି ଭୂୟାଁ ଅଥବା ଖଣ୍ଡାୟତ ଭୂୟାଁ ଭାବରେ କରିନାହାନ୍ତି, ନିଜ ସମ୍ପ୍ରଦାୟକୁ ମଧ୍ୟ ରାଜକୁଡ଼ି ଭୂୟାଁ ଅଥବା ଖଣ୍ଡାୟତ ଭୂୟାଁ ଭାବରେ ସାମାଜିକ ପ୍ରତିଷ୍ଠା ପ୍ରଦାନ କରିଛନ୍ତି । ଐତିହାସିକ କାଳରୁ ଏହି ଅଞ୍ଚଳରେ ବସବାସ କରୁଥିବା ଭୂୟାଁ ଓ ଗଣ୍ଡ ସମ୍ପ୍ରଦାୟର ଆର୍ଥିକ ଅବସ୍ଥା ଅତ୍ୟନ୍ତ ସ୍ୱଚ୍ଛଳ ଥିବାରୁ ଏବଂ ଜମିଦାରୀ ବ୍ୟବସ୍ଥା ତାଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ , ତାଙ୍କ ସଂସ୍କୃତିର ମଧ୍ୟ ହିନ୍ଦୁକରଣ ସମ୍ଭବ ହୋଇଛି ।

 

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଯେଉଁ ପ୍ରମୁଖ ଆଦିବାସୀ ସମ୍ପ୍ରଦାୟ ବସବାସ କରି ସାଂସ୍କୃତିକ ପରମ୍ପରା ନିର୍ମାଣ କରିବାରେ ସହାୟକ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଓରାଓଁ, ସାନ୍ତାଳ, କୋହ୍ଲ, ମୁଣ୍ଡାରୀ, ଭୂମିଜ, କିସାନ ଓ ଖଡ଼ିଆ ଆଦି ସମ୍ପରଦାୟ ବିଶେଷ । ଏମାନେ ସୁନ୍ଦରଗଡ଼ ଅଧିବାସୀ ହୋଇଥିଲେ ହେଁ ବୃହତ ଆଦିବାସୀ ସାଂସ୍କୃତିକ ପରମ୍ପରାରେ ଅଂଶବିଶେଷ ଭାବରେ ଏମାନଙ୍କୁ ଗ୍ରହଣ କଲେ କ୍ଷତି ନାହିଁ । କାରଣ ଏମାନଙ୍କ ଦ୍ୱାରା ଆଞ୍ଚଳିକ ସଂସ୍କୃତିର ବିକାଶ ସମ୍ଭବ ହୋଇନାହିଁ । ଭାରତର ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ସେହି ସମ୍ପ୍ରଦାୟର ଅଧିବାସୀମାନଙ୍କ ପରି ସେମାନେ ନିଜ ନିଜ ଭାଷା ବ୍ୟବହାର କରିଥାନ୍ତି ଓ ପର୍ବପର୍ବାଣୀ, ଧର୍ମୀୟ ଆଚାର, ପାଳନ କରିଥାନ୍ତି । ଭୂୟାଁ ଓ ଗଣ୍ଡ ସମ୍ପ୍ରଦାୟ ପରି ଏମାନେ ନିଜ ନିଜ ଜାତିଗତ ସାଂସ୍କୃତିକ ପରମ୍ପରାକୁ ଏ ମାଟିରେ ସୁଦୃଢ଼ କରିପାରିନାହାନ୍ତି । ତେବେ ଏମାନେ ଜିଲ୍ଲାର ଲୋକଶକ୍ତି ଭାବରେ ପ୍ରତିଷ୍ଠିତ ହୋଇଛନ୍ତି । ପ୍ରାଚୀନ କାଳରୁ ଏମାନେ ଜିଲ୍ଲାର ଆର୍ଥନୀତିକ, ରାଜନୀତିକ ଓ ଧର୍ମୀୟ ଅନୁଷ୍ଠାନଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇ ପାରିଛନ୍ତି । ଯେଉଁ ସମୟରେ ପ୍ରତିକୂଳ ଶକ୍ତି ଏମାନଙ୍କ ପ୍ରଭାବକୁ ହ୍ରାସ କରିବା ନିମିତ୍ତ ଚେଷ୍ଟା କରିଛି, ସେତେବେଳେ ତାହା ଜନ ଆନ୍ଦୋଳନର ରୂପ ନେଇଛି । ମାଟି ସହିତ ଘନିଷ୍ଠ ସମ୍ପୃକ୍ତି ଓ ନିଜ ନିଜ ମଧ୍ୟରେ ଘନିଷ୍ଠ ବନ୍ଧନ ଦ୍ୱାରା ଏହା ସମ୍ଭବ ହୋଇଥାଏ । ଏଣୁ ବିଭିନ୍ନ ସମୟରେ ଏହି ଜିଲ୍ଲାରେ ଆଦିବାସୀ ନେତୃତ୍ୱ ଦ୍ୱାରା ଯେଉଁ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତାହା ଓଡ଼ିଶାର ତଥା ଭାରତର ଇତିହାସକୁ ସମୃଦ୍ଧ କରିବାରେ ସାହାଯ୍ୟ କରିଛି । ଏହି ଜିଲ୍ଲାରେ ଆଦିବାସୀମାନେ ମାଟି ସହ ଘନିଷ୍ଠ ଭାବରେ ସମ୍ପୃକ୍ତ ଥିବାରୁ, ଯେତେବେଳେ ତାଙ୍କୁ ମାଟିଚ୍ୟୁତ ଅଥବା ବାସଚ୍ୟୁତ କରାଯାଇଛି ସେତେବେଳେ ତାହା ଏକ ବିପ୍ଲବର ରୂପ ନେଇଛି ।

 

ଆର୍ଥିକ ଶୋଷଣ ଓ ସାମାଜିକ ଅତ୍ୟାଚାର ବିପକ୍ଷରେ ଏହି ଜିଲ୍ଲାରେ ଯେଉଁ ଆଦିବାସୀ ଆନ୍ଦୋଳନ ମୁଣ୍ଡ ଟେକି ଉଠିଛି, ତାହା ଭାରତୀୟ ଜନ ଆନ୍ଦୋଳନରେ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ସୁନ୍ଦରଗଡ଼ ଜିଲ୍ଲାର ଉତ୍ତରାଞ୍ଚଳରେ ପ୍ରଥମେ ୧୮୫୫ରେ ଏକ ସାନ୍ତାଳ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ବ୍ରିଟିଶମାନଙ୍କ ଆର୍ଥିକ ଶୋଷଣ ନିମିତ୍ତ ଏହି ଆନ୍ଦୋଳନ ଉଦ୍ଦିଷ୍ଟ ଥିଲା । ରେଳ ଲାଇନ୍ କାମ ସମୟରେ ଶ୍ରମିକମାନଙ୍କୁ ଯେଉଁ ଶୋଷଣ କରାଯାଉଥିଲା, ତାହାର ବିରୋଧରେ ସିଦ୍ଧି ମୁର୍ମୁ, କାହ୍ନୁ ମୁର୍ମୁ ଓ ଚାନ୍ଦ ମୁର୍ମୁ ଏହି ଆନ୍ଦୋଳନର ପୃଷ୍ଟଭୂମିରେ ରହିଥିଲା କେନ୍ଦୁଝରରେ ୧୮୬୭ମସିହାରେ ମାଦ୍ରୀକାଲୋଙ୍କ ନେତୃତ୍ୱରେ ଆଦିବାସୀମାନଙ୍କଠାରୁ ଜମିଜମାର କ୍ଷମତା କାଢ଼ିନେଲେ ସବର୍ଣ୍ଣମାନଙ୍କୁ ହସ୍ତାନ୍ତର କରିବା ଷଡ଼ଯନ୍ତ୍ର ବିରୋଧରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ଏହି ଆନ୍ଦୋଳନର ପୃଷ୍ଠଭୂମିରେ ରହିଥିଲା କେନ୍ଦୁଝରରେ ୧୮୬୭ରେ ଘଟିଥିବା ରତ୍ନା ବିଦ୍ରୋହ ଓ ୧୮୯୧ରେ ଘଟିଥିବା ଧରଣୀଧର ବିପ୍ଳବର ଯୁଗାନ୍ତକାରୀ ଘଟଣା । ଏହାପରେ ପରେ ବିହାର ଓ ଓଡ଼ିଶାର ଉତ୍ତର ପଶ୍ଚିମ ଅଞ୍ଚଳରେ ଭୟଙ୍କର ରୂପ ଧାରଣ କରି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଆଦିବାସୀ ଆନ୍ଦୋଳନ । ବାହାରକୁ ଏହା ଆର୍ଥିକ ଶୋଷଣ ଓ ଅନାୟ ଅତ୍ୟାଚାର ବିରୋଧରେ ଉଦ୍ଦିଷ୍ଟ ହୋଇଥିଲେ ହେଁ, ଏହି ଆନ୍ଦୋଳନର ମୂଳତତ୍ତ୍ୱଟି ଥିଲା ସାଂସ୍କୃତିକ ଜାଗରଣ । ୧୯୩୯ ମସିହାରେ ଆମ୍‌କୋ- ସିମକୋ ଅଞ୍ଚଳରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକି ଉଠିଥିଲା ତାହାର ମୌଳିକ ତତ୍ତ୍ୱଟି ମଧ୍ୟ ଏହି ସାଂସ୍କୃତିକ ଜାଗରଣ । ବାସ୍ତବରେ ଦେଖିବାକୁ ଗଲେ ବହୁ ପ୍ରାଚୀନ କାଳରୁ ଘନ ଜଙ୍ଗଲ ମଧ୍ୟରେ ଆଦିବାସୀମାନେ ନିଜ ବସତି ସ୍ଥାପନ କରି ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ହିନ୍ଦୁମାନେ ଏହି ବ୍ୟବସ୍ଥା ମଧ୍ୟକୁ ପ୍ରବେଶ କରି ଆର୍ଥନୀତିକ କ୍ଷମତା ହାସଲ କରିବା ମାଧ୍ୟମରେ ନିଜ ପ୍ରଭାବ ସେମାନଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରିଥିଲେ । ଏହି ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ନିମିତ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଆଦିବାସୀ ଜନଜାଗରଣ ଗୁଡ଼ିକ ସୃଷ୍ଟି ହୋଇଥିଲା । ସମାଜବିତ୍‍ମାନେ ଏହି ସାଂସ୍କୃତିକ ଜାଗରଣ ଅଥବା ଆଦିବାସୀ ଆନ୍ଦୋଳନକୁ ‘‘Emulative Movement” ନାମରେ ନାମିତ କରିଛନ୍ତି । ବିର୍ସାମୁଣ୍ଡା ଆନ୍ଦୋଳନର ପ୍ରେକ୍ଷାପଟରେ ସୁନ୍ଦରଗଡ଼ ଜିଲ୍ଲାରେ ସମାହିତ ହୋଇଥିବା ଆଦିବାସୀ ଆନ୍ଦୋଳନଗୁଡ଼ିକ ଆଲୋଚନା କଲେ ଏହାର ସାରାଂଶ ଏକ ବୋଲି ହୃଦବୋଧ ହୁଏ ।

 

ବାସ୍ତବରେ ଆଦିବାସୀ ସଂସ୍କୃତିକୁ ହିନ୍ଦୁ ସଂସ୍କୃତିର ପ୍ରଭାବରୁ ମୁକ୍ତ ରଖି ଏକ ବଳିଷ୍ଠ ଆଦିବାସୀ ସାଂସ୍କୃତିକ ପରମ୍ପରା ସୃଷ୍ଟି କରିବା ନିମିତ୍ତ ଏ ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ତାହାହିଁ ସୁନ୍ଦରଗଡ଼ ଜିଲ୍ଲାର ସାଂସ୍କୃତିକ ଇତିହାସକୁ ଚିରଜାଜୁଲ୍ୟମାନ କରି ରଖିପାରିଛି ।

 

ସୁନ୍ଦରଗଡ଼ ଏକ ଶିଳ୍ପ ଓ ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲା । ଭାରତୀୟ ସ୍ୱାଧୀନତା ପ୍ରାପ୍ତି ପରବର୍ତ୍ତୀ ସାମାଜିକ ଜୀବନରେ ଯେଉଁ ଭୂୟୋବିକାଶ ଆଶା କରାଯାଇଥିଲା, ତାହା କିଛି ପରିମାଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଥାଏ । ସୁନ୍ଦରଗଡ଼ ଜିଲ୍ଲାରେ କେନ୍ଦ୍ରାଞ୍ଚଳ ଶିଳ୍ପ ସମୃଦ୍ଧ ହୋଇଥିବା ସମୟରେ ପୂର୍ବାଞ୍ଚଳରେ ରହିଛି ଅସରନ୍ତି ଖଣିଜ ସମ୍ପଦ । ଶିଳ୍ପ ସଭ୍ୟତା ଓ ଖଣି ସଭ୍ୟତା ସୁନ୍ଦରଗଡ଼ ଲୋକ ଜୀବନରେ ପରିଚଳନ ଆଣିବାରେ ସମର୍ଥ ହୋଇପାରିଛି । ଏଣୁ ଏହି ଜିଲ୍ଲାର ପ୍ରାଚୀନ ସଂସ୍କୃତି ଓ ସଂସ୍କାର ଶିଳ୍ପ ସଭ୍ୟତା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛି । ଆଧୁନିକ ଶିକ୍ଷା ଓ ସଭ୍ୟତା ସହ ଖ୍ରୀଷ୍ଟିୟାନ୍ ଧର୍ମର ପ୍ରସାର ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ସଂସ୍କୃତିକୁ ନବଜୀବନ ପ୍ରଦାନ କରିଛି । ଏଣୁ ଓଡ଼ିଶା ରାଜ୍ୟରେ ବାସ କରୁଥିବା ଅନ୍ୟ ଜିଲ୍ଲାର ଆଦିବାସୀମାନଙ୍କ ତୁଳନାରେ ଏହି ଜିଲ୍ଲାର ଆଦିବାସୀମାନେ ଅଧିକ ସଭ୍ୟ, ଶିକ୍ଷିତ, ଆଧୁନିକ ତଥା ସଂଘବଦ୍ଧ । ୧୯୮୧ ମସିହା ଜନଗଣନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପୁରୁଷମାନଙ୍କ ମଧ୍ୟରେ ସାକ୍ଷରତା ହାର ଶତକଡା ୫୦.୧୩ ହୋଇଥିବା ସମୟରେ ଆଦିବାସୀ ସ୍ତ୍ରୀମାନଙ୍କ ସାକ୍ଷରତା ହାର ହେଉଛି ଶତକଡ଼ା ୨୪.୫୨ । ଏ ଦୃଷ୍ଟିରୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ସଂସ୍କୃତି ଯେତିକି ପ୍ରାଚୀନ ସେହି ପରିମାଣରେ ଆଧୁନକ ମଧ୍ୟ ।

 

ସୁନ୍ଦରଗଡ଼ ଜିଲ୍ଲାରେ ବାସ କରୁଥିବା ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷାଗତ ବିଶିଷ୍ଟତା ରହିଛି । ଏହି ଜିଲ୍ଲାରେ ବାସ କରୁଥିବା ଓରାଓଁ, କିସାନ, ମୁଣ୍ଡା, ସାନ୍ତାଳ ଓ ଖଡ଼ିଆ ସମ୍ପ୍ରଦାୟର ନିଜସ୍ୱ ଭାଷା ରହିଛି । ଏହି ଆଦିବାସୀ ଭାଷା ଗୁଡ଼ିକର ଶବ୍ଦ ଭଣ୍ଡାରରେ ରହିଛି ବହୁ ବୈଚିତ୍ର୍ୟ ଏବଂ ଏହା ଓଡ଼ିଆ ଭାଷାକୁ ମଧ୍ୟ କରିଛି ସମୃଦ୍ଧ । ନିଜ ଜାତିର ପ୍ରାଚୀନତା, ସାମଜିକ ଚଳଣି ଓ ଧର୍ମୀୟ ଆଚାର ବିଚାର ନିଜ ଭାଷାରେ ରହିଥିବା କାହାଣୀ ମାଧ୍ୟମରେ ପ୍ରାଚୀନ କାଳରୁ ନିଜ ଜାତି ଲୋକଙ୍କ ମନରେ ଜାତିପ୍ରୀତି ସୃଷ୍ଟି କରିବାରେ ସହାୟକ ହୋଇ ଆସିଅଛି । ଏହା ସହିତ ସ୍ଥାନ ଓ ଜାତି ଭେଦରେ ଏହି ଆଦିବାସୀ ଭାଷାଗୁଡ଼ିକର ବିଭିନ୍ନ ଆଞ୍ଚଳିକ ରୂପ ମଧ୍ୟ ଦେଖିବାକୁ ମିଳିଥାଏ । ଓରାଓଁ ଜାତିରେ ଓରାଓଁ ଭାଷା ସହିତ କୁଡୁଖ ନାମକ ଅନ୍ୟ ଏକ ଭାଷାର ପ୍ରଚଳନ ରହିଛି । ଏହି ଦୁଇ ଭାଷାରେ ପାର୍ଥକ୍ୟ ସାମାନ୍ୟ ହୋଇଥିଲେ ହେଁ ବ୍ୟାକରଣଗତ ପାର୍ଥକ୍ୟ ଥିବା ଦୃଷ୍ଟିଗୋଚର ହୋଇଥାଏ । ସେହିପରି ମୁଣ୍ଡାରୀ ଭାଷାରେ ହାଁସଦା, ନାଗୁରି, ତମରିଆ ଓ କେସା ନାମରେ ଚାରିଗୋଟି ଆଞ୍ଚଳିକ ବୋଲି ଉପଲବ୍‍ଧ ହୋଇଥାଏ । ଭୂୟାଁମାନେ ବ୍ୟବହାର କରୁଥିବା ଓଡ଼ିଆ ଭାଷାରେ ଏବେବି ଓଡ଼ିଆ ଭାଷାର ପ୍ରାଚୀନ ରୂପ ଉପଲବ୍ଧ ହୋଇଥାଏ । ଏହି ସମସ୍ତ ଆଦିବାସୀ ଭାଷା ଓଡ଼ିଆ ଶବ୍ଦକୋଷକୁ ସାମନ୍ୟ ରୂପେ ପ୍ରବେଶ କରିଛି । ପ୍ରାଚୀନ ଓଡ଼ିଆ ଶବ୍ଦକୋଷରେ ଆଦିବାସୀ ଶବ୍ଦର ପ୍ରବେଶ ହିଁ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ପ୍ରକାଶ କରିପାରିଥିଲା । ଆଧୁନିକ ମାନକ ଓଡ଼ିଆରେ ଆଦିବାସୀ ଶବ୍ଦ ପ୍ରାୟତଃ ଆଉ ବ୍ୟବହୃତ ହେଉନାହିଁ । ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀମାନଙ୍କର ସମ୍ପର୍କର ଭାଷା ହେଉଛି ସାଦରୀ ଭାଷା । ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଭେଦରେ ପ୍ରାୟତଃ ସମସ୍ତ ଆଦିବାସୀ ଏହି ଭାଷାର ବ୍ୟବହାର ଜାଣନ୍ତି । ଯେତେବେଳେ ଗୋଟିଏ ଆଦିବାସୀ ଜାତିର ଲୋକ ଅନ୍ୟ ଆଦିବାସୀ ଜାତିର ଲୋକ ସହ କଥାବାର୍ତ୍ତା କରେ ସେତେବେଳେ ସାରୀ ଭାଷା ହିଁ ଏହାର ମାଧ୍ୟମ ହୋଇଥାଏ । ଏହା ବ୍ୟତୀତ ଆଦିବାସୀମାନଙ୍କ ହାଟ, ମେଳା, ବିବାହ ଓ ଉତ୍ସବ ଆଦି ସ୍ଥାନରେ ଏହି ସାଦରୀ ଭାଷା ଆଦିବାସୀମାନଙ୍କ ମାଧ୍ୟମ ଭାଷା ଭାବରେ ବ୍ୟବହୃତ ହୋଇଥାଏ । ଏହି ଭାଷାର ପରିସର ଏତେ ବ୍ୟାପକ ଯେ, ଏହି ଭାଷା ମାଧ୍ୟମରେ ଏକ ସାଂସ୍କୃତିକ ପରିମଣ୍ଡଳର ଆବିଷ୍କାର କରାଯାଇଥାଏ । ତଳେ ଦିଆଯାଇଥିବା ସଙ୍ଗୀତର ଅଂଶବିଶେଷରେ ଭାରତୀୟ ସାଂସ୍କୃତିକ ପରମ୍ପରାର ଚିତ୍ର ମିଳୁଥିବା ସହ ବୃହତ ଛୋଟନାଗପୁର, ମଧ୍ୟପ୍ରଦେଶ ଓ ସୁନ୍ଦରଗଡ଼ ମଧ୍ୟରେ କିପରି ଭାଷାଗତ ସାଂସ୍କୃତିକ ସମ୍ମେଳନ ଘଟିଛି ଏହା ଏହି ସଙ୍ଗୀତରୁ ଜଣାପଡ଼େ । ଲାଠିକଟା ବ୍ଳକ ଅନ୍ତର୍ଗତ ବିରକେରା ଅଞ୍ଚଳରୁ ସଂଗୃହୀତ ହୋଇଥିବା ଏହି ସାଦରୀ ଭାଷାର ଗୀତଟିରେ ରହିଛି ସଂସ୍କୃତି ଓ ପରମ୍ପରାର ଚିହ୍ନ ।

 

ଅରୁନା ମନ ଲାଗଥେ ଭାୟାନ୍... ଏ ଭାଇ ଲଛୁମନ୍

ଅରୁନା ବନ ଲାଗଥେ ଭାୟାନ୍ । ୧ ।

ଅରୁନା ବନ ହାଏ ମହା ପ୍ରଦେସ୍

ସିତା ବିନୁ ନାହିଁ ଜାଗେ ବେସ୍

ଲଛୁମନରେ ରହଲେ ନିଭୋର.. ଏ ଭାଇ ଲଛୁମନ୍‌

ଅରୁନା ବନ୍ ଲାଗଥେ ଭୟାନ । ୨ ।

ଅରୁନା ବନ୍‌ମେ ସୀତାକ ହରନ୍... ଅଯୋଧ୍ୟାମେ ପିତାକେ ମରନ୍‌

ମନେ ମନେ ସଚଏଁ ଭାଗଆନ... ଏ ଭାଇ ଲଛୁମନ୍‌

ଅରୁନା ବନ୍‌ ଲାଗଥେ ଭାୟାନ୍ ।୩ ।

ସୁମିରହୁ ବିରହଲୁ ମାନ... ଜାମାକରୁ ସେନା ପଲଟନ୍

ଲାଙ୍କା ଗଡ଼କେ କରହୁ ଚୁରନ୍.. ଏ ଭାଇ ଲଛୁମନ

ଅରୁନା ବନ ଲାଗଥେ ଭାୟାନ୍ ।୪ ।

 

ଓଡ଼ିଶା ସୁନ୍ଦରଗଡ଼ ଆଦିବାସୀ ସଂସ୍କୃତିର ଏକ ଭିନ୍ନ ପ୍ରେକ୍ଷାପଟ ରହିଛି । ଏପରି ସମୃଦ୍ଧ ଐତିହାସିକ ସାଂସ୍କୃତିକ ପରମ୍ପରା ପ୍ରାୟତଃ ଅନ୍ୟତ୍ର ବିରଳ । ସେସବୁ ଆଲୋଚନା କରିବାର ସମୟ ଆସି ପହଞ୍ଚିଯାଇଛି ।

 

 

ବିଭାଗୀୟ ମୁଖ୍ୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ସୁଶୀଳାବତୀ ସରକାରୀ ମହାବିଦ୍ୟାଳୟ

ସେକ୍ଟର-୨, ରାଉରକେଲା-୬

ଓଡ଼ିଶା-୭୬୯୦୦୬

 

***

 

Unknown

ଆଦିବାସୀ ଲୋକଗୀତରେ ଜୀବନର ଦୁଇଟି ବିଶିଷ୍ଟ

ରୂପାୟିତ ଦିଗ: ପ୍ରେମ ଓ ମୃତ୍ୟୁ

ସୁବାସ ଚନ୍ଦ୍ର ମିଶ୍ର

 

(ପ୍ରେମ ଯେମିତି ମୋହିନୀ ମନ୍ତ୍ର । ଥରେ ଏ ମନ୍ତ୍ର ଶୁଣିଲା ପରେ ମୋହି ହେବା ହିଁ ସାର ହୁଏ । ପ୍ରେମିକାକୁ ଖୁସି ଦେବା ପାଇଁ ପ୍ରେମିକ ପ୍ରୀତିର ସନ୍ତକରୂପେ ଉପହାର ଦିଏ ନାନା ବର୍ଣ୍ଣିଳ ସଂଭାର । ଆଦିବାସୀ ଲୋକଗୀତରେ ପ୍ରେମର ପ୍ରକାଶ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତା’ ଗୀତରେ ଦେହାତୀତ, ଇନ୍ଦ୍ରିୟାତୀତ ପ୍ରେମର ପ୍ରଶ୍ନ କେବେ ଆସେ ନାହିଁ । ସେ ଲୋକଗୀତରେ ଅଛି କାମନାର ଉତ୍ତାଳ ତରଙ୍ଗ ଅଛି ପୁଣି ଦେହପ୍ରତି ପ୍ରଚ୍ଛନ୍ନ ଆସକ୍ତି, ଜହ୍ନରାତିର ଆକର୍ଷଣ । ପ୍ରେମ ହୋଇଯାଉଛି ତା’ ଗୀତରେ ପ୍ରକୃତି ଓ ପୁରୁଷ ପାଇଁ ମିଳନର ଆଦ୍ୟରାଗ । ମନୁଷ୍ୟ ଜୀବନରେ ମୃତ୍ୟୁ ଏକ ସ୍ୱାଭାବିକ ପ୍ରକ୍ରିୟା । ଜନ୍ମହେଲେ ପ୍ରାଣୀକୁ ଦିନେ ନା ଦିନେ ମରିବାକୁ ହେବ । ଏହାହିଁ ଏକମାତ୍ର ସତ୍ୟ । ଭାରତୀୟ ସଂସ୍କୃତିରେ ମୃତ୍ୟୁ ମାତ୍ର ଏକ ପରିବର୍ତ୍ତନ । ସ୍ଥୂଳ ଶରୀର ମାଟିପିଣ୍ଡ, ଏହା ମାଟିରେ ମିଶିଯାଏ କିନ୍ତୁ ସୂଷ୍ମ ଶରୀର ନଷ୍ଟ ହୁଏ ନାହିଁ ।)

 

ଓଡ଼ିଶାର ନବଙ୍ଗପୁର ଜିଲ୍ଲା ତଥା କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମା, କୋଟପାଡ଼ ଓ କୁନ୍ଦ୍ରା ପଞ୍ଚାୟତ ସମିତି ଅଞ୍ଚଳରେ ଏବଂ ଇନ୍ଦ୍ରାବତୀ ନଦୀର ମଧ୍ୟପ୍ରଦେଶ ସୀମାରେ ଜଗଦଲପୁରଠାରୁ କୋଣ୍ଡା ଗାଁ ତହସିଲ ଯାଏ ପରିବ୍ୟାପ୍ତ ଅଞ୍ଚଳରେ ଯେଉଁ ଆଦିବାସୀ ସମ୍ପ୍ରଦାୟମାନେ ବାସ କରନ୍ତି, ସେମାନଙ୍କ ମଧ୍ୟରେ ଗୋଣ୍ଡ, ବନଜାରା, ହୀଲବା, କନ୍ଧ ଓ ଭଦ୍ରା ମୁଖ୍ୟ ସମ୍ପ୍ରଦାୟ ଭାବେ ପରିଚିତ ।

 

ଏହି ପ୍ରବନ୍ଧରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଏବଂ ଓଡ଼ିଶା- ମଧ୍ୟପ୍ରଦେଶର ସୀମାନ୍ତରେ ବାସ କରୁଥିବା ଭତରା (ଭତରା) ଆଦିବାସୀ ସମ୍ପ୍ରଦାୟଙ୍କ ଲୋକଗୀତରେ ପ୍ରେମ ଓ ମୃତ୍ୟୁ ସମ୍ବନ୍ଧରେ ସମ୍ୟକ୍ ଆଲୋଚନା ଓ ବିଶ୍ଲେଷଣ କରାଯାଇଛି । ମୁଖ୍ୟତଃ ଏମାନେ ଇଣ୍ଡୋୟୁରୋପିଆନ୍ ଭାଷା ଗୋଷ୍ଠୀର ଏବଂ ଭତ୍ରୀ ନାମକ ଓଡ଼ିଆର ଏକ ଉପଭାଷା କହିଥାନ୍ତି । ଭତ୍ରୀ ଭାଷାରେ ଓଡ଼ିଆ ଓ ହାଲବୀ ଭାଷାର ମିଶ୍ରଣ ହୋଇଥାଏ ତଥା ହିନ୍ଦୀ, ସଂସ୍କୃତ ଭାଷାର କିଛି ଶବ୍ଦ ମିଶିଥିବାର ଦେଖାଯାଏ ।

 

ଭତରା ଜନଜାତି ସମ୍ପ୍ରଦାୟ ନିଜକୁ ବୃହତ ଗୋଣ୍ଡ ସମ୍ପ୍ରଦାୟର ଏକ ବିଭାଜିତ ଗୋଷ୍ଠୀ ଭାବେ ସ୍ୱୀକାର କରିଥାନ୍ତି ଏବଂ ନିଜକୁ ପାଣ୍ଡବ ବର୍ଗ ତଥା ନାଗ ବର୍ଗରେ ଜାତ ମଣିଷ ବୋଲି କହିବା ସଙ୍ଗେ ସଙ୍ଗେ ମୈତାମ୍ (କୁକୁର) ପୟାମ୍ (କଇଁଛ), ବକଡ଼ି (ଛେଳି) ବାଘ, ଗୋଇ (ଗୋଧି), କ୍ରୋମ (ବଣ କୁକୁଡ଼ା), ବେନ୍ଦରା (ମାଙ୍କଡ଼), ଘୁଷୁରୀ ଆଦିକୁ ନିଜର ଗୋତ୍ର ସନ୍ତକ ଭାବେ ମାନିଥାନ୍ତି । ଏମାନେ ନିଜ ବୃତ୍ତି ଓ କାର୍ଯ୍ୟ ଭେଜରେ ନିଜକୁ ବଡ଼ ଭତରା, ମଝିଆ ଭତରା ଓ ପିତା ଭତରା ଭାବେ ପରିଚିତ କରାଇଥାନ୍ତି । କିମ୍ବଦନ୍ତୀରୁ ଜଣାଯାଏ, ଏମାନଙ୍କ ପୂର୍ବପୁରୁଷ ୱାରଙ୍ଗଲ ଅଞ୍ଚଳରୁ ତଥା ମଧ୍ୟ ଭାରତର ଭାରତଗଡ଼ ଅଞ୍ଚଳରୁ ଓଡ଼ିୟାନ୍ (ଓଡ଼ିଶା) ପ୍ରଦେଶକୁ ଆସିଥିବାରୁ ଏମାନଙ୍କ ଭତରା କୁହାଯାଏ । ପୁଣି କେତେକ ଏମାନେ ମର୍ଯ୍ୟାଦାପୁରୁଷୋତ୍ତମ ରାମଙ୍କ ଭାଇ ଭରତଙ୍କ ବଂଶଧର ହୋଇଥିବାରୁ ନିଜକୁ ଭତରା ବୋଲି କହିବାର ଶୁଣାଯାଏ । ପୂର୍ବ ବର୍ଣ୍ଣିତ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ତିନିଲକ୍ଷରୁ ଉର୍ଦ୍ଧ୍ୱ । ଏମାନଙ୍କର ଏକ ନିଜସ୍ୱ ଭାଷା, ସଂସ୍କୃତି ତଥା ମୌଖିକ ସାହିତ୍ୟର ଭଣ୍ଡାର ରହିଛି । ବର୍ତ୍ତମାନ ଭତ୍ରା ଲୋକଗୀତରେ ପ୍ରେମକୁ ନେଇ (ଲୋକକବିର ମୁଖରେ) ଯେଉଁ ଗୀତ ଶୁଣିବାକୁ ମିଳେ ତାହା ଆଲୋଚନା କରିବା ପୂର୍ବରୁ ଭତରା ଲୋକଗୀତର ଧର୍ମ, ସ୍ୱରୂପ ସମ୍ବନ୍ଧରେ ଜାଣିବା ଉଚିତ୍ ହେବ ।

 

କୁହାଯାଏ ଲୋକଗୀତର ଯେଉଁ ସୂତା ତାହାର ଗୋଟିଏ ମୁଣ୍ଡ ହୃଦୟକୁ ବାନ୍ଧି ରଖିଥାଏ । ଅର୍ଥାତ୍ ଲୋକଗୀତ ହୃଦୟର ଭାବାବେଗରୁ ସ୍ଫୁରିତ ହୋଇଥାଏ । ଏହାର ଲିଖିତ ରୂପ ନଥାଏ । ପାରମ୍ପରିକ ଲୋକଗୀତଗୁଡ଼ିକ ସଦା ସର୍ବଦା ସଙ୍ଗୀତ ଓ ନୃତ୍ୟ ସହିତ ଜଡ଼ିତ ହୋଇଥାଏ । ଭତରାମାନଙ୍କ ଲୋକଗୀତରେ ପ୍ରକୃତିର ସୌନ୍ଦର୍ଯ୍ୟ ତଥା ପ୍ରତୀକର ପ୍ରୟୋଗ ଶୁଣିବାକୁ ମିଳିଥାଏ-। ଗୀତରେ ଗାଢ଼ ଅନୁରାଗର ଚିତ୍ର ଓ ସାଦୃଶ୍ୟ ପ୍ରତୀକର ବହୁ ବର୍ଣ୍ଣନା ଥାଏ । ଭତରାମାନଙ୍କ ଲୋକଗୀତ ଆଲୋଚନା ପ୍ରସଙ୍ଗରେ ଭେରିଅର୍ ଏଲୱିନଙ୍କ Indian Folk Poetryରେ ଦେଇଥିବା ମତାମତ ଏଠାରେ ବିଚାରକୁ ନେବା ଉଚିତ ହେବ । ସେ ଲେଖିଥିଲେ : “I had studied English Literature at oxford and all my life i had a passion for poetry and it was a wonderful thing to find even among the so called and so wrongly called backward people, a kind of poetry that in its simplicity, charm and subtlety was worthy to be included in the poetic tradition of the world,”

 

ସରଳତା, ସୌନ୍ଦର୍ଯ୍ୟ ଓ ବସ୍ତୁନିଷ୍ଠତା ଭତରା ଲୋକଗୀତର ଅନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ଲୋକଗୀତ ପରି ଏକ ଏକ ଅନନ୍ୟ ଉପାଦାନ । ଏହି ଲୋକଗୀତଗୁଡ଼ିକରୁ ଏମାନଙ୍କ ପାରମ୍ପରିକ ଚିନ୍ତା, ଚେତନା ଓ ମାନବୀୟ ମୂଲ୍ୟବୋଧଗୁଡ଼ିକ ଜାଣିହୁଏ । କେବେ ନ ମରିବାର ଭାବ ଓ ଚିରନ୍ତନତାକୁ ନେଇ ଲୋକଗୀତର ଆତ୍ମା ଗଠିତ ହୋଇଥାଏ, ଏଣୁ ଏହି ଗୀତଗୁଡ଼ିକର ଉପାଦାନ ଜୀବନ୍ତ ଓ ଜୀବନ ଉଷ୍ମରେ ପ୍ରତୀକିତ ହୋଇଥାଏ । ଲୋକଗୀତ ଜନ୍ମରୁ ମୃତ୍ୟୁ ଯାଏ ପ୍ରଲମ୍ବିତ ହୋଇଥାଏ । ତା ଭିତରେ ଥାଏ ପ୍ରେମ ପ୍ରଣୟ, ଶୃଙ୍କାର ଥାଏ ରାଗ ଅନୁରାଗ, ମାନ ଅଭିମାନ, ସୁଖ ଦୁଃଖ, ମିଳନ ବିଚ୍ଛେଦର ଗୀତିମୟ ଅଭିବ୍ୟକ୍ତି । ଏହି ଗୀତଗୁଡ଼ିକ ମୁହଁରୁ ମୁହଁ ହୋଇ ଗଡ଼ି ଆସିଛି କେଉଁ ପୁରୁଣା କାଳରୁ ଖାଲି କେତେବେଳେ କେମିତି ଶବ୍ଦଟିଏ ବଦଳି ଯାଇଛି କିନ୍ତୁ ଭାବ ସେମିତି ରହିଛି । ଭତରା ଲୋକଗୀତଗୁଡ଼ିକରୁ ସେମାନଙ୍କର ବଞ୍ଚିବାର ଶୈଳୀ, ପ୍ରେମର ସ୍ୱରୂପ, ମୃତ୍ୟୁ ଚେତନା, ଯନ୍ତ୍ରଣା ଓ ଆନନ୍ଦକୁ ଜାଣିହୁଏ । ଏହା ମଣିଷ ଓ ତାର ପରିବେଶକୁ ନେଇ ଶବ୍ଦ ରୂପ ନେଇଥାଏ । ଆନନ୍ଦ ଓ ପ୍ରକୃତିପ୍ରାଣତା ଭତରା ଲୋକଗୀତର ପ୍ରଧାନ ଉପଜୀବ୍ୟ, ଏଣୁ ଭତରା ଲୋକକବିଟିଏ ନିଃସଙ୍କୋଚରେ ନିଜ ଜୀବନ ଦର୍ଶନକୁ ଏପରି ଗାଇଦିଏ :

 

‘‘ରସରେ ରସିକା ଭାବରେ ଭାବିବା

ଏ ରସରୁ ରସ ନାଇ

ଚଇତ ପରବ ଡାଲମୂଲ୍ୟା ଗୀତ

ଜୀବନ ଯାଉ ଗାଇ ଗାଇ ।’’

(ଚଇତି ପରବ ଗୀତ: ମଉଦଲପୁର)

 

‘‘ଏମିତି ସେ ଗୀତ ଯାହା ରସର ପ୍ଲାବନରେ ପ୍ଲାବିତ, ଯେଉଁ ରସକୁ ଏହି ଗୀତ ଶୁଣୁଥିବା ଅନୁରାଗୀମାନେ କେବଳ ପାନ କରିପାରନ୍ତି । ଏହାର ଚମତ୍କାରୀଭାବ ଭାବୁକମାନଙ୍କୁ ଉଲ୍ଲସିତ କରେ, ଏଗୀତରେ ଯେଉଁ ରସ ଅଛି ତାହା ଅତୁଳନୀୟ । ଏଣୁ ଆସ ଚଇତ ଆସିଲାଣି, ପରବ ମନେଇବାର ବେଳ ହେଲାଣି, ଜନ୍ମରୁ ମୃତ୍ୟୁ ଯାଏ ଜୀବନ ସମ୍ପର୍କିତ ଗୀତମାନଙ୍କୁ ଗାଇବା, ଏତିକି କାମନା କରିବା ଓଠରେ ଗୀତ ଥାଉ, ଜୀବନର ଅନ୍ତ ହେଉ ।’’ ଗୀତ ଗାଇ ଗାଇ ମରଣକୁ ଅତିକ୍ରମ ଯିବାର ଏହି ଭାବମୂର୍ତ୍ତି କେତେ ଭାବଦ୍ୟୋତକ ସତେ ।

 

ଭତରା ଲୋକଗୀତରେ ପ୍ରେମ:

ପ୍ରେମ ଜୀବନର ଏକ ମୌଳିକ ଆବେଗ । ଏହା ଅନିର୍ବାଚନୀୟ ଅନୁଭବ । ଏହା ଦୁଇ ବିପରୀତ ଲିଙ୍ଗୀ ହୃଦୟରେ ସଞ୍ଚରି ଯାଏ । ଆକର୍ଷଣ କରେ ଦୁଇ ଦୃହୟକୁ । ଦେହକୁ ନେଇ ସାମାଜିକ ଜୀବନକୁ ନେଇ ନୈତିକ ଓ ବିତ୍ତୁବେଦନାର ଆଭିମୁଖ୍ୟକୁ ନେଇ ପ୍ରେମର ଜୟଗାନ ଓ ପ୍ରତିଷ୍ଠା ହୋଇଥାଏ । ପ୍ରେମର ପ୍ରକୃତ ସ୍ୱରୂପ ଏବେବି କଳ୍ପନାର ଇନ୍ଦ୍ରଜାଲରେ ବନ୍ଦୀ, ଏକ ଅନିର୍ଦ୍ଦିଷ୍ଟ ଅସ୍ପଷ୍ଟ ଅନୁଭବ । ପ୍ରେମର ବହୁବର୍ଣ୍ଣି କାନ୍‍ଭାସରେ ପ୍ରେମିକ ପ୍ରେମିକାର ପ୍ରଥମ ଦେଖା, ନିକଟ ହେବାର ସ୍ୱପ୍ନ, ଭାବ ବିନିମୟ, ମିଳନ ବିରହ, ଶୃଙ୍ଗାର, ବିପ୍ରଲମ୍ଭ ଶୃଙ୍ଗାର, ସ୍ପର୍ଶ, ଆତ୍ମ ସମର୍ପଣର ଅଦ୍‍ଭୁତ ରଙ୍ଗ ବିନ୍ୟାସ । ଶବ୍ଦ ରୂପ ଯେତେବେଳେ ଚିତ୍ରକଳ୍ପରେ ରୂପାନ୍ତରିତହୁଏ ଏବଂ ପ୍ରତୀକିତ ହୁଏ ଗୀତର ଭାବଭୂମିରେ ମଣିଷ କବି ପାଲଟିଯାଏ, ଉତରା ଲୋକକବି ମଧ୍ୟ ଏହାର ବ୍ୟତିକ୍ରମ ହୁଏ ନାହିଁ । ପ୍ରେମ ଏକ ସାର୍ବଜନୀନ ଅନୁଭବ, ଜୀବନର ଚଲାପଥରେ କେବେ ନା କେବେ, ଏହା ସବୁ ମଣିଷଙ୍କୁ ଛୁଇଁଥାଏ, ଏଥିରୁ କାହାର ନିସ୍ତାର ନଥାଏ । ଏଣୁ ବର୍ଷାର ଝରଝର ଝରଣାରେ ଭିଜି ଭିଜି ଧାନ ତଳି ରୋଉଥିବା ଯୁବତୀକୁ ଦେଖି ଭତରା ଯୁବକଟିଏ ଏମିତି ପଦ ଫାନ୍ଦିଦିଏ :

ବେଡାନେ ପଶିଲି                   ଦାନ୍ ନଞ୍ଜାଇଲି

ପାତି ପାଛେ ଥେବିଗାଲି

ଚୁନ୍‍ଟି ହିଟାଇ                   ଧୂଙ୍ଗିଆ କାଇ

ଛନେ ପୁରେ ନିହାରିଲି

ନିଆରି ହୋଇଲି ଛନ

ଦାନ ବେଡ଼ା ତାନେ ଉତରିଗାଲାକି

ପୁନିଅଁ ରାତିର ଜନ

ପୁନିଅଁ ରାତିର ଜନ୍

କାଇବଲି ସାଙ୍ଗ୍‍ବି ଗୀତ୍‍ କୁରିଆନି

ସାଙ୍ଗଦିଆ ତମର ନାମ

ଧାନ ଜମିରେ ତୁ ଧାନରୁ ବାଳୁଙ୍ଗା ବାଛୁଥିବା ବେଳେ ଜମି ହୁଡ଼ାରେ ଠିଆ ହୋଇ ଅଣ୍ଟା କରାଟରୁ ଧୁଆପତ୍ର ଖଣ୍ଡେ ବାହାର କରି ପାଟିରେ ଜାକି ତୋତେ ଚାହିଁଲି ଯେ, ତୋତେ ଦେଖି ମନ ଉଚ୍ଛନ୍ନ ହୋଇଗଲା, ଏମିତି ମନେହେଲା ସତେ ଯେମିତି ମେଘରୁ ପୂର୍ଣ୍ଣମୀ ଜହ୍ନ ଜମିକୁ ଓହ୍ଲାଇ ଆସିଛି । ଗୋ ପୂର୍ଣ୍ଣମୀ ଜହ୍ନ ପରି ଦିଶୁଥିବା ଯୁବତୀ, ଗୋ ଅପରିଚିତା ତୋର ନାଁ କଣ ମୋତେ କହିଦେବୁକି ?

 

ହସି ଦେଇଛି ଯୁବତୀ, ସେ ବି ଗୀତରେ ଗାଇ ଦେଇଛି ଏମିତି:

 

ଚିଖଲ ବେଡ଼ାନେ ଖୁଦର ମନ୍ଦା

ବେଡ଼ା ପାନି ଝୋଲାଗାର

ଦାନ୍ କି କାପୁନି ଚିନାଇ ନାହୁଏ

ପାନି ମାରେ ଜର ଜର

ବାଦଲି ଉଆଁସ ରାତି

ନାଜଣା ଅଚିନା ଶିତ୍‍କୁରିଆ

ଚେତନେ ସପନା ଦେକି

ଚେତନେ ସପନା ଦେକି

ଗାଲା ରାତି ଜନ ପାନି ବିତରେ

ସବୁର ନଜରେ ଆଛି

ନାଓଁ ଗାଓଁ ଜାନି କାୟ କରିବୁ

ଆୟା ବୁଆ ଗରେ ଅଛି । ।

 

‘‘ବିଲ ସାରା କାଦୁଅ ସରସର ଯେ, ବିଲ ବଣ ପାଖରେ ଠେକୁଆଙ୍କ ଦଳ, ସାରା ଜମିରେ ପାଣି ଭର୍ତ୍ତି, ଧାନ କି ବାଳୁଙ୍ଗା ଚିହ୍ନି ହେଉ ନାହିଁ, ଏମିତି ମେଘ ଘୋଟିଛି ଯେ ଯେମିତି ଉଆଁସରାତି, ସେମିତି ଅନ୍ଧାରରେ ତୋତେ ପୂର୍ଣ୍ଣିମା ଜହ୍ନ ଦିଶିବା ଦିବାସ୍ୱପ୍ନ ନୁହେଁକିରେ ଗୀତ ଗାଇବା ଅଜଣା ଅଚିହ୍ନା ଅପରିଚିତ ଲୋକ । ସମସ୍ତେ ଜାଣନ୍ତି ଜହ୍ନ ଏବେ କେଉଁଠି ଅଛି । ତୁ ମୋ ନାଆଁରେ ମୋ ଗାଁ ନାଆଁ ଜାଣି କଣ କରିବୁ, ମୁଁ ମୋ ମା’ ବାପାଙ୍କ ଘରେ ଅଛି ।’’

 

ଏମିତି ଆରମ୍ଭ ହୁଏ ମନ ଦିଆନିଆର ଗୀତ । ଯୁବକ ମନରେ ପ୍ରେମିକାକୁ ବାରମ୍ବାର ଦେଖିବାର ଇଚ୍ଛା ପ୍ରବଳ ହୁଏ । ପ୍ରେମିକା ରତନଟିଏ ମିଳିବା ଦଇବର ଅଧୀନ, ବିଧାତାର ଭିଆଣ-। ଏ ଯେ ବର୍ଷାକାଳ । ପ୍ରେମରେ ଭିଜିବାର କାଳ । ମୟୂର ଉଚ୍ଚନୀଳ ପର୍ବତରେ ରଙ୍ଗମୟ ଶିଖା ଟେକି ନାଚ ଆରମ୍ଭିଛି, ତା ମନ ମୟୂରୀ ପାଇଁ, ଏମିତି ଏକ ଭାବଲଗ୍ନ ବେଳରେ ତୋତେ ଦେଖିବା ଭଗବାନଙ୍କର ଲୀଳା ଖେଳା ନୁହଁକି ? ଭତରା କବିଟିଏ ଗାଇ ଦେଉଛି ଗୀତଟିଏ,

 

‘‘ଶିର ପରବତେ ଝାଲିଆ ମଞ୍ଜୁର

ଟେକ୍ ଟେକାୟଲା

ତମର ଆମର ପୀରତି ନନି

ଦଇବ ଭେଟାଇଲା ।’’

(ଚଇତ ପରବ ଗୀତ)

 

ଗୀତରେ ହଜିବାର ଭାବ ଅଛି ବୋଲି ଅନୁଭବ ହେଲା ବେଳକୁ ଯୁବତୀ ପ୍ରେମିକା, ଅନୂଢ଼ା ସେ, ପ୍ରଥମ ଯୌବନରେ ପାଦ ଦେଇଥିବା ବୟସର ସ୍ପର୍ଶରେ ବୁଡ଼ିଯାଇଛି ଆଉ ତା’ମନର ଭାବକୁ ପ୍ରକାଶି ଦେଉଛି ଏମିତି :

 

‘କୁରେ ଫୁଲର ବାସନା ନନା

ମନଟା ମଅଁକିଲା

କଅଁଲି ମାଉଁସ କାଇ ଗୁଲଗୁଲା

ରୁସ୍‌ରୁସା ଲାଗୁଲା ।’

 

ତୋ’ ଗୀତ ଶୁଣିଲା ପରେ ମନସାରା କୁରେଇ ଫୁଲର ବାସରେ ମହକିଗଲା ପରି ଲାଗିଲା, ତୋ’ ଭାବର ସ୍ପର୍ଶରେ ନବଯୌବନର କୋମଳ ମାଂସରେ ମୋର କେତେ ଅସ୍ଥିରତା । ଦେହସାରା କେମିତି ଏକ ଆନନ୍ଦମୟ ଶିହରଣରେ ମୁଁ ଛଟପଟ ହୋଇଗଲିଣି ।

 

ପ୍ରେମ ଯେମିତି ମୋହିନୀ ମନ୍ତ୍ର । ଥରେ ଏ ମନ୍ତ୍ର ଶୁଣିଲାପରେ ମୋହି ହେବାହିଁ ସାର ହୁଏ । ପ୍ରେମିକାକୁ ଖୁସି ଦେବା ପାଇଁ ପ୍ରେମିକ କିଣିଛି ନାନା ବର୍ଣ୍ଣି ଫୁଲର ସମ୍ଭାର, ପ୍ରୀତିର ସନ୍ତକ ରୂପେ ହାଟରୁ କିଣିଛି କାଠର ପାନିଆ (ଏବକାଳକୁ ପ୍ଲାଷ୍ଟିକ ପାନିଆ), ଯାଇଛି ପ୍ରେମିକା ଗାଁର ନଈ ତୁଠକୁ, ପ୍ରତୀକ୍ଷା କରିଛି ସେ ଆସିବ, ରାତି ସରି ଯାଉଛି, ମନରୁ ମରି ଯାଉଛି ପ୍ରତୀକ୍ଷାର ଆଶା, ସେ ଆସି ନାହିଁ । ନିରାଶ ପ୍ରେମିକ ଗାଇ ଦେଉଛି ଅଭିମାନରେ :

 

ଫୁଲ ଘେନିଗଲି କଟ୍‍ନି କଟେ

ପନିଆ ଘେନ୍‌ଲି ହାଟେ

ଜାଗିରା ବୋଲେ ଜାଗିରେଲି

ତମର ଗାଁ ପାନି ଘାଟେ ।।

 

ପ୍ରେମିକା ପ୍ରେମିକର ପ୍ରେମ ଭାବର ଗଭୀରତାକୁ ମାପିବାକୁ ଚାହିଁଛି । ଚାହିଁଛି ସେ ପ୍ରକୃତରେ କେତେ ଆତୁର । ତାକୁ ଜଳେଇବା ପାଇଁ ସେ କହୁଛି ଦେଖ୍, ମୋ ମନର ମଣିଷ ମୋତେ ଚିଠି ଦେଇଛି ତା’ ସହିତ ଲୁଚି ଚାଲିଯିବା ପାଇଁ, ଆଠ କେନା ଥିବା ବାଇଗଣ ଡେମ୍ପରେ ଡେଇଁ ବୁଲୁଥିବା ଲିଟି ଚଢ଼େଇ ପରି ତୁ ଅସ୍ଥିର ଯେ, ମୁଁ ତା’ କଥା ଶୁଣିବି ନା ତୋର କଥା ଶୁଣିବି । ମୋ ଗୀତରୁ ତୁ ଶସ ଘେନି ନେ :

 

ଅଟା ଡୁଡୁଙ୍ଗିଆ ବାଇଗନ ଡେଟି

ନ ଡୁଡୁଙ୍ଗିଆ ଲିଟି

ଆମାର ଯୁଗର ରାଜା ଲେକି ପାଟିକଲା

ଉଦ୍‌ଲିଆ ଯିବା ଚିଟି ।।

 

ନିରାଶ ହୋଇ ପଡ଼ିଛି ଯୁବକ । ସତ କି ପରିହାସ ସେ ବୁଝି ପାରୁନାହିଁ । କାଳେ କିଛି ଉପହାର ଦେଲେ ଯୁବତୀର ମନ ତା’ ପ୍ରତି ଢଳିବ ପରା ,ଏଣୁ ସେ ଗାଇ ଦେଇଛି ନିମ୍ନ ପଦେ ଗୀତ :

 

‘‘ଏନ୍‌କେ ନାଚୁ ତେନ୍‌କେ ନାଚୁ

କେନ୍‌କେ ନାଚୁଲି

ତର ହାତ୍‌କେ ମୁଁଦି ନାକ୍‌କେ ମୁଁଦି

ଦେବିରେ ଦାଙ୍ଗଡ଼ୀ

ଝିଲିମିଲି ଝିଲିମିଲି ।।’’

 

ଆ ଆମେ ନାଚିବା,ଏପଟେ, ସେପଟେ, ଚାରିଆଡ଼େ । ତୋ ହାତ ପାଇଁ, ନାକ ପାଇଁ ମୁଦି କିଣି ଦେବି ଯେ । ତୋ ହାତରେ, ନାକରେ ମୁଦି ଝଲସି ଯିବ ।

 

ବିଶ୍ୱାସ କରୁନାହିଁ ଯୁବତୀ । ଏ ପୁରୁଷ ଜାତି ବଡ଼ ସ୍ୱାର୍ଥୀ । ନିଜର ସୁଖ ଶ୍ରଦ୍ଧା ପାଇଁ ତାକୁ ସୁହାଇଲା ପରି କଥା କହିଥାନ୍ତି । କେମିତି ବିଶ୍ୱାସ କରିହେବ ଏମାନଙ୍କୁ,ଏଣୁ ପ୍ରେମର ଭାବଭୂମିରେ ବିଶ୍ୱାସଟି ହିଁ ବଡ଼କଥା । ଏମାନେ ଖରାଦିନର ଗୁଳୁଗୁଳି ପରି :

 

‘‘ଗୁମ୍‌ଟା ଗୁମ୍‌ଟା ଖାରା

ମୁନୁଷ ଜାତିକେ ବିଶ୍ୱାସ ନାଇଁ

ଯାଇ ସନେ ତା’ର ପରା ।।’’

 

ସ୍ପର୍ଶ ଟିକିଏ ମାଗିଲା ବୋଲି ଯେ ଏତେ ନିଷ୍ଠୁର ବଚନ ଶୁଣିବାକୁ ପଡ଼ିଲା । ଦୁଇମନ ନ ମିଶିଲେ, ଦୁଇ ମନ ନ ରସିଲେ, ପ୍ରୀତି ପଦାର୍ଥ ଯେ ମୂଲ୍ୟହୀନ ହେବ ଏଣୁ ଯୁବତୀର ମନରେ ନିଜ ପ୍ରତି ଆକର୍ଷଣର ଭିର୍ତ୍ତିଭୂମିଟିଏ ତିଆରି କରିବାକୁ ହେବ । ଏଣୁ ପ୍ରମିକାକୁ ମନାଇବା ପାଇଁ ସେ ଗାଉଛି ତୁ ଯେ କେଡ଼େ ସୁନ୍ଦର । ତୁ ମାଳୀଘର ବାଡ଼ରେ ସଜ ପାଣି ଦିଆ ଛନ ଛନିଆ ସବୁଜ ଶାଗପରି ଯେ, ତୁ କିଆରି ଶାଗ ପରି ମନ ସାରା ଆବୋରି ବସିଛୁ ଯେ, ତୋତେ ମୁଁ ନେଇଯିବାକୁ ଆସିଛି, ତୁ ରାଜି ହେବୁକି !

 

‘‘ମାଲି ଘରେ ରୁଆ ପାନି ଦିଆ ଭାଜି

କିଆରି କିଆରି ସାଜି

ଉପରଦ ବନେ ତକେ ଉଡ଼ାଇ ନେବି ନୁନି

ହେଲେ ତର ମନ ରାଜି ।।’’

 

ମନ ମାନିଛି ଯୁବତୀର । ତଥାପି ମନରେ ସନ୍ଦେହ । ଦେହରେ ସ୍ପର୍ଶ ପାଇଁ ଇଏ ଏତେ ଉତ୍ତାଳ ଯେ ଇଏ କ’ଣ ସନ୍ତୁଷ୍ଟ କରି ପାରିବ ତାକୁ । ସଂଭୋଗର ଶୀର୍ଷକୁ ନେଇ ପାରିବ ?

 

ଯେତେବେଳେ, ଯୁବତୀଟି ପ୍ରୀତିଲଗ୍ନା ହେବାର ମାନସିକ ପ୍ରସ୍ତୁତି କରେ, ପ୍ରେମର ସ୍ପର୍ଶରେ ଆର୍ଦ୍ର ହୁଏ, ମନ ମଣିଷ ପ୍ରତି ସମର୍ପିତ ହେବା ପାଇଁ ସେ ଗାଇଦିଏ ଏମିତି ଗୀତ :

 

ଟିପରି ପାନିକେ ଲେହେରା ମାରେ

ନୂଆ ଗଡ଼ିଆରେ ଧନ୍

ମାଛ ଡେଗେଇଲା ଜାଲେ

ଜାଲରେ ମାଛକେ ସଂଗାଇଲି ଆଚେ

ନୂଆ ଗୁଡ଼ିଆରେ ଧନ୍

ତୋର ମୋର ମାୟା କାଜେ ।।

 

‘‘ଝିପି ଝିପି ବର୍ଷାରେ ପୋଖରୀର ପାଣି ଅସ୍ଥିର ହେଲା ପରି ତୋତେ ଦେଖିଲା ପରଠୁ ରେ ନୂଆଗୁଡ଼ା ଗାଁରେ ଯୁବକ ମୋର ମନ ଅସ୍ଥିର ଯେ । ଜାଲରେ ପଡ଼ି ମାଛ ଛଟପଟ ହେଲା ପରି ତୋର ପ୍ରେମ ରୂପକ ଜାଲରେ ମୋ ମନ ମୀନ ଛଟପଟ ହେଉଛି । ଏହି ଛଟପଟ ହେବା ଭାବଟିକୁ ଚିରନ୍ତନ କରି ରଖିବାକୁ ତୋର ପ୍ରେମରେ ମୁଁ ବାନ୍ଧି ହେବାକୁ ଚାହୁଁଛି ।

 

ଏଠି ପ୍ରେମଜନିତ ଗଭୀର ଆବେଗର ସ୍ପର୍ଶ ଏକ ସାର୍ବଜନୀନ ଅନୁଭୂତିରେ ପରିଣତ ହୋଇଛି । ଆନନ୍ଦ ଓ ବେଦନାର ଭାବ ପ୍ରକାଶରେ ଭତରା ଲୋକଗୀତ ରସସ୍ନିଗ୍ଧ । ଶୃଙ୍ଗାର ଚେତନାରେ ପ୍ଲାବିତ । ଦେହଭୋଗର ମଦିର କଳ୍ପନାରେ ଆନନ୍ଦମଗ୍ନ ହୋଇଯିବାର ସୂଚନା ହିଁ ଭତରା ପ୍ରେମଗୀତର ମୁଖ୍ୟ ସ୍ୱର ।

 

ଏମାନଙ୍କ ଲୋକଗୀତରେ Denis de Rougement (ଡେନସ୍‍ଡେ ରୁଗ୍‍ମା)ଙ୍କ ନିମ୍ନ କଥାଟିକୁ ଅନୁଭବି ହୁଏ, “What stirs lyrical poets to their finest flights is neither the delight of the senses nor the fruitful. Contentment of the settled coulples nor the satisfaction of love but its passion. And passion means suffering. The prospect of a passionate experience has come to seem the promise that we are about to live more fully and more intensly. (Passion and Society)

 

ଜୀବନକୁ ସମ୍ପୂର୍ଣ୍ଣଭାବେ ଓ ନିବିଡ଼ତାର ସହିତ ଜିଇଁବାର ଭାବ ଭତରା ଲୋକଗୀତର ଧରା ଓ ଧାରା ଅଟେ ।

 

ଭତରା ଲୋକଗୀତର ପରକୀୟା ପ୍ରେମ :

ପରକୀୟା ପ୍ରେମ ସବୁ ସମାଜରେ ରହିଛି ଏବଂ ରହିଥିବ । ମଣିଷର ଦେହଭୋଗର ଲାଳସା ପରକୀୟା ପ୍ରେମର ଭିତ୍ତିଭୂମି । ଭତରା ଲୋକଗୀତରେ ପରକୀୟା ପ୍ରୀତିକୁ ନେଇ ଅନେକ ଗୀତ, ସେଗୁଡ଼ିକରୁ ଦୁଇ ଚାରୋଟି ପଦର ବିଶ୍ଲେଷଣ କଲେ ଆମେ ଭତରା ସମାଜର ଜୀବନର ଆଭିମୁଖ୍ୟକୁ ସହଜରେ ଜାଣିପାରିବା । ନିଜର ବିବାହିତା ପତ୍ନୀଥିଲେ ମଧ୍ୟ ଅନ୍ୟ ନାରୀପ୍ରତି ଆସକ୍ତ ହୋଇପଡ଼ିଛି ମଣିଷ । ତାକୁ ପ୍ରୀତି ମାଗିଛି, ରତି ମାଗିଛି । ଧୂଆଁପତ୍ର ଯାଚିଛି, ମୁଦି ଯାଚିଛି । ତୋତେ ଟିକିଏ ଛୁଇଁ ଦେଲେ କୁତାର୍ଥ ହୋଇଯିବ ଜୀବନ । ଆ ମୋତେ ସମର୍ପିତ ହୁଅ । ତୋତେ ଲୋଡ଼ିବାର ସୁଖରେ ଜଳିଯାଉଚି ମୁଁ । ପ୍ରେମିକର ଆତୁରତା ଦେଖି ପରର ସ୍ତ୍ରୀ ଗାଇ ଦେଉଚି ନିମ୍ନ ଗୀତଟିଏ :

 

ଚଇତ୍‍ ପରବ୍‍ ମଙ୍ଗଲ୍‍ବାର

ଯେତେ ନାଟ୍‍ ଗୀତ୍‍ ପୂଜାରୀ ଘର୍‍

ପୂଜାରୀ ମାରୁଛି ଖାଡ଼ା

ମୁଇ ଦେବଲି କେମିତି ଦେବି

ରଇଥ ଲାଗଲା ବେଲା ।

 

ଏବେତ ଚଇତ ପରବର ସମୟ । ସହଜେ ମଙ୍ଗଳବାର । ପାର୍ବଣ ପାଇଁ ଗାଁ ପୂଜାରୀ ଘରେ ସମସ୍ତେ ରୁଣ୍ଡ ହୋଇଛନ୍ତି, ନାଟ କରୁଛନ୍ତି, ଗୀତ ଗାଉଛନ୍ତି । ପୂଜାରୀ ଠେକୁଆକୁ ବଳି ଦେଉଛି, ଏବେ ଯେ ମଧ୍ୟାହ୍ନ ସମୟ, ଏବେ ତୁ ସମ୍ଭୋଗ ଇଚ୍ଛୁଚୁ ଯେ, ଏହା ସମ୍ଭବ ନୁହେଁ ସମ୍ଭବ ନୁହେଁ ।

 

ଏହା ଶୁଣି ପୁରୁଷ କହୁଛି ଧାନ ଶୁଖାଇଥିବାବେଳେ କୁକୁଡ଼ା ଖାଇବାକୁ ବ୍ୟାକୁଳ ହେବାପରି ମୋର ବ୍ୟାକୁଳତାକୁ ତୁ ଅନୁଭବ ନ କରି ବାଉଁଶ ଲାଠିରେ କୁକୁଡ଼ାକୁ ତଡ଼ିଲା ପରି ମନା କରିଦେଲୁ । କଥା ଦେ ଘନଘୋର ରାତିରେ ତୋ ପାଖକୁ ଆସିବି । ସତର୍କ କରି ଦେଉଛି ତୋ’ ଘରେ ପୋଷିଥିବା କୁକୁରକୁ ଖୋଲା ନଛାଡ଼ି ବାନ୍ଧି ରଖିଥିବୁ ।

 

ଭତରା ଲୋକଗୀତରେ ଦୈହିକ ପ୍ରେମର ପ୍ରତିଷ୍ଠା ହୋଇଛି । ଏଦେହ ହିଁ ସତ୍ୟ । ଏ ଦେହରେ ହିଁ ଭୋଗିବାକୁ ହୁଏ ଆନନ୍ଦ । ସୁଖ, ବିଷାଦ, ବିରହ, ମିଳନ, ଦୁଃଖ । ଦି’ଦିନ ପାଇଁ ଆସିଛେ ଏ ସୁନ୍ଦର ପୃଥିବୀକୁ । ଆସ ! ନାଚିବା ଗାଇବା ମନ ନେବା, ମନ ଦେବା । ତୁ ଆକାଶର ଜହ୍ନ ହେଲେ ମୁଁ ତୋ ପାଖରେ ତାରା ପରି ଉଜ୍ଜଳ ଦିଶୁଥିବି । ଆମେ ଦୁହେଁ ହାତ ଧରା ଧରି ହୋଇ ଚାଲୁଥିଲେ ବେକରେ ଗୁନ୍ଥା ମୁକ୍ତାମାଳ ପରି ସୁନ୍ଦର ଦିଶୁଥିବ । ସ୍ପର୍ଶ ଟିକିଏ ପାଇଁ ଗୀତ ଅସରା ହେଉ ।

 

ଭତରା ଲୋକଗୀତରେ ପ୍ରେମର ପ୍ରକାଶ ଜୀବନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତା’ଗୀତରେ ଦେହାତୀତ, ଇନ୍ଦ୍ରିୟାତୀତ ପ୍ରେମର ପ୍ରଶ୍ନ କେବେ ବସେ ନାହିଁ । ଭତରା ଲୋକଗୀତରେ କାମନାର ଉତ୍ତାଳ ତରଙ୍ଗ ଅଛି, ଦେହ ପ୍ରତି ଆସକ୍ତି ଅଛି । ଦହନର ଉତ୍ତାପ ଅଛି । ୟା ଭିତରେ ଅଛି ମଦର ମଦିରତା, ନାଚର ଛନ୍ଦ ପତନ, ଜହ୍ନରାତିର ଆକର୍ଷଣ । ପ୍ରେମ ହୋଇ ଯାଉଛି ତା’ ଗୀତରେ ପ୍ରକୃତି ଓ ପୁରୁଷ ପାଇଁ ମିଳନର ଆଦ୍ୟରାଗ । ଏଠି ହିଁ ରହିଛି ଜୀବନର ସୁଆଦ ।

 

ଭତରା ଲୋକଗୀତରେ ମୃତ୍ୟୁ:

ମନୁଷ୍ୟ ଜୀବନରେ ମୃତ୍ୟୁ ଏକ ସ୍ୱାଭାବିକ ପ୍ରକ୍ରିୟା । ଜନ୍ମ ହେଲେ ପ୍ରାଣୀକୁ ଦିନେ ନା ଦିନେ ମରିବାକୁ ହୁଏ । ଏହା ହିଁ ଏକମାତ୍ର ସତ୍ୟ । ଭାରତୀୟ ସଂସ୍କୃତିରେ ମୃତ୍ୟୁ ମାତ୍ର ଏକ ପରିବର୍ତ୍ତନ । ସ୍ଥୂଳ ଶରୀର ମାଟିପିଣ୍ଡ, ଏହା ମାଟିରେ ମିଶିଯାଏ କିନ୍ତୁ ସୂକ୍ଷ୍ମ ଶରୀର ନଷ୍ଟ ହୁଏ ନାହିଁ-। ଏହି ବିଶ୍ୱାସ ଆଦିବାସୀ ସମାଜରେ ମଧ୍ୟ ଦେଖାଯାଏ ।

 

ଆଦିବାସୀ ସଂପ୍ରଦାୟର ବୟସ୍କ ବ୍ୟକ୍ତିମାନେ କହନ୍ତି ଯେ, ମୃତ୍ୟୁ, ଯମ ଦେବତାର ଖେଳଘର । ତାର କାକୁଡ଼ି ବାଡ଼ । ପୁରୁଷ ସ୍ତ୍ରୀ କାକୁଡ଼ି ଇଟାରେ ଫଳିଥିବା କଞ୍ଚା କାକୁଡ଼ି । ପାଚିଗଲେ ଯମ ତାକୁ ଡେମ୍ଫରୁ ତୋଳି ନିଏ । କେବଳ ଲଟାଇ ମୂଳ ମାଟିତଳେ ପଡ଼ିରହେ, ଏଣୁ ଚଇତ ପରବ ଗୀତରେ କୋରାପୁଟର ଲୋକକବି ଗୀତ ଗାଇ ଜୀବନର ସତ୍ୟ କଥାଟିକୁ କହେ । ତାର ମୃତ୍ୟୁଚେତନାରେ ହାହାକାରୀ, ଅଭାକାରୀ, ଅଭାବବୋଧ, ମାଟିପିଣ୍ଡ ପ୍ରତି ଆସକ୍ତି ଦେଖାଯାଏ ନାହିଁ । ଏହା ସମୟ ହେଲେ ଗଛରେ ଫୁଲ ଫୁଟି ଝଡ଼ିଲା ପରି, ମାଣ୍ଡିଆ ପାଚି ସାରିଲେ ଦାଆରେ କାଟିଲା ପରି, ବସନ୍ତ ଋତୁରେ ଗଛରୁ ପତ୍ର ଖସିଲା ପରି କଥା । ଏଣୁ ସେ ଗୀତ:

 

ନାନା ଜାତି ଫୁଲେ ବସେ ଭଅଁର

ତିରି ପୁରୁଷର ମାୟା ସଂସାର

ଯମର କାକୁଡ଼ି ବାଡ଼

ଯମର ଜୀବନ ଯମ ଘେନିଗଲେ

ମଶାଣେ ପଡ଼ିବ ହାଡ଼

ଏକଥା ଜାଣଇ ମୁହିଁ

ଲୋକ ନିନ୍ଦା କଥା କେସନେ କରିବା

ମଞ୍ଚପୁରେ ଜାତ ହୋଇ । ।

 

ଏମାନେ ମାଟିର ମଣିଷ । ମାଟିରୁ ଆସି ମାଟିକୁ ଯିବା ଏମାନଙ୍କ ପାରମ୍ପରିକ ବିଶ୍ୱାସ । ରକ୍ଷଣଶୀଳତା ଓ ପ୍ରଥା ପ୍ରତି ଅତୁଟ ବିଶ୍ୱାସ । ଆଦିମ ଜାତିର ନିୟମରେ ଏମାନେ ବନ୍ଧା । ଏମାନେ କହନ୍ତି ଯେହେତୁ ଏମାନେ ପୃଥିବୀରେ ଜାତ, ପୃଥିବୀ ଏମାନଙ୍କର ମା’, ତେଣୁ ତାର କୋଳ ହିଁ ହେବ ଏମାନଙ୍କର ଶେଷ ଆଶ୍ରୟ । ଅତଃ ମୃତ୍ୟୁପରେ ଶବ ପୋଡ଼ି ଦିଆଯାଏ ନାହିଁ, ପୋତି ଦିଆଯାଏ ।

 

ମୃତ୍ୟୁପରେ ଶବକୁ ଘେରି ଏମାନେ ଛାତି ପିଟି ମୃତ ମଣିଷର ପୂର୍ବଗୁଣ ମନେ ପକାଇ କାନ୍ଦି ଥାଆନ୍ତି । ମରନ୍‌ ଗୀତ ଗାଇବା ଏକ ପ୍ରଥା । ଗାଁର ସମସ୍ତ ଶବକୁ ଘେରି ଗୀତ ଗାଆନ୍ତି । ସର୍ବ ପ୍ରଥମେ ମୃତ ହୋଇଥିବା ପୂର୍ବ ପୁରୁଷଙ୍କୁ ସ୍ମରଣ କରନ୍ତି ।

 

ରେ ରେ ନାଙ୍ଗର ରୋଲେ

ତିନାବେ ନାଙ୍ଗର ରୋଲେ

ଅଡ଼୍ ବଡ଼ ଆର୍ନ୍ଦୁରା, ଅଡ଼ବଡ଼ ଆର୍ନ୍ଦୁରା

ଅନବନ୍ଦି ପଇଟେ

ତିନାବେ ନାଙ୍ଗର ରୋଲେ । ।

‘‘ହାଏ ତାନେ ଯୋନ୍‌ ଶଇଲା ଆଚେ କୋନିଆଏ,

କୋନ୍‌ ତାକେ ବନ୍ଦି ଦରଲା ଆଚେ କୋନି ଆଏ

ହାଏତାନେ ଯୋନ୍‌ ଶଇଲା ବଚେ କୋନି ଆଏ

କୋନ ରଜାର ଦେଶ୍‌ ଯିବୁସ୍‌ ସାଙ୍ଗ କାଏ

କୋନ୍‌ ଡାକେ ବନ୍ଦି ଦାରଲା କୋନି ଆଏ

କୋନ ଗାଛ ଲଗେ ଉଡ଼ିଯିବିସ୍‌ ଚଡ଼େକାଏ

କୋନ୍‌ ତାକେ ବନ୍ଦି ଦାରଲା ଆଚେ କୋନିଆଏ

ଯମର ତାନେ ଯିବିସ୍‌ କାଇ ବନ୍ଦି ଆଏ

ଦତେଶରି ମାଇ ଜୋଆର ଲାଗେ ବନ୍ଦିଆଏ

ମରା ଦେଶନେ ଯିବିସ୍‌ ଚେଡ଼େ ବନ୍ଦିଥାଏ । ।’

 

‘‘ସେଠାରେ ଯିଏ ଶୋଇଛି ସେ କିଏ ? କିଏ ତାକୁ ବନ୍ଦି କରି ନେଇ ଯାଉଛି, ସେ କିଏ ? କେଉଁ ରାଜାର ଦେଶକୁ ସେ ଚାଲିଯିବି, ସେ କିଏ? କେଉଁ ଗଛକୁ ସେ ଉଡ଼ିଯିବ, ସେ ପକ୍ଷୀ କିଏ ? ଯମ ଦେଶକୁ ଯିବ ସେ ବନ୍ଦୀ । ମା’ ଦନ୍ତେଶ୍ୱରୀ, ତୋତେ ମୃତ୍ୟୁଦେଶକୁ ଯିବ, ସେ କିଏ?’

 

ଖାଲି ସେତିକି ନୁହେଁ । ଆଦିବାସୀ ସଂସ୍କୃତିରେ, ତାଙ୍କ ଜୀବନ ଦର୍ଶନରେ ମୃତ୍ୟୁକୁ ପରଦେଶ ଯାତ୍ରା ବୋଲି ସ୍ୱୀକାର କରାଯାଇଛି-ଯାହା ନିମ୍ନଗୀତରୁ ଜାଣିହୁଏ:

 

ଦେକାୟ ନନି ଦେକାୟ

ଦେକାୟ ନନି ଦେକାୟ

ଦେକାୟ ବୁଆରି ଦେକାୟ

ଦେକାୟ ବୁଆରି ଦେକାୟ

ମକେ ଦୋତି ଗଟେକ ଦେକାୟ

କୁର୍ତ୍ତା ଗଟେକ ଦେ

ମୁଇଁ ଦେଶ୍‌ ଯିବିଚେ

ମୁଇଁ ଦେଶ୍‌ ଯିବିଚେ

ଦେକାୟ ନନି ଦେକାୟ । ।

 

‘ଝିଅଲୋ, ବୋହୂ ଲୋ ମୋତେ ନୂଆ ଧୋତି ଖଣ୍ଡେ ପିନ୍ଧିବାକୁ ଦେ, ନୂଆ କୁର୍ତ୍ତାଟେ ପିନ୍ଧିବାକୁ ଦେ (ତୁ ଭାବେନା ଯେ ମୁଁ ଯାଇଛି ବୋଲି) ମୁଁ ଅନ୍ୟ ଦେଶକୁ ଯାଉଛି, ଅନ୍ୟ ଦେଶକୁ ଯାଉଛି । ଏହାହିଁ ଯେମିତି ତା’ ଜୀବନର ଉପଲବ୍ଧି । ସେ ଯାଉଛି ପୁଣି ଫେରି ଆସିବ କାହାର ପୁଅ, କାହାର ଝିଅ ହୋଇ ।’

 

ଦେହ ଯେତେବେଳେ ସରିଯାଏ, ପୁରୁଣା ହୋଇଯାଏ ତା’ ଭିତରେ ଥିବା ଚିର ଯୌବନା ଚିରକୁମାରୀ ଚଢ଼େଇ ପରି ଉଡ଼ିଯା, କୌଣସି ବାଧା ତାକୁ ଅଟକାଇ ପାରେ ନାହିଁ, ସେ ହିଁ ଜୀବ, ସେହିଁ ଲାଇୟା, ସେହିଁ ଆତ୍‌ମା, ଦେହରୂପୀ ବନ୍ଦୀଘରୁ ସେ ଯାଏ ମୁକ୍ତିର ସନ୍ଧାନରେ । ସେହି ଚିର ଯୌବନା କୁମାରୀ ଆତ୍‌ମା ମାଟି ପିଣ୍ଡକୁ ବାହାରି ସପ୍ତପାରକୁ ଯାଏ । ପିନ୍ଧିଥାଏ ସାତ ପ୍ରସ୍ଥ ଶାଢ଼ୀ ତାର ସାତ ପ୍ରେମିକ । ପ୍ରତ୍ୟେକଙ୍କ ପାଇଁ ସେ ଥରେ ନିର୍ବସ୍ତ୍ର ହୁଏ । ସେ ସ୍ଥୂକ୍ଷ୍ମଶରୀର ଧାରଣ କରେ-। ସେହି ଆତ୍ମା ସାତ ପ୍ରସ୍ଥି ଖୋଷା ଭିତରେ ଥିବା ଗୋଟିପୋକ, ଯାହାଖୋଷା କାଟି ବାହାରିଲେ ହୁଏ ସପ୍ତବର୍ଣ୍ଣି ମଥ୍‌ରେ ଟିକି ପ୍ରଜାପତିରେ ପରିଣତ । ମୃତ୍ୟୁର ବନ୍ଧନ ଭିତରେ ବାନ୍ଧି ହୋଇ ଖୋଷା ଭିତରେ ଥିବା ପ୍ରାଣୀ ଅନ୍ଧାରରେ ଥାଏ, ଦିନେ ସେଇ ପ୍ରାଣୀର ପ୍ରାଣ ଖୋଷାକାଟି ମୁକ୍ତିର ପ୍ରକାଶରେ ଉଦ୍ଭାସିତ ହୁଏ । ଖୋଷା ପଡ଼ିରହେ, ଆତ୍ମା ମୁକ୍ତ ହୋଇ ଉପରକୁ ଉଡ଼ିଯାଏ, ଏହାହିଁ ଆଦିବାସୀ ଜୀବନ ଦର୍ଶନରେ ମୃତ୍ୟୁଚେତନା । ଏହି ଚେତନାରେ ମୃତ୍ୟୁ ଆଉ ଦୁଃଖ ତା ପାଇଁ ଜୀବନର ଶେଷ କଥା ନୁହେଁ ।

 

ବଞ୍ଚିଥିବା ଯାଏ ସମସ୍ତଙ୍କ ସହ ଦୁଃଖ ବାଣ୍ଟି ଆଦିବାସୀ ରହେ । ପ୍ରତି ମୁହୂର୍ତ୍ତକୁ ଉପଭୋଗ କରେ । ଆଶାବାଦୀ ମଣିଷ ସେ । ବର୍ତ୍ତମାନକୁ ନେଇ ସମ୍ପୂର୍ଣ୍ଣ ଭାବେ ବଞ୍ଚିବା ତାର ସ୍ୱଭାବ । ଦିନ ଯେତେବେଳେ ଆସେ, ଜହ୍ନ ଆଲୁଅରେ ଧୋଇ ହୋଇଯାଏ ପୃଥିବୀ, ସର୍ଗି ପତରରୁ କାକର ଖସେ, ମହୁଲ ଗଛରୁ ମହୁଲ ଫୁଲପଡ଼େ ଟୁପ୍‌ଟାପ୍‌, ଶାଳ ଫୁଲର ବାସ୍ନାରେ, କୁନ୍ଦଫୁଲର ବାସ୍ନାରେ ମହକି ଯାଏ ପବନ । ଶୋଇ ପଡ଼ିଥାଏ କ୍ଲାନ୍ତ ହୋଇ ଏସୀ, ଲିଟି ଚଢ଼େଇ କୋଉ ଗଛ ଡାଳରେ, କେଉ ଧାଙ୍ଗଡ଼ା ବସାରେ ବଇଁଶୀ ବାଜେ, ଶୁଭେ ଧାଙ୍ଗଡ଼ୀର ଖିଲି ଖିଲି ହସ, ପୁଣିଥରେ ପ୍ରେମର (ବତର କ୍ରୀଡ଼ା) ପ୍ରଜାପତି ଡେଣା ମେଲାଏ, ଆଉ ଶୁଭିଯାଏ ରାତିର ଛାତି ଥରାଇ ମନ ଦିଆ ନିଆର ଗୀତ, ଭାବ ଘେନାଘେନିର ଗୀତ:

 

ପାନିକେ ପବନ ଦୁଇ ସମାନ

ମେଘ୍‌ ମାରେ ଚଡ଼ଚଡ଼ି

ତମେ ଆମେ କିନା ସଙ୍ଗରେ ଯୋଡ଼ି

ଯମ୍‌ ନେଲେ ଚଡ଼ାଚଡ଼ି

ଝୁମିଯା ଝୁମିଯା ଚନ୍ଦନ ବନେ

ଗୁଚାଗୁଚି ନାଇଁ କେନେ

ବୁମି ମାଟି ଲଲେଲିଆ

ତମେ ଆମେ କିନା ଏକା ଜୁଲିଆ

ପରାଉଁବେ ଉଦ୍‌ଲିଆ ।।

(ଚଇତ ପରବ ଗୀତ, ଉମରକୋଟ ଅଞ୍ଚଳ)

 

‘ପାଣି ଓ ପବନର ସମ୍ପର୍କ ପରି, ମେଘ ଓ ବିଜୁଳିର ସମ୍ପର୍କ ପରି ତୁମ ସହ ମୋର ସମ୍ପର୍କ-। ମରଣ ଆସିଲା ଯାଏ ଆମର ଏ ନିବିଡ଼ତା ରହୁ । ଚନ୍ଦନ ବନରେ ମନ ଉଚ୍ଛନ୍ନ, ଏକାପରି, ଚାଲ ଏଠାରୁ ଚାଲିଯିବା ଉଦ୍‌ଲିଆ ଚାଲିଯିବା ।’

 

ଏମିତି ଆଦିବାସୀ ଲୋକଗୀତରେ ପ୍ରେମ ଓ ମୃତ୍ୟୁର ଚିରନ୍ତନ ଶବ୍ଦର ଅନୁରଣନ ଶୁଭେ, ଯାହା ଆଦିମ, ରସମୟ, ତରଳ, ସରଳ ଭାବରେ ସଂଭୋଗର ଅଶ୍ରୁତ କଳରୋଳକୁ ନେଇ ଜୀବନକୁ ସବୁଠୁ ବେଶି ପାଇବାର, ନିବିଡ଼ ଭାବେ ବଞ୍ଚିବାର କଥାଟିକୁ ସଙ୍ଗୀତମୟ ଉଚ୍ଚାରଣରେ ସଞ୍ଚାରି ଦିଏ ସମ୍ୱେଦନଶୀଳ ମନ ଓ ପ୍ରାଣରେ । ମନରେ ଝଲସି ଯାଏ ଏକ ଅମରତ୍ୱର ଭାବଲଗ୍ନ ମୁହୂର୍ତ୍ତ । ବିଭୋର ହୋଇଯିବାର କାଳ ।

 

 

ଉମରକୋଟ, ନବରଙ୍ଗପୁର

ପିନ୍‌-୭୬୪୦୭୩

 

(ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲତାଙ୍କ ମିଳିତ ସହଯୋଗରେ ଗତ ତା ୧୬.୦୧.୨୦୦୧ରିଖରେ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଆଦିବାସୀ ଭାଷା ଓ କବିତା ସଂପାନରେ ପଠିତ ପ୍ରବନ୍ଧ)

 

***

 

କୋଣ୍ଡା କାମ୍ୱେରୁର ଡିଡ଼ାୟୀ ଓ ଆମ ଉନ୍ନୟନ ବ୍ୟବସ୍ଥା

ପରମାନନ୍ଦ ପଟେଲ

 

(ଯୋଗାଯୋଗର ସାଧନ ଯେଉଁଠି ଯେତେ ସମୃଦ୍ଧ ଶିକ୍ଷାର ମାନ ମଧ୍ୟ ସେଠି ସେତେ ଉନ୍ନତ । ଏହି ଦୃଷ୍ଟିରୁ ଏଠି ଦୃଷ୍ଟିରୁ ଏଠି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ସ୍କୁଲ ଅଛି, ଛାତ୍ର ଅଛନ୍ତି, ଶିକ୍ଷକ ଅଛନ୍ତି, ମାତ୍ର ଶିକ୍ଷକଙ୍କୁ ସ୍କୁଲ ରାସ୍ତା ଜଣାନାହିଁ । ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଚିହ୍ନିନାହାନ୍ତି । ଏଇ ବନ୍ଦୋବସ୍ତ ଭିତରେ ଏଠି ସ୍କୁଲ ଚାଲେ । ପିଲାର ଭବିଷ୍ୟତ ଡାଲଖାଇ ଠାକୁରାଣୀଙ୍କ ଆସ୍ଥାନ ପାଖରେ ତାସ ଖେଳ ଭିତରେ ଗଢ଼ା ହୁଏ ।)

 

ଜନଜାତିମାନଙ୍କ ଚର୍ଚ୍ଚାରେ ପରିଧି ଅଧୁନା ଖୁବ୍‌ ବ୍ୟାପକ । ଗଣ-ମାଧ୍ୟମରେ ହେଉ ଅବା ସରକାରୀ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ଏମାନେ ଚର୍ଚ୍ଚିତ । ଏହାର ଅନ୍ତଃସାର ଯାହା ହେଉନା କାହିଁକି ଏମାନଙ୍କ ସଂସ୍କୃତି ପ୍ରଚାରସର୍ବସ୍ୱ ହୋଇ ଯାଉଥିବାର ମନେହୁଏ । ତଥାପି ଏଇ ମଧ୍ୟରେ ଗୋଟିଏ ଜନଜାତି ଅଣ ଚର୍ଚ୍ଚିତ ହୋଇରହିଯାଉଛି । ଏମାନେ ହେଳେ ଡିଡ଼ାୟୀ । ଚର୍ଚ୍ଚାର ପରିଧିକୁ ଏମାନେ ଯେ ଆସୁନାହାନ୍ତି ତା ନୁହେଁ । ତେବେ ବାଧ୍ୟବାଧକତା ପରି ତାଙ୍କ କ୍ଷେତ୍ରକୁ ହଠାତ୍‌ କେହି ଗବେଷଣା ଉପଲକ୍ଷେ ପ୍ରବେଶ କଲାପରେ ଅବର କୌଣସି ଅଘଟଣଜନିତ ସରକାରୀ ବ୍ୟବସ୍ଥାରେ ସମତୁଲ ନରହିଲେ । ମାତ୍ର ଏସବୁ ଚର୍ଚ୍ଚାର ପରିଧି ପୁସ୍ତକଜ୍ଞାନ ଓ ପରିସଂଖ୍ୟାନତତ୍ତ୍ୱ ଉପରେ ପର୍ଯ୍ୟବସିତ ହୋଇଥାଏ ।

 

ଏହି ‘ଡିଡ଼ାୟୀ’ ସଂପ୍ରଦାୟ ନବଗଠିତ ମାଲକାନଗିରି ଜିଲ୍ଲରେ ‘କୋଣ୍ଡା କାମ୍ୱେରୁ’ ପର୍ବତମାଳା ଭିତରେ ପ୍ରାୟତଃ ୩୩ ଗୋଟି ଗ୍ରାମ ମଧ୍ୟରେ ସୀମିତ । ଦୁଇ ହଜାର ପାଖାପାଖି ଲୋକ ସଂଖ୍ୟା ବିଶିଷ୍ଟ ଏହି ଜନଜାତି, ଅପହଞ୍ଚ ଘନ ପର୍ବତ ଶ୍ରେଣୀ ଭିତରେ ଓ ମାଛକୁଣ୍ଡ ନଦୀବନ୍ଧ ଯୋଜନା ଦ୍ୱାରା ସୃଷ୍ଟ ଟାପୁ ମଧ୍ୟରେ ଏକପ୍ରକାର ବାହ୍ୟ ସମାଜରୁ ବିଚ୍ଛିନ୍ନ ହୋଇ ବଞ୍ଚିବା ପାଇଁ ସଂଗ୍ରାମରତ ।

 

କିଂବଦନ୍ତୀ ସୂତ୍ରରେ ଏମାନେ ବଣ୍ଡାମାନଙ୍କର ସହୋଦର । ମାତ୍ର ବଣ୍ଡାମାନଙ୍କ ପରି ଉଗ୍ର ନୁହନ୍ତି । ଖୁବ୍‌ ମେଳାପୀ, ଶାନ୍ତ-ସରଳ ଓ କର୍ମଠ ଏମାନେ । ତଥାପି ଅଭ୍ୟନ୍ତର ଡିଡ଼ାୟୀମାନଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କ ପ୍ରତି କିଛିଟା ଉନ୍ନାସିକତା ମନୋଭାବ ପ୍ରକାଶ କଲେ ସେମାନଙ୍କ ଉଗ୍ର-ମଧୁର ସ୍ୱରୂପ ପ୍ରକାଶ ସାଧାରଣ କଥା । ଭାଷିକ ଗଢ଼ଣ ଦୃଷ୍ଟିରୁ ଗାଦବା-ଡିଡ଼ାୟୀ-ବଣ୍ଡା କ୍ରମରେ ଭାଷାର ସଂପର୍କ ବିଦ୍ୟମାନ । ସେଇ ଦୃଷ୍ଟିରୁ ଡିଡ଼ାୟୀମାନେ ଗାଦବାମାନଙ୍କ ନିକଟରେ ଶାରୀରିକ ଗଠନ ତଥା ସାମାଜିକ ସଂରଚନାରେ ମଧ୍ୟ ଏମାନେ ଗାଦବାମାନଙ୍କ ସମଧର୍ମା ।

 

ମାଛକୁଣ୍ଡ ନଦୀବନ୍ଧ ଯୋଜନାରେ ଚିତ୍ରକୋଣ୍ଡା ଏବଂ ବାଲିମେଳାଠାରେ ବନ୍ଧ ବନ୍ଧାଯିବା ଫଳରେ ତଦ୍ଦ୍ୱାରା ସୃଷ୍ଟ ଜଳଭଣ୍ଡାର ଯୋଗୁଁ ଏକ ବିସ୍ତୀର୍ଣ୍ଣ ଉର୍ବର ସମତଳ ଉପତ୍ୟକା ବୁଡ଼ିଗଲା । ଫଳତଃ ତତ୍‌ ସନ୍ନିକଟସ୍ଥ ପାହାଡ଼ ସମୂହ ଏକ ଏକ ଟାପୁ ହୋଇ ରହିଗଲା । ସମତଳ ଅଞ୍ଚଳରେ ବସବାସ କରୁଥିବା ଅନେକ ସଂପ୍ରଦାୟ ଏହି ଟାପୁ ଅଭ୍ୟନ୍ତରକୁ ଚାଲିଯାଇ ନୂତନ ବସତି ସ୍ଥାପନ କଲେ, ଏକ ଟାପୁ ବାସିନ୍ଦା ହୋଇ ରହିଗଲେ । ସମତଳ ଅଞ୍ଚଳରେ ବସବାସ କରୁଥିବା ଅନେକ ସଂପ୍ରଦାୟ ଏହି ଟାପୁ ଅଭ୍ୟନ୍ତରକୁ ଚାଲିଯାଇ ନୂତନ ବସତି ସ୍ଥାପନ କଲେ, ଏକ ଟାପୁ ବାସିନ୍ଦା ହୋଇ ରହିଗଲେ । ମୁଖ୍ୟଧାରାରୁ ଦୂରେଇ ଯିବା ଫଳରେ ସେମାନଙ୍କର ପାମ୍ପରିକ ଜୀବନଯାତ୍ରା, ଚାଲିଚଳଣ ପରିବେଶ ଅନୁସାରେ ପରିଦର୍ଶନ ହେବାରୁ ଲାଗିଲା । ମୂଳ ସଂସ୍କୃତିଠାରୁ ଦୂରେଇ ରହିବା ଫଳରେ ଏକ ବିବର୍ତ୍ତିତ ସାଂସ୍କୃତିକ ପରିମଣ୍ଡଳଟାଏ ସୃଷ୍ଟିହେଲା ଏ ଟାପୁ ଅଞ୍ଚଳରେ ।

 

ଏକ ସୀମିତ ଜନ ସମୁଦାୟ ଓ ଏକ ନିର୍ଦ୍ଦିଷ୍ଟ ଭୂ-ଭାଗ ମଧ୍ୟରେ ଅଟକି ରହିଥିଲେ ସୁଦ୍ଧା ଗୌଗୋଳିକ ଦୃଷ୍ଟିକୋଣରୁ ଏହି ଡିଡ଼ାୟୀ ଅଧୁନା ତିନିଭାଗରେ ବିରକ୍ତ ହୋଇଛନ୍ତି । ଏହି ଶାଖା ତ୍ରୟ ହେଲା:

 

୧. ନିମ୍ନ ସମତଳ ଅଞ୍ଚଳରେ ବସବାସ କରୁଥିବା ଗୋଷ୍ଠୀ,

୨. ଉଚ୍ଚ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଗୋଷ୍ଠୀ, ଓ

୪. ଟାପୁ ଅଞ୍ଚଳରେ ବସବାସ କରୁଥିବା ଗୋଷ୍ଠୀ

 

ନିମ୍ନ ସମତଳ ଅଞ୍ଚଳରେ ବସବାସ କରୁଥିବା ଡିଡ଼ାୟୀ ଗୋଷ୍ଠୀ ମୁଖ୍ୟତଃ କୁଡ଼ୁମୁଲୁଗୁମା ଅନ୍ତଃବର୍ତ୍ତୀ ଗ୍ରାମ ସମୂହ ଅର୍ଥାତ୍‌ ଓରିଂଗି ଗ୍ରାମକୁ କେନ୍ଦ୍ର ଗ୍ରାମ ହିସାବରେ ଗ୍ରହଣ କଲେ ସମୀପବର୍ତ୍ତୀ ଗ୍ରାମ ସମୂହରେ ବସବାସ କରିଥାନ୍ତି । ଶିକ୍ଷା ତଥା ଗମନାଗମନର ସମସ୍ତ ସୁବିଧା ଏଠି ଉପଲବ୍ଧ । ଉନ୍ନୟନର ମାର୍ଗ ଏଠି ପ୍ରଶସ୍ତ । ଅନ୍ୟ ଜନଜାତି ତଥା ଜାତିଙ୍କ ସଂସ୍ପର୍ଶରେ ଆସି ଏଠିକାର ଡିଡ଼ାୟୀମାନେ ଅପେକ୍ଷା କୃତ ସ୍ୱଚ୍ଛଳ । ସ୍ଥାୟୀ କୃଷିକର୍ମକୁ ଆଦରି ନେଇ ଏଠିକାର ମୁଖ୍ୟଧାରା ସହ ଏମାନଙ୍କର ଉତ୍ତମ ପରିଚିତି ରହିଛି । ଡିଡ଼ାୟୀର ଆଦିମତା ଏମାନଙ୍କ ନିକଟରେ ଖୋଜି ପାଇବା କଷ୍ଟକର ।

 

ଦେଶିଆ ପରମ୍ପରା ଏବଂ ଆଧୁନିକତାର ଏକ ଉଦ୍ଭଟ ମସନ୍ୱୟ ସଂପ୍ରତି ଏମାନଙ୍କ ବାହ୍ୟ ସଂସ୍କୃତିରେ ପରିଲକ୍ଷିତ । ଏବେର ଡିଡ଼ାୟୀ ଯୁବସମାଜ ଏହି ସଂସ୍କୃତି ଦ୍ୱାରା କବଳିତ । ଫଳତଃ ତାଙ୍କ ନିଜସ୍ୱ ଭାଷା ପ୍ରକାଶରେ ସେମାନେ ଅକ୍ଷମ ତଥା କୁଣ୍ଠିତ । କେତେକ ଚଳଚିତ୍ର, ଦୁରଦର୍ଶନର ନିଶାରେ ନିଜର ପାରମ୍ପରିକ ସଂସ୍କୃତିକୁ ଭୁଲିସାରିଲେଣି କହିଲେ ଯଥାର୍ଥ ହେବ । ଏଠିକାର ଜନଜୀବନ ଉପରେ ମିଶନାରୀ ପ୍ରଭାବ ମଧ୍ୟ କମ୍‌ ନୁହେଁ । ମାତ୍ର ଏ ପ୍ରଭାବ ଅନ୍ତଃମନସକୁ ସଂକ୍ରମିତ କରିନି, କେବଳ ସାମୟିକ ଉପଚାର ଭଳି ତାଙ୍କ ଭିତରକୁ ପଶିଯାଇଛି ।

 

ଦ୍ୱିତୀୟରେ ଉଚ୍ଚ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଡିଡ଼ାୟୀ ସମୁଦାୟ ଓରିଂଗିଠାରୁ ତିନି କିଲୋମିଟର ତିଖ ପର୍ବତ ଉପରକୁ ଉଠିଗଲେ ହଠାତ୍‌ ହାମୁଡ଼େଇ ଯିବାକୁ ହୁଏ । ଡିଡ଼ାୟୀ ରାଜ୍ୟର ପ୍ରଥମ ଗାଁରେ ପାହାଡ଼ ମୁଣ୍ଡିଆକୁ ଉଠିଗଲା ପରେ ୧୦୦ ମିଟର ସରିକି ଆଗକୁ ଗଡ଼ିଗଲେ ଏହି ଗାଁ ‘ବାୟାପଡ଼ା’ । ଗାଁ ମୁଣ୍ଡକୁ ପହଞ୍ଚିଲେ ଯାଇ ଜଣାପଡ଼େ ଗାଁରେ ପହଞ୍ଚିଗଲୁ ବୋଲି । ବାୟାପଡ଼ା ପାଖରେ ଆଉ ଗୋଟିଏ ଗାଁ ଗଙ୍ଗପଡ଼ା । ଉଭୟ ଗାଁର ବନ୍ଧୁ ସମ୍ପର୍କ ଖୁବ୍‌ ନିବିଡ଼ । ଶତ୍ରୁତା ବି କମ୍‌ ନୁହେଁ । ତେଣୁ ବାୟାପଡ଼ା-ଗଙ୍ଗପଡ଼ାକୁ ଏ ଉଚ୍ଚ ପାର୍ବତ୍ୟାଞ୍ଚଳର ଷୋହଳ-ସତର ଖଣ୍ଡ ଗାଁର କେନ୍ଦ୍ରସ୍ଥଳୀ ହିସାବରେ ଗ୍ରହଣ କରାଯାଇପାରେ । ମୂଳ ଡିଡ଼ାୟୀ ଜଗତକୁ ଏଇ ଠାରୁ ଯିବାକୁ ହୁଏ । ଏଠାରୁ ମଧ୍ୟ ବାହାରି ପହଞ୍ଚି ହୁଏ ବାହ୍ୟଜଗତରେ । ମୂଳ ସଂସ୍କୃତି ଓ ମିଶ୍ର ସଂସ୍କୃତିର ଏ ଦୁଇ ଗାଁ ସଂଗମସ୍ଥଳୀ କହିଲେ ଅତ୍ୟୁକ୍ତି ହେବନାହିଁ । ଏଠିକାର ଯୁବ ସମାଜ ମିଶ୍ର ସଂସ୍କୃତିର ସଂସ୍ପର୍ଶରେ ବସିଥାନ୍ତି ମାତ୍ର ଅନ୍ତଃମନସ ସଂପୂର୍ଣ୍ଣ କବଳିତ ହୋଇନାହିଁ । ବୟସ୍କମାନଙ୍କ ପ୍ରାଚୀନ ଆଦବ କାଇଦା ସହ ଏବେବି ଅନ୍ତରଂଗତା ରହିଛି । କାଁଭାଁ କେହି ଡିଡ଼ାୟୀ ଅଞ୍ଚଳର ଅଭ୍ୟନ୍ତର ପ୍ରଦେଶକୁ ବସିବାର ହେଲେ ଏଇ ବାୟାପଡ଼ା ହିଁ ସେମାନଙ୍କ ଶେଷ ପର୍ଯ୍ୟଟନ ସ୍ଥଳୀ ହିସାବରେ ପରିଗଣିତ ହୋଇଥାଏ । ଏଠି ଡିଡ଼ାୟୀମାନଙ୍କ ମୂଳ ଭାଷା-ସାହିତ୍ୟ-ସଂସ୍କୃତି ସହ ପରିଚୟ ହୋଇଥାଏ । ଦେଶିଆ ସହିତ ଏଠିକାର ଯୁବ ସମାଜର ସମ୍ପୃକ୍ତି ଥିବାରୁ ତାଙ୍କଠୁଁ ଡିଡ଼ାୟୀ ଭାଷାର ଅବଶେଷ ଖୋଜିବା ସୁବିଧା ହୋଇଥାଏ । ଉପନିବେଶ ସୂତ୍ରରେ ଦେଶିଆ ଏଠି ରହିଛି, ସ୍ଥାୟୀ ବାସିନ୍ଦା ହୋଇନାହିଁ । ମାତ୍ର ସେଇ ଉପନିବେଶବାଦର ପ୍ରଭାବ ଏପରି ଯେ ବାୟାପଡ଼ାରେ ଆମେ ଆବିଷ୍କାର କରିଥିଲୁ ତିନିଜଣ ପ୍ରୌଢ଼ା ଯୁବତୀଙ୍କୁ, ଅଦ୍ୟାବଧି ଅବିବାହିତା । ତାଙ୍କ ସହିତ କଥୋପକଥନରୁ ଯାହା ବୁଝାପଡ଼ିଲା ସେମାନେ ଏକଦା ଅତୀତରେ ତାଙ୍କ ମନମାନଙ୍କୁ ସମର୍ପି ଦେଇଥିଲେ ତଳ ପାହାଡ଼ର ଡିଡ଼ାୟୀ ଯୁବକମାନଙ୍କ ପାଖରେ । ମାତ୍ର ବିଡ଼ମ୍ୱନା, ପ୍ରତ୍ୟାଖ୍ୟାତ ହେବା ପରେ ନା ସେମାନେ ଗ୍ରହଣ କରି ପାରୁଛନ୍ତି ଉପର ଡିଡ଼ାୟୀ ଯୁବକମାନଙ୍କୁ ନା ସେମାନଙ୍କୁ ଗ୍ରହଣ କରୁଛନ୍ତି ତଳମାଳର ଡିଡ଼ାୟୀମାନେ । ଫଳତଃ ତ୍ରିଶଙ୍କୁ ହୋଇ ଝୁଲି ରହିଛନ୍ତି ଏ ତିନି ପ୍ରୌଢ଼ାଯୁବତୀ ବରଂ ଅଭିଆଡ଼ୀ ରହିବେ ।

 

ଓରିଂଗିଠାରୁ ଅଧ କିଲୋମିଟର ପଶ୍ଚିମ ମୁହାଁ ଉଠାଣିଟାଏ ଉଠିଲାପରେ ପଚାଶ ମିଟର ଆଗରେ ଗୋଟାଏ ପକ୍କା ପୋଲ । ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମିତ ଏକ ବିଶ୍ରାମ ଗୃହ । ଗୋଟାଏ ବଖରାରେ ଗ୍ରୀଲ କବାଟ ଲାଗିଛି । ଡିଡ଼ାୟୀମାନେ ଉପରୁ ତଳକୁ ଗଡ଼ିଲେ ଏଠି ବିଶ୍ରାମ ନିଅନ୍ତି । ଚିରସ୍ରୋତା ଝରଣା କୂଳରେ ରୋଷେଇ ବାସ କରନ୍ତି । ଖାଇ ପିଇ ତା ପରେ ଯେ ଯୁଆଡ଼କୁ ଯିବାର ଏଠାରେ ସ୍ପଷ୍ଟ ସଙ୍କେତ ରହିଛି । ଅଜସ୍ର ଚୁଲି । ତଳେ ଝରଣା ପାଣିକୁ ଅଟକାଇ ବାଦାମ ଆଉ ପରିବା ଚାଷର ଅନତି ବୃହତ୍‌ କିଆରି ମାନ । ଉତ୍ତର ବୟସର ଧାଙ୍ଗଡ଼ା ଧାଙ୍ଗଡ଼ୀମାନେ କିଆରି ଜଗି ରହିଛନ୍ତି । ଛୋଟିଆ ଛୋଟିଆ ଭାଡ଼ି ଭିତରେ । ଗ୍ରୀଲ ଲଗା ବିଶ୍ରାମ ଗୃହରେ ସାଇକେଲ, ମଟର ସାଇକେଲ ସମୂହକୁ ରଖିଦେଇ ତାଲାମାରି ଆପଣମାନେ ନିର୍ଭୟରେ ପଦବ୍ରଜରେ ଏଠାରୁ ଉଠିବେ ବାୟାପଡ଼ାକୁ । ସରକାରଙ୍କ ସମସ୍ତ ଉନ୍ନୟନର ମାର୍ଗ ଏଇଠାରୁ ଶେଷ । ପୂର୍ବ ଡିଡ଼ାୟୀ ଉନ୍ନୟନ ସଂସ୍ଥାର ସଦର ମହକୁମା ବାୟାପଡ଼ା ଧାର୍ଯ୍ୟ କରାହୋଇଥିଲେ ସୁଦ୍ଧା ସମ୍ପୃକ୍ତ ଅଧିକାରୀମାନଙ୍କର ଆନ୍ତରିକତା (?) ଯୋଗୁଁ ସ୍ୱାଧୀନତାର ୫୪ ବର୍ଷ ପରେ ମଧ୍ୟ ଡିଡ଼ାୟୀ ଭୂମିର ୧୭ ଖଣ୍ଡ ଗ୍ରାମବାସୀ ପ୍ରଗତିର ସ୍ୱାଦ ଚାଖିବାରୁ ବଞ୍ଚିତ ।

 

ଡିଡ଼ାୟୀମାନଙ୍କର ଆଉ ଏକ ଦଳ ରହିଛନ୍ତି ମାଛକୁଣ୍ଡ ନଦୀବନ୍ଧ ଯୋଜନା ଦ୍ୱାରା ସୃଷ୍ଟ ଟାପୁ ମଧ୍ୟରେ ମୁଖ୍ୟ ସ୍ରୋତଠାରୁ ବିଚ୍ଛିନ୍ନ ହୋଇ । ନିଜ ଭିଟାମାଟିର ମୋହ ଛାଡ଼ି ନ ପାରି ଜଳଭଣ୍ଡାର ଦ୍ୱାରା ସୃଷ୍ଟ ପାର୍ଶ୍ୱବର୍ତ୍ତୀ ଉଚ୍ଚ ପର୍ବତମାଳା ଉପରକୁ ଯେଉଁ ଡିଡ଼ାୟୀମାନେ ଉଠି ଚାଲିଯାଇ ରହିଯାଇଛନ୍ତି ସେମାନେ ଏ ଦଳର । ଅନ୍ୟାନ୍ୟ ଜନଜାତି, ଜାତିମାନଙ୍କ ସହ ସହାବସ୍ଥାନ ସୂତ୍ରରେ ଏମାନେ ସଂପ୍ରତି ଏକ ନୂତନ ସମାଜ ଭିତରେ ବିବର୍ତ୍ତନରତ । ଏଇ ଡିଡ଼ାୟୀମାନଙ୍କର କେନ୍ଦ୍ରସ୍ଥଳୀ ଯନ୍ତ୍ରୀ-ପଣସପୁଟ ଗ୍ରାମପୁଞ୍ଜକୁ ନେଇ । ଏ ଗ୍ରାମପୁଞ୍ଜ ମାନଙ୍କରେ ମାଳୀ, ଗଉଡ଼, ପାଇକ, କନ୍ଧ, ପରଜା, ବ୍ରାହ୍ମଣଙ୍କ ମଧ୍ୟ ବସତି । ଉପନିବେଶ ସୂତ୍ରରେ ବଂଗାଳି ରିଫ୍ୟୁଜିମାନେ ମଧ୍ୟ ଏ ଅଞ୍ଚଳରେ ପ୍ରମୁଖ ଗୋଷ୍ଠୀ । ତେବେ ସହବାସିନ୍ଦା ହିସାବରେ ପ୍ରତ୍ୟେକ ଗୋଷ୍ଠୀ ଅପର ଗୋଷ୍ଠୀ ସହ ମିଶି ଏକ ସାମାଜିକ-ସାଂସ୍କୃତିକ ପରିମଣ୍ଡଳଟାଏ ଗଢ଼ିବାରେ ଲାଗିଛନ୍ତି । ଏଠାରୁ ମୁଖ୍ୟ ଭୂମିକୁ ଯିବାକୁ ହେଲେ ସରକାରଙ୍କ ଦ୍ୱାରା ପରିଚାଳିତ ଲଞ୍ଚ ବୋଟ ହିଁ ଏକମାତ୍ର ଭରସା । ସପ୍ତାହରେ ପୁଣି ଦୁଇ ଦିନ ଏ ଲଞ୍ଚର ଯାନ୍ତ୍ରିକ ଗଣ୍ଡଗୋଳ ଯୋଗୁଁ ୩୦/୪୦ କିଲୋମିଟର ରାସ୍ତା ତାଙ୍କ ପାଇଁ ସପ୍ତାହକର ବାଟ । ତେଣୁ ନିହାତି ଆବଶ୍ୟକ ନ ପଡ଼ିଲେ ମୁଖ୍ୟଭୂମିକୁ ଆସିବା ସେମାନଙ୍କ ପକ୍ଷରେ ଦୁଃସ୍ୱପ୍ନ ମାତ୍ର ।

 

ଏ ଅଞ୍ଚଳର ମୁଖ୍ୟ ଫସଲ ହିସାବରେ ମକା, ସୋରିଷ, କାଭାଁଧାନ ତଥା ପଣସକୁ ନିଆଯାଇପାରେ । ପଣସ ମଞ୍ଜି ଏ ଅଞ୍ଚଳର ମୁଖ୍ୟ ପାରିବା ହିସାବରେ ପରିଗଣିତ ହୋଇଥାଏ । ଜଳଭଣ୍ଡାରରୁ ମାଛ ଧରିବାକୁ ମଧ୍ୟ ଅନ୍ୟତମ ଜୀବିକା ହିସାବରେ କେତେକ ଡିଡ଼ାୟୀ ଗ୍ରହଣ କରି ନେଇଥିଲେ ସୁଦ୍ଧା ଗମନାଗମନର ଅଭାବ ଯୋଗୁଁ ବ୍ୟବସାୟିକ ଦୃଷ୍ଟିରୁ ମାଛ ମୁଖ୍ୟ ପେସା ହୋଇ ପାରିନାହିଁ । ମୁଖ୍ୟ ଭୂମିକୁ ତେଲ, ଲୁଣ, କିରାସିନି ଏବଂ ଲୁଗାପଟା ପାଇଁ ଏମାନେ ମୁଖ୍ୟତଃ ଯିବା ଆସିବା କରିଥାନ୍ତି । ପୁଣି ମୁଖ୍ୟ ଭୂମି ବାସିନ୍ଦାଙ୍କ ଦାଦା ପଣିଆ ଏମାନଙ୍କ ପ୍ରତି କିଛି କମ୍ ନୁହେଁ । ତେଣୁ ଏକ ଆଶା ଓ ଆଶଙ୍କା ମନରେ ଏମାନେ ମୁଖ୍ୟଭୂମିକୁ ଆସିଥାନ୍ତି । ତେଣୁ ଟାପୁ ଭିତରେ ଥିବା ଅନ୍ୟାନ୍ୟ ଜନଜାତି, ଜାତି ସହ ଆନ୍ତର୍ଗୋଷ୍ଠୀୟ ସହଯୋଗ ସୂତ୍ରରେ ଏକ ନବ୍ୟ ସାମାଜିକ ସମ୍ପର୍କଟାଏ ଗଢ଼ି ଉଠିବା ସ୍ୱାଭାବିକ ।

 

ଯୋଗାଯୋଗର ସାଧନ ଯେଉଁଠି ଯେତେ ସମୃଦ୍ଧ ଶିକ୍ଷାର ମାନ ମଧ୍ୟ ସେଠି ସେତେ ଉନ୍ନତ । ଏହି ଦୃଷ୍ଟିରୁ ଏଠି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ସ୍କୁଲ ଅଛି, ଛାତ୍ର ଅଛନ୍ତି । ଶିକ୍ଷକ ଅଛନ୍ତି । ମାତ୍ର ଶିକ୍ଷକଙ୍କୁ ସ୍କୁଲ ରାସ୍ତା ଜଣାନାହିଁ । ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଚିହ୍ନିନାହାନ୍ତି । ଏଇ ବନ୍ଦୋବସ୍ତ ଭିତରେ ଏଠି ସ୍କୁଲ ଚାଲେ । ପିଲାର ଭବିଷ୍ୟତ ଡାଲଖାଇ ଠାକୁରାଣୀଙ୍କ ଆସ୍ଥାନ ପାଖରେ ତାସ ଖେଳ ଭିତରେ ଗଢ଼ା ହୁଏ ।

 

ଟାପୁ ଅଞ୍ଚଳର ଆଉ ଏକ ବିଶେଷତ୍ୱ ହେଲା ଏ ନକ୍ସଲପନ୍ଥୀଙ୍କ ଚରାଭୂଇଁ । ନକ୍ସଲର ଦ୍ୱାହି ଦେଇ ଏଠି କିନ୍ତୁ ସବୁ ଚାଲେ । ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ସବୁ ବ୍ୟବସ୍ଥା ଏଠି ସୁଧାର ହୁଏ ଅଥଚ ଡିଡ଼ାୟୀ ବିଚରା ଯେଉଁ ତିମିରେକୁ ସେଇ ତିମିରେ ।

 

ଡିଡ଼ାୟୀର ମୂଳ ବାସିନ୍ଦାମାନଙ୍କୁ ଦେଖିବାର ଆଗ୍ରହ ନେଇ ଆମେ ଯାଇଥିଲୁ ଓରିଂଗି ଦେଇ ବାୟାପଡ଼ାକୁ । ଡିଡ଼ାୟୀ ଅଫିସରେ ରାତ୍ର ରହଣି କାଳରେ ଡିଡ଼ାୟୀମାନଙ୍କର ଚାଲିଚଳଣ, ସଂସ୍କୃତିକୁ ନେଇ ଅନେକ କଟୂତିକ୍ତ ମନ୍ତବ୍ୟ ସବୁ ସଂଗ୍ରହ କରିନେଇଥିଲୁ ସେ ରାତିରେ । ଡିଡ଼ାୟୀ କାର୍ଯ୍ୟାଳୟରେ ପଟ୍ଟନାୟକ ବାବୁଙ୍କୁ ସାକ୍ଷାତରେ ସେ ଖୁସି ହୋଇଥିଲେ ଆମ ସାଥିରେ ଯିବାପାଇଁ-। ସେ କହିଥିଲେ, ଆପଣମାନଙ୍କ ପାଇଁ ରହିବାର ସୁବନ୍ଦୋବସ୍ତ ସେଠାରେ ମୁଁ କରିଦେବି । ଜଣେ ଭାରୁଆ ତଥା ଗାଇଡ୍‌ କାମ ତୁଲେଇ ପାରୁଥିବା ଡିଡ଼ାୟୀ ପିଲାଟିଏ ମଧ୍ୟ ଯୋଗାଡ଼ କରିଦେଇଥିବି ଆପଣମାନଙ୍କ ସୁବିଧା ଅସୁବିଧା ପାଇଁ । ବାୟାପଡ଼ାରେ ଆପଣମାନଙ୍କୁ ଛାଡ଼ି ମୁଁ ଆଗକୁ ଯିବି । ତେଣୁ ସେ ଗାଇଡ୍‌ ଆପଣଙ୍କ ଦାୟିତ୍ୱ ନେବ । ବୁଝାବୁଝି କରିବ । ତେବେ ସେଠି କିଛି ମିଳିବନି ତେଣୁ ଏଠୁ ଡାଲି, ଚାଉଳ, ତେଲ, ଲୁଣ ଯାହା ଧରିବା କଥା ଧରିନେବେ । ସକାଳୁ ଉଠି ସେତକ ରାସନ ଆମେ ଧରିନେଇଥିଲୁ । ସାଙ୍ଗ ଦି’ଜଣ ଅଣ-ଓଡ଼ିଆ ତେଣୁ ସକାଳେ ଜଳଖିଆ ପାଇଁ ବିସ୍କୁଟରେ କାମ ଚଳାଇ ଦେବା କଥା ସେଇଆ ବି ହେଲା ।

 

ଏହି ଠାରୁ ଆଉ ମଧ୍ୟ କିଲୋମିଟର ଯିବା ପରେ ପୂର୍ବ ବର୍ଣ୍ଣିତ ଛୋଟିଆ ବ୍ରିଜ ପାଖରେ ଅଟକିଲୁ । ରାସ୍ତାଟା ସେଇଠୁ ଅଟକିଯାଇଛି । ରାସ୍ତା ଉପରେ ପର୍ବତ ଖସି ପଡ଼ିଲା ପରି ସବୁ ପଥ ସେଇଠୁ ବନ୍ଦ । ମୋଟର ସାଇକେଲ ଦି’ଟାକୁ ସେଠାରେ ରଖିଲୁ । ପଟ୍ଟନାୟକ ବାବୁ ଓରିଂଗିର ପିଲାଟିଏ ଧରି ଆସିଥାନ୍ତି । ତାକୁ ସବୁ ବୋକଚା ଦେଇ ଦିଆଗଲା । ପଟ୍ଟନାୟକ ବାବୁ କହିଲେ ପାଣି ବୋତଲ ପାଖରେ ରଖନ୍ତୁ । ଆମେ ପାଣି ବୋତଲମାନଙ୍କୁ ଅଗତ୍ୟା ଆଣିଲୁ । ଆଦ୍ୟ ଫେବୃୟାରୀରେ ପାଣିର ଆବଶ୍ୟକତା ପଡ଼ି ନପାରେ କହି ଭାରୁଆକୁ ଦେଇ ଦେଇଥିଲୁ । ଭାରୁଆ ଆଗେଇଲା, ଆମ ହାତରେ ଖଣ୍ଡେ ଲେଖାଏଁ ବାଡ଼ି ଧରେଇ ଦେଲା । ଆମେ ପଚାରିଲୁ ବାଡ଼ି କାହିଁକି? ପଟ୍ଟନାୟକ ବାବୁ କହିଲେ ତିଖ ପାହାଡ଼ଟାତ ବାଡ଼ିର ଆବଶ୍ୟକତା ସେଇଠି ବୁଝିବେ । ଆପଣମାନେ ନୂଆ ତେଣୁ ବାଡ଼ିଟା ଥିଲେ ଖସି ପଡ଼ିବାର ଅବକାଶ ନଥିବ ।

 

ଭାରୁଆ କହିଲା ‘‘ମୋ ପାଇଁ ଆଜ୍ଞା ଦୁଇଘଣ୍ଟା ପାଖାପାଖିର ବାଟ, ହେଲେ ଆପଣମାନଙ୍କୁ ଆଉ ଘଣ୍ଟାଏ ପରେ ଲାଗିପାରେ ।’ ତିନି କିଲୋମିଟର –ଘଣ୍ଟାକୁ ଗୋଟାଏ କିଲୋମିଟର ବେଗ । ଆମେ ଆଗେଇଲୁ । Tracking ଆରମ୍ଭ ହୋଇଗଲା । ପ୍ରଥମେ ପ୍ରଥମେ ଖୁସିଲାଗୁଥାଏ । ମାତ୍ର ଆଦ୍ୟ ଫେବୃୟାରୀର ଶୀତୁଆ ସକାଳରେ ବି ଆମେ ପିନ୍ଧିଥିବା ସୁଇଟର ସାର୍ଟ ସବୁ ଧୀରେ ଧୀରେ ଝାଳରେ ଓଦା ହେବାକୁ ଲାଗିଲା । ଦିହକୁ ଝାଳ ବାହାରି ଗୋଡ଼ ଅବଶ ହେବାକୁ ବସିଲା । ପ୍ରତି ପାଞ୍ଚ ମିନିଟରେ ଥକ୍କା ମାରି ମାରି ଉଠିବାକୁ ଲାଗିଲୁ । ବାଟରେ କେତେକ ଡିଡ଼ାୟୀ ଝିଅଙ୍କୁ ଦେଖିଲୁ । ଦେଶିଆ ଗୀତରେ ସୁରରେ ମୁଣ୍ଡରେ ୨୦/୨୫ କିଲୋ ଚାଉଳ ଲଦି, ପାହାଡ଼ ଉଠୁଛନ୍ତି । ଗ୍ଲାନି ନାହିଁ, କ୍ଲାନ୍ତି ଟାପରା ନାହିଁ । ମନରେ ଅପୂର୍ବ କାନ୍ତି । ହସହସ ମୁହଁରେ ଆମ ଦୁରାବସ୍ଥା ଦେଖି ଆମକୁ ଟାପରା କଲେ । ‘ପଟ୍ଟନାୟକ ବାବୁ ଆମ ସାଙ୍ଗ ଛାଡ଼ୁନଥାନ୍ତି । ’ ସେ ବୁଝାଇଦେଲେ ‘ବାବୁମନ୍‌ ତୁମର୍‌ ଗାଓଁ କେ ଦେଖ୍‌ବାର ଟୋକିମାନ୍‌କେ ଦେଖିବାର ମନ ଆସିଛନ୍ତି । ‘ଝିଅମାନେ କିର୍‌କିର୍‌ ହସିଲେ । ପର୍ବତଟା ସାରା ଫୁଲ ଯେପରି ଫୁଟି ଉଠିଲା । ମନ ଖୁସିରେ ସେମାନେ ଗୀତ ଗାଇ ଗାଇ ଆଗକୁ ଚାଲିଲେ । ତାଙ୍କ ହସରେ ଆମେ ହସିଲୁ । ମାତ୍ର ଆମର ବିକଳିଆ ହସ ସବୁ ବାରି ହୋଇପଡ଼ୁଥିଲା । ସୌଭାଗ୍ୟ ସେ ହସ ଦେଖିବା ଆଗରୁ ସେମାନେ ଅନେକ ଉପରକୁ ଉଠି ସାରିଥିଲେ ।

 

ପଟ୍ଟନାୟକ ବାବୁ ଆମକୁ କହିଲେ, ‘ସାର୍‌ ଏ ଯେଉଁ ଧାଂଗ୍‌ଡ଼ୀମାନଙ୍କୁ ଦେଖିଲେ ସେଥିରୁ ତିନିଜଣ ବାହା ହୋଇ ପାରୁନାହାନ୍ତି ।’ ଆମେ ଉତ୍କଣ୍ଠାର ସହ ପଚାରିଲୁ- ‘ଡିଡ଼ାୟୀ ଝିଅ ସେ ପୁଣି ବାହା ନହୋଇ ରହୁଛି ?’ ‘ହଁ, ଆଜ୍ଞା, ଏଝିଅ ତିନିଜଣ ପଣ କରିଛନ୍ତି ତଳ ଡିଡ଼ାୟୀର ପିଲାମାନଙ୍କୁ ବାହାହେବେ । ସେମାନେ ପେଣ୍ଟ-ସାର୍ଟ-ଜୋତା ପିନ୍ଧୁଛନ୍ତି । ଦେଶିଆ ଗୀତ ବୋଲୁଛନ୍ତି ତେଣୁ ତାଙ୍କ ଇଚ୍ଛା ଏଇ ପରିବର୍ତ୍ତିତ ଧାରା ସହ ସାମିଲ ହୋଇଯିବା ।’ ମାତ୍ର ତଳ ଅଞ୍ଚଳର ପିଲାଏ ରାଜି ନୁହନ୍ତି ଏ ପ୍ରସ୍ତାବରେ । ସେମାନେ ଏମାନଙ୍କୁ ଚାହୁଁନାହାନ୍ତି ।

 

ସହରାଭିମୁଖୀ ସଭ୍ୟତା ପ୍ରାଚୀନ ପରମ୍ପରା ପ୍ରତି ବିମୁଖ ହେବାର ଏ ଏକ ଜ୍ୱଳନ୍ତ ଉଦାହରଣ । ସଂକଟର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜର ନିଜତ୍ୱ ମଧ୍ୟ ଭୁଲିଯିବାରେ ଲାଗିଛି ।

 

ଆମେ ବାୟାପଡାରେ ପହଞ୍ଚିଲା ବେଳକୁ ଭାରୁଆଟି ପଟ୍ଟନାୟକ ବାବୁଙ୍କଠାରୁ ଇସାରା ପାଇ ଝିଅପିଲାଙ୍କ ଗହଣରେ ଆଗରୁ ଚାଲିଯାଇଥିଲା । ଦେଖିଲୁ ସେତେବେଳେକୁ ଭାତ ରୋଷେଇ ସାରିଦେଇଛି । ଅଙ୍ଗନବାଡ଼ି ଘରେ ଆମର ରହିବାର ବନ୍ଦୋବସ୍ତ କରିଛି । ତେଣୁ ତା’ ଉପରେ ଗଡ଼ିବାକୁ ଆମକୁ କିଛି ଅସୁବିଧା ନଥିଲା । ପଥ କଷ୍ଟ ଏଇ ମସିଣା ଉପରେ ଶୋଇ ନିଭେଇଲୁ । ବାୟାପଡ଼ା ପହଞ୍ଚିଲା ବେଳକୁ ବାଡ଼ି କଡ଼େ ଭୋଜିର ବନ୍ଦୋବସ୍ତ ହୋଇଥାଏ । ଆମକୁ ଅତିକ୍ରମ କରି ଯେଉଁ ଝିଅ ଦଳ ଚାଉଳ ବୋଝମାନ ଧରି ଆସିଥିଲେ, ଏତେ ବେଳକୁ ତାହା ରନ୍ଧା ସରିଲାଣି । ଗୋରୁ ମାଂସ ଅଧା ସିଝୁଛି ଆଉ ଆର ଅଧକ କାଟିବାରେ ଲାଗିଛନ୍ତି ଡିଡ଼ାୟୀ ଧାଙ୍ଗ୍‍ଡ଼ାମାନେ ।

 

ବାୟାପଡ଼ାକୁ ଉଠିବାକୁ ସେଇ ମୁଣ୍ଡିଆ ପର୍ବତକୁ ଡିଡ଼ାୟୀ ଅଞ୍ଚଳର ଦୃଶ୍ୟ ଖୁବ୍‌ ମନୋରମ-। ଥାକ ଥାକ ପର୍ବତ ମଝିରେ ପୋଡ଼ୁଚାଷର କିଆରି, ରଙ୍ଗ ବେରଙ୍ଗର ଲୁଗା ପଡ଼ିବ ଉପରେ ଶୁଖା ହୋଇଥିବା ପରି ଜଣାଯାଉଥାଏ । ଧାନ, ମାଣ୍ଡିଆ, ସୁଆଁ ଅମଳ କରିବା ପାଇଁ ଖଳାମାନଙ୍କରେ, ପଥ ଲାଘବ ପାଇଁ ଶୋଇବା ରହିବାର ଉତ୍ତମ ବ୍ୟବସ୍ଥା । ମନେ ହେଉଥାଏ ସେଇଠି ରହିଯାନ୍ତେ । ଦୂର ଦିଗ୍‌ବଳୟ ବ୍ୟାପୀ ପର୍ବତମାଳାର ମଧ୍ୟ ପ୍ରଦେଶ ଭିତରେ ଦୁଇ ଚାରୋଟି ବସତି ଓ ତାକୁ ଘେରା ସବୁଜ ବନାନୀ, ପୁନଶ୍ଚ ପୋଡ଼ୁଚାଷ ପାଇ ନୂଆ କରି ଜଙ୍ଗଲ କଟାଯିବାର ବିଷର୍ଣ୍ଣ ନୀରବତା ମଧ୍ୟରେ ପାହାଡ଼ କଡ଼ରେ ବୋହି ଯାଉଥିବା ଝରଣା ପାଖରୁ ଝିଙ୍କାରୀର ଟିର୍‌ଟିର୍‌ ଶବ୍ଦର ଏକ ବିଚିତ୍ର ଅନୁଭବ । କେହି ଜଣେ ଏ ଅଞ୍ଚଳକୁ ଆସି କହିଥିଲେ ‘ସ୍ୱର୍ଗକୁ ଅନ୍ତିମ ପାବଚ୍ଛ’ । କହିବାର ଯଥାର୍ଥତା ଅଛି । ପାହାଡ଼ଟା ହଠାତ୍‌ ଗୋଟାଏ ଜାଗାରେ ସରିଯାଇଛି । ଆଗରେ ଗୋଟାଏ ବାଉଁଶ ବାଡ଼ର ଘେରା । ମଝିରେ ଛୋଟିଆ ପାଦଚଲା ରାସ୍ତାଟି । ପଟ୍ଟନାୟକ ବାବୁ କହିଲେ, ଆମେ ଆଶ୍ଚର୍ଯ୍ୟ! ପାହାଡ଼ ସରିଗଲା । ଆମକୁ ବାୟା କରିଦେଇ ବାୟାପଡ଼ା ଆସିଗଲା । ମୋହ ନଗରୀର କୁହୁକ ମହଲର ଆକସ୍ମିକ ଆବିର୍ଭାବ ପରି ବାୟାପଡ଼ା ଆମ ସମ୍ମୁଖରେ । ମାଉଁସ ସିଝାର ବାସ୍ନା ଡିଡ଼ାୟୀ ଯୁବତୀମାନଙ୍କର ନାଳ କୂଳରେ ଆମକୁ ଲକ୍ଷ୍ୟ କରି ହସରୋଳ ଏ ସମସ୍ତର ଏକତ୍ର ସମାହାରରେ ବାୟାପଡ଼ା ଆମ ସମ୍ମୁଖରେ ଉଭାହୋଇଛି । ଆମେ ହତଚକିତ । ଭାରୁଆ ଜଣକ ଆମକୁ ସ୍ୱାଗତ ଜଣାଇବା ପାଇଁ ଅଙ୍ଗନବାଡ଼ି, କେନ୍ଦ୍ର ଆଗରେ ଛିଡ଼ା ହୋଇଛି ।

 

ମସିଣା ଉପରେ କ୍ଲାନ୍ତ ଅବଶ ଦେହମାନଙ୍କୁ ବିଛେଇ ଦେବାକ୍ଷଣି ଭାରୁଆ ଜଣକ କହିଲା ଆଜି ଗୋଟାଏ ଭଲ ବେଳାରେ ଆସିଛି । ବାହାଘର ଭୋଜିଟା ଖୁବ୍‌ ଭଲ କରି ଜମିବ । ‘ବାହାଘର’ ଭୋଜି ନା ଶୁଣି ଆମେ ଉଠି ପଡ଼ିଲୁ କ୍ୟାମେରାଟି ମାନ କାନ୍ଧରେ ଝୁଲାଇ ଭାରୁଆକୁ କହିଲୁ ସାଙ୍ଗ ହେବା ପାଇଁ । ଆମ ସାଥିରେ ଆସିଥିବା ପରିଡ଼ା ସାର୍‌ଙ୍କୁ ରଖିନେଲୁ ରୋଷେଇବାସ ବ୍ୟବସ୍ଥା ସମ୍ଭାଳିବାକୁ । ଭାରୁଆ ଆମକୁ ନେଇଗଲା ବାହାଘର ଭୋଜି ସ୍ଥଳକୁ ।

 

ଡିଡ଼ାୟୀ ବାହାଘର ! ତିନିଟି ଖନ୍ଦା ବସିଛି । ଗୋଟାଏ ହାଣ୍ଡିରେ ଚାଉଳ ପଡ଼ିଛି, ଆର ହାଣ୍ଡିରେ ସୁଆଁ ଚାଉଳ ଫୁଟୁଛି । ଭାତ ହୋଇ ଆସିଲାବେଳକୁ ବାଉଁସ ପାତିବରେ ଛଣ ଗୁନ୍ଥା ହୋଇଥିବା ଏକ ଚଉଡ଼ା ପଟିରେ ଭାତର ପେଜ କଢ଼ା ହେଉଥାଏ । ପଣସ ଗଛ ମୂଳେ ନଡ଼ା ବିଛା ହୋଇଥିବା ଗଦିରେ ଭାତ ଅଜାଡ଼ି ପୁଣି ନୂଆ ଚାଉଳ ପଡ଼ୁଥାଏ । ସୁଆଁ ଚାଉଳର ଭାତ ଅଲଗା । ଗୋଟାଏ ବଡ଼ ହାଣ୍ଡିରେ ମାଂସ ସିଝୁଥାଏ । ମୁଁ ପଚାରୁ ପଚାରୁ ପଚାରି ଦେଲି- ‘ସୁଆଁ ଚାଉଳର ଭାତ ପୁଣି କାହିଁକି?’ ଜଣେ ଦେଶିଆ ଭାଷୀ ଡିଡ଼ାୟୀ କହିଲା ‘ସେଇଟା ଟୋକି, ମାଇଜିମନକାଇବେ ।’ ଆଶ୍ଚର୍ଯ୍ୟ ହେଲୁ । ପୁରୁଷ ଲୋକ ଖାଇବେ ଚାଉଳିଆ ଭାତ, ସ୍ତ୍ରୀ ଲୋକ ଖାଇବେ ସୁଆଁ ଭାତ । ଭାରୁଆ କହିଲା ‘‘ଆମ ଡିଡ଼ାୟୀ ସମାଜରେ ଏଇ ବ୍ୟବସ୍ଥା ଆଜ୍ଞା ।’’ ଆଶ୍ଚର୍ଯ୍ୟ ପ୍ରଥା ରାଜଭାଗ ପାଇବେ ପୁରୁଷ, ମାତ୍ର ସ୍ତ୍ରୀ ସମାଜ କ’ଣ ସବୁଠି ଅବହେଳିତ ?

 

ଡିଡ଼ାୟୀ ସମାଜର ଗଢ଼ଣ ଏପରି । ସ୍ତ୍ରୀ ଲୋକ ଘର ବାହାର ସବୁ କାର୍ଯ୍ୟରେ ନିପୁଣା ଅଥଚ ଭାଗ ପାଇଲାବେଳକୁ ପୁରୁଷର ଅଗ୍ରାଧିକାର । ପୁରୁଷ କୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ତ ଏ ଧାରା ରହିଛି । ଡିଡ଼ାୟୀ ସମାଜରେ କିନ୍ତୁ ସ୍ତ୍ରୀର ସ୍ୱାତନ୍ତ୍ର୍ୟ ବହୁତ ବେଶି, ତଥାପି ସେ ନିର୍ବିକାର । ମାନି ନେଇଛି ଏ ବ୍ୟବସ୍ଥାକୁ । ଖୁସି ମଧ୍ୟ ।

 

ଡିଡ଼ାୟୀ ବିବାହ ବ୍ୟବସ୍ଥା ମଧ୍ୟ ସେହିପରି । ସମବୟସ୍କ ପୁଅଝିଅଙ୍କ ବିବାହ ଏଠି ପ୍ରଚଳିତ । ଝିଅ ବୟଃପ୍ରାପ୍ତ ହେବା ପରେ ଯାଇ ଘରଯୋଗ୍ୟ ହୋଇଥାଏ ବୋଲି ଡିଡ଼ାୟୀମାନେ କହିଥାନ୍ତି ଏବଂ ସେଇ ପରଠୁଁ ସଂସାର ବନ୍ଧନ ପାଇଁ ସେମାନେ ଲାଗିପଡ଼ନ୍ତି । ତେବେ ଅନ୍ୟାନ୍ୟ ସମାଜ ଅପେକ୍ଷା ଡିଡ଼ାୟୀ ସମାଜ ପୁଅ ଝିଅଙ୍କ ମିଳାମିଶା କ୍ଷେତ୍ରରେ ଖୁବ୍‌ ନମନୀୟ । ପିଲା ଝିଲାଙ୍କ ଅବାଧ ମିଳାମିଶା ଯୋଗୁଁ ପ୍ରେମ ବିବାହର ବହୁଳତା ଡିଡ଼ାୟୀ ସମାଜରେ ପ୍ରଚଳିତ । ହାଟରେ ବଜାରରେ ବଣରେ ପୁଅ ଝିଅ ମିଶିଲେ ତାପରେ ସେଇ ସଂପର୍କ ପରବର୍ତ୍ତୀ ସମୟରେ ବୈବାହିତ ସଂସାରର ରୂପ ନେଇଥାଏ । ତେବେ ବିବାହରେ କନ୍ୟାର ମତାମତକୁ ସମ୍ମାନ ଜଣାଇବା ଡିଡ଼ାୟୀ ସମାଜରେ ରହିଛି । ସେମାନଙ୍କ ବିବାହ ପଦ୍ଧତି ଭିନ୍ନ ଭିନ୍ନ । ୧ -ମାର୍ସାବୟ ବିବାହ ବା ମାମୁ ଝିଅ ବିବାହ, ୨ -ଟୋସୁ ବା ନିର୍ବଦ୍ଧ ବିବାହ, ୩ - ଉଦ୍‌ଲିଆ ବିବାହ, ୪ - ଗୁବ୍‌ବୋଇବା ଘିଚା ବିବାହ, ୫ -ଗର୍‌ଜିଆ ବିବାହ ବା ସେବା ବିବାହ, ୬ -ସାଗରର୍‌ତା ବିବାହ ବା ପୂର୍ବ ପ୍ରେମଜନିତ ବିବାହ, ୭-ପୁନଃ ବିବାହ, ୮-ବିଧବା ବିବାହ, ୯-ଘସିଆ ମୁଣ୍ଡି ବା ଝିଅ ବଳତ୍କାରରେ ପୁଅ ଘରେ ପଶି ବିବାହ । ମାତ୍ର ଏସବୁ ଅପେକ୍ଷା ମାମୁଁ ଝିଅ ବିବାହ, ନିର୍ବନ୍ଧ ବିବାହ ଏବଂ ଉଦ୍‌ଲିଆ ବିବାହର ପ୍ରଚଳନ ଅଧିକ ରହିଛି । ଅବସ୍ଥା ସମ୍ପନ୍ନ ଘରେ ମାମୁଁ ଝିଅ ଏବଂ ନିର୍ବନ୍ଧ ବିବାହକୁ ପସନ୍ଦ କରୁଥିବା ବେଳେ ପ୍ରେମଜନିତ ବିବାହ ମଧ୍ୟ ବହୁଳ ପ୍ରଚଳିତ ।

 

ଆମେ ଯାଇଥିବା ଦିନ ଗୋଟାଏ ନିର୍ବନ୍ଧ ବିବାହର ଶେଷ ଭୋଜି ଥିଲା । ଗୋରୁ ମାରିସାରିଲା ବେଳକୁ ଗୋଟାଏ କଣକୁ କଦଳୀ ପତ୍ରରେ ପଛ ଫଡ଼ିଆଟି କଟା ନହୋଇ ଥୁଆ ହୋଇଥିଲା । ପଚାରନ୍ତେ ଉତ୍ତର ଆସିଲା ବନ୍ଧୁଘର ଭାରଯିବ । ଅର୍ଥାତ୍‌ ଝିଅର ବାପଘରକୁ ଗୋଟାଏ ଭାଗ । କିଛି ସମୟରେ ଗୋଟାଏ ଡେକ୍‌ଚିରେ ସିଝାମାଂସରୁ ଡେକ୍‌ଚିଏ, ଭାତ ଡେକ୍‌ଚିଏ ଭାର ହୋଇ ଦୁଇଜଣ ବନ୍ଧୁ ଗାଁକୁ ଚାଲିଲେ । ସାଥିରେ ଆଉ ଦୁଇଜଣ ପଛ ଫଡ଼ିଆକୁ ଭାର କରି ତା’ପଛେପଛେ ।

 

ମାଂସ ରନ୍ଧା ହୋଇଥିଲା ଖାଲି ହଳଦୀ ଗୁଣ୍ଡ, ଲୁଣ ଓ ଲଙ୍କା ଦେଇ । ସିଝିଗଲା ପରେ ଗାଁ ଯାକର ପୁରୁଷ, ପିଲାଏ ଧାଡ଼ି ଧାଡ଼ି ହୋଇ ବସିଲେ, ଭାତ ମାଂସର ଭୋଜି ଚାଲିଲା । ଗୋଟାଏ କଣକୁ ସୁଆଁ ଚାଉଳ ଭାତ ପରୀକ୍ଷା ହୋଇ ଅଳ୍ପ ଅଳ୍ପ ମାଂସ ଦିଆଯାଇ ସ୍ତ୍ରୀ ଲୋକମାନଙ୍କ ଭୋଜିପର୍ବ । ମନରେ ଗ୍ଳାନି ନାହିଁ, ସବୁ ନିୟମ ସ୍ତ୍ରୀ ଲୋକମାନେ ଖୁସିରେ ମାନି ନେଇଛନ୍ତି । ପୁରୁଷମାନଙ୍କ ପ୍ରତି ସେମାନଙ୍କର ଆକ୍ରୋଶ ନାହିଁ । ଭୋଜି ପର୍ବ ଶେଷରେ ଡେକ୍‌ଚି ହାଣ୍ଡି ସବୁ ସ୍ତ୍ରୀ ଲୋକେ ପାଖ ଝରଣାକୁ ନେଇ ଧୋଇଲେ ।

 

ଡେକ୍‌ଚି ହାଣ୍ଡି ସବୁ ଆଲ୍‌ମିନିୟମର । ଆମର ଯେପରି ଟେଣ୍ଟ ହାଉସ୍‌ରୁ ଭଡ଼ାରେ ଆସେ ଏଠି ଯଦିଓ ସେପରି ନାହିଁ ତେବେ ଗାଁର କୋଠ ସଂପତ୍ତି ହୋଇ ସେଇସବୁ ହାଣ୍ଡି ଡେକ୍‌ଚି ରହିଛି । ଯାହାର ଯେତେବେଳେ ଦରକାର ନେବ, ତାପାଇଁ ଅଳ୍ପ ପଇସା ଦେବାକୁ ପଡ଼ୁଛି ।

 

ସନ୍ଧ୍ୟା ସମୟରେ ଗ୍ରାମସେବକ ବାବୁଙ୍କ ସହ ଦେଖାହେଲା ଅଙ୍ଗନବାଡ଼ି କେନ୍ଦ୍ରରେ । ସେ ମଧ୍ୟ ସେ ରାତିକୁ ରହିବେ । ଖୁସି ଲାଗିଲା ଗ୍ରାମସେବକବାବୁ ଏ ଅପହଞ୍ଚ ଇଲାକାକୁ ଆସି ରାତ୍ରିଯାପନ କରୁଥିବାରୁ । ପାଖରେ ଚାରିପାଞ୍ଚ ଜଣ ଡିଡ଼ାୟୀ ପିଲା ଗ୍ରାମସେବକ ବାବୁଙ୍କୁ ଘେରି ରହିଛନ୍ତି । କଣ କାଗଜରେ ଲେଖାଚାଲିଛି । ଭାରୁଆକୁ ପଚାରିଲୁ-ଗ୍ରାମ ସେବକ ବାବୁ କଣ କରୁଛନ୍ତି ବୋଲି । ଉତ୍ତର ଯାହା ମିଳିଲା ଆଶ୍ଚର୍ଯ୍ୟ ନହୋଇ ରହିପାରିଲୁ ନାହିଁ । ‘ଗ୍ରାମସେବକ ବାବୁ ଆସିଛନ୍ତି ଜନଗଣନା କାର୍ଯ୍ୟରେ । ଦୁଇଟି ଗାଁର ଦାୟିତ୍ୱ ତାଙ୍କ ଉପରେ । ୨୦୦ ଖଣ୍ଡେ ଘର ହେବ । ଆପଣମାନେ ଆସିଛନ୍ତି ବୋଲି ସେ ଆସିଛନ୍ତି ।’ ଉଭୟ ଗାଁର ଚାରିପାଞ୍ଚ ପିଲାଙ୍କୁ ଯୋଗାଡ଼ କରି ଜନଗଣନା ଖାତାରେ ସମୁଦାୟ ଗାଁର ଜନସଂଖ୍ୟା ଇତିହାସ ଓ ଭାଗ୍ୟ ଲେଖା ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ଭିତରେ । ଏଠି ପ୍ରାଥମିକ ଶିକ୍ଷାର ଅବସ୍ଥା ମଧ୍ୟ ତଦ୍ରୁପ । ପରିଡ଼ା ସାର୍‌ ରୋଷେଇବାସ କରୁଥିଲେ । ସେଠିକାର ସେ ଶିକ୍ଷକ । ଦୁଇଜଣ ସାର୍‌ । ଜଣେ ଛୁଟିରେ । ଏଠି ଏତେ କଷ୍ଟରେ ବସି ପାଠ ପଢ଼ାଇବା ଅପେକ୍ଷା ଛୁଟିରେ ରହିବା ବୋଧହୁଏ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥିବ । ଟେବୁଲ ଉପରେ ଦୁଇଟି ଦରଖାସ୍ତ ଛୁଟିପାଇଁ । ଆଶ୍ଚର୍ଯ୍ୟ ହେଲୁ । ଗୋଟାଏ ପରିଡ଼ା ସାର୍‌ଙ୍କ, ଆରଟା ଆଉ ଜଣଙ୍କର । ତାରିଖ ନାହିଁ । ତାରିଖ ସ୍ଥାନଟା ଖାଲି । ବୋଧହୁଏ କେହି ଯଦି ଆସନ୍ତି ତେବେ ଚଟାପଟ୍ ତାରିଖଟା ବସାଇଦେଇ ଦରଖାସ୍ତଟା ଦେଇଦେବା ବୁଦ୍ଧିମତ୍ତାର କାର୍ଯ୍ୟ । ପରିଡ଼ା ସାର୍‌ଙ୍କୁ ପଚାରିଦେଲି । ‘ଆପଣଙ୍କୁ ତ ଏଠିକୁ ଆସିବା ଖୁବ୍‌ କଷ୍ଟ ହେଉଥିବ’ । ପରିଡ଼ା ସାର୍‌ ଫାଟି ପଡ଼ିଲେ । ‘ସେଇ ଟୋକା କଲେକ୍ଟରଟା ଆଜ୍ଞା ସବୁ ବିଗାଡ଼ି ଦେଲା । ତଳେ ସ୍କୁଲଟା କାହିଁକି ? Sanction ତ ବାୟାପଡ଼ା ପାଇଁ, ଉଠୁ ସ୍କୁଲଟା । ବାସ୍‌ ଆଜ୍ଞା ସ୍କୁଲ୍‌ ଉଠି ବସିଲା ବାୟାପଡ଼ାକୁ । ଆମେ ବି । ପିଲାଛୁଆ କୁଡୁମୁଲୁଗୁମାରେ ସାତ କିଲୋମିଟର ସାଇକେଲ୍‌ରେ ଆସିବା ପୁଣି ଘାଟି ଚଢ଼ିବା ତିନି କି.ମି । ଅଭିଷପ୍ତ ଜୀବନ । ମାସକୁ ଥରେ/ଦି’ଥର ବସି କାମ ବଢ଼ାଇ ଦେଲେ ଗଲା ।’

 

‘‘ଆଉ ପାଠ ପଢ଼ା ?’’

 

‘‘ପାଠ କ’ଣ ? ଏ ଅଧା ମଣିଷ ଅଧା ପଶୁଙ୍କ ପାଖରେ ପାଠ କ’ଣ ଆଜ୍ଞା । ୮/୧୦ ବର୍ଷ ବେଳକୁ ସ୍କୁଲକୁ ବସିବେ । ୧୨/୧୪ ବର୍ଷ ବେଳକୁ ସଲପ ମୂଳକୁ ଗଲାମାନେ ପିଲା ଆଉ ହୋଇ ରହୁନି । ଧାଙ୍ଗିଡ଼ୀଶାଳରେ ମନ ଦେଇ ପାଠକୁ ଶୁନ ।’’ ଏକା ନିଃଶ୍ୱାସରେ ଓ ସଂକ୍ଷେପରେ ଗପି ଦେଇଗଲେ ପରିଡ଼ା ସାର୍‌ ।’

 

‘‘ଆସିଲା ବେଳକୁ ତ ଚାଲି ଆସନ୍ତି ଏକା ଏକା ଗଲାବେଳକୁ ପିଲାଏ କାହିଁକି ପାରେଇ ଦେଇ ବସନ୍ତି ?’’

 

ଆମେ ରାତ୍ର ଭୋଜନ ପାଇଁ ଆଗଭର ହେଲା ବେଳକୁ ଦି’ଜଣ ଡିଡ଼ାୟୀ ପିଲା ମାଠିଆରେ ସଲପ ରସ ନେଇ ଆମ ଆଗରେ ଥୋଇଲେ ।

 

 

ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ

ଭୁବନେଶ୍ୱର

 

***

 

କୋରାପୁଟର ଆଦିବାସୀ ଲୋକ ସାହିତ୍ୟ ଏକ ପରିଚୟ

ରାଜେନ୍ଦ୍ର ପାଢ଼ୀ

 

(ଆଦିବାସୀମାନଙ୍କ ଦୃଢ଼ ବିଶ୍ୱାସ ଯେ ପୃଥିବୀର ଜଡ଼ ଓ ଜୀବଜଗତ କେତେକ ଅଦୃଶ୍ୟ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ । ଏଥିପାଇଁ ଏମାନେ ଅଦୃଶ୍ୟ ଶକ୍ତିଙ୍କୁ ବିଭିନ୍ନ ଦେବଦେବୀ ରୂପେ ଉପାସନା କରିଥାନ୍ତି । ସୃଷ୍ଟି ପ୍ରାରମ୍ଭରୁ ଚଳିଆସିଥିବା ସାମାଜିକ ଓ ଧର୍ମୀୟ ଜୀବନର ଅଲିଖିତ ନୀତିନିୟମ ଓ ପ୍ରଥା ପରମ୍ପରା ଆଦି ପରବର୍ତ୍ତୀ କାଳରେ ଲୋକ ସାହିତ୍ୟର ସ୍ୱରୂପ ବହନ କରିଥାଏ । ଏହି ଆଦିବାସୀ ଜନଗୋଷ୍ଠୀଙ୍କ ନିଜସ୍ୱ ଭାଷା ଓ ସାହିତ୍ୟ ତଥା ସଂସ୍କୃତି ଯେପରି ପରମ୍ପରାପୃଷ୍ଟ ସ ପ୍ରାଣବନ୍ତ ଠିକ୍‌ ସେହିପରି ଏମାନଙ୍କ ଲୋକ ସାହିତ୍ୟ ଅଧିକ ଋଦ୍ଧିମନ୍ତ ଓ ପୁଷ୍କଳ-।)

 

ନୈସର୍ଗିକ ପ୍ରାକୃତିକ ସୁଷମାର ଗନ୍ତାଘର ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିମ ଜନଗୋଷ୍ଠୀଙ୍କ ବେଶଭୂଷା, ଚାଲିଚଳଣି, ଧର୍ମଧାରା, ଭାଷାସାହିତ୍ୟ, ନୃତ୍ୟଗୀତ ପ୍ରଭୃତି କଳାତ୍ମକବିଭବ ଯେପରି କୌତୂହଳ ସେହିପରି ସୌନ୍ଦର୍ଯ୍ୟବିମଣ୍ଡତ । ଏହି ଭୂଖଣ୍ଡର ମୋଟ ଜନସଂଖ୍ୟା ୨୯, ୯୯, ୫୮୮ ଜଣ, ତନ୍ମଧ୍ୟରୁ ୧୬, ୩୩, ୨୪୦ ଜଣ ହେଉଛନ୍ତି ଆଦିମ ଜନଗୋଷ୍ଠୀ । ଯାହାକି ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ଆଦିବାସୀ । (୧) ଓଡ଼ିଶାରେ ମୋଟ ୬୨ ପ୍ରକାରର ଆଦିବାସୀ ଜନଗୋଷ୍ଠୀ ବାସ କରୁଥିବାବେଳେ ଅବିଭକ୍ତ କୋରାପୁଟରେ ୫୧ ପ୍ରକାରର ଆଦିବାସୀ ବାସ କରନ୍ତି । ଏମାନେ ହେଲେ ଓମାନାତ୍ୟ, କନ୍ଧ, କୋୟା, ଗଣ୍ଡ, ଗାଦବା, ଜାତପୁ, ଡିଡ଼ାୟୀ, ପରଜା, ପେଣ୍ଟିଆ, ବଣ୍ଡା, ଭତରା, ଭୂମିଆ, ମାଟିଆ , ସଉରା ଆଦି ଜନଗୋଷ୍ଠୀ । ଏହି ଆଦିବାସୀ ଜନଗୋଷ୍ଠୀଙ୍କ ନିଜସ୍ୱ ଭାଷା, ସାହିତ୍ୟ ଓ ସଂସ୍କୃତି ପରମ୍ପରାପୁଷ୍ଟ ଓ ପ୍ରାଣବନ୍ତ ।

 

ଆର୍ଯ୍ୟ, ଦ୍ରାବିଡ଼ ଓ ଅଷ୍ଟ୍ରିକ୍‌, ଏହି ତ୍ରିବିଧ ଜନଗୋଷ୍ଠୀର ଭାଷା ଓ ସଂସ୍କୃତିର ମହାମିଳନ ପୀଠ ହେଉଛି କୋରାପୁଟ । ଏପରି ବହୁବିଧ ଭାଷା, ଜାତି ଓ ବର୍ଣ୍ଣର ଜନସମୁଦାୟ ଏକ ଭୂଖଣ୍ଡରେ ବାସ କରିବା ଏକାନ୍ତ ବିରଳ । କୋରାପୁଟର ଜନସମୁଦାୟ ତ୍ରିବିଧ ଗୋଷ୍ଠୀ ଏକ ମିଶ୍ର ପରିଣତି । ଗୋଟିଏ ଜନବିରଳ ସୀମିତ କ୍ଷେତ୍ରରେ ଏତେ ଜାତି, ବର୍ଣ୍ଣ ଓ ଭାଷାର ଏପରି ଜନସମାବେଶ କ୍ୱଚିତ ପରିଦୃଷ୍ଟ ହୋଇଥାଏ । (୨) ବିବିଧ ଭାଷା ଅଧ୍ୟୟନ ନିମନ୍ତେ କୋରାପୁଟ ଯେପରି ଏକ ପ୍ରଶସ୍ତ କ୍ଷେତ୍ର ସେହିପରି ଲୋକକଳା, ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନର ଏହା ପ୍ରକୃଷ୍ଟ କ୍ଷେତ୍ର । ଏହି ଜିଲ୍ଲାର ଆର୍ଯ୍ୟ, ଦ୍ରାବିଡ଼ ଓ ଅଷ୍ଟ୍ରିକ୍‌ ଜନଗୋଷ୍ଠୀଙ୍କ ଭାଷା ଓ ସଂସ୍କୃତି ଭିନ୍ନ ହେଲେ ହେଁ ସମସ୍ତେ ଏକ ସମନ୍ୱୟ ସୂତ୍ରରେ ଗ୍ରଥିତ । ପ୍ରସ୍ତୁତ ପ୍ରବନ୍ଧରେ ସୀମିତ ପରିସର ହେତୁ ଅବିଭକ୍ତ କୋରାପୁଟର ବିଭିନ୍ନ ଆଦିବାସୀଗୋଷ୍ଠୀଙ୍କ ବିପୁଳ ସାହିତ୍ୟ ସଂପଦ ମଧ୍ୟରୁ କିଞ୍ଚିତ୍‍ ଆଲୋକପାତ କରାଯାଉଛି ।

 

କୋରାପୁଟର ବିଭିନ୍ନ ଆଦିବାସୀ ସଂପ୍ରଦାୟରେ ପୁରୁଷାନୁକ୍ରମେ ମୌଖିକ ପରମ୍ପରା ରୂପେ ପ୍ରଚଳିତ ଏମାନଙ୍କ ଲୋକସାହିତ୍ୟର ବିଭିନ୍ନ ବିଭାଗ ଯଥା: ମିଥ୍‌, କାହାଣୀ, ଲୋକୋକ୍ତି ଓ ଗୀତ ସବୁର ସଂଖ୍ୟା ଅକଳନ । ଲୋକସଂସ୍କୃତି ଓ ସାହିତ୍ୟର ଲୀଳାଭୂମି ଏହି ଭୂଖଣ୍ଡ ଅନେକ ସ୍ରଷ୍ଟାଙ୍କୁ ସଫଳ ସାହିତ୍ୟ ସୃଷ୍ଟି ନିମନ୍ତେ ପ୍ରେରଣା ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜସ୍ୱ ଐଶ୍ୱର୍ଯ୍ୟ ଓ ଆବେଦନରେ ଭାରତୀୟ ଲୋକସାହିତ୍ୟ ଭଣ୍ଡାରକୁ କରିଛି ରସାଳ ଓ ସମୃଦ୍ଧ ।

 

କୋରାପୁଟର ଆଦିବାସୀ ଅଧିକାଂଶ ଅର୍ଦ୍ଧଶିକ୍ଷିତ ଓ ନିରକ୍ଷର । ଏଣୁ ଏମାନଙ୍କ ପ୍ରାଣର ଭାବାବେଗ ସ୍ୱତଃସ୍ଫୁର୍ତ୍ତ ଭାବେ ମୌଖିକ କଳାରେ ଆତ୍ମପ୍ରକାଶ କରିଥାଏ । ପାରମ୍ପରିକ ନିରକ୍ଷର ସମାଜରେ ତେଣୁ, ଆର୍ଥିକ, ସାମାଜିକ, ଧାର୍ମିକ ନୀତିନିୟମ ତଥା ଜୀବନଯାପନ ପ୍ରଣାଳୀ ସହିତ ସେମାନଙ୍କ ଦ୍ୱାରା ସୃଷ୍ଟ ମୌଖିକ କଳା ମାଧ୍ୟମରେ ଏକ ଅଭେଦ ଯୋଗସୂତ୍ର ରହିଥାଏ । (୩) ଏମାନଙ୍କ ଯୁଗ ଯୁଗର ଚିନ୍ତାଚେତନା, ସୌନ୍ଦର୍ଯ୍ୟବିଳାସ, କଳାତ୍ମକ ଅଭିରୁଚି ଓ ପାରମ୍ପରିକ ଜୀବନଧାରା ମୌଖିକ କଳା ଓ ଶିଳ୍ପ ମାଧ୍ୟମରେ ସଂରକ୍ଷିତ ରହିଥାଏ । ଅତୀତର କୌଣସି ଲିଖିତ ଦଲିଲର ଅଭାବ ସତ୍ତ୍ୱେ ଆଦିବାସୀଙ୍କ ନିଜସ୍ୱ ବ୍ୟବହାରିକ ଓ ଅଭ୍ୟାସଗତ ପରମ୍ପରାରେ ପରିପୃଷ୍ଟ ଲୋକସଂସ୍କୃତି ଓ ସାହିତ୍ୟ ହିଁ ମୌଖିକ ଇତିହାସ । ଏମାନଙ୍କ ସରଳ ଜୀବନର ଚାଲିଚଳଣି, ରୀତିନୀତି, ପ୍ରଥା ପରମ୍ପରା, ହସକାନ୍ଦ, ପ୍ରେମ ବିରହ ଓ ଦୈନନ୍ଦିନ ଜୀବନଚର୍ଯ୍ୟାର ନିଚ୍ଛକ ପରିପ୍ରକାଶ ହେଉଛି ଆଦିବାସୀ ଲୋକସାହିତ୍ୟ । ଏହାର ସୃଷ୍ଟି ମୂଳରେ ରହିଥାଏ ଆଦିବାସୀ ମଣିଷର କାବ୍ୟକଭାବାବେଗ, ସୌନ୍ଦର୍ଯ୍ୟ ପିପାସା, ସରଳ ଓ ନିଷ୍କପଟ ଜୀବନଚର୍ଯ୍ୟା । ଆଦିବାସୀ ସଂସ୍କୃତିର ଐତିହ୍ୟ ଏବଂ ତାଙ୍କର ପ୍ରଜାତିଗତ ଜୀବନଯାପନ ପ୍ରଣାଳୀର ବୈଚିତ୍ର ଆକଳନ କରିବା ଦିଗରେ ତାଙ୍କ ଭାଷାରେ ଲୋକସାହିତ୍ୟ ହେଉଛି ନିର୍ଭରଯୋଗ୍ୟ ଦଲିଲ । (୪) ଏହି ମୌଖିକ ସାହିତ୍ୟର ପରିସର ବ୍ୟାପକ, କେବଳ କଣ୍ଠରୁ କଣ୍ଠକୁ, ହୃଦୟକୁ ଗୋଟିଏ ପିଢ଼ିରୁ ଅନ୍ୟ ଏକ ପିଢ଼ିକୁ ପୁରୁଷାନୁକ୍ରମେ ଲୋକମୁଖରେ ରାଶିରାଶି ଗୀତ, କାହାଣୀ, ମିଥ୍‌, ଲୋକୋକ୍ତି, ମନ୍ତ୍ର ପ୍ରଭୃତି ଯୁଗଯୁଗଧରି ସଂଜୀବିତ ରହିଆସିଛି । ଏମାନଙ୍କ ଭାଷା ଅଲିଖିତ ପରି ଏହି ସାହିତ୍ୟର କୌଣସି ଲିଖିତ ରୂପ ନଥାଇ ବି ଏତେ କାଳ ପରମ୍ପରାକ୍ରମେ ଲୋକମୁଖରେ ସାଇତି ହୋଇ ରହିବା ମୂଳରେ ଏହାର ସାମାଜିକ ଉପାଦେୟତା, ରସ ଆବେଦନ ଓ ଚିରନ୍ତର ମୂଲ୍ୟବୋଧ ମୁଖ୍ୟତଃ ଦାୟୀ ବୋଲି କହିବାକୁ ହେବ । (୫) ଏମାନଙ୍କ ଲୋକସାହିତ୍ୟର ବିଶିଷ୍ଟ ବିଭବ ମିଥ୍‌, କାହାଣୀ, ଲୋକୋକ୍ତି ଓଗୀତ ସଂପର୍କରେ ସଂକ୍ଷିପ୍ତ ଆଲୋଚନା କରାଯାଉଛି ।

 

ମିଥ୍‌:

ମିଥ୍‌ ପୌରାଣିକ କାହାଣୀର ଚରିତ୍ରାୟନଯୁକ୍ତ ଦୈବିକ ଓ ଅଲୌକିକ ବିଷୟ ସମ୍ୱଳିତ ଗଦ୍ୟ । (୬) ଆଦିବାସୀଙ୍କ ଦୃଢ଼ ବିଶ୍ୱାସ ଯେ ପୃଥିବୀର ଜଡ଼ ଓ ଜୀବଜଗତ କେତେକ ଅଦୃଶ୍ୟ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ । ଏଥିପାଇଁ ଏମାନେ ଅଦୃଶ୍ୟ ବିଭିନ୍ନ ଦେବଦେବୀ ରୂପେ ଉପାସନା କରିଥାନ୍ତି । ସୃଷ୍ଟି ପ୍ରାରମ୍ଭରୁ ଚଳିଆସିଥିବା ସାମାଜିକ ଓ ଧର୍ମୀୟ ଜୀବନର ଅଲିଖିତ ନୀତିନିୟମ ଓ ପ୍ରଥାପରମ୍ପରା ଆଦି କାଳରେ ମିଥ୍‌, କାହାଣୀ ଓ କିମ୍ୱଦନ୍ତୀର ସ୍ୱରୂପ ବହନ କରିଥାଏ । ଆଦିବାସୀର ଅବଚେତନ ମନରେ ପୃଥିବୀ, ଜଳ, ଅଗ୍ନି, ବାୟୁ, ପଶୁପକ୍ଷୀ, ବୃକ୍ଷଲତା, ଜୀବଜନ୍ତୁ, ପାହାଡ଼ପର୍ବତ, ଚନ୍ଦ୍ରସୂର୍ଯ୍ୟ, ଗ୍ରହନକ୍ଷତ୍ର, ମାନବ ଦାନବ, ଦେବଦେବୀମାନଙ୍କ ସୃଷ୍ଟି ମୂଳକ ଅଲୌକିକ କାହାଣୀ ବଦ୍ଧମୂଳ ବିଶ୍ୱାସ ଭାବେ ବସାବାନ୍ଧି ରହିଆସିଛି । ଏମାନଙ୍କ ଏଇ ବିଶ୍ୱାସ ଓ ଧାରଣା ମାନବ ସମାଜର ଇତିହାସ ଅଧ୍ୟୟନ ନିମନ୍ତେ ନିର୍ଭରଯୋଗ୍ୟ ଉପାଦାନ ।

 

ଧର୍ମୀୟ ବିଶ୍ୱାସ ହିଁ ମିଥ୍‌ର ପ୍ରାଣ । ଆଦିବାସୀମାନେ ପ୍ରଗାଢ଼ ଧର୍ମ ବିଶ୍ୱାସୀ ହୋଇଥିବାରୁ ଏମାନଙ୍କ ଧର୍ମୀୟ ରୀତିନୀତି, ପୂଜାପାର୍ବଣ, ଦେବଦେବୀ ଉପାସନା ଓ ସୃଷ୍ଟିରହସ୍ୟ ମୂଳକ ଅସଂଖ୍ୟ ମିଥ୍‌ ପ୍ରଚଳିତ । ମିଥ୍‌ ବାହ୍ୟତଃ ଅଲୌକିକ ଘଟଣା ଓ ଆଧିଭୌତିକ ତଥା ଅଯୌକ୍ତିକ ମନେ ହେଲେ ହେଁ ଏହାର ସଂରଚନା ଭୂମିରେ ମାନବ ସମାଜର, ସାଂସ୍କୃତିକ ଓ ଯୁକ୍ତିସଙ୍ଗତ ତଥ୍ୟ ସଂଗୋପିତ ହୋଇ ରହିଥାଏ । (୭) ବିଭିନ୍ନ ଆଦିବାସୀ ସଂପ୍ରଦାୟଙ୍କ ସମାଜରେ ପ୍ରଚଳିତ ମିଥ୍‌ଗୁଡ଼ିକ ମଧ୍ୟରେ ପୃଥିବୀ ଓ ମାନବସୃଷ୍ଟି, ପୁନଃ ସର୍ଜନା, କୋୟାମାନଙ୍କ ସୃଷ୍ଟି, କୋୟାମାନଙ୍କ ଦେବୀ ମୁତ୍ୟାଲୁମ୍ମାଙ୍କ ପୂଜାରେ ବଳିପ୍ରଦାନ, ପରଜାଙ୍କ ଟୋକିପର୍ବ, କନ୍ଧଙ୍କ ମେରିଆ ପର୍ବ, ବଣ୍ଡାଦେବତା ପାଟଖଣ୍ଡା, ଦିନରାତି ସୃଷ୍ଟି, ବଣ୍ଡାରମଣୀ ଲଣ୍ଡା ଓ ଅର୍ଦ୍ଧନଗ୍ନ ରହିବା, ମାଲକାନଗିରିର ବଡ଼ଯାତ୍ରାର ସୃଷ୍ଟି, ଗଣ୍ଡଙ୍କ ଭଙ୍ଗଦେବ ଓ ଶ୍ରୀ ଜଗନ୍ନାଥ, ସଲପରସର ସୃଷ୍ଟ, ଧାନର ଆବିଷ୍କାର, ଉମରକୋଟ ପେଣ୍ଡ୍ରାଣୀ ଦେବୀ, କେନ୍ଦୁପଡ଼ାର ବୀରଖମ୍ୱ, ମାଉଳି, ରାୟଗଡ଼ାର ମଝିଘରିଆଣୀ, ଗୁପ୍ତେଶ୍ୱର, ପରଜାଙ୍କ ଦନ୍ତେଶ୍ୱର ଆଦି ଦେବଦେବୀଙ୍କ ସୃଷ୍ଟି ରହସ୍ୟ ଓ ମହିମା ସଂପର୍କୀୟ ମିଥ୍‌ମାନ ଅତ୍ୟନ୍ତ ବାସ୍ତବଧର୍ମୀ ଓ ଲୋକପ୍ରିୟ । ଆଦିବାସୀମାନଙ୍କ ଅସଂଖ୍ୟ ମିଥ୍‌ ମଧ୍ୟରୁ ତିନୋଟି ଲୋକପ୍ରିୟ ମିଥ୍‌ର ସୂଚନା ପ୍ରଦାନ କରାଯାଉଛି ।

 

ମାଲକାନଗିରିର ବଡ଼ଯାତ୍ରାର ସୃଷ୍ଟି ସଂପର୍କୀୟ କୋୟାମିଥ୍‌:-

ମାଲକାନଗିରି ଠାରେ ପ୍ରତି ଦୁଇବର୍ଷକୁ ଥରେ ଫାଲ୍‌ଗୁନମାସରେ ଯେଉଁ ବିରାଟ ଯାତ୍ରା ଅନୁଷ୍ଠିତ ହୋଇଥାଏ, ତାହା ‘ବଡ଼ଯାତ୍ରା’ ନାମରେ ପରିଚିତ । ଏହି ଯାତ୍ରାର ସୃଷ୍ଟି ସଂପର୍କୀୟ ଏକ ମିଥ୍‌ କୋୟା ସଂପ୍ରଦାୟରେ ପ୍ରଚଳିତ । ତାହା ହେଉଛି ଏକଦା ମାଲକାନଗିରି ଅଞ୍ଚଳ ଜରାସନ୍ଧ ଅସୁର ରାଜାଙ୍କ ଶାସନାଧୀନ ଥିଲା । ରାଜାଙ୍କ ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ନିମସ୍ତେ ଥରେ ଏକ ବିରାଟ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ଦେବୀଙ୍କୁ ଏକଲକ୍ଷ ବଳି ପ୍ରଦାନ କରିବାର ସଂକଳ୍ପ ନିଆଯାଇଥିଲା । ଏହା ଶୁଣି ନର, ରାକ୍ଷସ ଓ ଦେବତାଗଣ ଭୀତତ୍ରସ୍ତ ହୋଇ ପ୍ରମାଦ ଗଣିଲେ । ନିଜ ନିଜ ଜୀବନକୁ ରକ୍ଷା କରିବା ନିମନ୍ତେ ଶ୍ରୀକୃଷ୍ଣଙ୍କୁ ସମବେତ ପ୍ରାର୍ଥନା କଲେ-। ସମସ୍ତଙ୍କ ଆକୁଳ ପ୍ରାର୍ଥନା ଶୁଣି ଶ୍ରୀକୃଷ୍ଣ ଜରାସନ୍ଧଙ୍କ ଯଜ୍ଞ କରି ତାର ଗର୍ବକୁ ଖର୍ବ କରିବା ପାଇଁ ପାଣ୍ଡବ ଭ୍ରାତା ଭୀମଙ୍କ ସହ ଉକ୍ତ ଯଜ୍ଞରେ ଯୋଗ ଦେଲେ । ଯଜ୍ଞ ଧ୍ୱଂସ ହେବା ସଙ୍ଗେ ସଙ୍ଗେ ଭୀମଙ୍କ ଦ୍ୱାରା ଜରାସନ୍ଧ ନିହତ ହେଲେ । କିନ୍ତୁ ଦେବୀ ଏକଲକ୍ଷ ବଳି ନପାଇ କ୍ରୋଧାନ୍ୱିତ ହେବାରୁ ଶ୍ରୀକୃଷ୍ଣ ଦେବୀଙ୍କୁ ପ୍ରାର୍ଥନା କରି କହିଲେ, ‘ମା, ତୁମେ ଶାନ୍ତ ହୁଅ, ଏକ ବିରାଟ ଯାତ୍ରା ସମାରୋହରେ ତୁମକୁ ଏକଲକ୍ଷ ବଳି ପ୍ରଦାନ କରାଯିବ । ଅର୍ଜୁନ ଓ ଭୀମଙ୍କ ସହିତ ମୁଁ ତୁମକୁ ପାଛୋଟି ନେବି । ଏକ ବିରାଟ ଯାତ୍ରାରେ ପଥ ମଧ୍ୟରେ ବିଭିନ୍ନ ଗ୍ରାମରେ ତୁମକୁ ଏକଲକ୍ଷ ବଳି ପ୍ରଦାନ କରାଯିବ । ସମସ୍ତ ଗ୍ରାମର ଦେବଦେବୀ ଓ ପ୍ରଜାକୁଳ ତୁମକୁ ପଥପ୍ରାନ୍ତରେ ବଳି ପ୍ରଦାନପୂର୍ବକ ଅଭ୍ୟର୍ଥନା ଜଣାଇବେ ।’ ଏହାଶୁଣି ଦେବୀ ଶାନ୍ତ ହେଲେ ଓ ସେହି ଦିନଠାରୁ ଏକ ବିରାଟ ଯାତ୍ରାର ଆୟୋଜନ କରାଗଲା । ଏହା ଆଜି ମାଲକାନଗିରିର ବଡ଼ଯାତ୍ରା ରୂପେ ବିଖ୍ୟାତ । ଭକ୍ତ ମିଥ୍‌ରେ କାନମ୍‌ରାଜୁ ଶ୍ରୀକୃଷ୍ଣ, ପୋତୁରାଜୁ ଭୀମ ଓ ବାଲ୍‌ରାଜୁ ଅର୍ଜୁନ ଭାବେ କେୟାମାନଙ୍କ ପୂଜିତ । ଦେବୀ ମୁତ୍ୟାଲୁମ୍ମା ନାମରେ ମାନ୍ୟାମକୋଣ୍ଡା ପାହାଡ଼ରେ କାଲିମାଳା ଠାରେ ପୂଜା ପାଉଛନ୍ତି । ତିନି ଦେବୀଙ୍କ ପ୍ରତୀକ ରୂପେ ତିନୋଟି ବାଉଁଶ ଗଜାକୁ ମୟୂରପୁଚ୍ଛ ଦ୍ୱାରା ସଚ୍ଚିତ କରି ଏକ ସୁସଜ୍ଜିତ ବିମାନରେ କାଲିମେଳାର ମାନ୍ୟାମକୋଣ୍ଡା ପାହାଡ଼ରୁ ଦେବୀଙ୍କୁ ମାଲକାନଗିରିର ମାଉଳିଦେବୀଙ୍କ ମନ୍ଦିରକୁ ପାଛୋଟି ଆଣାଯାଏ । ଦୀର୍ଘପଥ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ହଜାର ହଜାର ଛେଳି, ମେଣ୍ଡା, କୁକୁଡ଼ା, ପାରା ଆଦି ବଳି ପ୍ରଦାନ ପୂର୍ବକ ଦେବୀଙ୍କୁ ଅଭ୍ୟର୍ଥନା ଜଣାଇବା ପରମ୍ପରା ପ୍ରଚଳିତ । ଅଭ୍ୟର୍ଥନାର ପୁରୋଧା ଭାବେ ମଧ୍ୟପ୍ରଦେଶ ଅନ୍ତର୍ଗତ ବସ୍ତରର ସୁକୁମାର ରାଜା ଯୋଗ ଦେଇଥାନ୍ତି । ପ୍ରତ୍ୟେକ ଗ୍ରାମର ଦେବଦେବୀଙ୍କ ଲାଠିମାନ ମାଲକାନଗିରି ମାଉଳି ମନ୍ଦିରରେ ସମବେତ ହୁଏ । ଉକ୍ତ ମିଥ୍‌ଟି କୋୟାମାନଙ୍କ ଧର୍ମୀୟ ବିଶ୍ୱାସ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଥିରେ ପୌରାଣିକ ସତ୍ୟତା କ୍ଷୀଣ ହେଲେ ହେଁ ଆଦିବାସୀଙ୍କ ଧର୍ମୀୟ ବିଶ୍ୱାସକୁ ବଳିଷ୍ଠ କରିବାରେ ବିଶେଷ ସହାୟକ ।

 

କୋୟାମାନଙ୍କ ଆଦିପିତା ଭୀମ:

ମହାକାବ୍ୟ ରାମାୟଣ ଓ ମହାଭାରତକୁ ନେଇ କୋରାପୁଟର ବିଭିନ୍ନ ଆଦିବାସୀଙ୍କ ସମାଜରେ ବହୁ କାହାଣୀ, କିମ୍ୱଦନ୍ତୀ ଓ ମିଥ୍‌ ଗଢ଼ି ଉଠିଛି । ବାଳିବଧ, ଗୁପ୍ତେଶ୍ୱରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ଶିବଲିଙ୍ଗ ସ୍ଥାପନ, ଜନକନନ୍ଦିନୀ ଅଭିଶାପରେ ବଣ୍ଡାରମଣୀ ଲଣ୍ଡିତା ଓ ଅର୍ଦ୍ଧନଗ୍ନ । ରହିବା, ବଣ୍ଡା ପାହାଡ଼ର ସୀତାକୁଣ୍ଡା ପ୍ରଭୃତି ପ୍ରସଙ୍ଗ ଯେପରି ରାମାୟଣ ଆଧାରିତ ସେହିପରି ମହାଭାରତ ସହ ସାମଞ୍ଜସ୍ୟ ଥାଇ ଆଦିବାସୀ ସମାଜରେ କେତେକ ମିଥ୍‌ ଓ ଲୋକକଥା ପ୍ରଚଳିତ । ମାଲକାନଗିରି ଅଞ୍ଚଳର କୋୟାମାନଙ୍କ ବିଶ୍ୱାସ ଯେ, ଏମାନେ ପାଣ୍ଡବ ଭ୍ରାତା ଭୀମସେନଙ୍କ ଔରସରୁ ଜନ୍ମିତ ସନ୍ତାତ । ମିଥ୍‌ଟି ହେଲା: ପାଣ୍ଡବମାନଙ୍କ ବନବାସ କାଳରେ ଭୀମସେନ ଏକ କୋୟା ରମଣୀକୁ ବିବାହ କରିଥିଲେ । ତାଙ୍କ ଗର୍ଭରୁ କୋୟାମାନଙ୍କ ଜନ୍ମ । ଏମାନଙ୍କ ଦୃଢ଼ ବିଶ୍ୱାସ ଯେ, ତାଙ୍କ ପିତା ଭୀମାଦୋରା ବା ପୋତୁରାଜୁ (ଭୀମସେନ) ଗ୍ରୀଷ୍ମ ଋତୁରେ ବଳିଆ କୁକୁର ବାହନରେ କୋୟାମାନଙ୍କ ସୁଖଦୁଃଖ ବୁଝିବା ନିମନ୍ତେ ଭ୍ରମଣ କରିବାକୁ ଆସନ୍ତି । ଏଣୁ ଏମାନେ ଜଙ୍ଗଲର ବଳିଆ କୁକୁର ଯେତେ ଅନିଷ୍ଟ କଲେ ମଧ୍ୟ ତାହାକୁ ମାରନ୍ତି ନାହିଁ । ଏମାନେ ଅନାବୃଷ୍ଟି ସମୟରେ ଭୀମଙ୍କୁ ବର୍ଷାର ଦେବତା ଭାବେ ପୂଜା କରିବା ପରମ୍ପରା ରହିଛି । ମହାଭାରତରେ ବର୍ଣ୍ଣିତ ଭୀମସେନ ଓ ହିଡ଼ିମ୍ୱିକା କନ୍ୟା ପ୍ରସଙ୍ଗ କୋୟାମାନଙ୍କ ଉକ୍ତ ମିଥ୍‌ର ବହୁ ସାମଞ୍ଜସ୍ୟ ରହିଛି । ଉପରୋକ୍ତ ମିଥ୍‌ଗୁଡ଼ିକ ବ୍ୟତୀତ ଆଦିବାସୀ ସମାଜରେ ବିଭିନ୍ନ ଦେବଦେବୀଙ୍କ ସୃଷ୍ଟି ରହସ୍ୟ, ବଳିପ୍ରଥାର ସୃଷ୍ଟି ସଂପର୍କିତ ମିଥ୍‌ମାନ ଏମାନଙ୍କ ସାମାଜିକ ଓ ଧର୍ମୀୟ ବିଶ୍ୱାସକୁ ସୁଦୃଢ଼ କରିଆସିଛି ।

 

ଆଦିବାସୀ କାହାଣୀ:

ମୌଖିକ କଳାର ଗଦ୍ୟରୂପ ହେଉଛି ଲୋକକାହାଣୀ । ଆଦିବାସୀମାନଙ୍କ ଗୀତ ତୁଳନାରେ କାହାଣୀର ସଂଖ୍ୟା ସ୍ୱଳ୍ପ । କୋରାପୁଟର ବିଭିନ୍ନ ଆଦିବାସୀଙ୍କ କାହାଣୀମାନ ମୁଖ୍ୟତଃ ପୌରାଣିକ, ସାମାଜିକ, କିମ୍ୱଦନ୍ତୀମୂଳକ, କାଳ୍ପନିକ ରାଜାରାଣୀ କାହାଣୀ ଓ ପଶୁପକ୍ଷୀ ସଂପର୍କିତ । ଲୋକ କାହାଣୀର ଦ୍ରୁତ ପରିବର୍ତ୍ତନଶୀଳତା ହେତୁ ନିର୍ଦ୍ଦିଷ୍ଟ କାହାଣୀ ବିଭିନ୍ନ ଜାତି, ସଂପ୍ରଦାୟ ଓ ଭୂମିରେ ଭିନ୍ନ ଭିନ୍ନ ଧାରଣ କରିଥାଏ । କଥକ କଥିକା ନିଜ ରୁଚି ଅନୁଯାୟୀ ଏହାର ଆଙ୍ଗିକ ଓ ଆତ୍ମିକରେ ପରିବର୍ତ୍ତନ ଘଟାଇଥାନ୍ତି । ବିଭିନ୍ନ ଜନଗୋଷ୍ଠୀଙ୍କ କଥାବସ୍ତୁରେ କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ।

 

କୋରାପୁଟ ଆଦିବାସୀଙ୍କ କଥିତ ବହୁ କାହାଣୀରେ ରାଜାରାଣୀ, ମନ୍ତ୍ରୀପୁଅ, ସାଧବପୁଅ, ଭୂତପ୍ରେତ, ଅସୁର ଦୈତ୍ୟ, ଚୋର ଠକ, ସର୍ପମତ୍ସ୍ୟ, ପଶୁପକ୍ଷୀ ଇହ ଜୀବନ ପରଜୀବନ, ଧାର୍ମିକ ରୀତିନୀତି, ପୌରାଣିକ ଆଖ୍ୟାନ, ସାମାଜିକ ପ୍ରଥା ଓ ବହୁ ରହସ୍ୟମୟ ବିଷୟବସ୍ତୁ ପାଇଥାଏ । ସ୍ଥାନୀୟ କଥକ କଥିକା ବିଭିନ୍ନ କାହାଣୀରେ ନିଜ ଜନଗୋଷ୍ଠୀର ଚାଲିଚଳଣି, ଧର୍ମୀୟ ରୀତିନୀତି ଓ ସଂସ୍କୃତିର ରଙ୍ଗବୋଳି ଏହାକୁ ଅଧିକ ରସମୟ ଓ ଭାବମୟ କରିବାରେ ସଫଳ ହୋଇଥାନ୍ତି । ଆଞ୍ଚଳିକ ସାଂସ୍କୃତିକ ଉପାଦାନର ଉପଯୋଗ କାହାଣୀର ଆବେଦନ ବୃଦ୍ଧି କରିବାରେ ସହାୟକ ହେବା ସ୍ୱାଭାବିକ । (୮) ଆଦିବାସୀଙ୍କ ଅଧିକାଂଶ କାହାଣୀ ଧର୍ମୀୟ ଭିତ୍ତିଭୂମି ଉପରେ ପର୍ଯ୍ୟବସିତ । ଏସବୁର ଅନ୍ତଃସ୍ୱର ଧର୍ମର ଜୟ ଓ ପାପର କ୍ଷୟ ବାଣୀ ଆଦିବାସୀ ସରଳ ମଣିଷକୁ ଅନ୍ୟାୟ, ଅଧର୍ମ, ଓ ପାପକାର୍ଯ୍ୟରୁ ନିବୃତ୍ତ କରିବାରେ ବିଶେଷ ସହାୟକ ହୋଇଥାଏ । ଏଠାରେ ଏଇ ମର୍ମର ଏକ ଭୂମିଆ ସଂପ୍ରଦାୟର କାହାଣୀ ଅବତାରଣା କରାଯାଇଛି । ‘ଭଣ୍ଡବାବାଜି କଥା’ ନାମରେ ଏହି କାହାଣୀଟି କୋରାପୁଟର ଭୂମିଆ ଆଦିବାସୀଙ୍କ ମଧ୍ୟରେ ଅଧିକ କଥିତ ହେଉଥିଲେ ହେଁ ପେଣ୍ଟିଆ ଓ ମାନାତ୍ୟ, ପରଜା ପ୍ରଭୃତିଙ୍କ ମଧ୍ୟରେ ପ୍ରଚଳିତ ଥିବା ଜଣାଯାଏ ।

 

କୋରାପୁଟର ବିଭିନ୍ନ ଆଦିବାସୀ ସଂପ୍ରଦାୟରେ ଯେଉଁ ଲୋକପ୍ରିୟ କାହାଣୀମାନ ପ୍ରଚଳିତ ତନ୍ମଧ୍ୟରେ କକଡ଼ାକକଡ଼ି କଥା, ଭାଇ ଭଉଣୀ କଥା, ସଉରାନାରୀର ସାହସ କଥା, କନ୍ଧ ବୁଢ଼ା ଓ ବାଘ କଥା, ଅନ୍ଧରାଜା କଥା, ବନକୁମର, ମାଙ୍କଡ଼ ଓ ବାଣ କଥା, ବଣ୍ଡାଗାଦବା ଦୁଇଭାଇ, ପେଚା ଅଶୁଭ, ଉଦ୍ୟାନ ରାଜା କଥା, ଶୁଆଶାରି କାହାଣୀ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏତଦ୍‌ବ୍ୟତୀତ ରାମାୟଣ ଓ ମହାଭାରତର ଚିତ୍ତାକର୍ଷକ ଆଖ୍ୟାନମାନ ଆଦିବାସୀ ସଂସ୍କୃତି ସହ ଖାପ ଖୁଆଇ ଲୌକିକ ସ୍ତରକୁ ଓହ୍ଲାଇଆସିଛି । ଏହି କାହାଣୀ ସବୁ ଆଦିବାସୀ ସରଳ ପ୍ରାଣକୁ ଆମୋଦିତ ଓ ରସାପ୍ଲୁତ କରିବା ସଙ୍ଗେ ସଙ୍ଗେ ଲୋକଶିକ୍ଷା ପ୍ରଦାନ କରିବାରେ ସକ୍ଷମ ହୋଇଥାଏ-

 

ଆଦିବାସୀ କାଥାନୀ (ମୌଖିକ ଲୋକକାବ୍ୟ)

କୋରାପୁଟ ଭୂମିଆ, ପେଣ୍ଟିଆ, ଭତରା, ମାଟିଆ, ଓ ମାନ୍ୟତା, ପରଜା ପ୍ରଭୃତି ଦେଶିଆ ଭାଷାଭାଷୀ ଗୋଷ୍ଠୀରେ ଦୀର୍ଘ ଆଖ୍ୟାନମୂଳକ କାହାଣୀର ପଦ୍ୟରୂପ ଉପଲବ୍ଧ । ଏହାକୁ ‘କାଥାନୀ’ କୁହାଯାଏ । ଆଦିବାସୀ ମୌଖିକ ଲୋକକାବ୍ୟ ନାମରେ ନାମିତ କରାଯାଇଥିବା ଲୋକ ସାହିତ୍ୟର ଏହି ବଳିଷ୍ଠ ବିଭବଟି ଆଦିବାସୀ ମୌଖିକ ପରମ୍ପରାର ଏକ ଅନାଲୋଚିତ ଦିଗ । ମିଥ୍‌ସହ ଲୋକକାବ୍ୟର ଯୋଗସୂତ୍ର ରହିଛି । ଆଦିବାସୀ ଗୋଷ୍ଠୀର ଐତିହ୍ୟ ତଥା ତାର ସଂପର୍କ ଓ ସଂଘର୍ଷର ଇତିହାସକୁ ମୌଖିକ କାବ୍ୟ ରୂପେ ଗାଏ । (୯) ଏଥିରେ ରାମାୟଣ, ମହାଭାରତ ପ୍ରଭୃତି ପୁରାଣର ଚିତ୍ତାକର୍ଷକ ଆଖ୍ୟାନ, ରାଜାରାଣୀଙ୍କ ଚରିତ୍ର, ସ୍ଥାନୀୟ ଦେବଦେବୀଙ୍କ ସୃଷ୍ଟି ରହସ୍ୟ ଓ ମହିମା, ପଶୁପକ୍ଷୀ କାହାଣୀ ଓ ଆଦିବାସୀଙ୍କ ସ୍ୱପ୍ରଜାତିଗତ ଐତିହ୍ୟ ବିଷୟ ବର୍ଣ୍ଣିତ । କୋରାପୁଟର ଗୀତ କୁଡ଼ିଆ ଓ ଗୀତକୁଡ଼ିଆନୀ (ପୁରୁଷ ଓ ସ୍ତ୍ରୀ କଳା ବିଶେଷଜ୍ଞ)ମାନେ ବିଭିନ୍ନ ସାମାଜିକ ଓ ଧର୍ମୀୟ ଅନୁଷ୍ଠାନଗୁଡ଼ିକରେ ରାତିସାରା ଏହି ‘କାଥାନୀ’ ଗାନ କରି ଆଦିବାସୀ ଜନତାଙ୍କୁ ରାତିସାରା କାବ୍ୟରସରେ ବାନ୍ଧି ରଖିବାର ସକ୍ଷମ ହୋଇଥାନ୍ତି । ଏହି କଳା ବିଶେଷଜ୍ଞମାନେ ଦୁଇ ପ୍ରକାର, ଯଥା: ଜାତିଭିତ୍ତିକ ଓ ଜାତି ନିରପେକ୍ଷଭିତ୍ତିକ । ପଶ୍ଚିମ ଓଡ଼ିଶାରେ ମରାଇ, ଗୁରୁମାଏ, ପରଘନିଆ ଓ ଦେବଗୁନିଆ ନାମରେ ନିର୍ଦ୍ଧିଷ୍ଟ ସଂପ୍ରଦାୟର କଳା ବିଶେଷଜ୍ଞମାନେ ଏହି ମୌଖିକ କାବ୍ୟ ଗାନ କରିଥାନ୍ତି । (୧୦) କୋରାପୁଟର ଏହି କଳା ବିଶେଷଜ୍ଞମାନେ ପାରିଶ୍ରମିକ ଭାବେ କିଛି ଟଙ୍କା, ଧାନ, ଚାଉଳ ଓ ଲୁଗାପଟା ଯଜମାନଙ୍କ ଠାରୁ ପାଇଥାନ୍ତି ।

କୋରାପୁଟର ‘କାଥାନୀ’ରେ ଲକ୍ଷ୍ମୀପୂଜା, ରାମବନବାସ, ପାଣ୍ଡବ ବନବାସୀ, ଲବକୁଶ, ଚନ୍ଦ୍ରାବତୀ, ସାଧବରାଜା, ସତର ବରରାଜା, ବନ କୁମର, ରତ୍ନାବତୀ, ଉଦ୍ୟାନ ରାଜା, ମୂଷାରାଜା, ବଟବାମୁନ ଓ ଅରଜୁନ କାଥାନୀ, କଟକବାଲି, ବୀର ବିକ୍ରମ ରାଜା, ରାଣ୍ଡି ବାମୁନାନୀ ପ୍ରଭୃତି ପ୍ରସଙ୍ଗ ଗାନ କରାଯାଏ । ଏହି ଆଖ୍ୟାନଧର୍ମୀ କାହାଣୀ ମୁଖ୍ୟତଃ ରାଜାରାଣୀଙ୍କ ଚରିତ ସମ୍ୱଳିତ ଦୀର୍ଘ ଉପାଖ୍ୟାନ ହୋଇଥିବାରୁ ଆଦିବାସୀ ସମାଜର ରାଜାରାଣୀ କାଥାନୀ ନାମରେ ପରିଚିତ । ଲୋକକାବ୍ୟର ସକଳ ବିଭବରେ ମଣ୍ଡିତ ଏହି ମୌଖିକ ଲୋକକାବ୍ୟର କଳାତ୍ମଳ ସୌନ୍ଦର୍ଯ୍ୟ, ରସବୋଧ, ସାଙ୍ଗୀତିକତା ଗାୟନ ପରିପାଟୀରେ ଉତ୍କର୍ଷତା ଓ ଚମତ୍କାରିତା ହେତୁ ଆଦିବାସୀ ଜନସମାଜକୁ ଆମୋଦିତ ଓ ଆନ୍ଦୋଳିତ କରିଥାଏ ।

 

ଆଦିବାସୀ ଲୋକାକ୍ତି:

ଲୋକାକ୍ତି ପ୍ରଚଳନ ବହୁ ପ୍ରାଚୀନ । କେତେକ ପଣ୍ଡିତଙ୍କ ମତରେ ଏହା ଲୋକ ସାହିତ୍ୟର ପ୍ରାଥମିକ ଓ ବରିଷ୍ଠ ବିଭାଗ । (୧୧) ମାନବ ସମାଜର ଯୁଗ ଯୁଗର ଅନୁଭୂତି ପ୍ରସୂତ ଚିନ୍ତା ଓ ଚେତନା ସମ୍ୱଳିତ ସଂକ୍ଷିପ୍ତ ଅଥଚ ପ୍ରଭାବଶାଳୀ ଉକ୍ତି ଭାବେ ଏଥିରେ ବିଦ୍ରୁପ, ରସବୋଧ, ସୌନ୍ଦର୍ଯ୍ୟଚେତନା ଓ ଲୋକଚେତନାର ପରିପ୍ରକାଶ ଘଟିଥାଏ । ନିରକ୍ଷର ସମାଜର ଏହା ଲୋକବିଶ୍ୱାସ, ଚଳଣି ଓ ପରଂପରାର ଧାରକ ଓ ବାହକ ରୂପେ ଲୋକସମାଜରେ ପ୍ରଚଳିତ ହୋଇଆସିଥାଏ । କୋରାପୁଟର ଆଦିବାସୀ ଲୋକାକ୍ତି ଏମାନଙ୍କ ଦୈନନ୍ଦିନ ଜୀବନାନୁଭୂତିରୁ ସୃଷ୍ଟି ହୋଇଥିବାରୁ ଏଥିରେ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମୀୟ ଓ ଗୋଷ୍ଠୀଗତ ଜୀବନର ସ୍ୱରୂପ ଉଦ୍‌ଘାଟିତ ହୋଇଥାଏ । ଏହା ଅତ୍ୟନ୍ତ ରସପୂର୍ଣ୍ଣ ଓ ଚିତ୍ରଧର୍ମୀ ପଦେ/ଦିପଦ ଉକ୍ତି । ଏଥିରେ ଆଦିବାସୀ ପାଣ୍ଡିତ୍ୟ, ରସିକତା ଓ ଅନ୍ତର୍ଦୃଷ୍ଟି ନିହିତ ଥାଏ ।

 

କୋରାପୁଟର ଆଦିବାସୀ ଲୋକାକ୍ତି ମଧ୍ୟରେ ଢଗଢମାଳି, ପ୍ରବାଦପ୍ରବଚନ ଓ ନାଁଦିଆ ପ୍ରଧାନ । ଏହି ସବୁର ବିଷୟଗତ ପରିସର ଅତ୍ୟନ୍ତ ବ୍ୟାପକ । ଏହିସବୁ ଆଦିବାସୀ ଜୀବନର ଦ୍ୱନ୍ଦ, ଉତ୍କଣ୍ଠା, ଜାତିଗତ ମତଭେଦ, ବ୍ୟକ୍ତିଗତ ସାମର୍ଥ୍ୟ, ଚେରମୂଳୀ ଔଷଧୀୟ ତଥ୍ୟ, ପାଣିପାଗ, ଋତୁ ପରିବର୍ତ୍ତନ ଖାଦ୍ୟଶସ୍ୟ, ସାମାଜିକ ବିଧିବିଧାନ ଉଚିତ ଅନୁଚିତ, କୃଷି ପ୍ରସଙ୍ଗ ଆଦି ବିଷୟକୁ ନେଇ ସୃଷ୍ଟି । ଆଦିବାସୀର ସୁଖ ଦୁଃଖ, ଅଭାବ ଅନଟନ, ଦାରିଦ୍ର୍ୟର ନିଚ୍ଛକ ଚିତ୍ର ବହୁ ଢଗଢମାଳି ଓ ପ୍ରବାଦପ୍ରବଚନରେ ପ୍ରତିଫଳିତ । ସେ ଲହୁଲୁହାଣ ହୋଇ ହାଡ଼ଭଙ୍ଗା ପରିଶ୍ରମ କରି ମଧ୍ୟ ମୁଠାଏ ଦାନା ଓ ଖଣ୍ଡିଏ କନା ପାଇପାରେ ନାହିଁ । ଏହି କଥା ଆଦିବାସୀ କଣ୍ଠରୁ ନିଃସୃତ ହୋଇଛି:

 

ରକତ ହେଲେ ଅକତ ନାଇଁ ଅକତ ହେଲେ ରକତ ନାଇଁ । ଅର୍ଥାତ୍‌, ଯେତେ ଯାହା କଲେ ବି ସବୁବେଳେ ନିଅଣ୍ଟ ।

 

କେତେକ ବ୍ୟକ୍ତି ହାତରେ ଧନ ନଥାଇ ବହୁ ଆଡ଼ମ୍ୱରପୂର୍ଣ୍ଣ ଯୋଜନାମାନ କଳ୍ପନା କରିଥାନ୍ତି । ଏପରି ଲୋକମାନଙ୍କ ଉଦ୍ଦେଶ୍ୟରେ ବ୍ୟଙ୍ଗାତ୍ମକ ଭାବେ କୁହାଯାଇଛି:

 

ଘରେ ନାଇଁ ରନ୍ଧା ଦୁଆର ଭଇଁଷା ବନ୍ଧା ।

ଅର୍ଥାତ୍‌: ହାତରେ ନଥାଇ ଧନ ପୁଅ ବାହା କରି ମନ ।

 

ମଣିଷକୁ ପେଟ ଚାଖଣ୍ଡେ ପାଇଁ ସବୁକିଛି କାମ କରିବାକୁ ପଡ଼େ । ଏ ପ୍ରସଙ୍ଗରେ ପ୍ରଚଳିତ ରହିଛି:

 

ପେଟ କାକୁର୍ତିକି ମାଟିଆ ଯୋଗୀ ।

 

ଅର୍ଥାତ୍‌, ପେଟ ବିକଳରେ ମାଟିଆ ବି ଯୋଗୀ ହୋଇଯାଏ ।

 

କେତେକ ଚାଲାକ ଲୋକ ଥାନ୍ତି, ଯେଉଁମାନେ କି ସ୍ୱଳ୍ପ ଆୟ ଓ ପରିଶ୍ରମରେ ସବୁକିଛି ପାଇଥାନ୍ତି । ଏହି ଚତୁର ଲୋକମାନଙ୍କୁ ଲକ୍ଷ୍ୟ କରି ଆଦିବାସୀ ଲୋକକବି କହିଛି:

 

ନନାର ବୁଆ ନିକ ଜାନେ

କଣ୍ଡା ଦେଇ ଚାଉଲ ଆନେ ।

 

ଅର୍ଥାତ୍‌, କେରାଣ୍ଡି ଫିଙ୍ଗି ଶେଉଳ ଟାଣିବା ।

 

ଆମ ସମାଜରେ ଧନୀ ଲୋକମାନଙ୍କ କଥା ମୂଲ୍ୟହୀନ ହୋଇଥିଲେ ହେଁ ବେଦର ଗାର-। କିନ୍ତୁ, ଗରିବମାନଙ୍କ କଥାରେ ଯେତେ ଗୁରୁତ୍ୱ ଥିଲେ ହେଁ ତାହା ଅସାର । ଏ ମର୍ମରେ ଏକ ପ୍ରବଚନ:

 

ଧନୀଘର କଥା ମୁକି

ଦୁଃଖୀର କାଥା ଫୁକି ।

 

ଅର୍ଥାତ୍‌, ଧନୀର କଥା ବେଦର ଗାର, ଗରିବର କଥା ସବୁ ଅସାର । କେତେକ ବ୍ୟକ୍ତି ବାହ୍ୟତଃ ଚିକ୍‌କଣ ଓ ଅମୃତତୁଲ୍ୟ କହିଥାନ୍ତି କିନ୍ତୁ, ସେମାନଙ୍କ ଅନ୍ତରରେ କପଟତା ରହିଥାଏ । ଏହି ଲୋକଙ୍କ ପ୍ରତି ବ୍ୟଙ୍ଗାତ୍ମକ ଭାବେ କୁହାଯାଇଛି:

 

ଦେଖ୍‌ବାକେ ଫୁଲଗଭା

ଭିତରେ ରବ୍‌ରବା ।

 

ଅର୍ଥାତ୍‌, ଉପର ଅମୃତ ଭିତର ବିଷ ।

 

କୌଳିକ ବୃତ୍ତିଧାରୀଙ୍କ ପାଇଁ ଉଚିତ ଅନୁଚିତ ପ୍ରସଙ୍ଗରେ ପ୍ରଚଳିତ ପ୍ରବାଦଟି ହେଉଛି:

 

ମାଲୀଘରର ଛେଲି କୁମ୍ଭୀର ଘରର ଘୋଡ଼ା

ତନ୍ତ୍ରୀ ଘରର ମାଙ୍କଡ଼ ଏ ତିନି ହେଉଛେ ଘରବୁଡ଼ା ।

 

ଅର୍ଥାତ୍, ମାଳୀ ଘରର ଛେଳି, କୁମ୍ଭାର ଘରର ଓ ତନ୍ତୀଘରର ମାଙ୍କଡ଼ ଏ ତିନି ସର୍ବନାଶ କରିଥାନ୍ତି ।

 

କୋରାପୁଟର ଅଧିକାଂଶ ଆଦିବାସୀ ସଂପ୍ରଦାୟରେ ମାମୁ ଝିଅକୁ ବାହାହେବା ପରମ୍ପରା ରହିଛି । ଏଣୁ ମାମୁଁଝିଅ ଉତ୍ତମ ପାତ୍ରୀ ଭାବେ ବିବେଚିତ । ଏ ସମ୍ପର୍କରେ ପ୍ରବାଦଟି:

 

ମାମାଝି ଗୁଡ଼ ଘି ।

 

ଅର୍ଥାତ୍‌, ମାମୁଁ ଝିଅ ଗୁଡ଼ ଘିଅ ପରି ଭଲ ।

 

କୃଷି ପ୍ରସଙ୍ଗକୁ ନେଇ ବହୁ ଢଗଢମାଳି ଓ ପ୍ରବାଦ ପ୍ରବଚନର ସୃଷ୍ଟି । ବୁଣାଚାଷ ଅପେକ୍ଷା ରୁଆଚାଷରେ ଅଧିକ ଫସଲ ଅମଳ ହୋଇଥାଏ । ଏଣୁ ଲୋକକବି କହିଛି:

 

ଯା’ର ପଲ୍ଲା ତା’ର ଖଲା ।

 

ଅର୍ଥାତ୍‌, ରୁଆଚାଷ ଯାହାର ଖଳା ଭର୍ତ୍ତି ତାହାର ।

 

କୋରାପୁଟର ବିଭିନ୍ନ ଆଦିବାସୀ ସଂପ୍ରଦାୟରେ ଅସଂଖ୍ୟ ଲୋକାକ୍ତି କେବଳ ମୌଖିକ ପରମ୍ପରାରେ ବଞ୍ଚିରହିଛି । ଆଦିବାସୀଙ୍କ ଜୀବନଚର୍ଯ୍ୟା ପରି ଏହିସବୁର ଭାଷା ସରଳ ଓ ସାବଲୀଳ-। ଏହା ବ୍ୟଙ୍ଗ ବିଦ୍ରୂପ ଓ ହାସ୍ୟରସ ମାଧ୍ୟମରେ ଆଦିବାସୀ ପ୍ରାଣରେ ଅପୂର୍ବ ଚେତନା ଜାଗ୍ରତ କରିବାରେ ସକ୍ଷମ ହୋଇଥାଏ । ଆଦିବାସୀ ସଙ୍ଗୀତର ଭାବୋଚ୍ଛ୍ୱାସ ଓ ପ୍ରାଣସ୍ପର୍ଶୀ ଆବେଗ ପରି ଏମାନଙ୍କ ଲୋକୋକ୍ତିର ସରଳ ଭାବାବେଗ ଓ ରସବୋଧ ସର୍ବକାଳୀନ ମୂଲ୍ୟ ବୋଧ ବହନକରି ଏଯାବତ୍‌ ଲୋକମୁଖରେ ଉଜ୍ଜୀବିତ ରହିଆସିଛି ।

 

ନାଁଦିଆ କୋରାପୁଟ ଆଦିବାସୀ ସମାଜରେ ‘ଧନ୍ଦା’ ବା ‘ବାକ୍‌ନା’ ରୂପେ ପରିଚିତ । ଏଥିରେ ବୁଦ୍ଧିର ପରୀକ୍ଷଣ, ଜ୍ଞାନର ଅନୁଶୀଳନ ଓ ହାସ୍ୟରସର ପରିପ୍ରକାଶ ଘଟିଥାଏ । ଏହା ମୁଖ୍ୟତ୍ଃ ନିତ୍ୟବ୍ୟବହାର୍ଯ୍ୟ ବସ୍ତୁ, ମଣିଷ, ଜୀବଜନ୍ତୁ, ସୂର୍ଯ୍ୟଚନ୍ଦ୍ର, ଜଳ, ଅଗ୍ନି, ଜଳ, ଦେବଦେବୀ, ବୃକ୍ଷଲତା ପ୍ରଭୃତି ଉପରେ ପର୍ଯ୍ୟବସିତ ପ୍ରଶ୍ନ । ପ୍ରଶ୍ନକର୍ତ୍ତା ଗଦ୍ୟ ଓ ପଦ୍ୟଧର୍ମୀ ପ୍ରଶ୍ନ ପଚାରି ଶ୍ରୋତାଙ୍କ ବୁଦ୍ଧି ପରୀକ୍ଷା କରିଥାନ୍ତି ।

ଏଠାରେ ନମୁନା ସ୍ୱରୁପ ତିନୋଟି ନାଁଦିଆର ସୂଚନା ପ୍ରଦାନ କରାଯାଉଛି:

 

ଝିକି ହେଲା ବାର୍‌ ବରଷ୍‌

ମାଆ ହୋଇଲା ବୁଢ଼ୀ

ଆଇର ମୁଣ୍ଡେଇ ବାଲ୍‌ ପାଚିଲାନି

ଦେଖ୍‌ବ ଆସା ହୋ ଖୁଡ଼ୀ ।

 

ଉତ୍ତର: ମକା

 

କେତେକ ନାଁଦିଆ ଅତ୍ୟନ୍ତ ଜଟିଳ । ପୂର୍ବଜ୍ଞାନ ଓ ଅଭିଜ୍ଞତା ବିନା ଉତ୍ତର ଦେବା କଷ୍ଟସାଧ୍ୟ । ଯଥା:

 

ଶଏ ଟାକା ଦେଇ ଗଢ଼େଇଲି ନାଲି

ଚଅକ ଚନ୍ଦନ ଥିଲା

ତୁ ଗଜାଗଡ଼ର ଜିଆଦ ମାଇଲି

ଚାଲରୁ ଶବର ଗଲା

ଏହାର ଅରଥ ବତାଇ ଦେଲେ କାଇ

ତୋକେ ଯଜମାନ ମୋର ।

 

ଉତ୍ତର: ବିଜୁଳି

 

କୋରାପୁଟର ଗୀତ କୁଡ଼ିଆ ତାର କୁଡ଼ିଆନୀକୁ ଗୀତରେ ବି ନାଁଦିଆର ପ୍ରୟୋଗ କରିଥାଏ ।

 

ଯଥା:

 

ଅକର ଭିତରେ ପୋକରିପାନି

ଜଲଦ ଭିତରେ ରାନୀ

ଏ ଧନ୍ଦା କହ ଆଲେ ଗୀତକୁଡ଼ିଆନୀ

ତୁଇ ମାଇଜି ବୋଲି ମୁଇଁ ଜାନି

 

ଉପରୋକ୍ତ ପ୍ରଶ୍ନର ଉତ୍ତର ଗୀତ ମାଧ୍ୟମରେ ଗୀତକୁଡ଼ିଆନୀ ଦେଇ ଗାଇଥାଏ:

 

ଶିରିଶିରି ଭଅଁରୀ ଅଦ୍ୟାନ ବଡ଼େ ଟାନ

ଗିରିନାକ ବାଟ ମିଲିସି

ଜରିନା ନମିଲେ ବାଟ ।

 

ଉତ୍ତର:ମାଛ ।

 

ଏହି ନାଁଦିଆସବୁ ଯେପରି ବୁଦ୍ଧିର ପରିମାପକ, ସେହିପରି କୌତୂହଳପ୍ରଦ । ଏମାନଙ୍କ ଢଗଢମାଳି, ପ୍ରବାଦ ପ୍ରବଚନ, ନାଁଦିଆ ପ୍ରଭୃତି ସାମାଜିକ ଓ ଧର୍ମୀୟ ଜୀବନର ଧାରକ ଓ ବାହକ । ଏସବୁରେ ଯେତିକି ରହିଛି ବ୍ୟଙ୍ଗବିଦ୍ରୁପ, ତତୋଽଧିକ ରହିଛି ସାମାଜିକ ମୂଲ୍ୟବୋଧ ।

 

ଆଦିବାସୀ ଗୀତ:

ଲୋକ ସାହିତ୍ୟର ବଳିଷ୍ଠତମ ମୁଖପତ୍ର ହେଉଛି ଆଦିବାସୀ ଗୀତ । ଗବେଷକମାନଙ୍କ ମତରେ ଭାଷାରେ ସୃଷ୍ଟି ପୂର୍ବରୁ ସଙ୍ଗୀତର ସୃଷ୍ଟି । ଆଦିବାସୀର ମୌଖିକ କବିତା ସଙ୍ଗୀତାଶ୍ରୟୀ । ଏମାନଙ୍କ ଗୀତ ଓ ସଙ୍ଗୀତ ଏକ ଓ ଅଭିନ୍ନ । ଏହାର ବିଶେଷତ୍ୱ ଏହିଯେ, ଶ୍ରୋତା ଓ କଳାକାର ପାଞ୍ଚ/ଛଅ ବର୍ଷର ଶିଶୁଠାରୁ ଶତାୟୁଙ୍କ ସମସ୍ତେ ଏହାର କଳାକାର । ଆଦିବାସୀ ସାମଜରେ ସାମାଜିକ ନୀତିନିୟମ କଡ଼ାକଡ଼ି ହେଲେ ହେଁ ଆମୋଦପ୍ରମୋଦ ଓ କଳାତ୍ମଳ ଅଭିରୁଚିରେ ଏହି ଶୃଙ୍ଖଳା ନମନୀୟ । ବୟସ ନିର୍ବିଶେଷରେ ସମସ୍ତେ ନୃତ୍ୟଗୀତରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥାନ୍ତି । ଏମାନେ ଜଣେ ଜଣେ ଆଶୁକବି ହୋଇଥିବାରୁ ପରିବେଶ ଓ ପରିସ୍ଥିତିକୁ ଉପଜୀବୀ କରି ମନରୁ ତତ୍‌କ୍ଷଣାତ ପଦଯୋଡ଼ି ଗୀତମାଧ୍ୟମରେ ଭାବ ବିନିମୟ କରିଥାନ୍ତି । ଏମାନଙ୍କ ଜୀବନଚକ୍ର ଓ ଋତୁଚକ୍ରରେ ପ୍ରତ୍ୟେକ ପର୍ଯ୍ୟାୟ ଯଥା: ସନ୍ତାନଜନ୍ମ, ନାମକାରଣ, ନିର୍ବନ୍ଧ, ବିବାହ, ଦଶାହ, ବିହନ ବୁଣା, ଫସଲ ଅମଳ, ଶିକାର ପ୍ରଭୃତି ପ୍ରତ୍ୟେକଟି କାର୍ଯ୍ୟରେ ନୃତ୍ୟଗୀତ ହିଁ ଏକମାତ୍ର ସମ୍ୱଳ । ଏଇ ସଙ୍ଗୀତ ସ୍ରଷ୍ଟା ଅଜ୍ଞାତ । ପରମ୍ପରାକ୍ରମେ ଲୋକମୁଖରେ ପ୍ରଚଳିଳ ଏହି ଗୀତର ସଂଚରଣ କ୍ଷେତ୍ର ହେଉଛି ଲୋକମାନସ । ଖାଦ୍ୟ ଓ ପାନୀୟ ପରି ଆବଶ୍ୟକୀୟ ଆଦିବାସୀ ଲୋକ ହୃଦୟର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ ଓ ଲୋକପ୍ରାଣରେ ସ୍ପନ୍ଦନରେ ଅନୁରଣିତ ଏହି ସଙ୍ଗୀତକୁ ଏମାନଙ୍କ ‘ଜୀବନବେଦ’ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମାନଙ୍କ ନୃତ୍ୟଗୀତ କେବଳ ଅବସର ବିନୋଦନ ନୁହେଁ, ଏହା ଏମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ।

 

କୋରାପୁଟ ବିଭିନ୍ନ ଆଦିବାସୀଙ୍କ ମୁଖ୍ୟତଃ ପ୍ରେମମୂଳକ, ପର୍ବପର୍ବାଣିଭିତ୍ତିକ, କୃଷିଭିତ୍ତିକ, କ୍ରୀଡ଼ାଭିତ୍ତିକ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ଏହି ଗୀତରେ ହାସ୍ୟ, କରୁଣ, ବାତ୍ସଲ୍ୟ ପ୍ରଭୃତି ରସଦର ପରିସ୍ଫୁଟନ ଘଟିଥିଲେ ହେଁ ଶୃଙ୍ଗାର ଆବେଦନ ଅଧିକ । ଏମାନଙ୍କ ସମାଜରେ ଉଦୁଲିଆ(ପ୍ରେମବିବାହ) ବହୁଳ ଭାବେ ପ୍ରଚଳିତ ହେଉଥିବାରୁ ଯୁବକଯୁତୀମାନେ ବିଭିନ୍ନ ଜାନିଯାତ୍ରା ଓ ଉତ୍ସବସବୁରେ ସମବେତ ହୋଇ ପରସ୍ପର ହାସ ପରିହାସ ଓ ପ୍ରେମମାଳାପ କରିବାର ଅବାଧ ସ୍ୱାଧାନତା ପାଇଥାନ୍ତି । ଯୁବକଯୁବତୀମାନେ ଉକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ପରସ୍ପରଙ୍କ ରୂପଗୁଣ ବର୍ଣ୍ଣନା କରି ନିଜ ଆଡ଼କୁ ଆକର୍ଷତ କରିବା ପାଇଁ ଚେଷ୍ଟା କରିଥାନ୍ତି । ଆଦିବାସୀ ପ୍ରେମିକ ତାର ପ୍ରେମିକାର ରୂପବର୍ଣ୍ଣନା କରି ଗାଇଛି:

 

ବାଲିଘରେ ଗଲି ଓଷା ଘରେ ଗଲି

ଛାଡ଼ିଲେ ରସକେଲି

ଆଜି ଘଡ଼ିମରା ଜନ ଉଆସ ରାତିରେ ଗୁଡ଼ାଲି ହେଲି

ମୋର ପୂରୁବର ବନ୍ଧୁ ବୋଲି

ହଇଲେ...ସାନମସିଗାଉଁ ବଡ଼ ମସିଗାଉଁ ମାରିନେଲା ଦୁଇଖଣ୍ଡି

କାଇ ନିକମାନିଲା ସପୁର ମୁହଁକେ କଲନାର ପସାଦଣ୍ଡି

ଗଣ୍ଡିଟିକି ମୁଦି ସପୁର ଚିକଲି କାନେ କାନେ ଗଞ୍ଜାଲୁଲି

କାଇନିକ ମାନ୍‌ଲା ଲବଙ୍ଗକଡ଼ି

ତୋକାନେ ମୋ ବଣ୍ଡିଫୁଲ୍‌

ସାଙ୍ଗରେ ଯିବାର ବୁଲି

ସାଙ୍ଗେ କାଇ ଜୁତା ବୁଲି ।

(ଭୂମିଆଗୀତ: ବାନୁଆଗୁଡା)

 

ଭାବାର୍ଥ: ବାଲିଯାତ୍ରା ଓ ବେଣ୍ଟଯାତ୍ରା ଯାଇଛି ସିନା ପ୍ରେମ କରିବା ଛାଡ଼ି ଦେଇଛି । ଆଜିର ଅମାବାସ୍ୟା ରାତିରେ ଜହ୍ନ ଘଡ଼ି ମାରିଲା ପରି ଆଶ୍ଚର୍ଯ୍ୟଜନକ ଭାବେ (ତୁ) ମୋର ପୁରୁଣାବନ୍ଧୁ ହୋଇଥିବାରୁ ସାକ୍ଷାତ ହୋଇଗଲା । ସାନ ମସିଗାଁ ଓ ବଡ଼ ମସିଗାଁ ଦୁଇ ଭାଗ ହୋଇଗଲା । ତୋ ତୋଫା ମୁହଁକୁ ପଥର ବସା ଦଣ୍ଡି କେଡ଼େ ଭଲ ମାନୁଛି । ଆଙ୍ଗୁଠିରେ ମୁଦି, କାନରେ ସୁନ୍ଦର କାନଫୁଲ, ଲୁଳି ଓ ଲବଙ୍ଗକଢ଼ି ତୋ ମୁହଁକୁ କେଡ଼େ ସୁନ୍ଦର ମାନୁଛି । ମୁଁ ଦେଇଥିବା କାନଫୁଲ ତୋତେ ସୁନ୍ଦର ମାନୁଛି । ଆସ, ସାଙ୍ଗ ହୋଇ ବୁଳିଯିବା ।

 

ଆଦିବାସୀ ତା’ର ବିରହୀ ପ୍ରାଣର ମାର୍ମିକ ଅଭିବ୍ୟକ୍ତିକୁ ଅତ୍ୟନ୍ତ ଭାବପୂର୍ଣ୍ଣ ଓ ରସପୂର୍ଣ୍ଣ ଭାବେ ପ୍ରକାଶ କରି ଗାଇଛି:

 

ତୁରୁଞ୍ଜାମାଛୁ ଗାଡ଼ୁପଡ଼ୁ କାଦୁ ଚିଗଲେ

ନେବୁ ବୋଲି ରଞ୍ଜେଇ ରଇଲୁ ଲଆ ଜାତା

ମୋକେ ଜୀବନୁ ନାଶୁରେ ପ୍ରାନୁ ନାଶୁରେ

ସରିଗଲି ଜାଣ ମୁଇଁ ଜୀବନୁ ନାଶୁରେ ପ୍ରାନୁ ନାଶୁରେ ।

(ପରଜା ଗୀତ: ଫୁକିଆଗୁଡ଼ା)

 

ଭାବାର୍ଥ: ଜଳ ଶୁଖିଗଲେ କେରାଣ୍ଡି ମାଛ ଯେପରି କାଦୁଅରେ ଛଟପଟ ହୁଏ ସେହିପରି ତୋ ବିନା ମୋ ଅବସ୍ଥା । ମୋତେ ତୋ ଘରକୁ ବୋହୂ କରି ନେବୁ ବୋଳି ଦିନ ଗଡ଼େଇ ନେଉଛୁ । ମୋର ଜୀବନ ଓ ପ୍ରାଣ ନାଶ ହୋଇଗଲାଣି । ହେ ସଖା, ମୁଁ ଦିନକୁ ଦିନ ସରିଗଲିଣି ।

 

ପ୍ରାକୃତିକ ପରିବେଶରୁ ସଂଗୃହୀତ ସରଳ ଓ ଭାବପୂର୍ଣ୍ଣ ଚିତ୍ରକଳ୍ପ ଓ ପ୍ରତୀକର ପ୍ରୟୋଗ ଆଦିବାସୀ ସଙ୍ଗୀତକୁ ଅଧିକ ରସମୟ ଓ ଭାବମୟ କରିଥାଏ । ଚିତ୍ରକଳ୍ପ ପ୍ରୟୋଗରେ ଆଦିବାସୀ କବି କିପରି ସିଦ୍ଧହସ୍ତ ପଂକ୍ତିଟିକୁ ଲକ୍ଷ୍ୟ କରାଯାଇପାରେ:

 

ଶିତିଲି ପବନ ବଏ ଘନ ଘନ

କଦଳୀ ମୁଣ୍ଡିଆ ଜନ

ଆଜି ଭିଡ଼ିଦେଲି ତୋର ସଙ୍ଗେ

ଡିମିରି ଫୁଲ ସମାନ ।

(ଦିମିଆଗୀତ: ଜିସାରୀଗୁଡ଼ା)

 

ଭାବାର୍ଥ: ଶୀତଳ ପବନ ଜୋର୍‌ରେ ବହୁଛି । ଆକାଶରେ ତୋଟା ଜହ୍ନ । ଆଜି ତୋ ସହିତ ଡିମିରିଫୁଲ ପରି ଆଶ୍ଚର୍ଯ୍ୟଜନକ ଭାବେ ମିଶିଗଲି । ଏଠାରେ ‘ଡିମିରିଫୁଲ’ ଏକ ସୁନ୍ଦର ଉପମା ପ୍ରୟୋଗ ହୋଇଛି । ଡିମିରି ଗଛରେ ଫୁଲ ଫୁଟେ ନାହିଁ ।

 

ଆଦିବାସୀମାନଙ୍କ ବିଭିନ୍ନ ପର୍ବପର୍ବାଣୀ ଓ ଧର୍ମୀୟ ଉତ୍ସବରେ ଗାନ କରାଯାଉଥିବା ସଙ୍ଗୀତରେ ସାମୂହିକ ମଙ୍ଗଳ କାମନା, ଭଲ ବର୍ଷା, ପ୍ରଚୁର ଫସଲ, ଜଙ୍ଗଲ ଓ ଗୋସଂପଦର ସୁରକ୍ଷା ନିମନ୍ତେ ଦେବଦେବୀଙ୍କ ନିକଟରେ ଆକୁଳ ପ୍ରାର୍ଥନା ନିବେଦନ ରହିଥାଏ । କୋୟାମାନେ ନିଜ ଆଦିପିତା ଭୀମ ଓ ଆଦିମାତାଙ୍କ ନିକଟରେ ପ୍ରଚୁର ଫସଲ ଓ ସାମୂହିକ ମଙ୍ଗଳ କାମନା କରି ଗାଇଥାନ୍ତି :

 

ରେ ରେ ଲାଲା ରେରେ ଲାଲା ରେରେଲାଲା ରେରେଲାଲା ରେରେଲାଲା

ପାଲେ ଭୀମା ୟାମାନୀ

ପାଲେ ଭୀମା ୟାମାନୀ

ମାଗାଜି ଆଇତମ୍‌ ଭୀମା

ମାଗାଜି ଆଇତମ୍‌

ପାଲେ ଭୀମା ୟାମାନୀ

ପାଲେ ଭୀମା ୟାମାନୀ

(କୋୟା ଗୀତ: କାଲିମେଳା)

 

ଭାବାର୍ଥ: ହେ ଆଦିପିତା ଭୀମ, ଆମେ ବିହନ ବୁଣୁଛୁ । ଆମକୁ ପ୍ରଚୁର ଫସଲ ଦିଅ । ହେ ଆଦିପିତା ଓ ବଦିମାତା ଆମକୁ ଭଲରେ ରଖ । ବିପଦରେ ସହାୟ ହୁଅ । ଆମକୁ ଶୁଭଦୃଷ୍ଟିରେ ଦେଖ, ଯେପରି ଆମର ଅମଙ୍ଗଳ ନହୁଏ ।

 

ସହାୟକ ଗ୍ରନ୍ଥ ଓ ପତ୍ରପତ୍ରିକା:

୧.

ପରିସଂଖ୍ୟାନ କାର୍ଯ୍ୟଳୟରୁ ପ୍ରାପ୍ତ ରିପୋର୍ଟ ।

୨.

ମହାପାତ୍ର, ଡଃ. ଖଗେଶ୍ୱର-ଓଡ଼ିଆ ଲିପି ଓ ଭାଷା-୧୯୮୦, ପୃ-୮୮ ଗ୍ରନ୍ଥ ପ୍ରକାଶନୀ, କଟକ-୧

୩.

ମିଶ୍ର, ଡଃମହେନ୍ଦ୍ର କୁମାର-ପଶ୍ଚିମ ଓଡ଼ିଶାର ଆଦିବାସୀ ସାହିତ୍ୟ-୧୯୯୨, ପୃ-୧୨, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଭୁବନେଶ୍ୱର

୪.

ତତ୍ରୈବ-ପ୍ରଫେସର ଖଗେଶ୍ୱର ମହାପାତ୍ରଙ୍କ ମୁଖବନ୍ଧ ।

୫.

Bascom, W.R.-Contribution to Folkloristcs-୧୯୮୧, folklore Institute, Meerut.

୬.

ମିଶ୍ର, ଡଃ ମହେନ୍ଦ୍ର କୁମାର-ଲୋକ ସଂସ୍କୃତିବିତ୍‌, ପଣ୍ଡିତ ନୀଳକଣ୍ଠ-୧୯୯୦, ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି, ଭୁବନେଶ୍ୱର ।

୭.

ମହାପାତ୍ର, ଡଃ. ଶ୍ୟାମସୁନ୍ଦର-ଲୋକ କାହାଣୀର ଐଶ୍ୱର୍ଯ୍ୟ ଓ ଆବେଦନ (ପ୍ରବନ୍ଧ) ଝଙ୍କାର, ୪୩ ଶ ବର୍ଷ- ୪ ର୍ଥ ସଂଖ୍ୟା-୧୯୯୧, ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକ ।

୮.

ମିଶ୍ର, ଡଃ ମହେନ୍ଦ୍ର କୁମାର-ପଶ୍ଚିମ ଓଡ଼ିଶାର ଆଦିବାସୀ ସାହିତ୍ୟ-୧୯୯୨, ପୃ-୨୮୮, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଭୁବନେଶ୍ୱର ।

୯.

Clause, J.Peter, Handoo, J and Pattnaik D.P-Indian Folklore-II-୧୯୮୭, Page- ୭୧, CIIL-Mysore.

୧୦.

ଦାଶ, ଡଃ. କୁଞ୍ଜବିହାରୀ-ଓଡ଼ିଆ ଲୋକଗୀତ ଓ କାହାଣୀ-୧୯୬୩, ବିଶ୍ୱଭାରତୀ, ଶାନ୍ତି ନିକେତନ ।

୧୧.

ମହାପାତ୍ର, ଡଃ ସୀତାକାନ୍ତ-ଆଦିବାସୀ ସଙ୍ଗୀତ (ପ୍ରବନ୍ଧ) କୋଣାର୍କ-୮୧ତମ ସଂଖ୍ୟା-୧୯୯୦, ପୃ-୯, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ।

 

 

ସା/ପୋ: କୁନ୍ଦ୍ରା- ୭୬୪୦୧୨

ଜି:କୋରାପୁଟ (ଓଡ଼ିଶା)

 

***

 

ଗୁରୁ ମଙ୍ଗେଇ ଗମାଙ୍ଗ ଓ ତାଙ୍କ ଅମର କୃତି

ସଉରା ଲିପି

ଅଶୋକ କୁମାର ଦାସବାବୁ

 

(ଓଡ଼ିଶାର ବସବାସ କରୁଥିବା ମୋଟ ୬୨ ପ୍ରକାର ଆଦିବାସୀମାନଙ୍କ ମଧ୍ୟରୁ ସଉରା ଅନ୍ୟତମ ବୃହତ୍‌ ଜନଜାତି । ଏମାନେ ପ୍ରାୟ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କିଛି କିଛି ପରିମାଣରେ ବସବାସ କରୁଛନ୍ତି । ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଏହି ସଉରା ଜନଜାତି ମଧ୍ୟରେ ଜଣେ ପ୍ରବାଦ ପୁରୁଷଙ୍କ ଆବିର୍ଭାବ ହୋଇଥିଲା ସେ ହେଲେ ଗୁରୁ ମଙ୍ଗେଇ ଗମାଙ୍ଗ । ସଉରା ଭାଷାର ଲିପି ଉଦ୍ଭାବନ କରି ସେ ଏହି ସମାଜ ପାଇଁ ପ୍ରଭୂତି ଉନ୍ନତି ସାଧନ କରିଯାଇଛନ୍ତି ।)

 

ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ଭାବରେ ପରିଚିତ । ଏଠାରେ ମୋଟ ୬୨ ପ୍ରକାର ଆଦିବାସୀ କରନ୍ତି । ଏମାନେ ଏବେସୁଦ୍ଧା ସଭ୍ୟ ଜଗତଠାରୁ ବିଚ୍ଛିନ୍ନ ହୋଇ ଭିନ୍ନ ଏକ ପୃଥିବୀରେ ବାସ କଲା ଭଳି ଘଞ୍ଚ ଅରଣ୍ୟ ମଧ୍ୟରେ, ଦୁର୍ଗମ ପାହାଡ଼ରେ ବସବାସ କରୁଛନ୍ତି । ପ୍ରକୃତିର ସନ୍ତାନ ଭଳି ନିଜର ରୀତିନୀତି, ଚାଲିଚଳଣ, ସଂସ୍କୃତି ଓ ଧର୍ମବିଶ୍ୱାସକୁ ଆଦରି ନେଇ ହସିକାନ୍ଦି ଜୀବନ ଅତିବାହିତ କରୁଛନ୍ତି । ସଉରା ଏହି ଆଦିବାସୀମାନଙ୍କ ମଧ୍ୟରେ ଅନ୍ୟତମ ବୃହତ ଜନଜାତି । ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଏମାନେ ବହୁପରିମାଣରେ ବାସ କରୁଛନ୍ତି । ବର୍ତ୍ତମାନ ଏହି ସଂପ୍ରଦାୟର ଲୋକମାନେ କେତେକ ଅଞ୍ଚଳରେ ଖୁବ୍‌ ଶିକ୍ଷିତ ଓ ଉନ୍ନତ ହେଲେ ହେଁ, ଆଉ କେତେକ ଅଞ୍ଚଳରେ ଆଦିମ ଅବସ୍ଥାରେ ଅଛନ୍ତି । ଏହି ସଉରା ଜନଜାତି ମଧ୍ୟରେ ଜଣେ ପ୍ରତିଭାଧର ବ୍ୟକ୍ତିଙ୍କର ଆବିର୍ଭାବ ହୋଇଥିଲା, ଯିଏ ନିଜ ଭାଷାର ଲିପି ଆବିଷ୍କାର କରିଥିଲେ । ସେ ହେଉଛନ୍ତି ଗୁରୁ ମଙ୍ଗେଇ ଗମାଙ୍ଗ ।

 

୧୯୧୬ ମସିହା ଜୁନ୍‌ମାସ ୧୬ ତାରିଖ ଦିନ ସଂପ୍ରତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ମାରିଚଗୁଡ଼ା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ପିତାମ୍ୱର ଗମାଙ୍ଗ ସେତେବେଳର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ସାରାବାଡ଼ିଗା ଗ୍ରାମରୁ ଆସି ପ୍ରଥମେ ପଦ୍ମପୁର ନିକଟସ୍ଥ ଲାଭଗୁଡ଼ା ଗ୍ରାମରେ ଅବସ୍ଥାନ କରିଥିଲେ । ପରେ ପରେ ମାରିଚଗୁଡ଼ା ଗ୍ରାମକୁ ଚାଲିଆସିଥିଲେ । ପିତାଙ୍କ ପ୍ରେରଣାରେ ମଙ୍ଗେଇ ଗୁଣୁପୁର ହାଇସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ଗୁଣୁପୁର ଲକ୍ଷ୍ମୀନାରାୟଣ ମନ୍ଦିରରେ ଭୋଗ ସେବା କରି ସେ ଅଧ୍ୟୟନ କରିଥିବାର ଜଣାପଡ଼େ । ମାତ୍ର ନିୟମିତ ନିର୍ଦ୍ଦେଶ ଭିନ୍ନ । ପରିବାରର ଆର୍ଥିକ ପରିସ୍ଥିତି ନେଇ ଅଧ୍ୟୟନ ଛାଡ଼ି ଚାଷବାସ କରିବାକୁ ମନ ବଳାଇଲେ । ସେଥିରେ ତାଙ୍କର ମନ ତୃପ୍ତ ହେଲା ନାହିଁ । ତେଣୁ ସେ ନିଜ ଗ୍ରାମ ନିକଟସ୍ଥ ଖିଲାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ରୂପେ କର୍ମ ଆରମ୍ଭ କଲେ । ପରେ କମ୍ପାଉଣ୍ଡର ଟ୍ରେନିଂ ପାଇଁ ମନୋନୀତ ହୋଇ କଟକରେ ଟ୍ରେନିଂ ସମାପ୍ତ କଲେ । ସରକାରୀ ଚାକିରୀରେ ଯୋଗଦେବା ପାଇଁ ନିଯୁକ୍ତି ପତ୍ର ପାଇ ସୁଦ୍ଧା ସୁବିଦିନ ପାଇଁ ଚାକିରୀକୁ ପ୍ରତ୍ୟାଖ୍ୟାନ କଲେ । ହଠାତ୍‌ ତାଙ୍କ ମନରେ ଚିନ୍ତାର ଉଦ୍ରେକ ହେଲା । ଅଶିକ୍ଷିତ, ଅନୁନ୍ନତ ସଉରା ସଂପ୍ରଦାୟ କିପରି ଉନ୍ନତି କରିପାରିବ, ସେଥିପାଇଁ ଚିନ୍ତା କଲେ । ତାଙ୍କର ଏ ପ୍ରକାର ମନୋଭାବକୁ ଆହୁରି ଜାଗରିତ କରାଇଥିଲେ ତାଙ୍କର ମାମୁଁ ତଥା ଶଶୁର ମାଳିଆ ଗମାଙ୍ଗ-। ନିଜ ଭାଷାର ଲିପି ନାହିଁ ବୋଲି, ଏ ଭାଷା ଯେ ସବୁଦିନ ପାଇଁ ଲୋପ ପାଇଯିବ ଏହା ତାଙ୍କର ହୃଦବୋଧ ହେଲା । ନିଜ ସଉରା ଭାଷାର ଲିପି କିପରି ଉଦ୍ଭାବନ ହେବ, ଯାହାଦ୍ୱାରା ଏ ସଉରା ଭାଷା ବଞ୍ଚିବ, ଜାତି ବଞ୍ଚିବ, ସମାଜର ଉନ୍ନତି ହେବ-ଏଥିପାଇଁ ସଦାସର୍ବଦା ଚିନ୍ତାମଗ୍ନ ହେଲେ । ଶେଷରେ ଧର୍ମାନୁଚିନ୍ତା ଓ ଜାତୀୟତାବୋଧରେ ଅନୁପ୍ରାଣିତ ହୋଇ ସେ ସାଧନାରତ ହେଲେ । ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ମାରିଚଗୁଡ଼ା ନିକଟସ୍ଥ ଛୋଟ ଡଙ୍ଗର ଉପରେ ସାଧନାରତ ହେଲେ । ୧୯୩୬ ମସିହା ଜୁନ୍‌ମାସ ୧୮ ତାରିଖ ରାତି ଗୋଟାଏ ବେଳକୁ ସ୍ୱପ୍ନରେ ଏକ ଲିପି ଦେଖିଲେ । ତାଙ୍କ ଆଗରେ, ସଉରା ଜାତିର ଦେବତା ଦାରୁବ୍ରହ୍ମ ଅକ୍ଷର ବ୍ରହ୍ମ ବା ଶବ୍‌ଦବ୍ରହ୍ମ ରୂପରେ ଦେଖାଦେଲେ । ସଉରା ଜାତିର ୨୪ ପ୍ରଧାନ ଦେବତାଙ୍କର ପ୍ରତୀକାତ୍ମକ ୨୪ ଅକ୍ଷର ସମନ୍ୱିତ ସେହି ଶବ୍‌ଦବ୍ରହ୍ମ ହେଉଛି ସଉରା ଭାଷାର ଲିପି ସଉରା ଧ୍ୱନି ପେଟିକା ବା ସୋରାଂ ସୋମ୍‌ପେଂ । ଯେଉଁ ଚାଞ୍ଚଡ଼ା ପଥର ଦେହରେ ଅକ୍ଷରବ୍ରହ୍ମ ମୂର୍ତ୍ତି ପ୍ରକାଶିତ ହୋଇଥିଲା, ସେଠି ୨୪ଟି ବର୍ଣ୍ଣ ଓ ୧୨ ପର୍ଯ୍ୟନ୍ତ ସଂଖ୍ୟା ଏବଂ ଏକ ସଙ୍କେତ ଶିକ୍ଷା ଓଡ଼ିଆ ଓଁ ଅକ୍ଷର ପରି ଏକ ଆକୃତି ମଧ୍ୟରେ ପରିକଳ୍ପିତ ହୋଇଥିଲା । ମଙ୍ଗେରଙ୍କ ଦ୍ୱାରା ଆବିଷ୍କୃତ ଲିପିଗୁଡ଼ିକ ଏହିପରି:

Image

ଏହି ଲିପିର ରଚନାବିଧି ବାମରୁ ଡାହାଣ ଆଡ଼କୁ ହୋଇଥାଏ । କେତେକାଂଶରେ ଏହି ଲିପି ରୋମାନ୍‌ ଓ ତେଲୁଗୁ ଦ୍ୱାରା ପ୍ରଭାବିତ ହୋଇଥିବା ପରି ଜଣାପଡ଼େ । ବ୍ୟଞ୍ଜନ ବର୍ଣ୍ଣର ଦକ୍ଷିଣ ପାର୍ଶ୍ୱରେ ଆବଶ୍ୟକୀୟ ସ୍ୱରବର୍ଣ୍ଣ ବିନ୍ୟାସ ଦ୍ୱାରା ବ୍ୟଞ୍ଜନର ସ୍ୱରୀକରଣ ନିର୍ଦ୍ଦେଶିତ ହୋଇଥାଏ । ସହାୟକ ଲିପି ମ୍ରାୟ ଦ୍ୱାରା ସୋରା ଭାଷାତିରିକ୍ତ ଧ୍ୱନି ସମୂହର ପ୍ରତିଲିପି ରଚନା ପାଇଁ ବ୍ୟବହାର କରାଯାଇଥାଏ ।

 

ଏହି ସଉରାମାନଙ୍କର ଭାଷା ଅଷ୍ଟ୍ରୋଏସିଆଟିକ୍‌ ଭାଷାଗୋଷ୍ଠୀର ଅନ୍ତର୍ଭୁକ୍ତ । ଭାରତରେ ଏହି ଭାଷା ପରିବାର ମୁଣ୍ଡା ଭାଷା ଗୋଷ୍ଠୀ ଭାବରେ ପରିଚିତ । ଅନ୍ୟ ମୁଣ୍ଡା ଭାଷା ମଧ୍ୟରେ ଏହାର ସ୍ଥିତି ଏହିପରି ।

Image

ସଉରା ଲିପି ସୋରାଂ ସୋମ୍‌ପେଂ ଉଦ୍ଭାବିତ ହେବା ପରେ ଏହାର ସ୍ରଷ୍ଟା ମଙ୍ଗେଇ ଗମାଙ୍ଗ ଏକ ନୂତନ ଧର୍ମ ସଂପ୍ରଦାୟ ପ୍ରତିଷ୍ଠା କରନ୍ତି, ଯାହାର ନାମ ମତ୍ତାର ବମ ଡମ୍‌ଡ୍ରି-ଅର୍ଥାତ୍‌ ଆଖି ମେଲି ଚାହିଁବା ଓ ପ୍ରବୁଦ୍ଧ ତଥା ଭଲ ମଣିଷ ହେବାର ଧର୍ମ । ଲୋକମାନେ ଯେତେବେଳେ ଧୀରେ ଧୀରେ ଏହାକୁ ଗ୍ରହଣ କଲେ ସେ ଗୋଟିଏ ପ୍ରେସ୍‌ ବସାଇ ପୁସ୍ତକ ଛପାଇବା ଓ ପୂର୍ଣ୍ଣାଙ୍ଗ ମନ୍ଦିରଟିର ନିର୍ମାଣ କରିବାର ଆଶାମାନଙ୍କୁ ଭଲ ରାସ୍ତାକୁ ଯିବା ପାଇଁ ଏହାବାଟ କଢ଼ାଇ ନେଉଛି । କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ହଜାର ହଜାର ସଉରା ଲୋକ ସେହି ପବିତ୍ରପୀଠକୁ ଦର୍ଶନ କରିବାକୁ ଆସୁଛନ୍ତି । ମନ୍ଦିରର ପୂଜକ କଦଳୀ, ନଡ଼ିଆ, ଲିଆ, ଚାଉଳ, ଦୂବ, ଧୁପ ଆଦି ସାମଗ୍ରୀ ନେଇ ଅକ୍ଷରବ୍ରହ୍ମଙ୍କୁ ଉପାସନା କରିଥାନ୍ତି । କାଳକ୍ରମେ ଏହି ନୂତନ ଧର୍ମସଂପ୍ରଦାୟ ଶାଖା ବିଭିନ୍ନ ସଉରା ଗ୍ରାମରେ ପ୍ରତିଷ୍ଠିତ ହେଲା । ପ୍ରତ୍ୟେକ ଗୁରୁବାର ଦିନ ସ୍ତ୍ରୀ ପୁରୁଷ ଛୋଟବଡ଼ ନିର୍ବିଶେଷରେ ସମସ୍ତେ ସେହି ଶାଖା କେନ୍ଦ୍ରରେ ଉପସ୍ଥିତ ହୋଇ ଅକ୍ଷରବ୍ରହ୍ମାଙ୍କୁ ପୂଜା କରନ୍ତି ।

 

ମଙ୍ଗେଇଙ୍କର ସ୍ୱପ୍ନାଦେଶ ସହିତ ଲିପି ଉଦ୍ଭାବନ ସମାଜରେ ଏକ ନୂତନ ଉଦ୍ଦୀପନ ସୃଷ୍ଟିକଲା । ଗାଁ ଗାଁ ବୁଲି ସେ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଲେ । ଦିନ ରାତି ତାଙ୍କୁ କିଛି ଜଣାପଡ଼ିଲା ନାହିଁ । ମାତ୍ର ଅନ୍ଧକାରର ଗହ୍ୱର ଭିତରେ ପଡ଼ିରହିଥିବା ସଉରାମାନେ ହଠାତ୍‌ ଏହାକୁ ଗ୍ରହଣ କରି ପାରିଲେ ନାହିଁ । ଏପରିକି ବଡ଼ ବଡ଼ ଗମାଙ୍ଗମାନେ ଏହକୁ ବିରୋଧ କଲେ । ତଥାପି ସେ ଭାଙ୍ଗି ନପଡ଼ି ନିଜ କର୍ତ୍ତବ୍ୟରେ ଲାଗି ପଡ଼ିଲେ । ନିଜ ଜଣାଶୁଣା ଲୋକଙ୍କ ପାଖରେ ପହଞ୍ଚି ଲିପି ନଥିବାରୁ ଏ ଭାଷା ଯେ ଅଚିରେ ଲୋପ ପାଇଯିବ, ଏକଥା ସୂଚାଇ ଦେଲେ । ଫଳତଃ ସଉରାମାନଙ୍କ ମଧ୍ୟରେ ଧୀରେ ଧୀରେ ଭଲ ମଣିଷ ହେବାର ଭାବନା ଜାଗ୍ରତ ହେଲା । ଲିପିକୁ କେନ୍ଦ୍ର କରି ନୂତନ ଧର୍ମ ସଂପ୍ରଦାୟଟିଏ ଗଢ଼ି ଉଠିଲା । ଯାହାର ନାମ ହେଲା ମତ୍ତାର ବ୍ନମ ଡମ୍‌ଡ୍ରି । ଏହି ଧର୍ମକୁ ଯେଉଁମାନେ ଗ୍ରହଣ କରିନେଲେ ସେମାନେ ବଳି ମଦକୁ ତ୍ୟାଗ କରିବାକୁ ମଧ୍ୟ ହେଲେ । ଗୋଟିଏ ଦିଗରେ ଏହା ସଉରାମାନଙ୍କର ଅର୍ଥନୈତିକ ଦିଗକୁ ସାହାଯ୍ୟ କଲାବେଳେ, ଅନ୍ୟ ଦିଗରେ ଏହା ସେମାନଙ୍କ ମଧ୍ୟରେ ଭଲ ମଣିଷ ହେବାର ଚେତନା ସୃଷ୍ଟିକଲା ।

 

ମଙ୍ଗେଇ ପ୍ରଥମେ ଏହାକୁ ମୌଖିକ ଆକାରରେ ପ୍ରଚାର କରାଇଲେ । ତାଙ୍କ ଠାରୁ ଯେଉଁମାନେ ଦୀକ୍ଷା ଗ୍ରହଣ କଲେ ସେମାନେ ତାଙ୍କର ଜୀବନକୁ ଶୃଙ୍ଖଳିତ କରି ଗଢ଼ିବାକୁ ଚେଷ୍ଟା କଲେ । ଉଦ୍ଭାବିତ ଲିପି ଧର୍ମ ସହିତ ହୋଇଯିବାରୁ ଦିନକୁ ଦିନ ପ୍ରସାର ଲାଭ କଲା । ଦାରୁବ୍ରହ୍ମ ଏକ ଅକ୍ଷର ବ୍ରହ୍ମ ରୂପରେ ପୁଣି ସଉରା ସମାଜ ଭିତରକୁ ଆସିଛନ୍ତି ବୋଲି ସମସ୍ତଙ୍କର ବିଶ୍ୱାସ ହେଲା । ୧୯୩୬ରୁ ପ୍ରାୟ ୧୯୫୦-୫୧ ମସିହା ପର୍ଯ୍ୟନ୍ତ ଏହା ମୌଖିକ ଭାବରେ ପ୍ରଚାରିତ ହେଲା । ୧୯୫୨ ମସିହା ବେଳକୁ ମଙ୍ଗେଇ ଛୋଟ ଛୋଟ ପକେଟ ଖାତାରେ ଲେଖି ଏହି ଲିପିକୁ ପ୍ରଚାର କରାଇଲେ । ସବୁ ସଉରା ଲୋକମାନଙ୍କୁ ଏହିପରି ଲେଖି ଯୋଗାଇଦେବା ସମ୍ଭବପର ହେଲାନାହିଁ । ଏହାର ସ୍ଥାୟୀ ସମାଧାନ ନିମିତ୍ତ ସେ ୧୯୬୫ ମସିହାରେ ଆନ୍ଧ୍ରପ୍ରଦେଶର ବିଜଓ୍ୱାଡ଼ାକୁ ଯାତ୍ରା କଲେ । ସେଠାରେ ଇଣ୍ଟର ପ୍ରେସ୍‌ ସହ ଯୋଗାଯୋଗ କଲେ । ପଥରରେ ଖୋଦେଇ ହୋଇ ଅକ୍ଷର ସବୁ ପ୍ରଥମେ ଛପା ହେଲା । ମାତ୍ର ସେଥିରେ କେତୋଟି ଅକ୍ଷରର ତ୍ରୁଟି ରହିଗଲା । ତେଣୁ ମଙ୍ଗେଇ ବାଧ୍ୟ ହୋଇ ତାକୁ ବଦଳାଇବାକୁ ଚେଷ୍ଟାକଲେ । ପ୍ରଥମେ ସବ୍ରମ କ୍ଲାୟିନମି ନାମକ ଭାଷାଶିକ୍ଷା ପୁସ୍ତିକାଟି ବିଜୟଓ୍ୱାଡ଼ାର ସ୍ୱତନ୍ତ୍ର ଆର୍ଟ ପ୍ରେସ୍‌ରୁ ପ୍ରକାଶିତ ହୋଇଥିଲା-। ବାହାରୁ ପ୍ରକାଶନ କରିବା ଅପେକ୍ଷା ନିଜର ପ୍ରେସ୍‌ଟିଏ ବସାଇବା ପାଇଁ ତାଙ୍କର ଆଗ୍ରହ ହେଲା । ଡମ୍ୱସରାଠାରେ ସେ ନିଜର ଏକ ପ୍ରେସ ସ୍ଥାପନ କଲେ । ପ୍ରଥମେ ଅକ୍ଷର ସବୁ ଛପା ଯାଇ ମାଗଣାରେ ସଉରାମାନଙ୍କଭିତରେ ବିତରଣ କରାଗଲା । ପରେ ପରେ ଛୋଟ ଛୋଟ ପୁସ୍ତକମାନ ପ୍ରକାଶିତ ହେଲା । ପ୍ରାଥମିକ ଶିକ୍ଷା ପୁସ୍ତକଠାରୁ ଆରମ୍ଭ କରି ବଡ଼ ବଡ଼ ଗ୍ରନ୍ଥ ପ୍ରକାଶ ପାଇଛି । ଏହି ଭାଷାରେ ଅଦ୍ୟାବଧି ପ୍ରାୟ ୨୫ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ସାରିଲାଣି ।

 

ମଙ୍ଗେଇ ଶିକ୍ଷିତ ଥିଲେ । ଆଦିବାସୀମାନେ ସବୁଦିନ ଏଇମିତି ଅବହେଳିତ ହୋଇ ନରହନ୍ତୁ, ଏଥିପାଇଁ ଲିପିକୁ ଏକ ନୂତନ ଧର୍ମ ସଂପ୍ରଦାୟରେ ପରିଣିତ କରାଇ ଦେଇଛନ୍ତି ବୋଲି ଅନୁମାନ କରାଯାଇ ପାରେ । ଅଶିକ୍ଷିତ ସଉରାମାନଙ୍କ ମନରୁ ପରମ୍ପରା ଜନିତ ଅନ୍ଧବିଶ୍ୱାସକୁ ଦୂରେଇ ଦେବାପାଇଁ ଦିନ ରାତି ସଂଗ୍ରାମ କରିଛନ୍ତି । ଲୋକମାନଙ୍କ ସୁଖ ଦୁଃଖରେ ଭାଗୀ ହେବାପାଇଁ ଲୋକମାନଙ୍କର ମନକୁ ଜୟ କରିଥିଲେ । ତାଙ୍କଠାରେ ଥିଲା ଜ୍ୟୋତିଷ ବିଦ୍ୟା ଓ ଦେଶୀ ଚିକିତ୍ସା ପ୍ରଣୀଳୀର ମନ୍ତ୍ର । ଏହା ହିଁ ତାଙ୍କ ଜନପ୍ରିୟତାର ମୁଖ୍ୟ କାରଣ । ବଣ ଜଙ୍ଗଲର ଗଛଲତା ଓ ଚେରମୂଳରୁ ଔଷଧ ତିଆରି କରି ନାନା ପ୍ରକାର ଅସାଧ ରୋଗରୁ ସେ ଲୋକମାନଙ୍କୁ ଉଦ୍ଧାର କରିପାରିଥିଲେ । ପୁନଶ୍ଚ କେତେକ ସ୍ଥାନରେ ଝଡ଼ାଫୁଙ୍କା କରି ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିଥିଲେ । ଏହାଦ୍ୱାରା ଲୋକେ ତାଙ୍କୁ ଅଧିକ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ । ସଉରାମାନଙ୍କ ମଧ୍ୟରେ ଥିବା ବଳି ଓ ମଦ ପ୍ରଥାରେ ସେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ । ନିଜ ସଂପ୍ରଦାୟର ଉନ୍ନତି ନିମିତ୍ତ ସେ ବଣ, ପାହାଡ, ନଇନାଳ ନେଇଁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଲିପିର ପ୍ରଚାର ପାଇଁ ଆଗେଇ ଚାଲିଥିଲେ । ଯେଉଁଠି ସନ୍ଧ୍ୟା ହେଉଥିଲା, ସେଇଠି ରାତ୍ରୀଯାପନ କରୁଥିଲେ । ଯାହା ଘରେ ଯାହା ମିଳୁଥିଲା ତାକୁ ଖାଇ କାହା ଘରେ ଶୋଇ ପଡ଼ୁଥିଲେ, ତାର ଠିକଣା ନଥିଲା । ଶେଷରେ ସେ ସୋରାଗୁରୁ ଭାବରେ ପରିଚିତ ହୋଇଗଲେ । ଯାହା ଘରେ ରହୁଥିଲେ କାଗଜ କଲମ ଧରି କିଛି ନା କିଛି ଲେଖି ବସୁଥିଲେ । ଏବେ ଅନେକ ଲୋକଙ୍କ ଘରେ ସେହି ପାଣ୍ଡୁଲିପିଗୁଡ଼ିକ ଦେଖିବାକୁ ମିଳୁଛି । ସବୁଥିରେ ରହିଛି ନିଜ ସଉରା ଭାଇମାନଙ୍କ ପ୍ରତି ଉପଦେଶ । ଗୁଣୁପୁର ଅଞ୍ଚଳର ସଉରା ଭାଇମାନଙ୍କ ଭିତରେ ସେ ଯେଉଁ ନୂତନ ସ୍ପନ୍ଦନ ଖେଳାଇ ଦେଇଛନ୍ତି, ସେଥିରୁ ମନହୁଏ ସତେ ଯେମିତି ସେ ଥିଲେ ଦେବଦୂତ, ଯିଏ ଗୋଟିଏ ପତନୋମ୍ମୁଖୀ ସମାଜକୁ ଉଦ୍ଧାର କରି ଯାଇଛନ୍ତି ।

 

ଏହି ଭାଷାର ଲିପି ସୋରାଂ ସୋମ୍‌ପେଂର ବର୍ଣ୍ଣିମର ଆକୃତିଗୁଡ଼ିକ ଯଦିଓ ସେହି ଦେବତାମାନଙ୍କର ସାଙ୍କେତିକ ରୂପ ପ୍ରଦାନ କରିବାରେ ସାହାଯ୍ୟ କରିପାରନ୍ତି ନାହିଁ, ତଥାପି ଏଥିରେ ଆଧିଭୌତିକତାକୁ ହିଁ ବେଶି ବିଶ୍ଵାସ କରାଯାଇଥାଏ ।

 

ଜୀବନରେ ବହୁ ଘାତ ପ୍ରତିଘାତ ମଧ୍ୟ ଦେଇ ସେ ଗତି କରିଛନ୍ତି । ତାଙ୍କର ଅମର କୃତି ସଉରା ଲିପିର ଉଦ୍ଭାବନ ପାଇଁ ସେ ତତ୍କାଳୀନ ଜୟପୁରର ରାଜା ବିକ୍ରମ ଦେବ ବର୍ମାଙ୍କର ଶ୍ରଦ୍ଧାର ପାତ୍ର ହୋଇଥିଲେ । ୧୯୭୬ ମସିହାରେ ମହୀଶୂରସ୍ଥିତ ଭାରତୀୟ ଭାଷାକେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ସୋରା ପ୍ରାଥମିକ ଶିକ୍ଷା ପୁସ୍ତକ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ । ୧୯୭୮ ମସିହାରେ ଗୁଣୁପୁର ବଂଶଧରା ସମାଜ ତାଙ୍କୁ ସମ୍ମାନିତ କରିଥିଲା । ୧୯୭୯ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ସମ୍ୱର୍ଦ୍ଧିତ ହୋଇଥିଲା । ଶେଷରେ ୧୯୮୦ ମସିହା ଜୁଲାଇ ୧୯ ତାରିଖରେ ମାରିଚଗୁଡା ବାସ ଭବନରେ ମୃତ୍ୟୁବରଣ କରିଥିଲେ । ମଙ୍ଗେଇ ଜଣେ ଭାଷାବିତ୍‌ ନଥିଲେ । ଗୋଟିଏ ସାଧାରଣ ସଉରା ପରିବାରରେ ଜନ୍ମଗ୍ରହଣ କରି ସେ ଯେଉଁ ଅମୂଲ୍ୟ ସମ୍ପଦ ନିଜ ଜାତି ପାଇଁ ଛାଡି ଯାଇଛନ୍ତି, ସେଥିପାଇଁ କାଳ ବକ୍ଷରେ ସେ ସ୍ମରଣୀୟ ହୋଇ ରହିବେ ।

 

***

 

କୋୟା କବିତାରେ ଜୀବନ ଓ ମୃତ୍ୟୁର ଚିତ୍ର

ପର୍ଶୁରାମ ସ୍ୱାଇଁ

 

ମୁକ୍ତ ପ୍ରକୃତିର ଜୀବନଚର୍ଯ୍ୟାରେ ବ୍ୟସ୍ତ ଅନ୍ତର୍ମୁଖୀ ଚେତନାର ପୂର୍ଣ୍ଣାଙ୍ଗ ମଣିଷଟିଏ କୋୟା-। ତା ପାଇଁ ଜୀବନ ଆନନ୍ଦ ଉଲ୍ଲାସର ଗନ୍ତାଘର । ପ୍ରକୃତିର ନିସ୍ତବ୍ଧ ଶାନ୍ତ କାଳରେ ଜୀବନକୁ ସେ ଖୁବ୍‌ ମନଭରି ଉପଭୋଗ କରେ । କବିତାମୟ ତାର ଜୀବନ ସେଠି ଦୁଃଖ ନାହିଁ ଅବଶୋଷ ନାହିଁ, ବ୍ୟର୍ଥତା ନାହିଁ । ଅଛି ଖାଲି ସୁନେଲୀ ରଙ୍ଗୀନ ସ୍ୱପ୍ନ ଓ ସରଳ ଜୀବନକୁ ଉପଭୋଗ କରିବାର ମତୁଆଲା ଉନ୍ମାଦନା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସମଗ୍ର ଜୀବନ ତା ପାଇଁ ଏକ ଆନନ୍ଦପ୍ରଦ ଅନୁଭୂତି-। ମୃତ୍ୟୁ ତା ପାଇଁ ଜୀବନର ପରିସମାପ୍ତି ନୁହେଁ ଆଉ ଏକ ଜୀବନର ଅୟମାରମ୍ଭ ମାତ୍ର । ଏମିତି ଜନ୍ମ ଓ ମୃତ୍ୟୁର ଦେହଳୀ ମଧ୍ୟରେ ବନ୍ଦି କୋୟାର ଜୀବନ ।)

 

ନିକିଙ୍ଗ ବିଡ଼ିସ୍‌ ପାରବାନ ନାନା

ତୁମୁଡ଼ି ମୁସେ ଗାମିଡ଼ି ବେଲେ

ଇରବାଲ ଆସ ମିରିକାଲ

ନିପର ଏର୍‌ଇନା ଜିଓ୍ୱା ନାୟାନ

ବାଡ଼ିଞ୍ଜ ଆଲସମା ନିମା ।

 

ରାତ୍ରିର ନିସ୍ତବ୍ଧ ପ୍ରହର । ରଣୀ ଫୁଲ ପରି ବିଞ୍ଚି ହୋଇପଡ଼ିଛି ଜହ୍ନର ଜ୍ୟୋସ୍ନା । ଶାଳ ମହୁଲପତ୍ରରେ ଝରି ପଡ଼ୁଛି ଟୋପାଟୋପା କାକରର ବିନ୍ଦୁ । ଦୂରରୁ ଶୁଭୁଚି ମାଦଲ ଓ ବଂଶୀର ଶବ୍ଦ । ଧାନକ୍ଷେତରୁ ଶୁଭୁଛି ଗୟଳ ଶିଙ୍ଗାର ସ୍ୱର । ବେଦନା ବିଧୂରିତ କୋୟାବାଳାଟିଏ ଗାଁ ମୁଣ୍ଡ ସାଉଡ଼ି ଘରେ ବସି ପ୍ରିୟତମ ଉଦ୍ଦେଶ୍ୟରେ ନିବେଦନ କରୁଛି ନିଜର ପ୍ରଣୟ । ପ୍ରେମରେ ଆତୁର ପ୍ରେମିକାଟିଏ ସଙ୍ଗୀତ ମାଧ୍ୟମରେ ପ୍ରକାଶ କରୁଛି ନିଜ ଯନ୍ତ୍ରଣାସିକ୍ତ ମନର ବେଦନାର୍ତ୍ତ ଅଭିବ୍ୟକ୍ତି ।

 

ହେ ପ୍ରିୟତମ ! ଆସ ଆମେ ଚାଲିଯିବା ଅନେକ ଦୂରକୁ । ତମ ଉପରେ ମୋର ବିଶ୍ୱାସ ରହିଛି । ଜୀବନ ଦେଇ ଜଳ ଭଲି ମୁଁ ତୁମକୁ ପ୍ରେମ କରୁଛି, ତେଣୁ ଚିନ୍ତା କରନାହିଁ । ହେ ମୋର ପ୍ରାଣର ପ୍ରିୟତମ ! ମୁଁ ତୁମର । ସବୁଦିନ ପାଇଁ ତୁମର ।

 

ଦୂରରେ ବଂଶୀରେ ସ୍ୱର ଭରୁଥିବା ପ୍ରେମିକଟିଏ ଠିକ୍‌ ବୁଝିଛି ପ୍ରିୟାର ଆକୁଳ ଆହ୍ୱାନକୁ । ସେଇ ସଙ୍ଗୀତରେ ସିଏ ଫେରାଇ ଦେଉଛି ପ୍ରେମିକାର ଉତ୍ତର । ବ୍ୟଥିତ ଉଦ୍‌ବେଳିତ ମନଦେଇ ସିଏ ଗାଇ ଉଠୁଛି-

 

ତୁମୁଡ଼ି ମୁସେ ଗାମିଡ଼ି ବେଲେ ନିକିଙ୍ଗ ଆନା ଆତାନ ନୁନି

ତୁମୁଡ଼ି ମୁସେ ଗାମିଡ଼ି ବେଲେ ।

ଆର ଇତମୟ ନୁନି ତୁମୁଡ଼ି ମୁସେ ଅରଟ ପୁଙ୍ଗାର ମାଲି ନୁନି

ନିପର ଜଓ୍ୱା ନୁନି- ତୁମୁଡ଼ି ମୁସେ ଗାମିଡ଼ିବେଲେ

ନିଓ୍ୱା ଇଦ୍‌ ମିନ୍ତେନ୍‌ ନୁନିରେଲା ପୁଙ୍ଗାର ଜିଓ୍ୱା ନୁନି

ନାନା ବୁଙ୍ଗୁର ଆତକେ ନିମା ପୁଙ୍ଗାର....

 

ହେ ପ୍ରିୟା ! ମୁଁ ତୁମକୁ ବହୁତ ଭଲ ପାଏ । ଅରଖ ଫୁଲ ପରି ଆମର ସମ୍ପର୍କ ଅଭିନ୍ନ ଓ ଅତୁଟ । ତୁ ଫୁଲ ହେଲେ ମୁଁ ଭ୍ରମର । ତେଣୁ ଛାଡି ମୁଁ ରହିପାରିବି ନାହିଁ । ରେଲା ଫୁଲ ପରି ତୋର ମୋର ଜୀବନ ଏକ ଅଭିନ୍ନ ଓ ଅନନ୍ୟ ।

 

ଏହା ହିଁ ପ୍ରାଣ ପ୍ରାଚୁର୍ଯ୍ୟମୟ କୋୟା କବିତା । ଜୀବନଚର୍ଯ୍ୟାର ନିଚ୍ଛକ ପ୍ରତିଛବି । ସ୍ୱପ୍ନ ପ୍ରେମ ଓ ବିରହର ମୁଗ୍ଧ ପରିପ୍ରକାଶ । କେବଳ ପ୍ରଣୟଚେତନାଭିତ୍ତିକ କବିତା ନୁହେଁ ପର୍ବ ଅନୁଷ୍ଠାନର ସଙ୍ଗୀତ, ଜନ୍ମ, ବିବାହ ଓ ମୃତ୍ୟୁ ପ୍ରତିଟିରେ କୋୟା ନିଜର ଅଭିବ୍ୟକ୍ତ କରେ ଗାନ ଯୋଗ୍ୟ କବିତାରେ । ମିଳିତଭାବେ ଏହି କବିତାକୁ ଗୋଷ୍ଠୀ ଗୀତରୂପେ ଗାନ କରାଯାଏ ବିନା ବାନା ଓ ଓ ବିନା ଯନ୍ତ୍ର ସଙ୍ଗୀତରେ । ପାରମ୍ପରିକ କ୍ରମେ ଏହି ଲୋକ ସଙ୍ଗୀତ ସେମାନଙ୍କ ଚେତନାରେ ପରିବ୍ୟାପ୍ତ ହୋଇ ରହିଛି । ବିଭିନ୍ନ ପର୍ଯ୍ୟାୟ ଓ ବିଭିନ୍ନ କ୍ଷେତ୍ରରେ ଗାୟନଯୋଗ୍ୟ ଏହି କୋୟା କବିତା ଓ ସଙ୍ଗୀତକୁ ବହୁ ଭାବରେ ବିଭକ୍ତ କରାଯାଇପାରେ । ଯଥା ପରବ ସଙ୍ଗୀତ, ବିବାହ ସଙ୍ଗୀତ ଓ ବିବିଧ ନାନାବାୟା ସଙ୍ଗୀତ ଇତ୍ୟାଦି । କୋୟାର ସଙ୍ଗୀତ ତା ଜୀବନ ସହିତ ଘନିଷ୍ଠ ରୁପେ ସଂଯୁକ୍ତ । ଏଣୁ କୋୟାର ସଙ୍ଗୀତକୁ ବୁଝିବାକୁ ହେଲେ ଚାଣିବାକୁ ହେବ ତାର ଦୈନନ୍ଦିନ ଜୀବନଗାଥା, ତାର ସାମାଜିକ ଚଳଣି, ତାର ସାଂସ୍କୃତିକ ଜୀବନଗାଥା ତଥା ତାର ସ୍ନିଗ୍ଧ ପ୍ରାକୃତିକ ପରିବେଶକୁ ।

 

କୋୟାମାନେ ଗଣ୍ଡ ସଂପ୍ରଦାୟର ଅନ୍ତର୍ଭୁକ୍ତ । ବିନ୍ଧ୍ୟ ପାର୍ବତ୍ୟ ଅଞ୍ଚଳଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଗଣ୍ଡମାନଙ୍କର ଭୂ-ଖଣ୍ଡ ପ୍ରସିଦ୍ଧ ଗଣ୍ଡଓ୍ୱାନ ଅଞ୍ଚଳ ନାମରେ ପରିଚିତ । ଏହି ଗଣ୍ଡ ଜନଜାତିର ଥିବା ୫୩ଗୋଟି ପ୍ରଜାତିକୁ ମୁଖ୍ୟତଃ ଦୁଇଗୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି । ଯଥା-ରାଳ ଗଣ୍ଡ ଓ ବସ୍ତର ଗଣ୍ଡ । କୋୟାମାନେ ଏହି ବସ୍ତର ଗଣ୍ଡ ଗୋଷ୍ଠୀଭୁକ୍ତ । ଏମାନେ ମୁଖ୍ୟତଃ ମଧ୍ୟପ୍ରଦେଶର ବସ୍ତର ଜିଲ୍ଲାଠାରୁ ଓଡ଼ିଶାର ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଉତ୍ତରାଞ୍ଚଳକୁ ନେଇ ବିସ୍ତୃତ ପୂର୍ବାଘାଟ ପର୍ବତମାଳାର ମାଳ ଅଞ୍ଚଳରେ ବାସ କରୁଛନ୍ତି । କେତେକଙ୍କ ମତରେ ମଧ୍ୟପ୍ରଦେଶର କୋଇ ଅଞ୍ଚଳରୁ କୋୟା ଓ ଗଣ୍ଡଓ୍ୱାନ ଅଞ୍ଚଳରୁ ଗଣ୍ଡ ବା ଗଣ୍ଡିଆମାନଙ୍କର ସୃଷ୍ଟି ।

 

କୋୟାମାନେ ପାଞ୍ଚୋଟି ଗୋଷ୍ଠୀରେ ବିଭକ୍ତ । ସେମାନେ ହେଲେ ମାଡ଼କାମି, ମାଡ଼ି, ପଡ଼ିଆମି, କାବାସି ଓ ସୋଡ଼ି ।

 

କୋୟାମାନଙ୍କର ବ୍ୟବହୃତ ଭାଷା କୋୟା । କେନ୍ଦ୍ରୀୟ ଦ୍ରାବିଡ଼ ଗୋଷ୍ଠୀଭୁକ୍ତ ଭାଷା ପରିବାର ଅନ୍ତର୍ଗତ ଲିପି ବିହୀନ ଏହି କଥିତ ଭାଷାଟି ଆଞ୍ଚଳିକ ସ୍ତରରେ ବହୁ ଆଞ୍ଚଳିକ ଭାଷା ଦ୍ୱାରା ପ୍ରଭାବିତ । ବସ୍ତର ଅଞ୍ଚଳରେ ଏହି ଭାଷା ହିନ୍ଦୀ, ଆନ୍ଧ୍ରପ୍ରଦେଶରେ ତେଲୁଗୁ ଓ ଓଡ଼ିଶାରେ ମୁଖ୍ୟତଃ ଓଡ଼ିଆ ଭାଷାରେ ପ୍ରଭାବିତ ହେଲେ ହେଁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ତେଲୁଗୁ ମିଶ୍ରିତ କୋୟା ଓ ମଧ୍ୟପ୍ରଦେଶ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ହିନ୍ଦୀ/ଛତିଶଗଡି ମିଶ୍ରିତ କୋୟା ଭାଷା ଦେଖାଯାଏ । ଏଣୁ ମାଲକାନଗିରି ଜିଲ୍ଲାର ମାଥିଲି, କାଲିମେଳା, ମାନ୍ୟମ-କୋଣ୍ଡା, ମୋଟୁ ଓ ପଡ଼ିଆ ଆଦି ଅଞ୍ଚଳରେ ରହୁଥିବା କୋୟାମାନଙ୍କର ଭାଷାଗତ ପାର୍ଥକ୍ୟ ଦେଖାଯାଏ । କିଛିଟା ଭାଷାଗତ ତଥା ଜୀବନ ଜୀବିକାଭିତ୍ତିକ ବିଭିନ୍ନତା ସତ୍ତ୍ୱେ ପାର୍ବତ୍ୟ ଜନଜାତି କୋୟାମାନଙ୍କର ସାମାଜିକ ତଥା ସାଂସ୍କୃତିକ ଚଳଣି ଏକକ ଅଭିନ୍ନ ତଥା ଅନନ୍ୟ । ପ୍ରକୃତି କୋଳରେ ପ୍ରକୃତିର ସନ୍ତାନ କୋୟା ଏକ ସରଳ, ନିଷ୍କପଟ ଓ କର୍ମଠ ଜନଜାତି, ଆଜି ବି ଏକବିଂଶ ଶତାବ୍ଦୀର ସେ ଏକ ଅବହେଳିତ ଓ ବଞ୍ଚିତ ଜନସମୁଦାୟ ।

 

କୋୟାଭାଷାର ଲିପି ନଥିବା ଯୋଗୁଁ ଏହା କେବଳ ଏକ କଥିତ ଭାଷାଭାବେ ରହିଯାଇଛି-। ବୈଚିତ୍ର୍ୟମୟ ପ୍ରକୃତି, ସୁନ୍ଦର ନୈସର୍ଗିକ ଶୋଭାରେ ପରିପୂର୍ଣ୍ଣ ଜଙ୍ଗଲ ତଥା ଛଳ ଛଳ ସରଳ ଜୀବନ ଯାପନ ପ୍ରଣାଳୀ କୋୟାକୁ ସଙ୍ଗୀତମୁଖର କରି ତୋଳିଛି । ପାରମ୍ପରିକ କ୍ରମେ କୋୟା ନିଜର ଅଭିବ୍ୟକ୍ତିକୁ ମୁଖ୍ୟତଃ ସଙ୍ଗୀତ ମାଧ୍ୟମରେ ହିଁ ପ୍ରକାଶ କରେ । ସଙ୍ଗୀତ ତା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ପର୍ବପର୍ବାଣିଠୁଁ ବିବାହ ଅନୁଷ୍ଠାନ ପର୍ଯ୍ୟନ୍ତ, ଘର, କ୍ଷେତ, ଡଙ୍ଗର ଏମିତିକି ଝରଣା ଏବଂ ମହୁଲ ଗଛ ମୂଳରେ ମଧ୍ୟ ସେ ଲମ୍ୱାଇ ଦିଏ ସଙ୍ଗୀତର ସ୍ୱର-। ପରୁଷମାନଙ୍କ ଅପେକ୍ଷା କୋୟା ନାରୀମାନେ ଅଧିକ ସଙ୍ଗୀତ ନିପୁଣା । ମୁଖ୍ୟତଃ ସେଇମାନଙ୍କ କଣ୍ଠରୁ ଝରିଆସେ ସୁଲଳିତ ଭାବ ବ୍ୟଞ୍ଜକ ସଙ୍ଗୀତର ଝଙ୍କାର । ସେଇ ସଙ୍ଗୀତ ମାଧ୍ୟମରେ ସେମାନେ ପ୍ରକାଶ କରନ୍ତି ଦୁଃଖ, ଯନ୍ତ୍ରଣା, ହସ, ଉଲ୍ଲାସ ତଥା ଜୀବନ ଓ ମୃତ୍ୟୁର କାହାଣୀ ।

 

କୋୟାସମାଜରେ ପିଲାଟିଏ ଜନ୍ମ ହେଲେ ତାର ନାମକରଣ ପାଇଁ ଗାଁର ସମସ୍ତ ସ୍ତ୍ରୀ ଲୋକମାନେ ଏକାଠି ହୋଇ ଶିଶୁକୁ କୋଳରେ ଧରି ପୂର୍ବପୁରୁଷମାନଙ୍କ ନାମଧରି ଗୀତ ଗାଆନ୍ତି । ଗୀତର ତାଳେ ତାଳେ ପାଖରେ ଥିବା ପତ୍ର ଠୋଲାରୁ ଚାଉଳ ଆଣି ତାକୁ ଯୋଡ଼ିଯୋଡ଼ି କରି ଭାଗ କରାଯାଏ । ଯେଉଁ ନାମରେ ଚାଉଳ ଯୋଡ଼ି ଛିଡ଼ିଥାଏ ପିଲାକୁ ସେଇ ନାମ ଦିଆଯାଏ ।

 

ଯ ନୁନି, ଯଅ ବାୟାରେ ନୁନିଯଅ ବାୟା ନୁନି

ବେ ମତିନି ବାବୁ ମା ଲୋନ୍‌ ବାତିନ୍‌ ନିକିଂଗ୍‌ ମମ୍‌ ବାତା ଇତମ୍‌

ଯଅ ନୁନି ଯଅ ବାୟାରେ ନୁନି ଯଅ ବାୟା ନୁନି....

ନି ପୁଟୁକୁ ନି ଦାଦାଲ ମତଣ୍ଡ ତାମ ପେଦାର ନିକିଂଗ୍‌ ଇତମ୍‌

ଯଅ ବାୟାରେ ନୁନି ବାୟା ।

 

ସ୍ତ୍ରୀ ଲୋକମାନେ ନବଜାତ ଶିଶୁଟିକୁ ଗୀତ ମାଧ୍ୟମରେ ଆଶୀର୍ବାଦ କରୁଛନ୍ତି ।

 

ରେ ବାବୁ! ତୁ କେଉଁଠି ଥିଲୁ, ଆମ ଘରକୁ ଆସିଲୁ । ତୋତେ ଆମେ କଣ ବା ଦେଇ ପାରିବୁ ? ତୁ ତୋର ଜେଜେଙ୍କ ଭଳି ଦେଖାଯାଉଛୁ । ତେଣୁ ତୋର ନାମ ତୋର ଜେଜେର ନାମ ରଖୁଛି । ତୁ ଭଲରେ ରହ, ଦୀର୍ଘଦିନ ବଞ୍ଚ, ତୋର ଘରର ଇଷ୍ଟ ଦେବତା ତୋତେ ଭଲରେ ରଖନ୍ତୁ-। ଏହାହିଁ ଆମର ଇଚ୍ଛା ।

 

କେତେ ମର୍ମସ୍ପର୍ଶୀ? କେତେ ଆତ୍ମ ସମର୍ପଣ ତଥା ବାତ୍ସଲ୍ୟମମତ୍ୱ ପ୍ରକଟିତ ହେଉଛି ଏହି ପଦିଏ କବିତାରେ ।

 

କୋୟାସମାଜରେ ବହୁ ପ୍ରକାର ବିବାହ ପ୍ରଥା ପ୍ରଚଳିତ । ସେଥିରୁ ମାଟାକାଲ ବା ପ୍ରସ୍ତାବିତ ବିବାହରେ ବର ପକ୍ଷରୁ ବରଯାତ୍ରୀମାନେ ଯାଇ କନ୍ୟାକୁ ନିଜଗ୍ରାମକୁ ଡାକି ଆଣନ୍ତି । କନ୍ୟା ତାର ପିତୃଗୃହ, ସାଙ୍ଗସାଥୀ, ଆତ୍ମୀୟ ସ୍ୱଜନ ତଥା ନିଜ ଜନ୍ମ ଭୂଇଁ ଛାଡ଼ି ଏକ ନୂତନ ଗାଁକୁ ନୂତନ ପରିବେଶକୁ ଦାୟିତ୍ୱ ନେଇଯାଏ । କନ୍ୟାକୁ ବିଦାୟ ଦେବାପାଇଁ ତାର ସାଥି ଝିଅମାନେ ତେଲ ହଳଦୀ ଲାଗାଇ ଏକ ନୂତନ ଭାବେ ଖୋଳାଯାଇଥିବା ଚୁଆଁରୁ ପାଣି ଆଣି ପବିତ୍ର ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇ ପ୍ରସ୍ତୁତ କରନ୍ତି । ସେ ସମୟରେ ପ୍ରତିଟି ପ୍ରଥା ସହିତ କୋୟା ଝିଅମାନେ ଗୀତଗାଇ ସେଇ ସଙ୍ଗୀତ ମାଧ୍ୟମରେ ନିଜର ମନୋଭାବ ବ୍ୟକ୍ତ କରନ୍ତି ।

 

ଏଡୁ ଏଣ୍ଡକିନ୍‌ ପୁଲାଲେ ସେଲେ, ଏଡୁ ଏଣ୍ଡକିନ୍‌ ପୁଲା... ।

ନିଓ୍ୱାୟୋ ତାଲା ନର୍ଦାର ସେଲେ । ରେଲେ ରାୟ ରେଲେ ଲା... ।

ତୁର୍କେଲ ଓ୍ୱେୟତା କାମ୍ କାଳେ ସେଲେ, ନିକୁର ସେଲେ ଆକାର ସେଲେ ।

ନିଓ୍ୱା ଓ୍ୱେଲା ଏଓ୍ୱତାରେ ସେଲେ ।

ବହୁ ପୁରାତନ ହଳଦୀରେ, ତୋ ଦେହକୁ କରୁଛୁ ଲେପନ,

ହେ ବାନ୍ଧବୀ । ତୋତେ ଆମେ କରାଇବୁ ସ୍ନାନ ।

ସମୟ ତୋ ହେଲାଣି ଉଛୁର, ସାଥୀମୋର ! ଯିବୁପରା ତୁ ଶାଶୁଘର ।

ଆତୁଲ ବକ୍‌ ଉସ୍‌ତାଲେ ସେଲେ । କୁଏରେ ଏରେ ଇଡ଼ିକିତା ସେଲେ୍‌

କୂପରୁ ତ ଶୁଖିଲାଣି ଜଳ, ପତ୍ରଝଡ଼ା ଦେଲାଣି ପାଦପ

ବିଦାୟର ବେକା ଆସି ହେଲା ଉପଗତ, ଯିବାକୁ କି ତରତର ହେଉଛୁ ସଙ୍ଗାତ ।

 

ହିନ୍ଦୁ ପରମ୍ପରା ଅନୁଯାୟୀ କନ୍ୟାକୁ ଯେପରି ସାତ ଘରର ପବିତ୍ର ଜଳ ଆଣି ଭାଉଜମାନେ ଗାଧୋଇ ଦେଇ ମଙ୍ଗୁଳି କରନ୍ତି ସେହିପରି କୋୟା ଯୁବତୀକୁ ପବିତ୍ର ଜଳ ଆଣି ଗୀତବୋଲି ସ୍ନାନ କରାଯାଏ ।

 

କାକର୍‌ ଉଡ଼ଓ୍ୱା ଲୁଲ ଲେ କାନ୍ନ ଯେଲେ, ରେଲେ ରାୟ ରେଲେ ଲା ରେଲେ...

ପାଣ୍ଡେ ମୟଓ୍ୱା ଲୁଲୁରେ କାନ୍‌ ୟେଲେ, କାନ୍‌ ୟେଲେ ରେୟାଲ୍‌. କାନ୍‌ ୟେଲେ ରେୟାଲେ ନିଓ୍ୱା

ଓ୍ୱେଲା ଏଓ୍ୱା ତାଲେ କାନୟେଲେ, ରେଲେରୋୟ ରେଲେ ଲ, ରେଲେରୋୟ ରେଲେ ଲ

କୁମାଲ କିତା କୁଣ୍ଡାଲେ କାନୟଲେ, ରେଲେ ରାୟ ରେଲେ ଲ... ।

 

ରେ ସାଥୀ ! ଏ ପବିତ୍ର ଜଳ ଆଣିଛି ମୁଁ ବହି,

ତୋ ଦେହରୁ ପାପସବୁ ଧୋଇଦେବା ପାଇଁ,

ଶୁଦ୍ଧ ଏଇ ନୀର, ବେଙ୍ଗ ବି ଛୁଇଁ ପାରିନାହିଁ ।

ସୁନା ନୁହେଁ ରୂପା ନୁହେଁ, ସୂର୍ଯ୍ୟଠୁଁ ବଳି ପବିତ୍ର,

କୁମ୍ଭକାର ହାତଗଢ଼ା ମାଟିର ପାତ୍ରରେ,

ଭରି ମୁଁ ଆଣିଛି ଜଳ, ଢାଳିଦେବି ତୋ ତନୁରେ,

ଶ୍ୱେତ ଆଉ ରକ୍ତ ବର୍ଣ୍ଣ ସୂତା ପରି ତୁ ହୋଇଯିବୁ ଶୁଭ୍ର ଓ ପବିତ୍ର ।

 

ଶ୍ୱେତ ଓ ରକ୍ତ ବର୍ଣ୍ଣ ସୂତାକୁ ଏଠାରେ ଶୁଭ୍ର ଓ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରାଯାଇଛି ।

 

ଏହାପରେ ସାଥୀମାନେ କନ୍ୟାକୁ ବିଦାୟ ଦେବାପାଇଁ ଏକତ୍ରିତ ହୋଇ ଅତୀତର ସ୍ମୃତିଚାରଣ ପୂର୍ବକ ବିଦାୟ ସଙ୍ଗୀତ ଗାନ କରନ୍ତି ।

 

ନିମ୍ମା ଇଙ୍ଗେ ନିମ୍ମାଲେ ନିମ୍ମା ଇଙ୍ଗା ନିମ୍ମାଲେ,

ନାନ୍‌ଲେ ଓ୍ୱେୟାଲେ,

କେଲା କନି ନାନ୍‌ଲେ । କନି ନନ୍‌ ଲୋ, ନାନ୍‌ ଲେ ଓ୍ୱେୟାଲେ,

 

ହେ ଭାଇ, ହେ କୁନି ଭଉଣୀ ଆମ କପାଳ ମନ୍ଦ । ତୋ ପୁରୁଣା ସାଙ୍ଗ ସାଥୀଙ୍କ ସହ ତୁ କେତେ ସୁଖରେ । ଥିଲୁ । ଏବେ ସେହି ସାଙ୍ଗ ସାଥୀ, ବାପ ମା ’ ଓ ଜନ୍ମ ମାଟି ଛାଡ଼ି ପର ହୋଇଯିବୁ । ନୂଆ ସଂସାର ଗଢ଼ିବୁ । ହେଲେ ଭଉଣୀ ମୋର । ନୁଆ ସଂସାର କରି ନୂଆ ସାଥୀ ପାଇଁ ତୋର ପିତାମାତା, ଜନ୍ମଗାଁ ଓ ପୁରୁଣା ସାଙ୍ଗ ଭୁଲିବୁ ନାହିଁ ।

 

କନ୍ୟାକୁ ଧରି ସ୍ୱାମୀ ଗୃହକୁ ସମୟରେ ସେମାନେ ଗାଉଥିବା ଏହି ବିଦାୟ ଗୀତିକାରେ କନ୍ୟାକୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହୋଇ ସୁଖରେ ଘର ସଂସାର କରିବୁ ଉପଦେଶ ପ୍ରଦାନ କରିଥାନ୍ତି ।

 

ପୂୟା ଓ୍ୱେଙ୍ଗୁର ତୋଲାଲେ, ଢୋଲା ଖୁଡୁମ୍ ଇଂତାଲେ

ବୁରୁର୍‌ ବାର୍‌କା ଲାଂଦାଲେ, ଆଲାଂବା ଉନ୍‌ମା ରେରେ ଲାୟା ।

 

ପାକଳ ଶାଳ କାଠର ଗଣ୍ଡିରେ ତିଆରି ଶବ୍ଦରେ ଚଉଦିଗ କମ୍ପି ଉଠୁଛି । ଆଜିତୋର ବିବାହ ଉତ୍ସବ । ଆମକୁ ଖରାପ ଲଂନ୍ଦା ଦେଲେବି ଆମେ ତୋ ବିବାହର ଆନନ୍ଦ ଉତ୍ସବରେ ସାମିଲ ହେବୁ ଭଉଣୀ ।

 

ଏଠାରେ ଖାଦ୍ୟ ଓ ପାନୀୟ ପ୍ରତି ଲାଳସା ନକରି ସାମାଜିକ ଦାୟିତ୍ୱବୋଧ ଓ ସ୍ନେହ ସୋହାଗର କଥା କୁହାଯାଇଛି । ସରଳ କୋୟା ପାଇଁ ଖାଦ୍ୟ ନୁହେଁ ସଂପର୍କ ହିଁ ବଡ଼ ।

 

ଶୋକରେ ଅଧୀର ହୋଇ କନ୍ୟାର ପିତାମାତା ମଧ୍ୟ କାନ୍ଦି କାନ୍ଦି ଗୀତ ଗାଇ ତାକୁ ପ୍ରବୋଧନା ଦିଅନ୍ତି ।

 

ନୁନିଲେ ବାୟା ନିମା ଇଙ୍ଗା ନିମା,

କେଇମା ନୁନି କେଇମା ନୁନି,

ଗୋଡାମ୍ ଆତିକ ଓ୍ୱାଞ୍ଜି ଇତାନ୍‌ ଗୋଡକି ଇତାନ୍‌,

ବାତା ନିକିଂ ବାୟାମ୍‌, ନନ୍‌ ମନ୍ଦନା ନିକିଂ ବାତା ବାୟାମ୍

କାର୍‌ପୋଇତିକି ମିରିବାଡା ସାରେ କଟ ଇତାନ୍‌

କେଇମା ନୁନି କେଇମା...

ଦୁକାମ୍‌ ବାତିକି କାବୁଡ଼୍‌ ଇମ୍‌,

ଝାପେନନ ବାତାନ୍‌ ଝାପେନନ୍‌ ବାତାନ୍‌

ନନ୍‌ ମନ୍ଦନା ନିକିଂ ବାତା ବାୟାମ୍‌, କେଇମା ନୁନି କେଇମା... ।

ଅଲିଅଳି ଝିଅ ମୋର ! କାନ୍ଦ ନାହିଁ ଶୋକରେ ଅଧୀର ହୋଇ

ତୋ ପାଇଁ ତ ଅଦେୟ ମୋ କିଛି ନାହିଁ

ତୋର ଅଭାବ ହେଲେ...

ଧାନ ଦେବି, ଗୋରୁ ଦେବି, ପେଟକାଟି ତୋତେ ପୋଷୁଥିବି ।

ବାଧକ ପଡ଼ିଲେ ମା’ ମୋର ଖବରଟେ ଦେଇଦେ

ସଅଳ ଆସିବି ଚାଲି । ଝିଅକୁ ମୋ ଦେଖିବାର ପାଇଁ ।

ମୁଁ ବଞ୍ଚିବାଯାଏ ତୋର ବା ଅଭାବ କଣ?

ମା’ ମୋର ! କାହିଁକି ବା ଆଖିରୁ ତୁ ଢାଳୁଅଛୁ ଲୁହ?

 

ଅତ୍ୟନ୍ତ ଆବେଗମୟ, ପ୍ରାଣସ୍ନର୍ଶୀ ହୃଦୟ ବିଦାରକ ସେ ଦୃଶ୍ୟ । ଭାବବିହ୍ୱଳ ବାତ୍ସଲ୍ୟ ମମତାରେ ଜର୍ଜରିତ ବାପାଟି ଏଠାରେ ତାର ସମସ୍ତ ସମ୍ପତ୍ତି ଝିଅକୁ ଦେଇଦେବାକୁ କଥା ଦେଉଛି । ଦୁଃଖରେ ମ୍ରିୟମାଣ ହୋଇ ଓ ଆବେଗରେ ଭାଙ୍ଗିପଡ଼ି । ବିଦାୟ ପାଇଁ ସାଥୀମାନେ କନ୍ୟାକୁ ତରତର କରି ଗାଉଛନ୍ତି ।

 

ବଡ୍ଡେ ଗାଟାଡ୍‌ ପଡ୍‌ଦେଲେ ଚେଲେ ପଡବ୍‌ ଡିଗର ମଂଦେଲେ

ଚେଲେ । ଆଦାନା ଆରାର୍‌ ଦୂରାମ୍‌ ଚେଲେ ! ମାଲୁ ଡାକା ନାଡ୍‍କୋଲେ ।

 

ସମୟ ଓ ସୂର୍ଯ୍ୟ କାହାକୁ ଅପେକ୍ଷା କରନ୍ତି ନାହିଁ । ସମୟ ଅତିକ୍ରାନ୍ତ । ସୂର୍ଯ୍ୟ ଅସ୍ତ ହେଲେଣି । ମାଡ଼ି ଆସୁଛି ଅନ୍ଧାର । ଆଗରେ ସୁଦୀର୍ଘ ପଥ ଅତିକ୍ରମ କରିବାକୁ ହେବ । ତେଣୁ ସାଥୀମାନେ ବାନ୍ଧିବୀଟିକୁ ମୟୂର ଭଳି ଲମ୍ୱ ପାହୁଡ଼ ପକାଇ ଆଗେଇ ଚାଲିବା ପାଇଁ କହୁଛନ୍ତି । ସୂର୍ଯ୍ୟ ଓ ମୟୂରର ପ୍ରତୀକ ସାହାଯ୍ୟରେ ଏଠାରେ ଏକ ଚମତ୍କାର ରୂପକଳ୍ପଟିଏ ସୃଷ୍ଟି ହୋଇପାରିଛି-। ବାସ୍ତବରେ ସଂସାର ଏକ ଅନ୍ଧକାର ଗଳି । ଏଥିରେ ପ୍ରବେଶ ପାଇଁ ଗତି ତୀବ୍ର ହେବା ଆବଶ୍ୟକ-। ଏଠାରେ ପ୍ରାକ୍‌ ବିବାହ କାଳକୁ ସୁଖ, ଆନନ୍ଦ ଓ ଆଲୋକର ଦିନ ଭାବେ ଏବଂ ବିବାହୋତ୍ତର ସାଂସାରିକ ଜଞ୍ଜାଳକୁ ଅସ୍ତମିତ ସୂର୍ଯ୍ୟ ଅନ୍ଧକାରପୂର୍ଣ୍ଣ ରାତ୍ରି ଭାବେ ପରିକଳ୍ପନା କରାଯାଇଛି ।

 

ପୁଅ ଝିଅକୁ ମଧୁଶର୍ଯ୍ୟା ପୂର୍ବରୁ ମିଳାଇବା ସମୟରେ ମଧ୍ୟ ଅନୁରୂପ ଉପଦେଶ ଦିଆଯାଇଥାଏ ।

 

ମା ଲୋନ୍‌ଇକେ ମାଲୋନ ଇକୋ,

ବେକନି ଦାତି ବାୟାନୁନି ବାୟାଲେ ବେକନି ଦାତି

କେଇମା ନୁନି କେଇମା ନୁନି,

ବତାଙ୍କେ କେଇତିନି ନୁନିଲେ ବାୟା,

ମାନୁନିଲେ ମାନୁନିଲେ ନୁନିଲେ ବାୟା

ସାଏ ଲୋକ ଦୁଆଡ଼ ମାଡ଼ିମାନ ମାନୁନିଲେ ।

 

ରେ ବାନ୍ଧବୀ !

ସୁଖରେ ସଂସାର କର, ଜୀବନକୁ ଉପଭୋଗ କର ।

ଲୁହ ପୋଛି ଖେଳାଇ ତୁ ହସର ଜୁଆର, ସାଥୀକୁ ତୁ କରିନେ ଅତି ଆପଣାର ।

 

କେବଳ ବିବାହ ନୁହେଁ ପ୍ରତିଟି ପରବ ସଙ୍ଗୀତରେ ମଧ୍ୟ ଫୁଟିଉଠେ କୋୟାର ଦୈନନ୍ଦିନ-। ଜୀବନଚର୍ଯ୍ୟା ତଥା ପ୍ରାଣୋଚ୍ଛଳ ଆବେଗମୟ ଭାବବୋଧ । ଧରିତ୍ରୀ ମା’ର ଆଶୀର୍ବାଦ କାମନା କରି ତାକୁ ପୂଜା ପ୍ରଦାନ କରି ଶାନ୍ତି କରେ । ମା’ର ଶାନ୍ତିରେ କୋୟାର ସୁଖ ସମୃଦ୍ଧି । ଗୟଳ ଶିଙ୍ଗାର ସ୍ୱରରେ ମାଦଲ ବା ଢୋଲର ତାଳେ ତାଳେ ପାଦରେ ପାଦ ଛନ୍ଦି କୋୟା ରମଣୀ ମେଲିଦିଏ ତାର ସଙ୍ଗୀତର ଲହରୀ । ଓ୍ୱାଜା ପାଣ୍ଡୁମ (ଚୈତ୍ର ପରବ) କଡ଼ତା ପାଣ୍ଡୁମ (ନୂଆଖିଆ ପରବ), ମାର୍କା ପାଣ୍ଡୁମ୍‌ (ଆମ୍ୱ ପରବ) ଚିକୁଡ଼ ପାଣ୍ଡୁମ (ଶିମ୍ୱ ପରବ), ଭିମୁଡ଼ ପାଣ୍ଡୁମ (ପୌଷ ପରବ), ବିମୁଡ଼କ (ମହୁଲ ପରବ) ପ୍ରତିଟି ପର୍ବରେ ଲନ୍ଦା ଓ ସଲପ ପିଇ ବିଭୋର ହୋଇ ସେମାନେ ମାତିଯାଆନ୍ତି ଗୋଷ୍ଠୀ ନୃତ୍ୟ ଓ ଗୋଷ୍ଠୀ ସଙ୍ଗୀତରେ ।

 

ପୁନା ଗାଦେ ମାଓ୍ୱାରେ ପାନ୍ଥା ଗାଦେ ନିଆଦେ

ନୁନିରେ ବାୟା ବାୟା ନୁନି ବାୟାଲେ

ଭୀମାଇ ପେଣ୍ଡୁଲ ନୁନିଲେ ବାୟା ନୁନିଲେ

 

ପୁଷ୍‌ ପରବ ଅବସରରେ ନିଜର ଅମଳ ଶସ୍ୟକୁ ଏକ ମହୁଲ ଗଛ ମୂଳେ ଧରିତ୍ରୀ ମା’କୁ ଅର୍ପଣ କରି କୋୟା କହୁଛି-

 

ମା’ଲୋ ଆମକୁ ନୂଆ ତୋତେ ପୁରୁଣା । ଏମିତି ଫସଲ ପ୍ରତିବର୍ଷ ଆମକୁ ଦେଇ କରୁଣା କରୁଥାଆ ମା’ ।

 

ବାତା ଇସି ପୂଜିତମ ୟାଅ । ବାତାଇସି ପୂଜିତମ୍

ନିୟାଦେ ସାରା ଆନାମ୍‌ । ନିକିଂ ବାତା ଇତମ୍‌ ।

 

ସକ୍‌କୁ ଇସି ପୁଙ୍ଗାର ଆରକେ, ପୂଜିତମ ୟାଆ ବାତା ମାକିଂ ଇଲେ ।

ନିଆଦେ ସାରେ ଆୟା ।

 

କଣ ଦେଇ ତମକୁ ପୂଜିବୁ ମା’ଲୋ ସବୁତ ତୁମରି ଦାନ । ଫୁଲ, ପତ୍ର, ଫଳ ଯାହାତ ଦେଖୁଛୁ ସବୁତ ତୁମରି ଦାନ । ତୁମେ ଯାହା ଦେଇଛ ସେ ସବୁକୁ ତୁମକୁ ହିଁ ଅର୍ପଣ କରୁଛି ମା’ । ତାକୁ ଗ୍ରହଣ କର ମା’ ।

 

ପକ୍ତିଟିରେ ଚମତ୍କାର ଆତ୍ମ ସମର୍ପଣ ଭାବ ଫୁଟି ଉଠୁଛି । ଚିତ୍ରିତ ହୋଇଛି ଚେତନାର ସଂପ୍ରସାରିତ ବଳୟ । ସେଇଥିପାଇଁ ଓ୍ୱଜା ପାଣ୍ଡୁମ୍‌ ବା ଚଇତ ପରବରେ ଧରିତ୍ରୀ ମା’କୁ ଭଲଭାବରେ ପୂଜା କରିବା ପାଇଁ ଆହ୍ୱାନ ଦେଇ ସେମାନେ ଗାଇ ଉଠନ୍ତି ।

 

ଗେଡ଼ମାକରୁ କରୁଲି କରୁଓ୍ୱାଲ ମାମାୟା, ପେଡ଼ମା କରୁକରୁ

ରେରେ ଲାୟ, ରେ ରେ ଲା...

ଲୁପ କରୁ ଲି କରୁଓ୍ୱାଇ ମାମାୟା, କରୁ ଆଲଓ୍ୱାଡା

ମାଉ କରୁକରୁଲି କରୁ ଓ୍ୱାଇ ମାମାୟ, କରୁ ଅଲଡଓ୍ୱାଡ ।

ରେରେ ଲାୟ...

 

ହେ ପୂଜାରୀ ମାମା ! ଭଲଭାବେ ଧରିତ୍ରୀ ମା’ର ପୂଜା ଦିଅ । ଯେମିତିକି ସନ୍ତୁଷ୍ଟ ହୋଇ ମା’ ଆମକୁ ଶିକାରରେ ସାହାଯ୍ୟ କରିବେ । ଗୟଳ ଶିକାର ପାଇଲେ ଶିଙ୍ଗାରେ ସୁନାରି ଓ କୁରେଇ ଫୁଲର ହାର ପିନ୍ଧାଇ ନଚାଇବୁ । ଶିକାରର ପ୍ରତିଟି ରକତ ବିନ୍ଦୁ ଭୂମିକୁ ମାଟି ମା’ ସନ୍ତୋଷରେ ଭରିଦେବ ଫସଲ ଭଣ୍ଡାର, ଝରିପଡ଼ିବ ଅମୃତ ବରଷାର ଧାର, ବିହନ ସମର୍ପଣ କରି ସେ ଗାଇଉଠେ-

 

ହୁଡ଼ା ଗାଦେ ଗାଦେ ୟାମ୍ମା ହୁଡ଼ା... ନିଣ୍ଡୁ ଗାଦେ ମାନା ୟାମ୍ମା

ଓ୍ୱାଞ୍ଜୁ ଗାଦେ ଗାଦେ ୟାମ୍ମା ଓ୍ୱାଞ୍ଜୁ ରେରେ ଲାୟ...

ଲୋ ମା’ ! ବର୍ଷର ଅଧା ବିହନ ସମର୍ପି ଦେଉଛୁ ତୋତେ ।

ଖୁସିରେ ତୁ ଗ୍ରହଣ କର, ତୋ ଗଳାରେ ଲମ୍ୱାଇ ଦେଉଛୁ

ସୁନାରିଫୁଲର ଗଜରା, ସାଦରେ ଗ୍ରହଣ କର ।

ପ୍ରସନ୍ନ ହୋଇ ଫେରାଇ ଦେ ମା’ ଆମକୁ ଅଧିକରୁ ଅଧିକ ଫସଲ,

ଭରିଦେ ଆମର ଭଣ୍ଡାର ।

 

ଚଇତ ବେଣ୍ଟର ଶିକାର ଧରି କୋୟା ଯୁବକ ଫେରିଲେ ତାକୁ ବୀରର ମର୍ଯ୍ୟାଦା ଦେଇ କୋୟା ଯୁବତୀମାନେ ଆନନ୍ଦ ଉଲ୍ଲାସରେ ଗୀତଗାଇ ସ୍ୱାଗତ କରନ୍ତି । ସେମିତି ବିନା ଶିକାରରେ ନିଷ୍ଫଳ ହୋଇ ଫେରିଲେ କୋୟା ଯୁବତୀ ଯୁବକମାନଙ୍କୁ ବାକ୍ୟବାଣରେ ଜର୍ଜରିତ କରି ସେମାନଙ୍କୁ ଆହତ କରନ୍ତି । ସେ ସଙ୍ଗୀତରେ ଥାଏ ପାରସ୍ପରିକ ଆପେପୋକ୍ତି ।

 

ଗାଙ୍ଗା ରେଙ୍ଗା ବିଲ୍‌-କିଟ୍‌ ମିଡ଼ଙ୍ଗ କାଟ

ମାଡ଼୍‍ ଦାଦାଲ ମୁରଲନା ବିଡ଼ିତଣ୍ଡ ।

....

ଅହକି ଅଲଟତ କି ବୁର୍ଦା ମାତା କି, ପୁଟାତାରା କି ମୁସ୍‌ ମାତା କି

 

ଏଠାରେ ଶିକାର ଧରି ଫେରିଥିବାରୁ ଗ୍ରାମଦେବୀଙ୍କୁ ପ୍ରଶଂସା କରାଯାଇଛି ।

 

ଦୈନନ୍ଦିନ ଜୀବନଚର୍ଯ୍ୟାରେ କୋୟା ଅତ୍ୟନ୍ତ ସରଳ ଓ ଛନ୍ଦ କପଟ ହୀନ । ଆଧୁନିକ ମଣିଷ ପରି ଜୀବନ ତା’ ପାଇଁ ଏକ ସମସ୍ୟା ନୁହେଁ ବା ଏକ ଆହ୍ୱାନ ନୁହେଁ । ତା’ ପାଇଁ ଜୀବନ ଆନନ୍ଦ ଉଲ୍ଲାସର ଗନ୍ତାଘର । ପ୍ରକୃତିର ନିସ୍ତବ୍ଧ ଶାନ୍ତ କୋଳରେ ଜୀବନକୁ ସେ ଖୁବ୍‌ ମନଭରି ଉପଭୋଗ କରେ । ଆଧୁନିକ ମଣିଷ ଭଳି ସେ ଯନ୍ତ୍ରଣାସିକ୍ତ ଜୀବନ ଜିଏ ନାହିଁ । ସେ ଜିଏ ମୁକ୍ତ ତଥା ସ୍ୱାଭାବିକ ଜୀବନ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମଗ୍ର ଜୀବନ ତା ପାଇଁ ଏକ ଆନନ୍ଦପ୍ରଦ ଅନୁଭୂତି । ମୃତ୍ୟୁ ତା ପାଇଁ ଜୀବନର ପରିସମାପ୍ତି ନୁହେଁ । ଆଉ ଏକ ଜୀବନର ଅୟମାମାରମ୍ଭ । ସେଇଥି ପାଇଁ ମୃତ୍ୟୁ ପରେ ବି କୋୟା ତାର ଆତ୍ମୀୟର ଶବକୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ସଂସ୍କାର କରି ଆଉ ଏକ ଜନ୍ମ ପାଇଁ ପ୍ରସ୍ତୁତ କରେ । ଶବର ମୁହଁକୁ ଆଉଁସି ଦେଇ ଗୀତ ମାଧ୍ୟମରେ ନିଜର ଅନ୍ତରର ଦୁଃଖକୁ ପ୍ରକାଶ କରେ ।

 

ବୁର୍କା ପୁଙ୍ଗାର ଚାକୁର, ଜିଓ୍ୱା ନିଓ୍ୱାଦ ତେରତା

ମାକିଂ ବିଡଶ ଆତିନି ମା ପୁନେମ ଇଲା, ବେଲା ମାଡ଼ିବାତ କିତମ୍‌ ?

ହେ ପ୍ରିୟତମ, ଆମରତ ଭାଗ୍ୟରେ ନାହିଁ

ତୁମ ସହ ଅନ୍ତିମ ଜୀବନ ।

ତୁମର ଯେତେଦିନ ଭୋଗଥିଲା, ତାହାର ସମାପ୍ତି ପରେ

ମୋତେ ଛାଡ଼ି ଦରେ ଚାଲିଗଲ, କୁହ ପ୍ରିୟ, କେମିତି ବଞ୍ଚିବି?

 

ପତିର ମୃତ୍ୟୁରେ ଶୋକ ବିଧୁରା ପତ୍ନୀଟିଏ ନିଜର ଅନ୍ତରର ଦୁଃଖକୁ ପ୍ରକାଶ କରି ମୁଣ୍ଡପିଟି କାନ୍ଦୁଛି । ଶବ ସଂସ୍କାର ବେଳେ ପ୍ରିୟ ପରିଜନମାନେ ଗାଇ ଉଠୁଛନ୍ତି ।

 

ଆନାଲ ବାତା କେତେ ନିଆଲେ, ଆନାଲ ତୁମୁଡ଼ି ବେରକେତେ ଓ୍ୱେତିନୁ ଆଲେ

ଆନାଇ ବାତା ଓ୍ୱେରକିତେ ଆଲେ, ଆନାଲ ପୁନାପିକି ଓ୍ୱାଡ଼ାଲେ ଆଲେ

ଇବାଡ଼୍‍ ଇବାଡ଼୍ ଓ୍ୱାଡ଼ାଲେ ଆଲେ, ଏଲାମ୍‌ ଗାଲାମ୍‌ ଓ୍ୱେଟିନ୍‌ ଆଲେ

ପେଣ୍ଡା ପିଡ଼କା ଗମ୍‌ ଆଲେ, ଗମ୍‌ ଦେଶୁ ଓ୍ୱାତିନି ଆଲେ...

 

କେଉଁ କାଠରେ ପ୍ରେତକୁ ତୁମେ ପୋଡ଼ୁଛ ଭାଇ ? ଆମେ ପ୍ରେତକୁ କେନ୍ଦୁ କାଠରେ ପୋଡ଼ୁଛୁ । ଆଗକୁ ଆଉ ଯାଅ ନାହିଁ । ପାଖକୁ ପାଖ ଲାଗି ଆସ । ତୁମେ ସ୍ୱର୍ଗକୁ ଯାଉଛ । ତୁମେ ଆଉ ଫେରିବ ନାହିଁ ।

 

ସେମିତି ଶୁଦ୍ଧ । କୁଟେ ବା ବୁଡ଼ ସମୟରେ ଗ୍ରାମଦେବା ଓ ପୂଜାରୀକୁ ପ୍ରଶଂସା କରି ମୃତ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଏ ।

 

ସିଙ୍ଗେରାମ ଜାଗାରେ ୟାୟାଲେ, ନାୟା ସାତେମ୍‌ ଉଡ଼ିଣ

ରେଲେ ୟାୟ ରେଲେ ଲା... ଗନ୍ତଆନନା ମାତିନୁ ୟାୟାଲେ

ମୁନେନ୍‌ ବେଲା ମାତିନ୍‌ ଆଲେ ମାନୁଲି...ରେଲେ ୟାୟା

 

ତୁମେ ପରିବାର ସହ ଯେପରି ହସ ଖୁସିରେ ଥିଲ ମୃତ୍ୟୁ ପରେ ମଧ୍ୟ ପୂର୍ବ ପୁରୁଷମାନଙ୍କ ସହ ଆନନ୍ଦରେ ରହିବ ।

 

ଏମିତି ଜନ୍ମ ଓ ମୃତ୍ୟୁର ଦେହଳୀ ମଧ୍ୟରେ ବନ୍ଦି କୋୟାର ଜୀବନ । ତାର ସଂସ୍କୃତି ତାର ସଙ୍ଗୀତମୟ ସାମାଜିକ ଚଳଣି । ମୁଣ୍ଡ ଉପରେ ସୁନୀଳ ଆକାଶ । ପାଦତଳେ ଧରିତ୍ରୀ ମା’, ଚାରି ପାଖରେ ବେଢ଼ି ରହିଛି ନିଘଞ୍ଚ ସବୁଜ ବନାନୀ । ସାନ୍ଦ୍ରଘନ ଶାଳ ସଲପର ବନ୍ୟ ବିଥିକା ଭୁରୁଭୁରୁ କୁରେଇ ଓ ମହୁଲ ଫୁଲର ବାସ୍ନା ତାକୁ କରେ ବିମୋହିତ ଓ ଉଚ୍ଚକିତ । ମୁକ୍ତ ପ୍ରକୃତିର ଜୀବନଚର୍ଯ୍ୟାରେ ବ୍ୟସ୍ତ ଅନ୍ତର୍ମୁଖୀ ଚେତନାର ପୂର୍ଣ୍ଣାଙ୍ଗ ମଣିଷଟିଏ କୋୟା । ଢୋଲ ଓ ମାଦଲର ତାଳେ ତାଳେ ଗଜୁରୀ ପିଟି, ଗୟଳ ଶିଂଗା ଓ ବଂଶୀ ବଜାଇ, ମୟୂର ପୂଚ୍ଛ ଝାଡ଼ି ଝାଡ଼ି ପାଦରେ ପାଦ ଛନ୍ଦି ଉନ୍ମତ୍ତ ବନ୍ୟ ଝରଣା ଭଳି କଳକଳ ଛଳଛଳ କବିତାମୟ ଜୀବନ ଜିଇଛି ସିଏ । ସେଠି ଦୁଃଖ ନାହିଁ, ଅବଶୋଷ ନାହିଁ, ହତାଶା ବ୍ୟର୍ଥତା ନାହିଁ । ଅଛି ଖାଲି ସ୍ୱପ୍ନ ଓ ଜୀବନକୁ ଉପଭୋଗ କରିବାର ମତୁଆଲା ଉନ୍ମାଦନା । ସ୍ୱର ଓ ଛନ୍ଦର ସଂଗୀତ ଓ ନୃତ୍ୟ । ବଣିକ ସଭ୍ୟତାର ସର୍ବଗ୍ରାସୀ ମୋହଠାରୁ ଅନେକ ଦୂରରେ ରହି ଆଦିମ କାଳରୁ ପ୍ରକୃତିର ଜାଙ୍ଗଳିକ ମାୟାରେ ବିଭୋର କୋୟା ବଞ୍ଚିଛି ତାର ନିଜସ୍ୱ ସଙ୍ଗୀତମୟ ଜୀବନକୁ ନେଇ । ତାର ଜୀବନ ତାର ସଙ୍ଗୀତ ଅତୀବ ମହାନ୍‌ । ତା’ କବିତା ଜୀବନର ଏକ ଭାବୋଜ୍ଜ୍ୱଳ ମନୋଜ୍ଞ ପ୍ରକାଶ ଓ ମୃତ୍ୟୁର ଏକ ମାର୍ମିକ ଅଭିଜ୍ଞତା ।

 

ସିଆଡ଼ିମାଳ, ମାଲକାନଗିରି

 

 

(ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକତାଙ୍କ ମିଳିତ ସହଯୋଗରେ ଗତ ତା ୧୬.୦୧.୨୦୦୧ ରିଖରେ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଆଦିବାସୀ ଭାଷା ଓ କବିତା ସଂପାନରେ ପଠିତ ପ୍ରବନ୍ଧ ।)

 

***

 

Unknown

ପ୍ରକୃତିର ଦେବାଳୟ- ‘‘ଜାହିରା’’

ନନ୍ଦକିଶୋର କିସ୍କୁ

 

(ଯୋଗ୍ୟତମର ଉଦ୍‌ବର୍ତ୍ତନ ନୀତିରେ ମାନବ ସର୍ବଶ୍ରଷ୍ଠ ପ୍ରାଣୀ । ବୁଦ୍ଧି ଓ ବିବେକ ବଳରେ ସେ ଯେତେ ବଳୀୟାନ ହେଲେ ମଧ୍ୟ, ପ୍ରାକୃତିକ ପରିବେଶରୁ ଉର୍ଦ୍ଧ୍ୱରେ ନୁହେଁ । ପ୍ରକୃତିର ପ୍ରଭାବକୁ ସେ ପ୍ରତିହତ କରି ପାରିବ ନାହିଁ । ତେଣୁ, ମାନବକୁ ମଧ୍ୟ ପ୍ରକୃତି ସହିତ ଏକାକାର ହେବାକୁ ପଡ଼ିବ-। ଫଳରେ ମହିମା ଧର୍ମ ଭଳି ପ୍ରକୃତି-ଭିତ୍ତିକ ଧର୍ମ ଓ ଦର୍ଶନର ଉଦ୍ଭୂତ ହୋଇଛି ।)

 

ଆଦିବାସୀ ଜନଜାତି ସାନ୍ତାଳଙ୍କ ବସତିକୁ ଗଲେ ଆମେ ଗ୍ରାମ ବାହାରେ ଶାଳକୁଞ୍ଜଟିଏ ଦେଖିବାକୁ ପାଉ । ତାହା ସେମାନଙ୍କର ପୂଜାସ୍ଥଳୀ ପବିତ୍ର ‘ଜାହିରା’ । ହିନ୍ଦୁ ଧର୍ମର ମନ୍ଦିର ଇସ୍‌ଲାମ୍‌ ଧର୍ମର ମସ୍‌ଜିଦ୍‌ ଓ ଖ୍ରୀଷ୍ଟଧର୍ମର ଗିର୍ଜା ଭଳି ଶାର୍‌ନା ଧର୍ମର ଦେବାଳୟକୁ ‘ଜାହିରା’ କୁହାଯାଏ । ଏହା ପ୍ରାକ୍‌ବୈଦିକ କାଳରୁ ଅଦ୍ୟାବଧି ବିଦ୍ୟମାନ ହୋଇରହିଛି ପ୍ରକୃତି ହେଉଛି ଭଗବାନଙ୍କର ସାକାର ରୂପ ଏବଂ ପବିତ୍ର ଶାଳକୁଞ୍ଜରେ ବାସ କରନ୍ତି । ତେଣୁ, ପ୍ରକୃତିର ଦେବାଳୟ-‘ଜାହିରା’ କୁ ହିଁ ଭଗବାନଙ୍କର ପବିତ୍ର ଆଦି ଦେବାଳୟ କୁହାଯାଏ ।

 

ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀମାନଙ୍କୁ ପ୍ରଥମେ ଖେର୍‌ଓ୍ୱାଳ ଜାତିର ଲୋକ ବୋଲି କୁହାଯାଉଥିଲା । ଏଥିରେ ସାନ୍ତାଳ, କୋହ୍ଲ ଭୂମିଜ, ମାହାଲି ଓ ବିର୍‌ହଳ୍‌ ବ୍ୟତୀତ ଅନ୍ୟାନ୍ୟ ଆଦିବାସୀ ଜନଜାତି ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ । ପ୍ରାକ୍‌ ବୈଦିକ କାଳରେ ସେମାନଙ୍କ ଧର୍ମକୁ ‘ଖେରଓ୍ୱାଳ୍‌’ ଧର୍ମ ବୋଲି କୁହାଯାଉଥିଲା । କାଳକ୍ରମେ ଏହା ଜାହିରା ଧର୍ମ ଓ ଆଦିଧର୍ମ ନାମିତ ହେଲା । ଏଥିରେ ସନ୍ତୁଷ୍ଟ ନ ହୋଇ ବିହାରର ବିଖ୍ୟାତ ଆଦିବାସୀ ନେତା ସ୍ୱର୍ଗତ ଜୟପାଲ ସିଂ ୧୯୬୪ ମସିହାରେ ଜାହିରା ଧର୍ମକୁ ‘ଶାର୍‌ନା’ ଧର୍ମ ନାମରେ ନାମିତ କଲେ । ସେହିଦିନଠାରୁ ଆଦିବାସୀମାନଙ୍କର ଧର୍ମକୁ ଶାର୍‍ନା ବୋଲି କୁହାଯାଉଛି ।

 

ଶାର୍‌ନା ଧର୍ମର ମୁଖ୍ୟ ପ୍ରତୀକ ତ୍ରୟ ହେଉଛି-ଶର, ଶାଳବୃକ୍ଷ ଓ ଶିଳା । ଶର ଆତ୍ମରକ୍ଷା ଓ ଜୀବିକାର୍ଜନର ଅବଲମ୍ୱନ ହେଲାବେଳେ ଶାଳବୃକ୍ଷକୁ ଜଙ୍ଗଲ ଓ ଶିଳାକୁ ମୃତ୍ତିକାର ପ୍ରତୀକ ରୂପେ ଗ୍ରହଣ କରାଗଲା । ପ୍ରାକୃତିକ ଶକ୍ତିକୁ ଅଭିମାନୀ ଦେବତା ହିସାବରେ କଳ୍ପନା କରାଗଲା । ପ୍ରକୃତିର ଭୀମ ଓ କାନ୍ତ ଛବିକୁ ଅବଲୋକନ କରି ଆଦିମାନବ ତାହାକୁ ଉପାସନା କରିବାରେ ଲାଗିଲା । ସେତେବେଳେ ଏହାକୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସ୍ୱୀକାର କଲେ । ଆପାତତଃ, ଏହା ପ୍ରାକ୍‌ବୈଦିକ କାଳର କଥା । ଐତିହାସିକ ଦୃଷ୍ଟି କୋଣରୁ ଏହାକୁ ଇତିହାସର ଅନ୍ଧକାରମୟ ଯୁଗ ରୂପେ କଳ୍ପନା କରାଯାଇଛି ।

 

ସାଧାରତଃ, ଋକ୍‌ବେଦ ଠାରୁ ଆରମ୍ଭ କରି ଉପନିଷଦ ଆଦି ରଚିତ ହେବା ପର୍ଯ୍ୟନ୍ତ କାଳର ଅବଧିକୁ ବୈଦିକ ଯୁଗ ବୋଲି କୁହାଯାଏ । ଏହି ବୈଦିକ ଯୁଗର ପ୍ରାକ୍‌ କାଳରେ ଅଷ୍ଟ୍ରିକ୍‌ ସଭ୍ୟତା ବିଦ୍ୟମାନ ଥିଲା । ଅଷ୍ଟ୍ରୋ-ଏସୀୟ ଆଦିମ ଅଧିବାସୀଗଣ ପ୍ରକୃତି କ୍ରୋଧରେ ଯେଉଁ ଜୀବନଧାରା ଅବଲମ୍ୱନ କରୁଥିଲେ, ତାହାକୁ ସେମାନେ ଅବିକଳ ଭାବରେ ଅଦ୍ୟାବଧି ବଜାୟ ରଖି ଆସିଛନ୍ତି । ପ୍ରାକ୍‌ ବୈଦିକକାଳୀନ ସେହି ଆଦିବାସୀୟ ରୀତିନୀତି, ଚାଳିଚଳନ ଓ ଧର୍ମ-ଦର୍ଶନର ଗୁଣକୁ ହିଁ ଜାହିରା ଆବହମାନ କାଳରୁ ବହନ କରି ଆସିଛି । ସୁତରାଂ, ଜାହିରା-କେବଳ ଚିର ଶ୍ୟାମଳ ନୟନାଭିରାମ ଶାଳକୁଞ୍ଜ ନୁହେଁ, ଏହା ଅଷ୍ଟ୍ରିକ୍‌ ସଭ୍ୟତାର ଅବଶେଷ-ସ୍ମାରକ ମଧ୍ୟ ।

 

ପ୍ରାକୃତିକ ଦେବାଳୟ ‘ଜାହିରା’ର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା ପ୍ରକୃତିର ବୀଜବପନ ସ୍ଥଳୀ । ‘ଜୀ’ ଅର୍ଥ ବୀଜ ଓ ‘ଏର’ ଅର୍ଥ ବପନ ବା ବିକ୍ଷେପଣ । ସୁରରାଂ, ‘ଜାଏର୍‌’ରୁ ଜାହେର୍‌ ଶବ୍ଦ ନିଷ୍ପନ୍ନ ହୋଇଛି । ଏହା ଏକ ଅଷ୍ଟ୍ରିକ ଭାଷାଗୋଷ୍ଠୀର ସାନ୍ତାଳୀ ଶବ୍ଦ ଅଟେ । ଓଡ଼ିଆ ଭାଷାରେ ଏହି ଜାହେର୍‌ ଶବ୍ଦରୁ ‘ଜାହିରା’ ହୋଇଛି । ଶୁଦ୍ଧ-ପୂତ ହଂସ ଓ ହଂସୀଙ୍କ ଔରସରୁ ଜାତ ଖେର୍‌ଓ୍ୱାଲବଂଶର ଆଦି ସ୍ତ୍ରୀ-ପୁରୁଷ ପିଲ୍‌ଚୁ ବୁଢା ଓ ପିଲ୍‌ଚୁ ବୁଢ଼ୀ ଜାତ ହୋଇଥିଲେ । ଅତଳ ସମୁଦ୍ର ମଧ୍ୟରେ ଏକମାତ୍ର କୁରୁମ ବୃକ୍ଷଟିଏ ଥିଲା । ବୃକ୍ଷର ଶାଖାରେ ଥିବା ହଂସ-ହଂସୀଙ୍କର ବିଶାଳ ନୀଡ଼ରେ ଜାତ ଆଦି ଶିଶୁଦ୍ୱୟଙ୍କ କ୍ରନ୍ଦନ ଧ୍ୱନି ସୃଷ୍ଟି କର୍ତ୍ତାଙ୍କ ହୃଦୟକୁ ବିଗଳିତ କଲା । ସେମାନଙ୍କ ଜୀବନଧାରଣ ନିମିତ୍ତ ପ୍ରାକୃତିକ ପରିବେଶର ଆବଶ୍ୟକତା ପଡ଼ିଲା । ତେଣୁ, ସୃଷ୍ଟିକର୍ତ୍ତା ଅତଳ ସମୁଦ୍ରରେ ସ୍ଥଳଭାଗ ସୃଷ୍ଟି କରିବା ଇଚ୍ଛା ପ୍ରକାଶ କଲେ । ସେ ଭୂମିକୀଟ ଜିଆରାଜଙ୍କ ସହଯୋଗରେ ଅତଳ ସାଗରରୁ ନିଷ୍କାସନ କରାଇଲେ । ତାହା ସାଗରର ଜଳସ୍ତର ପୃଷ୍ଠରେ ସ୍ଥାପନ କଲେ । ସୁନାର କ୍ଷୁଦ୍ର ଧରଣୀଟିଏ ନିର୍ମିତ ହେଲା । ସେଠାରେ ବିଭିନ୍ନ ପ୍ରକାରର ବୀଜ ବପନ କଲେ । ସ୍ୱଳ୍ପକାଳ ମଧ୍ୟରେ ତୃଣ, ଗୁଳ୍ମ ଲତା ଓ ବୃକ୍ଷ ସମୂହରେ ସେହି ସ୍ଥାନଟି ପ୍ରକୃତିର ସୁରମ୍ୟ ବନବାଟିକାରେ ପରିଣତ ହେଲା । ତାହାହିଁ ପୃଥିବୀର ଆଦିରୂପ ଥିଲା । ତେଣୁ, ଜାହିରା କହିଲେ ଧରିତ୍ରୀର ଏକ କ୍ଷୁଦ୍ର ନିଦର୍ଶନକୁ ବୁଝାଇଥାଏ ।

 

ପ୍ରକୃତି ସମଗ୍ର ଧରାକୁ ଅପରୂପ ସୌନ୍ଦର୍ଯ୍ୟରାଜିରେ ମଣ୍ଡନ କଲା । କାଳକ୍ରମେ ସୃଷ୍ଟିକର୍ତ୍ତା ବିଭିନ୍ନ ପ୍ରକାରର ପ୍ରାଣୀଙ୍କୁ ସୃଷ୍ଟି କଲେ । ପ୍ରକୃତିର ଆଦ୍ୟ ସନ୍ତାନ ଆଦିପୁରୁଷ ଓ ଆଦିନାରୀ ଆନନ୍ଦରେ ଜୀବନଯାପନ କଲେ । ସେମାନଙ୍କର ମଧ୍ୟ ସାତଜଣ ପୁତ୍ର ଓ ସାତଜଣ କନ୍ୟା ଜନ୍ମ ଗ୍ରହଣ କଲେ । ସେମାନଙ୍କୁ ନେଇ ଶ୍ୱାପଦ-ସଙ୍କୁଳ ସ୍ଥାନରେ ବସବାସ କଲାବେଳେ ବହୁ ହିଂସ୍ରଜନ୍ତୁଙ୍କ ସହିତ ରକ୍ତାକ୍ତ ସଂଗ୍ରାମ କରିବାକୁ ପଡ଼ିଲା । ତେଣୁ ସେମାନେ ଲିଟାଗୋସାଇଁଙ୍କୁ ନିରାପଦ ସ୍ଥାନଟିଏ ଠାବ କରିଦେବା ପାଇଁ ପ୍ରାର୍ଥନା କଲେ । ଲିଟା ଭଗବାନ୍‌ ସେମାନଙ୍କ ଡାକ ଶୁଣିଲେ ଏବଂ ସେମାନଙ୍କୁ ଜଣେ ଶିକାରୀ ବୁଢ଼ା ବେଶରେ ଦର୍ଶନ ଦେଲେ । ସେ ଧନୁରେ ଶର ଯୋଖି ଦଶ ଦିଗ ନାମରେ ଛାଡ଼ିଲେ । ଶରଟି ଯାଇ ଐଶାନ୍ୟ କୋଣରେ ଥିବା ବିଶାଳ ଶାଳ ବୃକ୍ଷରେ ଲାଖି ରହିଥିଲା । ସେଠାରେ ଇଷ୍ଟ ଦେବ ଦେବୀଙ୍କ ନାମରେ ପୂଜାପଣା କରାଗଲା । ଖେରଓ୍ୱାଳ୍‍ ବଂଶର ଲୋକେ ସେଠାରେ ନିରାପଦରେ ଜୀବନଯାପନ କଲେ । ସେହିଦିନଠାରୁ ଆଦିବାସୀ ଲୋକେ ଶାଳବୃକ୍ଷରେ ତୀକ୍ଷ୍‌ଣ ଶରକୁ ସ୍ପର୍ଶକରି ଏବଂ ଭୂମିରେ ଦଣ୍ଡାୟମାନ ଅବସ୍ଥାରେ ରଖି ଜାହିରାରେ ପୂଜା କରି ଆସୁଛନ୍ତି । ଶିଶୁ ଜନ୍ମ ହେଲାବେଳେ ତୀକ୍ଷ୍‍ଣ ଛୁରିକାଯୁକ୍ତ ଶରଟି ନବଜାତ ଶିଶୁର ନାଭି-ସୂତ୍ରକୁ କର୍ତ୍ତନ କରିବାରେ ମଧ୍ୟ ବ୍ୟବହୃତ ହେଲା । ଏହି ଭଳି ଶର (ଶାର୍‌) ଓ ନାଭି ସୂତ (ନାର୍‌)ର ସମ୍ପର୍କ ଶାଳକୁଞ୍ଜରେ ସ୍ଥାପିତ ହେଲା । ତେଣୁ, ଜାହିରାକୁ ‘ଶାର୍‌ନା’ ବୋଲି ମଧ୍ୟ କୁହାଯାଏ ।

 

ଶାର୍‌ନା ବା ଜାହିରା ବାଟିକାରେ ଶାଳ, ମହୁଲ, ପଳାଶ, ଅଶନ, କୁରୁମ ଓ ତିନ୍ଦୁକ ଆଦି ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବୃକ୍ଷରାଜି ବିଦ୍ୟମାନ ଥାଏ । ଏଗୁଡ଼ିକ ମଧ୍ୟରେ ଶାଳ ଓ ମହୁଲ ବୃକ୍ଷର ପ୍ରାଧାନ୍ୟ ଆଦିମ କାଳରୁ ସ୍ୱୀକୃତ ହୋଇଛି । ବସନ୍ତଋତୁରେ ପୁଷ୍ପୋତ୍ସବ ପାଳନ କଲାବେଳେ ଶାଳପୁଷ୍ପ ଓ ମହୁଲ ପୁଷ୍ପର ଆବଶ୍ୟକତା ଅନିବାର୍ଯ୍ୟ । ପଳାଶ ଫଳରୁ ବୀଜକୁ ଲକ୍ଷ୍ୟ କରି ଧାନ ଫସଲର ଉତ୍ପାଦନ ରହସ୍ୟକୁ ଭେଦ କରାଯାଏ । ଶାଳଫଳରୁ ଝଡ଼ ତୋଫାନର ସମ୍ଭାବନା ସମ୍ୱନ୍ଧରେ ଅଗ୍ରସୂଚନା ନିର୍ଣ୍ଣୟ କରାଯାଇଥାଏ । ମହୁଲ ଫଳ କଚଡ଼ାର କୀଟଦ୍ରଂଷ୍ଟ ଅବସ୍ଥାକୁ ଲକ୍ଷ୍ୟ କରି ବର୍ଷା ଆଗମନର ଦିଗ ନିର୍ଣ୍ଣୟ କରାଯାଇଥାଏ । ଏହିସବୁ ବୃକ୍ଷରାଜି ପ୍ରକୃତିର ଜ୍ୟୋତିଷ-ତନ୍ତ୍ରକୁ ପରିପ୍ରକାଶ କରୁଥିବାରୁ କୃଷିଜୀବୀ ଆଦିବାସୀ ଲୋକେ ଆଦିମକାଳରୁ ଉପକୃତ ହୋଇ ଆସୁଛନ୍ତି । ସେମାନେ ଜାହିରାପୀଠରୁ ବର୍ଷଯାକର ସୁଖ ସ୍ୱାଚ୍ଛନ୍ଦ୍ୟ ସମ୍ୱନ୍ଧରେ ଅବଗତ ହୋଇଥାନ୍ତି-

 

ଜାହିରାଦେବୀ ହେଉଛନ୍ତି ଜାହିରାପୀଠର ମୁଖ୍ୟଦେବୀ । ତାଙ୍କ ବ୍ୟତୀତ ମାରାଂ-ବୁରୁ ଓ ପଞ୍ଚ ତଥା ଷଡ଼ଦେବଗଣ ଅବସ୍ଥାନ କରିଥାନ୍ତି । ସେମାନେ ସମସ୍ତେ ଶାଳତରୁର କୁଞ୍ଜରେ ବିରାଜମାନ ଥାନ୍ତି । ଜାହିରା ପୀଠର ମହୁଲ ବୃକ୍ଷରେ ଅନ୍ୟ ଏକ ଦେବୀ ବାସ କରନ୍ତି ବିଭିନ୍ନ ପ୍ରକାରର ପ୍ରାଣୀଙ୍କୁ ସୃଷ୍ଟି କଲାବେଳେ ଭଗବାନଙ୍କୁ ସେ ଆମୂଳଚୂଳ ସହଯୋଗ ଶାର୍‌ନାପୀଠର ସୀମାନ୍ତ ପାର୍ଶ୍ୱରେ ସୀମାସାଜେ ଦେବତାଙ୍କ ନାମରେ ପୂଜା ସାମଗ୍ରୀ ସମର୍ପଣ କରାଯାଏ । ସମସ୍ତ ଦେବଦେବୀଙ୍କ ନିମନ୍ତେ ଭୋଗ ସାମଗ୍ରୀ ରୂପେ ସାଧାରଣତଃ ହାଣ୍ଡିଆ, କୁକୁଡ଼ା, ଛେଳି ଓ ଫଳମୂଳ ସମର୍ପଣ କରାଯାଏ । ମାଦକ ପାନୀୟ ସହିତ ବଳିପ୍ରଥା ପ୍ରଚଳନ ଥିବାରୁ ଆଦବାସୀ ପୂଜା ପଦ୍ଧତି ମଧ୍ୟ ତନ୍ତ୍ର ପ୍ରଭାବରୁ ମୁକ୍ତ ନୁହେଁ । ତେବେ, ପତ୍ର, ଫୁଲ ଓ ଫଳକୁ ପୂଜା ସାମଗ୍ରୀ ରୂପେ ବ୍ୟବହାର କରି ସାତ୍ତ୍ୱିକ ଉପାସନାର ମଧ୍ୟ ବ୍ୟବସ୍ଥା ରହିଛି । ସୁତରାଂ, ପ୍ରାକ୍‌ବୈଦିକ କାଳରୁ ଶାର୍‌ନା ଧର୍ମରେ ତନ୍ତ୍ରବାଦ ସହିତ ଅହିଂସାବାଦର ପ୍ରମାଣ ରହିଛି ।

 

ପ୍ରାକ୍‌ ବୈଦିକ କାଳରେ ଆଦିବାସୀ ଜନଜାତିର ଲୋକେ ଦେବଦେବୀଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିପାରୁଥିଲେ । ଜାହିରାପୀଠରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନୃତ୍ୟକୁ ଦେବଦେବୀଙ୍କଠାରୁ ଶିକ୍ଷା କରିଥିଲେ ବୋଲି ସାନ୍ତାଳ ଲୋକ-କଥା ରହିଛି । ବିଶେଷତଃ, ନୈଶ୍ୟକାଳୀନ ନୃତ୍ୟ ବେଳେ ଗ୍ରାମର ନୃତ୍ୟାଙ୍ଗନରେ ଦେବ-ଦେବୀ ଓ ମାନବ-ମାନବୀ ଏକତ୍ର ନୃତ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ ଗାନ୍ଧର୍ବ ରୀତିରେ ବୈବାହିକ ସମ୍ୱନ୍ଧ ସ୍ଥାପିତ ହୋଇପାରୁଥିଲା ବୋଲି ଲୋକ-କାହାଣୀମାନ ରହିଛି । ଏହା ଆଦିବାସୀ ଜନ ଜୀବନରେ ସରଳତା, ସତ୍ୟବାଦିତା ଓ ପବିତ୍ରତା ଭଳି ଦୈବୀଗୁଣ ହେତୁ ସମ୍ଭବପର ହୋଇପାରୁଥିଲା । ମାତ୍ର, ଆଧୁନିକ ଯୁଗରେ ଏହିସବୁ ଦୈବୀଗୁଣ ଧାରଣ କରିବା ସହଜ ନୁହେଁ । ଫଳତଃ, ଆଦିବାସୀ ଲୋକେ ଦେବଦେବୀଙ୍କ ସହିତ ଦାସୀ ପଡ଼ିବା ବା ଝୁମ୍ପିବା ମାଧ୍ୟମରେ ସମ୍ପର୍କ ସ୍ଥାପନ କରନ୍ତି । ମାନବ ଆତ୍ମା ଦୈବୀ ଆତ୍ମା ସହିତ ଏହା ମାଧ୍ୟମରେ ନିକଟତର ହୋଇ ଆଗତ-ଭବିଷ୍ୟତ ପ୍ରସଙ୍ଗରେ ପ୍ରାକ୍‌ ସୂଚନା ଅଣାଯାଇଥାଏ । ଦେବାତ୍ମା ରୂପେ ଅଭିନୟ କରୁଥିବା ବ୍ୟକ୍ତିର ନୈଷ୍ଠିକତା ଉପରେ ଏହା ନିର୍ଭର କରିଥାଏ । ଆଦିମ କାଳର ଏହି ଆଧ୍ୟାତ୍ମିକ ସଂସ୍କୃତି ଆଦିବାସୀ ଜୀବନ ଧାରାର ଏକ ମୁଖ୍ୟ ବୈଶିଷ୍ଟ୍ୟ ।

 

ପ୍ରକୃତି ହେଉଛି ବିବେକ ବହିର୍ଭୂତ ଏକ ସ୍ୱାଭାବିକ ବାସ୍ତବ ସତ୍ୟ । ଏହାର ଆରମ୍ଭ ନାହିଁ କି ସମାପ୍ତି ନାହିଁ । ଏହା ସ୍ଥାନ, କାଳ ଓ ପାତ୍ର କ୍ଷେତ୍ରରେ ଅସୀମ ଓ ଅନନ୍ତ ମଧ୍ୟ । ଏହା ପରିବର୍ତ୍ତନ ଓ ପ୍ରଗତିରେ ଚିର ପ୍ରବହମାନ । ତେଣୁ, ପ୍ରକୃତି ଚିରନ୍ତନ ଓ ସନାତନ । ପ୍ରକୃତିର ଦେବାଳୟ ଜାହିରା ମଧ୍ୟ ଚିରନ୍ତନ ଓ ସନାତନ । ଆଦିବାସୀ ଜନଜାତିଙ୍କର ‘ଶାର୍‌ନାଧର୍ମ’ ମଧ୍ୟ ଚିରନ୍ତନ ଓ ସନାତନ । ଏହା କୃତ୍ରିମତାର ଆବରଣଠାରୁ ସମ୍ପୂର୍ଣ୍ଣ ମୁକ୍ତ । ମାତା ଜାହିରାଦେବୀ ପ୍ରକୃତି-ସ୍ୱରୂପା ଏବଂ ତ୍ରାଣକର୍ତ୍ତା ମାରାଂବୁରୁ ପୁରୁଷର ପ୍ରତୀକ । ମୁଖ୍ୟ ଦାରୁଦେବ ଦେବୀ ରୂପେ ସେମାନେ ଜାହିରାରେ ଅଧିଷ୍ଠିତ ହୋଇ ରହିଛନ୍ତି । ପଞ୍ଚ ଓ ଷଡ଼ଦେବଗଣ ମଧ୍ୟ ଦାରୁ-ଭୂତ ମୁରାରି ରୂପେ ଖ୍ୟାତିଲାଭ କରିଛନ୍ତି । ଆପାତତଃ, ବୃକ୍ଷ ବା ଦାରୁକୁ ହିଁ ଦେବଦେବୀ ରୂପେ ଜାହିରା-ସଂସ୍କୃତିରେ ସମ୍ୟକ୍‌ ଭାବେ କଳ୍ପନା କରାଯାଇଛି । ପ୍ରାକ୍‌ବୈଦିକ କାଳର ଏହି ବୃକ୍ଷପୂଜା-ସଂସ୍କୃତି ବୈଦିକ ଯୁଗ ବେଳକୁ ପ୍ରାଧାନ୍ୟଲାଭ କଲା । ତେଣୁ, ଋକ୍‌ବେଦରେ ଦାରୁ-ଦେବତାର ମାହାତ୍ମ୍ୟକୁ ଚରମ ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଋକ୍‌ବେଦରେ ଉଲ୍ଲେଖ କରାଯାଇଥିବା ଏହି ଶ୍ଳୋକଟିକୁ ଏଥି ନିମନ୍ତେ ଜାଜ୍ୱଲ୍ୟମାନ ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯାଇ ପାରେ । ଉକ୍ତ ଶ୍ଲୋକଟି ହେଲା ‘ଅଦୌଯଦ୍ଦାରୁ ପ୍ଲବତେ ସିନ୍ଧୁ-ଉପରି ଅପୌରୁଷମ୍‌ ଦୁର୍ହୋଣ । ତଦାରଭ୍ୟ ତେନ ଗଚ୍ଛ ପୁରୁସ୍ତରମ୍‌ ।’ ଦାରୁ-ଦେବତାଙ୍କୁ ଆରାଧନା କଲେ ପାପିଷ୍ଠ ବ୍ୟକ୍ତି ମଧ୍ୟ ସଦ୍‌ଗତି ଓ ମୁକ୍ତିଲାଭ କରିପାରିବା ପ୍ରସଙ୍ଗରେ ଏଥିରେ ସୂଚନା ପ୍ରଦାନ କରାଯାଇଛି । ଅଧିକନ୍ତୁ, ଶାବରୀ ନାରାୟଣ ଜଗନ୍ନାଥ, ଶକ୍ତି-ସ୍ୱରୂପିଣୀ ସୁଭଦ୍ରା ଓ ହଳଧର ବଳଭଦ୍ରଙ୍କୁ ଦାରୁ-ସର୍ବସ୍ୱ ବିଗ୍ରହ ପ୍ରସଙ୍ଗରେ ଅବତାରଣା କରାଯାଇଛି । ବାସ୍ତବତଃ, ଏହି ଦାରୁମୂର୍ତ୍ତି-ତ୍ରୟ ପବିତ୍ର ଶାର୍‌ନାପୀଠର ମାରଂବୁରୁ, ଜାହେର୍‌ ଆୟ ଓ ମଣେକ-ତୁରୁୟକ୍‌ ନାମଧାରୀ ଦେବାତ୍ମାଙ୍କ ରୁପାନ୍ତର ମାତ୍ର । ସୁତରାଂ, ଜଗନ୍ନାଥତତ୍ତ୍ୱ ଓ ଦାରୁ-ପୂଜା ସଂସ୍କୃତି, ଶାରନାତତ୍ତ୍ୱ ଓ ସଂସ୍କୃତିରୁ ଉଦ୍ଭୁତ ହୋଇଛି । ଏହି ଦୃଷ୍ଟିରୁ, ଶାର୍‌ନା ଧର୍ମକୁ ମାନବଜାତିର ଆଦ୍ୟଧର୍ମ ବୋଲି ସ୍ୱୀକାର କରାଯାଇଛି ।

 

ବୃକ୍ଷ ହିଁ ଜୀବନ । ବିଭିନ୍ନ ପ୍ରକାରର ବୃକ୍ଷର ସମାହାରକୁ ସାନ୍ତାଳୀ ଭାଷାରେ ‘ଜାରା’ କୁହାଯାଏ । ‘ଜାହିରା’ ଶବ୍ଦ ‘ଜାରା’ ଶବ୍ଦର ଅପଭ୍ରଂଶ ମାତ୍ର । କେତେକ ଆଦିବାସୀ ଜନଜାତିର ଲୋକେ, ଜାରାରେ ବାସ କରୁଥିବା ଦେବୀଙ୍କୁ ‘ଜାକରାଦେବୀ’ ବୋଲି କହନ୍ତି । ଜାହିରାଦାବୀଙ୍କୁ ହିଁ ‘ଜାକରାଦେବୀ’ ରୂପେ ନାମାନ୍ତର କରାଯାଇଛି । ଅନ୍ୟ କେତେକ ଜନଜାତି ମହୁଲ ବୃକ୍ଷରେ ବାସ କରୁଥିବା ଦେବାତ୍ମାଙ୍କୁ ‘ଜଗତ୍‌’ ବା ‘ଜଗନ୍ତ’ ନାମରେ ଆରାଧନା କରନ୍ତି । ପ୍ରକୃତି ରାଜ୍ୟରେ ବୃକ୍ଷର ମହାନତାକୁ ଏଠାରେ ପ୍ରତିପାଦନ କରାଯାଇଛି । ବିଶ୍ୱ-ବ୍ରହ୍ମାଣ୍ଡରେ ଅଗ୍ନି ଓ ଜଳ ପରେ ପୃଥିବୀ ସୃଷ୍ଟି ହୋଇଥିବା । ତତ୍‌ପରେ ଉଦ୍ଭିଦ ଜଗତ ସୃଷ୍ଟି ହେଲା । ବିବର୍ତ୍ତନବାଦ କ୍ରମରେ ପ୍ରାଣିଜଗତ ମଧ୍ୟ ସୃଷ୍ଟି ହେଲା । ସସାଗରା ଧରାରେ ଜୀବନ ଧାରଣ ନିମନ୍ତେ ଉଦ୍ଭିଦ ଓ ପ୍ରାଣୀ ପରସ୍ପର ପରିପୂରକ ହୋଇ ଉଠିଲେ । ତେଣୁ ମାନବ ପ୍ରକୃତି ଉପରେ ସର୍ତ୍ତ ବିହୀନ ଐଶ୍ୱରିକ ବିଶ୍ୱାସ ସ୍ଥାପନ କଲା । ପ୍ରାକ୍‌ବୈଦିକ କାଳର ଅଷ୍ଟ୍ରିକ୍‌ ସଭ୍ୟତାରେ ଜାହିରା-ସଂସ୍କୃତି ଓ ଅବଲୀଳାକ୍ରମେ ଗଢ଼ି ଉଠିଲା । ବୈଦିକ ଯୁଗରେ ଏହା ଅରଣ୍ୟ-ସଂସ୍କୃତି ନାମରେ ପ୍ରତିଷ୍ଠିତ ହୋଇ ରହିଲା । ମାନବ ସମାଜର ଅସ୍ତିତ୍ୱ ନିମନ୍ତେ ଅରଣ୍ୟ-ସଂସ୍କୃତି ସର୍ବତୋଭାବ ଅପରିହାର୍ଯ୍ୟ । ମାନବ-ସଭ୍ୟତା ପ୍ରତି ଜାହିରା-ସଂସ୍କୃତିର ଏହାହିଁ ମହାନ୍‌ ଅବଦାନ ।

 

ପ୍ରାକ୍‌ କାଳରେ ଆଦିମମାନବ ଯାଯାବର ଜୀବନଯାପନ କରୁଥିଲା । କାଳକ୍ରମେ ପଶୁପାଳନ ପୂର୍ବକ ସେ କୃଷିକାର୍ଯ୍ୟରେ ନିମଗ୍ନ ରହିଲା । ବସତି ସ୍ଥାପନ କରି ଏକତ୍ର ବସବାସ କରିବାକୁ ଲାଗିଲା । ଧାର୍ମିକ ଉତ୍ସବ ନିମନ୍ତେ ବଳିପ୍ରଥାର ପ୍ରଚଳନ କରାଗଲା । ତେଣୁ, ଆଦିମମାନବ ବିଭିନ୍ନ ପଶୁ-ପକ୍ଷୀଙ୍କୁ ଗୃହରେ ଲାଳନପାଳନ କଲା । ପ୍ରକୃତିକୁ ଶାନ୍ତ ଓ ଶିଷ୍ଟ କରିବା ପାଇଁ ସେ ବଳିପ୍ରଥା ସହିତ ନୃତ୍ୟ ଓ ଗୀତକୁ ମଧ୍ୟ ମାଧ୍ୟମ କଲା । ନିଜ ବାସ ସ୍ଥାନର ଅନତିଦୂରରେ ପବିତ୍ର ଧର୍ମପୀଠ ‘ଜାହିରା’ ସ୍ଥାପନ କଲା । ଆଦିବାସୀ ଜନଜାତିଙ୍କ ସଂସ୍କୃତିରେ ପ୍ରକୃତିର ଦେବାଳୟ ‘ଜାହିରା’ ଚିରନ୍ତର ଓ ସନାତନ ହୋଇ ରହିଲା । କୃଷି-ସଂସ୍କୃତିର ମୂକସାକ୍ଷୀ ରୂପେ ‘ଜାହିରା’ ଅଦ୍ୟାବଧି ଜନଜାତିଙ୍କ ବସତିପାର୍ଶ୍ୱରେ ଦଣ୍ଡାୟମାନ ହୋଇ ରହିଛି ।

 

ଯୋଗ୍ୟତମର ଉଦ୍‌ବର୍ତ୍ତନ ନୀତିରେ ମାନବ ସର୍ବଶ୍ରେଷ୍ଠ ପ୍ରାଣୀ । ବୁଦ୍ଧି ଓ ବିବେକ ବଳରେ ସେ ଯେତେବଳୀୟାନ ହେଲେ ମଧ୍ୟ, ପ୍ରାକୃତିକ ପରିବେଶରୁ ଉର୍ଦ୍ଧ୍ୱରେ ନୁହେଁ । ପ୍ରକୃତିର ପ୍ରଭାବକୁ ସେ ପ୍ରତିହତ କରିପାରିବ ନାହିଁ । ତେଣୁ, ମାନବକୁ ମଧ୍ୟ ପ୍ରକୃତି ସହିତ ଏକାକାର ହେବାକୁ ପଡ଼ିବ । ଫଳରେ ମହିମା ଧର୍ମ ଭଳି ପ୍ରକୃତି-ଭିତ୍ତିକ ଧର୍ମ ଓ ଦର୍ଶନର ଉଦ୍ଭୂତ ହୋଇଛି । ଘୋର-ଅରଣ୍ୟରେ ବିଶ୍ୱାବସୁ ଶବରର ନୀଳମାଧବ ଆରାଧନାକୁ ଜାହିରା-ସଂସ୍କୃତିରୁ ମଧ୍ୟ ଅନ୍ତର କରାଯାଇନପାରେ । ପଞ୍ଚଭୂତର ସମଷ୍ଟିରେ ମାନବ ଶରୀର ଗଠିତ । ଏହା ଜାହିରା-ସଂସ୍କୃତି-ସର୍ବସ୍ୱ । ନିର୍ମଳ ପ୍ରାକୃତିକ ପରିବେଶର ସଂରକ୍ଷଣ ଓ ସୁରକ୍ଷାକୁ ପ୍ରକୃତିର ଦେବାଳୟ ‘ଜାହିରା’ର ଧାର୍ମିକ ସୁସମାଚାର ବୋଲି ଗ୍ରହଣ କରାଯାଇପାରେ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ପ୍ରାଣିଧାନଯୋଗ୍ୟ କର୍ତ୍ତବ୍ୟ ହୋଇ ଉଠିଛି । ଜାହିରା ଓ ଶାରନା ଧର୍ମକୁ ସ୍ୱୀକୃତି ମିଳିବା ଉଚିତ ।

 

ସହାୟକ ପୁସ୍ତକାବଳୀ

୧.

Pre-Vedic Qustric Civilization of India: by Engineer Nityanda Hembram.

୨.

ଋକ୍‌ବେଦ, 3, ସଂସ୍କୃତି ସାହିତ୍ୟର ଇତିହାସ: ସହଦେବ ଦାଶ ।

୩.

କାଲେୟାନ୍‌ ହେମ୍ୱ୍ରମ୍‍ଙ୍କ-ସଂସ୍କୃତି ପୁସ୍ତକ ।

 

***

 

ଓଡ଼ିଶାର ଆଦିବାସୀ ଭାଷା ଓ ଲିପି ପ୍ରସଙ୍ଗ

 

(ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୬୨ ଗୋଷ୍ଠୀର ଆଦିବାସୀ ସମାଜରେ ଆବହମାନକାଳରୁ ପ୍ରଚଳିତ ହୋଇ ଆସୁଥିବା ପରମ୍ପରା ଓ ସାଂସ୍କୃତିକଧାରାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ସରକାରୀ ତଥା ବେସରକାରୀ ଉଦ୍ୟମରେ ପ୍ରଚେଷ୍ଟା ଚାଲୁ ରହିଛି । ଏହି କ୍ରମରେ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଆଦିସୀମାନଙ୍କର ସାମାଜିକ ସ୍ଥିତାବସ୍ଥା ଓ ନିଚ୍ଛକ ଜୀବନଧାରା ସମ୍ପର୍କରେ କର୍ମଶାଳା, ଆଲୋଚନାଚକ୍ର ଓ ଚର୍ଚ୍ଚାର ଆୟୋଜନ କରାଯାଉଛି । ନିକଟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନ ହୋଇଯାଇଥିବା ଆଦିବାସୀ ଭାଷା ଓ କବିତା, ଆଲୋଚନାଚକ୍ର ଏବଂ ଓଡ଼ିଶା ସରକାରଙ୍କ କଲ୍ୟାଣ ବିଭାଗ ଓ ସ୍କୁଲ, ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଆଦିବାସୀ ଭାଷା ସଂପାନର ଏକ ସଂକ୍ଷିପ୍ତ ବିବରଣୀ ।)

 

ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରୁ ସମ୍ପ୍ରତି ୨୨ଟି ଆଦିବାସୀ ଗୋଷ୍ଠୀର ଭାଷା ଲୋକମୁଖରେ ଜୀବିତ ଅଛିବୋଳି ଭାଷାତ୍ତ୍ୱବିଦ୍‍ମାନେ କହୁଛନ୍ତି । ତାଛଡ଼ା ଅନ୍ୟ ଆଦିବାସୀମାନେ ଓଡ଼ିଆ ଓ ସ୍ଥାନୀୟ ଆଦିବାସୀ ଭାଷା ମିଶେଇ ଏକ ସଂଯୋଜକ ଭାଷା ମଧ୍ୟ କହନ୍ତି ଯାହା ଓଡ଼ିଆ ଓ ଆଦିବାସୀମାନଙ୍କ ଭିତରେ ଭାବର ଆଦାନପ୍ରଦାନ ପାଇଁ ସହାୟକ । ଓଡ଼ିଶାର ସୁନ୍ଦରଗଡ଼ର ସାହି ଓ କୋରାପୁଟର ଦେଶିଆ ଏହି ସଂଯୋଜକ ଭାଷା ରୂପେ ପ୍ରଚଳିତ ।

 

ଭାଷା କଥିତ ହେଉ ବା ଲିଖିତ ହେଉ ଏହାର ଉଦ୍ଦେଶ୍ୟ ଅଛି, ଅର୍ଥ ଅଛି, ପ୍ରସଙ୍ଗ ରହିଛି । ସଂପ୍ରସାରଣ ରହିଛି-ସଂକୋଚନ ଭାଷାର ସ୍ଥାନ ନିରୂପଣ ବଡ଼ ସମ୍ୱେଦନଶୀଳ ବ୍ୟାପାର । ସେହି ଦୃଷ୍ଟିରୁ ସଂପ୍ରତି ଭାଷାତତ୍ତ୍ୱବିଦ୍‌ମାନଙ୍କ ଉଦାରବାଦୀ ତଥା ବ୍ୟାପକ ଦୃଷ୍ଟିକୋଣ ପୃଥିବୀର ସମସ୍ତ ଗୋଷ୍ଠୀର ଭାଷାକୁ ‘ଭାଷା’ର ମର୍ଯ୍ୟାଦା ଦେବାକୁ ଆଗ୍ରହ ପ୍ରକାଶ କରେ । କୌଣସି ଭାଷା ଛୋଟ ନୁହେଁ କି ବଡ଼ ନୁହେଁ । ଭାଷା କେବଳ ମଣିଷର ମସ୍ତିଷ୍କ ସଂଜାତ ଏକ ନିୟମସିଦ୍ଧ ଓ ସ୍ୱୟଂକ୍ରିୟ ଶିକ୍ଷକ ପ୍ରକ୍ରିୟା ନୁହେଁ, ଏହାରମଧ୍ୟ ଗୋଟିଏ ଗୋଷ୍ଠୀ, ଭୂମି, ଜାତି ତଥା ରାଷ୍ଟ୍ରର ପରିଚୟ ରୂପେ ଗୁରୁତ୍ୱ ରହିଛି । ବିଶେଷତଃ ସଂଖ୍ୟା ଲଘିଷ୍ଠ ହୋଇ ସୁଦ୍ଧା ଇଂରାଜୀ ଭାଷା ବା କ୍ଷମତାର ଭାଷା ରୂପେ ସାରା ବିଶ୍ୱରେ ପ୍ରସ୍ଥିତି ପାଇଲା ବେଳେ, କୋଟି କୋଟି ଲୋକଙ୍କ କହୁଥିବା ଏକ ନିର୍ଦ୍ଦଷ୍ଟ ଭୂଖଣ୍ଡର ଭାଷା ମଧ୍ୟ ଉପଭାଷା ରୂପେ ପ୍ରସ୍ଥିତି ପାଇବା ଦୃଷ୍ଟାନ୍ତ ବିରଳ ନୁହେଁ ।

 

ଏହି ପରିପ୍ରେକ୍ଷୀରେ ଆମେ ଓଡ଼ିଶାର ଭାଷା ବିଭବକୁ ଓ ଭାଷା ରାଜନୀତିକୁ ନିରୀକ୍ଷଣ କଲେ ସ୍ପଷ୍ଟ ରୂପେ ତିନିଗୋଟି ଭାଷା-ରୂପ ଦେଖିବାକୁ ମିଳେ । ପ୍ରଥମତଃ ସରକାରୀ ଭାଷା ଓଡ଼ିଆ (ଅବଶ୍ୟ କାଗଜ କଲମରେ) ଦ୍ୱିତୀୟତଃ ପଶ୍ଚିମ ଓଡ଼ିଶାର ସଂଖ୍ୟା ଗରିଷ୍ଠ ଲୋକଙ୍କ ଭାଷା (କୋଶଲୀ/ସମ୍ୱଲପୁରୀ) ଓ ତୃତୀୟତଃ ଓଡ଼ିଶାର ଆଦିବାସୀ ଭାଷା (ସନ୍ତାଳୀ, ସଉରୀ, ମୁଣ୍ଡାରୀ, କୋୟା, କୁଇ କୁଭୀ, କିଷାନ, ଓରାମ ପ୍ରଭୃତି) ଭାଷା ଧର୍ମ ଓ ଜାତି ଭିତ୍ତିରେ ମଣିଷ ନିଜର ପରିଚୟକୁ ବଞ୍ଚାଇ ରଖିବା ବିଶ୍ୱ ଇତିହାସରେ ସୁପ୍ରତୁଳ । ଆଜି କମ୍ପ୍ୟୁଟର ଯୁଗରେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଅନେକ ପ୍ରଜାତିକ ଭାଷା ଲୋପପାଇ ଆସିବାର ଆଶଙ୍କା ଯେତିକି ଦୃଢ଼ ହୋଇଆସୁଛି, ସ୍ଥାନୀୟ ମୂଳ ଆଦିବାସୀମାନଙ୍କ ନିଜ ଭାଷା ପ୍ରତି ମମତ୍ୱବୋଧ ସେତିକି ବୃଦ୍ଧିପାଇବାରେ ଲାଗିଛି ।

 

ଓଡ଼ିଶାରେ ସାନ୍ତାଳୀ, ସଉରା ମୁଣ୍ଡା ଓ କନ୍ଧ ‘କୁଇ’ ଭାଷା ଲୋକଙ୍କର ନିଜ ଜାତି, ଭାଷା ଓ ସଂସ୍କୃତିର ପୁନରୁଦ୍ଧାର ତଥା ପୁନର୍ନବୀକରଣ ଏହି ଦୃଷ୍ଟିରୁ ନିଶ୍ଚିତ ଭାବେ ଉଲ୍ଲେଖନୀୟ । ଏକ ପକ୍ଷରେ ଓଡ଼ିଶାର ସହରବାସୀ ଓଡ଼ିଆ ଭାଷା ଲୋପପାଇ ଯିବାର ଆଶଙ୍କା କରି ବସିଲା ବେଳେ (ଯଦିଓ ଓଡ଼ିଆ ଭାଷାରେ ଓ ଲିପିରେ ଦୀର୍ଘ ୫୦୦-୬୦୦ ବର୍ଷର ବିପୁଳ ସାହିତ୍ୟ ରହିଛି) ସ୍ଥାନୀୟ ଆଦିବାସୀ ଭାଷାଭାଷୀ ଲୋକେ ନିଜଭାଷା ଓ ଲିପିରେ ସାହିତ୍ୟ ସୃଷ୍ଟି କରିବା ଓ ତଦନୁସାରେ ନିଜ ଶିକ୍ଷାର ବିଷୟ ଓ ଶିକ୍ଷାର ମାଧ୍ୟମରୂପେ ନିଜ ଆଦିବାସୀ ଭାଷାକୁ ମାନ୍ୟତା ଦେବା ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ସ୍ୱଜାତି ଓ ସ୍ୱଭାଷା ପ୍ରୀତିର ମୂଳ କାରଣ, ଅବଶ୍ୟ ପ୍ରଜାତିକ ଏହା ଏକ ନିର୍ଦ୍ଦିଷ୍ଟ ଭୂମି, ନିର୍ଦ୍ଦିଷ୍ଟ ଅଞ୍ଚଳ, ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରଜାତିକ ପରିଚିତିର ମୂଳ ।

 

ଓଡ଼ିଶାରେ ସାନ୍ତାଳୀ ଲୋକଙ୍କ ସଂଖ୍ୟାଗରିଷ୍ଠତା ରହିଛି । ଏମାନଙ୍କ ଭାଷା ସାନ୍ତାଳୀ । ସାନ୍ତାଳୀ ଭାଷାର ଲିପିର ନାମ ଅଲ୍‌-ଚିକି । ଅଲ ଅର୍ଥ ଲେଖିବା ଓ ଚିକି ଅର୍ଥ ଲିପି । ଅର୍ଥାତ୍‌ ନିଜ ଭାଷାକୁ ନିଜ ଲିପିରେ ଲେଖିବା । ପଣ୍ଡିତ ରଘୁନାଥ ମୁର୍ମୁ ଏହି ଅଲ୍‌-ଚିକି ଲିପିର ଉଦ୍ଭାବକ । ତେଣୁ ସେ ‘ଗୁରୁ ଗୋମ୍‌କେ’ ରୂପେ ସାନ୍ତାଳ ସମାଜରେ ସୁପରିଚିତ । କେବଳ ଓଡ଼ିଶାର ନୁହେଁ, ବିହାରର ଝାଡ଼ଖଣ୍ଡ, ଓଡ଼ିଶାର ଉତ୍ତରାଞ୍ଚଳ ଓ ପଶ୍ଚିମବଙ୍ଗର ପୁରୁଲିଆ ଅଞ୍ଚଳର ସାନ୍ତାଳମାନେ ଏକ ବୃହତ୍‌ ସାଂସ୍କୃତିକ ଅଞ୍ଚଳର ଅଧିବାସୀ ରୂପେ ପରିଚିତ । ଏମାନେ ‘ଅଲ-ଚିକି’ ଲିପିର ପ୍ରସାର ଓ ପ୍ରଚାର ପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନ ଗଠନ କରିଛନ୍ତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସର୍ବଭାରତୀୟ ସାନ୍ତାଳୀ ଶିକ୍ଷା, ସଂସ୍କୃତି ପରିଷଦ (ASECA) ତଥା ଓଡ଼ିଶା ସାନ୍ତାଳୀ ଛାତ୍ର ସଙ୍ଗଠନ (AOOSO) ଏହି ଭାଷା ଓ ଲିପିର ପ୍ରସାର ପାଇଁ ଉଦ୍ୟମ କରିଆସୁଛନ୍ତି ।

 

ସାନ୍ତାଳ ଭାଷାରେ ପ୍ରାଥମିକ ସ୍କୁଲରେ ଶିକ୍ଷାଦାଦ ଓ ଅଲ୍‌-ଚିକି ଲିପିରେ ପାଠ୍ୟପୁସ୍ତକ ପ୍ରଚଳନ ପାଇଁ ସାନ୍ତାଳମାନେ ଦୀର୍ଘଦିନର ପ୍ରୟାସ କରି ଆସୁଛନ୍ତି । ୧୯୯୧ ମସିହାରେ ତତ୍‌କାଳୀନ ଓଡ଼ିଶା ସରକାର ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼-ଏହି ତିନୋଟି ଜିଲ୍ଲାର ୩୦ଟି ସ୍କୁଲରେ ପରୀକ୍ଷା ମୂଳକ ଭାବେ ଅଲ୍-ଚିକି ଲିପିରେ ସାନ୍ତାଳୀଭାଷାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀପାଇଁ ପାଠ୍ୟ ପୁସ୍ତକ ପ୍ରଚଳନ କରିଥିଲେ । ଏହାପାଇଁ ସେହି ସ୍ଥାନୀୟ ସାନ୍ତାଳୀ ଜାଣିଥିବା ଶିକ୍ଷକ ମଧ୍ୟ ପାଠପଢ଼ାଇବା ଦାୟିତ୍ୱରେ ରହିଥିଲେ । ହେଲେ ଏହି ପରୀକ୍ଷାରୂପେ ହିଁ ରହିଗଲା । ଉପଯୁକ୍ତ ତତ୍ତ୍ୱାବଧାନ ଅଭାବରୁ ଏହି ସ୍କୁଲଗୁଡ଼ିକ ରୁଗ୍‌ଣ ଅବସ୍ଥାରେ ଚାଲିଲା । ବିଶେଷକରି ପିଲାଙ୍କ କଣ ପଢ଼ାଇବା, ପିଲାଙ୍କ ବୌଦ୍ଧିକ ବିକାଶ କିପରି ହେବ ତାହା ମଧ୍ୟ କେବଳ ସାନ୍ତାଳୀରେ କିପରି ପଢ଼ାହେବ ତାହା ପ୍ରମୁଖ ପ୍ରସଙ୍ଗ ହୋଇ ରହିଗଲା । ଭାଷା ଯାହାହେଉନା କାହିଁକି ଶିକ୍ଷାର ଉଦ୍ଦେଶ୍ୟ ଓ ପରିଷ୍କାର ହେବାକଥା । ହେଲେ ପିଲାଙ୍କ ଭାଗ୍ୟରେ ତାହା ସମ୍ଭବ ହେଲାନାହିଁ । ପୁନଶ୍ଚ ଗୋଟିଏ ସ୍ଥାନୀୟ ଆଦିବାସୀ ଭାଷାରେ ପଢ଼ାଇବା ପାଇଁ ଯେପରି ପ୍ରଶିକ୍ଷଣ, ପାଠ୍ୟପୁସ୍ତକ ତତ୍ତ୍ୱାବଧାନ ରହିବାକଥା ତାହାର ଅଭାବରୁ ଏହି ଅବସ୍ଥା ଘଟିଲା । ଓଡ଼ିଶାର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଏକ ସର୍ବେକ୍ଷଣ କରି ଏହି ସ୍କୁଲର ଅବସ୍ଥା ସମ୍ପର୍କରେ ମତାମତ ଦେଲେ ।

 

ଓଡ଼ିଶାର ସାନ୍ତାଳୀଭାଷା ଅଞ୍ଚଳର ପିଲାଙ୍କୁ ସାନ୍ତାଳୀ ଭାଷାରେ ପାଠ ପଢ଼ାଇବା ପାଇଁ ସାନ୍ତାଳୀମାନଙ୍କ ଦାବୀକୁ ସରକାର ସମ୍ୱେଦନାର ସହ ବିଚାର କରିବାପାଇଁ ଚାହିଁଲେ । ତେଣୁ ତା୯.୧.୨୦୦୧ ମସିହାରେ ଭୁବନେଶ୍ୱର ସ୍ୱସ୍ତି ହୋଟେଲଠାରେ ରାଜ୍ୟ କଲ୍ୟାଣ ବିଭାଗ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, (ପରିବହନ ବିଭାଗ) ମାନ୍ୟବର ମନ୍ତ୍ରୀ ଶ୍ରୀ ମଙ୍ଗଳ କିଷାନ (କଲ୍ୟାଣ ବିଭାଗ) ତଥା ବିଧାୟକ ଶ୍ରୀ କାନ୍ଦ୍ରା ସୋରେନ ଓ ଶ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିଲେ । ପୂର୍ବତନ ଶିକ୍ଷାମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ ଓ ଶ୍ରୀ କାହ୍ନୁ ସୋରେନ ତଥା ASECA ଓ AOOSOର ୭୦ ଜଣ ସାନ୍ତାଳୀ ପ୍ରତିନିଧି ଏହି ସମ୍ପାନରେ ଯୋଗଦାନ କରିଥିଲେ ।

 

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ପଣ୍ଡିତ ରଘୁନାଘ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଶାର ଆଦିବାସୀ ଜୀବନ, ସଂସ୍କୃତି ଓ ପ୍ରଗତି ପ୍ରସଙ୍ଗରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ କହିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଓ ବିଶ୍ୱସଂସ୍କୃତି ମଧ୍ୟରେ ଏକ ସମନ୍ୱୟ ଭାବର ପ୍ରତିଷ୍ଠା ବିଶ୍ୱୀକରଣ ହେତୁ ସମ୍ଭବ ହୋଇପାରିଛି ବୋଲି ମତ ବ୍ୟକ୍ତ କରିଥିଲେ । ସେ ମଧ୍ୟ ଭାଷା ଓ ଲିପିର ପ୍ରସାର ପ୍ରସଙ୍ଗରେ ମୁଖ୍ୟସ୍ରୋତରେ ସାମିଲ ହୋଇ ଏକ ସୁହୃତ୍‌ ଭିତ୍ତିଭୂମି ସ୍ଥାପନ କରିବାପାଇଁ ଓଡ଼ିଶାର ଆଦିବାସୀମାନଙ୍କୁ ଶିକ୍ଷିତ ହେବାପାଇଁ ଆହ୍ନାନ ଦେଇଥିଲେ ।

 

ଏହି ସଭାରେ କାର୍ଯ୍ୟକ୍ରମର ଆବାହକ ରୂପେ ଶ୍ରୀ ଅଶୋକ କୁମାର ତ୍ରିପାଠୀ, (ଆଇ.ଏ.ଏସ୍‌) ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ପ୍ରାଥମିକ ଶିକ୍ଷା ପ୍ରସଙ୍ଗରେ ଆଦିବାସୀ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ, ସମସ୍ତ ଆଦିବାସୀ ପିଲା କେତେକ ସ୍କୁଲରେ ନାମଲେଖାଇ ପାରି ନାହାନ୍ତି, ଘରର ଭାଷା ସ୍କୁଲର ଭାଷାରେ ପାର୍ଥକ୍ୟ ରହିଛି, ପିଲାଙ୍କ ବୌଦ୍ଧିକ ବିକାଶ କ୍ଷେତ୍ରରେ ସ୍ଥାନୀୟ ସଂସ୍କୃତି ଏବେବି ସ୍କୁଲ କାର୍ଯ୍ୟକ୍ରମ ଭିତରେ ସ୍ଥାନ ପାଇପାରି ନାହିଁ । ତେଣୁ ଏଥିପାଇଁ ବିଧିବଦ୍ଧଭାବେ ଉଦ୍ୟମ ଜାରି ରହିଛି । ଏହି ପ୍ରସଙ୍ଗରେ ସେ କହିଥିଲେ ଯେ ଓଡ଼ିଶାର ଆଦିବାସୀ ଭାଷାରେ ଶିକ୍ଷାଦାନ ପାଇଁ ଜାତୀୟ ଶିକ୍ଷାନୀତିରେ ଅନୁରୂପ ବ୍ୟବସ୍ଥା କରାଯାଇଛି ।

 

କଲ୍ୟାଣ ବିଭାଗର କମିଶନର ଶ୍ରୀଯୁକ୍ତ ଅରୁଣ କୁମାର ସାମନ୍ତରାୟ ଏହି ସେମିନାରର ସଭାପତିତ୍ୱ କରିଥିଲେ ତଥା ବିଶିଷ୍ଟ ଅତିଥି ରୂପେ ମନ୍ତ୍ରୀ ଶ୍ରୀଯୁକ୍ତ ମଙ୍ଗଳା କିଷାନ, ମନ୍ତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପୁର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଚୈତନ୍ୟ ପ୍ରସାଦ ମାଝୀ, ତଥା ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦେଓରଞ୍ଜନ ସିଂ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ସମ୍ପର୍କରେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସାନ୍ତାଳୀ ଭାଷାରେ ଶିକ୍ଷାଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ସେମିନାରରେ ଭାଷାତତ୍ତ୍ୱବିଦ୍‌, ଶିକ୍ଷାବିଦ୍‌, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ, ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ପ୍ରାଥମିକ ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶାଳୟରେ କର୍ମକର୍ତ୍ତା ବୃନ୍ଦ ଯୋଗଦାନ କରିଥିଲେ । ସମଗ୍ର ପ୍ରତିନିଧି ମଣ୍ଡଳକୁ ୫ଟି ଦଳରେ ବିଭକ୍ତ କରି ନିମ୍ନୋକ୍ତ ପ୍ରସଙ୍ଗଗୁଡ଼ିକ ଦଳୀୟକାର୍ଯ୍ୟ ଭିତ୍ତିରେ ଆଲୋଚନା କରାଯାଇଥିଲା ।

 

୧.

ଦ୍ୱି-ସାକ୍ଷରତା (bi-literacy) ସମସ୍ୟା ଓ ସମାଧାନ

୨.

ପ୍ରାଥମିକ ସ୍ତରରେ ଦ୍ୱିପାକ୍ଷିକ ଶିକ୍ଷା

୪.

ସାନ୍ତାଳ ଭାଷାକୁ ଓଡ଼ିଆ ଲିପିରେ ଲେଖିବା ସମସ୍ୟା

୫.

ସାନ୍ତାଳ ଭାଷା ମାଧ୍ୟମରେ ଉଚ୍ଚ ଶ୍ରେଣୀରେ ଅଧ୍ୟୟନ

୫.

ବହୁଭାଷିକ/ବହୁ-ସାଂସ୍କୃତିକ ବିଦ୍ୟାଳୟରେ ଶିକ୍ଷା ସମସ୍ୟା

 

ଉପରୋକ୍ତ ୫ଟି ଦଳରେ ବିଭକ୍ତ ହୋଇ ଦଳୀୟ ଆଲୋଚନା କଲାପରେ ଦଳମାନଙ୍କର ମତାମତକୁ ପୁନଶ୍ଚ ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା ।

 

ଉଦ୍‌ଯାପନ ସମାରୋହରେ ସାନ୍ତାଳୀ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ ସରକାରୀ ତଥା ବେସରକାରୀ ଉଦ୍ୟମ ଅବଶ୍ୟ ଜାରି ରଖିବା ଆବଶ୍ୟକ ବୋଲି ସମସ୍ତ ସ୍ତରରୁ ମତ ପ୍ରକାଶ ପାଇଥିଲା । ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞମାନଙ୍କ ଦ୍ୱାରା ଏହି ସେମିନାରରୁ ଆହରିତ ତଥ୍ୟାବଳୀର ଯାଞ୍ଚ କରାଯାଇ ତାହା କେଉଁ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଶିକ୍ଷଣ, ଗବେଷଣା ଓ ଉଚ୍ଚ ଅଧ୍ୟୟନର ପରିସରଭୁକ୍ତ ହୋଇପାରିବ ତାହା ଚର୍ଚ୍ଚା କରାଯାଇଥିଲା ।

 

***

 

ଆଦିବାସୀ ଭାଷା ଓ କବିତା ସମ୍ପାନ

 

ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତା ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଗତ ୧୬ ଜାନୁଆରୀ ୨୦୦୧ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ନାରୀ କଲ୍ୟାଣ ସ୍ଥିତ କେନ୍ଦ୍ରଠାରେ ଆଦିବାସୀ ଭାଷା ଓ କବିତା ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ରାଜ୍ୟ ଶ୍ରମ ଓ ନିୟୋଜନ ମନ୍ତ୍ରୀ ମାନ୍ୟବର ଶ୍ରୀ ବିମ୍ୱାଧର କୁଅଁର ଉଦ୍‌ଘାଟନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାପାଳ ନିକୁଞ୍ଜ ବିହାରୀ ଧଳ ଏଥିରେ ସମ୍ମାନିତ ଅତିଥି ଏବଂ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ନିର୍ଦ୍ଦେଶକ ଡକ୍ଟର ମନ୍ମଥ କୁଣ୍ଡୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ଉପ ସଭାପତି ଶ୍ରୀ ଉମାଶଙ୍କର ପଣ୍ଡା ଏଥିରେ ପୌରୋହିତ୍ୟ କରିଥିଲେ ।

 

ପ୍ରଚଳିତ ବାଇଶି ଗୋଟି ଆଦିବାସୀ ଭାଷା ମଧ୍ୟରୁ ଓରାମ୍‌, କୋୟା, ମୁଣ୍ଡା, ସାନ୍ତାଳୀ, କିଷାନ, ଭତ୍‌ରା, ଖଡ଼ିଆ ଓ ସଉରା ଭାଷା ଉପରେ ଆଲୋଚନା ହୋଇଥିଲା । ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କ ପ୍ରସ୍ତୁତ ସଉରା ସଂପର୍କିତ ଭିତ୍ତି ପ୍ରବନ୍ଧକୁ ଠିକ୍‌ ସମୟରେ ଉପସ୍ଥାପନା କରାଯାଇ ପାରିନଥିବା ସ୍ଥଳେ ସୁବାସ ଚନ୍ଦ୍ର ମିଶ୍ର (ନବରଙ୍ଗପୁର), ଶ୍ରୀମତୀ ଦମୟନ୍ତୀ ବେଶ୍ରା (ଫୁଲବାଣୀ) ତଥା ଶ୍ରୀ ପର୍ଶୁରାମ ସ୍ୱାଇଁ (ମାଲକାନଗିରି)ଙ୍କ ଭତରା, ସାନ୍ତାଳୀ ଓ କୋୟା ଜନଜୀବନ ଉପରେ ଆଧାରିତ ପ୍ରସଙ୍ଗ ‘ପ୍ରେମ ଓ ମୃତ୍ୟୁ’ ଉପରେ ସ୍ୱ ସ୍ୱ ସଂଦର୍ଭ ପାଠ କରିଥିଲେ ।

 

ଆଲୋଚନାଚକ୍ରରେ ବଣାଇ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ପ୍ରଭାତ କୁମାର ମଲ୍ଲିକ, ରାଉରକେଲା ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରା, ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରାଧ୍ୟାପକ, ନଏଲ୍‌ ଟପ୍ନୋ, ଫାଦର ଇଗ୍ନେସିୟମ ସୋରେଙ୍ଗ, ପେଟ୍ରିକ୍‌ ଏକ୍‌କା, ପୂର୍ଣ୍ଣଚନ୍ଦ୍ର ମିଞ୍ଜ ଇତ୍ୟାଦି ବହୁ ଆଲୋଚନା ଉକ୍ତ ସଂପାଦନରେ ଯୋଗଦାନ କରି ଆଦିବାସୀ ଭାଷା ବିଭାଗ ଉପରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତି କରିଥିଲେ । ଶ୍ରୀମତୀ ବେଶ୍ରା ତାଙ୍କ ବକ୍ତବ୍ୟରେ ମୂଳ ସାନ୍ତାଳୀ ଭାଷାରେ ଥିବା ଲୋକ ସଙ୍ଗୀତ ଗୁଡ଼ିକର ଅବିକଳ ଉଦ୍ଧୃତି କରି ତହିଁର ଚମତ୍କାର ଓଡ଼ିଆ ଅନୁବାଦ ମାଧ୍ୟମରେ ସେହି ଭାଷା କିଭଳି ବୈଭବମୟ, ତାର ଟିପ୍‌ପଣୀ ପ୍ରଦାନ କରିଥିଲେ । ସେହିଭଳି ଉମରକୋଟରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ସେଠାକାର ଭତରା ସଂପ୍ରଦାୟ ମଧ୍ୟରେ ଥିବା ଗୀତକୁଡ଼ିଆ ଓ ତାଙ୍କ ମୌଖିକ ଲୋକ ସଙ୍ଗୀତ ଉପରେ ଆଲୋକପାତ କରିଥିଲେ ।

 

ଉପସଭାପତି ଶ୍ରୀ ଉମାଶଙ୍କର ପଣ୍ଡା ଆଦିବାସୀ ଜନଜୀବନର ମହିମାମୟ ସଂସ୍କୃତି ଆଜି କିଭଳି ସଙ୍କଟମୟ ତହିଁର ଉଦାହରଣ ପ୍ରଦାନ କରି ଏହାର ଦୂରୀକରଣ ତଥା ଆଦି ସଂସ୍କୃତିର ପୁନଃ ଜାଗରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଆଲୋଚନାଚକ୍ରରେ ସୁନ୍ଦରଗଡ଼ ତଥା ପାଖାପାଖି ଅଞ୍ଚଳର ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।

 

ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମିଶ୍ର ଏଭଳି ଆଲୋଚନାଚକ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ଆଜିର ନଗରକୈନ୍ଦ୍ରିକ ସଭ୍ୟତାର ପୃଷ୍ଠଭୂମିରେ ଆଦିବାସୀ ଜନଜୀବନର ମୌଳିକ ପରମ୍ପରା, ସଂସ୍କୃତି, ଭାଷା ଓ ତା’ରି ଲାଳିତ୍ୟଭରା ସଂଗୀତ ଯେମିତି ଆଗାମୀ ଦିନମାନଙ୍କରେ ଅକ୍ଷୁର୍ଣ୍ଣ ରହେ ସେଥିପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଓ ସହଯୋଗ କାମନା କରାଯାଇଥିଲା ।

 

***

 

ଏକାଡେମୀ ସମାଚାର

 

(ଓଡ଼ିଶା ସାହିତ୍ୟ ଏକାଡେମୀ ଆମ ରାଜ୍ୟର ଏକ ପ୍ରମୁଖ ସାରସ୍ୱତ ଅନୁଷ୍ଠାନ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରସାର ତଥା ଉନ୍ନତିକଳ୍ପେ ସଂକଳ୍ପବଦ୍ଧ ଏହି ଅନୁଷ୍ଠାନ ତାର ନିର୍ଣ୍ଣିତ ଗତିପଥରେ ବିଗତ ଚାରିଦଶନ୍ଧି ଧରି କାର୍ଯ୍ୟରତ । ସୃଜନଶୀଳ ସାହିତ୍ୟର ଧାରାକୁ ପ୍ଲାବିତ କରି, ଲେଖକୀୟ ପ୍ରଜ୍ଞାକୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ, ସର୍ବୋପରି ଓଡ଼ିଆ ଭାଷାର ମୂଲ୍ୟବୃଦ୍ଧି ପାଇଁ ବହୁ ଉପାଦେୟ ପାଣ୍ଡୁଲିପିର ପ୍ରକାଶନ ଓ ସାହିତ୍ୟିକ ବିନିମୟ ମାଧ୍ୟମରେ ଭାଷାଗତ ଭାବର ଐକ୍ୟ ପ୍ରତିଷ୍ଠା ଇତ୍ୟାଦି ଏହି ପ୍ରବାହର ଆବେଗଦୀପ୍ତ ଉଚ୍ଚାରଣ । ସୁଧୀ ସମାଜରେ ସାରସ୍ୱତ ଧାରାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଏକାଡେମୀର ସାହିତ୍ୟ ମୁଖପତ୍ର ‘କୋଣାର୍କ’ ପ୍ରତିଶ୍ରୁତିବଦ୍ଧ । ଏଥିରେ ସନ୍ନିବେଶିତ ଏକାଡେମୀ ବହୁମୁଖୀ ଆଭିମୁଖ୍ୟର ସଫଳ ରୂପାୟନର ପ୍ରାଞ୍ଜଳ ଆଲେଖ୍ୟ ଏକାଡେମୀ ସମାଚାର ଏକ ସୁଖପାଠ୍ୟ ବିଭବ ।)

 

ସନ୍ଥକବି ଭୀମଭୋଇ ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମଭୋଇ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ସନ୍ଥକବି ଭୀମଭୋଇ ଜୟନ୍ତୀ ଗତ ତା୭.୫.୨୦୦୧ରିଖ ସନ୍ଧ୍ୟା ୬.୩୦ ସମୟରେ ରେଢ଼ାଖୋଲସ୍ଥ କଦମ୍ୱ ପଡ଼ିଆଠାରେ ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସତ୍ତାରେ ପ୍ରଫେସର ଗୋପାଳ କୃଷ୍ଣ ରଥ ମୁଖ୍ୟବକ୍ତା ଡଃ ପୂର୍ଣ୍ଣାନନ୍ଦ ଦାନୀ ଓ ଡଃ ଗୌରାଙ୍ଗଚରଣ ଦାଶ ସମ୍ମାନିତ ବକ୍ତା ଭାବରେ ଯୋଗଦାନକରି ଭୀମଭୋଇଙ୍କ କବିତାର ଆଧ୍ୟାତ୍ମିକ ଦର୍ଶନ ତତ୍କାଳୀନ ତଥା ବର୍ତ୍ତମାନର ସମାଜ ଗଠନ ଦିଗରେ ବେଶ୍ ସହାୟକ ହୋଇଥିଲା ବୋଲି ଭାଷାଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଉତ୍ସବରେ ପୌରୋହିତ୍ୟ କରି ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡା ଭୀମଭୋଇଙ୍କ ସୃଷ୍ଟି ଯେଭଳି ଭାବରେ ଆଜିଯାଏ ଆମର ସମାଜକୁ ତଥା ଆମର ଜୀବନଧାରାକୁ ପ୍ରଭାବିତ କରୁଛି, ତହିଁର ସୁଚାରୁ ବିଶ୍ଲେଷଣ ପୂର୍ବକ ଏହା ବାସ୍ତବରେ ଗଣାଭିମୁଖୀ ତଥା କାଳଜୟୀ ବୋଲି ଅଭିହିତ କରିଥିଲେ ।

 

ପରିଶେଷରେ ଭୀମଭୋଇ ସାହିତ୍ୟ ପରିଷଦଙ୍କ ପକ୍ଷରୁ ଜୟନ୍ତୀ ସଭାରେ ବରେଣ୍ୟ ଅତିଥିବର୍ଗଙ୍କୁ ଏବଂ ଉତ୍ସାହୀ ଗୁଣଗ୍ରାହୀ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ସାର୍‌ ବାସୁଦେବ ସୁଢ଼ଳଦେବ ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାର୍‌ ବାସୁଦେବ ସୁଢ଼ଳଦେବ ଜୟନ୍ତୀ ଗତ ତା ୧୬/୦୫/୨୦୦୧ ରିଖ ସନ୍ଧ୍ୟା ୬ଟା ୩୦ସମୟରେ ଦେବଗଡ଼ସ୍ଥ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ଫଣୀନ୍ଦ୍ରଭୂଷଣ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଜୟନ୍ତୀ ସଭାରେ ଡକ୍ଟର ହରିହର କାନୁନ୍‌ଗୋ ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନିତ ଅତିଥି ଏବଂ ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ଓଡ଼ିଆ ଭାଷାର ବିକାଶଦିଗରେ ବାସୁଦେବ ସୁଢ଼ଳଦେବଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ସଭାରେ ପୌରୋହିତ୍ୟ କରି ଏକାଡେମୀ ସାଧାରଣ ପରିଷଦର ଦେବଗଡ଼ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଫଣୀନ୍ଦ୍ରଭୂଷଣ ନନ୍ଦ ସାର୍‌ ବାସୁଦେବ ସୁଢ଼ଳଦେବଙ୍କ ସାହିତ୍ୟ ଓଡ଼ିଆ ବାଣୀଭଣ୍ଡାରକୁ ଋଦ୍ଧିମନ୍ତ କରିବା ସଙ୍ଗେ ସଙ୍ଗେ ନୂଆପିଢ଼ିର ସାରସ୍ୱତ ସାଧକମାନଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିଥିଲେ ।

 

ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମଧୁସୂଦନ ଗୁରୁ ଜୟନ୍ତୀ ସଭାରେ ଉପସ୍ଥିତ ଥିବା ବରେଣ୍ୟ ଅତିଥି ଏବଂ ଗୁଣଗ୍ରାହୀ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର:

ଗତ ତା ୧୮.୦୫.୨୦୦୧ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ୧୯୯୮ ଓ ୧୯୯୯ ମସିହା ପାଇଁ ଓଡ଼ିଆ ସାହିତ୍ୟର ଆଠଗୋଟି ବିଭାଗର ଯୋଗ୍ୟ ବିବେଚିତ ପୁସ୍ତକର ରଚୟିତାମାନଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମୀ ଏକାଡେମୀ ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା କରାଯାଇଥିଲା । ତଦନୁସାରେ ଗତ ୨୦.୦୭.୨୦୦୧ରିଖ ଅପରାହ୍ନ ୫.୩୦ ସମୟରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଏମ୍‌.ଏମ୍‌ ରାଜେନ୍ଦ୍ରନ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନିମ୍ନମତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିଥିଲେ ।

 

୧୯୯୮ ମସିହା ପାଇଁ

ବିଭାଗ

ପୁସ୍ତକ

ଲେଖକ

ଉପନ୍ୟାସ

ଛିନ୍ନନାଗ

ଶ୍ରୀ ଅନାଦି ସାହୁ

ଗଳ୍ପ

ଅନ୍ୟସ୍ରୋତର ଗଳ୍ପ

ଡକ୍ଟର ବିଜୟ ପ୍ରସାଦ ମହାପାତ୍ର (ଯୁଗ୍ମଭାବେ)

 

ଘୁମ୍‌ ପାହାଡ଼ର ନଇ

ଡ଼କ୍ଟର ପ୍ରଦୀପ ଦାସ

କାବ୍ୟ-କବିତା

ସୁଦୂରରୁ ଅନେକ ଦୂର

ଶ୍ରୀ ଦିଲୀପ ଦାୌ

ନାଟକ ଓ ଏକାଙ୍କିକା

ପ୍ରତିଡ଼ାରେ ପରୀକ୍ଷିତ

ଶ୍ରୀ ଆନନ୍ଦ ଚନ୍ଦ୍ର ପହି

ପ୍ରବନ୍ଧ ଓ ସମାଲୋଚନା

ପ୍ରସଙ୍ଗ: ନାଟକ-ଏକାଙ୍କିକା

ଡଃ କୃଷ୍ଣଚରଣ ବେହେରା

ଜୀବନୀ ଓ ଭ୍ରମଣ ସାହିତ୍ୟ

ଫାଶୀ ମଞ୍ଚରେ ବିପ୍ଲବୀ

ଶ୍ରୀ ପ୍ରଫଉଲ୍ଲ ଦାସ

ଅନୁବାଦ

ଜୟକାନ୍ତଙ୍କ କଥା ଓ କାହାଣୀ

ଶ୍ରୀ ନାରାୟଣ ପୃଷେଠ୍‌

ଶିଶୁ ସାହିତ୍ୟ

ସେମାନେ ଫେରିଗଲେ

ଡକ୍ଟର ଶଂକର୍ଷଣ ସାମଲ

 

୧୯୯୯ ମସିହା ପାଇଁ

ଉପନ୍ୟାସ

ପୂର୍ବାପର

ଶ୍ରୀ ନାରୁ ମହାନ୍ତି

ଗଳ୍ପ

ପଂଜୁରି ଓ ଅନ୍ୟାନ୍ୟ ଗଳ୍ପ

ଶ୍ରୀ ସୁରେନ୍ଦ୍ର ମିଶ୍ର

କାବ୍ୟ-କବିତା

ଫାଲ୍‌ଗୁନି ତିଥିରେ ଝିଅ

ଡଃ ମନୋରମା ବିଶ୍ୱାଳ ମହାପାତ୍ର

ନାଟକ ଓ ଏକାଙ୍କିକା

ନିଶାନ୍ତ

ଡଃ ପ୍ରମୋଦ କୁମାର ତ୍ରିପାଠୀ

ପ୍ରବନ୍ଧ ଓ ସମାଲୋଚନା

ବିଂଶ ଶତାବ୍ଦୀର

ଓଡ଼ିଆ-ମୋ ଅନୁଭୂତି

ଡଃ ବିଦ୍ୟାଧର ମିଶ୍ର

ଅନୁବାଦ

ବକୁଳ କଥା

ବସନ୍ତକୁମାରୀ ଦେବୀ

ଶିଶୁ ସାହିତ୍ୟ

ବିଜ୍ଞାନ ମୁଣି କହେ କାହାଣୀ

ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି

 

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ନଳିନୀ ମୋହନ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଏକାଡେମୀର ସହକାରୀ ସଂପାଦକ ଭବାନୀପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସୁରେନ୍ଦ୍ର ମହାନ୍ତି ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟର ଅନ୍ୟତମ ପ୍ରଖ୍ୟାତ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ଗତ ତା ୨୧.୦୬.୨୦୦୧ରିଖ ସନ୍ଧ୍ୟା ୬.୩୦ ସମୟରେ କଟକସ୍ଥ ଅଶୋକା ହୋଟେଲ ସମ୍ମେଳନ କକ୍ଷରେ ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ଓଡ଼ିଆ ସାହିତ୍ୟର ବରିଷ୍ଠସାଧକ ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ ମୁଖ୍ୟ ଅତିଥି ଓ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ତଥା ସାହିତ୍ୟିକା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଏବଂ ଯୁବ ସାହିତ୍ୟିକ ଡଃ ବିଜୟକୁମାର ଚୌଧୁରୀ ମୁଖ୍ୟବକ୍ତା ତଥା ଏକାଡେମୀର ସଦସ୍ୟ ଡଃ ବିଜୟାନନ୍ଦ ସିଂହ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ସୁରେନ୍ଦ୍ରଙ୍କ ବହୁମୁଖୀ ପ୍ରତିଭା ତଥା ସ୍ୱାଭିମାନ ପାଇଁ ସେ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବୋଲି ବକ୍ତାମାନେ ତାଙ୍କ ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଅଶ୍ୱିନୀକୁମାର ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନକରି ସ୍ୱାଗତ ଭାଷଣ ପ୍ରସଙ୍ଗରେ ସ୍ୱର୍ଗତ ମହାନ୍ତିଙ୍କ ସୃଷ୍ଟିସମ୍ଭାର କି’ଭଳି ଜନମାନସରେ ପ୍ରଭାବ ପକାଇଛି ସେ ସଂପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିଥିଲେ ।

ପରିଶେଷରେ ଜୟନ୍ତୀ ସଭାରେ ଉପସ୍ଥିତ ଲାଗି ବରେଣ୍ୟ ଅତିଥିମାନଙ୍କୁ ଏବଂ ସୁରେନ୍ଦ୍ର ସାହିତ୍ୟ ପ୍ରତି ଶ୍ରଦ୍ଧା ରଖିଥିବା ଶ୍ରୋତାମଣ୍ଡଳୀଙ୍କୁ ଏକାଡେମୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ସହଯୋଗରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ ତାଙ୍କର ଜନ୍ମସ୍ଥାନ ପୁରୀ ଜିଲ୍ଲାସ୍ଥ ବୀରପ୍ରତାପ ପୁରଠାରେ ଗତ ୨୭.୦୬.୨୦୦୧ରିଖ ସନ୍ଧ୍ୟା ୭ଘଣ୍ଟା ସମୟରେ ସ୍ମୃତି ସମିତିର ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ମିଶ୍ରଙ୍କ ପୌରୋହିତ୍ୟ ଅନୁଷ୍ଠିତ ହୋଇଯାଇଛି ।

 

ପ୍ରାରମ୍ଭରେ ଏକାଡେମୀର ସହ-ସଂପାଦକ ଶ୍ରୀଯୁକ୍ତ ଭବାନୀପ୍ରସାଦ ସିଂହ ସଂପାଦକୀୟ ସୂଚନା ପ୍ରଦାନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ବିଶିଷ୍ଟ ସମାଲୋଚକ ଡକ୍ଟର ବିଜୟକୁମାର ଶତପଥୀ ସମ୍ମାନିତ ଅତିଥି ଓ ଡକ୍ଟର ନୀହାର ରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଏବଂ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ କୃପାସିନ୍ଧୁ ସତ୍ୟବାଦୀ ବନ ବିଦ୍ୟାଳୟ ମାଧ୍ୟମରେ ଯେଭଳି ଭାବରେ ଓଡ଼ିଆ ଭାଷାର ଅଭିବୃଦ୍ଧି ନିମନ୍ତେ ସାଧନା କରିଥିଲେ ତାହାର ପଟ୍ଟାନ୍ତର ନାହିଁ ବୋଲି ବକ୍ତାମାନେ ସେମାନଙ୍କର ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଉତ୍ସବରେ ପୌରୋହିତ୍ୟ କରି ଶ୍ରୀଯୁକ୍ତ ଜଗନ୍ନାଥ ମିଶ୍ର ତାଙ୍କ ଭାଷଣ ପ୍ରସଙ୍ଗରେ ପଣ୍ଡିତ କୃପାସିନ୍ଧୁଙ୍କ ଜୀବନ ଦର୍ଶନ ସଂପର୍କରେ ଏକ ଦୀର୍ଘ ଭାଷଣ ମାଧ୍ୟମରେ ଅବଗତ କରାଯାଥିଲେ ।

 

ପରିଶେଷରେ ସ୍ମୃତି ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ବିକ୍ରମଦେବ ବର୍ମା ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଗତ ୨୮.୦୬.୨୦୦୧ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ଜୟପୁରସ୍ଥ ସରୋଜିନୀ ଭବନ ସମ୍ମିଳନ କକ୍ଷଠାରେ ବରିଷ୍ଠ ସାରସ୍ୱତ ସାଧକ ରାଜା ବିକ୍ରମଦେବ ବର୍ମାଙ୍କ ୧୩୨ତମ ଜୟନ୍ତୀ ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ଶ୍ରୀଯୁକ୍ତ ନରସିଂହ ମିଶ୍ର ସମ୍ମାନିତ ଅତିଥି ଏବଂ ଶ୍ରୀଯୁକ୍ତ ହୁସେନ୍‌ ରବିଗାନ୍ଧି ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ବିକ୍ରମଦେବ ବର୍ମାଙ୍କ ସରଳ ନିରାଡ଼ମ୍ୱର ଜୀବନଶୈଳୀ ତାଙ୍କର ସାରସ୍ୱତ ସାଧନାକୁ ଯଥେଷ୍ଟ ପ୍ରଭାବିତ କରିଥିଲା ଏବଂ ସେ ପ୍ରଥମ ପରିଚୟରେ ସାରସ୍ୱତ ସାଧକମାନଙ୍କୁ ଆପଣାର କରି ନେଉଥିଲେ । ତାଙ୍କରି ପ୍ରଚେଷ୍ଟା ଓ ଉଦ୍ୟମହେତୁ ସେତେବେଳେ ତେଲଗୁ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଅଞ୍ଚଳର ଓଡ଼ିଆ ସାହିତ୍ୟର ପ୍ରସାର ଓ ଅଭିବୃଦ୍ଧି ଘଟିଥିଲା ବୋଲି ବକ୍ତାମାନେ ତାଙ୍କର ଭାଷଣରେ ଅଭିବ୍ୟକ୍ତ କରିଥିଲେ । ଉତ୍ସବରେ ପୌରୋହିତ୍ୟ କରି ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡା ଉପାନ୍ତ ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ସେଠାକାର ସାରସ୍ୱତ ପ୍ରେମୀ ଜନସାଧାରଣ ନିଷ୍କାପର ଭାବରେ ଭଦ୍ୟମ କରିବା ଆବଶ୍ୟକ ବୋଲି ଦର୍ଶାଇଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

 

କବିତା ଆସର:

କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ମିଳିତ ଆନୁକୂଲ୍ୟରେ ଗତ ତା ୨୯.୦୬.୨୦୦୧ରିଖ ସୁନାବେଡ଼ାସ୍ଥ ଭଞ୍ଜମଣ୍ଡପଠାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସରଟିକୁ ଉକ୍ତ ଦିନ ପୂର୍ବାହ୍ମରେ ବିଶିଷ୍ଟ କବି ତଥା କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ରଥ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନକରି ଉଦ୍‌ଘାଟନ କରିଥିଲେ । ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ଉମାଶଙ୍କର ପଣ୍ଡା ପୌରୋହିତ୍ୟ କରିଥିଲେ । ଏଥିରେ ପ୍ରଫେସର ବାଉରୀବନ୍ଧୁ କର, ଶ୍ରୀ ହୁସେନ ରବି ଗାନ୍ଧି, ଶ୍ରୀ ନରସିଂହ ମିଶ୍ର ଏବଂ ଶ୍ରୀ ଦିଲୀପ ଦାସ, ଶ୍ରୀ ବ୍ରଜେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ଉଦ୍‌ଘାଟନ ଉତ୍ସବ ପରେ ଶ୍ରୀ ଭାଗୀରଥି ମିଶ୍ର ଓ ଡକ୍ଟର ହୃଷୀକେଶ ମଲ୍ଲିକଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ ଶ୍ରୀ ଦିଲ୍ଲୀପ ଦାସ, ଶ୍ରୀ ହରିଶଙ୍କର ବଡ଼ପଣ୍ଡା, ଡକ୍ଟର ହୃଷୀକାଶ ମଲ୍ଲିକ, ଶ୍ରୀ ସଦାଶିବ ଦାସ, ଶ୍ରୀ ବିପିନ ନାୟକ, ଶ୍ରୀ ନୃସିଂହ ଷଡ଼ଙ୍ଗୀ । ସୁଶ୍ରୀ ଅମିୟବାଳା ପଟ୍ଟନାୟକ, ଶ୍ରୀ ଅମିୟ ବିକ୍ରମ ଭୂୟାଁ, ଶ୍ରୀ ଭାଗୀରଥି ମିଶ୍ର, ଶ୍ରୀ ସୌଭାଗ୍ୟବନ୍ତ ମହାରଣା, ଶ୍ରୀ କେ ଶ୍ୟାମବାବୁ ଦୋରା, ଶ୍ରୀମତୀ ପ୍ରୀତିଧାରା ସାମଲ, ଶ୍ରୀ ଡମ୍ୱରୁଧର ପଟ୍ଟନାୟକ, ଶ୍ରୀମତୀ ମାଧୁରୀ ପଣ୍ଡା, ଶ୍ରୀ ରାଜକିଶୋର ଦାସ, ଶ୍ରୀ ସୁବାସଚନ୍ଦ୍ର ମିଶ୍ର, କୁଳମଣି ଜେନା, ଶ୍ରୀମତୀ ସରଳା ବେହେରା, ଶ୍ରୀ କୈଳାସ ଷଡ଼ଙ୍ଗୀ, ଶ୍ରୀ ଦେବେନ୍ଦ୍ର ବାଉରୀ, ଶ୍ରୀ ଚନ୍ଦ୍ରକାନ୍ତ ବିଶ୍ୱାଳ । ଶ୍ରୀମତୀ ବିଧୁପ୍ରଭା ରଥ ପ୍ରଭୃତି ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଉତ୍ସବ ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀର ମାଲକାନଗିରି ସଦସ୍ୟ ଶ୍ରୀଯୁକ୍ତ ବିଜୟାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନର ଆୟୋଜନ କରାଯାଇଥିଲା ଓ ତାହା ବେଶ୍‌ ଆଦୃତ ହୋଇଥିଲା ।

 

କାଳିନ୍ଦୀଚରଣ ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ନବଜାଗରଣର ଅନ୍ୟତମ ସାରଥୀ ଲବ୍ଧ ପ୍ରତିଷ୍ଠ କବି ଓ ବିଶିଷ୍ଠ କଥାକାର କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଗତ ତା ୨.୦୭.୨୦୦୧ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନରେ ଏକ ସାରସ୍ୱାତ ସ୍ମୃତି ଆସର ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଅବସରରେ ବର୍ଷୀୟାନ ସାରସ୍ୱତସାଧକ ଶ୍ରୀ ଗୁରୁଚରଣ ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟବକ୍ତା , ଅଧ୍ୟାପିକା ଡକ୍ଟର ଇନ୍ଦୁ ମିଶ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି କାଳିନ୍ଦୀଚରଣଙ୍କ ରଚନାବଳୀ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ସଂପଦ ଓ ଏହା ଓଡ଼ିଆ ବାଣୀଭଣ୍ଡାରକୁ ଋଦ୍ଧିମନ୍ତ ବୋଲି ବକ୍ତାମାନେ ତାଙ୍କ ଭାଷଣ ପ୍ରସଙ୍ଗରେ କାଳିନ୍ଦୀଚରଣଙ୍କୁ ଯୁଗସ୍ରଷ୍ଟ୍ରା ସାରସ୍ୱତ ସାଧକ ଭାବରେ ଅଭିହିତ କରି ତାଙ୍କର ପ୍ରଗତିଶୀଳ ସାରସ୍ୱତ ଚେତନା ଓଡ଼ିଆ ଭାଷାକୁ ସମୃଦ୍ଧ କରିଛି ବୋଲି କହିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

 

ପରିଶେଷରେ ଏକାଡେମୀ ପକ୍ଷରୁ ଉତ୍ସବରେ ଉପସ୍ଥିତି ଲାଗି ସମସ୍ତ ଶ୍ରୋତାମଣ୍ଡଳୀକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ଗୌରୀଶଙ୍କର ଜୟନ୍ତୀ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗୌରୀଶଙ୍କର ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ ଅବସରରେ ଗତ ତା ୧୩.୦୭.୨୦୦୧ରିଖ ସନ୍ଧ୍ୟା ୬.୩୦ମିନିଟ୍‌ ସମୟରେ କଟକସ୍ଥିତ ଟାଉନହଲଠାରେ ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଉକ୍ତ ସାରସ୍ୱତ ସ୍ମୃତି ସଭାରେ ବିଶିଷ୍ଟ ବାଗ୍ମୀ ଶ୍ରୀଯୁକ୍ତ ହୃଦାନନ୍ଦ ରାୟ ମୁଖ୍ୟଅତିଥି, ଡକ୍ଟର ବିଜୟାନନ୍ଦ ସିଂହ, ସାଂସଦ ଶ୍ରୀ ଅନାଦି ସାହୁ ଓ ଶ୍ରୀ କାର୍ତ୍ତିକଚନ୍ଦ୍ର ଚାନ୍ଦ ସମ୍ମାନିତ ଅତିଥି ତଥା ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର, ମୁଖ୍ୟମନ୍ତ୍ରୀ ଭାବରେ ଯୋଗଦେଇ ଓଡ଼ିଆ ଭାଷାର ଅଭିବୃଦ୍ଧି ଓ ବିକାଶ ନିମନ୍ତେ କର୍ମବୀର ଗୌରୀଶଙ୍କରଙ୍କ ଅବଦାନ ସଂପର୍କରେ ବିଶଦ୍‌ ଭାବରେ ଆଲୋଚନା କରିଥିଲେ । ସେ ଉତ୍କଳ ଦୀପିକାର ସଂପାଦକ ଭାବରେ ଅର୍ଦ୍ଧଶତାବ୍ଦୀ ଧରି ସମାଜରୁ କୁସଂସ୍କାର ବିଲୋପ ପାଇଁ ଯେଉଁ ମହତ୍‌ କାର୍ଯ୍ୟ କରିଯାଇଛନ୍ତି ସେଥିପାଇଁ ସେ ଚିରସ୍ମରଣୀୟ ଓ ଓଡ଼ିଆ ଜାତିର ନମସ୍ୟ ବୋଲି ଉତ୍ସବରେ ପୌରୋହିତ୍ୟ କରି ଏକାଡେମୀର ସଭାପତି ଶ୍ରୀଯୁକ୍ତ ପଠାଣି ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀଯୁକ୍ତ ଅଶ୍ୱିନୀକୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ଗୌରୀଶଙ୍କର ସ୍ମୃତି ସଂସଦ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

***

 

ଆମ ରାଜ୍ୟର ଆଦିବାସୀମାନଙ୍କର କଥିତ ଭାଷା

 

ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଆଦିବାସୀମାନଙ୍କର କଥିତ ଭାଷାକୁ ନିମ୍ନମତେ ବିଭାଗୀକରଣ କରାଯାଇପାରେ ।

 

୧.

ଗୋଷ୍ଠୀ ପରିଚିତ ଥାଇ ସ୍ୱବର୍ଗୀୟ ଭାଷା: ସାନ୍ତାଳୀ, ମୁଣ୍ତାରୀ, ହୋ, ଖଡ଼ିଆ, ସଉରା, ବଣ୍ଡା, ଓରାଓଁ, ଡିଡାୟୀ କୋୟା, ଗାଦ୍‌ବା, କୁଇ ଇତ୍ୟାଦି ।

୨.

ଗୋଷ୍ଠୀ ପରିଚିତ ଥାଇ ମିଶ୍ରିତ ଭାଷା: ବାଥୁଡ଼ି, ଉତରା, ହଲବା, ଭୂୟାଁ, କୁର୍‌ମାଲି ଇତ୍ୟାଦି

୩.

ଗୋଷ୍ଠୀ ପରିଚିତ ନଥାଇ ଯୋଗାଯୋଗର ଭାଷା: ଦେଶିଆ, ସାଦ୍‌ରୀ ଇତ୍ୟାଦି

 

ଉପରୋକ୍ତ ଭାଷାଗୁଡ଼ିକୁ ପୁନଶ୍ଚ ଭାଷା ପରିବାର ଭିତ୍ତିରେ ନିମ୍ନମତେ ବର୍ଗୀକୃତ କରାଯାଇପାରେ ।

 

କ.

ଆର୍ଯ୍ୟଗୋଷ୍ଠୀ

୧.

ଓଡ଼ିଆ ଆଞ୍ଚଳିକ ଭାଷା-ଦେଶିଆ, ଭତ୍ରୀ, ଝରିଆ

 

 

୨.

ମରାଠୀ ଆଞ୍ଚଳିକ ଭାଷା-ହଲବା

 

 

୩.

ଛତିଶଗଡ଼ୀ ଆଞ୍ଚଳିକ ଭାଷା-ଲାରିଆ

ଖ.

ଦ୍ରାବିଡ଼ ଗୋଷ୍ଠୀ

୪.

ତେଲୁଗୁ

 

 

୫.

କୁଇ

 

 

୬.

ପେଙ୍ଗୁ

 

 

୭.

କନ୍ଧ

 

 

୮.

ପାରଜୀ

 

 

୯.

କୋୟା

 

 

୧୦.

ଗଣ୍ଡି

 

 

୧୧.

କଣ୍ଡା

ଗ.

ମୁଣ୍ଡା ଗୋଷ୍ଠୀ

୧୨.

ଗାଦ୍‌ବା

 

 

୧୩.

ପରେଙ୍ଗା

 

 

୧୪.

ବଣ୍ଡା

 

 

୧୫.

ଡିଡାୟୀ

 

 

୧୬.

ସଉରା

 

 

୧୭.

ଖଡ଼ିଆ

 

 

୧୮.

ଜୁଆଙ୍ଗ

 

 

୧୯.

ସାନ୍ତାଳୀ

 

 

୨୦.

ମୁଣ୍ଡାରୀ

 

 

୨୧.

ବିରହୋର

 

 

୨୨.

ହୋ

 

 

ଆମ ରାଜ୍ୟର ଆଦିବାସୀ ସଂପ୍ରଦାୟ ଓ ସେମାନଙ୍କର ବସତି ଅଞ୍ଚଳ

 

କ୍ର.ସଂ. ଆଦିବାସୀ ଜାତିର ନାମ ବସବାସ ଅଞ୍ଚଳ

 

୧.

ଓମନାତ୍ୟ

କୋରାପୁଟ, ଗଞ୍ଜାମ

୨.

ଓରାଓଁ

ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା

୩.

କନ୍ଧ

କୋରାପୁଟ, କନ୍ଧମାଳ

୪.

କନ୍ଧ ଗଉଡ଼

କନ୍ଧମାଳ, ପୁରୀ

୫.

କନ୍ଧ ଡୋରା

କୋରାପୁଟ, ଗଞ୍ଜାମ, ଜଗପତି

୬.

କଲି ମହ୍ଲାର

ଅନୁଗୋଳ, ଗଞ୍ଜାମ

୭.

କଓ୍ୱାର

ସୁନ୍ଦରଗଡ଼, ସମ୍ୱଲପୁର

୮.

କିସାନ

ସମ୍ୱଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା

୯.

କୁଟିଆ

କୋରାପୁଟ, କନ୍ଧମାଳ, କଳାହାଣ୍ଡି

୧୦.

କୁଲିସ୍‌

ସମ୍ୱଲପୁର, ବଲାଙ୍ଗୀର

୧୧

କୋରା

ଅନୁଗୋଳ, କେନ୍ଦୁଝର

୧୨.

କୋରୁଆ

ସମ୍ୱଲପୁର, କୋରାପୁଟ

୧୩.

କୋଲ

କେନ୍ଦୁଝର, ସୁନ୍ଦରଗଡ଼

୧୪.

କୋଲ ଲୋହାରା

ସୁନ୍ଦରଗଡ଼

୧୫.

କୋହ୍ଲ

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼

୧୬.

କୋୟା

ମାଲକାନଗିରି

୧୭.

ଖଡ଼ିଆ

ସୁନ୍ଦରଗଡ଼, ଝାରସୁଗୁଡ଼ା

୧୮.

ଖରଓ୍ୱାର

କେନ୍ଦୁଝର, ମୟୁରଭଞ୍ଜ

୧୯.

ଗାଦବା

କୋରାପୁଟ

୨୦.

ଗଣ୍ଡ

କଳାହାଣ୍ଡି, ସମ୍ୱଲପୁର, ବରଗଡ଼

୨୧.

ଗଣ୍ଡିଆ

କୋରାପୁଟ, ଡେଙ୍କାନାଳ, ଅନୁଗୋଳ

୨୨.

ଘରା

କଳାହାଣ୍ଡି, ସମ୍ୱଲପୁର

୨୩.

ଚେଞ୍ଚୁ

କଳାହାଣ୍ଡି, ସୁନ୍ଦରଗଡ଼

୨୪.

ଜୁଆଙ୍ଗ

କେନ୍ଦୁଝର, ଅନୁଗୋଳ

୨୫.

ଜାତପୁ

ନବରଙ୍ଗପୁର, କୋରାପୁଟ, ଗଜପତି

୨୬.

ଠାରୁଆ

ମୟୂରଭଞ୍ଜ, ଗଞ୍ଜାମ

୨୭.

ଡାଲ

ବଲାଙ୍ଗୀର, କଳାହାଣ୍ଡି

୨୮.

ଡିଡାୟୀ

ମାଲକାନଗିରି

୨୯.

ଧାରୁଆ

କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି

୩୦.

ପରଜା

କୋରାପୁଟ, ମାଲକାନଗିରି

୩୧.

ପାରେଙ୍ଗା

କୋରାପୁଟ

୩୨.

ପେଣ୍ଟିଆ

କଳାହାଣ୍ଡି, ସମ୍ୱଲପୁର

୩୩.

ବନ୍‌କାରା

କୋରାପୁଟ, ମୟୁରଭଞ୍ଜ, ନୂଆପଡ଼ା

୩୪.

ବାଇଗୋ

କଳାହାଣ୍ଡି

୩୫.

ବାଗ୍‌ତା

କଟକ, ବାଲେଶ୍ୱର

୩୬.

ବାଥୁଡ଼ି

ମୟୁରଭଞ୍ଜ, କେନ୍ଦୁଝର

୩୭.

ବଣ୍ଡା ପରଜା

ମାଲକାନଗିରି

୩୮.

ବିନ୍‌ଝାଲ

ସମ୍ୱଲପୁର, ବଳାଙ୍ଗିର, ବରଗଡ଼

୩୯.

ବିନ୍‌ଝିଆ

ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼

୪୦

ବିର୍‌ହୋର

ସୁନ୍ଦରଗଡ଼

୪୧.

ଭତଡ଼ା

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି

୪୨.

ଭୂମିଆ

ମାଲକାନଗିରି, କୋରାପୁଟ,ସୁନ୍ଦରଗଡ଼

୪୩

ଭୂଂଜିଆ

ନୂଆପଡ଼ା, କଳାହାଣ୍ଡି, କୋରାପୁଟ

୪୪.

ଭୂମିଜ

ମୟୂରଭଞ୍ଜ, ବାଲେଶ୍ୱର

୪୫.

ଭୂୟାଁ

ସୁନ୍ଦରଗଡ଼,କେନ୍ଦୁଝର, ସମ୍ୱଲପୁର, ଦବେଗଡ଼

୪୬.

ମାଙ୍କିଡ଼ି

କଳାହାଣ୍ଡି,ସୁନ୍ଦରଗଡ଼

୪୭.

ମାଙ୍କିଡ଼ିଆ

ମୟୁରଭଞ୍ଜ,ସମ୍ୱଲପୁର

୪୮.

ମାଟିଆ

ଢେଙ୍କାନାଳ, କୋରାପୁଟ, ନବରଙ୍ଗପୁର

୪୯.

ମାଡ଼ିଆ

ମାଲକାନଗିରି, ଅନୁଗୁଳ

୫୦.

ମାହାଲି

ମୟୂରଭଞ୍ଜ, ସୁନ୍ଦରଗଡ଼

୫୧.

ମିର୍ଦ୍ଦା

ସମ୍ୱଲପୁର, ବଳାଙ୍ଗୀର, ଝାରସୁଗୁଡ଼ା

୫୨.

ମୁଣ୍ଡା

ସୁନ୍ଦରଗଡ଼, ସମ୍ୱଲପୁର

୫୩.

ମୁଣ୍ଡାରି

ସୁନ୍ଦରଗଡ଼, ମୟୁରଭଞ୍ଜ

୫୪.

ରାଜୁଆର

ମୟୂରଭଞ୍ଜ, କେନ୍ଦୁଝର

୫୫.

ଲୋଧା

ମୟୂରଭଞ୍ଜ

୫୬.

ସଉରା/ଶବର

ଗଜପତି, ସମ୍ୱଲପୁର, ବରଗଡ଼

୫୭.

ସାଉଁତି

କେନ୍ଦୁଝର, ମୟୁରଭଞ୍ଜ

୫୮.

ସାନ୍ତାଳ

ମୟୂରଭଞ୍ଜ, ବାଳେଶ୍ୱର, କେନ୍ଦୁଝର

୫୯.

ହଲବା

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା

୬୦.

ହୋ

ମୟୁରଭଞ୍ଜ, କେନ୍ଦୁଝର

୬୧.

ଶବର ଲୋଧା

ମୟୁରଭଞ୍ଜ

୬୨.

ଭତଡ଼ା

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି

***